ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସ୍ଵାଧୀନତା ସଂଗ୍ରାମ ଓ ଡଃ ହରେକୃଷ୍ଣ ମହତାବ
ସେଆର କରନ୍ତୁ

ସ୍ଵାଧୀନତା ସଂଗ୍ରାମ ଓ ଡଃ ହରେକୃଷ୍ଣ ମହତାବ

ସ୍ଵାଧୀନତା ସଂଗ୍ରାମ ଓ ଡଃ ହରେକୃଷ୍ଣ ମହତାବ ଭୂମିକା ବିଷୟରେ ସୂଚନା I

ସାମାଜିକ ତଥା ଧାର୍ମିକ ସଂସ୍କାରଜନିତ ମାନବିକ ଆବେଦନ ପରିପ୍ରେକ୍ଷୀରେ, ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତରେ ଜାତୀୟତାବାଦର ଉନ୍ମେଷ ଘଟିଲା । ଦେଶର ନେତୃମଣ୍ଡଳୀ ଅନୁଭବ କଲେ ଯେ, ରାଜନୈତିକ ଓ ଆର୍ଥିକ ଶୋଷଣରୁ ମୁକ୍ତି ବ୍ୟତିରେକେ ସାମାଜିକ ଜୀବନର ମାର୍ଜିତ ବିକାଶ ସମ୍ଭବ ନୁହେଁ । ବିଦେଶୀ ଶାସନର ଶୃଙ୍ଖଳରୁ ମୁକ୍ତ ନହେଲା ପର୍ଯ୍ୟନ୍ତ ବିଶ୍ଵ ସ୍ତରୀୟ ଚେତନା ମଧ୍ୟ ଜାଗରୁକ ହୋଇପାରିବ ନାହିଁ । ଏହି ଜାତୀୟ ଚେତନାର ପରି ପ୍ରକାଶ ଭାରତୀୟ ଜାତୀୟ କଂଗ୍ରେସ ପରି ଏକ ସଂଗଠନ ଦ୍ଵାରା ସମ୍ଭବ ହୋଇପାରିଥିଲା । ଦକ୍ଷିଣ ଆଫ୍ରିକାରୁ ଫେରି ମହାତ୍ମା ଗାନ୍ଧୀ ଏହାର ନେତୃତ୍ଵ ଗ୍ରହଣ କଲାପରେ, ଏହି ସଂଠଗନ ମୁଷ୍ଠିମେୟ ଉଚ୍ଚଶିକ୍ଷିତ ସହରାଞ୍ଚଳ ବ୍ୟକ୍ତିମାନଙ୍କ ସଂସ୍ଥା ନହୋଇ ସର୍ବସାଧାରଣଙ୍କ ସଂଗଠନ ରୂପେ କାର୍ଯ୍ୟ କଲା । ଏହାରି ନେତୃତ୍ଵରେ ଦୀର୍ଘ ୨୦୦ ବର୍ଷର ଇଂରେଜ ଶାସନ କବଳରୁ ଭାରତ ମୁକ୍ତି ଲାଭ କରିବା ସମ୍ଭବ ହୋଇପାରିଥିଲା ।

ଜାତୀୟତାବାଦ ଓ ସ୍ଵାଧୀନତା ଆନ୍ଦୋଳନର ଡାକରା

ସର୍ବଭାରତୀୟ ଜାତୀୟତାବାଦ ଓ ସ୍ଵାଧୀନତା ଆନ୍ଦୋଳନର ଡାକରା ଅନ୍ୟ ଅଞ୍ଚଳ ଅପେକ୍ଷା ଓଡ଼ିଶାରେ ଅପେକ୍ଷାକୃତ ବିଳମ୍ବରେ ପହଞ୍ଚିଥିଲା । ଅନ୍ୟ ଅଞ୍ଚଳର ଜନସାଧାରଣ ମହାତ୍ମା ଗାନ୍ଧୀଙ୍କ ମାର୍ଗଦର୍ଶନରେ ଉଦବୁଦ୍ଧ ହୋଇ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଉଥିଲା ବେଳେ, ସେଥିରୁ ନିବୃତ୍ତ ରହି ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ଜନ୍ମଲାଭ କରିବାକୁ ଓଡ଼ିଶା ଦାବୀ କରୁଥିଲା । କିନ୍ତୁ ଯୋଗଜନ୍ମା, ଦୂରଦ୍ରଷ୍ଟା, ସାଧକ ମହତାବଙ୍କ ଦୃଷ୍ଟିଭଙ୍ଗୀ ଭିନ୍ନ ଥିଲା । ଜାତୀୟ ଆନ୍ଦୋଳନର ମୁଖ୍ୟସ୍ରୋତରୁ ଅଲଗା ହୋଇ କେବଳ ଏକ ସ୍ଵତନ୍ତ୍ର ପ୍ରଦେଶର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ ହୋଇ ରହିବାର ଉଦ୍ଦେଶ୍ୟ ତାଙ୍କର ନଥିଲା । ଗାନ୍ଧିଜୀଙ୍କ ନେତୃତ୍ଵ ଓ କଂଗ୍ରେସର ବାଉଁକୁ ଓଡ଼ିଶାର ପୁରପଲ୍ଲୀରେ ପରିଚିତ କରାଇବାର ଉଦ୍ୟମ ଆରମ୍ଭ ହୋଇଗଲା ।

ଛାତ୍ରାବସ୍ଥାରୁ ତାଙ୍କ ମଧ୍ୟରେ ଯେଉଁ ବୈପ୍ଳବିକ ଆଭିମୁଖ୍ୟ ପ୍ରକଟିତ ହୋଇଥିଲା, ସ୍ଵାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରି ସେ ଏହାକୁ ଅଧିକ  ବ୍ୟାପକ କରିପାରିଲେ । ସେ ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ଜୀବନରୁ ସମସ୍ତ ସମାଲୋଚନା ଓ ବିରୋଧକୁ ପ୍ରତିରୋଧ କରି ଭବିଷ୍ୟତ ସଂଗ୍ରାମର ନେତୃତ୍ଵ ନେବା ପାଇଁ ମାନସିକ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଳପତ୍ର ଛତା ଧରି ବା ଅଣପାରମ୍ପରିକ ବେଶ ପୋଷାକ ପରିଧାନ କରି ସାଙ୍ଗସାଥୀଙ୍କ ଥଟ୍ଟା ବିଦ୍ରୁପକୁ ସହ୍ୟ କରିବାର ଦୃଢ଼ ମାନସିକତା ସେ ପ୍ରଦର୍ଶନ କଲେ । ଏହି ମାନସିକତ, ପରବର୍ତ୍ତୀ ସମୟରେ ଏ ଦେଶ ଓ ଜାତି ପାଇଁ ଜଣେ ଯୁଗ ପୁରୁଷ ସୃଷ୍ଟି କରିଦେଲା ।

ଏକ ପଇଁତିରିଶ ଜଣି ଆ ଓଡ଼ିଆ ପ୍ରତିନିଧଦଳର ସଦସ୍ୟ ରୂପେ ସେ ୧୯୨୦ ମସିହାରେ ନାଗପୁର କଂଗ୍ରେସ ଅଧିବେଶନରେ ଯୋଗ ଦେଲେ । ଏହି ଅବେଶନରେ ଜାତୀୟ କଂଗ୍ରେସର ସଂବିଧାନ ପରିବର୍ତ୍ତନ କରାଯାଇ ‘ସ୍ଵରାଜ’କୁ ଦେଶର ଲକ୍ଷ୍ୟ ରୂପେ ଘୋଷଣା କରାଗଲା । ଏହା ସହିତ ଭାଷାଭିତ୍ତିକ କଂଗ୍ରେସ କମିଟି ମାନ ଗଠନ କରାଯାଇ ସ୍ଵାଧୀନତା ସଂଗ୍ରାମକୁ ଅଧିକ  ତୀବ୍ର ଓ ବ୍ୟାପକ କରିବା ନିମନ୍ତେ ସ୍ଥିର କରାଗଲା । ସେତେବେଳକୁ ଓଡ଼ିଆ ଭାଷଭାଷୀ ଅଞ୍ଚଳକୁ ନେଇ ଏକ ସ୍ଵତନ୍ତ୍ର ପ୍ରଦେଶ ଗଠିତ ହୋଇପାରି ନଥିଲେ ମଧ୍ୟ ଏହି ଭାଷାଭିତ୍ତିରେ ଉତ୍କଳପ୍ରଦେଶ କଂଗ୍ରେସ କମିଟି ଗଠିତ ହେଲା । ନାଗପୁରରୁ ଫେରି ଓଡ଼ିଆ ପ୍ରତିନିଧି ଦଳ, ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ଜାତୀୟ ଆନ୍ଦୋଳନ ଚଳାଇବାକୁ ଦାୟିତ୍ଵ ବାଣ୍ଟିଲେ । ବାଲେଶ୍ଵର ଜିଲ୍ଲାରେ ଏହି ସଂଗ୍ରାମ ପରିଚାଳନା କରିବାର ଗୁରୁଦାୟିତ୍ଵ ପଡ଼ିଲା ମହତାବଙ୍କ ଉପରେ । ତାଙ୍କ ପାଠରେ ଡୋରି ସେଇଠି ବନ୍ଧା ହେଲା । ଉଚ୍ଚଶିକ୍ଷା ଗ୍ରହଣ କରି ଉଚ୍ଚ ପଦପଦବୀରେ ଅଧ୍ୟଷ୍ଠିତ ହେବାର ଲାଳସା ତାଙ୍କର ନଥିଲା । କିନ୍ତୁ ତାଙ୍କ ପରିବାରବର୍ଗ ତାଙ୍କ ଚିନ୍ତାଧାରା ଓ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କଲେ । ମାତ୍ର ଏହି ମହାନ୍ ସଂଗ୍ରାମୀଙ୍କ ଦୃଢ଼ତା ଓ କର୍ମନିଷ୍ଠା ଆଗରେ ସମସ୍ତ ବିରୋଧ ଓ ସମସ୍ତ ସମାଲୋଚନା ନିରର୍ଥକ ସାବ୍ୟସ୍ତ ହେଲା ।

୧୯୨୧ ମସିହା ମାର୍ଚ୍ଚ ମାସର ଶେଷ ସପ୍ତାହରେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ରାଜ୍ୟବାସୀଙ୍କ ମନରେ ଉତ୍ସାହ ଓ ଜାଗରଣ ସୃଷ୍ଟି କରିପାରିଥିଲା । ତାଙ୍କ ଗସ୍ତ ସମୟରେ ମହତାବ ତାଙ୍କର ସହଯାତ୍ରୀ ହେବା ସହିତ, ତାଙ୍କ ରହିବା ଓ ସଭାକାର୍ଯ୍ୟ ପରିଚାଳନାର ଦାୟିତ୍ଵ ବହନ କରିଥିଲେ । କଟକର ‘ସ୍ଵରାଜ ଆଶ୍ରମ’ ଢାଞ୍ଚାରେ ବାଲେଶ୍ଵରରେ  ଗଢ଼ି ଉଠିଲା ‘ସ୍ଵରାଜ ମନ୍ଦିର’ । ଗାନ୍ଧିଜୀଙ୍କ ‘ତିଳକ ସ୍ଵରାଜ ଫଣ୍ଡ’ ପାଇଁ ମହତାବଙ୍କ ଉଦ୍ୟମରେ ପ୍ରଦେଶ କଂଗ୍ରେସ କମିଟି ଟ.୨୧୦୦ଙ୍କା ସଂଗ୍ରହ କରିପାରିଥିଲା । ତାଙ୍କରି ନେତୃତ୍ଵରେ ଅସହଯୋଗ ଆନ୍ଦୋଳନ ପୂର୍ଣ୍ଣ ଉତ୍ସାହର ସହ ଚାଲୁ ରହିଲା । ବିଦେଶୀ ଦ୍ରବ୍ୟ ବର୍ଜନ ସହିତ କୋର୍ଟ କଚେରୀ ବର୍ଜନ କରାଗଲା ଓ ଅନେକ ଛାତ୍ରଛାତ୍ରୀ ଇଂରେଜ ସରକାରଙ୍କ ଶିକ୍ଷାନୁଷ୍ଠାନ ପରିତ୍ୟାଗ କଲେ ।

ମହତାବ ଅନୁଭବ କରିଥିଲେ ଯେ, ରାଜନୈତିକ ସଚେତନତା ବିକଶିତ ହୋଇ ନପାରିଲେ, ଜନସାଧାରଣ ପ୍ରବଳ ପରାକ୍ରମୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ଗଣଆନ୍ଦୋଳନ କରିପାରିବେ ନାହିଁ । ଏହି ସଚେତନତାର ବିକାଶ ପାଇଁ ସାମାଜିକ ଚେତନାର ଅଭିବୃଦ୍ଧି ଅପରିହାର୍ଯ୍ୟ । ତେଣୁ ସ୍ଵାଧୀନତା ଆନ୍ଦୋଳନ ଚାଲିଥିଲା ବେଳେ ସାମାଜିକ, ଧାର୍ମିକ ଓ ସାଂସ୍କୃତିକ କ୍ଷେତ୍ରରେ ସଂସ୍କାର ମୂଳକ ପଦକ୍ଷେପମାନ ଗ୍ରହଣ କରି ଜନଜୀବନକୁ ଅଧିକ  ସଂଗଠିତ ଓ ବିକଶିତ କରିବାର ଉଦ୍ୟମ ସେ କରିଥିଲେ । ୧୯୨୨ ମସିହାର ଶେଷ ବେଳକୁ ଓଡ଼ିଶାର ସମସ୍ତ କଂଗ୍ରେସୀ ନେତା ଗିରଫ ହୋଇଯାଇଥିଲେ । ଅସହଯୋଗ ଆନ୍ଦୋଳନରେ ତାଙ୍କର ଭୂମିକା ଯୋଗୁଁ ଏକ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ ମହତାବଙ୍କୁ କଟକ ଜେଲକୁ ପଠାଯାଇଥିଲା । ୧୯୨୩ରେ ଛାଡ଼ ପାଇ ପୁଣି ସେ କଂଗ୍ରେସ କାର୍ଯ୍ୟରେ ଲାଗି ପଡ଼ିଲେ । ବିଦେଶୀ ବର୍ଜନ ନୀତି ଯୋଗୁଁ ସମସ୍ତ କଂଗ୍ରେସ ନେତା ବିଧାୟକ ପଦରୁ ଇସ୍ତଫା ଦେଇସାରିଥାଆନ୍ତି । କିନ୍ତୁ ବିହାର-ଓଡ଼ିଶା ଲେଜିସ୍ଲେଟିଭ ଆସେମ୍ଳିର  ସଭ୍ୟଥାଇ ମଧୁବାବୁ ମନ୍ତ୍ରୀ ହୋଇଥାଆନ୍ତି । ସେତେବେଳକୁ ସେ ଓଡ଼ିଶାର ଅପ୍ରତିଦ୍ଵନ୍ଦୀ ନେତା । ତଥାପି ତାଙ୍କୁ ସାଧାରଣ ସଭାରେ ବିରୋଧ କରିବାକୁ ବା ସମାଲୋଚନା କରିବାକୁ ମହତାବ ପଛେଇ ଯାଇନଥିଲେ ।

ଅସହଯୋଗ ଆନ୍ଦୋଳନ ସ୍ଥଗିତ ରହିଥିବା ସମୟରେ ଗାନ୍ଧିଜୀ ପ୍ରବର୍ତ୍ତନ କରିଥିବା ଗଠନମୂଳକ କାର୍ଯ୍ୟକ୍ରମ ସେ ଚଳେଇ ରଖିଥିଲେ । ତାଙ୍କ ପରିବାରର ଏକ ମନ୍ଦିରକୁ ‘ବିଦ୍ୟା ମନ୍ଦିର ନାମରେ ନାମିତ କରି ସେ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ମହତାବ ଉଦ୍ୟମ କରିଥିଲେ । ଗଠନ ମୂଳକ କାର୍ଯ୍ୟର ପରିଚାଳନା ପାଇଁ ଅନ୍ୟ ଏକ ମନ୍ଦିରକୁ  ‘କର୍ମମନ୍ଦିର’ ନାମରେ ସେ ପରିବର୍ତ୍ତନ କରିଥିଲେ । ପର୍ବପର୍ବାଣୀ ଓ ଉତ୍ସବ ପାଳନରେ ଏହି ଦୁଇ ମନ୍ଦିରରେ ହେଉଥିବା ଖର୍ଚ୍ଚ ନୂତନ ଅନୁଷ୍ଠାନ ଦ୍ଵୟର ପରିଚାଳନାରେ ବ୍ୟୟିତ ହେଲା ।

ଘରେ ଘରେ ଗାନ୍ଧିଜୀଙ୍କ ବାର୍ତ୍ତା ଓ ସଂଗ୍ରାମର କାହାଣୀ ପହଞ୍ଚାଇବାର ଲକ୍ଷ୍ୟ ନେଇ ‘ପ୍ରଜାତନ୍ତ୍ର’ ନାମରେ ଏକ ସାପ୍ତାହିକ ପତ୍ରିକା ସେ ପ୍ରକାଶ କଲେ । ୧୯୨୪ ମସିହାରେ ଏହି ପତ୍ରିକାର କାର୍ଯ୍ୟାଳୟ କଟକରୁ ବାଲେଶ୍ଵରକୁ ଉଠାଇ ଅଣାଯାଇଥିଲା । ଇଂରେଜ ବିରୋଧୀ ଲେଖା ପାଇଁ ୧୯୩ ମସିହାରେ ‘ପ୍ରଜାତନ୍ତ୍ର” ଛାପାଖାନାକୁ ବାଜ୍ୟାପ୍ତି କରି ଦିଆଗଲା ଓ ଏହାର ପ୍ରକାଶନକୁ ମଧ୍ୟ ବନ୍ଦ କରି ଦିଆଗଲା । ପରବର୍ତ୍ତୀ ସମୟରେ ଏକ ଦୈନିକ ସମ୍ବାଦପତ୍ର ଭାବରେ ‘ପ୍ରଜାତନ୍ତ୍ର’ କଟକରୁ ଆତ୍ମପ୍ରକାଶ କଲା ।

‘ହରିଜନ’ ଓ ଆଦିବାସୀ ମାନଙ୍କ ପାଇଁ ମହାତ୍ମା ଗାନ୍ଧୀ ଦେବତା

ଦୁର୍ବଳ ଶ୍ରେଣୀ ବିଶେଷତଃ ‘ହରିଜନ’ ଓ ଆଦିବାସୀ ମାନଙ୍କ ମଧ୍ୟରେ ସେ ମହାତ୍ମା ଗାନ୍ଧୀଙ୍କୁ ଜଣେ ଦେବତା ରୂପେ ପରିଚିତ କରାଇପାରିଥିଲେ । ଅନଗ୍ରସର କୋରାପୁଟ ଜିଲ୍ଲାରେ ଗାନ୍ଧିଜୀଙ୍କ ବାର୍ତ୍ତା ପହଞ୍ଚାଇବାରେ ମଧ୍ୟ ସେ ସଫଳ ହୋଇପାରିଲେ । ଗାନ୍ଧିଜୀଙ୍କ ‘ଚରଖା’କୁ ଜନପ୍ରିୟ କରି ଗ୍ରାମ ପରେ ଗ୍ରାମକୁ ହାତବୁଣା ଖଦି ଲୁଗାପିନ୍ଧା ଗ୍ରାମରେ ପରିଣତ କରିବାର ଉଦ୍ୟମ କରାଗଲା । ଢେଙ୍କାନାଳ ଓ ତାଳଚେର ପ୍ରଜା ଆନ୍ଦୋଳନର ନେତୃତ୍ଵ ନେଇ ସେମାନଙ୍କୁ ଅତ୍ୟାଚାରରୁ ରକ୍ଷା କରିବା ସହିତ ଗାନ୍ଧିଜୀଙ୍କ ବାର୍ତ୍ତା ସେମାନଙ୍କ ପାଖରେ ପହଞ୍ଚାଇ ପାରିଥିଲେ ।

ଡଃ ହରେକୃଷ୍ଣ ମହତାବଙ୍କ ଭୂମିକା

୧୯୨୭ ମସିହାରେ ଗାନ୍ଧିଜୀ ପୁନର୍ବାର ଓଡ଼ିଶା ଆସି ଜନସଚେତନତା ସୃଷ୍ଟି  ପାଇଁ ବିଭିନ୍ନ ସଭାସମିତି ମାନଙ୍କରେ ଉଦ୍‌ବୋଧନ ଦେଲେ । ସରକାରୀ ପ୍ରତିବନ୍ଧକ ଯୋଗୁଁ ଖୋଲା ଖୋଲି ଭାବରେ ତାଙ୍କ ସଭାସମିତି ଆୟୋଜନ କରିବା ପାଇଁ ବା ତାଙ୍କ ସହଯୋଗୀ ହେବା ପାଇଁ କେତେକ ଭୟ କରୁଥିଲେ । କିନ୍ତୁ ମହତାବ କୌଣସି ପ୍ରତିବନ୍ଧକକୁ ଭ୍ରୂକ୍ଷେପ ନକରି ଗାନ୍ଧିଜୀଙ୍କ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ । ଏକ ରକ୍ଷଣଶୀଳ ଜମିଦାର ପରିବାରର ବୋହୂ ହୋଇଥିଲେ ମଧ୍ୟ ମହତାବଙ୍କ ପ୍ରୋତ୍ସାହନରେ ପତ୍ନୀ ସୁଭଦ୍ରା ମହତାବ ସ୍ଵାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିଲେ । ତାଙ୍କ ଭଉଣୀ ମଇନା ବିବି ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ଜେଲ ବରଣ କରିଥିଲେ । ତଦ୍ଵାରା  ଉତ୍ସାହିତ ହୋଇ ଅନ୍ୟବର୍ଗର ବହୁ ମହିଳା ଜାତୀୟ ଆନ୍ଦୋଳନରେ ଭାଗ ନେଇଥିଲେ । ବିଦେଶୀ ବସ୍ତ୍ର ବର୍ଜନ, ନିଶା ନିବାରଣ, ହରିଜନ ସେବା ଆଦି ବିଭିନ୍ନ କଂଗ୍ରେସୀ କାର୍ଯ୍ୟକ୍ରମରେ ମହିଳା ମାନଙ୍କର ସହଯୋଗ ଉଲ୍ଲେଖନୀୟ ହୋଇପାରିଥିଲା ।

ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବାଲେଶ୍ଵରର ଇଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହ ପରିଚାଳନା କରିବାର ଦାୟିତ୍ଵ ମହତାବ ନେଇଥିଲେ । ସରକାରୀ ବିବରଣୀ ଅନୁସାରେ ଗାନ୍ଧିଜୀ ଭାଗ ନେଇଥିବା ଗୁଜୁରାଟର ଲବଣ ସତ୍ୟାଗ୍ରହ ପରେ, ଇଞ୍ଚୁଡ଼ି ସତ୍ୟାଗ୍ରହ ବ୍ୟାପକ ହୋଇପାରିଥିଲା । ଏହି ଆନ୍ଦୋଳନ ଯୋଗୁଁ ହଜାରିବାଗ ଜେଲରେ ଅଠରମାସର କାରାବାସ ତାଙ୍କୁ ବରଣ କରିବାକୁ ପଡ଼ିଥିଲା । ଏହି ଜେଲ ମଧ୍ୟରେ ରାଜେନ୍ଦ୍ର ପ୍ରସାଦ ଓ ଖାଁ ଅବଦୁଲ ଗଫର ଖାଁଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ତାଙ୍କୁ ମିଳିଥିଲା ।

୧୯୪୨ ମସିହା ଅଗଷ୍ଟ ମାସରେ ଭାରତଛାଡ଼ ଆନ୍ଦୋଳନ’ର ଡାକରା ଦିଆଗଲା । କଂଗ୍ରେସ କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟଙ୍କୁ ସରକାର ଜେଲକୁ ପଠେଇ ଦେଲେ । ଓଡ଼ିଶାରେ ଏହି ଆନ୍ଦୋଳନ ଚଳେଇ ରଖିଥିବାରୁ ମହତାବଙ୍କୁ ଅହମ୍ମଦନଗର ପୋର୍ଟ ଜେଲକୁ ପଠେଇ ଦିଆଗଲା । ସର୍ଦାର ପଟେଲ, ଜବାହରଲାଲ ନେହେରୁ, ଗୋବିନ୍ଦ ବଲ୍ଲଭ ପନ୍ଥ, ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ପରି ସଂଗ୍ରାମୀ ମାନଙ୍କ ଗହଣରେ ରହିବାର ସୁଯୋଗ ପାଇ ମହତାବ ଅଧିକ  ଉତ୍ସାହିତ ହୋଇପଡ଼ିଲେ । ପରବର୍ତ୍ତୀ ସମୟରେ ସମ୍ବଲପୁର ଜେଲକୁ ସ୍ଥାନାନ୍ତରୀତ ହୋଇ ୧୯୪୫ ମସିହା ମେ ମାସରେ ସେ ଜେଲରୁ ଖଲାସ ହେଲେ । ଦେଶ ସ୍ଵାଧୀନ ହେଲା ପର୍ଯ୍ୟନ୍ତ ତାଙ୍କ ସଂଗ୍ରାମ ଅବ୍ୟାହତ ରହିପାରିଥିଲା ।

ଜଣେ ସାଧାରଣ କଂଗ୍ରେସ କର୍ମୀଭାବେ ନୁହେଁ, ବରଂ ଜଣେ ଦକ୍ଷ ସଂଗଠକ ଭାବରେ, ଜଣେ ଦୂରଦ୍ରଷ୍ଟା ସଂଗ୍ରାମୀ ଭାବରେ ସେ  ଓଡ଼ିଶାରେ କଂଗ୍ରେସ ଆନ୍ଦୋଳନର ନେତୃତ୍ଵ ନେଇଥିଲେ । ତାଙ୍କରି ନେତୃତ୍ଵରେ ଜାତୀୟ କଂଗ୍ରେସର ବାର୍ଷିକ ଅଧବେଶନ ୧୯୩୧ ମସିହାରେ ପୁରୀଠାରେ ସଫଳତାର ସହ ଅନୁଷ୍ଠିତ ହୋଇପାରିଥିଲା । ସେ କେବଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନଥିଲେ, ଦୃଢ଼  ନେତୃତ୍ଵ ଯୋଗୁଁ ୧୯୩୮ ମସିହାରେ ତାଙ୍କୁ ଜାତୀୟ କଂଗ୍ରେସର  କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ସଦସ୍ୟ ରୂପେ ମଧ୍ୟ ନିଯୁକ୍ତ କରାଯାଇଥିଲା । ଜାତୀୟ କଂଗ୍ରେସ ଓ ମୁସଲିମ୍ନଲିଗ୍ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଯେଉଁ ଆଲୋଚନା ଚାଲିଥିଲା, ସେଥିରେ ମଧ୍ୟ ମହତାବ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଆଲୋଚନାର ଫଳ         ସ୍ଵରୂପ କଂଗ୍ରେସ ଓ ମୁସଲି ମଲିଗଙ୍କ ସହଯୋଗରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ସମ୍ଭବପର ହୋଇଥିଲା ।

ଜାତୀୟ ସଂଗ୍ରାମରେ ମହତାବଙ୍କ ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ । ଜାତୀୟ ଚେତନାର ବାର୍ତ୍ତା ଓଡ଼ିଶାରେ ପ୍ରବର୍ତ୍ତନ କରିବାରେ ସେ ଥିଲେ ଅଗ୍ରଗଣ୍ୟ । ତାଙ୍କୁ ବାଦ୍ ଦେଇ ଦେଶ ସ୍ଵାଧୀନତାର ପୂର୍ଣ୍ଣାଙ୍ଗଚିତ୍ର ପ୍ରଦାନ କରାଯାଇପାରିବ ନାହିଁ ।

ସଂଗୃହିତ - ଡଃ ମନ୍ଦାକିନୀ ଦାସ, ରାଜନୀତିବିଜ୍ଞାନ ବିଭାଗ ରେଭେନ୍ସା ମହାବିଦ୍ୟାଳୟ, କଟକ

ଆଧାର - ଇ ମଗାଜିନ

2.90476190476
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top