ଉପକ୍ରମ
ପଶୁ, ପକ୍ଷୀ, କୀଟପତଙ୍ଗ, ମାଛ, କଇଁଛ, କୁମ୍ଭୀର, ସାପ, ବେଙ୍ଗ, ଜୋକ, ଅଣୁଜୀବ ଇତ୍ୟାଦି ଜିନଜନ୍ତୁ ମାନଙ୍କୁ ବନ୍ୟ ପ୍ରାଣୀ ରୂପେ ବିଚାର କରାଯାଏ । ଏମାନେ ଜୈବ ମଣ୍ଡଳରେ ଏକ ଜୈବ ବିବିଧତା ସୃଷ୍ଟି କରିଥା’ନ୍ତି । ପ୍ରାକୃତିକ ଉଦ୍ଭିଦ ଓ ଅରଣ୍ୟ ସମ୍ବଳ ପରି ଏହା ଏକ ମୁଲ୍ୟବାନ ସମ୍ବଳ ଏହା ମଧ୍ୟ ଅସରନ୍ତି ବା ଅକ୍ଷୟ ସମ୍ବଳର ଅନ୍ତର୍ଗତ । ପରିସଂସ୍ଥାରେ ସନ୍ତୁଳନ ରକ୍ଷା କରିବା ପାଇଁ ବିଭିନ୍ନ ଅଜୈବିକ ପରିବେଶ ସହ ପ୍ରାକୃତିକ ଉଦ୍ଭିଦ ସହିତ ମିଶି ନାନା ପ୍ରକାରର ପୋଷକ ଚକ୍ର, ଶକ୍ତିପ୍ରବାହ, ଖାଦ୍ୟ ଶୃଙ୍ଖଳା, ଖାଦ୍ୟଜାଲି, ପ୍ରଭୃତି ମାଧ୍ୟମରେ ଏକ ଜୈବ ବିବିଧତା ଗଠନ କରିଥା’ନ୍ତି । ଏଗୁଡିକ ଜୈବ ପିରାମିଡ ମାଧ୍ୟମରେ ପରିସଂସ୍ଥାରେ ଶକ୍ତିପ୍ରବାହ, ଉତ୍ପାଦିକତା, ସ୍ଵଚ୍ଛତା ତଥା ସନ୍ତୁଳନ ରକ୍ଷା କରିଥା’ନ୍ତି ।
ବନ୍ୟପ୍ରାଣୀ ପ୍ରକାର
ଖାଦ୍ୟ ଶୃଙ୍ଖଳା, ଓ ଖାଦ୍ୟସ୍ତର ଅନୁସାରେ ପରିସଂସ୍ଥିୟ ଜୀବୀୟ ଉପାଦନ କେବଳ ଜୀବନ୍ତ ପ୍ରାଣୀ ଓ ଉଦ୍ଭିଦକୁ ନେଇ ଗଠିତ । ସବୁଜ ଉଦ୍ଭିଦଗୁଡିକ ସର୍ବଦା ସ୍ଵପୋଷୀ ବା ସ୍ଵଭୋଜୀ ବା ସ୍ଵୟଂପୁଷ୍ଟ । ଏମାନଙ୍କୁ ଉତ୍ପାଦକ କୁହାଯାଏ । ମାତ୍ର ପ୍ରାଣୀମାନେ ହେଉଛନ୍ତି ପରପୋଷୀ । ଏମାନେ ହେଉଛନ୍ତି ଭକ୍ଷକ । ସେହିପରି ମୃତ ଉଦ୍ଭିଦ ଓ ପ୍ରଣିମାନଙ୍କର ଶରୀରରୁ ଖାଦ୍ୟ ଶୋଷଣ କରି ବଞ୍ଚି ରହୁଥିବା ଅଣୁଜୀବ ( କବକ, ବ୍ୟାକ୍ଟେରିଆ ଇତ୍ୟାଦି )ଙ୍କୁ ଅପଘଟକ କୁହାଯାଏ।
ଖାଦ୍ୟସ୍ତର ଅନୁସାରେ ପ୍ରଣିମାନଙ୍କୁ ଚାରି ପ୍ରକାରରେ ବିଭକ୍ତ କରାଯାଏ । ଯଥା : ଶାକାହାରୀ ବା ତୃଣଭୋଜୀ ବା ପ୍ରାଥମିକ ଭକ୍ଷକ, ମାଂସାହାରୀ ବା ମାଂସାଶୀ ବା ଦ୍ଵିତୀୟକ ଭକ୍ଷକ, ଉଭୟଭୋଜୀ ବା ତୃତୀୟକ ଭକ୍ଷକ ଏବଂ ମୃତୋପଜୀବୀ ବା ମୃତଭୋଜୀ ବା ଅପଘଟକ, ପରପୋଷୀ ଜୀବମାନଙ୍କୁ ସେମାନଙ୍କର ଶରୀରର ଆକାର ଅନୁସାରେ ସୂକ୍ଷ୍ମ ଭକ୍ଷକ ଏବଂ ବୃହତ-ଭକ୍ଷକ ଭାବରେ ମଧ୍ୟ ବିଭକ୍ତ କରାଯାଏ ।
ବନ୍ୟ ସଂପଦର ସୁରକ୍ଷା ଓ ସଂରକ୍ଷଣ
- ପ୍ରାକୃତିକ ସଂପଦ ଗୁଡିକର ପାରସ୍ପରିକ ସନ୍ତୁଳନ ଦ୍ଵାରା ଆମ ପରିବେଶ ସୁରକ୍ଷିତ ରହେ ଓ ସନ୍ତୁଳନ ହୋଇଥାଏ ।
- ଜଙ୍ଗଲ କ୍ଷୟ ଦ୍ଵାରା ବର୍ଷା ଜଳ ସିଧାସଳଖ ମାଟି ଦେହରେ ପତିତ ହୋଇ ମୃତ୍ତିକା କ୍ଷୟ କରି ନିମ୍ନମୁଖୀ ହୋଇ ନଦୀ ଗର୍ଭରେ ମିଶିଥାଏ । ଫଳରେ ମାଟିର ଉର୍ବରତା ନଷ୍ଟ ହେବା ସଂଗେ ସଂଗେ ବନ୍ୟା – ବିତ୍ପାତର ଆଶଙ୍କା ବଢିଯାଏ ।
- ଜଙ୍ଗଲ ସଂପଦ କ୍ଷୟ ହେଲେ ଉଚ୍ଛେଦନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ । ଏହା ଫଳରେ ବୃଷ୍ଟିପାତ ହ୍ରାସ ପାଇ ମରୁଡି ଓ ଅନିୟମିତ ବୃଷ୍ଟିପାତ ହୁଏ । ଯେଉଁ ଅଞ୍ଚଳରେ ଜଙ୍ଗଲ ସଂପଦର ଅଭାବ ପରିଦୃଷ୍ଟି ହୁଏ, ସେଠାରେ ଜଳବାୟୁର ଅନିୟମିତତା ଦେଖାଯାଏ ।
- ବୃକ୍ଷ ଦ୍ଵାରା ବାୟୁ ଓ ଜଳର ନିୟନ୍ତ୍ରଣ ହେବା ସଂଗେ ସଂଗେ ଆମକୁ ଅତୁଳନୀୟ ସୁଖ ଓ ସମୃଦ୍ଧି ମିଳେ ।
- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୋଡୁଚାଷ ବା ଗ୍ରାମାଞ୍ଚଳରେ ଅସାମାଜିକ ବ୍ୟକ୍ତିଙ୍କ ଦ୍ଵାରା ଖରାଦିନେ ଜଙ୍ଗଲରେ ନିଆଁ ଲାଗିବାରୁ ଜଙ୍ଗଲ ନଷ୍ଟ ହେବା ସଙ୍ଗେ ସଙ୍ଗେ ମୃତ୍ତିକା ମଧ୍ୟ କ୍ଷୟ ହୁଏ ଓ ବହୁ ଜୀବ –ଜନ୍ତୁ ଅକାଳରେ ମୃତ୍ୟୁ ବରଣ କରନ୍ତି ଓ ବହୁ ପ୍ରକାର ବିରଳ ଔଷଧୀୟ ବୃକ୍ଷ ଲତା ନଷ୍ଟ ହୋଇଯାଏ ।
- ଜଙ୍ଗଲ ସଂପଦର ହ୍ରାସ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି ଓ ବାୟୁ ପ୍ରଦୂଷଣ ତଥା ତାପମାତ୍ରା ବଢି ବଢି ଚାଲିଛି ।
- ବର୍ତ୍ତମାନ ଯେଉଁ ହାରରେ ବାୟୁ ପ୍ରଦୂଷଣ ବଢି ଚାଲିଛି ଏଥିରୁ ରକ୍ଷା ପାଇବା ପାଇଁ ଏକ ମାତ୍ର ଭରସା ହେଉଛି ପର୍ଯ୍ୟାପ୍ତ ଜଙ୍ଗଲ ସମ୍ପଦ ବୃକ୍ଷ ହେଉଛି ମୌଳିକ ଉତ୍ପାଦନ କାରୀ । ଜୀବନ ରକ୍ଷା କାରୀ ବ୍ୟବସ୍ଥାରେ ଭାରସାମ୍ୟ ରକ୍ଷା କରିବା ପାଇଁ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ।
- ଆମେ ନିଶ୍ଵାସରେ ଛାଡୁଥିବା ଅଙ୍ଗାରକାମ୍ଲ ଓ ଜାନବାହାନ ତଥା କଳକାରଖାନାରୁ ନିର୍ଗତ ଅଙ୍ଗାରକାମ୍ଲ ଆଦି ବିଷାକ୍ତ ବାଷ୍ପ ବୃକ୍ଷ ଶୋଷଣ କରି ଆମକୁ ଜୀବନ ରକ୍ଷା କାରୀ ଅମ୍ଳଜାନ ଦିଏ । ବୃକ୍ଷ କେବଳ ଯେ ପ୍ରଦୂଷଣକୁ ଛାଣି ବାୟୁକୁ ବିଶୁଦ୍ଧ କରେ ତା’ ନୁହେଁ, ବୃକ୍ଷ ସମ୍ପଦ ଭୂତଳ ଜଳର ସ୍ତର ବଢିବାରେ ମଧ୍ୟ ସାହାଜ୍ୟ କରେ ।
- ଜଙ୍ଗଲ ସମ୍ପଦ ଆମର ଅର୍ଥନୈତିକ ଜୀବନକୁ ମଧ୍ୟ ସମୃଦ୍ଧ ଓ ଋଦ୍ଧିମନ୍ତ୍ର କରେ କାରଣ ଜଙ୍ଗଲରେ ଜାଳେଣିକାଠ, ମୂଲ୍ୟବାନ କାଠ, ଔଷଧୀୟ ବୃକ୍ଷ ସହ ଲଘୁବନଜାତ ଦ୍ରବ୍ୟ ଭରପୁର ହୋଇଥାଏ ।
- ଉପକୂଳବର୍ତ୍ତୀ ଅଞ୍ଚଳର ଝାଉଁ ଜଙ୍ଗଲ ବନ୍ୟା ଓ ବାତ୍ୟାକୁ ପ୍ରତିହତ କରିଥାଏ । ସେହିପରି ସନ୍ତସନ୍ତିଆ ଓ ନଦୀ ମୁହାଣ ଅଞ୍ଚଳରେ ଜୁଆରିଆ ଅରଣ୍ୟ ବା ହେନ୍ତାଳ ବଣ ବନ୍ୟା ନିୟନ୍ତ୍ରଣ ସହ ପରିବେଶ ସନ୍ତୁଳନ କରିଥାଏ ଏବଂ ବହୁ ପ୍ରକାର ବଣ୍ୟ ପ୍ରାଣୀ ଯଥା କୁମ୍ଭୀର, ଅଲିଭ ରିଡ଼ଲେ, କଙ୍କଡା ଓ ନାନା ପ୍ରକାର ସରୀସୃପ ଆଦିର ପ୍ରାଣୀର ଏହା ଉତ୍କୃଷ୍ଟ ସ୍ଥାନ ।
- ବନ ସଂରକ୍ଷଣ ସମିତି ଓ ଗ୍ରାମ୍ୟ ବନ ସୁରକ୍ଷା ସମିତିମାନ ଗଢି ବନସଂପଦକୁ ସୁରକ୍ଷା ଦେବା ଓ ବନ ସମ୍ପଦର ସଂରକ୍ଷଣ କରିବା ତଥା ନୂତନ ଜଙ୍ଗଲ ସୃଷ୍ଟି କରିବା ଦ୍ଵାରା ହିଁ ମଣିଷ ଓ ଜୀବନଗତ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବ । ସେଥିପାଇଁ ନଇପଠା, ନଈକୁଳ, ରାସ୍ତାକଡ, କେନାଲ ଡିହ, ଶ୍ମଶାନ ଭୂଇଁ, ଅନାବାଦି ଓ ଗୋଚର ଆଦି ଜମିରେ ବନୀକରଣ ପାଇଁ ସମସ୍ତଙ୍କର ନିଷ୍ଠା ଆନ୍ତରିକତା ଓ ସହଯୋଗର ଆବଶ୍ୟକତା ଅଛି ।
ଆଧାର - ଜୀବନ ଦର୍ପଣ