ଉପକ୍ରମ
ପରିବେଶ କହିଲେ ଆମେ ଚତୁଃପାର୍ଶ୍ଵସ୍ଥ ଅବସ୍ଥା ବା ଉପାଦାନ ଯାହା ଆମର କାର୍ଯ୍ୟକଳାପ ଉପରେ ବହୁଳ ଭାବରେ ପ୍ରଭାବିତ କରେ । ଏହି ପରିବେଷ୍ଟନୀ କେତେକ ନିର୍ଜୀବ ଉପାଦାନକୁ ନେଇ ଗଠିତ । ଏହା ପ୍ରକୃତିଗତ ଉପାଦାନ ଯଥା – ମାଟି, ଜଳ, ଆଲୋକ ଶକ୍ତି, ତାପ, କୁହୁଡି ଇତ୍ୟାଦି । ପରିବେଶର ଏହି ଉପାଦାନଗୁଡିକ ସହିତ ବ୍ୟକ୍ତିର ଜୀବନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସଂଶ୍ଲିଷ୍ଟ । ବ୍ୟକ୍ତିର କାର୍ଯ୍ୟକଳାପ ମଧ୍ୟ ତାର ନିଜ ପରିବେଶରେ ପରିବର୍ତ୍ତନକୁ ପ୍ରଭାବିତ କରେ । ପରିବେଶର ସମ୍ପୂର୍ଣ୍ଣ ସତା ପ୍ରାକୃତିକ, ସାମାଜିକ ଏବଂ ମାନବ ସମ୍ବଳକୁ ନେଇ ଗଠିତ । ଆମ ଚତୁପାର୍ଶ୍ୱରେ ଥିବା ବୃକ୍ଷଲତା, ପାହାଡ, ପର୍ବତ, ନଦୀ, ବଣ, ଜଙ୍ଗଲ, ଘରଦ୍ଵାର ଓ ଝରଣା, କଳକାରଖାନା ଓ ବିଭିନ୍ନ ଜୀବଜନ୍ତୁଙ୍କୁ ନେଇ ଆମର ପରିବେଶ ଗଠିତ । ଏହି ପରିବେଶର ଉପାଦାନଗୁଡିକ ମୁଖ୍ୟତଃ ସଜୀବ ଓ ନିର୍ଜୀବ ଉପାଦାନରେ ଗଢା । ସଜୀବ ଉପାଦାନ କହିଲେ ପରିବେଶ ମଧ୍ୟରେ ଉତ୍ପାଦନକାରୀ, ସଂରକ୍ଷକ, ସାମାଜିକ ବିଶ୍ଳେଷକ, ପରିବର୍ତ୍ତନ ଇତ୍ୟାଦିକୁ ବୁଝାଏ । ପରିବେଶ ମଣିଷକୁ ସୃଷ୍ଟିକରେ, ଲାଳନପାଳନ କରି ଓ ନିରାପତା ଦିଏ । ଦାର୍ଶନିକଠାରୁ ଆରମ୍ଭକରି ବୈଜ୍ଞାନିକପର୍ଯ୍ୟନ୍ତ ସମସ୍ତେ ବ୍ୟକ୍ତିର ସୁଖସମୃଦ୍ଧି ପାଇଁ ତାର ପରିବେଶକୁ ଦାୟୀ କରିଥାନ୍ତି । ସାଧାରଣ କଥାରେ ପରିବେଶ କହିଲେ ଆମ ଚାରିପାଖର ସବୁ ଜିନିଷ ଓ ଅବସ୍ଥାକୁ ବୁଝାଏ । ବିବର୍ତନବାଦର ବହୁ ସୋପାନ ଅତିକ୍ରମ କୃ ମନୁଷ୍ୟ ଆଜି ସଭ୍ୟ ଓ ଶିକ୍ଷିତ ହୋଇପାରିଛି । ଏହି ସଭ୍ୟ ଓ ଶିକ୍ଷିତ ହେବାମୂଳରେ ବିଜ୍ଞାନର ଅବଦାନକୁ ସ୍ଵୀକାର କରିବାକୁ ହେବ । ସାଂପ୍ରତିକ କାଳରେ ମନୁଷ୍ୟ ଯେତିକି ସୁଖସ୍ଵାଚ୍ଛନ୍ଦ୍ୟରେ ରହୁଛି ତାଠାରୁ ଅଧିକ ସଙ୍କଟ ଅବସ୍ଥାରେ ବଞ୍ଚୁଛି । ଏହି ସଙ୍କଟ ଗୁଡିକ ମଧ୍ୟରେ ଶିଳ୍ପର ପ୍ରସାର, ଜନସଂଖ୍ୟା ବିସ୍ଫୋରଣ, କୀଟନାଶକ ଔଷଧ, ଅରଣ୍ୟ ସଂପଦ କ୍ଷୟ ଓ ବୈଜ୍ଞାନିକ ପରୀକ୍ଷା ପ୍ରଭୃତି ଅନ୍ତର୍ଭୁକ୍ତ । ଆମ ବାୟୁମଣ୍ଡଳ ଧିରେ ଧିରେ ଏହି ପ୍ରଦୂଷଣ ଯୋଗୁ କ୍ଷତିଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ମଣିଷ ଏହି ବାୟୁ ସେବନ କରି ଜୀବନକୁ ସଙ୍କଟମୟ କରୁଛି । ତେଣୁ ପରିବେଶକୁ ପ୍ରଦୂଷଣ ମୁକ୍ତ କରି ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଜନସଚେତନତା ଲୋଡା ।
ପ୍ରଦୂଷଣ ପ୍ରଭାବକୁ ହ୍ରାସ କରିବା ପାଇଁ ଦୃଢ ଜନମତ ଆବଶ୍ୟକ । ଆବାଳବୃଦ୍ଧ ବନିତା ସୁସ୍ଥ ପରିବେଶ ପାଇଁ ଜନମତ କରିବା ଉଚିତ । ମାନବ ସମାଜକୁ ଆସନ୍ନ ମୃତ୍ୟୁ କବଳରୁ ରକ୍ଷା କରିବା ପାଇଁ ପରିବେଶର ସୁରକ୍ଷା ସର୍ବାଦୌ କରଣୀୟ । ଏଥିପାଇଁ ନାନାବିଧି ପଦକ୍ଷେପ ଗ୍ରହଣ କରିବା ଉଚିତ୍ ।
ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ
- ଜନମତ ସୃଷ୍ଟି କରିବା ପାଇଁ ସରକାର ତଥା ବେସରକାରୀ ଉଦ୍ୟମ ଅବ୍ୟାହତ ରହିବା ଉଚିତ୍ । ପରିବେଶର ଉପଯୁକ୍ତ ସୁରକ୍ଷା ଓ ଉନ୍ନତି କଳ୍ପେ ବିଭିନ୍ନ କାର୍ମଶାଳା, ପଦଯାତ୍ରା ଓ ଆଲୋଚନା ଚକ୍ର ପ୍ରଭୃତି ଅନୁଷ୍ଠିତ ହେବା ଦରକାର ।
- ପରିବେଶ ସଂରକ୍ଷଣ ଓ ବୃକ୍ଷରାଜୀ ମଧ୍ୟରେ ସମ୍ପର୍କ ରହିଛି । ଆମେ ଜାଣିଥିଲୁ “ଜଳ ହିଁ ଜୀବନ” । ଏବେ ତା’ ସାଙ୍ଗକୁ “ବୃକ୍ଷ ହିଁ ଜୀବନ” କୁହାଯାଉଛି । ତେଣୁ ଗୋଟିଏ ବୃକ୍ଷ, ଗୋଟିଏ ଜୀବନର ଦ୍ଵାହି ଦେଇ ଆମ୍ଭେ ବୃକ୍ଷରୋପଣ କରିବା ଉଚିତ । ବୃକ୍ଷ ନ ରହିଲେ ପ୍ରାଣୀ ମୁହୂର୍ତ୍ତେ ବଞ୍ଚିପାରିବେ ନାହିଁ । ବାୟୁରେ ମିଶିଥିବାଅମ୍ଳଜାନକୁ ଆମେ ଶ୍ଵାସକ୍ରିୟା ଦ୍ଵାରା ଦେହ ଭିତରକୁ ନେଇ ବଞ୍ଚିରହୁ । ଏହି ଅମ୍ଳଜାନକୁ ବୃକ୍ଷ ହିଁ ତିଆରି କରେ ।
- ସାମାଜିକ ବନୀକରଣ ଅବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଉଚିତ । ବନ୍ୟ ସମ୍ପଦ ଯେପରି କ୍ଷୟ ନହୁଏ ସେଥିପାଇଁ ବ୍ୟବସ୍ଥା ହେବା ଦରକାର । ଅନ୍ଧ ଭାବରେ ବୃକ୍ଷ ଛେଦନ ଏକ ଧର୍ତବ୍ୟ ଅପରାଧ ହେବା ଉଚିତ୍ ।
- ପାଠ୍ୟପୁସ୍ତକ ଓ ବିଭିନ୍ନ ପତ୍ରପତ୍ରିକାରେ ପରିବେଶ ପ୍ରଦୂଷଣର ଭୟାବହତା ଓ ପ୍ରତିକାର ସମ୍ପର୍କରେ ପ୍ରବନ୍ଧମନ ସ୍ଥାନ ପାଇବା ଉଚିତ୍ ।
- ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଥିବା ବିଭିନ୍ନ ସ୍ଵେଚ୍ଛାସେବି ଅନୁଷ୍ଠାନ ଗୁଡିକୁ ସରକାରୀ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ଦରକାର । ଏହି ସ୍ଵେଚ୍ଛାସେବି ଅନୁଷ୍ଠାନ ଗ୍ରାମାଞ୍ଚଳରେ ବିଭିନ୍ନ କାର୍ମଶାଳା, ବକ୍ତୃତା ଓ ଚିତ୍ରାଙ୍କନ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିବା ଉଚିତ୍ ।
- ଆମ ପରିବେଶରେ ଥିବା ଔଷଧୀୟ ବୃକ୍ଷ ଗୁଡିକର ସୁରକ୍ଷା ଏକାନ୍ତ ପ୍ରୟୋଜନ । କିନ୍ତୁ ଜଙ୍ଗଲ ଧ୍ଵଂସ ପାଇଯାଉଥିବାରୁ ଅନେକ ଦୂସ୍ପ୍ରାପ୍ୟ, ବୃକ୍ଷଲତା, ଗୁଳ୍ମ ପୃଥିବୀ ପୃଷ୍ଠରୁ ଲୋପ ପାଇଲାଣି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଙ୍ଗଲ ମାନବ ସମାଜର ଉପକାର କରିଥାଏ । ନିୟମିତ ବୃଷ୍ଟି ତଥା ମୃତ୍ତିକା ସଂରକ୍ଷଣରେ ଜଙ୍ଗଲ ବିଶେଷ ସହାୟକ ହୋଇଥାଏ । ସୁତରାଂ ବନ୍ୟ ସମ୍ପଦର ସୁରକ୍ଷା ଦେବା ଏକାନ୍ତ ବିଧେୟ ।
- ଜନସଂଖ୍ୟା ବୃଦ୍ଧିକୁ ରୋକିପାରିଲେ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ । ତେଣୁ ପ୍ରତ୍ୟକ ଦମ୍ପତି ଗୋଟିଏ କିମ୍ବା ଦୁଇଟି ସନ୍ତାନ ପାଇଁ ଶପଥ ନେବା ଉଚିତ୍ ।
- ପୋଖରୀ ହୁଡା କିମ୍ବା ନଦୀବନ୍ଧରେ ଝାଡା ନଫେରି ନିଜ ବାଡିରେ ପାଇଖାନା ସ୍ଥାପନ କରି ବ୍ୟବହାର କରିବା ଉଚିତ୍ । ଫଳରେ ପୋଖରୀ ଓ ନଦୀଜଳ ଦୂଷିତରୁ ମୁକ୍ତି ପାଇବ ।
- କଳ ଓ କାରଖାନାର ମାଲିକମାନେ ପର୍ଯ୍ୟାପ୍ତ ପରିମାଣରେ ଗଛ ଲଗାଇବେ ।
- ପରିବେଶର ସୁରକ୍ଷା ହେଉଛି ମଣିଷ ଜାତିର ସୁରକ୍ଷା । ତେଣୁ ଲୋକ ସଚେତନତା ଦରକାର ।
- ବିଭିନ୍ନ ଯାନିଯାତ୍ରା, ବିବାହ, ବ୍ରତ ଓ ଦେବାଦେବୀଙ୍କ ଭଷାଣୀ ଶୋଭାଯାତ୍ରାରେ ବ୍ୟବହାର କରାଯାଉଥିବା ଡାକବାଜି ଯନ୍ତ୍ରର ଶବ୍ଦକୁ ନିୟନ୍ତ୍ରଣ କରିବା । ଆତସବାଜି ଫୁଟାଯିବାରେ ନିୟନ୍ତ୍ରଣ ରକ୍ଷା କରିବା ।
- ଯଥା ସମ୍ଭବ ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ନିୟନ୍ତ୍ରଣ କରିବା । ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନକୁ ବାହାରେ ଏଣେ ତେଣେ ନ ଫୋପାଡି ତାହାକୁ ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ପୋଡିବା ବା ପୋତିବା ଉଚିତ୍ ।
- ମନୁଷ୍ୟ ଓ ଗୃହପାଳିତ ପଶୁ ପକ୍ଷୀ ଏବଂ ବୁଲା ଷଣ୍ଢ, କୁକୁର ଇତ୍ୟାଦି ମୃତଦେହକୁ ନ ଫୋଫାଡି ପୋତିବା ବା ପୋଡିବା ଉଚିତ୍ ।
ସଂଗୃହୀତ – ପ୍ରଫୁଲ୍ଲ କୁମାର ମହାପାତ୍ର