অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱପ୍ନ ସୁନ୍ଦରୀ ତାନ୍ତ୍ରିକ ବ୍ୟାଘ୍ରଦୀପ

ସ୍ୱପ୍ନ ସୁନ୍ଦରୀ ତାନ୍ତ୍ରିକ ବ୍ୟାଘ୍ରଦୀପ

ଉପକ୍ରମ

ନିସ୍ତବ୍ଧ ରାତି । ଘନ ଅନ୍ଧକାର । ତୁହାକୁ ତୁହା ଶୀତଳ ପବନ, ପୁଣି ତା’ସାଙ୍ଗକୁ ଝିପିଝିପି ବର୍ଷା । ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ । ବିଲୁଆମାନଙ୍କର ହୁ କ୍ୟା ହୁଆ ହୁ କ୍ୟା ହୁଆ ରଡି ସାଙ୍ଗକୁ କୁକୁରମାନଙ୍କର ଭୋ ଭୋ ରଡି । ତା’ ସାଙ୍ଗକୁ ଭୁତ ପିଶାଚ ମାନଙ୍କର ହିଁ ହିଁ ହୋ… ହୋ ଅଟ୍ଟହାସ୍ୟ । କିନ୍ତୁ ରାଜା ବିକ୍ରମାଦିତ୍ୟ ଏ ସବୁକୁ ତିଳେମାତ୍ର ଭୟ ନକରି, ବିଚଳିତ ନହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷ ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ କାଢ଼ିଆଣିଲେ । ସେ ତାକୁ କାନ୍ଧରେ ପକାଇ ମଶାଣୀ ଭୂଇଁକୁ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହି ଉଠିଲା – “ରାଜନ, ଏହା ମତେ ଜଣାଅଛି ଯେ ତୁମ୍ଭର ତଥା ତୁମ୍ଭ ରାଜ୍ୟରେ କୌଣସି ଅଭାବ ଅସୁବିଧା ନାହିଁ । ତେବେ ମୋର ଧାରଣା ହୁଏ ଯେ ତୁମ୍ଭେ ନିଶ୍ଚିତ ଭାବରେ କୌଣସି ଆକର୍ଷଣୀୟ ଯୁକ୍ତା ସୁନ୍ଦରୀ କନ୍ୟାର ଚିନ୍ତାରେ ଥାଇ ଏପରି କାର୍ଯ୍ୟ କରୁଅଛ । ତୁମ୍ଭକୁ ଏଥିରୁ ନିବୃତ ହେବା ନିମନ୍ତେ ମୁଁ ତୁମ୍ଭକୁ ଗୋଟିଏ କାହାଣୀ କହୁଅଛି । ଯେଉଁ କାହାଣୀ ଶୁଣିଲେ ତୁମ୍ଭର ଗନ୍ତବ୍ୟ ପଥର ପରିବର୍ତ୍ତନ ହେବା ସହିତ ତୁମ୍ଭର ପଥଶ୍ରମ ଜନିତ କ୍ଳାନ୍ତ ବି ଲାଘବ ହେବ । ଏହା କହି ସେ ବେତାଳ କାହାଣୀଟି କହିବା ଆରମ୍ଭ କଲା”

ବର୍ଣ୍ଣନା

ମଗଧ ନାମକ ଏକ ପ୍ରସିଦ୍ଧ ରାଜ୍ୟ । ସେ ରାଜ୍ୟର ରାଜାଥିଲେ ଜୟବର୍ମା । ତାଙ୍କର ଏକମାତ୍ର ପୁତ୍ର, ତାର ନାମ ମହେନ୍ଦ୍ର ବର୍ମା । ମହେନ୍ଦ୍ର ବର୍ମା ଅସ୍ତ୍ର ବିଦ୍ୟାରେ ଖୁବ୍ ଧୁରନ୍ଧର ଥିଲେ । ଅସ୍ତ୍ର ଚାଳନାରେ ସମ୍ଭବତଃ ତାଙ୍କ ସମକକ୍ଷ କେହି ବି ନଥିଲେ । ସ୍ୱଭାବରେ ସେ ଅତ୍ୟନ୍ତ ଶାନ୍ତ, ସରଳ ଓ ନମ୍ର ଥିଲେ । ରୂପରେ ମଧ୍ୟ ଯୁବରାଜ ମହେନ୍ଦ୍ର ଅତ୍ୟନ୍ତ ସୁନ୍ଦର ଥିଲେ । ତେଣୁ ରୂପ ଗୁଣରେ ପରିପୁର୍ଣ୍ଣ ଥିବା ରାଜକୁମାର ମହେନ୍ଦ୍ର ବର୍ମାଙ୍କୁ ବିଭିନ୍ନ ରାଜ୍ୟର ରାଜାମାନେ ନିଜର କନ୍ୟା ସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରୁଥାଆନ୍ତି ।

ସେ ସମୟରେ ସେ ରାଜ୍ୟର ରାଜପ୍ରାସାଦରେ ଜଣେ ଚିତ୍ରକର ଥିଲେ । ସେ ମଧ୍ୟ ଯୁବକ ଥିବାରୁ ଯୁବରାଜ ମହେନ୍ଦ୍ରଙ୍କ ସହିତ ସେ ଚିତ୍ରକରଙ୍କର ବନ୍ଧୁତ୍ୱ ଅତି ନିବିଡ ଥିଲା । ଏପରି ଏକ ସମୟ ଆସି ଉପଗତ ହେଲା ଯେ ସ୍ୱୟଂ ଯୁବରାଜ ନିଜ ତରଫରୁ ବନ୍ଧୁଙ୍କର ଚିତ୍ରଶାଳାରେ ଯାଇ ପହଁଚିଗଲେ । ସେ ସମୟରେ ସେ ଚିତ୍ରକର ଯୁବକ ଜଣକ ଏକ ସୁନ୍ଦରୀ କନ୍ୟାର ଚିତ୍ରରେ ରଙ୍ଗ ଦେବାରେ ବ୍ୟସ୍ତ ଥିଲେ । ସେଦିନ ରାଜକୁମାର ସେ ସୁନ୍ଦରୀ କନ୍ୟାର ଚିତ୍ରପଟ ଦେଖି, ଚିତ୍ରକର ବନ୍ଧୁଙ୍କ ଉପରେ ଅତ୍ୟନ୍ତ ପ୍ରୀତହୋଇ, ଭାବ ବିହ୍ୱଳିତ ମନ ନେଇ ତାଙ୍କୁ ପଚାରିଲେ ବନ୍ଧୁ… ଏ ଯେଉଁ ସୁନ୍ଦରୀ ଆକର୍ଷଣୀୟଯୁକ୍ତା କନ୍ୟାର ଚିତ୍ରଟି ଅଙ୍କନ କରିଛନ୍ତି, ଏହା ତୁମ୍ଭର କଳ୍ପନାରୁ ସୃଷ୍ଟି ନା କୌଣସି ସୁନ୍ଦରୀ କନ୍ୟାର ଅବିକଳ ରୂପକୁ ନେଇ ତମେ ଏ ଛବିକୁ ଅଙ୍କନ କରିଛ?

ତହୁଁ ସେ ଚିତ୍ରକର ବନ୍ଧୁ ଶୁଭେନ୍ଦୁ ଅଳ୍ପ ହସି କହିଲେ ଦେଖ ଯୁବରାଜ, ଏ ଚିତ୍ରପଟଟି କେବେ ବି କାଳ୍ପନିକ ନୁହେଁ କି ମୁଁ ମୋ ମନ ମଧ୍ୟରୁ ୟାକୁ ସୃଷ୍ଟି କରିନାହିଁ । ଏହା ହେଉଛି, ଆମ ରାଜ୍ୟର ଜଣେ କୃଷକର କନ୍ୟା, ଆଉ ସେ କନ୍ୟାଟିର ନାମ ହେଉଛି ଦେବକୀ ।

ଏହାପରେ ଯୁବରାଜ ମହେନ୍ଦ୍ର ବନ୍ଧୁ ଶୁଭେନ୍ଦୁଙ୍କ ଠାରୁ ଅତି ଅନ୍ୟମନସ୍କ ଭାବରେ ଚାଲିଗଲେ । ଦିନ ସରି ରାତି ଆସିଲା । ଯୁବରାଜଙ୍କୁ ରତ୍ନ ପଲଙ୍କରେ ଆଉ ନିଦ ନାହିଁ । ସେ ଚିନ୍ତା କଲେ ତାଙ୍କ ରାଜ୍ୟରେ ପୁଣି ଜଣେ କୃଷକର କନ୍ୟା ଏତେ ଆକର୍ଷଣୀୟ ଯୁକ୍ତା, ଶିରୀ, ସଉରଭା ଓ ସୁନ୍ଦରୀ କନ୍ୟା ଅଛି ଅଥଚ ସେ ତାହା କିପରି ଜାଣିନାହାଁନ୍ତି ।

ଏହିପରି ଭାବରେ ଉବୁଟୁବୁ ହୋଇ ରାଜକୁମାର ବିଳମ୍ବିତ ରାତିରେ ନିଦ୍ରାଗଲେ । ସେହି ନିଦ୍ରା ଅବସ୍ଥାରେ ସେ ଦେଖିଲେ ଗୋଟେ ଅଦ୍ଭୁତ ସ୍ୱପ୍ନ । ସେ ସ୍ୱପ୍ନଟି ହେଉଛି – ଜଣେ ତାନ୍ତ୍ରିକର କଣ୍ଠ ଦେଶରେ ତା’ର ରୁଦ୍ରାକ୍ଷ ମାଳ ଓ ରତ୍ନ ଖଚିତ ଆଉ ଗୋଟିଏ ମାଳ, ହସ୍ତରେ ମନ୍ତ୍ର ଦଣ୍ଡ ସହିତ ସେ ଏକ ବ୍ୟାଘ୍ର ପୃଷ୍ଠରେ ବସି ଅଛି ଓ ତା’ର ସମ୍ମୁଖ ଭାଗରେ ଜଣେ ଅପୂର୍ବ ସୁନ୍ଦରୀ କନ୍ୟା ।

ତା’ପରେ ସେ ଦେଖିଲେ, ବ୍ୟାଘ୍ରଟି ଧିରେ ଧିରେ ଆଗକୁ ଆଗକୁ ଚାଲନ୍ତେ, ରାଜକୁମାର ମଧ୍ୟ ତାଙ୍କର ପଥ ଅନୁସରଣ କରି ତାଙ୍କ ପଛେ ପଛେ ଚାଲିଲେ । ଏହା ପରେ ସେ ବ୍ୟାଘ୍ରଟି ଏକ ବଡ ଗୁମ୍ଫା ମଧ୍ୟରେ ପ୍ରବେଶ କରିଲା । ସେ ଗୁମ୍ଫା ଦ୍ୱାର ଦେଶରେ ଅଛି ଏକ ବିରାଟ ବଟବୃକ୍ଷ, ଏହା ପରେ ଯୁବରାଜ ମହେନ୍ଦ୍ର ବର୍ମାଙ୍କର ନିଦ ହଟାତ୍ ଭାଙ୍ଗିଗଲା ।

ସେତେବେଳକୁ ତ ରାତି ପାହି ପାହି ଆସୁଥାଏ । ଆସନ୍ନ ପ୍ରଭାତ । ଯୁବରାଜ ନିଦ୍ରାତ୍ୟାଗ କରି, ରାଜ ନଅରର ବାହାରକୁ ଆସନ୍ତେ ସେ ଏକ ସମ୍ବାଦ ଶୁଣିଲେ ଯେ ବ୍ୟାଘ୍ରଦୀପ ନାମକ ଏକ ଦୁଷ୍ଟ ତାନ୍ତ୍ରିକ ଗତ ରାତିରେ ଦେବକୀଙ୍କୁ ଅପହରଣ କରି ନେଇଛି । ସେ ଏପରି ଏକ ଭୟଙ୍କର ତାନ୍ତ୍ରିକ ଯେ ତା’ ସମ୍ମୁଖକୁ ଯାଇ ଦେବକୀକୁ ଉଦ୍ଧାର କରିବାର ସାହସ କାହାରି ବି ନାହିଁ । ଅବଶ୍ୟ ତାନ୍ତ୍ରିକ ତା’ର ବାହୁ ବଳରେ ଏତେ ଶକ୍ତିଶାଳି ହୋଇ ନଥିଲେ ମଧ୍ୟ ତାହାର ତନ୍ତ୍ର ବିଦ୍ୟାରେ ବିଚକ୍ଷଣତା, ବଶୀକରଣ ଉଚ୍ଚାଟନ ମନ୍ତ୍ର ଆଦିର ଦକ୍ଷତାରେ ସେ ସମସ୍ତ ଅସମ୍ଭବକୁ ସମ୍ଭବ କରିପାରେ ।

ଏକଥା ଜାଣିବା ପରେ ଯୁବରାଜ ମହେନ୍ଦ୍ର ବର୍ମା ଆଉ ଧୈର୍ଯ୍ୟ ଧରି ଯମା ରହିପାରିଲେ ନାହିଁ । ତାଙ୍କର ମନେ ହେଲା ଯେ, ଗତ ରାତ୍ରରେ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ସେ ସ୍ୱପ୍ନର କିଛି ନା କିଛି ସତ୍ୟତା ଏହିଠାରେ ରହି ଥାଇପାରେ । ସେଥିପାଇଁ ଯୁବରାଜ ମହେନ୍ଦ୍ର ବର୍ମା ନିଜର ଅଶ୍ୱ ଉପରେ ବସି ସେ ପାହାଡିଆ ଅଂଚଳକୁ ଚାଲିଗଲେ ।

କିଛି ବାଟ ଅତିକ୍ରମ କରିବା ପରେ ଯୁବରାଜ ଆପଣା ସ୍ଥାନରେ ଯାଇ ପହଁଚିଗଲେ । ସେଠାରେ ବହୁ ସ୍ଥାନ ଖୋଜିବା ପରେ ସେ ସ୍ୱପ୍ନରେ ଦେଖିଥିବା ଅଂଚଳ ଉପରେ ଦୃଷ୍ଟିପାତ କଲେ । ସେହିପରି ଗୁମ୍ଫା ସମ୍ମୁଖରେ ବଟବୃକ୍ଷ । ସେଠାରେ ସେ ଦେଖିଲେ ଗୁମ୍ଫାର ଦ୍ୱାରଦେଶରେ ଏକ ପ୍ରସ୍ତର ଓ ସେହି ପ୍ରସ୍ତର ଉପରେ ଗୋଟିଏ ବ୍ୟାଘ୍ର ବସିଅଛି । ଆଉ ସେହି ବ୍ୟାଘ୍ରର କଣ୍ଠରେ ଏକ ରତ୍ନହାର ମଧ୍ୟ ଝୁଲୁଅଛି । ଯୁବରାଜ ଏବେ ଚିନ୍ତାକଲେ ଯେ, ସେହି ରତ୍ନ ହାରଟି ନିଶ୍ଚୟ ସେହି ତାନ୍ତ୍ରିକର ହୋଇପାରେ । କାରଣ ଠିକ୍ ସେହିପରି ରତ୍ନହାର ଗୋଟିଏ ରାତିରେ ଦେଖିଥିବା ସ୍ୱପ୍ନରେ ତାନ୍ତ୍ରିକ ପିନ୍ଧିଥିବାର ସେ ଦେଖିଥିଲେ ।

ଏହାପରେ ଅଶ୍ୱର ପାଦ ଶବ୍ଦ ଟପ୍ ଟପ୍ ଶୁଣିବା ପରେ ବ୍ୟାଘ୍ରଟି ଜାଣିଲା ଯେ, ବର୍ତ୍ତମାନ ଗୁମ୍ଫା ମଧ୍ୟକୁ କେହି ନା କେହି ମନୁଷ୍ୟ ଆସୁଅଛି । ସେଥିପାଇଁ ବ୍ୟାଘ୍ର ଯୋଜନା ପ୍ରସ୍ତୁତ କରିବା ସମୟରେ ଯୁବରାଜ ମହେନ୍ଦ୍ର ବର୍ମାଙ୍କର ଶରାଘାତରେ ସେ ବ୍ୟାଘ୍ରଟି ନିଜ ପ୍ରାଣ ହରାଇଲା । ତା’ପରେ ଯୁବରାଜ ତା’ କଣ୍ଠରୁ ରତ୍ନମାଳାଟିକୁ ସଂଗ୍ରହ କରି ଗୁମ୍ଫା ମଧ୍ୟରେ ପ୍ରବେଶ କରି ଦେଖନ୍ତି ଯେ, ଗୋଟିଏ ବ୍ୟାଘ୍ର ଛାଲ ଉପରେ ତାନ୍ତ୍ରିକର ସମ୍ମୁଖରେ ସେ ଦେବକୀ ନାମ୍ନୀ କୃଷକର ସୁନ୍ଦରୀ କନ୍ୟା ବସିଅଛି । ତାନ୍ତ୍ରିକ ବ୍ୟାଘ୍ରଦୀପ କହୁଛି – ଦେଖ ଦେବକୀ,… ମୁଁ ମୋର ରତ୍ନହାର ଦ୍ୱାରା ଅସାଧ୍ୟକୁ ସାଧନ କରିପାରେ ସତ, କିନ୍ତୁ ସେହି ରତ୍ନ ହାରର ସାହାଯ୍ୟ ନେଇ, ମୁଁ ତୁମକୁ ନିଜର କରିବାର ଉଦ୍ଧେଶ୍ୟ ମୋଟେ ରଖିନାହିଁ । ସେଇଥି ପାଇଁ ତ ମୁଁ ମୋର ରତ୍ନ ହାରଟିକୁ ଗୁମ୍ଫାର ଦ୍ୱାରଦେଶରେ ଥିବା ବ୍ୟାଘ୍ରର କଣ୍ଠରେ ପକାଇ ତୁମ ସହିତ ଏ ସ୍ଥାନକୁ ଆସିଅଛି ।

ତୁମର ଜାଣିରଖିବା ଉଚିତ୍ ଯେ, ସେହି ରତ୍ନହାରଟି ମୋ ନିକଟରେ ଥିବା ପର୍ଯ୍ୟନ୍ତ ମୁଁ ଦୁର୍ଦ୍ଦାନ୍ତ, ଭୀଷଣ ମଣିଷ ଭାବରେ ଗଣନା ହୋଇଥାଏ । ଯେତେବେଳେ ସେ ହାରଟି ମୋ ପାଖରେ ନଥାଏ, ମୁଁ ବି ତୁମପରି ଜଣେ ସାଧାରଣ ମଣିଷ ଭାବରେ ପରିଚିତ । ବର୍ତ୍ତମାନ ମୋର ଅନୁରୋଧକ୍ରମେ ତମେ ଯଦି ସ୍ୱଇଚ୍ଛାରେ ରାଜି ହୋଇଯିବ, ତା’ହେଲେ, ମୁଁ ତୁମକୁ ଅଗ୍ନିକୁ ସାକ୍ଷୀରଖି ବିବାହ କରିବି । ଏପରି ବାକ୍ୟରେ ଯଦି ତମେ ସମ୍ମତି ପ୍ରକାଶ ନକର ତେବେ ତମେ ତମର ମନର ଭୟ ଦୂର କରି ତମ କଥା ମୋତେ କୁହ, କାରଣ ମୁଁ ତୁମକୁ ସସମ୍ମାନେ ତମ ଗୃହରେ ନେଇ ଛାଡିଦେଇ ଆସିବି ।

ତାନ୍ତ୍ରିକ ବ୍ୟାଘ୍ରଦୀପର ସମସ୍ତକଥା ଶୁଣିସାରିବାପରେ ସେ ଦେବକୀ ଅତ୍ୟନ୍ତ ବିନୟ ସହକାରେ କହିଲା ଯେ, ଦେଖନ୍ତୁ… ବ୍ୟାଘ୍ରଦୀପ, ତମେ ଯଦି ତମର ସମସ୍ତ ତାନ୍ତ୍ରିକ ବିଦ୍ୟାକୁ ତ୍ୟାଗ କରି ସାଧାରଣ ମଣିଷ ଭାବରେ ଆଚରଣ କରିବ, ତେବେ ଯାଇ ତମର ଏ ପ୍ରସ୍ତାବରେ ମୋର ଆଉ କୌଣସି ଆପତ୍ତି ରହିବ ନାହିଁ ।

ସେ ସମୟରେ ଯୁବରାଜ ମହେନ୍ଦ୍ର ବର୍ମା ତ ସେଇଠାରେ ହିଁ ଥିଲେ, ଏବଂ ଏ ସମସ୍ତ କଥା ସେ ଶୁଣିଥିଲେ । ତେଣୁ ହଠାତ୍ ସେ କହି ଉଠିଲେ, – “ହେ ଦେବକୀ, ସେହି ତାନ୍ତ୍ରିକ ବ୍ୟାଘ୍ର ଦୀପର କୌଣସି ପ୍ରସ୍ତାବରେ ତମେ କଦାପି ରାଜି ହୋଇଯାଅ ନାହିଁ । ଏତେ ଶୀଘ୍ର ତମେ ତମର ଶେଷ ନିଷ୍ପତି ନେଇଯାଅ ନାହିଁ । ଅପେକ୍ଷା କର, କାରଣ ତୁମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି । ତାକୁ ଆୟତ କରିବା ଇଚ୍ଛା ରଖି ସେପରି ପ୍ରସ୍ତାବରେ ସମ୍ମତି ଦେଇ ତମେ ଏତେବଡ ଭୁଲ୍ କର ନାହିଁ । କାରଣ ମୁଁ ତୁମ ରାଜ୍ୟର ଯୁବରାଜ ମହେନ୍ଦ୍ର ବର୍ମା । ତମେ ମତେ ବିବାହ କଲେ, ରାଜ୍ୟର ରାଜରାଣୀ ହେବାର ସୌଭାଗ୍ୟ ପାଇବ ।”

ସେ ସମୟରେ ତାନ୍ତ୍ରିକର ସେ ରତ୍ନ ହାରଟି ତ ଯୁବରାଜଙ୍କର କଣ୍ଠରେ ଥିଲା । ସେହି ରତ୍ନ ହାରର ଆକର୍ଷଣରେ ଦେବକୀ ତାନ୍ତ୍ରିକ ବ୍ୟାଘ୍ରଦୀପ ସମ୍ମୁଖରୁ ଉଠିଆସି ଯୁବରାଜଙ୍କ ନିକଟରେ ଦଣ୍ଡାୟମାନ ହୁଅନ୍ତେ, ତାହା ଦେଖି ତାନ୍ତ୍ରିକ କେବଳ ଅଟ୍ଟହାସ୍ୟ କରିବାକୁ ଲାଗିଲା । ସେତେବେଳେ ଯୁବରାଜ ତାନ୍ତ୍ରିକକୁ ପ୍ରଶ୍ନକଲେ, ଏପରି ଅର୍ଥଶୂନ୍ୟ ଅଟ୍ଟହାସ୍ୟର କାରଣ କ’ଣ? ବରଂ ମୋ ବିଚାରରେ ଜଣେ ଅସହାୟ, ନିରୀହା, ସରଳା ସୁନ୍ଦରୀ କନ୍ୟାକୁ ଚୋରାଇ ଆଣିଥିବାରୁ ତମେ ଅନୁତାପ କରିବା କଥା । ଲଜ୍ଜିତ ହେବାର କଥା । ତାପରେ ତମର ଜାଣିରଖିବା ଉଚିତ୍ ଯେ, ମୁଁ ଏ ରାଜ୍ୟର ଯୁବରାଜ । ତମର ଏହି ନୀଚକର୍ମ ପାଇଁ ତୁମକୁ ଶାସ୍ତି ଦେବାର ଅଧିକାର ମୋର ଅଛି । ଯୁବରାଜ ମହେନ୍ଦ୍ର ବର୍ମାଙ୍କର କଥା ଶୁଣି ତାନ୍ତ୍ରିକ ବ୍ୟାଘ୍ରଦୀପକୁ ଯାହା ବି ଲାଗୁନା କାହିଁକି ସେ କିନ୍ତୁ ସେଥିରେ ଆଦୌ ଭୟଭୀତ ନହୋଇ ବରଂ ଆହୁରି ଉଚ୍ଚ ସ୍ୱରରେ ଅଟ୍ଟହାସ୍ୟ କରିବାକୁ ଲାଗିଲା । ଏହା ମଧ୍ୟରେ ସେହି ରତ୍ନହାରଟି ନିମନ୍ତେ କିଛି ଦୁର୍ବଳତା ପ୍ରକାଶ ପାଇବା ପାଇଁ ମନେହେଲା । କାରଣ ଯୁବରାଜ ମହେନ୍ଦ୍ର ବର୍ମା ସଙ୍ଗେ ସଙ୍ଗେ ରତ୍ନହାରଟିକୁ ସମ୍ମୁଖସ୍ଥ ପଥର ଉପରେ କଚାଡି ଦେଲେ ।

ଯୁବରାଜ ଯେତେବେଳେ ସେ ରତ୍ନହାରଟିକୁ ପଥର ଉପରେ କଚାଡି ଦେଲେ, ସେତେବେଳେ ଦେବକୀର ଭାବାଦେଶ ଅନ୍ୟ ପ୍ରକାର ହୋଇ ପଡିଲା । ସଙ୍ଗେ ସଙ୍ଗେ ଯୁବରାଜଙ୍କୁ ଚାହିଁ ସେ ଦେବକୀ କହିଲା, ତମେ କିଏ…? ମୁଁ କାହିଁକି ତୁମ ସମ୍ମୁଖରେ ଠିଆ ହୋଇଛି?

ଦେବକୀ ତୁଣ୍ଡରୁ ଏ ବାକ୍ୟ ଶୁଣିବା ମାତ୍ରେ ଯୁବରାଜ କହିଲେ, ହେ ତାନ୍ତ୍ରିକ ବ୍ୟାଘ୍ରଦୀପ, ଏବେ ମୁଁ ଜାଣିଛି ଯେ ତମେ ହିଁ ଏ ସୁନ୍ଦରୀ କନ୍ୟା ଦେବକୀର ଉପଯୁକ୍ତ ପାତ୍ର ଅଟ । ଯୁବରାଜଙ୍କର ଏପରି ଆଚରଣ ଜାଣିବା ପରେ ସେ ତାନ୍ତ୍ରିକ ଜଣକ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ମନେ ମନେ ଯୁବରାଜଙ୍କୁ ବହୁତ ଭାବରେ ପ୍ରଶଂସା କରିବାକୁ ଲାଗିଲା । ଆଉ କହିଲା, ତୁମପରି ବିଚାରବନ୍ତ ବିବେକୀ ରାଜପୁତ୍ର ମୁଁ କେଉଁଠାରେ ହେଲେ ବି ଦେଖିନାହିଁ । ଜଣେ ସୁବିଚାରକ ଭାବରେ ମୁଁ ତୁମକୁ ଧନ୍ୟବାଦ ନ ଦେଇ ମୋଟେ ରହିପାରୁ ନାହିଁ । ମୁଁ ଆପଣଙ୍କୁ ଧନ୍ୟବାଦ ନ ଦେଲେ ସମ୍ଭବତଃ ଧନ୍ୟବାଦ ମୂଲ୍ୟବୋଧର ଅଭାବ ରହିଯିବ ।

କାହାଣୀଟିକୁ ଏହିଠାରେ ଶେଷକରି ବେତାଳ ରାଜା ବିକ୍ରମାଦିତ୍ୟଙ୍କୁ ପଚାରିଲା, ହେ ରାଜନ, ଏବେ ମୋ ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଦେଇ ନପାରିଲେ ତୁମ ସ୍କନ୍ଧରୁ ଶିର ଛେଦ ହେବ । ତା’ପରେ ବେତାଳ ପ୍ରଶ୍ନକଲା – ହେ ରାଜନ, ଏଥର ଆପଣ ବିଚାରକ ଦୃଷ୍ଟିରୁ କୁହନ୍ତୁ ଯେ, ଯେଉଁ ଯୁବରାଜ ନିଜର ଜୀବନକୁ ତୁଚ୍ଛ ମନେକରି ଦେବକୀଙ୍କୁ ପ୍ରାପ୍ତ କରିବା ନିମନ୍ତେ ଦୁର୍ଗମପଥ ଅତିକ୍ରମ କରି ପାଗଳ ପରାଏ ପ୍ରବେଶ କରିଥିଲେ ଯାଇ ଠିକଣା ସ୍ଥାନରେ । ସେହି ଦେବକୀକୁ ଉଦ୍ଧାର କରିବା ପାଇଁ, କିନ୍ତୁ ଯୁବରାଜଙ୍କର ଅତର୍କିତ ଭାବରେ ଏପରି ପରିବର୍ତ୍ତନର କାରଣ କ’ଣ ହେଇପାରେ? ଯୁବରାଜ କାହିଁକି କହିଲେ ଯେ ତାନ୍ତ୍ରିକ ସେ ଦେବକୀର ଉପଯୁକ୍ତ ପାତ୍ର?

ଆଧାର: ଓଡ଼ିଆ ଗପ

Last Modified : 1/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate