ବିଗତ ପଚାଶରୁ ଊର୍ଦ୍ଧ୍ଵ ବର୍ଷ ଧରି ଜଣେ ଖ୍ୟାତନାମା ସମାଜସେବୀ, ଛାତ୍ର ତଥା ଟ୍ରେଡ଼ ୟୁନିଅନ ନେତା, ସାମ୍ବାଦିକ ଓ ରାଜନୀତିଜ୍ଞଭାବେ ସ୍ଵର୍ଗତଃ ନୀଳମଣି ରାଉତରାୟ ତାଙ୍କର ସରଳ ଓ ନମ୍ର ବ୍ୟବହାର ପାଇଁ ଜନସାଧାରଣଙ୍କର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଅଧକାରୀ ହୋଇପାରିଥିଲେ । ଓଡ଼ିଶା ରାଜନୀତି କ୍ଷେତ୍ରରେ ସେ ଜଣେ ସୁଚତୁର କରିବା ସହ ଲୋକଙ୍କ ପ୍ରିୟ ନେତା ହୋଇପାରିଥିଲେ । ଲୋକଙ୍କର ବିଭିନ୍ନ ସମସ୍ୟା ପାଇଁ ସେ ଆରମ୍ଭରୁ ଶେଷ ଯାଏଁ ସଂଗ୍ରାମୀ ହିସାବରେ ଯୁଝି ଆସିଥିଲେ । ତ୍ୟାଗପୂତ ସଂଗ୍ରାମ ମାର୍ଗରେ ସେ ଛାତ୍ର ଆନ୍ଦୋଳନରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ଜନସାଧାରଣଙ୍କ ପାଇଁ ସଂଗ୍ରାମର ମାର୍ଗ ବାଛି ନେଇଥିଲେ । ସେହି ମାର୍ଗରେ ସେ ହୋଇପାରିଥିଲେ ଛାତ୍ର ଓ ଶ୍ରମିକ ନେତା, ସ୍ଵାଧୀନତା ସଂଗ୍ରାମୀ, ସମାଜସେବୀ, ସାମ୍ବାଦିକ, ବିଧାୟକ, ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ।
ଅବିଭକ୍ତ ବାଲେଶ୍ଵର ଜିଲ୍ଲା ତଥା ବର୍ତ୍ତମାନର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡ଼ି ଥାନାର ମୁକୁନ୍ଦପୁର ଗ୍ରାମରେ ସେ ୧୯୨୦ ମସିହା ମଇ ୨୪ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଚନ୍ଦ୍ରଶେଖର ରାଉତରାୟଙ୍କର ପ୍ରଚୁର ଜମିବାଡ଼ି ଥିଲା । ଗାଁ ବିଦ୍ୟାଳୟରୁ ସେ ପ୍ରାଥମିକ ଶିକ୍ଷା ସମାପ୍ତ କଲାପରେ ଭଦ୍ରକ ହାଇସ୍କୁଲରେ ପଢ଼ି ଥିଲେ । ୧୯୩୬ ମସିହାରେ ସେ ରେଭେନ୍ସା ମହାବିଦ୍ୟାଳୟରେ କଳା ଶ୍ରେଣୀରେ ନାମ ଲେଖାଇଥିଲେ । ୧୯୩୨ ମସିହାରେ, ତାଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ, ସେତେବେଳେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ରେଭେନ୍ସା କଲେଜରେ ପଢୁଥିଲା ବେଳେ କଲେଜ ପରିସରରେ କଂଗ୍ରେସ ଦଳର ପତାକା ଉଡ଼ାଇବା ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ବି.ଏ. ପରୀକ୍ଷା ଦେବାପାଇଁ ବାରଣ କରିଥିଲେ । ଏହାର ପ୍ରତିବାଦରେ ତାଙ୍କ ନେତୃତ୍ଵରେ ମହାବିଦ୍ୟାଳୟରେ ଧର୍ମଘଟ ହୋଇଥିଲା । ତଥାପି କଲେଜ କର୍ତ୍ତୃପକ୍ଷ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦେଇ ନଥିଲେ ଏବଂ ୧୯୪୦ ମସିହାରେ ସେ ରେଭେନ୍ସା କଲେଜରୁ ବହିଷ୍କୃତ ହୋଇଥିଲେ । ଫଳରେ ସେ ୧୯୪୧ ମସିହାରେ କଲିକତା ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଦ୍ୟାସାଗର ମହାବିଦ୍ୟାଳୟରେ ବି.ଏ. ଶ୍ରେଣୀରେ ନାମ ଲେଖାଇଥିଲେ । ଏଠାରୁ ବି.ଏ. ପାଶ୍ କରିବା ପରେ ସେ ବନାରସ । ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏମ୍.ଏ. (ରାଜନୀତି ବିଜ୍ଞାନ) ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଏଠାରୁ ସେ ଏମ୍.ଏ. ପ୍ରଥମ ଭାଗ ପାଶ୍ କରିଥିଲେ । ମାତ୍ର, ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ । କରିଥିବା ଦୃଷ୍ଟ ୧୯୪୨ ମସିହାରେ ବନାରସ ବିଶ୍ୱବିଦ୍ୟାଳୟରୁ ସେ ବହିଷ୍କୃତ ହୋଇଥିଲେ । ତେଣୁ ସେ ପୁନର୍ବାର କଲିକତା ବିଶ୍ଵ ବିଦ୍ୟାଳୟ ଯାଇ ଏଲ୍.ଏଲ୍ .ବି. ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଏଠାରୁ ଏଲ୍.ଏଲ୍.ବି. ପାଶ୍ କରିଥିଲେ ମଧ୍ୟ ତାଙ୍କ ଏମ୍.ଏ. ପାଶ୍ କରିବା ସ୍ଵପ୍ନ ବାସ୍ତବରେ ରୂପାୟିତ ହୋଇପାରିନଥିଲା । ସ୍ଵାଧୀନତା ସଂଗ୍ରାମ, ଟ୍ରେଡ଼ୟୁନିୟନ ଆନ୍ଦୋଳନ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ ଥିଲା । କଲିକତାସ୍ଥିତ ଓଡ଼ିଆ ସମାଜର ସେ ସମ୍ପାଦକ ଥିଲେ । ୧୯୪୬ ମସିହା ସାମ୍ପ୍ରଦାୟିକ ଦଙ୍ଗା ହାଙ୍ଗାମରେ ସେ କଲିକତାରେ ବିପନ୍ନ ହୋଇଥିବା ଶିଳ୍ପ ଶ୍ରମିକମାନଙ୍କର ଯଥେଷ୍ଟ ସେବା କରିଥିଲେ । କଲେଜରେ ପଢୁଥିବାବେଳେ ସେ ଜଣେ । ସକ୍ରିୟ ଛାତ୍ରନେତା ହିସାବରେ ସୁପରିଚିତ ଥିଲେ ଏବଂ ଅଷ୍ଟ୍ରଳ ଭାରତ ଛାତ୍ର ମହାସଙ୍ଘ ଓଡ଼ିଶା ଶାଖାର ସେ ଅନ୍ୟତମ ପ୍ରତିଷ୍ଠାତା ଥିଲେ । ଏଥିସହିତ ସମ୍ପୃକ୍ତ ରାଜନୀତିକ କାର୍ଯ୍ୟକଳାପ ପାଇଁ ସେ ବହୁବାର କାରାବରଣ କରିଥିଲେ । ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ବେଳେ ସେ ଭାରତଛାଡ଼ ଆନ୍ଦୋଳନରେ ସଂଶ୍ଚିଷ୍ଟ ହେବା ଦୃଷ୍ଟ ବନାରସର ଡିଭିଜନାଲ କମିଶନର ତାଙ୍କୁ ବନାରସ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେ ୧୯୪୯ ମସିହାରେ ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକା ନଳିନୀ ଦେବୀଙ୍କୁ ବିବାହ କରିଥିଲେ । ସର୍ବଭାରତୀୟ ଶ୍ରମିକ ସଂଗଠନ ଭାରତୀୟ ଜାତୀୟ ଶ୍ରମିକ କଂଗ୍ରେସ (ଆଇ.ଏନ୍.ଟି.ୟୁ.ସି.)ର ଓଡ଼ିଶା ଶାଖାକୁ ସଂଗଠିତ କରି ସେ ଏହାର ସାଧାରଣ ସମ୍ପାଦକ ଓ ପରେ ୧୯୪୮ ମସିହାରେ ସଭାପତି ହୋଇଥିଲେ । କିଛିକାଳ ସେ ଦୈନିକ ‘ପ୍ରଜାତନ୍ତ୍ର’ର ସମ୍ପାଦକ ଦାୟିତ୍ଵ ତୁଲାଇଥିଲେ । ୧୯୭୩ ମସିହା ଫେବୃଆରୀ ମାସରେ ତାଙ୍କର ପତ୍ନୀ ବିୟୋଗ ଘଟିଥିଲା ।
୧୯୪୬ ମସିହାରେ ସେ ନୀଳଗିରି ବିଧାନସଭା ନିର୍ବାଚନ । ମଣ୍ଡଳୀରୁ ପ୍ରତିଦ୍ଵନ୍ଦିତା କରି ପ୍ରଥମଥର ପାଇଁ ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ୧୯୫୨ ମସିହାରେ ସେ ଉପମନ୍ତ୍ରୀ ହୋଇଥିଲେ । ୧୯୫୨ ରୁ ୧୯୫୭ ପର୍ଯ୍ୟନ୍ତ ଉପମନ୍ତ୍ରୀ ଓ ୧୯୫୭ରୁ ୧୯୬୭ ପର୍ଯ୍ୟନ୍ତ ସେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ତା’ ମଧ୍ୟରେ ଦୁଇବର୍ଷ ୧୯୬୩ରୁ ୧୯୬୫ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ । ୧୯୭୧ରେ ସେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ୧୯୭୨ରେ ପୁଣି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୭୩ ଫେବୃଆରୀରେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ମନ୍ତ୍ରୀ ହିସାବରେ ସେ କାଳକ୍ରମେ ବହୁ ବିଭାଗର ଦାୟିତ୍ଵ ନେଇ ସୁଚାରୁ ରୂପେ ତୁଲାଇ ଥିଲେ । ୧୯୭୬ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେବେ ରାଜନୈତିକ ପ୍ରେକ୍ଷାପଟ୍ଟର ପରିବର୍ତ୍ତନରେ ରାଜ୍ୟସଭା ପଦ ଛାଡ଼ି ସେ ସେହି ବର୍ଷ ଜୁନ୍ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୮୯ ମସିହାରେ ପ୍ରଧାନ ମନ୍ତ୍ରୀ ବିଶ୍ଵନାଥ ପ୍ରତାପସିଂହଙ୍କ ମନ୍ତ୍ରିମଣ୍ଡଳରେ ସେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ସେହି ମନ୍ତ୍ରିମଣ୍ଡଳରେ ସେ । ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ ।
ତାଙ୍କ ଅଧିନାୟ କତ୍ଵରେ ଏକ ପ୍ରତିନିଧ ଦଳ ୧୯୬୪ ମସିହାରେ ଜେନେଭାଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀରେ ଯୋଗ ଦେଇଥିଲା । ସେ ସୁଇଜରଲ୍ୟାଣ୍ଡ, ଜର୍ମାନ, ଫ୍ରାନ୍ସ, ଇଂଲଣ୍ଡ ଓ ରୁଷିଆ ପ୍ରଭୃତି ବିଭିନ୍ନ ଦେଶ ପରିଭ୍ରମଣ କରିଥିଲେ । ନିଜ ଆତ୍ମଜୀବନୀ ପୁସ୍ତକ ‘ସ୍ମତି ଅନୁଭୂତି ’ର ସେ ରଚୟିତା ।
ତାଙ୍କର ଦୀର୍ଘ ରାଜନୀତିକ ଜୀବନରେ ସେ ଯାହା ଉଚିତ ମନେ କରୁଥିଲେ, ତହିଁର ପରିଣାମ ପ୍ରତି ଭୂକ୍ଷେପ ନକରି, ତାହାର ବାସ୍ତବ ରୂପାୟନ ପାଇଁ ଚେଷ୍ଟା କରୁଥିଲେ । ରାଜ୍ୟରେ କେନ୍ଦୁପତ୍ର ବ୍ୟବସାୟର ଜାତୀୟକରଣ ପାଇଁ ତାଙ୍କ ଉଦ୍ୟମକୁ ରାଜ୍ୟର ଅଗଣିତ ଆଦିବାସୀ ଜନସାଧାରଣ ଚିରଦିନ ମନେ ରଖୁବେ । ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଘଟୁଥିବା ରାଜନୀତିକ ଘଟଣାବଳୀ ଅନୁଧ୍ୟାନ କରିବା ଓ ରାଜନୀତି ସଂକ୍ରାନ୍ତୀୟ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବା । ତାଙ୍କର ପ୍ରଧାନ ଅଭିରୁଚି ଥିଲା ।
ବହୁ ରାଜନୈତିକ ଝଡ଼ଝଞ୍ଜା ମଧ୍ୟରେ ସେ କେବେ ହାର୍ ମାନି ନଥିଲେ । ଜଣେ ସଂସ୍କୃତିପ୍ରେମୀ, ବିଦ୍ଵାନ ଓ ଜାତୀୟ ସ୍ତରର ବୁଦ୍ଧିଜୀବୀ ତଥା ରାଜନେତା ହିସାବରେ ସେ ସୁପରିଚିତ ଥିଲେ । ଓଡ଼ିଶାର ଜଣେ ସୁଯୋଗ୍ୟ ସନ୍ତାନ ହିସାବରେ ସେ ସବୁଦିନ ପାଇଁ ଓଡ଼ିଆଙ୍କର ପ୍ରେରଣାର ଉତ୍ସ ହୋଇ ରହିବେ ।
ଆଧାର - ଇ ମଗାଜିନ
Last Modified : 7/6/2020