କବି ବିନୋଦ ଚନ୍ଦ୍ର ନାୟକ(୧୯୧୯ – ୨୦୦୩)ଙ୍କ ଜନ୍ମ ସୁନ୍ଦରଗଡ଼ ଜିଲ୍ଲାର ତେଲୀପାଲି ଗ୍ରାମରେ I ଓଡ଼ିଆ କାବ୍ୟ ପରମ୍ପରାରେ ସେ ଜଣେ ବିଶିଷ୍ଟ ରୋମାଣ୍ଟିକ କବି । ତାଙ୍କର ଚନ୍ଦ୍ର ଓ ତାରା, ନୀଳ ଚନ୍ଦ୍ରର ଉପତ୍ୟକା, ନନ୍ଦାଦେବୀ, ଇଳାବୁର ତଥା ସରୀସୃପ ଇତ୍ୟାଦି କବିତା ସଂକଳନ ପ୍ରଧାନ । ତନ୍ମଧ୍ୟରୁ 'ସରୀସୃପ'କବିତା ସଂକଳନ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରଷ୍କାର ପ୍ରାପ୍ତ ।
ଦୂର ତାଳବଣ ଆକାଶେ ଶୁଣାଏ ମାଟିର କବିତା କିସେ ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ । କ୍ଷେତ ପରେ କ୍ଷେତ, କାଶଫୁଲ ଆଉ – ବେଣାରେ ଜଟିଳା ପାଟ, ପାଟ ପରେ ବଣ ବଣ ପାରି ହେଲେ ମାମୁଁ ଘର ଗାଁ ଦିଶେ । ପଥର ସେ ପାଖେ ବୁଣା ହରଡ଼ା ଓ ବୁଟ, ଆଗରେ ଚାରଣ ପଡ଼ିଆ ଗୋରୁର ଗୋଠ ଶିମୁଳି ଶାଖାରେ ବାହୁନେ କପୋତୀ ‘ଉଠ୍ ପୂତା ଉଠ୍ ପୂରିଲାଣି ମାଣ', ଏ ପାଖେ କଇଁର ପୋଖରୀ ଗାଧୁଆ ତୁଠ । ଭୁଆସୁଣୀ ମାଜେ ପାଦର ପାହୁଡ଼ା ଏଥି ମୁକୁଳା ବେଣୀରେ ପଖାଳେ ଦେଇଣ ମେଥି, ନଣନ୍ଦ ତାହାର ଅଧିକ ଚତୁରୀ ଗାଲାଜୋର ହଳଦୀ ମାଖେ ହଲିଲା ପାଣିରେ ମୁହଁର ଛାଇକି ଦେଖେ । ପୋଇଶାଗ ଆଉ ପାଣିକଖାରୁର ଲତା ମାଡ଼ି ମାଡ଼ି ଆସି ଟପିଲାଣି ଘର ମଥା, ସଜନାର ଶାଖୁଁ ଝରିପଡ଼େ କେତେ ଫୁଲ ବାଡ଼ ଦେହେ ପୁଣି ଅପରାଜିତାର ଛଟା । ସେଇ ପଥେ, ଫେରେ ଗ୍ରାମବଧୂ ସାରି ସକାଳ ସ୍ନାହାନ ଏକା ଧୂଳିରେ ଆଙ୍କି ସଜଳ ଚରଣ ରେଖା ମାଆ ବୋଲି ଥରେ ଡାକିବାକୁ ପ୍ରାଣ ଲୋଡ଼େ, ପୃଥିବୀର ସମ ସହନଶୀଳା ସେ ଅସୀମ କରୁଣାବତୀ ନୟନେ ଶତେକ ଯୁଗର ବେଦନା ଲେଖା । ଏ ପଥେ ଗ୍ରାମର ତରୁଣ ବିଦେଶ ଯାଏ ଲେଉଟ ପଥକୁ ନୁତନା ଘରଣୀ ଆକୁଳେ ଅନାଇ ଥାଏ । କି ବାରତା ତାରେ ଆଣେ କିଏ ଜାଣେ ଆଧାର ଲୋଭୀ ଏ କାକା ! ଏ ଗ୍ରାମଦେବତୀ ସେ ବ୍ୟଥା ବୁଝେ କି ହାଏ !! ଏ ପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୂ ବିତରି ବୁକୁର ମମତା ମୁଖର ମଧୁ ପୂଅ ଝିଅ ନାତି ନାତୁଣୀରେ ରଖି ମଶାଣି ଏ ପଥେ, ଫେରେ ଆସିବା ଜନର ସାକ୍ଷୀ ଏ ପଥ ଫେରିବା ଜନର ବନ୍ଧୁ । ଜନ୍ମ ଏ ପଥେ ଢାଳଇ ରଜତ ମାୟା କୁମାରୀ ଦଳର ମିଳିତ କଣ୍ଠୁ ସଙ୍ଗୀତ ଉଠେ ଆହା, ଧାନ କ୍ଷେତେ ଚଳେ କୃଷକ ତରୁଣ ରାତ୍ରି ଶୟନ ପାଇଁ ପ୍ରାନ୍ତର ଡେଇଁ ଧାଏଁ ଦେଖ ଦେଖ ଭସାଣି ମେଘର ଛାୟା । ଧୂଳି ଘର ଛାଡ଼ି ଏ ପଥେ ଚଳଇ ଶାଶୁଘର ଗାଆଁ ଝୁଅ ମାଆର ପଣତେ ବନ୍ୟା ରଚଇ ଅମାନିଆ ଆଖି ଲୁହ । ଏ ପଥର ସ୍ନାତି ଚେତନା ଲେଖଇ ସେ କେଉଁ ଜନମ କଥା । ଛାତି ଫାଟିଯାଏ କ୍ରନ୍ଦନେ ତାର ବିଧାତା କି ପାଇଁ ଏ ବିଧାନ କଲା କୁହ ! ଶ୍ୟାମ ପ୍ରାନ୍ତରେ ଉଲଙ୍ଗ ଶିଶୁସମ ଏ ପଥ ଘୁମାଏ, ନୀଳନଜୋଇ ଯଥା ଛାୟାପଥ ମନୋରମ ଗ୍ରାମ ଝରଣାରେ ଲଙ୍ଗି ଏ ପଥ ସରଗ ସୀମାକୁ ଧାଏଁ, ସନ୍ନ୍ୟାସୀ ସେ କି, ବିତରି କରୁଣାଧନ । ବନ୍ଦନା, ତତେ କରାଇ ରେ ଗ୍ରାମପଥ ! ବାଳକ ବେଳର ହେ ମୋର ପ୍ରିୟ ସାଥୀ, ଅୟୁତ ଦଣ୍ଡବତ । |
ସୂଚନା
ରୋମାଣ୍ଟିକ୍ ଦୃଷ୍ଟିକୋଣରୁ ପ୍ରକୃତିର ବର୍ଣ୍ଣନା ଦେବାରେ କବି ସିଦ୍ଧହସ୍ତ । ଏହି ଦୃଷ୍ଟିରୁ ସେ ଓଡ଼ିଆ କବିତାକୁ ଦେଶ, କାଳ ଓ ପାତ୍ରର ସୀମା ମଧ୍ୟରୁ ମୁକ୍ତି ଦେଇଛନ୍ତି । ସଂପୃକ୍ତ କବିତାଟିରେ ଓଡ଼ିଶାର ଗ୍ରାମ୍ୟଜୀବନର ମଧୁର ଚିତ୍ର ରହିଛି । ଗ୍ରାମପଥକୁ ଆଧାର କରି ରଚନା କରାଯାଇଥିବା ଏହି କବିତାଟି ଅତ୍ୟନ୍ତ ହୃଦୟଗ୍ରାହୀ । କବିତାଟିର ଆବୁରିଗତ ସୌନ୍ଦର୍ଯ୍ୟ ଉପଭୋଗ୍ୟ ।
ଶବ୍ଦ |
ଅର୍ଥ |
କାଶଫୁଲ |
ଶରତ କାଳରେ ଫୁଟୁଥିବା କାଶତଣ୍ଡୀ ଫୁଲ |
ବେଣା |
ବିଲ ବଣରେ ପରିଦୃଷ୍ଟ ଉଦ୍ଭିଦ ବିଶେଷ |
ପାଟ |
ବହୁଦୂରକୁ ବ୍ୟାପିଥିବା ନିମ୍ନଭୂମି, ଯାହା ଚାଷ କିଆରିରେ ପରିଣତ ହୋଇନଥାଏ । |
ଭୁଆସୁଣୀ |
ନୂଆବୋହୁ |
ପାହୁଡ଼ |
ପାଦର ଅଳଙ୍କାର ବିଶେଷ, ପାଉଁଜ |
କପୋତୀ |
ମାଈ କାପ୍ତା ଚଢ଼େଇ କପୋତୀର ଡାକ ବାହୁନିଲା ଭଳି ଶୁଭେ । |
ଆଧାର ଲୋଭୀ କାକ |
ଲୋକ ବିଶ୍ଵାସ ଅଛି ଯେ, କୁଆ ଚାଳରେ ବସି କା କା ରାବି ଶୁଭବାରତାର ସୂଚନା ଦିଏ । ସେହି କୁଆକୁ ସେଥିଲାଗି ଚାଉଳ ଖାଇବାକୁ ଦିଆଯାଏ । ଏହି ଚାଉଳକୁ ଆଧାର (ଆଧାର) କୁହାଯାଏ । |
ଛଟା |
ଶୋଭା |
ଉଲଙ୍ଗ |
ଉଲଗ୍ନ, ଲଙ୍ଗଳା |
ଛାୟାପଥ |
ରାତିରେ ଲକ୍ଷ ଲକ୍ଷ ତାରା ଏକାଠି ଧଳା ମେଘ ଭଳି ଶୋଭା ପାଉଥିବା ଆକାଶର ଅଂଶ । ଏହା ଉତ୍ତରରୁ ଦକ୍ଷିଣକୁ ଲମ୍ବିଥାଏ ଏବଂ ଓସାରିଆ ରାସ୍ତା ଭଳି ଦିଶେ । |
ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
Last Modified : 1/18/2023