ବେଞ୍ଜାମିନ ଏପରି ଗରିବ ଘରର ପିଲା ଥିଲେ ଯେ ବାଲ୍ୟକାଳରେ କିଛି ପାଠ ପଢିପାରିଲେ ନାହିଁ । ତଥାପି ସର୍ବଦା ସଂଗ୍ରାମ କରି ବିଭିନ୍ନ କ୍ଷେତ୍ରରେ ସେ ଯେଉଁ ଉଚ୍ଚତାକୁ ଉଠିଛନ୍ତି ତାହା ଆମକୁ ଧୈର୍ଯ୍ୟ ଧରି ଲଢିବା ପାଇଁ ସାହସ ଦିଏ । ବେଞ୍ଜାମିନ ଆମେରିକାର ପେନସିଲଭାନିଆ ରାଜ୍ୟର ବୋଷ୍ଟନ ଥରେ ୧୭୦୬ ଜାନୁଆରୀ ୧୭ ତାରିଖରେ ଜନ୍ମ ହୋଇଥିଲେ । ସେ ଆମେରିକାର ପ୍ରଥମ ମହାନ ବିଜ୍ଞାନୀ ଭାବେ ପରିଚିତ । ବାପା ପାଠ ପଢାଇ ପାରିଲେ ନାହିଁ । ଆଠ ବର୍ଷ ବୟସରେ ବାପାଙ୍କ ସହିତ ମିଶି ବେଞ୍ଜାମିନ ମହମବତୀ ତିଆରି କଲେ । ବାରବର୍ଷ ବୟସରେ ବଡଭାଇଙ୍କ ପ୍ରେସରେ ଅକ୍ଷର ଖଞ୍ଜିବା କାମରେ ଲାଗିଲେ । ଯାହାରୋଜ କଲେ ସେଥିରେ ପେଟକୁ କାଟି ଅଙ୍କ, ବୀଜଗଣିତମ ଜ୍ୟାମିତି, ବ୍ୟାକରଣ , ଲଜିକ ଓ ସବୁ ପ୍ରକାର ବହି କିନା ପଢନ୍ତି । ବେଞ୍ଜାମିନଙ୍କର ବହୁଦିଗରେ ପ୍ରତିଭା ଥିଲା । ତେଣୁ ବିଭିନ୍ନ ପ୍ରକାର ବହି ତାଙ୍କୁ ଆକୃଷ୍ଟ କରିବା ସ୍ଵାଭାବିକ । ତାଙ୍କ ଜୀବନର ସଂଗ୍ରାମ ଅନୁଭୂତି ବେଞ୍ଜାମିନଏତେ ସୁନ୍ଦର ଭାବେ ଲେଖିଛନ୍ତି ଯେ ତାଙ୍କର ଆତ୍ମଜୀବନୀଟି ଏକ ଲୋକପ୍ରିୟ ତଥା ଉଚ୍ଚକୋଟି ର ସାହିତ୍ୟ ଗ୍ରନ୍ଥ ଭାବେ ସମ୍ମାନ ଲାଭ କରିଛି ।
ବେଞ୍ଜାମିନଙ୍କ ଭାଇ ଗୋଟିଏ ସାପ୍ତାହିକ ଖବର କାଗଜ ପ୍ରକାଶ କରୁଥାନ୍ତି । ସେଠି କାମ କରିବାର ସୁଯୋଗ ପାଇ ବେଞ୍ଜାମିନଙ୍କର ଲେଖିବାର ପ୍ରତିଭା ଫୁଟି ଉଠିଲା, ମାତ୍ର ଭାଇଙ୍କ କାନରେ ବିଷୟଟା ଯିବାରୁ ସେ ବେଞ୍ଜାମିନଙ୍କ ଲେଖା ପ୍ରକାଶ ବନ୍ଧ କରିଦେଲେ । ଭାବିଥିବେ, ବେନ ତ ପାଠଶାଠ ପଢିନୀ, ଲେଖିବ କଣ ଫଳରେ ବେନ ଛଦ୍ମନାମରେ ଲେଖିଲେ । ତାହାମଧ୍ୟ ଧରାପଡିଲା । ନିଜର ଗୋଟିଏ ପ୍ରେସ କରିବାକୁ ବେଞ୍ଜାମିନ ଇଂଲଣ୍ଡ ଗଲେ । ଇଂଲଣ୍ଡରେ ଦୁଇବର୍ଷ ରହି ସେଠାରେ ଗୋଟିଏ ପ୍ରେସ ଆଣି “ପେନସିଲଭାନିଆ ଗେଜେଟ “ ପ୍ରକାଶ କଲେ । ଚାରି ବର୍ଷ ପରେ ଗୋଟିଏ ବାର୍ଷିକ କ୍ୟାଲେଣ୍ଡର ତାଙ୍କ ପ୍ରେସରେ ଛପାଗଲା । ଏହି କ୍ୟାଲେଣ୍ଡରର ବହୁ ସଂଖ୍ୟାରେ ବିକ୍ରୀ ହେଲା ଓ ବେଞ୍ଜାମିନଙ୍କ ଖ୍ୟାତି ବ୍ୟାପିଲା । ଏକର ଏହି କ୍ୟାଲେଣ୍ଡରରେ କେବଳ ବର୍ଷ, ମାସ , ଦିନ ତାଲିକା ନଥିଲା । ଏହା ସହିତ ପ୍ରତିଦିନ ସୁର୍ୟୋଦୟ ଓ ସୂର୍ଯ୍ୟାସ୍ତର ସମୟ , ଚନ୍ଦ୍ରକଳା, ମାସିକ ପାଣିପାଗ , ଚର୍ଚ୍ଚର ଛୁଟିଦିନ ଓ ଲୋକପ୍ରିୟ ଢଗଢମାଳୀ ଥିଲା । ଉତ୍ତର ଆମେରିକାରେ ବେଞ୍ଜାମିନଙ୍କ କ୍ୟାଲେଣ୍ଡର ସର୍ବାଧିକ ବିକ୍ରି ପୁସ୍ତକର ଗୌରବ ଲାଭ କରିଥିଲା ।
ପିଲାଦିନେ ସେ ପଢିବାକୁ କେତେ ହଇରାଣ ହେଉଥିଲେ ସେ କଥା ଫ୍ରାଙ୍କଲିନ ମନେଥାଏ । ତେଣୁ ସେ ଗୋଟିଏ ଭ୍ରାମ୍ୟମାଣ ଲାଇବ୍ରେରୀ ପ୍ରତିଷ୍ଠା କଲେ । ଏଇଠି ଥିଲା ଆମେରିକାର ପ୍ରଥମ ଭ୍ରାମ୍ୟମାଣ ଲାଇବ୍ରେରୀ । ପେନସିଲଭାନିଆ ଏକାଡେମି ବଢି ପରେ ପେନସିଲଭାନିଆ ବିଶ୍ଵବିଦ୍ୟାଳୟ ହୋଇଛି । କେବଳ ସାଂସ୍କୃତିକ କ୍ଷେତ୍ରରେ ନୁହେଁ , ରାଜନୈତିକ କ୍ଷେତ୍ରରେ ବେଞ୍ଜାମିନ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଆମେରିକା ଉପନିବେଶଗୁଡିକର ସ୍ଵାଧୀନତା ଆନ୍ଦୋଳନକୁ ତାଙ୍କର ଅବଦାନ ଉଲ୍ଲେଖଯୋଗ୍ୟ । ଉପନିବେଶ ତରଫରୁ ସେ ଫ୍ରାନ୍ସକୁ ଦୁତ ଯାଇ ଫ୍ରାନ୍ସର ସାମରିକ ଓ ଆର୍ଥିକ ସାହାଯ୍ୟ ଆଣିଥିଲେ । ଉପନିବେଶଙ୍କର ସମ୍ବିଧାନ ପ୍ରସ୍ତୁତ କରିବା ଦିଗରେ ଜଣେ ସଭ୍ୟ ଭାବେ ତାଙ୍କର ଅବଦାନ ଗୁରୁତ୍ଵପୂର୍ଣ୍ଣ ।
ବେଞ୍ଜାମିନ ଏତେ କାମରେ ଲାଗିଥିଲେ । ତେବେ ବିଜ୍ଞାନ ପାଇଁ କେତେବେଳେ ସମୟ ଦେଲେ ? ଚାଳିଶ ବର୍ଷ ବୟସ ଟପିବା ପରେ ବେଞ୍ଜାମିନ ଅନୁଭବ କଲେ, ଯେ ସେ ଯଥେଷ୍ଟ ଧନ ଉପାର୍ଜନ କରିଛନ୍ତି, କିନ୍ତୁ ଏ ଯାଏ ଭୋକିଲା ଅଛନ୍ତି । ନିଜର ମାନସିକ ଖାଦ୍ୟ ସଂଗ୍ରହ ପାଇଁ ସମୟ ଦେଇନାହାନ୍ତି । ଏହାପରେ ସେ ବିଜ୍ଞାନ ଗବେଷଣାରେ ଲାଗିପଡିଲେ । ବେଞ୍ଜାମିନ ଜଣେ ମହାନ ଉଦ୍ଭାବକ । ନିଆଁ ପୁଇଁବା ପାଇଁ ସେ ଯେଉଁ ଷ୍ଟୋଭ ଉଦ୍ଭାବନ କରିଥିଲେ ତାହା ଫ୍ରାଙ୍କଲିନ ଷ୍ଟୋଭ ନାମରେ ନାମିତ ।
ଫ୍ରାଙ୍କଲିନଙ୍କର ବିଦ୍ୟୁତ ସମ୍ପର୍କିୟ ଉଦ୍ଭାବନ ଯେପରି ସ୍ଵାଭାବିକ ସେହିପରି ଗୁରୁତ୍ଵପୂର୍ଣ୍ଣ । କଥିତ ଅଛି, ଥରେ ଫ୍ରାଙ୍କଲିନ ପୁଅ ସହିତ ରାସ୍ତାରେ ଯାଉଥିଲେ ଓ ମେଘ ଢାଙ୍କିଥାଏ । ପ୍ରଥମେ ଗୋଟିଏ ବିଜୁଳି ମାରିଲା ଓ ପରେ ଘଡ ଘଡି ଶବ୍ଦ ହେଲା । ଏ ଘଡଘଡି ଶବ୍ଦଟା କଣ ବୋଲି ପୁଅ ପଚାରିଲା । ଫ୍ରାଙ୍କଲିନ ଏହାର ଉତ୍ତର ଜାଣିନଥିଲେ । ପୁଅକୁ ଭୁତେଇବାକୁ ଏଣୁତେଣୁ କହି କହିଲେ ଯେ ସେ ଏହି ଘଟଣାର ଅନୁସନ୍ଧାନ କରି ସତ୍ୟକୁ ଠାବ କଲା ପରେ ପୁଅକୁ ଜଣାଇବେ ।
ଆକାଶରେ ଯେଉଁ ବିଜୁଳି ମରେ ତାହା ବିଦ୍ୟୁତରୁ ସୃଷ୍ଟି ବୋଲି ଅନେକ ଦିନ ଗୁଡି ଉଡେଇ ଫ୍ରାଙ୍କଲିନ ସିଦ୍ଧାନ୍ତ କରିଥିଲେ । ଲୋକେ ଭାବୁଥିଲେ ଏତେ କାମିକା ଲୋକ ବୁଢାଦିନେ ଗୁଡି ଉଡେଇ ସମୟ ନଷ୍ଟ କରୁଛନ୍ତି କିପରି ? ଗୁଡିରେ ଯେଉଁ ସୂତାବନ୍ଧା ହୋଇଥିଲା ତାହା ସାଧାରଣ ସୂତାନୁହେଁ । ବିଦ୍ୟୁତ ପରିବାହୀ ସୂତାରେ ଗୁଡିକୁ ବାଞ୍ଜି ବେଞ୍ଜାମିନ ବାଦଲ ପାଖକୁ ଗୁଡି ଛାଡୁଥିଲେ । ସେହି ସୂତା ମାଧ୍ୟମରେ ବିଦ୍ୟୁତ ବହି ଆସି ତାଙ୍କୁ ସକ ମାରିବାରୁ ଜାଣିଲେ ଯେ ମେଘରେ ବିଦ୍ୟୁତ ଅଛି । ଖଣ୍ଡେ ଋଣାତ୍ମକ (ନେଗେଟିଭ )ଚାର୍ଜଯୁକ୍ତ ବାଦଲ ଖଣ୍ଡ ଓ ଧନାତ୍ମକ (ପଜେଟିଭ ) ବାଦଲଖଣ୍ଡ ପରସ୍ପର ନିକଟକୁ ଲାଗିଆସିଲା ଦୁହିଁଙ୍କର ଚାର୍ଜ ଟାଣି ହୋଇ ମିଶିଯାଇ ବିଜୁଳି ସୃଷ୍ଟି ହୁଏ ଓ ଘଡ ଘଡି ମାରେ । ତୁମେ ଦେଖିଥିବ ଦୁଇଟି ବିଜୁଳି ତାରକୁ ଯୋଡିଦେଲେ ଚଡ ଚଡ ଶବ୍ଦ ହୁଏ ଓ ଆଲୋକ ବାହାରେ । ଘଡ ଘଡି ଏହିପରି ଚଡଚଡି ଶବ୍ଦ ଓ ବିଜୁଳି ଏକ ଇଲେକ୍ଟ୍ରିକ ସ୍ପାର୍କ । ପୁଅ ପ୍ରଶ୍ନର ଉତ୍ତର ବେଞ୍ଜାମିନ ଙ୍କୁ ମିଳିଗଲା ।
ଘରମାନଙ୍କୁ ବ୍ରଜପାତରୁ ରକ୍ଷା କରିବା ବେଞ୍ଜାମିନଙ୍କ ଆବିଷ୍କାର । ଏଥିପାଇଁ ଘର ଛାତ ଉପରେ ସେ ଗୋଟିଏ ମୁନିଆ ଲୁହା ବାଡି ଖଞ୍ଜୁଥିଲେ । ଏହା ଲୁହା ବାଡିରେ ତାର ଗୁଡ଼ାଯାଇ ସେ ତାରକୁ ତଳଯାଏ ଆଣି ମାଟିରେ ପୋତାଯାଏ । ଯଦି କୋଠା ନିକଟକୁ ବିଦ୍ୟୁତ ଚାର୍ଜଯୁକ୍ତ ବାଦଲ ଆସିଯାଏ , ତେବେ ବିଦ୍ୟୁତ ଧୀରେ ଧୀରେ ଲୁହାବାଡିରେ ପଶି ତାର ବାଟ ଦେଇ ମାଟିକୁ ଚାଲିଯାଏ ଓ କୋଠା ଚଡକରୁ ରକ୍ଷାପାରେ । ଆଜି ସମସ୍ତ ନିଜ ଘରକୁ ରକ୍ଷା କରିବା ପାଇଁ ବେଞ୍ଜାମିନଙ୍କ ଉପାୟକୁ ଗ୍ରହଣ କରିଛନ୍ତି ।
ସଂଗୃହିତ - ଶରତ କୁମାର ମହାନ୍ତି
Last Modified : 10/29/2019