୧୯୬୯ ରେ ଜନ୍ ମ୍ୟାକ କନେଲ ସାନ୍ ଫ୍ରାନସିସ୍ କୋ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ୟୁନୋସ୍କୋ ସମ୍ମିଳନୀରେ ‘ ଧରିତ୍ରୀ ଦିବସ ’ ର ପ୍ରସ୍ତାବ ଦେଇଥିଲେ ୧୯୭୦ ଅପ୍ରେଲ ୨୨ ରେ ପ୍ରାୟ ୨୦ ଲକ୍ଷ ଆମେରିକାବାସୀଙ୍କୁ ନେଇ ପ୍ରଥମ ବିଶ୍ଵ ଧରିତ୍ରୀ ଦିବସ ପାଳନ କରାଯାଇଥିଲା । ଏହାପରଠାରୁ ପ୍ରତିବର୍ଷ ଏହି ଦିବସଟି ସାରା ପୃଥିବୀରେ ପାଳିତ ହୋଇଆସୁଛି ।
ଚଳିତବର୍ଷ ଏହି ଉପଲକ୍ଷେ ବିଷୟବସ୍ତୁ ଭାବରେ ‘ ପରିବେଶ ଏବଂ ଜଳବାୟୁ ସାକ୍ଷରତା ’ ରଖାଯାଇଛି । ସାଧାରଣତଃ ଶିକ୍ଷିତ ମନୁଷ୍ୟ ଭଲ ମନ୍ଦ ବା ଠିକ୍ ଭୁଲର ବିଚାର କରିପାରେ ବର୍ତ୍ତମାନ କମ୍ପ୍ୟୁଟର ଜ୍ଞାନକୌଶଳ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଜଳବାୟୁ ସମ୍ବନ୍ଧୀୟ ତଥ୍ୟ ଆମେ ପାଇପାରୁଛେ । ଝଡବାତ୍ୟାର ପ୍ରାକ ସୂଚନା ମିଳିବା ଦ୍ଵାରା ଧନଜୀବନ ରକ୍ଷା କରାଯାଇପାରୁଛି । ବର୍ତ୍ତମାନ ପରିବେଶ ଶିକ୍ଷାର ଆବଶ୍ୟକତା ବହୁତ ଜରୁରୀ ହୋଇପଡିଛି । ଏହି ଶିକ୍ଷାର ବୈଜ୍ଞାନିକ ଦୃଷ୍ଟିକୋଣ ଅତ୍ୟନ୍ତ ସୁଦୂର ପ୍ରସାରୀ । ପରିବେଶ ଶିକ୍ଷାର ଗୁରୁତ୍ଵ ଠିକ୍ ଭାବରେ ଉପସ୍ଥାପିତ କରାଗଲେ ଓ ସମସ୍ତଙ୍କର ହୃଦୟଙ୍ଗମ ହେଲେ ଏହାର ପ୍ରକୃତ ମୂଲ୍ୟ ସମଗ୍ର ବିଶ୍ଵ ସୁରକ୍ଷାରେ ଏକକ ଅବଦାନ ହେବା ସହିତ ବିଶ୍ଵକୁ ସୁସ୍ଥ ରଖିବ । ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପ ଯୋଗୁ ଆଜି ପରିବେଶ ବିପର୍ଯ୍ୟସ୍ତ ଏବଂ ଜଳବାୟୁ ପରିବର୍ତ୍ତନ ଏହାର ପରିଣାମ ସ୍ୱରୂପ ପରିଲକ୍ଷିତ ହେଉଛି । ଜୀବାଶ୍ମ ଇନ୍ଧନର ଦହନ , ଜଙ୍ଗଲ କ୍ଷୟ , ବ୍ୟାପକ ଶିଳ୍ପାୟନ ଓ ସହରୀକରଣ ଦ୍ଵାରା ଅତ୍ୟଧିକ ପରିମାଣରେ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରେ ପ୍ରବେଶ କରୁଛି । ଋତୁଗୁଡିକର ଆଗମନ ଠିକ୍ ସମୟରେ ହେଉନାହିଁ । ମାଘମାସର ବାଘ ପରି ଶୀତ ଆଉ ନାହିଁ । ବସନ୍ତ ଋତୁ ପ୍ରାୟତଃ ଅନୁଭବ କରିହେଉ ନାହିଁ । ଜଳବାୟୁ ପରିବର୍ତନର ପ୍ରଭାବରେ ଅପ୍ରତ୍ୟାଶିତ ଭାବେ ଅଧିକ ଗରମ ଅନୁଭୂତ ହେଉଛି ଏବଂ ଅଧିକ ତୁଷାରପାତ ମଧ୍ୟ ହେଉଛି । ଗବେଷଣାରୁ ଏହା ଜଣାଯାଏ ଯେ , ତାପମାତ୍ରା ବୃଦ୍ଧିକୁ ରୋକା ନ ଗଲେ ଏହା ୧.୪ ଡିଗ୍ରୀରୁ ୫.୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇ ପୃଥିବୀର ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିବ । ତାପମାତ୍ରା ବୃଦ୍ଧି ଘଟିଲେ ବରଫ ତରଳି ସମୁଦ୍ର ପତନର ଉଚ୍ଚତା ବୃଦ୍ଧି ପାଇବ । ଏହାଦ୍ଵାରା ଅନେକ ସ୍ଥଳ ଭାଗ ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ବର୍ଷାର ଅନିୟମିତତା ମଧ୍ୟ ଜଳବାୟୁ ପରିବର୍ତ୍ତନର ଅନ୍ୟ ଏକ କାରଣ । ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶୁଦ୍ଧ ପାନୀୟ ଜଳ , ସୁଷମ ଖାଦ୍ୟ , ବାସସ୍ଥଳ ଓ ଉତ୍ତମ ସାମାଜିକ ଅବସ୍ଥା ପ୍ରଭାବିତ ହେବ । ଏହାଦ୍ଵାରା ସ୍ୱାସ୍ଥ୍ୟଗତ ସମସ୍ୟା , ଅକାଳ ବାର୍ଦ୍ଧକ୍ୟ ଓ ଅକାଳ ମୃତ୍ୟୁ ବୃଦ୍ଧି ପାଇବ । ପୃଥିବୀ ପୃଷ୍ଠର ଶତକଡା ୭୦ ଭାଗ ସମୁଦ୍ର । ତେଣୁ ଜଳବାୟୁ ଉପରେ ସମୁଦ୍ରର ନିୟନ୍ତ୍ରଣ ବା ପ୍ରଭାବ ନିଶ୍ଚିତ ଭାବେ ଅଧିକ । ସମୁଦ୍ର ଜଳ ବାୟୁମଣ୍ଡଳରୁ ଉତ୍ତାପ ଓ ଅଙ୍ଗାରକାମ୍ଳ ବାଷ୍ପ ଶୋଷି ନେଇଥାଏ । ବାଯୁମଣ୍ଡଳରେ ସବୁଜ ଗୃହ ବାଷ୍ପ ଅଙ୍ଗାରକାମ୍ଳ ଅଧିକ ହେବା ଦ୍ଵାରା ସମୁଦ୍ର ଜଳର ଅମ୍ଳତ୍ଵ ବୃଦ୍ଧି ପାଉଛି । ଏହାର ପ୍ରଭାବ ସାମୁଦ୍ରିକ ଜୀବଜଗତ ଉପରେ ପଡୁଛି । ୧୯୮୮ ରେ ଜଳବାୟୁ ପରିବର୍ତ୍ତନକୁ ବିଶେଷ ଅନୁଧ୍ୟାନ କରିବା ପାଇଁ ଆନ୍ତଃ – ସରକାରୀ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ କମିଟି ଆଇ.ପି.ସି.ସି. ଗଠିତ ହୋଇଥିଲା । ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହ୍ରାସ କରିବା ପାଇଁ ଏହି କମିଟି ପ୍ରସ୍ତାବ ଦେଇଛି । ବର୍ତ୍ତମାନ ଜୀବାଶ୍ମ ଇନ୍ଧନର ବିକଳ୍ପ ସକାଶେ ଗୁରୁତ୍ଵ ଦିଆଯାଉଛି । ଅଧିକ ସଂଖ୍ୟାରେ ବୃକ୍ଷରୋପଣ କରି ପୃଥିବୀର ଉତ୍ତାପକୁ ହ୍ରାସ କରାଯାଇପାରିବ । ପୃଥିବୀ ପୃଷ୍ଠର ଜଳବାୟୁ ସାଧାରଣତଃ ସୂର୍ଯ୍ୟ , ସମୁଦ୍ର , ବାଯୁମଣ୍ଡଳ , ମେଘ , ବରଫ ଜଙ୍ଗଲ , ଜମି ଏବଂ ଜୀବନ ଦ୍ଵାରା ପ୍ରଭାବିତ ହୋଇଥାଏ । ଏସବୁ ମଧ୍ୟରେ ସମତୁଲତା ରକ୍ଷା କରିବା ଜରୁରୀ । ଜନସାଧାରଣ ଏଥିପ୍ରତି ସଚେତନ ହୋଇ ତାପମାତ୍ରା ବୃଦ୍ଧିକୁ ରୋକିବା ସହିତ ଜଳବାୟୁ ପରିବର୍ତ୍ତନ ପ୍ରତି ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।
ସଂଗୃହିତ :ଡ. ମାନସ ରଞ୍ଜନ ସେନାପତି
Last Modified : 1/26/2020