অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୀବନ ରକ୍ତ ସଦୃଶ ଜଳ

ଉପକ୍ରମ

ଜଳ ଜୀବନର ସତ୍ତା  । ଜୀବନ ପାଇଁ ରକ୍ତ ଯେପରି ଆବଶ୍ୟକ, ଠିକ୍ ସେହିପରି ଜୀବନ ରକ୍ଷା ପାଇଁ ଜଳ ଅପରିହାର୍ଯ୍ୟ । ଏଣୁ ଜଳକୁ ଯଥାର୍ଥରେ ଜୀବନ ରକ୍ତ ସଦୃଶ ତୁଳନା କରିବାର ଯୁକ୍ତିଯୁକ୍ତ  । ଜଳ ପ୍ରାୟତଃ ସମସ୍ତ ବିକାଶର ଏକ ପ୍ରମୁଖ ତଥା ଅଦ୍ଵିତୀୟ ଆଧାର ହୋଇଥିବାରୁ ଏହା ଶ୍ରେଷ୍ଠ ପ୍ରାକୃତିକ ବିଭବ ରୂପେ ପରିଗଣିତ  । ଜଳ ପାଇଁ ଜୀବନ, ଜଳ ପାଇଁ ଭୂମି, ଜଳ ପାଇଁ ବଣ ପାହାଡ, ଜଙ୍ଗଲ ଏପରିକି ଜଳ ପାଇଁ ଗ୍ରହ ନକ୍ଷତ୍ର ଆକାଶ କହିଲେ ଅତ୍ୟୁକ୍ତି ହେବ ନାହିଁ  । ଏଣୁ ଜୀବନର ପ୍ରତିଟି ମୁହୂର୍ତ୍ତ ଓ ପ୍ରତ୍ୟକ କ୍ଷେତ୍ରରେ ଜଳ ଲୋଡା  । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଜଳର ଆବଶ୍ୟକତା ଆଶାତୀତ ଭାବେ ବଢିଚାଲିଥିବା ବେଳେ ବିଭିନ୍ନ ଜଳଉତ୍ସ ଓ ଜଳରାଶିର ସଂକୋଚନ ଏବଂ ଏହି ଅମୂଲ୍ୟ ସମ୍ପଦର ଅପବ୍ୟବହାର ଆଗାମୀ ଦିନ ପାଇଁ ଭୟଙ୍କର ପରିସ୍ଥିତିକୁ ଆମନ୍ତ୍ରଣ କରୁଛି  ।

ଜଳର ଉତ୍କଟ ସମସ୍ୟା କ୍ରମଶଃ ବଢୁଥିବାରୁ ଏହି ସମସ୍ୟାର ସାମୟିକ ଆଶ୍ଵସ୍ତି ଓ ପରବର୍ତ୍ତୀ ସମୟରେ ଚିରନିସ୍ତାର ପାଇଁ ପ୍ରଥମ କରି ଆନୁଷ୍ଠାନିକ ଭାବେ ୧୯୯୨ ମସିହା ସଂଯୁକ୍ତ ରାଷ୍ଟ୍ରର ଏକ ଆଲୋଚନା ମାଧ୍ୟମରେ ଜଳର ମିତବ୍ୟୟିତା ଓ ଜଳସମ୍ପର୍କିତ ସମସ୍ତ ସୁବିଧା ସୁଯୋଗ ଓ ଅସୁବିଧା ଗୃହୀତ ହୋଇଥିଲା  । ଏହାର ଠିକ୍ ଏକ ବର୍ଷ ପରେ ଅର୍ଥାତ୍ ୧୯୯୩ ମସିହା ମାର୍ଚ୍ଚ ୨୨ ତାରିଖ ସାରା ବିଶ୍ଵରେ ଏହାକୁ ଜଳଦିବସ ରୂପେ ପାଳନ ପାଇଁ ସମ୍ମତି ପ୍ରକାଶ ପାଇଲା  । ଏହାର ମୁଖ୍ୟଭୂମିକା ୟୁନିସେଫ୍ ସଂଯୁକ୍ତ ରାଷ୍ଟ୍ର ସମନ୍ଵିତ ଶିଶୁଙ୍କ ଜରୁରୀକାଳୀନ ଅର୍ଥ ସଂଗଠନ, ସଂଯୁକ୍ତ ରାଷ୍ଟ୍ର, ସାମାଜିକ, ଆର୍ଥିକ ପ୍ରଭାଗ ଏବଂ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ  ।

ବିଶ୍ଵ ଜଳଦିବସ କାହିଁକି

ଜଳର ପ୍ରାପ୍ତି, ବ୍ୟବହାର, ଉପଯୋଗିତା, ସଦୁପଯୋଗ, ସମୟୋପଯୋଗୀ ବ୍ୟବହାର, ସମନ୍ଵିତ ବ୍ୟବହାର, ପୁରାତନ ଜଳ ଉତ୍ସର ପୁନରୁଦ୍ଧାର, ରକ୍ଷଣାବେକ୍ଷଣ, ଆଗାମୀ ଦିବସରେ ସୁଲଭ ବ୍ୟବହାର, ନିରବଛିନ୍ନ ଓ ପରିଶୋଷଣ ଉପଯୋଗିତା ଆଦି ପ୍ରାଥମିକ ଉଦ୍ଦେଶ୍ୟ ଥିବାବେଳେ ଜଳ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ, ବିପଣନ ଶିଳ୍ପ ପ୍ରାଣୀପାଳନ ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମ, ଆତ୍ମନିଯୁକ୍ତି,ଆତ୍ମନିର୍ଭରଶୀଳତା ଏପରିକି ସାମାଜିକ ପ୍ରଥା ପର୍ବପର୍ବାଣି ଏବଂ ସର୍ବୋପରି ଜଳକୁ ଜୀବନ ଦେଇ ଏଥିପ୍ରତି ଥିବା ସ୍ଵାର୍ଥପର ମନୋଭାବକୁ ଦୂର କରି ନିଃସ୍ଵାର୍ଥପର ନିଃସର୍ତ୍ତ ଭାବେ କାମ କରିବା ଏବଂ ଅନ୍ୟର ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା ପାଇଁ ନିଜେ ଉଦାହରଣ ସାଜି ସଚେତନତା ମାଧ୍ୟମରେ ପ୍ରବର୍ତ୍ତାଇବା ଆଦି ବିଶ୍ଵ ଜଳ ଦିବସର ମୂଳଭାବନା  ।

ବିଶ୍ଵ ଜଳ ଦିବସ ପାଳନ କରିବାରେ ତିନୋଟି ପ୍ରମୁଖ ସଂଗଠନ ୟୁନିସେଫ ସଂଯୁକ୍ତ ରାଷ୍ଟ୍ରର ସାମାଜିକ, ଆର୍ଥକ ପ୍ରଭାଗତଥା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଭୂମିକା ଥିବା ବେଳେ ରାଷ୍ଟ୍ରୀୟ ଜଳ ପ୍ରାଦ୍ୟୋଗିକ ଅନୁସନ୍ଧାନ ବିଭାଗ, ଭାରତର କୃଷି ଅନୁସନ୍ଧାନ ପରିଷଦ, ଜଳ ଓ ମୃତ୍ତିକା ସଂରକ୍ଷଣ ବିଭାଗ ଭୂତଳ ଜଳ ସଂଶୋଧନ ବିଭାଗ, ଜଳ ଛାୟା ମିଶନ, କୃଷି ବିଜ୍ଞାନ କେନ୍ଦ୍ର, ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା, ସ୍ଵେଚ୍ଛାସେବୀ ସଂଗଠନ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ବସ୍ତିବାସିନ୍ଦା, ନଗର ଓ ମହାନଗର ନିଗମ, ନଗରପାଳିକା ଏପରିକି ଛୋଟ ଛୋଟ ଶିଶୁଙ୍କ ଦ୍ଵାରା ଏହି ଦିବସ ପାଳନ କରାଯାଇଥାଏ  । ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ଏକକ ନାଟକ, ଏକାଙ୍କିକା, ପାଲା, ନାଚଗୀତ, ଗୋଷ୍ଠୀ ନୃତ୍ୟ ବିଶେଷକରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ରଚନା, ବକ୍ତୃତା, ଚିତ୍ରାଙ୍କନ  ଆଦି ପ୍ରତିଯୋଗିତା ହେଉଥିବାବେଳେ ବିଭିନ୍ନ କାର୍ଯ୍ୟାଳୟ ଓ ନିଗମ ଦ୍ଵାରା ବୈଠକ, ଆଲୋଚନାଚକ୍ର, କର୍ମଶାଳା ଆଦି ଆୟୋଜନ କରାଯାଇଥାଏ  ।

ମୋଟ ଉପରେ କହିବାକୁ ଗଲେ ବିଶ୍ଵ ଜଳଦିବସ ପାଳନ କରିବାରେ ପ୍ରତିବର୍ଷ କିଛି ନା କିଛି ଏକ ବିଷୟବସ୍ତୁ ରହିଛି  । ଯାହାକି ଏକ ନିର୍ଦ୍ଧିଷ୍ଟ ଆଭିମୁଖ୍ୟ ଉପରେ ଆଧାରିତ  ।

ଜଳପ୍ରାପ୍ତି ଓ ପ୍ରକୃତ ମିଳୁଥିବା ଜଳ

ଗୋଟିଏ ପକ୍ଷରେ ଜଳଉତ୍ସର ସଙ୍କୋଚନ ହେଉଥିବାବେଳେ ଅନ୍ୟ ପକ୍ଷରେ ଜଳ ପ୍ରଦୂଷିତ ହେବା ଏବଂ ମିଳୁଥିବା ଜଳ ଠିକ ହିତାଧିକାରୀଙ୍କ ନିକଟରେ ପହଞ୍ଚି ନ ପାରି ଅଯଥା ଅପବେୟ ହେବା ଏକ ଚିନ୍ତାଜନକ ବିଷୟ  । ଏକ ଆକଳନରୁ ଜଣାଯାଏ ସହରାଞ୍ଚଳ ଓ ଉନ୍ନୟନ ନିଗମରେ ପ୍ରତ୍ୟକ ଜନସାଧାରଣ ଦୈନିକ ୧୫୦ରୁ ୨୦୦ ଲିଟର ଜଳ ଖର୍ଚ୍ଚ କରୁଥିବାବେଳେ ଅର୍ଦ୍ଧସହର ଓ ଅନୁନ୍ନତ ଅଞ୍ଚଳରେ ଜନସାଧାରଣଙ୍କ ମୁଣ୍ଡପିଛା ଦୈନିକ ଜଳ ଖର୍ଚ୍ଚ ୧୦ଭାଗରୁ କମ୍ ଅର୍ଥାତ୍ ୧୫ରୁ ୨୦ ଲିଟରରେ ସୀମିତ  । ଅତଏବ ଏହି ପରିପ୍ରେକ୍ଷୀରେ ଜଳର ଠିକ ବ୍ୟବହାର କରିବା ସହିତ ଲୁପ୍ତ ଓ ଅବହେଳିତ ପ୍ରାୟ ସମସ୍ତ ଝରଣା, ଗାଡିଆ, କୂପ, ପୋଖରୀ, ନଳକୂପ ଆଦିର ପୁନରୁଦ୍ଧାର କରିବା ସହିତ ଏଗୁଡିକରେ ଜଳ କିପରି ସଂଗୃହୀତ ଓ ଗଚ୍ଛିତ ହେବ ସେଥିପ୍ରତି ଗୁରୁତ୍ଵ ଦେଇ ପୁନଶ୍ଚ ଜଳର ସୁବଣ୍ଟନ ଓ ସୁବିନିଯୋଗ କରିବା ଜରୁରୀ  ।

ଜଳଅମଳ : ଜଳ ଅମଳ, ଏହାର ସଂରକ୍ଷଣ ଏବଂ ଜଳର ଉପଯୁକ୍ତ ବିନିଯୋଗ ଏକ ଗୁରୁତ୍ଵପୂର୍ଣ୍ଣ ଓ ସମୟୋପଯୋଗୀ ପ୍ରକ୍ରିୟା

ବର୍ଷାଜଳ ଅମଳ : ସାଧାରଣତଃ ବୃଷ୍ଟିପାତ ବୃଷ୍ଟିପୁଷ୍ଟ ଓ ଅଧିକ ବୃଷ୍ଟି ଦିନମାନଙ୍କରେ ବର୍ଷାଜଳକୁ ସିଧାସଳଖ ଜଳାଶୟ, କୃତ୍ରିମ ଜଳଭଣ୍ଡାର କିମ୍ବା ଘରୋଇଭାବେ କୁଣ୍ଡରେ ଧରି ରଖି ଏହାକୁ ବ୍ୟବହାର ଉପଯୋଗୀ କରିବା କିମ୍ବା ଧାବିତ ବର୍ଷାଜଳକୁ ଅବଶୋଷିତ କରାଇ କିମ୍ବା ବୃକ୍ଷର ଛେରା ମାଧ୍ୟମରେ ଭୂଗର୍ଭକୁ ସିଧାସଳଖ ଛାଡି ଜଳସ୍ତରକୁ ବଢାଯାଇଥାଏ  ।ଏହା ଏକ ସହଜ ଓ ସ୍ୱଳ୍ପ ମୂଲ୍ୟର ପ୍ରକ୍ରିୟା  । ଫଳରେ ଏହାର ଚାହିଦା କ୍ରମଶଃ ବଢିବାରେ ଲାଗିଛି  । ଏପରିକି ସ୍କୁଲ, କଲେଜ କାର୍ଯ୍ୟାଳୟ ଏବଂ ଉଚ୍ଚ ଅଟ୍ଟାଳିକାଗୁଡିକରେ ବର୍ଷାଜଳ ଅମଳ ବ୍ୟବସ୍ଥା କରାଯାଇ ବର୍ଷାଜଳକୁ ସଂଗ୍ରହ କରି ବିଭିନ୍ନ କାର୍ଯ୍ୟରେ ଲଗାଯାଇପାରୁଛି  ।

ମାଟିକୁ କମ ହଲ କରିବା –ଅତ୍ୟଧିକ ହଳ କଲେ ମାଟିରେ ଥିବା ଅତ୍ୟାବଶ୍ୟକ ଜୈବିକ ଅଙ୍ଗାର ଦ୍ରୁତ କ୍ଷୟ ହୋଇଥାଏ  ।ଏଣୁ କମ ହଳ ପ୍ରତି ସଜାଗ ହୋଇ ଚାଷ କଲେ ପରୋକ୍ଷ ଭାବେ ଜଳ ଓ ମୃତ୍ତିକା ସଂରକ୍ଷଣ ହୋଇପାରିବ  ।

କମ୍ ଜଳ ଆବଶ୍ୟକ କରୁଥିବା ଫସଲ ବିନ୍ୟାସ : ସାଧାରଣତଃ ସମନ୍ଵିତ ଖାଦ୍ୟସାର ପରିଚାଳନା ସହିତ ମୁଖ୍ୟ ଖାଦ୍ୟସାର, ଅଣୁଖାଦ୍ୟସାର ଓ ପଟାସ ସାରର ଠିକ୍ ପ୍ରୟୋଗ ଦ୍ଵାରା ଫସଲ ମରୁଡି ପ୍ରକୋପରୁ ରକ୍ଷା ପାଇ ଅମଳକ୍ଷମ ହୋଇଥାଏ  । ଏପରିକି କମ୍ ଜଳ ଆବଶ୍ୟକ କରୁଥିବା ଡାଲି ଓ ତୈଳବୀଜ ଫସଲ ଜଳ ସଂରକ୍ଷଣ ସହିତ କୃଷି କାର୍ଯ୍ୟ ସଫଳ କରିଥାଏ  ।

ଶିଳ୍ପ ପାଇଁ ଜଳ : ଶକ୍ତି ଉତ୍ପନ୍ନ, ଖଣି ଖନନ, ଭାରି ଧାତୁ ଉତ୍ପାଦନ, ସିମେଣ୍ଟ, ଲୁଗାକଳ, ପ୍ଲାଷ୍ଟିକ, ମୃଦୁ ପାନୀୟ ପ୍ରସ୍ତୁତିର ଅନ୍ୟଥା ନିୟୁତ ନିୟୁତ ଗ୍ୟାଲନ ଜଳ ପ୍ରତି ଘଣ୍ଟାରେ ଅପଚୟ ହେଉଛି  । ଏଣୁ ଏଗୁଡ଼ିକର ସନ୍ତୁଳିତ, ସମନ୍ଵିତ ତଥା ଉତ୍ପାଦନ ଭିତ୍ତିରେ ବ୍ୟବହାର କରିବା ଏବଂ ଏଥିରୁ ନିର୍ଗତ ମଇଳା, ଆବର୍ଜନା ଓ ବିଷାକ୍ତ ଦ୍ରବ୍ୟକୁ ପ୍ରକ୍ରିୟାକାରଣ ଦ୍ଵାରା କୃଷି ଓ ବନୀକରଣ କାର୍ଯ୍ୟରେ ଲଗାଯାଇ ପାରିଲେ ଜଳ ଅପଚୟ ହ୍ରାସ ପାଇପାରିବ ।

ଲୁଣାଜଳରୁ ମଧୁରଜଳ : ସାରା ବିଶ୍ଵରେ ଲବଣାକ୍ତ ଜଳ ୯୭ ଶତାଂଶ ଥିବାରୁ ଏବଂ ଜଳକୁ ମଧୁରାଜଳରେ ପରିଣତ କରାଯାଇ ପାରିଲେ ଜଳକଷ୍ଟ ଅନେକାଂଶରେ ଦୂର ହୋଇପାରିବ  । ଏହି ପଦ୍ଧତି କ୍ରମବର୍ଦ୍ଧିଷ୍ଣୁ ଜନସାଧାରଣଙ୍କ ପାଇଁ ଏକ ଉଚିତ ପଦକ୍ଷେପ  । ସାଧାରଣତଃ ସିଙ୍ଗାପୁର ଓ ମଧ୍ୟପୂର୍ବ ରାଷ୍ଟ୍ରଗୁଡିକରେ ଏ ପ୍ରକାର ପଦ୍ଧତି ଅବଲମ୍ବନକରାଯାଇଥାଏ  । କିନ୍ତୁ ଏହା ଏକ ବ୍ୟୟବହୁଳ ଓ ସମୟସାପେକ୍ଷ ପଦ୍ଧତି ହୋଇଥିବାରୁ ସୌର ଓ ପବନ ଶକ୍ତି ତଥା ଜୁଆର ଓ ଭୂତାପଜ ଶକ୍ତି ବ୍ୟବହାର କରି କିପରି ପାଚନ ପ୍ରଣାଳୀରେ ଏଥିରୁ ମଧୁରଜଳ ମିଳିପାରିବ ସେଥିପ୍ରତି ଅଧିକ ଗବେଷଣା ଚାଲୁ ରହିଛି  ।

  • ଏକ ଆକଳନରୁ ଜଣାଯାଏ ପ୍ରାୟତଃ ୮୦ ଶତାଂଶ ବ୍ୟବହୃତ ଅନୁପଯୋଗୀ ଜଳ ପୁନଃଚକ୍ରଣ ହୋଇ ନ ପାରି ଅପବ୍ୟୟ ତଥା ଧରାପୃଷ୍ଠକୁ ଚାଲିଯାଏ  ।
  • ସାରା ବିଶ୍ଵରେ ୧.୮ ବିଲିୟନ ଜନସାଧାରଣ ଶୁଦ୍ଧ ପିଇବା ପାଣି ପାରିବାରୁ ବଞ୍ଚିତ  ।
  • ବାର୍ଷିକ ୮ ଲକ୍ଷ ୪୨ହଜାର ଜନସାଧାରଣଙ୍କ ମୃତ୍ୟୁର କାରଣ ଜଳବାହିତ ରୋଗରୁ ହୋଇଥାଏ  ।
  • ସାର, ସିମେଣ୍ଟ, ଲୁଗା, ଲୌହ, ପ୍ଲାଷ୍ଟିକ ତଥା ମୃଦୁପାନୀୟ ଭଳି ବଡ ବଡ ଶିଳ୍ପାଞ୍ଚଳ ପ୍ରଭାବ ଯୋଗୁ ଲକ୍ଷଲକ୍ଷ ଗ୍ୟାଲନ ପାଣି ଗୋଟିଏ ପକ୍ଷରେ ବ୍ୟବହୃତ ହେଉଥିବା ବେଳେ ଅନ୍ୟପକ୍ଷରେ ଏଥିରୁ ନିଃସୃତ ଯାବତୀୟ ମଇଳା ଭୂପୃଷ୍ଠରେ ଥିବା ଜଳରାଶିକୁ ପ୍ରଦୂଷିତ ଓ ବିଷାକ୍ତ କରିବାରେ ଲାଗିଛି  ।
  • ଜଳର ବ୍ୟବହାର ପ୍ରତି ୨୦ ବର୍ଷରେ ପ୍ରାୟତଃ ଦ୍ଵିଗୁଣ ହେଉଥିବା ବେଳେ ପ୍ରାୟତଃ ୩୧ଟି ଦେଶ ଜଳ ବ୍ୟବହାରରୁ ପ୍ରଭାବିତ ହେବା ଓ ୧ ବିଲିୟନରୁ ଉର୍ଦ୍ଧ୍ଵ ଜନସାଧାରଣ କେବଳ ପିଇବା ପାଣି ଠିକ୍ ଭାବରେ ପାଇ ନ ପାରିବା ଏକ ପ୍ରକାର ନିନ୍ଦନୀୟ ଘଟଣା  ।
  • ସାରା ବିଶ୍ଵରେ ମାତ୍ର ୨.୫ ଶତାଂଶ ମଧୁର ଜଳ ଓ ୯୭.୫ ଶତାଂଶ ଲବଣ ଓ ପାନୀୟ ଜଳ ଥିବା ବେଳେ ୦.୩ ଶତାଂଶ ମଧୁର ଜଳ ହ୍ରଦ ଓ ନଦୀରୁ, ୩୦ ଶତାଂଶ ଭୂପୃଷ୍ଠରୁ ମିଳୁଥିବା ବେଳେ ଅବଶିଷ୍ଟ ୭୦ ଶତାଂଶ ମଧୁର ଜଳ ବରଫାବୃତ୍ତ, ଯାହାକି ଆବଶ୍ୟକ ସମୟରେ କାର୍ଯ୍ୟକାରୀ ହୋଇପାରେ ନାହିଁ  ।

କେମିତି କରିବେ ସୁବିନିଯୋଗ

  • ପୁରାତନ ଜଳର ଉତ୍ସଗୁଡିକୁ ରକ୍ଷଣାବେକ୍ଷଣ କରି ଯତ୍ନନେବା
  • ଜଳ ଉତ୍ସଗୁଡିକର ସମନ୍ଵିତ ଓ ସହଭାଗିତା ମାଧ୍ୟମରେ ବ୍ୟବହାର କରିବା
  • ଘରକୁ ଯୋଗାଣ ହେଉଥିବା ଜଳର ପୁରାତନ ପାଇପଗୁଡିକ ମରାମତି କରିବା ଓ ଆବଶ୍ୟକ ହେଲେ ବଦଳାଇବା  ।
  • ଗାଧୁଆ ଓ ଲୁଗାଧୁଆ ପାଣିକୁ ପ୍ରସାଧନ ସୂତ୍ରରେ ବ୍ୟବହାର କରିବା ଓ ଫ୍ଲାସ ବ୍ୟବହାର କରିବା  ।
  • ପନିପରିବା ଓ ଖାଦ୍ୟ ପଦାର୍ଥଗୁଡିକୁ ଟ୍ୟାପର ଚଲା ପାଣିରେ ନ ଧୋଇ କିଛିଟା ପାଣି ପାତ୍ରରେ ରଖି ଧୋଇବା  ।
  • ବାସନଗୁଡିକୁ ମଧ୍ୟ ବକେଟରେ ରଖି ଧୋଇବା  ।
  • ଘାସ ବଗିଚା ଓ ଉଦ୍ୟାନଗୁଡିକରେ କେନ୍ ରେ କିମ୍ବା ସିଞ୍ଚନ ଓ ପୁଷ୍ଟି ଜଳସେଚନ କରିବା  ।
  • କାର, ବାଇକ ଆଦି ଜାନଗୁଡିକୁ ଯଥା ସମ୍ଭବ ବାଲ୍ଟିରେ କମ୍ ପାଣି ନେଇ ଧୋଇବା  ।
  • ଆବଶ୍ୟକ ନ ଥିବା ସମୟରେ ଟ୍ୟାପ ଓ ପାଣିପମ୍ପ ସୁଇଚ୍ ବନ୍ଦ କରିବା  ।
  • ଜଳର ଉପଯୋଗିତା ତଥା ଗୁରୁତ୍ଵ ଉପରେ ସର୍ବଦା ସଚେତନତା ଆଣିବା ଓ ନିଜେ ସଚେତନ ହେବା  ।

ସଂଗୃହିତ–ଅଶୋକ ଚରଣ ଦାସ, ଅଳକା ପ୍ରଧାନ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate