অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନରେନ୍‌ରୁ ବିବେକାନନ୍ଦ

ନରେନ୍‌ରୁ ବିବେକାନନ୍ଦ

ଲେଖକ ପରିଚୟ

ଶରତ କୁମାର ମହାନ୍ତି ବିଜ୍ଞାନ, ଦର୍ଶନ, ସମାଜ, ସାହିତ୍ୟ, ସଂସ୍କୃତି, ଆଧାତ୍ମିକତା ସମ୍ବନ୍ଧରେ ପ୍ରବନ୍ଧ ରଚନା କରି ଓଡ଼ିଆ ପ୍ରବନ୍ଧ' ସାହିତ୍ୟକୁ ରଦ୍ଧିମନ୍ତ କରିଛନ୍ତି । କଟକ ଜିଲ୍ଲାର ଟାଙ୍ଗୀ ନିକଟବର୍ତ୍ତୀ ଜରିପଡା ଗ୍ରାମରେ ତାଙ୍କର ଜନ୍ମ । ଅଧ୍ୟାପନା ଥିଲା ତାଙ୍କର ବୃତ୍ତି । ପ୍ରବୃତ୍ତିରେ ସେ ଥିଲେ ଜଣେ ମନନଶୀଳ ପ୍ରାବନ୍ଧିକ । ତାଙ୍କ ଲିଖିତ ବିଜ୍ଞାନ ବିଷୟକ ପ୍ରବନ୍ଧ' ସଂକଳନ ରୂପେ ବିଜ୍ଞାନ ଦୃଷ୍ଟି, ଆକାଶର ଆହ୍ୱାନ, ଆଟମ୍ରୁ କ୍ଵାଣ୍ଟମ୍, ବିଜ୍ଞାନ ଦିଗନ୍ତ, ଏକବିଂଶ ଶତାବ୍ଦୀର ନଷ୍ଟ ପରିବେଶ ପ୍ରଭୃତି ପୁସ୍ତକ ସ୍ମରଣୀୟ । ସାହିତ୍ୟ, ସଂସ୍କୃତି, ଦର୍ଶନ ଓ ଜୀବନୀ ଆଧାରିତ ପୁସ୍ତକଗୁଡିକ ମଧ୍ୟରେ ତାଙ୍କ ରଚିତ ସକ୍ରେଟିସ ଓ ପ୍ଲେଟୋ, ଅସ୍ତିତ୍ଵବାଦର ମର୍ମକଥା, ଗ୍ରୀକ୍ ଜାତିର ଜୀବନଗାଥା, ଜ୍ୟାଁପଲସାର୍ତ୍ତ , ଛତ୍ରପତି ବିବେକାନନ୍ଦ, ଗାନ୍ଧୀ ମଣିଷ, ଗାନ୍ଧୀ ପରିବାର, ବୁଦ୍ଧଙ୍କ ଶରଣ° ଗଚ୍ଛାମି, ସଂସ୍କୃତି ଅପସଂସ୍କୃତି, ବୋଦାଙ୍କର ଦାଦାଗିରି ଓ ଅନ୍ୟାନ୍ୟ ପ୍ରବନ୍ଧ, ଏଣୁ ତେଣୁ କିଛି, ଆଧୁନିକତାର ରୂପରେଖ, ବିବର୍ତ୍ତନଶୀଳ ମଣିଷର ରୂପରେଖ ପ୍ରଭୃତି ଉଲ୍ଲେଖଯୋଗ୍ୟ ।

'ନରେନ୍ ରୁ ବିବେକାନନ୍ଦ ' ପ୍ରବନ୍ଧଟି ଲେଖକଙ୍କ ‘ଛତ୍ରପତି ବିବେକାନନ୍ଦ  ପୁସ୍ତକର ଅଂଶବିଶେଷ ।  । ଏଥିରେ ଭାରତ ବର୍ଷର ଜଣେ ପ୍ରଖ୍ୟାତ ସନ୍ନ୍ୟାସୀ ତଥା ସନ୍ଥ ବିବେକାନନ୍ଦଙ୍କ ଜୀବନୀର କିଛି ଉପାଦେୟ ଦିଗ ଅତ୍ୟନ୍ତ ହୃଦୟସ୍ପର୍ଶୀ ତଥା ସହଜରେ ବାଧ୍ୟ ଭାଷାରେ ସ୍ଥାନ ପାଇଛି ।

ଗଦ୍ୟ

ନରେନ୍‌ରୁ ବିବେକାନନ୍ଦଶ୍ରୀରାମକୃଷ୍ଣ ପୃଥିବୀରୁ ବିଦାୟ ନେବା ବେଳକୁ ନରେନ୍ ବାଇଶ ବର୍ଷର ସଂସାର ଅନଭିଜ୍ଞ ଯୁବକ। ବର୍ଷକ ପୂର୍ବରୁ ତାଙ୍କର ପିତା ବିଶ୍ଵନାଥ ଦତ୍ତ ଇହଧାମ ତ୍ୟାଗ କରିଥାଆନ୍ତି । ଦୁଇ ପିତାଙ୍କୁ ହରାଇ ସଂସାରରେ ଚଳିବା ଓ ସଂସାରକୁ ଚଳାଇବା, ଉଭୟ ବିଷୟରେ ନରେନ୍ ଏକୁଟିଆ ହୋଇଗଲେ । ଏକୁଟିଆ ସତ, କିନ୍ତୁ ଦୁର୍ବଳ ନୁହନ୍ତି । ଜଗତରେ ସବୁ ମହାନ୍ କର୍ମ ଏକୁଟିଆ ମଣିଷଙ୍କ ଦ୍ଵାରା ସମ୍ପନ୍ନ ହୋଇଛି । ଦୃଢ଼ମନା ବୀରପୁରୁଷ ନରେନ୍‌ଙ୍କୁ ଶ୍ରୀରାମକୃଷ୍ଣ ତାଙ୍କର ଜୀବନର କର୍ମ ଓ ଲକ୍ଷ୍ୟ ଭଲ ଭାବେ ଦେଖାଇ ଦେଇଥିଲେ । କହିବା ବାହୁଲ୍ୟ, ନରେନ୍‌ଙ୍କୁ ସେ ସେହି ଭାବେ ଗଢ଼ିଥିଲେ । ନରେନ୍‌ରୁ ବିବେକାନନ୍ଦଙ୍କୁ ଜନ୍ମ ଦେବା ପାଇଁ ଦକ୍ଷିଣେଶ୍ଵର ହୋଇଥିଲା ଏନ୍ତୁଡ଼ିଶାଳ ଓ ସ୍ଵୟଂ ରାମକୃଷ୍ଣ ହୋଇଥିଲେ ଧାତ୍ରୀ । ଜନ୍ମ ନେବା ପରେ ଜଗତ ବିବେକାନନ୍ଦଙ୍କୁ ଚିହ୍ନିଛି, କିନ୍ତୁ ଗୋଟାଏ ବିବେକାନନ୍ଦଙ୍କର ଜନ୍ମ ପ୍ରକ୍ରିୟା ଏପରି ଜଟିଳ, ସୂକ୍ଷ୍ମ ଓ ରହସ୍ୟମୟ ଯେ ତାକୁ ବୁଝିବାର ଆଶା ରଖିବା, ଧୃଷ୍ଟତା ମାତ୍ର । ଶ୍ରୀରାମକୃଷ୍ଣଙ୍କ ସହିତ ନରେନ୍‌ଙ୍କର ପାଞ୍ଚ ଛଅ ବର୍ଷର ନିବିଡ଼ ସମ୍ପର୍କ ଓ ସେହି କାଳ ମଧ୍ୟରେ ଦୂତ ଭାବେ ଘଟି ଯାଇଥିବା ସୂକ୍ଷ୍ମ ଘଟଣାପ୍ରବାହରୁ ନରେନ୍‌ରୁ ବିବେକାନନ୍ଦ ପର୍ଯ୍ୟନ୍ତ ପଥଟିକୁ ଝାପସା ଭାବେ ଦେଖିହୁଏ । ଏହାଠାରୁ ଅଧିକ କିଛି ଆଶା କରିବା ବୃଥା ।

ରାମକୃଷ୍ଣ ନରେନଙ୍କୁ କେଉଁ ନିର୍ଦ୍ଦିଷ୍ଟ ବାଟରେ ମୁହାଁଇ ଦେଇଥିଲେ ତାର ସୂଚନା କେତୋଟି ବିଶିଷ୍ଟ ଘଟଣାରୁ ଧରାପଡ଼େ । ନିର୍ବିକଳ୍ପ ସମାଧୁର ଦିବ୍ୟ ଅନୁଭୂତି ପାଇବାକୁ ନରେନଙ୍କର ବ୍ୟାକୁଳତା ଠାକୁରଙ୍କୁ ଜଣାଥାଏ । ନରେନ୍ ମଧ୍ୟ ଜାଣିଥାନ୍ତି, ବିନା ଗୁରୁକୃପାରେ ଏହା ଲଭ୍ୟ ନୁହେଁ । ଶ୍ରୀରାମକୃଷ୍ଣଙ୍କର ଇହଧାମ ତ୍ୟାଗ କରିବାର ଦିନ ପାଖେଇ ଆସୁଥାଏ । ଦିନେ ସନ୍ଧ୍ୟାବେଳେ ନରେନଙ୍କର ବହୁ ଆକାଂକ୍ଷିତ ପରମ ଶୁଭମୁହୂର୍ତ୍ତିଟି ଉପସ୍ଥିତ ହେଲା । ଜ୍ଞାନଶୂନ୍ୟ ହୋଇ ନରେନ୍ ସମାଧିରେ ବୁଡ଼ିଗଲେ । ରାତି ନଅଟା ବେଳକୁ ସମାଧି ଭଙ୍ଗ ହେଲା । ନରେନଙ୍କର ଅନ୍ତର ଅପୂର୍ବ ଦିବ୍ୟ ଆନନ୍ଦରେ ପରିପୂର୍ଣ୍ଣ ଥାଏ । ଠାକୁର ତାଙ୍କ ପାଖକୁ ଆସି କହିଲେ, ‘ ତାହେଲେ ମାଆ ତତେ ସବୁ ଦେଖାଇ ଦେଲେ । ତେବେ ବର୍ତମାନ ଠାରୁ ଏସବୁର ତାଲା ବନ୍ଦ ହେଲା ଓ ଚାବି ମୋ ପାଖରେ ରହିଲା । ଯେତେବେଳେ ସବୁ କାର୍ଯ୍ୟ ଶେଷ ହେବ, ସେତେବେଳେ ଏହା ପୁଣି ଫେରି ପାଇବୁ ।'

ଶ୍ରୀରାମକୃଷ୍ଣ ଏପରି କହିବାର ପୃଷ୍ଠଭୂମି ରହିଛି । ଉଲ୍ଲିଖୁତ ଘଟଣାର କିଛି ଦିନ ପୂର୍ବରୁ ସେ କଅଣ ଚାହାନ୍ତି ବୋଲି ଠାକୁର ନରେନଙ୍କୁ ପଚାରିଥିଲେ । ଉତ୍ତରରେ ନରେନ୍ଦ୍ର ନାଥ କହିଥିଲେ, “ମୋର ଇଚ୍ଛା ହୁଏ। ଶୁକଦେବଙ୍କ ପରି ଏକାଦିକ୍ରମେ ପାଞ୍ଚ ଛଅ ଦିନ ସମାଧିରେ ଲୀନ ହୋଇ ରହିବି, ପରେ ଟିକିଏ ତଳକୁ ଆସି ଦେହରକ୍ଷା ପାଇଁ କିଛି ଖାଦ୍ୟ ଗ୍ରହଣ କରି ପୁଣି ସମାଧିରେ ବୁଡ଼ିଯିବି ।' ତାଙ୍କର ଏ କଥା ଶୁଣି ହୁଏତ ପ୍ରଥମଥର ପାଇଁ ନରେନଙ୍କୁ ଧିକ୍‌କାର କରି ଶ୍ରୀରାମକୃଷ୍ଣ କହିଥିଲେ, “ତୋତେ ଏ କଥା କହିବାକୁ ଲଜାବୋଧ ହେଉନାହିଁ ? ଭାବିଥୁଲି, ତୁ ଗୋଟାଏ ପ୍ରକାଣ୍ଡ ବଟବୃକ୍ଷ ପରି ହେବୁ ଏବଂ ତୋ’ ଛାଇରେ ହଜାର ହଜାର ମଣିଷ ଆଶ୍ରୟ ପାଇବେ, କିନ୍ତୁ ତା ନହୋଇ ତୁ କେବଳ ନିଜର ମୁକ୍ତି ଚାହୁଁଛୁ ? ''

ଠାକୁରଙ୍କର ଏହି କଠୋର କଥା ନରେନଙ୍କ ଅନ୍ତରରେ ଚାଲିଥିବା ଏକ ବଡ଼ ଦ୍ଵନ୍ଦର ସମାଧାନ କରିଥୁବ । ଗୋଟାଏ ପଟେ ଧାନ, ଧାରଣା, ଯୋଗ, ସମାଧି, ଇହଲୋକ ବିମୁଖ ସନ୍ନ୍ୟାସୀର ଆଦର୍ଶ, ଅନ୍ୟପଟେ ତେଜହୀନ, ଉଦ୍ୟମହୀନ, ପ୍ରାଣହୀନ, ଉତଥାନଶକ୍ତି ରହିତ ଭାରତର ଅଭ୍ୟତଥାନ ପାଇଁ ସଂଗ୍ରାମ । ବିଶାଳ, ବୁଭୁକ୍ଷୁ ଜନସମଷ୍ଟିର ଦୁର୍ଦ୍ଦଶା ମୋଚନାର୍ଥେ ସେବା ବ୍ରତ ଆଚରଣ । ଶ୍ରୀରାମକୃଷ୍ଣଙ୍କ ଅନ୍ତେ ଦୁଇ ପଟର ଆକର୍ଷଣରେ ବିବେକାନନ୍ଦ ହୁଏତ ସାମୟିକ ଭାବେ ବିଚଳିତ ହୋଇଛନ୍ତି କିନ୍ତୁ କେଉଁ ପଟରେ ରହି ସେ ଈଶ୍ଵରୋପଲବଧ କରିବେ ତାହା ଠାକୁରଙ୍କର ସେଦିନର ଧିକ୍‌କାର ଫଳରେ ସ୍ଥିର ହୋଇଯାଇଥିଲା । ଭାରତୀୟ ଦର୍ଶନରେ 'ମନୁଷ୍ୟର ସେବା ହିଁ ଈଶ୍ଵର ସେବା' - ଏପରି ଚିନ୍ତାର ଅଭାବ ନାହିଁ କିନ୍ତୁ ଯେଉଁ ନିଷ୍କାର ସହିତ ବିବେକାନନ୍ଦ ଜନତାକୁ ଜନାର୍ଦ୍ଦନ  ରୂପେ ପୂଜା କରିବାକୁ ଆଗେଇ ଆସିଥିଲେ, ତାହା ଏହି ପ୍ରାଚୀନ ଭୂଖଣ୍ଡରେ ବିରଳ । ‘ଜନତା ଜନାର୍ଜିନ'- ରାଜନୈତିକ ଛଳନାର ଶିକାର ହେବା ଫଳରେ ଏହି ଶବ୍ଦ ଯୁଗଳଙ୍କ ଉପରେ କେତେ ମଇଳା ଜମି ନ ଯାଇଛି ! ସେଥିପାଇଁ ବିବେକାନନ୍ଦଙ୍କ ନାମ ସହିତ ଏହି ଶବ୍ଦକୁ ଯୋଡ଼ିବାକୁ କୁଣ୍ଠା ଆସିବା ସ୍ଵାଭାବିକ । କିନ୍ତୁ ଶବ୍ଦଙ୍କ ପାଖରେ କ୍ଷମା ମାଗି ସେମାନଙ୍କୁ ଯଥା ସ୍ଥାନରେ ଥାପିବା ଉଚିତ ହେବ ନାହିଁକି ?

ଇହଧାମ ତ୍ୟାଗ କରିବା ପୂର୍ବରୁ ଶ୍ରୀରାମକୃଷ୍ଣ ତାଙ୍କର ତରୁଣ ଶିଷ୍ୟମାନଙ୍କୁ ନରେନ ଙ୍କ ହାତରେ ସମର୍ପି ଦେଇଥିଲେ । ଜଗତର କଲ୍ୟାଣ ସାଧନ କରିବାକୁ ସେ ନରେନ୍‌ଙ୍କୁ ନିର୍ଦେଶ ଦେଇ ବିଦାୟ ନେଲେ । କିନ୍ତୁ ନିଃସ୍ଵ, ଅନଭିଜ୍ଞ ଯୁବକ କେଇଜଣଙ୍କ ପକ୍ଷରେ କ'ଣ କରିବା ସମ୍ଭବ ? କହିବା ବାହୁଲ୍ୟ, ଏମାନଙ୍କ ମଧ୍ୟରୁ କେହି ସନ୍ନ୍ୟାସୀ ଭାବେ ସମାଜରେ ପରିଚିତ ନଥିଲେ । ରାମକୃଷ୍ଣଙ୍କ ଶିଷ୍ୟ ବୋଲି ସେମାନଙ୍କୁ କେହି ଚିହ୍ନି ନଥିଲେ, ‘ ମୁଁ ଠାକୁରଙ୍କ ଶିଷ୍ୟ’ କହି କର୍ତ୍ତୃତ୍ଵ ଜାରି କରିବା ତ ଦୂରର କଥା, ଠାକୁରଙ୍କ ନାମରେ ଭିକ ମୁଠାଏ ପାଇବାର ବାଟ ମଧ୍ୟ ଏମାନଙ୍କର ନଥିଲା ।

ଶ୍ରୀରାମକୃଷ୍ଣଙ୍କର ଜଣେ ଗୃହସ୍ଥ ଭକ୍ତ ଶ୍ରୀ ସୁରେଶ ଚନ୍ଦ୍ର ମିତ୍ର ବରାହନଗରଠାରେ ତାଙ୍କର ଗୋଟିଏ ପୁରୁଣା କୋଠା, ଏହି ଯୁବକ ଶିଷ୍ୟମାନଙ୍କୁ ଛାଡ଼ିଦେଲେ । ଠାକୁରଙ୍କର ପବିତ୍ର ଦେହାବଶେଷ ଓ ତାଙ୍କର ବ୍ୟବହୃତ ଜିନିଷପତ୍ର ଧରି ନରେନ ସଦଳ ବଳେ ବରାହନଗର ଆସିଲେ । ଅଳ୍ପଦିନ ଭିତରେ ପରିତ୍ୟକ୍ତ ଭୂତ କୋଠିଟି ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହେଲା । କିନ୍ତୁ ଏହି ନବୀନ ସନ୍ନ୍ୟାସୀଗଣ ଯେଉଁ ଦୁଃଖକଷ୍ଟ ଭିତରେ ଗତି କରିଥିଲେ, ତାହା ବର୍ଣ୍ଣନାତୀତ । କହିବା ବାହୁଲ୍ୟ, ଏମାନେ ପ୍ରାୟ ସମସ୍ତେ ଉଚ୍ଚଶିକ୍ଷିତ ଓ ସ୍ୱଚ୍ଛଳ ପରିବାରର ପିଲା । ଦି’ ଓଳି ଦି’ ମୁଠା ଖାଦ୍ୟ ମିଳିବା ଏମାନଙ୍କ ପାଇଁ ସ୍ଵପ୍ନ ହେଲା । ମାସ ମାସ ଧରି କଇଁଚିକାକୁଡ଼ି ପତ୍ର ସିଝା ଓ ଲୁଣ ଲଗାଇ ଏମାନେ ଭାତ ଖାଇଛନ୍ତି । ବାହାରକୁ ଯିବା ପାଇଁ ଖଣ୍ଡିଏ ଲୁଗା ପାଇନାହାନ୍ତି । ଏଥରେ ସନ୍ଦେହ ନାହିଁ ଯେ ଠାକୁରଙ୍କର ଆଦର୍ଶ ଓ ପ୍ରେମ ସେମାନଙ୍କୁ ଏକାଠି କରି ରଖିଥିଲା । ଦୁଃଖକଷ୍ଟରେ ପଡ଼ି ସେମାନଙ୍କର ମନୋବଳ ଭାଙ୍ଗି ନଥିଲା । କିନ୍ତୁ ସେମାନେ କ'ଣ କରିବେ ତା'ର କିଛି ବାଟ ପାଉ ନଥିଲେ । ଏହିପରି ଭାବେ କାଳ କାଟୁଥିବା ବେଳେ ଗୋଟିଏ ଉଲ୍ଲେଖଯୋଗ୍ୟ ଘଟଣା ଘଟିଥିଲା । ବାବୁରାମ (ସ୍ଵାମୀ ପ୍ରେମାନନ୍ଦ) ଙ୍କ ମାଆଙ୍କର ନିମନ୍ତ୍ରଣ ରକ୍ଷା କରି ନରେନ୍ଦ୍ରନାଥ ଗୁରୁଭାଇଙ୍କ ସହିତ ପାଖ ଗ୍ରାମ ଆଣ୍ଟପୁରକୁ ଗଲେ । ଡିସେମ୍ବର ମାସ । କିଛିଦିନ ଆନନ୍ଦରେ କଟିଗଲା । ଶୀତ ରାତିରେ ଧୁନି ଲଗାଇ ତା ଚାରିପଟେ ବସି ସମସ୍ତେ ଘଣ୍ଟା ଘଣ୍ଟା ଧର୍ମ ଆଲୋଚନା କରନ୍ତି । ଦିନେ ରାତିରେ  ନରେନ୍ଦ୍ରନାଥ ଭାବବିହ୍ଵଳ ହୋଇ ଯିଶୁଙ୍କ କଥା କହିବାକୁ ଲାଗିଲେ । ନରେନଙ୍କ କଣ୍ଠରେ ପରମ କାରୁଣିକ ଯିଶୁଙ୍କର ଅପୂର୍ବ ପ୍ରେମ, ତ୍ୟାଗର କାହାଣୀ ସମସ୍ତଙ୍କ ହୃଦୟରେ ଗଭୀର ରେଖାପାତ କଲା । ସମସ୍ତେ ଖ୍ରୀଷ୍ଟ ଭାବରେ ଉଦ୍‌ବୁଦ୍ଧ ହୋଇ ଅଗ୍ନିଙ୍କୁ ସାକ୍ଷୀ ରଖି ସନ୍ନ୍ୟାସ ବ୍ରତ ଗ୍ରହଣ କରିବାକୁ ସଂକଳ୍ପ କଲେ । ପରେ ଜଣାପଡ଼ିଲା ସେହି ରାତିଟି ଥିଲା ଖ୍ରୀଷ୍ଟମାସ ଇଭର ରାତି ।

ବରାହନଗରକୁ ଫେରି ୧୮୮୭ ଖ୍ରୀଷ୍ଟାବ୍ଦ ଜାନୁୟାରୀ ମାସରେ ସେମାନେ ପାରମ୍ପରିକ ଶାସ୍ତ୍ରୀୟ ବିଧି ଅନୁଯାୟୀ ସନ୍ନ୍ୟାସ ଗ୍ରହଣ କଲେ । ଶ୍ରୀରାମକୃଷ୍ଣଙ୍କର ଷୋଳ ଜଣ ସନ୍ନ୍ୟାସୀ ଶିଷ୍ୟ ହେଉଛନ୍ତି ସ୍ଵାମୀ ବିବେକାନନ୍ଦ (ନରେନ୍ଦ୍ରନାଥ), ସ୍ଵାମୀ ବ୍ରହ୍ମାନନ୍ଦ (ରାଖାଲ ଚନ୍ଦ୍ର), ସ୍ଵାମୀ ପ୍ରେମାନନ୍ଦ (ବାବୁରାମ), ସ୍ଵାମୀ ଯୋଗାନନ୍ଦ (ଯୋଗେନ୍ଦ୍ରନାଥ), ସ୍ଵାମୀ ନିରଞ୍ଜନାନନ୍ଦ ( ନିରଞ୍ଜନ), ସ୍ଵାମୀ ରାମକୃଷ୍ଣାନନ୍ଦ ( ଶଶିଭୂଷଣ), ସ୍ଵାମୀ ଶିବାନନ୍ଦ (ତାରକନାଥ), ସ୍ଵାମୀ ତୁରୀୟାନନ୍ଦ(ହରିନାଥ), ସ୍ଵାମୀ ଅଭେଦାନନ୍ଦ (କାଳୀପ୍ରସାଦ), ସ୍ଵାମୀ ସାରଦାନନ୍ଦ (ଶରତ ଚନ୍ଦ୍ର) ସ୍ଵାମୀ ଅଦୈତାନନ୍ଦ (ଗୋପାଳ), ସ୍ଵାମୀ ଅଭୁତାନନ୍ଦ ( ଲାଟୁ) ସ୍ଵାମୀ ତ୍ରିଗୁଣାନନ୍ଦ (ସାରଦା), ସ୍ଵାମୀ ସୁବୋଧାନନ୍ଦ( ସୁବୋଧ), ସ୍ଵାମୀ ଅଖଣ୍ଡାନନ୍ଦ (ଗଙ୍ଗାଧର) ଓ ସ୍ଵାମୀ ବିଜ୍ଞାନାନନ୍ଦ (ହରିପ୍ରସନ୍ନ) । ଏମାନେ ସମସ୍ତେ ଏକାଦିନ ସନ୍ନ୍ୟାସ ଗ୍ରହଣ କରି ନଥିଲେ । ଯେଉଁମାନେ ଅନୁପସ୍ଥିତ ଥିଲେ। ସେମାନେ ପରେ ଯଥାବିଧି ସନ୍ନ୍ୟାସ ବ୍ରତ ଗ୍ରହଣ କରିଥିଲେ । ସତେ କି ଠାକୁରଙ୍କ ସହିତ ଓ ପରସ୍ପର ସହିତ ହୃଦୟର ବନ୍ଧନକୁ ଚିରଦିନ ଅତୁଟ ରଖିବାର ଘୋଷଣାପତ୍ର ସ୍ଵରୂପ ସମସ୍ତଙ୍କର ସନ୍ନ୍ୟାସ ଘେନିବା ଜରୁରୀ ହୋଇ ପଡ଼ିଲା । କଥା ହେଉଛି, ବରାହନଗରରେ ବାନ୍ଧି ହୋଇ ରହିବାକୁ କେହି ଚାହୁଁନଥିଲେ । ଅଥଚ ବରାହନଗରରୁ ଥରେ ଫିଟିଗଲେ ଆଉ ଏକାଠି ନ ହୋଇପାରନ୍ତି - ଏ ଆଶଙ୍କା ସମସ୍ତଙ୍କ ମନକୁ ଆସୁଥିଲା।

ସମସ୍ତେ ଗୋଟିଏ ମଠର ବାବାଜି, ଜଣେ ଗୁରୁଙ୍କର ଶିଷ୍ୟଏ କଥାଟି ଘୋଷିତ ହୋଇଯିବା ପରେ ବୁଲା ବାବାଜି ଦିନେ ମଠକୁ ଫେରିବା ନିଶ୍ଚିତ । ତେଣୁ କାମ ଛିଣ୍ଡିଯିବା ପରେ ସତକୁ ସତ ନବୀନ ସନ୍ନ୍ୟାସୀଗଣ ଜଣ ଜଣା ହୋଇ ତୀର୍ଥଯାତ୍ରାରେ ବାହାରିଗଲେ ।

ଅନ୍ତରରେ ପରିବ୍ରାଜକ ଜୀବନର ଦୁର୍ବାର ଆକର୍ଷଣକୁ ଚାପି ରଖି ମଠର ସଙ୍ଗଠନ କାମରେ ନରେନ୍ ଦୁଇବର୍ଷ ଲାଗିପଡ଼ିଲେ । ସାଙ୍ଗରେ ଥାଆନ୍ତି ସ୍ଵାମୀ ରାମକୃଷ୍ଣାନନ୍ଦ । ଅବଶ୍ୟ ସ୍ଵାମୀ ରାମକୃଷ୍ଣାନନ୍ଦ କେବେହେଲେ ମଠ ଛାଡ଼ି ବାହାରକୁ ଯାଇନାହାନ୍ତି । ଉଡ଼ିଯାଇଥବା ପକ୍ଷୀଦଳଙ୍କ ଭିତରୁ କିଏ କେତେବେଳେ ଫେରିବ ତାକୁ ଅପେକ୍ଷା କରି ସେ ଏକୁଟିଆ ମଠକୁ ଜଗିଥାନ୍ତି ।

୧୮୮୬ରେ ପ୍ରଥମ କରି ବିବେକାନନ୍ଦ ପରିଭ୍ରମଣରେ ବାହାରିଲେ । ହିମାଳୟ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରି ବାଟରେ ବନାରସ, ଅଯୋଧା, ବୃନ୍ଦାବନ, ଆଗ୍ରା ଓ ଲକ୍ଷ୍ନୌ ପ୍ରଭୃତି ତୀର୍ଥସ୍ଥାନ ଭ୍ରମଣ କଲେ । ତୀର୍ଥ କରିବା ଅପେକ୍ଷା ବିଶାଳ ଭାରତବର୍ଷ ଓ ତା’ର ଦରିଦ୍ର ଜନତା ସହିତ ଘନିଷ୍ଟ ଭାବେ ପରିଚୟ ହେବାର ସୁଯୋଗ ତାଙ୍କ ପାଖରେ ବଡ଼ ଥିଲା । ବାଟରେ ଅପ୍ରତ୍ଯାଶିତ ଭାବେ ସେ ତାଙ୍କର ପ୍ରଥମ ଶିଷ୍ୟଙ୍କୁ ଗ୍ରହଣ କରିଥିଲେ । ସେ ହେଉଛନ୍ତି ହାଥରାସ ନାମକ ଗୋଟିଏ ଛୋଟ ଚେଷ୍ଟସନର ଚେଷ୍ଟସନମାଷ୍ଟର ଶ୍ରୀ ଶରତ ଚନ୍ଦ୍ର ଗୁପ୍ତ । ବିବେକାନନ୍ଦଙ୍କର ପ୍ରଥମ ଶିଷ୍ୟ ହେଲା ପରି ଯୋଗ୍ୟ ମଣିଷଟିଏ । ଶ୍ରୀ ଗୁପ୍ତଙ୍କର ସନ୍ନ୍ୟାସୀ ନାମ ହେଉଛି ସ୍ଵାମୀ ସଦାନନ୍ଦ । ବିବେକାନନ୍ଦ ସଦାନନ୍ଦଙ୍କ ସହିତ ଦିନ ଦିନ ଭୋକ ଉପାସୋରେ କଟାଇ ଦରିଦ୍ର ଲୋକଙ୍କର ଦୁଃଖକୁ ଅଙ୍ଗେ ନିଭାଇ ଥିଲେ । ଶରୀର ଉପରେ କ୍ରମାଗତ ଅତ୍ୟାଚାର ଫଳରେ ଗୁରୁଶିଷ୍ୟ ଦୁହେଁ ବେମାର ପଡ଼ିଲେ ଓ ବରାହନଗରକୁ ଫେରିଆସିଲେ ।

ଦୁଇବର୍ଷ ପରେ ବିବେକାନନ୍ଦ ଦ୍ଵିତୀୟବାର ଭ୍ରମଣରେ ବାହାରିଲେ । ଏଥର ଆଲାହାବାଦ ଓ ଗାଜୀପୁର ଦେଇ ହରଦୂର ଗଲେ । ଗାଜୀପୁରରେ ସିଦ୍ଧ ଯୋଗୀ ପାଓ ହାରୀ ବାବାଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ପାଓହାରୀ ବାବାଙ୍କର ସିଦ୍ଧି ଓ ବ୍ୟକ୍ତିତ୍ଵ ଦ୍ଵାରା ଆକୃଷ୍ଣ ହୋଇ ସେହି ମଠରେ ତପସ୍ୟାରତ ରହିବାକୁ ବିବେକାନନ୍ଦଙ୍କର ବିଶେଷ ଇଚ୍ଛା ଜାତ ହୋଇଥିଲା । କିନ୍ତୁ ସେ ଯେତେଥର ପାଓହାରୀ ବାବାଙ୍କର ଶିଷ୍ୟତ୍ୱ ଗ୍ରହଣ କରିବାକୁ ମନ ଭିତରେ ସ୍ଥିର କରିଛନ୍ତି, ସେତେଥର ରାତିରେ କେହି ଜଣେ ଆସି ତାଙ୍କୁ ବାରଣ କରିଛି । ଏଥର ମଧ୍ୟ ବିବେକାନନ୍ଦ କେତେ ମାସ ପରେ ବରାହନଗର ମଠକୁ ଫେରି ଆସିଲେ ।

କିନ୍ତୁ ବେଶିଦିନ ସେ ମଠରେ ଥୟ ହୋଇ ରହିପାରିଲେ ନାହିଁ । ତାଙ୍କ ଭିତରେ ପ୍ରଚଣ୍ଡ ଶକ୍ତି ନିଗମପଥ ନ ପାଇ ସର୍ବଦା ବିବେକାନନ୍ଦଙ୍କୁ ଅସ୍ଥିର କଲା । ଦୁଇଥର ଭ୍ରମଣ ଅଭିଜ୍ଞତାରୁ ସମାଜରେ ଯେତିକି ଆବର୍ଜନା କୁଢ଼ କୁଢ଼ ହୋଇ ଜମିଥିବାର ଦେଖୁଥିଲେ ସେ ସବୁକୁ ଦୂର କରିବାର ବ୍ୟାକୁଳତା ତାଙ୍କୁ ଶାନ୍ତିରେ ରଖାଇ ଦେଲାନାହିଁ । କିଛି ବାଟ ନ ପାଇବାର କ୍ରୋଧରେ ବିବେକାନନ୍ଦ ଝଡ଼ ପରି ତୃତୀୟଥର ପାଇଁ ମଠ ପରିତ୍ୟାଗ କଲେ । ଶୂନ୍ୟ ହସ୍ତରେ ଏପରିକି ବିବେକାନନ୍ଦ ବା ଅନ୍ୟ କୌଣସି ନାମ ପର୍ଯ୍ୟନ୍ତ ଗ୍ରହଣ ନ କରି ସେ ଉଦ୍ଦେଶ୍ୟହୀନ ଭାବେ ବାହାରିଗଲେ । ପାଦରେ ଚାଲି ଚାଲି ଦେଶସାରା ବୁଲିଲେ । ତାଙ୍କର ଅନ୍ତର୍ବେଧ ବାରି ପାରିଥିଲା ଯେ କର୍ମପନ୍ଥା ସ୍ଥିର କରିବା ପାଇଁ ତାଙ୍କୁ ଦେଶଟାକୁ ଭଲଭାବେ ତନଖି ନେବାକୁ ପଡ଼ିବ । ସେନାପତି ଯୁଦ୍ଧକ୍ଷେତ୍ରକୁ ପରଖି ନେଲା ପରି ବିବେକାନନ୍ଦ ଏ ବିଶାଳ ଦେଶର ପ୍ରତିକୋଣକୁ ଖେଦି ଯାଇଥିଲେ । ଅବଶ୍ୟ ସେନାପତି ରୂପରେ ନୁହେଁ, ସନ୍ନ୍ୟାସୀ ରୂପରେ । ସନ୍ନ୍ୟାସୀ ରୂପ ଭିତରୁ ସେନାପତି କିନ୍ତୁ ଧରାପଡ଼ି ଯାଉଥିଲା । ଏଇ ଅନାମଧେୟ ସନ୍ନ୍ୟାସୀଙ୍କର ତେଜରେ ବିସ୍ତିତ ହୋଇ ରାଜା ମହାରାଜାମାନେ ତାଙ୍କୁ ଦିନକ ପାଇଁ ଅତିଥ୍ ଭାବେ ପାଇ ଆପଣାକୁ କୃତାର୍ଥ ମଣୁଥିଲେ । ତେବେ ରାଜା ମହାରାଜାଙ୍କ ଅପେକ୍ଷା ସମାଜର ତଳିଆ ଲୋକ, ଦୀନ ଦରିଦ୍ରଙ୍କ ଆତିଥ୍ୟ ଗ୍ରହଣ କରି ସେମାନଙ୍କ ସୁଖ ଦୁଃଖରେ ଭାଗୀଦାର ହେବାକୁ ବିବେକାନନ୍ଦ ଭଲ ପାଉଥିଲେ । ଧନୀ, ଦରିଦ୍ର, ଉଚ୍ଚଜାତି ଓ ନୀଚ ଜାତିଭେଦ ଭୂଲି ସମାଜର ସବୁ ଶ୍ରେଣୀର ଲୋକଙ୍କର ଘନିଷ୍ଟ ସଂସ୍ପର୍ଶରେ ଆସି ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା ଓ କରୁଣା ଗଭୀରତର ହେଲା । ଭୋକିଲା ଲୋକଙ୍କର ଦୁଃଖ ନିଜ ଆଖିରେ ଦେଖି ତାଙ୍କର ହୃଦୟ ବିଗଳିତ ହେଲା । ଥରେ ସ୍ଵାମୀଜୀ ଗୋଟିଏ ଆଦିବାସୀ ବସ୍ତିରେ ସାନ୍ତାଳଙ୍କର ଅତିଥୁ ହୋଇଥାଆନ୍ତି । ଲକ୍ଷ୍ୟ କଲେ, ଦିନକୁ ମୁଠାଏ  ଭାତ ପାଉନଥିବା, ଗଛର ପତ୍ର ଚେର ଖାଇ ଭୋକ ମାରୁଥିବା ସାନ୍ତାଳମାନେ ଶ୍ରଦ୍ଧା ଓ ଭକ୍ତିରେ ତାଙ୍କର ଖାଇବା ପିଇବା ପ୍ରତି ବିଶେଷ ଧାନ ଦେଉଛନ୍ତି । ଏହା ଦେଖି ବିବେକାନନନ୍ଦଙ୍କର ହୃଦୟ ହାହାକାର କରି ଉଠିଲା । ଦୁଃଖରେ, କ୍ରୋଧରେ ସରଳ ଲୋକଗୁଡ଼ିକଙ୍କ ପାଇଁ କିଛି କରି ନ ପାରିବାର ଅକ୍ଷମତାରେ ଭାଙ୍ଗି ପଡ଼ି ବିବେକାନନ୍ଦ ଜଙ୍ଗଲ ଭିତରକୁ ପଶି ଚାଲିଲେ । ଉଦ୍ଦେଶ୍ୟ, ବାଘର ଆହାର ହେବା । ବାଘ ସହିତ ସତକୁ ସତ ଭେଟ ହୋଇଥିଲା । ବାଘ ତାଙ୍କୁ ଦେଖି ସାରି ତା' ବାଟରେ ଗଲା ।

ମଣିଷ ପ୍ରତି ଉଦାର ଓ ସହନଶୀଳ ଦୃଷ୍ଟିକୋଣ ଗଢ଼ିବାରେ ପରିବ୍ରାଜକ ସନ୍ନବ୍ୟାସୀଙ୍କର ଏହିପରି ଅସାଧାରଣ ଅଭିଜ୍ଞତାମାନ ସାହାଯ୍ୟ କରିଥିଲା । ଉଚ୍ଚ ଆଦର୍ଶ ଓ ଶୁଦ୍ଧପୂତ ଜୀବନରୁ ସ୍ପଳନକୁ ନରେନ୍ ସହ୍ୟ କରିପାରୁନଥିଲେ, କିନ୍ତୁ ମଣିଷକୁ ଦେଖିଲା ପରେ ସେ ସମ୍ବଦନଶୀଳ ଓ ଉଦାର ହେଲେ । ରାଜପୁତନାରେ ବିବେକାନନ୍ଦ କ୍ଷେତରୀ ମହାରାଜାଙ୍କର ଆତିଥ୍ୟ ଗ୍ରହଣ କରିଥାନ୍ତି । ତାଙ୍କୁ ସମ୍ବର୍ଦ୍ଦନା ଜଣାଇବାକୁ ଗୋଟିଏ ଉତ୍ସବର ଆୟୋଜନ ହୋଇଥାଏ । ସେଇ ଉତ୍ସବରେ ଜଣେ ବାଈଜୀ ଗୀତ ଗାଇବାକୁ ପ୍ରସ୍ତୁତ  ହେଉଛନ୍ତି ଦେଖି ବିବେକାନନ୍ଦ ରାଗିଯାଇ ଉଠିଯିବାକୁ ବସିଲେ । ସନ୍ନ୍ୟାସୀଙ୍କର ମନୋଭାବ ବାଈଜୀଙ୍କୁ ଅଛପା ରହିଲା ନାହଁ । ସେ ମୀରା ଭଜନରୁ ସୁର ଧରିଲେ,

ପ୍ରଭୁ ମେରା ଅବଗୁଣ ଚିତ ନ ଧରୋ,

ସମଦରଶୀ ସେହି ନାମ ତୁମହାରା,

ଚାହେ ତୋ ପାର କରୋ ।

 

ମଧୁର, ଆବେଗପୂର୍ଣ୍ଣ କଣ୍ଠରେ ବାଈଜୀର ଏ ସଙ୍ଗୀତ ବିବେକାନନ୍ଦଙ୍କ ଉପରେ ଗଭୀର ରେଖାପାତ କରିଥିଲା । ଏଇ ଘଟଣାଟି ତାଙ୍କ ଭିତରେ ଏକ ବଡ଼ ପରିବର୍ତ୍ତନର ସୂତ୍ରପାତ କରିଥିଲା କହିଲେ ଅତ୍ଯୁକ୍ତି ହେବ ନାହିଁ। ସ୍ଵାମୀଜୀ ତାଙ୍କର ଶିଷ୍ୟମାନଙ୍କୁ ଏକାଧିକ ବାର ଉକ୍ତ ବାଈ ଜୀଙ୍କ ପ୍ରସଙ୍ଗ କହିଛନ୍ତି । ଘଟଣାଟି ଘଟିବାର ଅନେକ ବର୍ଷ ପରେ ଭଗିନୀ ନିବେଦିତା ନୈନୀତାଲରେ ସ୍ଵାମୀଜୀଙ୍କ ଠାରୁ ପ୍ରଥମ କରି ଏହା ଶୁଣିବାକୁ ପାଇଥିଲେ । ବିବେକାନନ୍ଦ କେତେକ ଗୁରୁଭ୍ରାତା ଓ ଶିଷ୍ୟଙ୍କ ସହିତ ନୈନୀତାଲ ଯାଇଥାଆନ୍ତି । ନୈନୀ ସରୋବର ନିକଟରେ ଦୁଇଜଣ ରମଣୀ ନିବେଦିତା ଓ ତାଙ୍କର ସହଯାତ୍ରୀଙ୍କୁ ଭେଟି ଆଳାପ କରୁଥିଲେ । ଜଣାପଡ଼ିଲା ଯେ ରମଣୀ ଦୁହେଁ ବାଈଜୀ । ସ୍ଵାମୀଜୀଙ୍କୁ ବେଢ଼ିଥିବା ଲୋକେ ଭାବିଥିଲେ ଯେ ଏକଥା ଜାଣିଲା ପରେ ସ୍ଵାମୀଜୀ ଦୁହିଁଙ୍କୁ ତଡ଼ିଦେବେ। ମାତ୍ର ସେ ସେମାନଙ୍କୁ ତଡ଼ିବାକୁ ଅସ୍ଵୀକାର କରିବାରୁ ଉପସ୍ଥିତ ଜନତା ମଧରେ ଗୋଟାଏ ଆଲୋଡ଼ନ ଖେଳିଗଲା । ସେହିଦିନ ସ୍ଵାମୀଜୀ ନିବେଦିତାଙ୍କୁ କ୍ଷେତରୀର ବାଈ ଜୀଙ୍କ କଥା କହିଥିଲେ ।

ଦକ୍ଷିଣେଶ୍ଵରରେ ଓ ପରେ ବରାହନଗରରେ ଗୁରୁଭାଇମାନେ ନରେନ୍‌ଙ୍କୁ ଭଲଭାବେ ଚିହ୍ନିଥିଲେ । କିନ୍ତୁ ବିବେକାନନ୍ଦଙ୍କ ସହିତ ସେମାନଙ୍କର ପରିଚୟ ନଥିଲା । ବରାହନଗର ଛାଡ଼ିବା ପରେ ସେମାନଙ୍କ ସହିତ ନରେନ୍‌ଙ୍କର ଆଉ ସାକ୍ଷାତ ହୋଇନଥିଲା । ନରେନ୍ ବିବେକାନନ୍ଦ ହୋଇ ଚିକାଗୋ ଚାଲିଗଲେ ।

ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବା ଫଳରେ ବିବେକାନନ୍ଦ ଯେଉଁ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ କରିଥିଲେ, ତାହା ତାଙ୍କୁ କୌଣସି ଶାସ୍ତ୍ରପୁରାଣ ଦେଇ ପାରିନଥାନ୍ତା । ଅଧ୍ୟୟନରୁ ଅର୍ଜିତ ଜ୍ଞାନ ଅଭିଜ୍ଞତା ଓ ଜୀବନର ନିବିଡ଼ ଅନୁଭୂତିରୁ ଜୀବନ୍ୟାସ ପାଇ କ୍ରିୟାଶୀଳ ହୁଏ । ପୁଣି ପରିବ୍ରାଜକ ସନ୍ନ୍ୟାସୀ ଭାବେ ବିବେକାନନ୍ଦ ଜ୍ଞାନାର୍ଜନରେ କମ୍ ସୁଯୋଗ ପାଇ ନାହାନ୍ତି । ଦେଶରେ ଯେଉଁଠି ଜ୍ଞାନୀ ପଣ୍ଡିତଙ୍କୁ ଦେଖିଛନ୍ତି, ସେଠି କିଛିଦିନ ରହି ସେମାନଙ୍କ ଠାରୁ ଜ୍ଞାନ ଆହରଣ କରିବାକୁ ଚେଷ୍ଟା କରିଛନ୍ତି । ସେମାନଙ୍କ ସହିତ ଦେଶର ଐତିହ୍ୟ ଓ ଶାସ୍ତ୍ରପୁରାଣ ଚର୍ଚ୍ଚା କରିଛନ୍ତି ।

ସାରା ଦେଶରେ ଦି' ଓଳି ଦି’ ମୁଠା ଖାଇବାକୁ ପାଉ ନଥିବା ଅଗଣିତ ମଣିଷଙ୍କୁ ଦେଖି ବିବେକାନନ୍ଦ ଗୋଟିଏ ନୂତନ ଜ୍ଞାନ ପାଇଲେ । ତାହା ହେଉଛି, 'ଭୋକିଲା ପେଟରେ ଧର୍ମ ଅନାବଶ୍ୟକ' । ଉକ୍ତିଟି ମାର୍କସ ବା ତାଙ୍କର ଅନୁଗାମୀଙ୍କର ବୋଲି ଅନୁମାନ କରିନେବା ସ୍ଵାଭାବିକ । କିନ୍ତୁ ଏ ପଦଟି ନରେନ୍ ରାମକୃଷ୍ଣଙ୍କ ଠାରୁ ଶୁଣିଥଲେ । ଦେଶର ଅନ୍ଦିକନ୍ଦି ବୁଲି ଏହାର ସତ୍ୟତାକୁ ମନୋର୍ମ ମର୍କେ ଅନୁଭବ କଲେ । ସେ ଠିକ୍ କଲେ, ଦରିଦ୍ରନାରାୟଣଙ୍କ ସେବା ହିଁ ସନ୍ୟାସୀର ଯଥାର୍ଥ ବ୍ରତ । ଦେଶସାରା ଦାରିଦ୍ର୍ୟର

ନିରଙ୍କୁଶ ରାଜତ୍ଵ ଦେଖି ବିବେକାନନ୍ଦ ଆପଣାକୁ ଓ ସନ୍ନ୍ୟାସୀକୁ ଧୁକ୍‌କାର କରି ଭାବୁଥିଲେ, “ବୁଭୁକ୍ଷୁ ଜନତା ପାଇଁ ଆମେ ସନ୍ନ୍ୟାସୀଗଣ କ'ଣ କରିଛୁ ?” ଜୟ ପରାଜୟ ଉଦ୍ଧିକୁ ଉଠିଥିବା ଅନାସକ୍ତ ସନ୍ନ୍ୟାସୀ ବ୍ୟତୀତ ଆଉ କିଏ ପ୍ରବଳ ପ୍ରତାପୀ ଓ ଅଜେୟ ଦାରିଦ୍ର୍ୟ ଦାନବ ବିରୋଧରେ ଖଡ୍ଗ ଉତ୍ତେଳନ କରିପାରେ ? ଯୁଗ ଯୁଗ ଧରି ସିଂହାସନରେ ଅଧୁଷିତ ପ୍ରତାପୀ ସମ୍ରାଟଙ୍କ ବିରୋଧରେ ସଂଗ୍ରାମର ଫଳାଫଳକୁ ନିଜର ଶୈର୍ଯ୍ୟବୀର୍ଯ୍ୟ ଦ୍ଵାରା ନ ମାପି ସୁପ୍ତ ଜାତିର ଶକ୍ତି କଳିଥିବା ଦିବ୍ୟଦ୍ରଷ୍ଟା ସନ୍ନ୍ୟାସୀ ବ୍ୟତୀତ ଆଉ କିଏ ରଣ ଦୁନ୍ଦୁଭି ବଜାଇ ଯୁଦ୍ଧର ଡାକରା ଦେଇପାରେ ? ଏ ଦାନବ ପାଇଁ ଦଧୁଚିଙ୍କ ପରି ଜଣେ ମହର୍ଷିଙ୍କ ଅସ୍ଥିରେ ନିର୍ମିତ ଅମୋଘ ଅସ୍ତ୍ର ମଧ୍ୟ ଯଥେଷ୍ଟ ନୁହେଁ । ମଣିଷଙ୍କର ଦୀର୍ଘଶ୍ଵାସ ଓ ଅଶ୍ମରୁ ଶତ୍ରୁ ସଂହାର ଅସ୍ତ୍ର ନିର୍ମାଣର ମନ୍ତ୍ର ଜାଣିଥିବା ତରୁଣ ସନ୍ନ୍ୟାସୀ ପ୍ରତିଟି ଆର୍ତନାଦ ଓ ପ୍ରତିବୃନ୍ଦା ଅଶ୍ମକୁ ସଂଗ୍ରହ କରି ତାଙ୍କ ବିଶାଳ ହୃଦୟରେ ସଞ୍ଚି ରଖିବା ପାଇଁ ଆକୁମାରୀ ହିମାଚଳ ପଦବ୍ରଜରେ ବୁଲିଥିଲେ ।

ଯାତ୍ରା ଆରମ୍ଭ ହୋଇଥିଲା। ବରାହନଗରରୁ କେଉଁଠି ଯାଇ ରାଜପୁତନା, ଜୟପୁର, ଆଜମୀର । ସେଠାରୁ ପୁଣି ଜୁନାଗଡ଼, ପୋରବନ୍ଦର, ଦ୍ଵାରକା, ବମ୍ବ, ପୁନା । ଶେଷରେ ବିବେକାନନ୍ଦ ଦକ୍ଷିଣରେ ପହଞ୍ଚିଥିଲେ । ସାରା ଦେଶରେ ଏହି ଅଚିହ୍ମା ସନ୍ନ୍ୟାସୀ ଅନେକ ଗୁଣମୁଗ୍ଧ ବନ୍ଧୁ, ସହକର୍ମୀ ଓ ଅନୁଗତ ଶିଷ୍ୟ ସୃଷ୍ଟି କରିଥଲେ ମଧ୍ୟ ମାଡ୍ରାସରେ ତାଙ୍କର ପ୍ରଭାବ ବିଶେଷ ଭାବେ ଅନୁଭୂତ ହୋଇଥଲା । ଯୁଦ୍ଧ ଘୋଷଣା କରିବା ପୂର୍ବରୁ ଛତ୍ରପତି ସନ୍ନ୍ୟାସୀ ବେଶରେ ତାଙ୍କର ଯୋଦ୍ଧାମାନଙ୍କୁ ଠାବ କରିଗଲେ । ଧନୀ ରାଜା ମହାରାଜା ବଡ଼ ବଡ଼ ପଣ୍ଡିତମାନଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟରେ ଥିବା ଅନୁରକ୍ତ ସୈନିକମାନେ ଏହି ଛଦ୍ମବେଶୀ ଛତ୍ରପତିଙ୍କଠାରୁ କି ଏକ ରହସ୍ୟମୟ ଇସାରା ପାଇ ଆଦେଶକୁ ଅପେକ୍ଷା କରି ରହିଲେ ।

ଧନୀ, ଦରିଦ୍ର, ମୂର୍ଖ, ପଣ୍ଡିତ, ନିର୍ବିଶେଷରେ ଏତେ ଲୋକ ଜଣେ ନିଃସ୍ଵ ସନ୍ନ୍ୟାସୀ ପ୍ରତି ଆକୃଷ୍ଟ ହୋଇଥିଲେ କାହିଁକି ? କିଛି ହଟଚମକ ବିଦ୍ୟା ଦେଖି ନୁହେଁ କିମ୍ବା ‘ମୋ ଶିଷ୍ୟ ହେଲେ ବା ମୋତେ ପୂଜା କଲେ ଆଉ ଗୋଟାଏ ବଡ଼ ରାଜ୍ୟ ମିଳିବ, ବଡ଼ ଚାକିରି ମିଳିବ'- ଏପରି ପ୍ରତିଶୃତି ପାଇ ନୁହେଁ । କ’ଣ ପାଇଁ, କି ଶକ୍ତି ଦେଖି ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କର ବଞ୍ଚିବାର ଢଙ୍ଗ ବଦଳି ଯାଉଥିଲା ? କିଛି ପାଇବା ପରିବର୍ଭେ ଦେବା ପାଇଁ ସେମାନେ ଆଗଭର ହେଉଥିଲେ ? ସ୍ଵାମୀ ଶୁଦ୍ଧାନନ୍ଦ ବର୍ଣ୍ଣନା କରିଥିବା ଗୋଟିଏ ଘଟଣା ଏପରି ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇପାରିବ । ଦିନେ ସ୍ଵାମୀ ଶୁଦ୍ଧାନନ୍ଦ ଦେଖିଲେ, କେତେଜଣ ଗୁଜୁରାଟୀ ପଣ୍ଡିତ ସ୍ଵାମୀଜୀଙ୍କ (ସେ ଆମେରିକାରୁ ଫେରିବା ପରର ଘଟଣା) ସହିତ ସଂସ୍କୃତ ଭାଷାରେ ଅନର୍ଗଳ ଧର୍ମ ବିଷୟକ ଆଲୋଚନା କରୁଛନ୍ତି । କିଛି ସମୟ ପରେ ଆଲୋଚନା ଚାଲିଥିବା ଘରୁ ଗୋଟାଏ ଗୋଳମାଳ ଶୁଭିଲା । ଘଟଣା ଅନୁସନ୍ଧାନ କରି ଶ୍ରଦ୍ଧାନନ୍ଦ ବୁଝିଲେ, ସ୍ଵାମୀଜୀ ସଂସ୍କୃତ ଭାଷାରେ କଥା କହୁ କହୁ ଗୋଟାଏ ବ୍ୟାକରଣଗତ ଭୁଲ କରି ପକାଇଛନ୍ତି । ସେହି କାରଣରୁ ପଣ୍ଡିତଗଣ ଜ୍ଞାନ - ଭକ୍ତି-ବୈରାଗ୍ୟ ବିଷୟକ ଚର୍ଚ୍ଚା ଛାଡ଼ିଦେଇ ବିଜୟ ଉଲ୍ଲାସରେ ‘ଆମେ ସ୍ଵାମୀଜୀଙ୍କୁ ହରାଇ ଦେଲୁ' କହି ହଲ୍ଲା କରୁଛନ୍ତି । ଦୃଶ୍ୟଟି ଦେଖି ଶ୍ରଦ୍ଧାନନ୍ଦଙ୍କର ଠାକୁର କହୁଥ୍ ବା ଗୋଟିଏ କଥା ମନେପଡ଼ିଲା । ‘ଚିଲ, ଶାଗୁଣା ଖୁବ ଉଚ୍ଚରେ ଉଡ଼ନ୍ତି, କିନ୍ତୁ ସେମାନଙ୍କର ଦୃଷ୍ଟି ଥାଏ ତଳେ ଗୋରୁ ମଢ଼ ଉପରେ' । ପଣ୍ଡିତଗଣ କୌଣସି ଉଚ୍ଚ ଭାବ ବା ଗହନ ତତ୍ତ୍ବ କଥା ଚର୍ଚ୍ଚା କରିବାକୁ ଆସି ନଥିଲେ । ଆସିବାର ଉଦ୍ଦେଶ୍ୟ ଥିଲା, ସ୍ଵାମୀଜୀଙ୍କୁ ଆଲୋଚନାରେ ପରାସ୍ତ କରିବା ।

ସେ କଥା ଜାଣିଲା ପରେ ସ୍ଵାମୀଜୀ ଅପ୍ରତିଭ ନ କହିଛନ୍ତି, ମଣିଷକୁ ସ୍ପର୍ଶ ମାତ୍ରକେ ବଦଳେଇ ଦେବାର ହୋଇ ଅପରାଧ ପାଇଁ କ୍ଷମା ମାଗିଲେ ।

ପଣ୍ଡିତଙ୍କର ତ ଉଦ୍ଦେଶ୍ୟ ପୂରଣ ହୋଇଯିବାରୁ ଆଲୋଚନା ସରିଲା । ସେମାନେ ଧୁଆଧୁଇ ହେବାକୁ ଗଙ୍ଗା ହାସଲ କରବାକୁ ପଣ କର, ବବେକାନନ୍ଦ ବରାହନଗର କୂଳକୁ ଗଲେ । ଏହି ପଣ୍ଡିତମାନେ ନିଶ୍ଚିତଭାବେ ବିବେକାନନ୍ଦଙ୍କ ପ୍ରେମରେ ପଡିଥିବା ମଣିଷ ନୁହନ୍ତି । ସେଇଥିପାଇଁ ସ୍ଵାମୀଜୀଙ୍କ ସମ୍ପର୍କରେ ସେମାନଙ୍କର ମନ୍ତବ୍ୟର ମୂଲ୍ୟ ସ୍ଵତନ୍ତ୍ର । ଶ୍ରଦ୍ଧାନନ୍ଦ ଶୁଣିଲେ, ଗଙ୍ଗାକୂଳକୁ ଯିବା ବାଟରେ ସେମାନେ କୁହାକୁହି ହେଉଛନ୍ତି, 'ସ୍ଵାମୀଜୀ ତାଦୃଶ ପଣ୍ଡିତ ନୁହନ୍ତି, ତେବେ ଏହାଙ୍କ ଚକ୍ଷୁରେ ଏକ ମୋହିନୀ ଶକ୍ତି ଅଛି । ସେହି ଶକ୍ତି ବଳରେ ସେ ଦିଗବିଜୟ କରିଛନ୍ତି ।" ପଣ୍ଡିତମାନେ କିଛି ଭୁଲ କହି ନାହାନ୍ତି । ସେମାନେ ସ୍ଵାମୀଜୀଙ୍କର ଶକ୍ତିର ଉତ୍ସକୁ ଠିକ୍ ବାରିଥିଲେ । ଶତୃ ମିତ୍ର କେହି ହେଲେ ସେହି 'ମୋହିନୀ ଶକ୍ତି' ଠାରୁ ଖସିଯିବା ସମ୍ଭବ ନୁହେଁ । ସ୍ଵାମୀଜୀଙ୍କର ପାଣ୍ଡିତ୍ୟ ବିଷୟରେ ପଣ୍ଡିତମାନଙ୍କର ମନ୍ତବ୍ୟ ସମ୍ପର୍କରେ କିଛି ମନ୍ତବ୍ୟ ନ କରିବା ହୁଏତ ଉଚିତ, କିନ୍ତୁ ଏ ଦେଶରେ ଗୋଟିଏ ବ୍ୟାକରଣଗତ ତୁଟି ବା ଭୁଲ ଶବ୍ଦ ପ୍ରୟୋଗରୁ ପାଣ୍ଡିତ୍ୟ କଳନା କରିବାର ପରମ୍ପରା ତଥାପି ବଞ୍ଚିଥିବାରୁ ପଦେ କହିବାକୁ ପଡୁଛି । ବିବେକାନନ୍ଦଙ୍କ ଜ୍ଞାନ ଓ ପାଣ୍ଡିତ୍ୟର ପଟାନ୍ତର ନାହିଁ । ଭାବ ପାଇବାର ବ୍ୟାକୁଳତା ନଥିବା, ଶବ୍ଦ ତର୍ଜମାର କସରତରେ ମାତିଥିବା ଶାସ୍ତ୍ରପୋଷ ପଣ୍ଡିତଗଣ ବହୁ ଯୁଗ ଧରି ବେଦ ବେଦାନ୍ତ ଓ ମହାନ୍ଧର୍ମଶାସ୍ତ୍ର ଉପରେ ଯେତେ ଆବର୍ଜନା କୁଢ଼ାଇଥିଲେ, ସେ ସବୁକୁ ଦୂର କରିବାରେ ଥିଲା ବିବେକାନନ୍ଦଙ୍କର ଐତିହାସିକ ଭୂମିକା ।

ସେ ଯାହା ହେଉ, ଚୁମ୍ବକ ଲୁହାକୁ ତା ଆଡ଼କୁ ଟାଣି ନେଲା ପରି ଲୋକଙ୍କୁ ଧର୍ମ ଓ ତ୍ୟାଗ ମାର୍ଗରେ ମୁହାଁଇ ଦେବା ଥିଲା ତାଙ୍କର ଅସଲ ଶକ୍ତି । ବିବେକାନନ୍ଦ ବାରମ୍ବାର କହିଛନ୍ତି, ମଣିଷକୁ ସ୍ପର୍ଶ ମାତ୍ରକେ ବଦଳେଇ ଦେବାର ଶକ୍ତି ଖ୍ରୀଷ୍ଟ, ବୁଦ୍ଧ ଓ ଶ୍ରୀରାମକୃଷ୍ଣଙ୍କ ପରି ଅବତାରଙ୍କର ଥିଲା । ମଣିଷ ଉପରେ ନିର୍ଦ୍ଦିଷ୍ଟ ପ୍ରଭାବ ପକାଇବାର ଶକ୍ତି ହାସଲ କରିବାକୁ ପଣ କରି ବିବେକାନନ୍ଦ ବରାହନଗର ତ୍ୟାଗ କରିଥିଲେ । ଯିବାବେଳେ ଗୁରୁଭାଇମାନଙ୍କୁ  କହିଥିଲେ, “ ଯେତେଦନ ସ୍ପର୍ଶ ମାତ୍ରକେ ଅପରର ଜୀବନ ପରିବର୍ତ୍ତିତ କରିବା ପରି ଶକ୍ତି ଅର୍ଜନ କରି ନପାରିବି, ସେତେଦିନ ଯାଏ ଫେରିବି ନାହିଁ।’ ବରାହନଗର ଛାଡ଼ିଲା ପରେ କାଶୀରେ କିଛିଦିନ ଜଣେ ଭକ୍ତଙ୍କ ଘରେ ଅବସ୍ଥାନ କରିଥଲେ । ତାଙ୍କଠାରୁ ବିଦାୟ ନେବା ସମୟରେ କହିଥିଲେ, ‘ମୁଁ ଯାଉଛି, ଯେତେଦିନ ଏହି ଗଳିତ ସମାଜ ଉପରେ ମୁଁ ବୋମା ପରି ଫାଟି ନପଡିଛି ଏବଂ ସମାଜ ମୋତେ କୁକୁର ପରି ଅନୁସରଣ ନ କରିଛି, ସେତେଦିନ ଯାଏ । ମୁଁ ଆଉ ଫେରିବି ନାହିଁ । ଏଠି ସମାଜ ସହିତ କୁକୁରକୁ ଯୋଡ଼ିବା ଦ୍ଵାରା କୌଣସି ପ୍ରକାର ତାତ୍ସଲ୍ୟ ପ୍ରକାଶ ପାଉନାହିଁ । ଅନୁସରଣ କରିବାରେ କୁକୁର ଯେ ଆଦର୍ଶ, ସେହି କଥାଟି କେବଳ ବ୍ୟକ୍ତ ହେଉଛି ଏବଂ ତତକାଳୀନ ସମାଜର ଅବାଧ୍ୟ ତାମସିକତା ପ୍ରତି ମଧ୍ୟ କିଛି କ୍ରୋଧପ୍ରକାଶ ପାଉଛି ।

ପ୍ରତିଜ୍ଞା ସାର୍ଥକ ବିବେକାନନ୍ଦ ସତରେ ଆଉ ବରାହନଗର ଫେରି ନଥିଲେ । ସାରା ଭାରତ ପରିଭ୍ରମଣ କରିସାରିଲା ପରେ ମଧ୍ୟ । କାରଣ ବୋମା ପରି ଫାଟି ପଡ଼ିବାର ଶକ୍ତି ଅର୍ଜନ ପାଇଁ ସାତ ସମୁଦ୍ର ଡେଇଁ ଯିବା ବାକି ଥିଲା ।

ମଣିଷଙ୍କୁ ନ ବଦଳେଇ ପୁରୁଣା ସମାଜକୁ ଭାଙ୍ଗି ହେବ ନାହିଁ । ସମାଜକୁ ନୂଆକରି ଗଢ଼ିବା ସମ୍ଭବ ହେବନାହିଁ । ସେଥୁପାଇଁ ବିବେକାନନ୍ଦ ଧନୀ-ଦରିଦ୍ର, ନିର୍ବିଶେଷରେ ସମସ୍ତଙ୍କ ହୃଦୟରେ ସେବାର ମହିମା ଜାଗ୍ରତ କରିବା ପାଇଁ ଯତ୍ନ କରିଥିଲେ । ଥରେ ଶୁଦ୍ଧାନନ୍ଦ ସ୍ଵାମୀଜୀଙ୍କୁ ପଚାରିଥିଲେ, ସନ୍ନ୍ୟାସୀ ହୋଇ ସେ ରାଜାରାଜୁଡ଼ାଙ୍କ ସହିତ ସମ୍ପର୍କ ରଖନ୍ତି କାହିଁକି ? ସ୍ଵାମୀଜୀ ଉତ୍ତର ଦେଇଥିଲେ, ‘ହଜାର ହଜାର ଦରିଦ୍ର ଲୋକଙ୍କୁ ଉପଦେଶ ଦେଇ ଓ ସତକର୍ମ ପ୍ରତି ଆକୃଷ୍ଟ କରାଇ ଯେ ଫଳ ହେବ, ଜଣେ ମାତ୍ର ରାଜାଙ୍କୁ ସେହି ଦିଗରେ ନେଇପାରିଲେ କେତେ ଅଧିକ ଫଳ ହେବ । ଥରେ ଚିନ୍ତାକର । ଗରିବ ପ୍ରଜାର ଇଚ୍ଛା ହେଲେ ମଧ୍ୟ ସତକାର୍ଯ୍ୟ କରିବାର କ୍ଷମତା କାହିଁ ? କିନ୍ତୁ ରାଜାଙ୍କ ହାତରେ ହଜାର ହଜାର ପ୍ରଜାଙ୍କର ମଙ୍ଗଳ ବିଧାନର କ୍ଷମତା ରହିଛି । କେବଳ ସେପରି କରିବାର ଇଚ୍ଛା ନାହିଁ । ସେହି ଇଚ୍ଛା ଯଦି କୌଣସି ପ୍ରକାର ତାଙ୍କ ମନଜୋର ଅଜୋର ଜଗାଇ ଦେଇପାରେ, ଜୋତ ଦେବ ତାଙ୍କର ତଥା ତାଙ୍କ ପ୍ରଜାଙ୍କର ଅବସ୍ଥା ବଦଳିଯିବ ଓ ଜଗତର ଅନେକ କଲ୍ୟାଣ ହେବ ।'

ମହୀଶୁର ମହାରାଜା ସାର ଓୟାଦିଆର ବାହାଦୂର ସ୍ଵାମୀଜୀଙ୍କର ଜଣେ ଅନୁରକ୍ତ ଭକ୍ତ । ଥରେ ଆମେରିକାରୁ ତାଙ୍କ ପାଖକୁ ଖଣ୍ଡେ ଚିଠିରେ ସ୍ଵାମୀଜୀ ଲେଖୁଥିଲେ, ‘ଦୀନ ଦୁଃଖୀଙ୍କର ସେବା କରିବାର କାମନାରେ ଆପଣଙ୍କ ହୃଦୟ ପ୍ରଜ୍ବଳିତ ହେଉଥାଉ – ଏହାହିଁ ଈଶ୍ୱରଙ୍କ ନିକଟରେ ବିବେକାନନ୍ଦଙ୍କର ପ୍ରାର୍ଥନା ।’

ମହୀଶୂରର ମହାରାଜାଙ୍କ ବ୍ୟତୀତ ରାଜେୟାରା, କ୍ଷେତରୀ ଓ କୋଲାପୁରର ରାଜା, ଦାକ୍ଷିଣାତ୍ୟର ଆଉ ଅନେକ ରାଜରାଜୁଡ଼ା ବିବେକାନନ୍ଦଙ୍କୁ ବିଶେଷ ଭକ୍ତି କରୁଥିଲେ । ଚିକାଗୋ ଧର୍ମ ମହାସଭାରେ ଯୋଗ ଦେବା ପାଇଁ ତାଙ୍କଠାରୁ ଆବଶ୍ୟକ ଅର୍ଥ ଗ୍ରହଣ କରିବାକୁ ମହୀଶୂର ମହାରାଜା ସ୍ଵାମୀଜୀଙ୍କୁ ଅନୁରୋଧ କରିଥିଲେ । ମାତ୍ର ସେ ତାହା ଗ୍ରହଣ କଲେ ନାହିଁ । ଉତ୍ସାହୀ ଶିଷ୍ୟମାନଙ୍କ ଦ୍ଵାରା ସର୍ବସାଧାରଣଙ୍କଠାରୁ ସଂଗୃହୀତ ଚାନ୍ଦା ତାଙ୍କ ବିଦେଶ ଯାତ୍ରାର ସମ୍ବଳ ହୋଇଥିଲା ।

ମାଡ୍ରାସରେ ସ୍ଵାମୀଜୀଙ୍କର ବହୁ ଉତ୍ସାହୀ ଶିଷ୍ଯ ଜୁଟିଥିଲେ । ଚିକାଗୋରେ ଅନୁଷ୍ଠିତ ହେଉଥିବା ଧର୍ମ ମହାସଭାରେ ଯୋଗ ଦେବାପାଇଁ ସେମାନେ ତାଙ୍କୁ ପ୍ରବର୍ଭାଇଲେ । କିନ୍ତୁ ସେ ପର୍ଯ୍ୟନ୍ତ ସ୍ଵାମୀଜୀ ଭବିଷ୍ୟତ କର୍ମପନ୍ଥା ସ୍ଥିର କରିପାରୁନଥାନ୍ତି । ଦକ୍ଷିଣରେ ବିଭିନ୍ନ ତୀର୍ଥ

ଭ୍ରମଣ କରି ସେ ରାମେଶ୍ଵରରେ ପହଞ୍ଚିଲେ । ସେଠାରୁ ଗଲେ କନ୍ୟାକୁମାରୀ । ଭାରତର ଦକ୍ଷିଣ ସୀମାନ୍ତର ପୂଣ୍ୟଭୂମି କନ୍ଯାକୁମାରୀ । ଆଗକୁ ଦିଗନ୍ତ ବିସ୍ତାରୀ ସମୁଦ୍ର । ସାରା ଭାରତବର୍ଷ ପୂରିବୁଲି କନ୍ୟାକୁମାରୀରେ ପହଞ୍ଚିଲା ବେଳକୁ ବିବେକାନନ୍ଦ କୃଷ୍ଣାନ୍ତ । ଏହାପରେ ଆଉ ଯିବେ କୁଆଡ଼େ ? ସମୁଦ୍ରକୂଳର ଅଳ୍ପ ଦୂରରେ ଦକ୍ଷିଣ ଦିଗରେ ଭାରତର ଶେଷ ଭୂଖଣ୍ଡ ରୂପେ ପାହାଡଟିଏ ମୁଣ୍ଡ ଟେକିଛି । ନାଉରିକୁ ପଇସା ଦେବାକୁ ତାଙ୍କ ପାଖରେ କାଣି। କଉଡ଼ିଟିଏ ମଧ୍ୟ ନଥୁଲା । ସାର୍କ-ସଙ୍ଗୁଳ। ସମୁଦ୍ରକୁ ଭୟ ନ କରି ପହଁରି ପହଁରି ବିବେକାନନ୍ଦ ପାହାଡ଼ ପାଖକୁ ଯାଇଥିଲେ । ଅଭୂତ ସ୍ଥାନ । ଭାରତବର୍ଷର ଶେଷ ପ୍ରସ୍ତର ଖଣ୍ଡ ଉପରେ ଉପବେଶନ କରି ବିବେକାନନ୍ଦ ଦେଖିଥିଲେ, ତାଙ୍କର ଗୋଟିଏ ପଟେ ଦିଗନ୍ତବ୍ୟାପୀ ବିଶାଳ ଭୂଖଣ୍ଡ ପ୍ରିୟ ଜନ୍ମଭୂମି ଓ ଅନ୍ୟପଟେ ଅନନ୍ତ ଜଳରାଶି । ସତେ କି ଜଳ ଓ ସୁଳକୁ ଦି' ଭାଗ କରି ତାଙ୍କ ଅନ୍ତରର ଦ୍ଵନ୍ଦୁ ଗୋଟିଏ ଛୋଟ ପାହାଡ଼ ଆକାରରେ ମୁଣ୍ଡ ଟେକିଛି!

ସେଇଠି ବସି ସେ ଧାନସୁ ହେଲେ । ଏ ଦେଶର ରକ୍ଷାକର୍ତ୍ତୀ, ଭାରତବର୍ଷର ଆମ୍ବାପୁରୁଷ ବା ତାଙ୍କୁ ପୃଥୁବୀକୁ ପଠାଇଥୁବା ବିଶ୍ଵନିୟନ୍ତା କାହାଠାରୁ କି ନିର୍ଦେଶ ତାଙ୍କ ପାଖକୁ ଆସିଥୁଲା। ସେ କଥା ରହସ୍ୟମୟ । ତେବେ ସେହି ସ୍ଥାନରେ ବିବେକାନନ୍ଦ ସ୍ଥିର କରିଥିଲେ ଯେ ତାଙ୍କୁ ଦରିଆପାରି ଯିବାକୁ ପଡ଼ିବ ।

ସେହି ସ୍ଥାନ, ଯେଉଁଠୁ ଦିନେ ସତୀ ସୀତାଙ୍କୁ ଠାବ କରିବା ପାଇଁ ମହାବୀର ହନୁମାନ ଏକା ଲମ୍ପକେ ସମୁଦ୍ର ପାର ହୋଇ ଯାଇଥିଲେ ।

ଯେଉଁଠି ଜଗଜନନୀ କନ୍ୟା ବେଶରେ ଦେବ ଦେବ ମହାଦେବଙ୍କ ପ୍ରତୀକ୍ଷାରେ ଥାଆନ୍ତି, ଭବିଷ୍ୟତ ପାଇଁ ଆଶା ଆକାଂକ୍ଷା ଓ ପ୍ରତିଶୃତି ବହନ କରୁଥୁବା ସେହି ପବିତ୍ର ପୀଠରେ ବିବେକାନନ୍ଦ ଜଗଦମ୍ବାଙ୍କର ଚରଣ ବନ୍ଦନା କରି ବହୁ ସମ୍ଭାବନାମୟ ବିଦେଶ ଯାତ୍ରାରେ ବାହାରି ଯିବାକୁ ସଙ୍କଳ୍ପବଦ୍ଧ ହୋଇଥିଲେ ।

ଶବ୍ଦାର୍ଥ

ଶବ୍ଦ

ଶବ୍ଦାର୍ଥ

ଅନଭିଜ୍ଞ

ଅଭିଜ୍ଞତାହୀନ

ଦୃଢ଼ମନା

ସ୍ଥିର ମନ

ଏନ୍ତୁଡ଼ିଶାଳ

ଗାଁ ଗହଳିରେ ପିଲା ଜନ୍ମଗ୍ରହଣ ପ୍ରକୋଷ୍ଠ ।

ନିର୍ବିକଳ୍ପ

ଯାହାର ବିକଳ୍ମ ବା ଅନ୍ୟରପ ନାହିଁ । ନିତ୍ୟ/ସଂଶୟ ରହିତ/ଅଦ୍ଵିତୀୟ

ମୋଚନାର୍ଥେ

ମୁକ୍ତ କରିବା ପାଇଁ

ଜନତା ଜନାର୍ଦ୍ଦିନ

ଲୋକମାନେ ହିଁ ଦେବତା

ପରିବ୍ରାଜକ

ଭ୍ରମଣକାରୀ

ନିଗମ ପଥ

ନିର୍ଗମନ ପଥ ଅର୍ଥାତ ବାହାରିବା ପାଇଁ ବାଟ

ଅନୁଗାମୀ

ପଶ୍ଚାଦ୍ ଗାମୀ, ସହଯାତ୍ରୀ

ଅପ୍ରତିଭ

ଅପ୍ରସ୍ତୁତ

ତାମସିକତା

ତମୋଗୁଣ ସମ୍ପନ୍ନ

ଅନରକ୍ତ

ଭଲ ପାଇବା

 

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

Last Modified : 7/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate