অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାହସୀ ବିକ୍ରମ

ସାହସୀ ବିକ୍ରମ

ଉପକ୍ରମ

ପ୍ରାଚୀନ କାଳରେ ଉଜ୍ଜୟିନୀରେ ଅନେକ ବିଖ୍ୟାତ ରାଜା ସବୁ ରାଜତ୍ୱ କରୁଥିଲେ । କିନ୍ତୁ ଏକ ସମୟରେ ଏପରି ଜଣେ ରାଜା ଥିଲେ, ଯିଏକି ନିଜର ଅତ୍ୟାଚାର ଓ ବଦଗୁଣ ଯୋଗୁଁ କୁଖ୍ୟାତ ଥିଲେ । ଦିନକୁ ଦିନ ତାଙ୍କ ଅତ୍ୟାଚାରର ସୀମା ମଧ୍ୟ ରହିଲା ନାହିଁ । ତେଣୁ ସେ ରାଜ୍ୟର କେତେକ ଯୁବକ ପ୍ରଜାମାନଙ୍କୁ ନେଇ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଫଳରେ ଘମାଘୋଟ ଯୁଦ୍ଧ ହେଲା । କ୍ରମେ ସେହି ବିଦ୍ରୋହ ପ୍ରବଳରୂପ ଧାରଣ କଲା । ଅବଶେଷରେ ରାଜା ନିଜର ଜୀବନ ନେଇ ସେଠାରୁ ପଳାଇ ଗଲେ ଓ ନର୍ମଦା ନଦୀର ଅପର ପାରରେ ଥିବା ପଡୋଶୀ ରାଜ୍ୟର ରାଜା ମାର୍ତଣ୍ଡଙ୍କର ଆଶ୍ରୟ ନେଲେ ।

ବର୍ଣ୍ଣନା

ରାଜା ମାର୍ତଣ୍ଡ ବହୁଦିନ ଧରି ଉଜ୍ଜୟିନୀକୁ ନିଜ ରାଜ୍ୟରେ ମିଶାଇବା ପାଇଁ ଆଶା ପୋଷଣ କରିଥିଲେ । ଏବେ ରାଜ୍ୟରେ ଅରାଜକତାର ସୁଯୋଗ ନେଇ ସେ ତାଙ୍କର ଇଚ୍ଛା ପୂରଣ କରିବାକୁ ତତ୍ପର ହେଲେ । ସେ ଉଜ୍ଜୟିନୀର ପଳାତକ ରାଜାକୁ ନିଜ ପାଖରେ ରଖିନେଇ ଓ ତାଙ୍କଠୁଁ ସବୁ କିଛି ବୁଝିନେଲେ । ତା’ପରେ ଉଜ୍ଜୟିନୀ ଆକ୍ରମଣ କରିବାକୁ ସୈନ୍ୟ ପ୍ରସ୍ତୁତି ଚାଲିଲା ।

ଏଣେ କ’ଣ ହୋଇଛି ନା ରାଜାଙ୍କ ପରେ ପ୍ରଜାମାନେ ଶାସନ ଦାୟିତ୍ୱ ନିଜ ହାତକୁ ନେଲେ । କିନ୍ତୁ ସେ ଦିଗରେ ସେମାନଙ୍କର ଅଭିଜ୍ଞତା ବେଶି ନାହିଁ । କେତେକ ମୁଖ୍ୟ ଲୋକ କହିଲେ ସବୁ କିଛି ଚଳାଇବାକୁ । ଠିକ୍ ଏହି ସମୟରେ ଗୁପ୍ତଚରଠାରୁ ଖବର ମିଳିଲା କି ରାଜା ମାର୍ତଣ୍ଡ ଉଜ୍ଜୟିନୀ ଆକ୍ରମଣ କରିବାକୁ ଆସୁଛନ୍ତି । ଏହା ଶୁଣି ସମସ୍ତେ ମୁଣ୍ଡରେ ହାତ ଦେଇ ବସିଲେ । ଭାବିଲେ ଏବେ କ’ଣ କରାଯିବ? କାରଣ ଉଜ୍ଜୟିନୀର ସୈନ୍ୟଶକ୍ତି ଏତେ ବି ବିରାଟ ନୁହେଁ; ପୁଣି ରାଜା ମାର୍ତଣ୍ଡ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ । ତାଙ୍କ ପାଖରେ ସୈନ୍ୟସଂଖ୍ୟା ମଧ୍ୟ ବହୁତ । ସେମାନଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାରର ଆୟୁଧ ମଧ୍ୟ ଥିଲା । ସେମାନଙ୍କ ସୈନ୍ୟମାନେ ଯୁଦ୍ଧବିଦ୍ୟା ଭଲ ରୂପେ ଶିକ୍ଷା କରିଛନ୍ତି । ପୁଣି ସୈନ୍ୟମାନଙ୍କୁ ଏକତ୍ର କରିବାକୁ ମଧ୍ୟ ଉଜ୍ଜୟିନୀ ଶାସକମାନଙ୍କ ହାତରେ ଆଉ ସମୟ ନାହିଁ । ଦୁଷ୍ଟ ରାଜାଙ୍କ ଶାସନ କାଳରେ ସୈନ୍ୟମାନେ ସଂଗଠିତ ହୋଇ ନଥିଲେ । କାହିଁକିନା ସେତେବେଳେ ସେ ରାଜା ତ ଖାଲି ଭୋଗବିଳାସରେ ବୁଡି ରହିଥିଲେ ।

ଏକ ବିଶାଳ ଖୋଲା ପ୍ରାଙ୍ଗଣରେ ସାର୍ବଜନୀନ ସଭା ଡକା ହେଲା । ଯୁବକମାନେ ସେଠାରେ ଦଳବଦ୍ଧ ହୋଇ କହିଲେ, “ଯେପରି ହେଉ ପଛେ ଆମେ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଉଜ୍ଜୟିନୀକୁ ରକ୍ଷା କରିବୁ ।” ସେମାନଙ୍କ ମଧ୍ୟରୁ ଜଣେ ବୀର ଯୁବକ ଭିଡ ଠେଲି ମଧ୍ୟସ୍ଥଳରେ ଆସି ପହଁଚିଲା । ତା’ର ନାମ ବିକ୍ରମ ଥିଲା । ସେ କହିଲା, “ଆପଣମାନେ ମାତ୍ର କୋଡିଏଟି ସାହସୀ ଯୋଦ୍ଧା ମୋ ହାତରେ ଦିଅନ୍ତୁ, ମୁଁ ଅବସ୍ଥା ସମ୍ଭାଳିବି । ରାଜା ମାର୍ତଣ୍ଡଙ୍କ ସୈନ୍ୟବଳ ବିଷୟରେ ମୁଁ ଅପରିଚିତ ନୁହେଁ । ତଥାପି ମଧ୍ୟ ଆମର ଯୁବକ ଶକ୍ତି ଚାହିଁଲେ ଉଜ୍ଜୟିନୀ ସୁରକ୍ଷିତ ରହି ପାରିବ ।”

ବିକ୍ରମର ଏଭଳି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ରାଜା ମାର୍ତଣ୍ଡଙ୍କର କୋଡିଏ ହଜାର ସୁଶିକ୍ଷିତ ସୈନ୍ୟଙ୍କ ସହିତ ବିକ୍ରମ ମାତ୍ର କୋଡିଏଟି ଯୋଦ୍ଧା ନେଇ ଯୁଦ୍ଧ କରିବ? ଏହା ତ ସଂପୂର୍ଣ୍ଣ ଅସମ୍ଭବ । କେହି କେହି କହିଲେ, “ଏହା ବିକ୍ରମର ବୃଥା ଅଂହକାର । ରାଜା ମାର୍ତଣ୍ଡଙ୍କ ସେନା ସମ୍ମୁଖରେ ଆମକୁ ହାରି ଯିବାକୁ ହିଁ ହେବ ।”

କିନ୍ତୁ ବିକ୍ରମ ସମସ୍ତିଙ୍କୁ ବୁଝାଇବାକୁ ଯାଇ କହିଲା, “ସେମାନଙ୍କ ସୈନ୍ୟ ଆମ ରାଜ୍ୟରେ ପ୍ରବେଶ କରିବା ପାଇଁ କେବଳ ଗୋଟିଏ ମାତ୍ର ପଥ ରହିଛି । ତାହା ହେଉଛି ନର୍ମଦା ନଦୀର ପୋଲ । ଏହା ଏତେ ଅଣ ଓସାରିଆ ଯେ ତା’ ମଧ୍ୟ ଦେଇ ଏକାବେଳେ ବେଶି ସୈନ୍ୟ କେବେବି ଆସି ପାରିବେ ନାହିଁ । ତେଣୁ ପୋଲର ସ୍ତମ୍ଭ ଗୁଡିକ ପଛରେ ଆମର ଦୁଇ ଚାରିଜଣ ସୈନ୍ୟ ରହିଲେ ସେମାନଙ୍କୁ ଅତି ସହଜରେ ପରାଜିତ କରାଯାଇ ପାରିବ । ଫଳରେ ସେମାନେ ଆଉ ଆଗକୁ ଆସି ପାରିବେ ନାହିଁ । ତା’ପରେ ଦରକାର ପଡିଲେ ପୋଲକୁ ଭାଙ୍ଗି ଦିଆଯିବ । ତେଣୁ ସେମାନଙ୍କ ସୈନ୍ୟଦଳ ଦେଖି ଆମର ଡରିବା ଆଦୌ ଉଚିତ୍ ନୁହେଁ ।”

ବିକ୍ରମର ଏହି କଥା ସମସ୍ତିଙ୍କର ମନକୁ ବେଶ୍ ପାଇଲା । ତା’ପରେ କୋଡିଏ ଜଣ ବୀର ଯୋଦ୍ଧା ଯୁବକ ବିକ୍ରମ ପାଖକୁ ଆସିଲେ । ସେମାନଙ୍କର ହାତରେ ନାନା ପ୍ରକାର ଅସ୍ତ୍ରଶସ୍ତ୍ର ଥାଏ । ପୋଲର ସ୍ତମ୍ଭମାନଙ୍କ ପଛରେ କେଉଁଠି କିଏ କିପରି ଭାବରେ ରହିବ ସବୁ ଯୋଜନା ହୋଇଗଲା ।

ସକାଳ ହେବାରୁ ରାଜା ମାର୍ତଣ୍ଡଙ୍କ ସୈନ୍ୟ ପୋଲ ପାର ହେବାକୁ ବସିଲେ । ଏକ ପରେ ଏକ ସୈନ୍ୟଙ୍କର ମୁଣ୍ଡଛିଡି ତଳେ ପଡୁଛି । ହେଲେ କିଏ ଏପରି କେଉଁଠି ଥାଇ କରୁଛି କେହି ବି ଦେଖି ପାରିଲେ ନାହିଁ । ତେଣୁ ବୃଥାରେ ମରିବା ପାଇଁ ଇଚ୍ଛା ନ କରି ସେମାନେ ପଛକୁ ଫେରିଲେ ।

ଯୁଦ୍ଧର ଏପରି ଖବର ଶୁଣି ରାଜା ମାର୍ତଣ୍ଡ ବହୁତ ଆଶ୍ଚର୍ଯ୍ୟ ହେଲେ । ରାଜା ଚାହିଁଲେ ଗୁପ୍ତ ଭାବରେ ରହି ଯୁଦ୍ଧ କରୁଥିବା ଯୋଦ୍ଧାମାନଙ୍କୁ ପରାଜିତ କରିବାକୁ । ତେଣୁ ସେ ନାନା ପ୍ରକାର ଉପାୟ ଚିନ୍ତା କଲେ । ଛୋଟ ଛୋଟ ଡଙ୍ଗାରେ ଦଶଜଣ କରି ସୈନିକ ବସି ନର୍ମଦା ପାର ହେବାକୁ ଚାହିଁଲେ । ସେମାନେ ନଦୀର ମଝିରେ ହେବା ବେଳକୁ ବିକ୍ରମ ତରଫରୁ ଯୋଦ୍ଧାମାନେ ଗଛର ଆଢୁଆଳରେ ଥାଇ ଶରସନ୍ଧାନ କରି ଅନେକ ସୈନ୍ୟଙ୍କୁ ମାରି ପକାଇଲେ । ତେଣୁ ରାଜା ମାର୍ତଣ୍ଡଙ୍କର ସୈନ୍ୟ ଆଉ ଆଗକୁ ଯାଇପାରିଲେ ନାହିଁ । କିନ୍ତୁ ଏଣେ ପୋଲ ଉପରେ ଯୁଦ୍ଧ ହେବାବେଳେ ମାର୍ତଣ୍ଡଙ୍କ ସୈନ୍ୟମାନେ ଅଧିକ ସଂଖ୍ୟାରେ ଆସିଲେ ଓ ଅନେକ ହଣା ଖାଇଲେ ମଧ୍ୟ ଜଣେ ଦି’ଜଣ ଏପଟକୁ ଆସି ପାରିଲେ । ଦୁଇପଟରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଥାଏ । ଏପରି ଅବସ୍ଥା ଦେଖି ବିକ୍ରମ କହିଲା ଯେ କୁରାଢୀ ଧରି ଏବେ ଏହି ପୋଲକୁ ଭାଙ୍ଗି ଦେବାକୁ ହେବ । ଏଣେ ପୋଲ ଉପରେ ଯୁଦ୍ଧ ଚାଲିଥାଏ । ବିକ୍ରମ ଛଡା ଅନ୍ୟ ସମସ୍ତେ ସେଠାରୁ ଫେରିଗଲେ । ପୋଲ ପୁରାପୁରି ଭାଙ୍ଗି ପଡିବା ପୂର୍ବରୁ ଶତ୍ରୁ ସୈନ୍ୟଦଳ ତାହା ଅତିକ୍ରମ କରି ଉଜ୍ଜୟିନୀ ପଟକୁ ଆସିବା ନିମନ୍ତେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥାନ୍ତି । କିନ୍ତୁ ବିକ୍ରମ ସେମାନଙ୍କୁ ଏଡେ ପ୍ରବଳ ଭାବରେ ବାଧା ଦେଉଥାଏ ଯେ ସେମାନେ ଅଗ୍ରସର ତ ହୋଇପାରୁ ନଥାନ୍ତି, ବରଂ ଅଧିକାଂଶ ପୋଲ ତଳକୁ ଛିଟିକି ପଡି ନଈରେ ଡୁବି ଯାଉଥାନ୍ତି । ଅନ୍ୟ ପାରିରେ ଠିଆ ହୋଇ ରାଜା ମାର୍ତଣ୍ଡ ଆଶ୍ଚର୍ଯ୍ୟ ହୋଇ ବିକ୍ରମର ଯୁଦ୍ଧ କୌଶଳ ଓ ସାହସ ଦେଖୁଥାନ୍ତି । ଅବଶେଷରେ ପୋଲ ଭାଙ୍ଗି ପଡିବା ଅବସ୍ଥାକୁ ଆସିଲା । ସୈନ୍ୟମାନେ ହଟି ପଳାଇଗଲେ । ବିକ୍ରମ ଯୁଦ୍ଧ କରୁ କରୁ ନର୍ମଦାର ଅପର ତଟକୁ ଚାଲିଗଲା ଓ ପୋଲ ଭାଙ୍ଗିଗଲା । ସେତେବେଳକୁ ସେଠାରେ ବିକ୍ରମକୁ ସହାୟତା କରିବାକୁ ତ ତା’ ପଟର ଆଉ କେହି ବି ଯୋଦ୍ଧା ନଥିଲେ । ଏବେ ପୋଲ ଭାଙ୍ଗିଯିବା ପରେ ବି ଫେରି ଆସିବାର କୌଣସି ପ୍ରଶ୍ନ ଉଠୁ ନାହିଁ । ତେଣୁ ଯୁଦ୍ଧ କରୁ କରୁ ବିକ୍ରମ ଶତ୍ରୁ ହାତରେ ବନ୍ଦୀ ହେଲା । ସେମାନେ ତାକୁ ବନ୍ଦୀମାନଙ୍କ ଶିବୀରକୁ ନେଇଗଲେ ।

ଅଗ୍ନିପାଖରେ ବସି ରାଜା ମାର୍ତଣ୍ଡ ଓ ତାଙ୍କ ସେନାପତି ଗଳ୍ପ କରୁଥିଲେ । ଠିକ୍ ସେତିକିବେଳେ ସୈନ୍ୟମାନେ ବିକ୍ରମକୁ ବନ୍ଦୀ ଅବସ୍ଥାରେ ଧରି ଆଣି ସେଠାରେ ପହଁଚିଲେ । ଅଗ୍ନିର ଲାଲ୍ ଶିଖାରେ ବିକ୍ରମ ଏକ ବଡ ବୀର ଯୋଦ୍ଧା ପରି ପ୍ରତୀତ ହେଉଥିଲା ।

ବିକ୍ରମ କହିଲା, “ମୁଁ କାପୁରୁଷ ନୁହେଁ, ପଳାଇବି ନାହିଁ, ମୋର ବନ୍ଧନ ଖୋଲିଦିଅ ।”

ଆଧାର - ଓଡ଼ିଆ ଗପ

Last Modified : 4/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate