অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହାର୍-ଜିତ୍

ହାର୍-ଜିତ୍

ଉପକ୍ରମ

ସୋମନାଥ ଶାସ୍ତ୍ରୀ ଜଣେ ବିଶିଷ୍ଟ ସଙ୍ଗୀତଜ୍ଞ ଥିଲେ । ସେ ତାଙ୍କ ସଙ୍ଗୀତ ଦ୍ୱାରା ଶ୍ରୋତୃମଣ୍ଡଳୀଙ୍କୁ ମୁଗ୍ଧ କରି ରଖୁଥିଲେ । ରାଜାଙ୍କ ନଅରରେ ମଧ୍ୟ ସେ ସଙ୍ଗୀତ ଆସରରେ ଗାନ କରୁଥା’ନ୍ତି । ଥରେ ସେ ଏକ ଏତେ ସୁନ୍ଦର ଗୀତ ଗାଇଲେ ଯେ ରାଜା ତାଙ୍କ ଉପରେ ଅତ୍ୟନ୍ତ ମୁଗ୍ଧ ହୋଇ ନିଜ ଗଳାରୁ ରତ୍ନହାର କାଢି ତାଙ୍କୁ ଉପହାର ଦେଲେ ଓ ତାଙ୍କୁ “ସଙ୍ଗୀତାଚାର୍ଯ୍ୟ” ପଦବୀ ମଧ୍ୟ  ଦେଲେ ।

ବର୍ଣ୍ଣନା

ସୋମନାଥଙ୍କ ସଙ୍ଗୀତର ପ୍ରଶଂସା ଶୁଣି ରାଣୀ ଦିନେ ରାଜାଙ୍କୁ ଅନୁରୋଧ କଲେ କି ଯେପରି ଅନ୍ତଃପୁରରେ ଥରେ ସେ ସଙ୍ଗୀତ ପରିବେଷଣ କରିବେ । ସଙ୍ଗେ ସଙ୍ଗେ ରାଣୀଙ୍କ ଇଚ୍ଛା କାର୍ଯ୍ୟକାରୀ ହେଲା ।

ଭଲଦିନ ଦେଖି ସଙ୍ଗୀତର ଆସର ବସିଲା । ସଙ୍ଗୀତର ଅର୍ଦ୍ଧେକ ଶେଷ ହେବା ପରେ ରାଣୀ ସଙ୍ଗୀତର ରାଗରାଗିଣୀ ଓ କୃତି ଉପରେ ଯେଉଁ ମନ୍ତବ୍ୟ କଲେ ତାହା ସୋମନାଥଙ୍କୁ ଆପତ୍ତିଜନକ ମନେ ହେଲା । ରାଣୀ ରାଜାଙ୍କୁ କହିଲେ, “ସେ କିପରି ସଙ୍ଗୀତଜ୍ଞ? ଆପଣ ତାଙ୍କୁ ପୁଣି ଦରବାରରେ ସ୍ଥାନ ଦେଇଛନ୍ତି; ପୁଣି ସଙ୍ଗୀତାଚାର୍ଯ୍ୟ ଉପାଧି ମଧ୍ୟ ଦେଇଛନ୍ତି । ମୋ ମତରେ ସେ ସଙ୍ଗୀତ ବିଷୟରେ ଆଦୌ କିଛି ବି ଜାଣନ୍ତି ନାହିଁ ।” ରାଣୀ ରାଜା ଓ ସଙ୍ଗୀତଜ୍ଞ ଦୁହିଁଙ୍କୁ ଆକ୍ଷେପ କରି ଏହିକଥା କହିଲେ ।

ସଙ୍ଗୀତ ବିଷୟରେ ରାଣୀଙ୍କ ଏଭଳି ମନ୍ତବ୍ୟ ଶୁଣି ସୋମନାଥ ବଡ ଦୁଃଖିତ ହେଲେ । ତା’ପରେ ବିନମ୍ର ସ୍ୱରରେ ସେ କହିଲେ, “ମହାରାଣୀ, କ୍ଷମା କରନ୍ତୁ । ମୋର ସଙ୍ଗୀତ ଶାସ୍ତ୍ର ଉପରେ କୌଣସି ଦକ୍ଷତା ନାହିଁ ବୋଲି ଯାହା କହିଲେ ତାହା ମାନିବାକୁ ମୁଁ ଆଦୌ ପ୍ରସ୍ତୁତ ନୁହେଁ । କିନ୍ତୁ ଏକଥା ସତ ଯେ ମୁଁ ଆପଣଙ୍କୁ ସଙ୍ଗୀତ ଦ୍ୱାରା ସନ୍ତୁଷ୍ଟ କରି ପାରିନାହିଁ । ତେଣୁ ମୁଁ ମହାରାଜଙ୍କୁ ଅନୁରୋଧ କରିବି କି ସେ ମୋଠାରୁ ‘ସଙ୍ଗୀତାଚାର୍ଯ୍ୟ’ ପଦବୀ ବାହାର କରିନେବେ ।”ଏପରି କଥା ଶୁଣି ରାଜା କହିଲେ, “ଆପଣଙ୍କୁ ଦରବାର ଛାଡିଯିବାକୁ କିଏ କହୁଛି? ହଁ, ଆଉ ଗୋଟିଏ କଥା ମହାରାଣୀଙ୍କ ପସନ୍ଦ ଅନୁଯାୟୀ ସଙ୍ଗୀତ ଆରଥରକୁ ଆପଣ ନିଶ୍ଚୟ ଗାଇବେ । କିନ୍ତୁ ଦରବାର ଛାଡି କଦାପି ମଧ୍ୟ ଯିବେନାହିଁ ।”

ପ୍ରଥମଥର ପାଇଁ ସୋମନାଥ ପଶ୍ଚାତାପ ଅନୁଭବ କଲେ । ତାଙ୍କୁ ମନେହେଲା ତାଙ୍କର ସ୍ୱାଧିନତା ଯେପରି ନଷ୍ଟ ହୋଇଛି । ତା’ପରେ ସେ ସର୍ବଦା ସେଇକଥା ହିଁ ଭାବିଲେ । ଯାହାଦ୍ୱାରା ସେ ଆଉ ପୂର୍ବପରି ସଙ୍ଗୀତ ମଧ୍ୟ ଗାଇ ପାରିଲେ ନାହିଁ । ଏବେ ତାଙ୍କର ମନେହେଲା ସେ ଯେମିତି ରାଜାଶ୍ରୟ ସୁନାପଞ୍ଜୁରୀରେ ରଖା ହୋଇଥିବା ପକ୍ଷୀ ପରି । ସେ ଥରେ ନିଜର ଦୁଃଖ ଓ ଅସହାୟ ଭାବକୁ ମନ ଭିତରେ ଚାପି ରଖି ରାଜାଙ୍କୁ ପଚାରିଲେ, “ମୁଁ ଜାଣିବାକୁ ଚାହେଁ କି ମହାରାଣୀଙ୍କର କି ପ୍ରକାରର ସଙ୍ଗୀତ ପସନ୍ଦ?”

ଏକଥା ଶୁଣି ରାଣୀ ନିଜେ କହିଲେ, “ଯଦି ସମ୍ଭବ ହୁଏ ତ ମୋତେ ଏପରି କିଛି ଲୋକଗୀତ ଶୁଣାଇବେ ଯେଉଁଥିରେ କି ରାଗରାଗିଣୀ ଆଦୌ ନଥିବ ।”

ରାଣୀଙ୍କ ଅଭିଳାଷ ଜାଣି ସୋମନାଥ କହିଲେ, “ମୋତେ ଗୋଟିଏ ସପ୍ତାହ ସମୟ ଦିଅନ୍ତୁ । ମୁଁ ଚେଷ୍ଟା କରି ଦେଖିବି ।” ତା’ପରେ ସେ ରାଜା ଓ ରାଣୀ ସୋମନାଥଙ୍କ କଥାରେ ସ୍ୱୀକୃତି ଦେଲେ ।

ଠିକ୍ ସପ୍ତାହ ପରେ ସଙ୍ଗୀତସଭା ଅନ୍ତଃପୁରରେ ହେଲା । ଏଥର ସେ ସୋମନାଥ କେବଳ ଲୋକଗୀତ ହିଁ ଗାଇଲେ । ରାଣୀ ଆନନ୍ଦ ବିଭୋର ହୋଇ ବାରମ୍ବାର ତାଳି ବଜାଇ ଚାଲିଥା’ନ୍ତି । ଏଥିରୁ ସଙ୍ଗୀତଜ୍ଞ ଜାଣିନେଲେ ରାଣୀଙ୍କର ସଙ୍ଗୀତଜ୍ଞାନ କେତେଦୂର ।

ରାଜା କହିଲେ, “ଆଜିଠାରୁ ଆପଣ କେବଳ ରାଣୀଙ୍କ ପସନ୍ଦ ମୁତାବକ ଗୀତ ହିଁ ଗାଇବେ । ଏବେ ତ ବୁଝିଗଲେ ରାଣୀ କି ପ୍ରକାରର ସଙ୍ଗୀତ ପସନ୍ଦ କରନ୍ତି । ଆଗରୁ ଆମେ ଜାଣିଥିଲୁ କେବଳ ଶାସ୍ତ୍ରୀୟ ସଙ୍ଗୀତରେ ଆପଣ ପାରଙ୍ଗମ । ମାତ୍ର ଏବେ ପ୍ରମାଣ କରିଦେଲେ ଯେ ଲୋକଗୀତରେ ମଧ୍ୟ ଆପଣ ପାରଙ୍ଗମ ।” ସବୁ ଶୁଣି ସଙ୍ଗୀତଜ୍ଞ ନୀରବରେ ସେଠାରୁ ଚାଲି ଆସିଲେ ।

କିଛିଦିନ ପରେ ପଡୋଶୀ ରାଜ୍ୟରୁ ଜଣେ ସଙ୍ଗୀତଜ୍ଞ ଆସି ପହଁଚିଲେ ଓ ରାଜାଙ୍କୁ କହିଲେ, “ମହାରାଜ, ମୁଁ ଶାସ୍ତ୍ରୀୟ ସଙ୍ଗୀତର ଅନେକ ପ୍ରତିଯୋଗିତାରେ ଭାଗ ନେଇଛି ଓ ପ୍ରତ୍ୟେକ ଥର ପୁରସ୍କାର ଲାଭ କରିଛି । ସଙ୍ଗୀତଜ୍ଞମାନେ ମୋ ପାଖରେ ହାରିଯାଇ ସେମାନଙ୍କର ସୁବର୍ଣ୍ଣ କଙ୍କଣ ଓ ବଳା ମୋତେ ଦେଇ ଦେଇଛନ୍ତି । ମୁଁ ଚାହେଁ ଆପଣଙ୍କର ଏଠାରେ ଏକ ପ୍ରତିଯୋଗିତା ହେଉ । ଯଦି କେହି ମୋତେ ହରାଇ ଦିଏ ତେବେ ମୁଁ ସାରା ଜୀବନ ପାଇଁ ତା’ର ଦାସ ହୋଇ ରହିବି ଏବଂ ମୁଁ ପାଇଥିବା ସମସ୍ତ କଙ୍କଣ ଓ ପାଦର ବଳା ଗୁଡିକ ତାଙ୍କୁହିଁ ଦେଇଦେବି । ଯଦି ମୋତେ କେହି ହରାଇ ନ ପାରିବ ତେବେ ଅନ୍ୟ ରାଜ୍ୟପରି ଆପଣ ଯଥୋଚିତ ଭାବରେ ମୋତେ ସମ୍ମାନିତ କରିବେ ।”

ଜଣେ ଅତିଥି ସଙ୍ଗୀତଜ୍ଞଙ୍କ ମୁହଁରୁ ଏପରି ଶୁଣିବାଟା ରାଜାଙ୍କୁ ଘୋର୍ ଅପମାନଜନକ ଲାଗିଲା । ସୋମନାଥ ଶାସ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ରାଜା ତାଙ୍କ ଆଡକୁ ଚାହିଁଲେ ତାଙ୍କର ମତ କ’ଣ ବୁଝିବା ପାଇଁ । ପ୍ରତିଯୋଗିତା ହେବ ଶାସ୍ତ୍ରୀୟ ସଙ୍ଗୀତରେ । ଯଦିଓ ରାଜାଙ୍କ ଆଦେଶ ଥିଲା ଦରବାରରେ ଏଣିକି ଲୋକଗୀତର ପ୍ରଚଳନ ହେବ, ଆଗରୁ ତ ସେ ରାଗିକରି ଥିଲେ । ପ୍ରଜାଙ୍କର ଏପରି କଥାରେ ତାଙ୍କ ମନ ମଧ୍ୟରେ ବହୁତ ଆଲୋଡନ ସୃଷ୍ଟି ହେଲା । ଜଣେ ଦକ୍ଷ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀଙ୍କୁ ଲୋକଗୀତ ଗାଇବାକୁ କହିବାହିଁ ଅପମାନଜନକ । ତା’ଠାରୁ ଆଉ ଅଧିକ ଦଣ୍ଡ କ’ଣ ବା ଥାଇପାରେ । ସଙ୍ଗୀତର ସମ୍ମାନ ଯେଉଁଠି ନାହିଁ, ସେପରି ଅବୁଝାମଣା ରାଜ୍ୟରେ ରହିବା ବିପଜ୍ଜନକ । କିନ୍ତୁ ଏଠାରେ ରାଜ୍ୟର ସମ୍ମାନର ପ୍ରଶ୍ନ ଉଠୁଛି । ତେଣୁ ସେ ପ୍ରତିଯୋଗିତାରେ ଅଂଶ ନେବାକୁ ନିଜର ସ୍ୱୀକୃତି ଦେଲେ ।

ପ୍ରତିଯୋଗିତା ହେଲା । ଅନେକ ସମୟ ଧରି ସେ ଦୁଇଜଣ ଶାସ୍ତ୍ରୀୟ ସଙ୍ଗୀତ ଗାନ କଲେ । ଶାସ୍ତ୍ରୀୟ ସଙ୍ଗୀତ କେତେ ମଧୁର ଓ ଉଚ୍ଚକୋଟିର ହୋଇପାରେ ସେହିଦିନଠୁଁ ରାଜା ଉପଲବ୍ଧି କଲେ । ଦରବାରର ଅନ୍ୟାନ୍ୟ ସଦସ୍ୟମାନେ ମନ୍ତ୍ରମୁଗ୍ଧ ହୋଇ ବସିଥା’ନ୍ତି ।

ପ୍ରତିଯୋଗିତା ଶେଷ ହେବା ପରେ ଅତିଥି ସଙ୍ଗୀତଜ୍ଞ ନିଜର ସମସ୍ତ ସୁବର୍ଣ୍ଣ କଙ୍କଣ ଓ ବଳାସବୁ ସୋମନାଥଙ୍କ ପାଦ ପାଖେରେ ରଖି କହିଲେ, “ମୁଁ ଏବେ ଆପଣଙ୍କର ଦାସ । ଆପଣଙ୍କର ହିଁ ଏଥିରେ ବିଜୟ ହେଲା । ଏବେ ଆପଣ ମୋତେ ଯାହା ବି କିଛି ଆଦେଶ ଦେବେ ତାହାହିଁ ମୋର ଶିରୋଧାର୍ଯ୍ୟ ।” ଏତିକି କହି ସେ ଦରବାର ଛାଡି ଚାଲିଗଲେ ।

ରାଜା ଓ ସାରା ଦରବାରର ଲୋକେ ସୋମନାଥ ଶାସ୍ତ୍ରୀଙ୍କର ପ୍ରଶଂସା କରି ଚାଲିଲେ । ରାଜା କହିଲେ, “ଶାସ୍ତ୍ରୀଜୀ, ଆପଣ ମହାନ୍ । ଆଜିଠାରୁ ଆପଣ କେବଳ ଶାସ୍ତ୍ରୀୟ ସଙ୍ଗୀତ ଗାନ କରିବେ । ଲୋକଗୀତ କଥା ଭୁଲିଯା’ନ୍ତୁ ।”

କିନ୍ତୁ ଏସବୁ ପ୍ରଶଂସାରେ ସେ ବେଶି ଆନନ୍ଦିତ ହୋଇ ପାରିଲେ ନାହିଁ । ତାଙ୍କର ବାରମ୍ବାର ରାଣୀଙ୍କର ଆକ୍ଷେପପୂର୍ଣ୍ଣ କଥା ଓ ସମାଲୋଚନା ମନେ ପଡିବାରୁ ସେ ତାଙ୍କ ଭିତରେ ଭିତରେ ବିଚଳିତ ବୋଧ କରୁଥିଲେ । ସେ ଭାବୁଥିଲେ ଯେଉଁ ରାଜା ରାଣୀଙ୍କ କଥାରେ ଆଜି ଗୋଟାଏ କଥା, ପୁଣି ଅନ୍ୟମାନଙ୍କ କଥାରେ କାଲି ଗୋଟାଏ କଥା କୁହନ୍ତି ସେଠାରେ ମୋ ପରି ସଙ୍ଗୀତଜ୍ଞ ରହିବାର କୌଣସି ପ୍ରଶ୍ନ ବି ଉଠୁନାହିଁ ।

ପରଦିନ ପ୍ରତ୍ୟୁଷରୁ ଉଠି କାହାକୁ କିଛି ନ କହି ସେ ଚିରଦିନ ପାଇଁ ରାଜ୍ୟ ଛାଡି ଚାଲିଗଲେ । ହେଲେ କେହି ବି ବୁଝିପାରିଲେ ନାହିଁ ଯେ ସେ ଏପରି କାହିଁକି କଲେ ।

ଆଧାର : ଓଡ଼ିଆ ଗପ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate