ପବନରେ ମୃତ୍ତିକା ଗୋଟିଏ ଜାଗାରୁ ଉଡିଯାଇ ଅନ୍ୟ ଜାଗାରେ ପଡିଲେ ଏହାକୁ ପବନ ଦ୍ଵାରା ମୃତ୍ତିକା କ୍ଷୟ ବୋଲି କୁହାଯାଏ । ଜଳ ଦ୍ଵାରା ମୃତ୍ତିକା କ୍ଷୟ ତୁଳନାରେ ପବନ ଦ୍ଵାରା ମୃତ୍ତିକା କ୍ଷୟ ବେଶି ଆଖି ଦୃଶିଆ ହୁଏନାହିଁ ।କିନ୍ତୁ ଅନେକ ସମୟରେ ଏହା ମଧ୍ୟ ଜଳଦ୍ଵାରା ମୃତ୍ତିକା କ୍ଷୟଠାରୁ ଅଧିକ ଭୟଙ୍କର ଓ କ୍ଷତିକାରକ ହୋଇଥାଏ । ବିଲ ପଡିଆ ରହିଲେ , ଚାଷ ହୋଇ ମାଟି ଗୁଣ୍ଡା ହୋଇ ଧୂଳିଆ ହୋଇଥିଲେ ମାଟି ପବନରେ ସହଜରେ ଉଡିଯାଏ । ନଦୀ ଓ ସମୁଦ୍ର କୁଳ ବାଲିରେ ଶୁଷ୍କ ଓ ମରୁଭୁମି ଅଞ୍ଚଳରେ ପବନ ଦ୍ଵାରା ମୃତ୍ତିକା କ୍ଷୟ ଅତ୍ୟନ୍ତ ଭୟଙ୍କର ମଧ୍ୟ ହୋଇଥାଏ । ମରୁଭୂମିରେ ଏହାଦ୍ଵାରା ଅଧିକରୁ ଅଧିକ ଜମି ମରୁଭୁମିରେ ପରିଣତ ହୋଇଥାଏ ଏବଂ ମରୁଭୁମିର ପରିସର, ଆକାର ଓ ପ୍ରକାର ପରିବର୍ତ୍ତିତ ହୋଇଥାଏ । ଓଡିଶାରେ ଗ୍ରୀଷ୍ମଋତୁରେ ପବନ ଦ୍ଵାରା ବେଶି ମୃତ୍ତିକା କ୍ଷୟ ହୋଇନଥାଏ । ଜମି ଚାଷ ହୋଇ ରହିଥିବାରୁ ଦକ୍ଷିଣା ପବନ ହେତୁ ମୃତ୍ତିକା କଣିକା ଗୁଡିକ ତୁହାକୁ ତୁହା ଉପରକୁ ଉଠି ଉଡିଯାଏ । ସ୍ଥାନେ ସ୍ଥାନେ ଖଣ୍ଡିଆଭୁତ ଓ ବାଲିଝଡ ସୃଷ୍ଟି ହୋଇଥାଏ । ଛୋଟ ବଡ ବାଲିହୁଙ୍କା ବା ବାଲିଗଦା ସୃଷ୍ଟି ହୋଇଯାଏ । ମରୁଭୁମିରେ ବାଲି ଝାଡା ପ୍ରାୟ ସାଧାରଣ କଥା । ବାଲି ଝାଡା ହେତୁ ଧନ ଜୀବନ କ୍ଷତି ପରିମାଣ ବେଳେ ଖୁବ୍ ଭୟାନକ ହୋଇଥାଏ ।
ମାଟି ଗୁଣ୍ଡ ହୋଇ ଚୂନା ହୋଇ ଧୁଳିପରି ହୋଇଗଲେ ଦାନାଗୁଡିକରୁ କଣିକାଗୁଡିକ ଅଲଗା ଅଲଗା ହୋଇଯାଆନ୍ତି । ଏହି କଣିକାର ଆକାର ଅନୁସାରେ ୩ଟି ଅବସ୍ଥାରେ କ୍ଷୟ କ୍ରିୟା ସମ୍ପାଦିତ ହୋଇଥାଏ ।
ପବନ ଦ୍ଵାରା ଉଡିଯାଉଥିବା ମୃତ୍ତିକାର ଅନେକ ଭାଗ ପର୍ଯ୍ୟାୟ କ୍ରମେ ଥରକୁ ଥର ତଳୁ ଉପର ଓ ପୁଣି ଉପରୁ ତଳ ହୋଇ ସ୍ଥାନାନ୍ତରିତ ହୋଇଥାଏ । ଏହି ପ୍ରକ୍ରିୟାକୁ ଉଲମ୍ଫନ କୁହାଯାଏ । ଏଥିରେ କଣିକାଗୁଡିକ କୁଦାମାରି କିଛି ଉପରକୁ ଯାଇ ପବନରେ କିଛି ଦୂର ଉଡିଯାଇ ପୁଣି ତଳକୁ ପଡନ୍ତି । ମୃତ୍ତିକା କଣିକା ଉପରେ ପବନର ଚାପ ପ୍ରତ୍ୟକ୍ଷ ଭାବରେ ପଡିଲେ ଉଲମ୍ଫନ କ୍ରିୟା ସୃଷ୍ଟି ହୋଇଥାଏ । ଏହି ହେତୁ କଣିକାଟି ଉପରକୁ ଉଠିଯାଇଥାଏ । ଉଲମ୍ଫଣ ହେତୁ ୦.୧ ରୁ ୦.୧୫ ମିଲିମିଟର ବ୍ୟାସ ବିଶିଷ୍ଟ ମୃତ୍ତିକା କଣିକା ସ୍ଥାନାନ୍ତରିତ ହୋଇଥାଏ ।
ଉଲମ୍ଫନ ହେତୁ ଉପରକୁ ଉଠି ଯାଉଥିବା କଣିକା ଗୁଡିକ ମଧ୍ୟରୁ ଅତିକ୍ଷୁଦ୍ର ଓ ହାଲୁକା କଣିକା ଗୁଡିକ ଭୂମିର ଉପର ଭାଗରେ ଝୁଲିବା ଭଳି ଭାସି ବୁଲନ୍ତି । ଏହି କଣିକା ଗୁଡିକର ଗତି ପବନର ଗତି ଓ ବେଗ ଉପରେ ନିର୍ଭର କରେ । ଉପର ସ୍ତରର ବେଗ ବେଶି ହେଲେ ଏହି କଣିକା ଗୁଡିକ ବହୁତ ଦୂର ଉଡିଯାଆନ୍ତି ।
କଣିକା ଗୁଡିକର ବ୍ୟାସ ୦.୫ ରୁ ୧.୦ ମିଲିମିଟର ହେଲେ ଏଗୁଡିକ ଉଲମ୍ଫନ ହେତୁ ବେଶି ଉପରକୁ ଉଠି ଯାଆନ୍ତି ନାହିଁ । କେବଳ ମାଟି ସ୍ତର ଉପରେ ଘଷି ହୋଇ ଗୁରୁଣ୍ଡି ଗୁରୁଣ୍ଡି ଚାଲିଲା ଭଳି ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଉଡିଯାଆନ୍ତି । ଏହାକୁ ପୃଷ୍ଠ ସର୍ପଣ ଗତି କୁହାଯାଏ । ପବନ ଦ୍ଵାରା କ୍ଷୟ ହେଉଥିବା ମୃତ୍ତିକାର ୯୦ ଭାଗ କଣିକା ଭୂମି ପତନର ପ୍ରାୟ ୩୦ ସେଣ୍ଟିମିଟର ଉଚ୍ଚ ଭିତରେ ଏବଂ ୫୦ ଭାଗ ୫ ସେଣ୍ଟିମିଟର ଉଚ୍ଚତା ଭିତରେ ଉଡିଯାଇଥାଆନ୍ତି । ଏଣୁ ଉଲମ୍ଫନ ପ୍ରକ୍ରିୟା ବନ୍ଦ ବା ହ୍ରାସ କରାଗଲେ ପବନ ହେତୁ ମୃତ୍ତିକା କ୍ଷୟ ଅବରୋଧ କରାଯାଇ ପାରିବ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 8/9/2019