অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହାତ୍ମା ଗାନ୍ଧୀ – ଏକ ଜୀବନ

ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ଵ

ମାନବ ସମାଜର ଚିରନ୍ତନ ସତ୍ୟକୁ ଅହିଂସାର ଗାଥାରେ ପ୍ରଚାର କରି ମହାତ୍ମା ଗାନ୍ଧୀ ଆଜି ବିଶ୍ଵ ବନ୍ଦନୀୟ । କାମ୍ବୋଡ଼ିଆ ରାଜଧାନୀ ଫେପେନ୍ ସହରରେ ସ୍ଥାପିତ ଗାନ୍ଧୀ ମୂର୍ତ୍ତି ତଳେ ଏକଥା ଉଲ୍ଲେଖ ଅଛି - “ସତ୍ୟ, ଅହିଂସା ଓ ଶାନ୍ତିର ପ୍ରତୀକ ।’ ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ଵ ସଂପର୍କରେ ଏହା ହିଁ ହେଉଛି ଅତି ସଂକ୍ଷିପ୍ତ ଅଥଚ ଭାବଗର୍ଭକ ଉକ୍ତି ।

ଜୀବନର ପ୍ରାକାଳରେ ମହାତ୍ମା ଗାନ୍ଧୀ, ଟଲଷ୍ଟୟ, ଥୋରା ଏବଂ ରସ୍କିନଙ୍କ ଚିନ୍ତାଧାରା ଦ୍ବାରା ପ୍ରଭାବିତ ହୋଇଥିଲେ । ସେମାନଙ୍କ ଜୀବନ ଆଦର୍ଶରେ ସେ ନିଜକୁ ପ୍ରତିଫଳିତ କରି ପାରିଥିଲେ । ଆମେରିକାରେ କ୍ରୀତଦାସ ପ୍ରଥାର ଘୋର ବିରୋଧୀ ଥୋରା ମହାତ୍ମା ଗାନ୍ଧୀଙ୍କ ଚିନ୍ତା ଓ ଚେତନାକୁ ବହୁଳଭାବେ ପ୍ରଭାବିତ କରିଥିଲେ । ଥୋରା କହିଥିଲେ - 'If unjust laws exist, civil disobedience is an effective way to oppose and change them.’ ମହାତ୍ମା ଗାନ୍ଧୀଙ୍କ ମତରେ - Thorean was one of the greatest and most moral men America had ever produced.’ କହିବା ବାହୁଲ୍ୟ ଯେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଖୋରାଙ୍କ ଚିନ୍ତାଧାରା ଦ୍ବାରା ପ୍ରଭାବିତ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କୁ ପ୍ରଭାବିତ କରିଥିବା ଅନ୍ୟ ଦୁଇଜଣ ବ୍ୟକ୍ତିବିଶେଷ ହେଲେ – ବିଲାତର ଜନ୍ ରସ୍କିନ ଓ ଋଷିଆର କାଉଣ୍ଟ ଲିଓ ଟଲ୍‌ଷ୍ଟୟ ।

ଗାନ୍ଧୀଙ୍କ ପ୍ରିୟ ପୁସ୍ତକ

୧୮୬୨ ମସିହାରେ ପ୍ରକାଶିତ ରସ୍ପିନର ପୁସ୍ତକ ‘Unto This Last’ ଗାନ୍ଧୀଙ୍କ ଏକ ପ୍ରିୟ ପୁସ୍ତକ ଥିଲା । ଦକ୍ଷିଣ ଆଫ୍ରିକାରେ ଥିବାବେଳେ ମହାତ୍ମା ଗାନ୍ଧୀ ଏହି ପୁସ୍ତକକୁ ପଢ଼ିବାର ସୁଯୋଗ ପାଇଥିଲେ । ଏହି ବହି ମହାତ୍ମା ଗାନ୍ଧୀଙ୍କ ଚିନ୍ତା ଓ ଚେତନାକୁ ଏତେ ବ୍ୟାପକ କଲା ଯେ ଏହି ବହିର ସାରମର୍ମକୁ ସେ ନିଜ ଜୀବନର ଆଦର୍ଶ ଭାବେ ସ୍ଥିର କରି ନେଲେ । ଏହି ବହିର ସାରମର୍ମ ହେଲା - ସମସ୍ତଙ୍କ କଲ୍ୟାଣରେ ନିଜର କଲ୍ୟାଣ ନିହିତ । ରସ୍କିନଙ୍କ ମତରେ ଅର୍ଥ ଲାଳସା ଓ ଟଙ୍କା - ପଇସା ଠୁଳ କରିବାରେ ପ୍ରକୃତି ସୁଖୀ ଜୀବନର ପରିମାପକ ନୁହେଁ । ଏହି ଶିକ୍ଷାକୁ ଆଧାର କରି ଗାନ୍ଧିଜୀ ନିଜ ସାମାଜିକ ଓ ରାଜନୈତିକ ଆଦର୍ଶକୁ ସ୍ଥିର କରି ନେଲେ ଏବଂ ଏହାର ନାମ ଦେଲେ ସର୍ବୋଦୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗାନ୍ଧୀଙ୍କ ହିନ୍ଦ୍ ସ୍ୱରାଜ ଏହି ସମୟରେ ପ୍ରକାଶ ପାଇଥିଲା । ରସ୍ପିନଙ୍କ ଚିନ୍ତାଧାରା ମହାତ୍ମା ଗାନ୍ଧୀଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେ ସବୁବେଳେ କହୁଥିଲେ ରସ୍କିନ ହେଉଛନ୍ତି ଜଣେ ଭବିଷ୍ୟତ ଦ୍ରଷ୍ଟା ମହାପୁରୁଷ ଋଷ ଦେଶର ବିଖ୍ୟାତ ଦାର୍ଶନିକ କାଉଣ୍ଟ ଲିଓ ଟଲଷ୍ଟୟ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଚିନ୍ତା ଓ ଚେତନାକୁ ପ୍ରଭାବିତ କରିଥିଲେ । ଟଲଷ୍ଟୟ କହୁଥିଲେ ହିଂସା ମାର୍ଗରେ ଅତ୍ୟାଚାରକୁ ପ୍ରତିହତ କରିବା ପରିବର୍ତ୍ତେ ଅହିଂସା ଓ ଅସହଯୋଗ ହେଉଛି ପ୍ରକୃତ ମାର୍ଗ । ଟଲଷ୍ଟୟଙ୍କ ଏହି କଥା ମହାତ୍ମା ଗାନ୍ଧୀଙ୍କ ମନକୁ ଏତେ ଛୁଇଁଥିଲା ଯେ ସେ ଏହାକୁ ନିଜ ଜୀବନର ନୀତି ଓ ଆଦର୍ଶ କରିନେଲେ । ଗାନ୍ଧୀଙ୍କ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖକ କହନ୍ତି - Gandhi extolled Tolstoy to the skies.' ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୧୦ ମସିହାରେ ଗାନ୍ଧିଜୀ ‘Home Rule’ ସଂକ୍ରାନ୍ତରେ ଟଲଷ୍ଟୟଙ୍କ ସହ ପରାମର୍ଶ କରିଥିଲେ । ସେହି ୧୯୧୦ ମସିହା ନଭେମ୍ବର ମାସ ୨୦ ତାରିଖ ଦିନ ଟଲଷ୍ଟୟଙ୍କ ଦେହାନ୍ତ ହୋଇଗଲା । ଟଲଷ୍ଟୟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ମହାତ୍ମା ଗାନ୍ଧୀ କହିଥିଲେ, ‘ଟଲଷ୍ଟୟଙ୍କ ଆମ୍ବାର ବିନାଶ ନାହିଁ, ମୃତ୍ୟୁ ନାହିଁ । ଭାରତ ବର୍ଷରେ ସେ ଜନ୍ମ ହୋଇଥିଲେ ଆମେ ତାଙ୍କୁ କହିଥାନ୍ତୁ ମହର୍ଷି, ମହାଜ୍ଞାନୀ, ଜଣେ ଫକୀର । ଅନ୍ୟାୟ ବିରୁଦ୍ଧରେ ଅହିଂସା ସଂଗ୍ରାମର ସେ ଜଣେ ବିଶିଷ୍ଟ ସମର୍ଥକ ।

ମହାତ୍ମା ଗାନ୍ଧୀ ସତ୍ୟ, ଅହିଂସା ଓ ଶାନ୍ତିର ମୂର୍ତ୍ତିମନ୍ତ ପ୍ରତୀକ

ମହାତ୍ମା ଗାନ୍ଧୀ ଥିଲେ ସମକାଳୀନ ବିଶ୍ଵରେ ସତ୍ୟ, ଅହିଂସା ଓ ଶାନ୍ତିର ମୂର୍ତ୍ତିମନ୍ତ ପ୍ରତୀକ, ଇଂରେଜ ବୁଦ୍ଧିଜୀବୀମାନେ ତାଙ୍କୁ କହୁଥିଲେ ମୋରାଲ ଜିନିୟସ୍ । ଲକ୍ଷ ଲକ୍ଷ ଲୋକଙ୍କୁ ଅହିଂସା ମହାମନ୍ତ୍ରରେ ଅନୁପ୍ରାଣିତ କରାଇ ସ୍ଵାଧୀନତା ସଂଗ୍ରାମରେ ଲିପ୍ତ କରାଇବା ହେଉଛି ମହାତ୍ମା ଗାନ୍ଧୀଙ୍କ ଚରିତ୍ରର ବୈଶିଷ୍ଟା । ସେଇଥିପାଇଁ ତ ସେ ଆଜି ମହାମାନବ ତଥା ବିଶ୍ଵବନ୍ଦିତା । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ମିଳିତ ଜାତିସଂଘ କହିଥିଲା ‘ଗାନ୍ଧୀ ହେଉଛନ୍ତି ଆଧୁନିକ ବିଶ୍ୱଶାନ୍ତିର ଦାର୍ଶନିକ ।” ଅନ୍ୟ ଏକ ଦୃଷ୍ଟିରୁ ବିଚାର କଲେ ଆଜି ଯେଉଁ ଧର୍ମ ନିରପେକ୍ଷ କଥା କୁହାଯାଉଛି ତା’ର ଏକ ପ୍ରତିଛବି ହେଉଛନ୍ତି ମହାତ୍ମା ଗାନ୍ଧୀ । ତାଙ୍କ ପ୍ରାର୍ଥନା ସଭାରେ ‘ରଘୁପତି ରାଘବ ରାଜାରାମ’ ଭଜନ ଗାନ କରାଯାଇଥିଲା ଏବଂ ବାଇବେଲରେ ଥିବା ଯୀଶୁଖ୍ରୀଷ୍ଟଙ୍କ ‘ସରମନ ଅନ ଦି ମାଉଣ୍ଟ ମଧ୍ୟ ପାଠ ହେଉଥିଲା । କୌଣସି ସଂକୀର୍ଣ୍ଣ ଧର୍ମର ଆଚରଣ ମଧ୍ୟରେ ଗାନ୍ଧିଜୀ ନିଜକୁ ଆବଦ୍ଧ କରି ରଖିପାରିନଥିଲେ । ତାଙ୍କ ପ୍ରିୟ ପ୍ରାର୍ଥନା ଥିଲା - ଈଶ୍ଵର ଆଲ୍ଲା ତେରେ ନାମ ସକୋ ସନମତ ଦେ ଭଗବାନ୍ ।” ଅନ୍ୟ ଭାଷାରେ କହିବାକୁ ଗଲେ ସର୍ବଧର୍ମ ସମନ୍ବୟ ହେଉଛି ମହାତ୍ମା ଗାନ୍ଧୀଙ୍କ ଜୀବନ ଆଦର୍ଶ । ୧୯୩୩ ମସିହାରେ ଗୋଲଟେବୁଲ ବୈଠକରେ ଯୋଗଦେବାକୁ ଗାନ୍ଧୀ ଲଣ୍ଡନ ଯାଇଥିଲେ । ତାଙ୍କ ପ୍ରାର୍ଥନା ସଭାକୁ ଦେଖି ଇଂରେଜ ମହିଳାମାନେ ଅବାକ୍ ହୋଇଗଲେ । ସେମାନଙ୍କ ମତରେ ‘ଆମ ଦେଖିବାରେ ସର୍ବୋତ୍ତମ ଖ୍ରୀଷ୍ଟୀୟାନ ହେଉଛନ୍ତି ଜଣେ ହିନ୍ଦୁ ।”

ଗାନ୍ଧୀ କେବଳ ସ୍ଵାଧୀନତା ଆନ୍ଦୋଳନରେ ଭଗୀରଥ ବା ଧର୍ମନିରପେକ୍ଷ ବ୍ୟକ୍ତିବିଶେଷ ଥିଲେ ତାହା ନୁହେଁ, ଦରିଦ୍ର, ଅବହେଳିତ ତଥା ନିଷେଷିତ ଜନତାଙ୍କ ପାଇଁ ସେ ଥିଲେ ଈଶ୍ୱର ଦୃତ ସଦୃଶ୍ୟ । ୧୯୩୮ ମସିହାରେ ଓଡ଼ିଶା ପରିଦର୍ଶନ ସମୟରେ ଡେଲାଙ୍ଗଠାରେ ଓଡ଼ିଶାର କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ବିରାଟ ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ମହାତ୍ମା ଗାନ୍ଧୀ କହିଥିଲେ – “Orissa is the land of my love in India. Ever since I landed in India, I begain to hear of Orissa's poverty and famine. Thakkar Bapa came in connection with it and organised famine relief and I also realised that if I could serve Orissa somewhat. I would be So doing service to India.’ ସମସାମୟିକ ଦୁନିଆରେ ମହାତ୍ମା ଗାନ୍ଧୀ ଥିଲେ ସତ୍ୟ, ଶାନ୍ତି ଓ ଅହିଂସାର ମୁମନ୍ତ ପ୍ରତୀକ । ଏକଥା କହିଲେ କିଛି ଅତିରଞ୍ଜିତ ହେବ ନାହିଁ ଯେ ମହାତ୍ମା ଗାନ୍ଧୀଙ୍କ ପରି ବିକଳ୍ପ ବ୍ୟକ୍ତିତ୍ଵ ଏ ପର୍ଯ୍ୟନ୍ତ ଜନ୍ମ ନେଇନାହାନ୍ତି । ପରିଶେଷରେ ବିଖ୍ୟାତ କମ୍ୟୁନିଷ୍ଟ ନେତା ମୋହିତ ସେନ୍‌ଙ୍କ ଭାଷାରେ କହିବାକୁ ଗଲେ, “ଭାରତ ବୋଇଲେ ହିମାଳୟ କଥା ମନକୁ ଆସିବ, ଗଙ୍ଗା ନଦୀ ମନେ ପଡ଼ିବ ଏବଂ ଗାନ୍ଧୀଙ୍କ କଥା ବି ମନକୁ ଆସିଯିବ ।”

ସଂଗୃହିତ - ଡକ୍ଟର ସିଦ୍ଧାର୍ଥ କାନୁନ୍‌ଗୋ ଅନୁଶାସନ ସଚିବ ଅର୍ଥ ବିଭାଗ, ଭୁବନେଶ୍ଵର

ଆଧାର - ଇ ମଗାଜିନ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate