অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୋଣାର୍କ

ଲେଖକ ପରିଚୟ

ସ୍ଵାଧୀନତା ପରବର୍ତ୍ତୀକାଳର ଓଡ଼ିଆ ନାଟକ ଓ ଏକାଙ୍କିକା ସ୍ରଷ୍ଟାଙ୍କ ମଧ୍ୟରେ ଭଞ୍ଜ କିଶୋର ପଟନାୟକ ଅନ୍ୟତମ ।  ସେ କଟକ ଜିଲ୍ଲାର ସାଲେପୁର ନିକଟବର୍ତ୍ତୀ ଛଣିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।  କିରାଣୀ ବୃଦ୍ଧି କରିଥୁବା ଭଞ୍ଜ କିଶୋର ପ୍ରବୃତ୍ତିରେ ଥିଲେ ନାଟ୍ୟ ରଚୟିତା କଳାକାର ।  ତାଙ୍କ ରଚିତ ନାଟକ ଗୁଡ଼ିକ ମଧ୍ୟରେ ଝଡ଼ରାତି, ପ୍ରେମପୁଷ୍ପ, ପରିଣତି, ଦେବୀ, ମାଣିକଯୋଡ଼ି, ଜୟମାଲ୍ୟ, ଅଗ୍ନିପରୀକ୍ଷା, ସାଆନ୍ତଘର, ଏ ଯୁଗର ଝିଅ, କାଶ୍ମୀର ବେଗମ୍ ଗୁଳନାର ଆଦି ଉଲ୍ଲେଖଯୋଗ୍ୟ ।  ସେ ରଚନା କରିଛନ୍ତି ବାଣହରଣ, ଅଗ୍ନିପତଙ୍ଗ, କୋଣାର୍କ, ଘରଣୀ, ମାଇଲଖୁଣ୍ଟ, ବାଜିରାଉତ ଆଦି ଏକାଙ୍କିକା ।  ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା  ନାଟକ ରଚନା ପାଇଁ ସେ ପୁରସ୍କୃତ ହୋଇଛନ୍ତି ।

'କୋଣାର୍କ’ ଏକାଙ୍କିକାରେ କୋଣାର୍କ ମନ୍ଦିରର ଦଧିନଉତି ବସିବା ପ୍ରସଙ୍ଗ ନାଟାୟିତ । ଜାତି ପାଇଁ ବାଳକ ଧରମାର ଆତ୍ମୋତ୍ସର୍ଗ, ମା' ଠାରୁ ପୁଅର ବିଦାୟଜନିତ କାରୁଣ୍ୟ ଓ ଶିବୀର କଳାକୁଶଳତା ପ୍ରଭୃତି ଚିତ୍ରିତ ।

ଗଦ୍ୟ

ପ୍ରଥମ ଦୃଶ୍ୟ

[ଚନ୍ଦ୍ରଭାଗା ତୀର-ସୂର୍ଯ୍ୟୋଦୟ । ସୂର୍ଯ୍ୟଙ୍କୁ ନମସ୍କାର କଲେ ନରସିଂହ ଦେବ— ପାଖରେ ଛିଡ଼ା ହୋଇଥା'ନ୍ତି ଶିବେଇ ସାନ୍ତରା ଓ ରକ୍ଷୀ ପ୍ରଭୃତି ।]

ନରସିଂହ - ଦେଖିଲ . . . . . ତୁମେ ଦେଖିଲ ଶିବେଇ ?

ଶିବେଇ - ଦେଖିଲି ଛାମୁ, ଅପୂର୍ବ-

ନରସିଂହ – ବାସ୍ତବିକ୍ ଅପୂର୍ବ ! ଅପୂର୍ବ ଏ ଦୃଶ୍ୟ ! ସୂର୍ଯ୍ୟଦେବ ୟେପର ସମୁଦ୍ର ବକ୍ଷରୁ ଲମ୍ଫ ପ୍ରଦାନ କରି ଆକାଶରେ ଉଦିତ 'ହୋଇଛନ୍ତି । ଏ ଦୃଶ୍ୟ ବୋଧହୁଏ ମୋ ଜୀବନରେ ଅପାସୋରା ରହିଯିବ ।

ଶିବେଇ— ଛାମୁ ସୌନ୍ଦର୍ଯ୍ୟର ପୂଜାରୀ ।

ନରସିଂହ - ଶୁଣ ଶିବେଇ, ଆଜିର ଏ ଶୁଭ ପ୍ରଭାତରେ ମା'ଙ୍କର ଶେଷ ଇଚ୍ଛା ମୋର ମନେ ପଡ଼ୁଛି । ହଁ ଶିବେଇ, ଛାୟା ମହାଦେବୀଙ୍କର ଶେଷ ଅନୁରୋଧ ଥିଲା - ଏଇ ଚନ୍ଦ୍ରଭାଗାରେ ମୁଁ ୟେପରି ଏକ ସୂର୍ଯ୍ୟମନ୍ଦିର ପ୍ରତିଷ୍ଠା କରେ ।

ଶିବେଇ - ୟେ 'ତ ଅତି ମହତ ଇଚ୍ଛା ଛାମୁ !

ନରସିଂହ - ତା' ଛଡ଼ା ... ଉତ୍କଳରେ ବହୁ ମନ୍ଦିରର ପ୍ରତିଷ୍ଠା ହୋଇଛି; କିନ୍ତୁ ସୂର୍ଯ୍ୟ ଦେବତାଙ୍କର ଉପାସନା ପାଇଁ ଗୋଟିଏ ସୁଦ୍ଧା ମନ୍ଦିର ହୋଇନାହିଁ ।

ଶିବେଇ - ସତ୍ୟ ଛାମୁ ।

ନରସିଂହ - ଜାଣ ଶିବେଇ, ସୂର୍ଯ୍ୟଙ୍କୁ ପୂଜାକରି ଶାମ୍ବ ଦୁରାରୋଗ୍ୟ କୃଷ୍ଣ ବ୍ୟାଧୁରୁ ମୁକ୍ତ ହୋଇଥିଲେ। ସୂର୍ଯ୍ୟଦେବ ହିଁ ସ୍ଵୟଂ ନାରାୟଣ । ( ଆକାଶକୁ ଚାହିଁ ) । ଏଇ ପୁଣ୍ୟ ପ୍ରଭାତରେ ପବିତ୍ର ସୂର୍ଯ୍ୟବଂଶର ଦାୟାଦ ମୁଁ, ତାଙ୍କୁ ହିଁ ସାକ୍ଷୀରଖି ପ୍ରତିଜ୍ଞା କରୁଛି, ମନ୍ଦିର ଏଇଠି ତୋଳା ହେବଆଉ ସେ ମନ୍ଦିର ହେବ କାରୁକାର୍ଯ୍ୟରେ ଉତ୍କଳର ସର୍ବଶ୍ରେଷ୍ଠ କୀର୍ତ୍ତି !

ଶିବେଇ - ସମ୍ରାଟ ପରମ ଧାର୍ମିକ, ମହାନୁଭବ । ସମ୍ରାଟଙ୍କର ଜୟ ହେଉ ।

ନରସିଂହ –ଶିବେଇ, ତୁମେ ମୋର ଅତି ବିଶ୍ଵାସୀ । ଆଜି ତୁମରି ହସ୍ତରେ ଏ ବିରାଟ ଦାୟିତ୍ଵ ମୁଁ ଅର୍ପଣ କରୁଛି । ସମୁଦ୍ରର ଛାତି ଉପରେ ଏଇ ପଦ୍ମତୋଳା ଗଣ୍ଡ ଉପରେ ହିଁ ମନ୍ଦିର ତୋଳା ହେବ । କାରିଗରୀ କୌଶଳରେ, ରୂପର ଗରିମାରେ ଏଇ ମନ୍ଦିର ହେବ ସାରା ବିଶ୍ଵରେ ଅଦ୍ଵିତୀୟ !

ଶିବେଇ - ତାହା ହିଁ ହେବ ସମ୍ରାଟ ! ଛାମୁଙ୍କ ଆଦେଶ ଅବଶ୍ୟ ପାଳିତ ହେବ । ଏ ନଗଣ୍ୟ ପ୍ରଜା ଶିବେଇ ସାନ୍ତରା ଉପରେ ଅତୁଟ ବିଶ୍ଵାସ ରଖି, ମଣିମା ତା'ର ଜୀବନକୁ ଧନ୍ୟ କରିଛନ୍ତି ।

ନରସିଂହ - ଆସ ଶିବେଇ, ଅନ୍ୟ ସମୟରେ ଆଲୋଚନା କରାଯିବ । ବର୍ତ୍ତମାନ ବିଳମ୍ବ ହେଉଛି । (ଶିବେଇ ମୁଣ୍ଡ ନୋଇଁଲେ) ।

[ ସମସ୍ତଙ୍କର ପ୍ରସ୍ଥାନ ]

( ପଟ ପରିବର୍ତ୍ତନ )

ଦ୍ଵିତୀୟ ଦୃଶ୍ୟ

[ ବିଶୁ ମହାରଣାଙ୍କ ଘର । କାନ୍ଦି କାନ୍ଦି ପ୍ରବେଶ କଲା ଧରମା ]

ଧରମା - ମା’……ମା’!

ଧରମା ମା’ - (ଆସି, ପୁଅର ବିରସ ବଦନ ଦେଖି) ତୋର କ'ଣ ହେଲାରେ ପୁଅ ? କାହିଁକି କାନ୍ଦୁଛୁ ବାପ?

ଧରମା - ମା', ଗୋଟେ କଥା ପଚାରିବି । ମତେ ସତ କହିବୁ ?

ଧରମା ମା’ - ଭଲା ବାୟୋଟାଏ-ହଉ କହିବି....କହ ।

ଧରମା - (ମୁଣ୍ଡ ହଲାଇ) · ଉହୁଁ ... ସେ କଥା ହବନି। ତୁ ମୋ ଦିହ ଛୁଇଁ  କହ; ସତ କହିବୁ, ମିଛ କହିବୁନି ।

ଧରମା ମା’ - କ’ଣ କହିଲୁରେ ଧରମା ! ମୁଁ ତୋ ଦିହ ଛୁଇଁବି ! ମୋ ଏକୋଇରବଳା ବିଶିକେସନ, ଲକ୍ଷେ ଦିଅଁ ପୂଜିତତେ ପାଇଛି । ମା' ହେଇ ଫେର ମୁଁ ତୋ ଦିହ ଛୁଇଁବି ! ବାପରେ, ମୁଁ ପଛେ ମରିଯାଏଁ, ଜିଇଁବଞ୍ଚି ତୁ ଯୁଗ ରାଇଜ କର, ତୋ ବାପର ନାଁ ରଖ।

ଧରମା - (ଗଦଗଦ ହୋଇ) ହୁଁ, “ବାପର ନାଁ ରଖ। ' କି.ଏ. କିଏ ମୋ ବାପା ? କାହାନ୍ତି ସେ ? ମୋ' ହେତୁ ପାଇଲା ଦିମୁଁ ତୁ ଖାଲି ଇଆଡ଼ୁସିଆଡ଼ୁ କହି ଭଣ୍ଡେଇ ଦେଉଛୁ, ହେଲେ ଆଜି ଛାଡ଼ିବିନି। କହ ମା'-

ଧରମା ମା’ - (ପୁଅର ମନ କଷ୍ଟ ଜାଣି) ମୋ ମୁଣ୍ଡ ଖାଇବୁ ଧରମା । କ'ଣ ହେଇଟି କହିଲୁ ? ତୋ ମୁଣ୍ଡରେ ଏ ସବୁ କଥା ...

ଧରମା - ମା’ ! (ଆଖିରେ ଲୁହଧାର)

ଧରମା ମା’ - ଛି। ବାପ, କହିଲେ ସିନା ଜାଣିବି......

ଧରମା - ସତ କହ ମା' ..... ମୋ ବାପା କାହାନ୍ତି....

ଧରମା ମା’ - ବାପା.. ବାପା ଅଛନ୍ତି । ଶୁଣ, ଆଜି ତତେ ସବୁ କଥା କହିବି । ନ ହେଲେ ତୋ ଟିକି ମନରୁ ଦୁଃଖ ଦୂର ହେବ କେମିତି ? (ଦୀର୍ଘନିଃଶ୍ଵାସ ଛାଡ଼ି) ବାର ବର୍ଷ ହୋଇଗଲା । ତୁ ଜନ୍ମ ହୋଇ ନ ଥାଉ । ମଣିମାଙ୍କ ଡାକରା ପାଇ ସେ କୁଆଡ଼େ ଯାଇଛନ୍ତି, କଅଣ କରୁଛନ୍ତି, ମୁଁ ଜାଣେନି ବାପା ! ହେଲେ (ଆପଣା ଆଖିରୁ ଲୁହ ପୋଛି) ହେଲେ.....ମୋ ମନ କହୁଛି, ଯୋଉଠି ପଛକେ ଥାଆନ୍ତୁ- ସେ ଭଲରେ ଅଛନ୍ତି-ଜିଇଁକରି ଅଛନ୍ତିଠାକୁରେ ଦୟାକଲେ ନିଶ୍ଚେ ଘରକୁ ଫେରି ଆସିବେ ।

ଧରମା - ଆଚ୍ଛା, ମା' ... ବାପା କ'ଣ ବଢ଼ କାରିଗର ?

ଧରମା ମା' - ବଡ଼ କ'ଣରେ ପୁଅ !! ..... ବହୁତ ବଡ଼ । ତୋ ବାପାଙ୍କଠୁଁ ବଳି ବଡ଼ କାରିଗର ଏ ମୁଲକରେ ଆଉ କେହି ନାହିଁ ।

ଧରମା - (ଖୁସିରେ) ଠାକୁରେ କରନ୍ତୁ, ମୋ ବାପା ଭଲରେ ଘରକୁ ଫେରନ୍ତୁ । (ବାହାରୁ ଜଣେ ଆଗନ୍ତୁକର ପାଟି ଶୁଭିଲା)

ଆଗନ୍ତୁକ - ଘରେ କିଏ ଅଛ, ଟିକେ ଶୁଣିବା ?

ଧରମା ମା' - କିଏ ଡାକୁଟ ?

ଧରମା - ମୁଁ ଦେଖିଆସେ । (ପ୍ରସ୍ଥାନ)

ଧରମା ମା' - ୟେ କ'ଣ ! ମୋ ଡାହାଣ ଆଖି ଇମିତି ନାଚି ଉଠୁଚି କାହିଁକି ? ଧରମା - (ଆଗନ୍ତୁକଙ୍କୁ ଡାକି ଆଣି) ଆସ ମଉସା ! ଇଏ ମୋ ମା' । କ'ଣ ବାତେନି ଆଣିଚ ପରା- ତାକୁଇ କହ ।

ଧରମା ମା' - କିଏ ତୁମେ ବାବା ? କାହାକୁ ଖୋଜୁଚ ?

ଆଗନ୍ତୁକ - ମା’, ତୁମେ ବିଶୁମହାରଣାଙ୍କ ଗୃହିଣୀ ତ?

ଧରମା ମା' - ହଁ ବାବା, କହ । ସେଇଠି ବସ

ଆଗନ୍ତୁକ - ଓ ହୋ! ! ( ଥକ୍କା ହୋଇ) ପଚାରି ପଚାରି ବହୁତ କଷ୍ଟରେ ତୁମ ଘରକୁ ଆସିଟି ମା' !

ଧରମା ମା' - ତୁମେ ଠିକ ଜାଗାରେ ପହଞ୍ଚୁଚ ବାବା ! ଏବେ କ'ଣ କହିବାର ଅଛି କୁହ।

ଆଗନ୍ତୁକ - କହିବି ୟେ-(ଟିକେ ଚାରିଆଡ଼କୁ ଚାହିଁ) ହେଲେ କଥାଟା କାନକୁ ଦି'କାନ ହୋଇ ପ୍ରଘଟ ହୋଇଯାଏ ଯଦି - ୟେ ରଜା ଘର କଥା ମା', ମୋ ମୁଣ୍ଡ ରହିବନି ।

ଧରମା ମା' - ମୋତେ ୟେତେବେଳେ ମା' ବୋଲି ଡାକିଚ, ମନରେ ଭୟ ନରଖି କୁହ ।

ଆଗନ୍ତୁକ - କଥା କ'ଣ କି ମା', ଚନ୍ଦ୍ରଭାଗାଠି ମହାର୍ଜା ଦେଉଳ ତୋଳଉଛନ୍ତି । ବାରବର୍ଷ ହୋଇଗଲା, ବାରଶ' ବଢ଼େଇ ଦିନ ନାଇଁ, ରାତି ନାଇଁ କାମରେ ଲାଗିଛନ୍ତି-ହେଲେ... (ପୁଣି ସବୁଆଡ଼କୁ ଚାହିଁବା)

ଧରମା ମା' - ହେଲେ ? ... ଡରନା, କୁହ ! ତୁମ କଥା ଶୁଣିଲା ବେଳୁ ମୋ ଛାତି ଭିତରଟା ୟେମିତି କ'ଣ ହେଇ ଯାଉଚି...

ଆଗନ୍ତୁକ - କିଛି ନାହିଁ ମା' .. ଦେଉଳ ତୋଳା ସରିଯାଇଛି । (ଧରମା ମା' ଶାନ୍ତିରେ ନିଃଶ୍ଵାସ ମାରିଲେ) ହେଲେ ଦଧିନଉତି ବସିନି । ହଁ ମା’, ଅସଲ ମୁଣ୍ଡି ମରିପାରୁନି ମରିପାରୁନି ।

ଧରମା ମା' - ମରି ପାରୁନି ?

ଆଗନ୍ତୁକ - ନା, ବିଶୁ ମହାରଣା ଭଳି କାରିଗର ଥକି ପଡ଼ିଲାଣି । ତା'ର ବଳ, କଳା, କୌଶଳ ସବୁ ହାରମାନିଚି ।

ଧରମା - (ଆଶ୍ଚର୍ଯ୍ୟରେ) କ’ଣ କହିଲ ମଉସା, ବାପା ହାରିଗଲେ !

ଆଗନ୍ତୁକ - ତା ଛଡ଼ା ଆଉ ଉପାୟ କ'ଣ ? ସବୁ କାମ ସରିଲା, ହେଲେ ଦେଉଳର ଅସଲ ଚୂଳି ମରା ହେଇ ପାରୁନି ! କ'ଣ ୟେ ହେଲା ସେଇ ଚକାଡୋଳାଙ୍କୁ ଜଣା । ମଣିଷର ବିଦ୍ୟା ବୁଦ୍ଧି ସବୁ ବିଫଳ ହେଇଛି ।

ଧରମା ମା' - ବଡ଼ ଆଶ୍ଚର୍ଯ୍ୟ କଥା କହୁତ ବାବା !

ଧରମା - ମୂଳଦୁଆରେ କୋଉଠି କ'ଣ ଦୋଷ ରହିଯାଇଟି ବୋଲି ଭାର ସମାନ ରହୁନି ।

ଆଗନ୍ତୁକ - ( ଚମକି.) ଆରେ ବାଃ, ଏଡ଼େ ବକଟେ ପିଲା; ଏତେ ଅନୁମାନ ! ୟେ ବିଶୁ ମହାରଣାଙ୍କ ପୁଅ ନା ?

ଧରମା ମା' - ହଁ ବାବା, ସେଇ ଗୋଟିକ ତ ଠାକୁରେ ଆମକୁ ଦେଇଚନ୍ତି ।

ଆଗନ୍ତୁକ - ଖୁବ୍ ଭଲ ହେଇଛି । କୂଳ ରହିଲେ ସବୁ କଥା ସିନା...

ଧରମା ମା' - ଇମିତି କ'ଣ କହୁଚ ବାବା !

ଆଗନ୍ତୁକ - ଏ ପୁଅ, ତୋ ନାଁ କଅଣଟି ?

ଧରମା - ଧର୍ମପଦ ।  ମତେ ସମସ୍ତେ ଧରମା ଡାକନ୍ତି ।

ଆଗନ୍ତକ - (ଖୁସି ହେଲେ) ହଉ, ହଉ, ବାପ ଧରମୁ, (ତା' ଓଠରେ ହାତମାରି) ମୋ' ଧନ, ଯା’ ଶୁଣୁଟୁ, କାହାରି ଆଗରେ ଏକଥା ଫିଟେଇବୁ ନାହିଁ । ନାଇଁ ତ, ସେ ବାରଶ' ବଢ଼େଇଙ୍କ ସାଙ୍ଗରେ ମୋ ମୁଣ୍ଡ ବି କଟିଯିବ ।

ଧରମା ମା'- କ'ଣ ହେଲା ? ବାରଶ ବଢ଼େଇଙ୍କ ମୁଣ୍ଡ କାଟ ହେବ ?

ଆଗନ୍ତକ - (ଧୀର ସ୍ଵରରେ) ମହାର୍ଜା, ଯୋଉ ଦିନକୁ କଣ୍ଠ ଦେଇଛନ୍ତି, ସେଇଦିନ ସୁଦ୍ଧା ଦେଉଳର ଚୂଳି ନମାରି ପାରିଲେ, ସବୁ ବଢ଼େଇଙ୍କ ମୁଣ୍ଡକାଟ ହେବ । ସବୁ ଜାଣୁଚ ମା' ....... ମହାର୍ଜାଙ୍କ ଆଦେଶ କେହି କ’ଣ ଅମାନ୍ୟ କରିପାରିବ ?

ଧରମା ମା' - (ଭୟରେ ପ୍ରାଣ ଥରି ଉଠିଲା) ହେ ପ୍ରଭୁ, ଶେଷରେ ପୋଡ଼ା ଭାଗ୍ୟରେ ଏଇୟା ଥିଲା ! ବାରବର୍ଷ କାଳ ଆମ ମା' ପୁଅ ଦି'ଟାଙ୍କୁ ନିଆଶ୍ରୀ କରି ଯିଏ ଘର ମୁହଁ ଚାହିଁନାହାନ୍ତି-ସିଆଡ଼େ ସିଆଡ଼େ ତାଙ୍କର ମୁଣ୍ଡକାଟ ହେବ ? ଆଉ ଆମର ଦେଖା ବି ହବନାହିଁ ?

ଆଗନ୍ତକ - ହଉ ମା'...ମୁଁ ବାହୁଡ଼ିଯାଉଛି । ଯିବା ଆଗରୁ ଖାଲି ଏତିକି କହି ଯାଉଛି, ତୁମ କୁଳରେ ଯଦି ଆଉ କେହି ଭଲ କାରିଗର ଥାଏ; ତାକୁ ଚନ୍ଦ୍ରଭାଗାଠିକୁ ପOଇବ । କାଳେ ଚକାଡୋଳାଙ୍କ ଅନୁଗ୍ରହ ଥିବ ! ଚକାତୋଳା ହେ, ତୁମରି ଇଚ୍ଛା ପୂର୍ଣ୍ଣ ହେଉ !

(ଯାଉଚି ବାପ, ଥା'—(ଧୀରେ ଧୀରେ ପ୍ରସ୍ଥାନ)

ଧରମା ମା' - (ଧରମାକୁ କୋଳକୁ ଟାଣି କାନ୍ଦି କାନ୍ଦି) ବାବୁରେ, ମତେ ତ କିଛି ବାଟ ଦେଖା ଯାଉନି । କାହାକୁ ପଚାରିବି ? କାହାକୁ ପଠେଇବି ? ମତେ ତ ଚାରିଆଡ଼ଅନ୍ଧାର ଦିଶୁଛି। ତାଙ୍କ ପରା ମଣିଷ ଯୋଉଠି ହାରିଗଲେ, କିଏ ଆଉ ଅଛି ୟେ ଦେଉଳର ମୁଣ୍ଡି ମାରିବ ?

ଧରମା - କାଇଁକି, ମୁଁ ପରା ଅଛି ! ତୁ ଭାବନା କରନି ମା' । ବାପର ପୁଅ ମୁଁ, ଦେଉଳ ମୁଣ୍ଡି ମୁଁ ମାରିଦେବି ।

ଧରମା ମା' - (ଆଶ୍ଚର୍ଯ୍ୟ ହୋଇ) ତୁ !

ଧରମା - ହଁ ମା', ମୁଁ ବିଶୁ ମହାରଣାର ପୁଅ । କେବେହେଲେ ହାରିବନି ! ବଡ଼ ଠାକୁର ତା'ର ସାହା ହେବେ ।

ଧରମା ମା'- ଧ-ର-ମା !! କ'ଣ କହୁଚୁରେ ତୁ ? ଛୁଆଟା ଏ-ହାତରେ ଖାଇ ଶିଖିନୁୟେ ଗଣ୍ଡାଏ। ଖୁଆଇ ଦେଲେ ଯାଇ ଖାଉଚୁ

ଧରମା - ଶୁଣିନୁ ମା', ଟିକି ଛୁଆ ଅଭିମନ୍ୟୁ କି ବୀରପଣିଆ ଦେଖେଇଲା ! ଧୁବ, ପ୍ରହ୍ଲାଦ ଟିକି ପିଲା ହେଇ...

ଧରମା ମା' - ନା-ନା, ମୋ ଆଖି ଆଗରୁ ତତେ କୁଆଡ଼େ ଛାଡ଼ିଦେବିରେ ବାପା ! ତେ ବାପା ଗଲେ, ତୁ ଯିବୁ; କାହା ମୁହଁ ଚାହିଁ ଆଉ ଏଠି ପଡ଼ି ରହିବି ?

ଧରମା - ମୁଁ ନଗଲେ ବାରଶ' ବଢ଼େଇଙ୍କ ଜୀବନ କିମିତି ରହିବ ? ହାଣ ମୁହଁରୁ ବାପାଙ୍କୁ ବଞ୍ଚେଇବା କ'ଣ ମୋ କାମ ନୁହେଁ ମା'?

ଧରମା ମା' - ମୋ ମନ ଜମାରୁ ବୁଝୁନିରେ ବାପା ! ନାଇଁ, ନାଇଁ ଯିବୁ । ଯଦି ମତେ ତୋ ସାଙ୍ଗରେ ନେ ।

ଧରମା - ନାଇଁ ମା', ସେମିତି କହନା । ମୁଁ କାଲି ସକାଳୁ ବାହାରିଯିବି । ତୁ ମତେ ଖାଲି କଲ୍ୟାଣ କର, ମୋ ବାପାଙ୍କୁ ମୁଁ ଫେରାଇ ଆଣିବି ।

ଧରମା ମା'- ବାପାରେ, ତତେ ଆଉ ମୁଁ କ’ଣ କହିବି ! ମୋ ଛାତି ଫାଟି ଯାଉଛି -

ଧରମା - ଦମ୍ଭଧର ମା', ସବୁ ଠିକ୍ ହୋଇଯିବ । (ଟିକେ ରହି) ଆଚ୍ଛା ମା', ବାପା ତ ମୋତେ ଦେଖିନାହାନ୍ତି, ଚିହ୍ନା ଦେଲେ ସେ ଯଦି...

ଧରମା ମା' - ଚିହ୍ନିବେନି ! ନିଶ୍ଳେ ଚିହ୍ନିବେ । ରକ୍ତ କ'ଣ ରକ୍ତକୁ ଟାଣିବନି !!! ହଉ ତୁ ଯା'-କାଲି ସକାଳୁ ମଙ୍ଗଳା ମା'ଙ୍କୁ ସୁମରଣା କରି ଅନୁକୂଳ କରି ଯିବୁ ।

ତୋ ହାତରେ ଆମ ବାଡ଼ିର କୋଳି ଆଉ ଏଇ ମୁଦି ପଠାଇବି । ଦେଖିଲେ ସେ ଠିକ୍ ଚିହ୍ନିବେ ।

ଧରମା– ହଉ, ତୁ ଚାଲ, ମତେ ଆଗ ଗଣ୍ଡାଏ ଖାଇବାକୁ ଦବୁ ।

( ପଟ ପରିବର୍ତ୍ତନ )

ତୃତୀୟ ଦୃଶ୍ୟ

[ ଚନ୍ଦ୍ରଭାଗା ତୀର । ନିକଟରେ ଚୂଳ ବିହୀନ କୋଣାର୍କ ମନ୍ଦିର ଦେଖାଯାଉଚି । ବିଶୁ ମହାରଣା ଏକାକୀ ପଦଚାରଣା କରୁଥିଲା। ]

ବିଶୁ - ଏ କାଳରାତି କ'ଣ ପାହିବ ? (ଦୀର୍ଘନିଃଶ୍ଵାସ) ଘରଦ୍ଵାର, ସ୍ତ୍ରୀ-ପୁତ୍ର ସମସ୍ତଙ୍କୁ ଛାଡ଼ି ବାର ବର୍ଷକାଳ ଲୁହ ଲହୁ ଜାଳି ଯୋଉ କାମରେ ହାତ ଦେଇଥିଲି, ତା' ପୂର୍ଣ୍ଣ ହୋଇ ପାରିଲାନି। ଆଜି ଏଇ ଚୂଳ ବିହୀନ ମନ୍ଦିର ୟେମିତି ଭାସ୍କାର କୂଳର ମଉଡ଼ମଣି ବିଶୁମହାରଣାକୁ ଉପହାସ କରି କହୁଚି- “ ବିଶୁ, ତୁ ହାରି ଯାଇ ଚୂ। ସମୁଦ୍ର ଭିତରେ ପଥର ଖଞ୍ଜି ୟେଉଁ ବିରାଟ ଦେଉଳ ଛିଡ଼ା କରିଚୁ, ତାର ଦଧିନଉତି ନାହିଁ ।” (ଦୀର୍ଘନିଃଶ୍ଵାସ-ନିକଟରେ କାହାର ପାଦ ଶବ୍ଦ ...) କିଏ ?... କିଏ ସେଠି ? (ବାଳକକୁ ଦେଖି) କିଏ ରେ ପିଲା ? ତୁ ବି କ'ଣ ବିଶୁ ମହାରଣାକୁ ଥଟ୍ଟା କରିବାକୁ ଆସିଚୁ ?

ଧରମା – ନା, ବାବା !!

ବିଶୁ - ବାବା, ଆଃ, କି କଅଁଳ, କି ମଧୁର ତୋର ଡାକ ! ଡାକ ବାପ, ଆଉ ଥରେ ମୋତେ ସେଇ ବାବା ବୋଲି ଡାକ ।

ଧରମା – ବାବା !!

ବିଶୁ - (ଏକାନ୍ତେ) ସେ ଠିକ୍ୟାରି ବୟସର, ୟାରି ପରି ହୋଇଥିବ । ଆଃ, ଖାଲି ସ୍ଵପ୍ନ-ହୁଏତ ଦୁଃସ୍ଵପ୍ନ ! ( ପ୍ରକାଶ୍ୟେ) ଏଠି ତୋର କି କାମ ? ଧରମା – ନା, ବାବା ! ଏଇ ଦେଉଳକୁ ଦେଖୁଥିଲି । ସାରାଦିନ ଖାଲି ଦେଉଳ ଆଡ଼େ ଚାହିଁ ରହିଚି ।

ବିଶୁ - କ'ଣ କହିଲୁ ! 'ସାରାଦିନ ?

ଧରମା – ହଁ ବାବା, କି ସୁନ୍ଦର କାରୁକାର୍ଯ୍ୟ ! ନିହାଣ ମୁନରେ ଓଡ଼ିଆ କାରିଗର ୟେମିତି ପଥର ଦିହରେ ଜୀବନ ଦେଇଛି, ମୁଁ ଆଖି ଫେରେଇ ପାରୁନି !

ବିଶୁ - ହେଲେ, ଯାହାର ମୁଣ୍ଡ ନାହିଁ, ତା' ପିଣ୍ଡରେ ଜୀବନ କୁଆଡ଼ୁ ଆସିବ ?

ଧରମା – କୁହତ ବାବା, ଦଧିନଉତି ବସି ପାରୁନି କାହିଁକି ?

ବିଶୁ - ସେ କଥା ଯଦି ମୁଁ କହିପାରନ୍ତି, ତା'ହେଲେ ଭାବନା ଆଉ କ'ଣ ଥିଲା ?

ଧରମା – ସତ ୟେ-ହେଲେ ମୁଁ ଭାବୁଚି...

ବିଶୁ - ଏଁ, ତୁ ଭାବୁଚୁ ? କ’ଣ ଭାବୁଚୁ ? ଏଡ଼େ ବକଟେ ପିଲା । ତୁ ଫେର

ଧରମା– ପିଲା ହେଲେ ବି ମୁଁ ଓଡ଼ିଆ କାରିଗର ପିଲା ।

ବିଶୁ - (ଧରମାକୁ ଭଲ ଭାବେ ଚାହିଁ) ସତେ ? ଆଛା, ତୁ କ'ଣ ଭାବୁଚୁ ଶୁଣେ ।

ଧରମା – ମୁଁ ଭାବୁଚି, ଦେଉଳର ଘନ କେନ୍ଦ୍ର ସହିତ ଦଧୁ ନଉତି ଗୋଟିଏ ସରଳରେଖାରେ ରହିପାରୁନି । କୋଉଠି କିଛି ଗୋଟାଏ ଦୋଷ ରହିଯାଉଚି ।

ବିଶୁ - ଆଶ୍ଚର୍ଯ୍ୟ ! କଏ ରେ ତୁ ? ତୁ ପୁଣି ବିଶୁ ମହାରଣାର ବିଚାରରେ ତୁଟି ବାହାର କରୁଚୁ ! ତୋ'ର ଏଡ଼େ ସ୍ପର୍ଦ୍ଧା !

ଧରମା - କ୍ଷମାକର ବାବା, କାରିଗର ପିଲା ତ; ବେଳେବେଳେ ପୋଥିପତ୍ର ଦେଖେ ।

ବିଶୁ - ଅସମ୍ଭବ ! ଅସମ୍ଭବ ! ତୁ ଗୋଟାଏ ମାୟାବୀ । ମତେ ଆଘାତ ଦେବାକୁ ଆସିଚୁ ।

ଧରମା - ମତେ ଆଦେଶ ଦିଆ ବାବା, ଥରେ ଚେଷ୍ଟା କରି ଦେଖେ ।

ବିଶୁ - ନା, ନା, ‘ବାବା’ ‘ବାବା' ଡାକି ତୁ ମତେ ଛଳିବାକୁ ଆସିଛୁ । ତତେ ଟିକିଏ ସ୍ନେହ କଲି ବୋଲି ତୁ ଭୁଲ ଧରିବୁ ମୋର ? ବିଶୁ ମହାରଣାର ପୁଣି ଭୁଲ ?

ଧରମା - ମଣିଷର ଭୂଲ ହୁଏ ବାବା ! ତୁମ ପାଦ ଧରୁଚି, ମତେ ଖାଲି ଥରେ ସୁଯୋଗ ଦିଅ ।

ବିଶୁ - ନା, କେବେ ନୁହେଁ । (ଶିଳ୍ପୀଗଣଙ୍କର ପ୍ରବେଶ)

୧ମ ଶିଳ୍ପୀ - ଆରେ ବିଶୁଭାଇ ! ତୁ ଆସି ଏଇଠି ? ଆଉ ଭାବିଲେ କଅଣ ହେବ ! ଆମ ସାଙ୍ଗରେ ଆ, ଆଜି ରାତିଟ ସମସ୍ତେ ଏକାଠି ସାଙ୍ଗ ହୋଇ ଖାଇପିଇ ଖୁସିରେ କଟାଇବା । ରାତି ପାହିଲେ ତ ମୁଣ୍ଡକାଟ ।

୨ୟ ଶିଳ୍ପୀ - ହଁ ଭାଇ, କାଲି ତ ମରିବା କଥା, ଏତିକିବେଳୁ ମରି ଲାଭ କ'ଣ ? ଶେଷଥର ପାଇଁ ମଉଜ କରିବା ଚାଲ ।

ବିଶୁ - ଭାଇମାନେ, ଏ ଛୁଆଟିକୁ ଦେଖୁଚ ? ଏ ବା ଚାଳ କହୁଚି ଦେଉଳର ଚୂଳି ମାରିଦେବ ।

ଶିଳ୍ପୀଗଣ - କ'ଣ କହୁଚ ବିଶୁଭାଇ ! ଏଇ ମେଞ୍ଚଡ଼ ଟୋକା ଖଣ୍ଡକ !

ଧରମା - ଆପଣମାନେ ଆଜ୍ଞା ଦେଲେ ମୁଁଥରେ ଚେଷ୍ଟା କରିବି ।

୨ୟ ଶିଳ୍ପୀ - ଥରେ କାହିଁକିରେ ବାପ' ଏ ରାତିଟା ସାରା—ୟେତେ ଥର ପାରୁ, ଚେଷ୍ଟାକର ।

୧ମ ଶିଳ୍ପୀ - ବିଶୁ ଭାଇ, କ’ଣ କହୁଚୁ କହ ?

ବିଶୁ - ମୁଁ ଖାଲି ଭାବୁଚି; ଏ ସାମାନ୍ୟ ବାଳକ ଯଦି ଚୂଳି ମାରିଦିଏ, ତା'ହେଲେ ଆମେ ଆଉ କାହାକୁ ମୁହଁ ଜୋଦ ଖାଇବା ? ଆମ ମାନ-ମହତ କ'ଣ ଆଉ ରହିବ ?

ଧରମା - ୟେ କି କଥା କହୁଚ ବାବା ! ଓଡ଼ିଆ କାରିଗରର ମାନ ରଖିବାକୁ ମୁଁ ପଣ କରି ଆସିଛି । ଆପଣମାନଙ୍କ ଜୀବନରକ୍ଷା ହେବା ସଙ୍ଗେ ସଙ୍ଗେ ଦେଉଳ ବି ମୁଣ୍ଡି ମରିଯିବ । ମହାର୍ଜା ଖୁସି ହେବେ ।

୩ୟ ଶିଳ୍ପୀ - ଏ ପିଲା ତ ଠିକ୍ କଥା କହୁଛି । ଇମିତି ମରିବା, ସିମିତି ବି ମରିବା, ଶେଷ ଚେଷ୍ଟା କରି ଦେଖାଯାଉ, କ୍ଷତି କଅଣ ? ଯା' ରେ ବାବୁ । ଆମେ ସମସ୍ତେ ରାଜି । ଯଦି ପାରିବୁ । ଦେଉଳର ଚୂଳି ମାରି ଏ ଜାତିର ମାନ ତୁ'ଇ ରଖ ।

ଧରମା – ସେଇ  କଲ୍ୟାଣ ମୋତେ କର ମଉସା । (ବିଶୁ ଓ ଅନ୍ୟମାନଙ୍କୁ ନମସ୍କାର କରି) ଠାକୁରେ, ତୁମେ ମୋର ଭରସା । ଜୟ ଜଗନ୍ନାଥ ।

(ପ୍ରସ୍ଥାନ)

ବିଶୁ - ଏ କି ପରୀକ୍ଷା ? ମୋ ଦକ୍ଷିଣ ବାହୁ ଘନ ଘନ କମ୍ପି ଉଠୁଚି କାହିଁକି ? କିଏ ଏହି ବାଳକ ? ପ୍ରଭୁ, ତୁମେ ତା'ର ସାହା ହୁଅ ।

୩ୟ ଶିଳ୍ପୀ - ଚାଲ ଭାଇମାନେ, ସେ ପିଲା ଯାହା କରୁଚି କରୁ, ଆମର ଖାଇ ପିଇ ଶୋଇପଡ଼ିବା ଚାଲ ।

(ପ୍ରସ୍ଥାନ)

( ପଟ ପରିବର୍ତ୍ତନ )

ଚତୁର୍ଥ ଦୃଶ୍ୟ

[ ଚନ୍ଦ୍ରଭାଗା ତୀର । ରାତି ପାହିଆସୁଛି । ଅଦୂରେ କୋଣାର୍କ ମନ୍ଦିରର ଦଧିନଉତି ବସିଛି । ମୁଣ୍ଡି ମରିଯାଇଛି । ଧରମା ଓ ବିଶୁ ମହାରଣା କଥାବର୍ଭା ହେଉଥିଲେ ]

ଧରମା - କ'ଣ ଭାବୁଚ ବାବା ?...

ବିଶୁ – ନା....

ଧରମା - ତୁମେ କ’ଣ ଖୁସି ନୁହଁ ମୋ କାମରେ ?

ବିଶୁ - ହେଲେ.. ତୁ କିଏ ? ତୁ କ'ଣ ସ୍ଵର୍ଗରୁ ଦେବଦୂତ । ଏଇ ମାଟିକୁ ଓହ୍ଲାଇଆସି ଚୁ ? ସତ କହ, ବିଶୁମହାରଣାର ସାରା ଜୀବନର ସାଧନାକୁ ବିଦ୍ରୁପ କରି କିଏ ତୁ ମୋ ଆଗରେ ଛିଡ଼ା ହୋଇରୁ ? (ଧରମାକୁ ଧରି ଝୁଙ୍କାଇ ଦେବା)

ଧରମା - (ବାପାଙ୍କ ଗୋଡ଼ ଧରି) କ୍ଷମାକର ବାବା, ମୁଁ ଧରମା- (ଆଖିରେ ଲୁହ) ତୁମରି ପୁଅ । ବିଶୁ - ମୋ ପୁଅ ! ( ତଳୁ ଉଠାଇ ଆଦରରେ) ଆଃ, କି ଶାନ୍ତି, କି ଆନନ୍ଦ ... ନା, ନା, ମିଛ କଥା-ମୋ ପୁଅ ଯାଇ କେତେ ଦୂରରେ -ସେ ଜନ୍ମ ହେବା ଆଗରୁ ମୁଁ ଘରୁ ଆସିଥିଲିବାରବର୍ଷ ପୂରିଗଲା-ଏଠି ସେ କୁଆଡ଼ୁ ଆସିବ !

ଧରମା - ଦେଖ ବାବା, ମା' ମୋ ହାତରେ ଆମ ବାଡ଼ିର କୋଳି ଆଉ ଏଇ ମୁଦି ଦେଇଚି ! (ଦେଖାଇବା)

ବିଶୁ - ଧରମୁ ! କି ଭାଗ୍ୟ ମୋର ! ଆଜି ମୋ ଆଖି ପବିତ୍ର ହେଲା ରେ ବାପା !

ଧରମା - (ଖୁସିରେ) ବାବା !!

ବିଶୁ - ହଁ ବାପ, ମୋରି ପୁଅ ବୋଲି ତୁ ବାପର ତୃଟି ସୁଧାରି ପାରିବୁ । ଅସାଧକୁ ସାଧନ କରିଚୁ । ଆ', ଆ'ରେ ଧନ ମୋର, ମୋ କୋଳକୁ ଆ' । ତତେ ଆଲିଙ୍ଗନ କରି ମୁଁ ତୃପ୍ତିଲାଭ କରେ। ! ( ଧରମାକୁ ଆଲିଙ୍ଗନ କଲା, ପ୍ରବେଶ କଲେ ଶିଳ୍ପୀଗଣ)

୧ମ ଶିଳ୍ପୀ - ସବୁ ଠିକ୍ ହେଲା ୟେ ବିଶୁଭାଇ ! ଆମ ସମସ୍ତ ତୋତେ ଗୋଟିଏ କଥା ପଚାରିବାକୁ ଆସିଚୁ !

ଶିଳ୍ପୀଗଣ - ମରୁ-ପ୍ରଳୟ ହୋଇଯାଉ ।-ତୋଠୁଁ ଆମେ ଉତ୍ତର ଚାହୁଁ !

୨ୟଶିଳ୍ପୀ - ବାରଶ' ବଢ଼େଇରେ ଦାୟ ନା ପୁଅରେ ଦାୟ ?

ଧରମା - ବାରଶ' ବଢ଼େଇରେ ଦାୟ ! ଏକା ଧରମା ମରିଗଲେ କିଛି କ୍ଷତି ନାହିଁ। ସବୁ ଦିନକୁ ଏ ଶିଜୀକୂଳ ବଞ୍ଚିରହୁ ।

ବିଶୁ - (ଚିତ୍କାର କରି) ନା, ନା, ତତେ ମୁଁ ଜମା ପାଖରୁ ଛାଡ଼ିବିନି । ଦେଖେ, କାହାର ଏତେ ଶକ୍ତି ବାପର୍ୟ ପୁଅକୁ ଛଢ଼େଇ ନେବ?

ଶିଳ୍ପୀଗଣ - ବିଶୁ, ତୁ କ'ଣ ପାଗଳ ?...

ଧରମା - ବାବା, ମୋତେ ପାଦଧୂଳି ଦିଆ, ମୋ ଦେଶ ଆଉ ଜାତି ପାଇଁ ମୁଁ ଜୀବନ ଦେବି । ମୋ ମା' କୁ କହିବ, ବାପର ନାଁ ରଖି ମୁଁ ଚାଲିଯାଉଚି । ଗର୍ବ କରିବା-କେବେ କାନ୍ଦିବ। ନାଇଁ। ମୁଁ ସିନା ତା'ର ଗୋଟିଏ ପୁଅ, ସେ ଆଜି ଆମ କାରିଗର କୂଳର ମା' । ବିଦାୟ ବାବା, ବିଦାୟ ଜନ୍ମଭୂମି !

(ସମୁଦ୍ରରେ ଝାସଦେବା) (ଯବନିକା)

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate