অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରୀକ୍ଷା ପାଇଁ ମାନସିକସ୍ତରରେ ପ୍ରସ୍ତୁତି

ପରୀକ୍ଷା ପାଇଁ ମାନସିକସ୍ତରରେ ପ୍ରସ୍ତୁତି ନିହାତି ଜରୁରୀ

ପରୀକ୍ଷା ପାଖେଇ ଆସିଲାଣି । ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାର ପ୍ରସ୍ତୁତି ସରିବା ଉପରେ  । ପରୀକ୍ଷାର୍ଥୀଙ୍କ ମନରେ ଆଶା, ଆଶଙ୍କା, ଆକାଂକ୍ଷା, ଭୟ ଓ ଉଦବେଗର ଏକ ମିଶାମିଶି ଅବସ୍ଥା ଉଣାଅଧିକ ଦେଖାଯାଏ  । ଏସବୁର ସମନ୍ଵୟ ରକ୍ଷା କରି ନିଜକୁ ପରିସ୍ଥିତିର ସାମ୍ନା କରିବାକୁ ହେବ ଏବଂ ଏଥିପାଇଁ ମନରେ ସାହାସ ସଂଚୟ କରି ଏକାଗ୍ରତା ଉପରେ ଅଧିକ ଧ୍ୟାନ ଦେବାକୁ ହେବ । ମାଟ୍ରିକ ପରୀକ୍ଷା ଆମ ସମସ୍ତଙ୍କ ପାଇଁ ଏକ ଆହ୍ଵାନ । ଜୀବନର ପ୍ରଥମ ବୋର୍ଡ ପରୀକ୍ଷା ପରୀକ୍ଷାର ଫଳାଫଳ ଆଗାମୀ ଦିନର ଶିକ୍ଷାଗତ ପରିକଳ୍ପନା ତଥା ବୃତ୍ତିଗତ ଯୋଜନାକୁ ଅନେକାଂଶରେ ପ୍ରଭାବିତ କରିଥାଏ । ଏହି ପରିପ୍ରେକ୍ଷୀରେ କହିବା ବାହୁଲ୍ୟ ଯେ ପରୀକ୍ଷା ମାଧ୍ୟମରେ ହିଁ ଆମେ ନିଜର ସାମର୍ଥ୍ୟ ତଥା ପ୍ରତିଭାର ଏକ ଆକଳନ କରିପାରୁ । ନିଜର ଦକ୍ଷତାକୁ ଅଧିକ ମଜବୁତ କରିବା ପାଇଁ ଏକ ସୁଯୋଗ ମଧ୍ୟ ମିଳିଥାଏ  । କେତେଗୁଡ଼ିଏ କାରଣ ଯୋଗୁଁ ଆମେ ଅନେକ କିଛି ଜାଣି ମଧ୍ୟ ସେଗୁଡ଼ିକୁ ପରିପ୍ରକାଶ କରିବାରେ ବିଫଳ ହୋଇଥାଉ । ଉଦାହରଣ ସ୍ଵରୂପ ବିଶେଷ ଭାବେ ମାନସିକ ଚାପ, ଆବେଗ, ଉଣ୍ଡା, ରାତିଅନିଦ୍ରା, ଆତ୍ମବିଶ୍ଵାସର ଅଭାବ, ନିଜର ସାମର୍ଥ୍ୟଠାରୁ ମାତ୍ରାଧିକ ଆଶା କରିବା, ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତିର ଅଭାବ, ଲେଖିବା ଅଭ୍ୟାସରେ ଅବହେଳା ଇତ୍ୟାଦି ଆମର ମନ ଓ ବ୍ୟବହାରକୁ ପ୍ରଭାବିତ କରିଥାଏ । ଏଗୁଡ଼ିକ ଯଦି କିଛି ମାତ୍ରାରେ ଆୟତ୍ତ କରିପାରିବା, ତେବେ ପରୀକ୍ଷାର ଫଳାଫଳ ଯେ ଉନ୍ନତମାନର ହେବ ସେଥିରେ ଦ୍ଵନ୍ଦ ବା ଦ୍ଵିମତର ଅବକାଶ ନାହିଁ । ପ୍ରାୟତଃ ଆମ ଭିତରୁ ଅନେକ ନିଜ ଭିତରେ ରହିଥିବା ଦକ୍ଷତାର ଖୁବ କମ୍ ଭାଗ ବିନିଯୋଗ କରିଥାନ୍ତି । ପରୀକ୍ଷା ଏକ ଏମିତି ସୁଯୋଗ, ଯେଉଁଠି ଆମେ ଆମର ବୁଦ୍ଧି, ବୋଧଶକ୍ତି ଓ ନିଜସ୍ଵ ବିଚାର ଧାରାର ପରିପ୍ରକାଶ କରିବାର ଏକ ମାଧ୍ୟମ ପାଇଥାଉ । ତେଣୁ ଯଥାସମ୍ଭବ ଏ ସୁଯୋଗର ସଦୁପଯୋଗ କରିବାର ଆବଶ୍ୟକତା ରହିଛି ।

ପରୀକ୍ଷାର୍ଥୀମାନେ ଚାପଗ୍ରସ୍ତ ହେବା ସ୍ଵାଭାବିକ ବିଶେଷତଃ ଆଗାମୀ ଫଳାଫଳ ନେଇ  । ଏ ବର୍ଷ ପରୀକ୍ଷା ପଦ୍ଧତିରେ କିଛିଟା ପରିବର୍ତ୍ତନ କରାଯାଇଛି, ସଂସ୍କାର ମାଧ୍ୟମରେ ପିଲାମାନଙ୍କର ହିତ ସାଧନ ପାଇଁ । ଉଦାହରଣ ସ୍ଵରୂପ ଛାତ୍ରଛାତ୍ରୀମାନଙ୍କୁ ସର୍ବନିମ୍ନ ୧୫ ମାର୍କ ରଖୁବାକୁ ହେବ ପ୍ରତ୍ୟେକଟି ବିଭାଗ ପାଇଁ ଯଥା । Objective (MCQ), Subjective ପରୀକ୍ଷାରେ  । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଏ ବିଷୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପରୀକ୍ଷାରେ ପିଲାମାନେ କିଭଳି ଭଲ ପ୍ରଦର୍ଶନ କରିବେ ସେଥପାଇଁ ଅନେକ ଗବେଷଣାମାନ ହୋଇଛି । ଗବେଷଣାର ଫଳାଫଳ ନେଇ କେତେଗୁଡ଼ିଏ ଉପାୟ ମଧ୍ୟ ବାହାର କରାଯାଇଛି । ତେବେ ନିମ୍ନଲିଖୁତ କିଛି ଉପାୟ । ଅବଲମ୍ବନ କରିବା ଦ୍ଵାରା ଅନେକ ସୁଫଳ ମିଳିବାର ଆଶା କରାଯାଏ ।

ପରୀକ୍ଷା ସମ୍ବନ୍ଧୀୟ

  • ପରୀକ୍ଷା ଏକ ମାସ ପୂର୍ବରୁ ସମସ୍ତ ବିଷୟଗୁଡ଼ିକର ରିଭିଜନ (ପୁଣି ଥରେ ପଢ଼ିବା) ନିହାତି ଭାବେ ସରିବା ଦରକାର  ।
  • କଷ୍ଟ ଲାଗୁଥିବା ବିଷୟଗୁଡ଼ିକ ପାଇଁ ଅଧିକ ସମୟ ଦେବା ଆବଶ୍ୟକ । ବୁଝିପାରିନଥିବା ବା ମନରେ ରହିଥିବା ପ୍ରଶ୍ନଗୁଡ଼ିକର ସମାଧାନ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ରଖିବା ଆଦୌ ଉଚିତ୍ ନୁହେଁ । ପାଠ ପଢ଼ିବା ପରେ ସେଗୁଡ଼ିକୁ ମନେ ରଖିବା ପାଇଁ କିଛି ସମୟ ଲାଗିଥାଏ  । ଅନେକ ସମୟରେ ପୁରୁଣା ଓ ନୂଆ ବା ଆଗରୁ ପଢିଥିବା ଏବଂ ପରେ ପଢିଥିବା ପାଠ ସବୁ ବର୍ତ୍ତମାନ ପଢୁଥିବା ପାଠ ଉପରେ ପ୍ରଭାବ ପକାଇଥାନ୍ତି । ଫଳରେ ସ୍ମୃତିଶକ୍ତି ବାଧାପ୍ରାପ୍ତ ହୋଇଥାଏ । ସେଥିପାଇଁ ପଢ଼ିସାରିବା ପରେ ମସ୍ତିଷ୍କକୁ କିଛି ସମୟ ବିଶ୍ରାମ ଦେବା ଦରକାର  ।
  • ପୂର୍ବ କିଛି ବର୍ଷର ପ୍ରଶ୍ନପତ୍ରକୁ ଦେବା ନିହାତି ଆବଶ୍ୟକ  । ସେଥିରୁ ହିଁ କିଭଳି ଭାବେ ବା କି’ ରକମର ପ୍ରଶ୍ନ ପକାଯାଇଛି, ସେ ବିଷୟରେ ଧାରଣା କରିହୁଏ ଏବଂ ତଦନୁସାରେ ନିଜେ ପ୍ରସ୍ତୁତ ହେବା ଦରକାର  ।
  • ପ୍ରଶ୍ନପତ୍ରଟିକୁ ଭଲ ଭାବେ ପଢ଼ି, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ବୁଝିବା ଆବଶ୍ୟକ । ପ୍ରଶ୍ନଟି କି’ ଉତ୍ତର ଚାହୁଁଛି ତାହା ପ୍ରଥମେ ସ୍ଥିର କରି ତା’ପରେ ଉତ୍ତର ଲେଖିବା ବିଧେୟ ।
  • କ୍ରମାନ୍ଵୟରେ ଉତ୍ତର ଲେଖିଲେ ଭଲ, କାରଣ ପରବର୍ତ୍ତୀ ସମୟରେ ପରୀକ୍ଷକଙ୍କୁ ଖାତା ମୂଲ୍ୟାଙ୍କନ କରିବା ସମୟରେ । ସମସ୍ୟା ଉପୁଜି ନଥାଏ । ଯେହେତୁ ଆଜିକାଲି ପ୍ରଶ୍ନ ସହିତ ଉତ୍ତର ଲେଖିବାରେ ସୁବିଧା କରାଯାଇଛି, (Booklet) ମାଧ୍ୟମରେ ଏ ସମସ୍ୟା ଦୂରୀଭୂତ ହୋଇପାରିଛି ।
  • ସାମାନ୍ୟ ଅସାବଧାନତା ହେତୁ ଅନେକ ସମୟରେ ପରୀକ୍ଷକ ନମ୍ବର କାଟି ଦେଇଥାଆନ୍ତି । ଠିକ ଉତ୍ତର ଜାଣି ମଧ୍ୟ ପିଲାମାନେ ଲେଖିପାରନ୍ତି ନାହିଁ । ଯେମିତିକି Precis ଲେଖିବା ବେଳେ ତାର ଗୋଟିଏ ନାମ ଦିଆଯାଏ । ପିଲାମାନେ ଏହା ଲେଖବାକୁ ଭୁଲି ଯାଆନ୍ତି ଏବଂ କିଛି ନମ୍ବର ହରାଇ ବସନ୍ତି । କେତୋଟି ବିଷୟରେ ଯଥା ବିଜ୍ଞାନ, ଭୂଗୋଳ ଆଦିର ଉତ୍ତର ଲେଖିବା ସମୟରେ ଚିତ୍ର ଦେବା ନିହାତି ଜରୁରୀ । ବହୁତ ପିଲା ପରେ କରିବେ ଭାବି ଚିତ୍ର ଆଙ୍କି ପାରନ୍ତି ନାହିଁ ବା ଭୁଲି ଯାଆନ୍ତି ଏବଂ ସେଥି ସକାଶେ ମାର୍କ କମିଯାଏ । ଟିକିଏ ଯତ୍ନବାନ ହେଲେ ସେମାନେ ଅଧିକ ନମ୍ବର ପାଇବାରୁ ବଞ୍ଚିତ ହେବେ ନାହିଁ । ଗୋଟିଏ ମାର୍କ ପାଇଁ ଫଳାଫଳ ଏପଟସେପଟ ହୋଇଯାଇପାରେ ।
  • କିଛି ଛାତ୍ରଛାତ୍ରୀ ସିଧା ବହିରୁ ପଢିଥାନ୍ତି ତ ଆଉ କେତେ ଜଣ ନିଜର ନୋଟ ବା ଟିପ୍ପଣୀ ପ୍ରସ୍ତୁତ କରିଥାନ୍ତି । ପରୀକ୍ଷା  ଆଗରୁ ସବୁ ବହି ପଢ଼ିବା ସମ୍ଭବପର ହୁଏ ନାହିଁ । ତେଣୁ ବହି ପଢ଼ିବା ସମୟରେ ମୁଖ୍ୟ ଅଂଶଗୁଡ଼ିକୁ ଦାଗ ଦିଅନ୍ତୁ ଏବଂ ପୃଷ୍ଠା କରେ ସେଗୁଡ଼ିକୁ ଲେଖି ଦିଅନ୍ତୁ । ଏହି ପଦ୍ଧତିଟିକୁ ଅନୁସରଣ କଲେ, ରିଭିଜନ ସମୟରେ ଅନେକ ଭାବେ ସହାୟକ ହୋଇଥାଏ । ବିଷୟବସ୍ତୁଗୁଡ଼ିକୁ point ଅନୁସାରେ ମନେ ରଖିବା ଆବଶ୍ୟକ । Cues ବା Clues ଖୁବ ଉପଯୋଗୀ ହୋଇଥାଏ । ବିଷୟବସ୍ତୁ ଗୁଡ଼ିକୁ ସ୍ମରଣ କରିବା ସମୟରେ ପଢ଼ିବା ସମୟରେ SQR3 ପ୍ରଣାଳୀ ବ୍ୟବହାର କରନ୍ତୁ । S(Survey) ଗୋଟିଏ ଅଧାୟରେ କ’ଣ ରହିଛି ତାହା ଦେଖି ନିଅନ୍ତୁ । Q(Question) ତା ବିଷୟରେ ନିଜକୁ ପ୍ରଶ୍ନ ପଚାରନ୍ତୁ କଣ ଜାଣିଛନ୍ତି ଓ କ'ଣ ଜାଣିନାହାନ୍ତି । R3 (Read, Recall and Rehearse) ବିଷୟଟିକୁ ଭଲ ଭାବେ ପଢନ୍ତୁ, ତା'ପରେ ମନେ ପକାନ୍ତୁ । ଦେଖିବେ କିଛି ମନେ ରହିଛି ଆଉ କିଛି ମନେ ରହିନାହିଁ । ସେଥିପାଇଁ ସେ ବିଷୟଟିକୁ ବାରମ୍ବାର ପଢ଼ନ୍ତୁ, ସହଜରେ ବିଷୟଟି ଆୟତ୍ତ ହେବା ଯାଏ  ।
  • ପଢୁଥିବା ବିଷୟଟିକୁ ଏକାଥରକେ ଆୟତ୍ତ ନ କରି, ତାକୁ ଭାଗ ଭାଗ କରି ପଢ଼ନ୍ତୁ ଏବଂ ମଝିରେ ମଝିରେ ବିଶ୍ରାମ ବା । ବିରତି ନିଅନ୍ତୁ । ଏହା ଦ୍ଵାରା ପାଠ ଭଲ ମନ ରହେ ।
ଶିକ୍ଷା ଉପକରଣ
  • ମାନଚିତ୍ର, ମଡେଲ ବା TLMଗୁଡ଼ିକର ଯଥାସମ୍ଭବ ସଦୁପଯୋଗ କରିବା ଆବଶ୍ୟକ  ।
  • ପରୀକ୍ଷା ଖାତା ଦେବା ଆଗରୁ ଆଉ ଥରେ ପଢ଼ିବା ପାଇଁ (Revision) ସମୟ ରଖିବା ଆବଶ୍ୟକ । ସବୁ ପ୍ରଶ୍ନର ଉତ୍ତର ଲେଖାହୋଇଛି କି ନାହିଁ ତାହା ଯାଇ କରିନିଅନ୍ତୁ ।
  • ସମୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । କେତୋଟି ପ୍ରଶ୍ନର ଉତ୍ତର ଦେବାକୁ ହେବ ଓ ପ୍ରତ୍ୟେକଟିର ଉତ୍ତର ଲେଖିବାକୁ କେତେ ସମୟ ଦେବାକୁ ହେବ ତାହା ସ୍ଥିର କରିନିଅନ୍ତୁ । ନଚେତ୍ ସମୟ ଅଭାବରୁ କିଛି ପ୍ରଶ୍ନର ଉତ୍ତର ଲେଖିହେଇ ପାରିବ ନାହିଁ ଯଦ୍ୱାରା ପାଇବାକୁ ଥିବା ନମ୍ବର ଅଯଥାରେ ହରାଇବାକୁ ପଡ଼ିଥାଏ  ।
  • ପରୀକ୍ଷା ଖାତାଟିକୁ ପରିଷ୍କାର ରଖନ୍ତୁ । ବାରମ୍ବାର କଟାକଟି କରନ୍ତୁ ନାହିଁ । ସୁନ୍ଦର ଅକ୍ଷରରେ ଲେବାକୁ ଯଥାସାଧ୍ୟ ଚେଷ୍ଟା କରନ୍ତୁ । ଧାଡ଼ି ସିଧା କରି ଲେଖନ୍ତୁ, ଶବ୍ଦ ତଥା ଧାଡ଼ି ମଧ୍ୟରେ ବ୍ୟବଧାନ ରଖନ୍ତୁ ।
  • ଶୃଙ୍ଖଳିତ ଭାବେ ଲେଖିବା ଅଭ୍ୟାସ କଲେ, ଅନେକ ସମ୍ଭାବ୍ୟ ଅସୁବିଧା ଓ ଭୁଲ୍ କରିବାରୁ ରକ୍ଷା ହୋଇଥାଏ  ।
  • ନିଜର ଆଡମିଟ୍ କାର୍ଡ, କମ୍ପାସ୍ ବାକ୍ସ, ପେନ, ପେନସିଲ, ରବର ଇତ୍ୟାଦିକୁ ପରୀକ୍ଷା ଆଗରୁ ସଜାଡ଼ି ରଖନ୍ତୁ ।
  • ପରୀକ୍ଷାର ଯଥା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହନ୍ତୁ । ଏ କ୍ଷେତ୍ରରେ ଶିକ୍ଷକ ତଥା ଅଭିଭାବକମାନଙ୍କର ଦାୟିତ୍ଵ ରହିଛି । ରାସ୍ତାରେ ଭିଡ଼ ବା ଅନ୍ୟ କିଛି କାରଣବଶତଃ ବିଳମ୍ବ ଘଟିପାରେ ।
ଶରୀର ଓ ମନ ସମ୍ପର୍କରେ।
  • ଦିନକୁ ନିଶ୍ଚିତ ଭାବେ ୭/୮ ଘଣ୍ଟା ଶୁଅନ୍ତୁ । ବିଳମ୍ବିତ ରାତି ଯାଏ ଅନିଦ୍ରା ରହି ପାଠ ପଢ଼ିଲେ ମସ୍ତିଷ୍କ ଭାରାକ୍ରାନ୍ତ ହୁଏ । ପାଠ ମନେ ରହେ ନାହିଁ । ଶରୀର ଓ ମନରେ ନାନା ରକମର ସମସ୍ୟା ସୃଷ୍ଟି ହୁଏ  ।
  • ମାନସିକ ଚାପ ଦୂର କରିବା ପାଇଁ କିଛି ସମୟ ଶାରୀରିକ ପରିଶ୍ରମ ଯଥା ଚାଲିବା ବା ଖେଳିବାରେ ଲିପ୍ତ ରୁହନ୍ତୁ । ଏହାଦ୍ୱାରା ଶରୀର ଓ ମନ ହାଲୁକା ଓ ଫୁର୍ତ୍ତି ରହେ । ଗୀତ ଭଲ ପାଉଥିଲେ ମଝିରେ ମଝିରେ ଗୀତ ଶୁଣନ୍ତୁ ବା ଗାଆନ୍ତୁ । ଚିତ୍ର ଆଙ୍କୁଥିଲେ ବି ତାହା ଜାରି ରଖନ୍ତୁ । ଏହା ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ ।
  • ଘରେ ରନ୍ଧା ହୋଇଥିବା ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ବାହାରର ଅଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରହନ୍ତୁ । ଏଗୁଡ଼ିକ ଖାଇବା ଦ୍ୱାରା ହଜମ ବାଧାପ୍ରାପ୍ତ ହୋଇଥାଏ ଏବଂ ସଂକ୍ରମଣ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅନେକ ମାତ୍ରାରେ ବଢ଼ିଯାଇଥାଏ ।
  • ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଓ ତରଳ ଖାଦ୍ୟ ଖାଆନ୍ତୁ । ଦେହରୁ ଜଳୀୟ ଅଂଶ କମିଗଲେ ମୁଣ୍ଡ ବିନ୍ଧା ହୁଏ ଏବଂ ପାଠରେ ମନୋନିବେଶ କରିବାରେ ସମସ୍ୟା ଦେଖାଯାଏ  ।
  • ବଗିଚା ବା ପାର୍କରେ କିଛି ସମୟ ବୁଲିଲେ ଉପକାର ମିଳେ । ପ୍ରକୃତିର ଶୋଭା ଓ ଅମ୍ଳଜାନ ମନକୁ ସତେଜ ଓ ପ୍ରଫୁଲ୍ଲିତ ରଖେ  ।
  • ମୋବାଇଲ୍ ଫୋନ୍ ଓ ଟିଭିରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । କିଛି ସମୟ ପାଇଁ ଖବରକାଗଜ ପଢ଼ନ୍ତୁ ଯାହା ନିଜକୁ ସମାଜରେ ଘଟୁଥିବା ଘଟଣାବଳୀ ସହିତ ସଂପୃକ୍ତ ରଖିଥାଏ  ।
ଅଭିଭାବକମାନଙ୍କ ପାଇଁ
  • ବାପା ମା'ମାନେ ପିଲାମାନଙ୍କୁ ସ୍ଵାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ । ପରିଷ୍କାର, ପରିଚ୍ଛନ୍ନତା ସହ ପରିବାରର ପରିବେଶକୁ ଶାନ୍ତ ଓ ସୌହାର୍ଦ୍ଧ୍ୟର ବାତାବରଣରେ ଭରି ଦିଅନ୍ତୁ ।
  • ପିଲାମାନଙ୍କୁ ଉତ୍ସାହିତ କରନ୍ତୁ ଓ ମନଦେଇ ପଢ଼ିବାକୁ କୁହନ୍ତୁ ।
  • ସଦାସର୍ବଦା ବେଶୀ ମାର୍କ ରଖିବା ପାଇଁ ତାଗିଦ କରନ୍ତୁ ନାହିଁ ବା ବାରମ୍ବାର ଚେତାବନୀ ଦିଅନ୍ତୁ ନାହିଁ । ଅନ୍ୟ ସାଙ୍ଗମାନଙ୍କ ସହିତ ତୁଳନା କରନ୍ତୁ ନାହିଁ । ଏହା ତାକୁ ଚିଡ଼ିଚିଡ଼ା କରିଦିଏ । ପ୍ରତ୍ୟେକ ପିଲା ଅନ୍ୟଠାରୁ ଅଲଗା । ସେମାନଙ୍କ ସ୍ୱତନ୍ତ୍ରତାକୁ ସମ୍ମାନ ଦିଅନ୍ତୁ । ପରୀକ୍ଷାରେ ଭଲ କରିବ କହି ଏକ ସକାରାତ୍ମକ ଭାବନା ତା’ ମନରେ ସୃଷ୍ଟି କରନ୍ତୁ ।
  • ପିଲାମାନଙ୍କ ସାଙ୍ଗରେ ନିୟମିତ ଭାବେ କଥା ହୁଅନ୍ତୁ । ସେମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝନ୍ତୁ ଓ ସୁଧାରିବା ପାଇଁ ପଦକ୍ଷେପ ନିଅନ୍ତୁ ।
  • ନିଜେ ମଧ୍ୟ ଟିଭି ଓ ମୋବାଇଲ୍ ଠାରୁ ଦୂରେଇ ରହନ୍ତୁ । ଯାହାକୁ ଦେଖି ପିଲାମାନେ ମଧ୍ୟ ଏସବୁରୁ ଦୂରେଇ ରହିବେ  ।
  • ଆପଣଙ୍କର ସହଯୋଗ ଓ ଭଲ ପାଇବା ପିଲାମାନଙ୍କ ମନରେ ସାହସ ଓ ଆତ୍ମ ସନ୍ତୋଷ ଭରିଦେବା ସହ ତାହା ପରୀକ୍ଷାକୁ ସାମ୍ନା କରିବାରେ ଖୁବ୍ ଉପାଦେୟ ହୋଇଥାଏ  ।
ସଂଗୃହିତ - ପ୍ରଫେସର ନମିତା ମହାନ୍ତି, ମନସ୍ତତ୍ତ୍ଵବିତ୍

 

Last Modified : 2/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate