অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଛଅ ଋତୁ ଆଜି ସାତ ସପନ

ପରିବେଶ ପ୍ରଦୂଷଣ

ପରିବେଶ ପ୍ରଦୂଷଣ ଆଜି ସମଗ୍ର ବିଶ୍ଵ ପାଇଁ ଚିନ୍ତାର କାରଣ ହୋଇଛି । ଗତ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ଵର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଲୀଳାକୁ ଦେଖି ଲାଗୁଥିଲା  ଯେପରି ମହାବାତ୍ୟା ହେଉଛି । ଗତବର୍ଷ ଭୟଙ୍କର ଭୂମିକମ୍ପ ନେପାଳର ଜନଜୀବନ ଓ ଅର୍ଥନୀତିକୁ ଧ୍ଵସ୍ତବିଧ୍ଵସ୍ତ କରିଦେଇଥିବା ବେଳେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂମକମ୍ପର ନିର୍ଘାତ ପ୍ରହାରରେ ନେପାଳ ସମେତ ସିକିମ୍, ଭୁଟାନ, ଭାରତ, ପାକିସ୍ତାନ ପର୍ଯ୍ୟନ୍ତ ଏସୀୟ ଭୂଖଣ୍ଡ ଥରିଉଠିଥିଲା । ହିମାଳୟରେ ବାଦଲଫଟା ବର୍ଷାରୁ ସୃଷ୍ଟି ଉତ୍ତରାଖଣ୍ଡ ମହାପ୍ରଳୟକୁ ଏବେ ତିନିବର୍ଷ ପୂରିବାକୁ ଯାଉଛି ।  ସେହି ମହାପ୍ରଳୟର କଥା ମନେ ପଡିଲେ  ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ଵାସ ବାହାରି ଆସେ । ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂମିକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ଵଳନ୍ତ ଦୃଷ୍ଟାନ୍ତ । ସେହିପରି ୧୯୯୯ ମସିହାରେ ମହାବିନାଶକାରୀ ମହାବାତ୍ୟା ଓ ୧୯୯ର ଅଂଶୁଘାତ ଜନିତ ପରିସ୍ଥିତିକୁ ଆମେ ଭୁଲିପାରିବା ନାହିଁ । ଆଗାମୀ ଦିନରେ ପ୍ରକୃତିର ଏହି କ୍ରୁର ରୂପ କିଭଳି ଆକାର ଧାରଣ କରିବ ତାହା ଆମ କଳ୍ପନାର ବାହାରେ । ପ୍ରତି ମୂହୁର୍ତ୍ତରେ ମହାପ୍ରଳୟର ଆଶଙ୍କାରେ ଆମେ ଶଙ୍କିତ ଓ ଅତିଷ୍ଠ । ପରିସ୍ଥିତି ଏପରି ହୋଇଛି ଯେ ସାମାନ୍ୟ ଟିକେ ପବନ ହେଲେ ମହାବାତ୍ୟା ଓ ଲଘୁଚାପ ସୃଷ୍ଟି ହେଲେ ସୁନାମି ଆସିବାର ଆଶଙ୍କା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି । ଜଙ୍ଗଲ ଧ୍ଵଂସ ହିଁ ଏହାର ପ୍ରମୁଖ କାରଣ ରୂପେ ଉଭା ହୋଇଛି । ଫଳସ୍ଵରୂପ,  ବିଶ୍ଵ ତାପାୟନ ବଢି ଚାଲିଛି, ବ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି, ମୃତ୍ତିକା କ୍ଷୟ ବଢିବାରେ ଲାଗିଛି, ବୃଷ୍ଟିପାତ ହ୍ରାସ ପାଉଛି, ଉତ୍ପାଦନ ବ୍ୟାହତ ହେଉଛି ଓ ସର୍ବୋପରି ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ।

ଋତୁ ଚକ୍ରରେ ପରିବର୍ତ୍ତନ

ବିଶ୍ଵ ତାପାୟାନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଋତୁ ଚକ୍ରରେ ପରିବର୍ତ୍ତନ ଦେଖାଦେଇଛି । ଛଅ ଋତୁ ଆଜି ସାତ ସପନ । ପୌଷ  ଓ ମାଘର ହାଡ ଭଙ୍ଗା ଶୀତ ଆଉ ନାହିଁ । ଶୀତର ପ୍ରଭାବ  ଢେର କମି ଗଲାଣି । ଗରମ ପୋଷାକ ଆଗ ଭଳି ଦରକାର ପଡୁନି । ବରଂ ଘରେ ଫ୍ୟାନ୍ ର  ଆବଶ୍ୟକତା ପଡୁଛି । ଫାଲ୍ଗୁନ୍ – ଚୈତ୍ର ନା ଥାଏ  ଖରା ନା ଶୀତ । ମଳୟ ପବନ ସାଥେ ଭାସିଆସେ କୋଇଲିର କୁହୁତାନ । ମୃଦୁ ମଳୟ  ପବନ ତନୁମନରେ ଶିହରଣ ଅଣେ । କିନ୍ତୁ ଆଗଭଳି ଶୁଭୁନାହିଁ  କୋଇଲିର ସ୍ଵର କି ବହୁନାହିଁ ସୁଲୁସୁଲିଆ ପବନ । ହେମନ୍ତ ଓ ଶରତ ଋତୁର କଥା ନକହିବା ଭଲ । ଗ୍ରୀଷ୍ମ ଋତୁର ଅବଧି ବଢି ବଢି ଚାଲିଛି ।  କେବଳ ବୈଶାଖ – ଜ୍ୟେଷ୍ଠ ନୁହେଁ ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା ।  ସବୁଠି ହା-ହୁତାଶମୟ ପରିବେଶ । ଘରେ ଗରମ ତ- ବାହାରେ ଅଗ୍ନିବର୍ଷା । ଅସହନୀୟ ହେଉଛି  ଜୀବନ ଯାତ୍ରା । ଆଦ୍ୟ ଆଷାଢର ପହିଲି ବର୍ଷାର ମହକ ଆଉ ନାହିଁ । ସାରୁ ଗଛମୂଳରୁ ଶୁଭୁନି ବେଙ୍ଗର ରଡି । ଏବେ ମୌସୁମୀର ରହୁନି ଠିକଣା । ଧାରା ଶ୍ରବଣ ହରାଇ ବସିଛି ତା'ର  ପ୍ରାସଙ୍ଗିକତା ।

ବର୍ଷ ବର୍ଷ ଧରି ପ୍ରକୃତି ମାତା ଉପରେ ହୁମ୍ଦୁମ୍ ଚାଲିଛି । ମାଆ ଚପଳ ବାଳକର ହୁମ୍ଦୁମ୍  ସମ୍ଭାଳି ନିଏ । କିନ୍ତୁ ଏକବିଂଶ ଶତାବ୍ଦୀର ମଣିଷ ବଡ ହୋଇଛି । ଏହାର ଜ୍ଞାନ ହୋଇଛି । ବିଜ୍ଞାନ ବଳରେ ଜଗତକୁ ଜିଣିବାର ପ୍ରୟାସ ଜାରି ରଖିଛି । କିନ୍ତୁ ଏସବୁ ସତ୍ତ୍ୱେ ସେ ଜାଣି ନ ଜାଣିଲା ପରି ପ୍ରକୃତି ଉପରେ ଅତ୍ୟାଚାର କରିଚାଲିଛି । କାରଣ ଖୋଜି ବସିଲେ ପ୍ରକୃତି ବିଶ୍ଵ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା, ଓ ଜଙ୍ଗଲ । ମାତ୍ର ଦ୍ରୁତ ଜନ ବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି, ସଡକ ନିର୍ମାଣ, ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୁତି ହେତୁ ବ୍ୟାପକ ଜଙ୍ଗଲ କଟା ଚାଲିଛି । ଫଳରେ ବାୟୁ ମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ ବୃଦ୍ଧି ପାଇଁ ବିଶ୍ଵ ତାପମାତ୍ରା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରଖାନାରୁ ନିର୍ଗତ ଗ୍ୟାସ ଏବଂ ଅନ୍ୟାନ୍ୟ  ରାସାୟନିକ ପ୍ରକ୍ରିୟା  ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ଅଜ୍ଞାନ ବାଳକ ସିନା ଜାଣି ନ ଥିଲା, ହେଲେ ଏବଂ ବିଜ୍ଞାନୀପୁଅମାନେ ଭଲଭାବେ  ଜାଣିଛନ୍ତିଯେ ପ୍ରକୃତିମାତା ସୁକୁମାର ଭାବେ ଗଢା । ଯଦି ପୃଥିବୀର ତାପମାତ୍ରା ଆଉ ୩ଡିଗ୍ରୀ ବଢି ଚାଲେ ତାହେଲେ ମେରୁ ନିକଟରେ ଜମା ହୋଇ ଜଳବାୟୁକୁ ନିୟନ୍ତ୍ରଣ କରୁଥିବା ବରଫ ପାହାଡ ସବୁ ତରଳି ଯିବ । ଏପରି ଭାବେ ଯଦି ବରଫ ତରଳେ, ସମୁଦ୍ର ଜଳ ପତ୍ତନ ଆଉ ୧୫ ଫୁଟ୍ ବଢିଯିବ । ୧୫ ଫୁଟ୍ ତ ଦୂରର କଥା, ଜଳପତ୍ତନ ୩ ରୁ ୫ ଫୁଟ୍ ବଢିଗଲେ ସମଗ୍ର ବିଶ୍ଵ ପ୍ରଳୟରେ ଲୀନ ହେବ । ସତରେ ଏକଥା ଆମେ କେବେ  ବୁଝିବା କେଜାଣି ?

ବିଶ୍ଵ ପରିବେଶ ଏଭଳି ସଙ୍କଟ ଜନକ ପରିସ୍ଥିତିରେ ଗତି କରୁଥିବା ବେଳେ ଏହି କଥାକୁ ଆଖି ଆଗରେ ରଖି ମିଳିତ ଜାତିସଂଘ ୧୯୭୨ ମସିହାରେ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ବିଶ୍ଵ ପରିବେଶ ଦିବସର ରୂପେ ପାଳନ  କରିବାର ଉଦ୍ଦେଶ୍ୟ ହେଲା ପରିବେଶ ସମସ୍ୟାକୁ ମାନବିକ ଦୃଷ୍ଟିକୋଣରୁ ବିଚାର କରିବା ଓ କାର୍ଯ୍ୟରେ ତାକୁ ରୂପାନ୍ତରିତ କରିବା । ଅନ୍ୟ ଅର୍ଥରେ କହିଲେ  ବିଶ୍ଵ ପରିବେଶ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରଦୂଷଣର ଭୟଙ୍କରତା ସମ୍ବନ୍ଧରେ ପ୍ରତ୍ୟେକ ଦେଶର ଜନସାଧାରଣଙ୍କୁ ସଚେତନ କରିବା ଓ ଏହି ପ୍ରଦୂଷଣର ଦୂରୀକରଣ ପାଇଁ ସର୍ବତ୍ର ଜନସହଯୋଗକୁ ଉତ୍ସାହିତ କରିବା ।  ଯାହାଫଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ପରିବେଶ ସଂରକ୍ଷିତ ହୋଇ ରହିପାରିବ । ଇତି ମଧ୍ୟରେ ବିଶ୍ଵ ପରିବେଶ ଦିବସ ପାଳନ ହେବା ୪୪ ବର୍ଷରେ  ପହଞ୍ଚିଲାଣି । ସାରା  ପୃଥିବୀରେ ପ୍ରତିଦିନ ହଜାର ହଜାର ହେକ୍ଟର ଜଙ୍ଗଲ  ଧ୍ଵଂସ ପାଉଛି, ଏହାର ପ୍ରତିରୋଧ ପାଇଁ ଆଇନ୍ ପରେ ଆଇନ ତିଆରି ହେଉଛି । ମାତ୍ର ଏଥିରୁ ଆଶାଜନକ ସଫଳତା ମିଳୁନାହିଁ । ଆମ ଦେଶରେ  ୧୯୫୦ ମସିହାରେ ଭାରତ ସରକାର  ବନମହୋତ୍ସବ ଆୟୋଜନ କରିଥିଲେ । ସେହିପରି ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରଣାଳୟ ଅଧୀନରେ ଆଉ ଏକ ପରିଷଦ ଅଛି ଜାତୀୟ ବନୀକରଣ ଓ ପରିବେଶ ବିକାଶ ପରିଷଦ । ମାତ୍ର ଏସବୁ ବ୍ୟବସ୍ଥା ସତ୍ତ୍ୱେ ପରିବେଶ ପ୍ରଦୂଷଣକୁ ରୋକିବାରେ ଆମର ପ୍ରଚେଷ୍ଟା ସେତେ ସନ୍ତୋଷଜନକ ନୁହେଁ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁଯାୟୀ ନୂଆଦିଲ୍ଲୀର  ବାୟୁମଣ୍ଡଳ ପୃଥିବୀରେ ସବୁଠାରୁ ଅଧିକ ପ୍ରଦୂଷିତ । ସେହି ରିପୋର୍ଟରୁ ଆହୁରି ଜଣାପଡିଛି ଯେ ଭାରତର ଛୋଟଛୋଟ ସହର ଗୁଡିକରେ ବି ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ଥିତିରେ ପହଞ୍ଚିଲାଣି ।

ବୈଜ୍ଞାନିକଙ୍କ ମତ

ବୈଜ୍ଞାନିକଙ୍କ ମତରେ ତାପ ଓ ଶୀତଳତା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷରାଜି ଓ ବନାନୀ ଏକାନ୍ତ ଆବଶ୍ୟକ । ବର୍ତ୍ତମାନ ଗାଁ ଗଣ୍ଡା ବୃକ୍ଷ ଶୂନ୍ୟ । କାଁ ଭାଁ ଦୁଇ ଚାରିଟା ଗଛ ଥିବ କି ନ ଥିବ । ସେଗୁଡ଼ିକର ଶାଖା ମଧ୍ୟ କର୍ତ୍ତିତ । ଯାହାଫଳରେ ଅଦିନରେ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ଡାକି ଆଣିଛୁ ବୋଲି କହିଲେ ଭୁଲ୍ ହେବ ନାହିଁ । ବିଗତ ଦିନରେ ମିଆଁମାର ଓ ବାଂଲାଦେଶରେ ସାମୁଦ୍ରିକ ବାତ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଲା ତାହାର ମୂଳ କାରଣ ହେଉଛି ଜଙ୍ଗଲ ଧ୍ଵଂସ । ଆମ ଦେଶରେ ମଧ୍ୟ ସେହିପରି  ଜଙ୍ଗଲ ଧ୍ଵଂସ ଯୋଗୁଁ ଅସମୟରେ ବନ୍ୟା, ଝଡବାତ୍ୟା, ବଜ୍ରପାତ, ସୁନାମ, ଅଂଶୁଘାତ ଓ  ଭୂକମ୍ପ ଭଳି ବିପର୍ଯ୍ୟୟର ସମ୍ଭାବନା ବଢି ବଢି ଚାଲିଛି । ଏବେ ସାରା ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ପରିସ୍ଥିତି ଏପରି ହୋଇଛି ଯେ ଆମରାଜ୍ୟରେ ମଇ ୩୦ ତାରିଖ ସୁଦ୍ଧା ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ  ସେଲ୍ସିୟସ୍ ରୁ ଅଧିକ ରହିଥିବା ବେଳେ, ୮ଟି ସ୍ଥାନରେ ତାପମାତ୍ରାରେ ୪୩ ଡିଗ୍ରୀ ଡେଇଁଥିଲା । ଏପରିକି ଟିଟିଲାଗଡ ଓ ବଲାଙ୍ଗୀର ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ କରିଥିଲା । ଏହି ତାପମାତ୍ରା ବୃଦ୍ଧି ଯୋଗୁଁ ରାଜ୍ୟରେ  ଅଂଶୁଘାତ ମୃତ୍ୟୁ ଅଭିଯୋଗ ୧୯୧କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୯ଜଣଙ୍କର ମୃତ୍ୟୁ ଅଂଶୁଘାତ ଜନିତ ବୋଲି ସ୍ପଷ୍ଟ ହୋଇଛି । ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ଅଂଶୁଘାତ ଜନିତ ହୋଇଥିବା ବେଳେ ବାଲେଶ୍ଵରରେ ୪, ବଲାଙ୍ଗିରରେ ୩, ଢେଙ୍କାନାଳ ଓ ଝାରସୁଗୁଡାରେ ୨ଜଣ ଲେଖାଏଁ ଏବଂ କେନ୍ଦୁଝର ଓ ସମ୍ବଲପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ଜଣାପଡିଛି । ମୋଟ ୧୯୧ଟି ଅଭିଯୋଗ ମଧ୍ୟରୁ ୯୮ ମାମଲାର ତଦନ୍ତ ଶେଷ ହୋଇଥିବା ବେଳେ ୯୩ଟିର ତଦନ୍ତ ଜାରି ରହିଛି ବୋଲି ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ସବୁଠୁ ଦୟନୀୟ ଅବସ୍ଥା ପଶୁପକ୍ଷୀଙ୍କର, ଅବସ୍ଥା ନକହିଲେ ଭଲ ।

ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ ଆହ୍ଵାନ । ଏହି ଆହ୍ଵାନର ସାମ୍ନା କରିବାକୁ ହେବ ବ୍ୟକ୍ତିଗତ ଭାବେ ଓ ସମଷ୍ଟିଗତ ଭାବେ । ଏହାର ନିରାକରଣ ପାଇଁ ବ୍ୟାପକ ଭାବରେ ବୃକ୍ଷରୋପଣ, ସାମାଜିକ ବନୀକରଣ, ନୂତନ ଜଙ୍ଗଲ ସୃଷ୍ଟି ଉପଡ଼େ ଆଗ୍ରାଧିକାର ଦେବାକୁ ହେବ । ପରିବେଶ ସୁରକ୍ଷା ପାଇଁ ବିଶ୍ଵ  ସ୍ତରରେ ଯେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଛି ତାହା କେବଳ କୌଣସି ସଂଗଠନ ବା ପ୍ରତିଷ୍ଠାନ ଜରିଆରେ ସଂପୂର୍ଣ୍ଣ ସଫଳ ହେବା ଅସମ୍ଭବ । ବ୍ୟକ୍ତିର ସଚେତନତା ହିଁ ଏହାର ସଫଳତାର ଅସଲ ଚାବିକାଠି । ପରିବେଶକୁ ଭଲ ପାଉଥିବା ଓ ଏହାର ସୁରକ୍ଷା ପାଇଁ ଚିନ୍ତା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକଥା ଜାଣିବା ଜରୁରୀ ।

ଆଧାର - ଦୈନିକ ସଂଚାର

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate