ମୃତ୍ତିକା କ୍ଷୟର କାରଣ ଜାଣିବା ପରେ ମୃତ୍ତିକା ସଂରକ୍ଷଣ ପାଇଁ ଉପାୟ ସ୍ଥିର କରିବା ସହଜ । କାରକ ଗୁଡିକର ପ୍ରଭାବ ହ୍ରାସ କରିବା ଓ ଆବଶ୍ୟକ ସ୍ଥଳେ ସେଗୁଡିକୁ ନିଷ୍କ୍ରିୟ କରିଦେବା ଆବଶ୍ୟକ । ଏହି ଉପାୟଗୁଡିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ ।
ସମପତନ ଚାଷ
ପାହାଡିଆ ଅଞ୍ଚଳରେ ଜମିର ଢାଲୁ ପରିମାଣ ବେଶି । କୌଣସି ନିର୍ଦ୍ଧିଷ୍ଟ ପତନଠାରୁ ଏକା ଉଚ୍ଚତା ବିଶିଷ୍ଟ ଜାଗା ଗୁଡିକୁ ସମପତନ ଜାଗା ବୋଲି କୁହାଯାଏ । ଏହି ସମପତନ ଜାଗାଗୁଡିକୁ ଯୋଗକରି ରେଖାଗୁଡିକୁ ସମପତନ ରେଖା କୁହାଯାଏ । ପାହାଡ ଢାଲୁରେ ସମପତନ ଚାଷ ଆବଶ୍ୟକ । ଏଠି ଛୋଟ ସରୁ ଓ ଗୋଜି ଲଙ୍ଗଳରେ ଚାଷ କରାଯାଏ । ପାହାଡ ଉପରୁ ତଳକୁ ସରୁ ସରୁ ବେରହା କରି ଛାଡିଦେଲେ ପାଣି ଶୀଘ୍ର ତଳକୁ ବୋହି ଆସେ । ପାରି ସଙ୍ଗରେ ବହୁତ ମାଟି ତଳକୁ ବୋହି ଆସେ । ପାହାଡ ଢାଲୁ ଜମି କ୍ରମେ ଅନୁର୍ବର ହୋଇଯାଏ । ଏଣୁ ଢାଲୁର ବିପରୀତ ଦିଗରେ ଚାଷ କଲେ ବେରହା ଦୁଇ ସିଆର ମଝିରେ ପାଣି ଅଟକି ଯାଏ । ତଳକୁ ଭେଦିବାକୁ ସମୟ ପାଏ । ଜମିରେ ପାଣି ପ୍ରାୟ ସମାନ ଭାବରେ ବାନ୍ତି ହୋଇ ରହିଯାଏ । ଫସଲ ମରୁଡି ହେତୁ ଶୀଘ୍ର ମରେ ନାହିଁ । ମାଟି ମଧ୍ୟ ଧୋଇଯାଏ ନାହିଁ ।
ଢାଲୁ ଜମିରେ ଗଛ ମଧ୍ୟ ଏହିପରି ଲଗାଇବା ଉଚିତ୍ । ଗୋଟିଏ ଧାଡି ଗଛ ଲଗାଇବା ପରେ ଦ୍ଵିତୀୟ ଧାଡିର ପ୍ରତ୍ୟକ ଗଛ ପ୍ରଥମ ଧାଡିର ଦୁଇ ଗଛ ମଝିରେ ରହିବା ଆବଶ୍ୟକ । ଏହାଦ୍ୱାରା ପ୍ରଥମ ଧାଡିର ଦୁଇ ଗଛ ମଧ୍ୟରେ ବହି ଯାଉଥିବା ପାଣି ୨ୟ ଧାଡିର ଗଛରେ ବାଧାପାଇ ଦୁଇପଟକୁ ବଙ୍କେଇ ଯିବ , ଶୀଘ୍ର ବୋହିଯିବ ନାହିଁ । ଏଣୁ ମାଟି ମଧ୍ୟ ଅଟକି ଯିବ । ଜମିର ଢାଲୁ ପରିମାଣ ଶତକଡା ୧-୨ ଭାଗ ହୋଇଥିଲେ ସମପତନ ଚାଷଦ୍ଵାରା ମୃତ୍ତିକା ସଂରକ୍ଷଣ ସହଜରେ କରାଯାଇ ପାରିବ । ଚାଷର ଶେଷ ଓଡ ଢାଲୁର ବିପରୀତ ଦିଗରେ ହେବା ଉଚିତ୍ ।
ଆବରଣୀ ଫସଲ
ଖାଲି ପଡିଆ ଜମିରେ ବର୍ଷା ହେଲେ ବେଶି ପାଣି ବହିଯାଏ । ଓଡେ ଦି’ଓଡ ଚାଷ କରାଯାଉଥିବା ପଡିଆ ଜମିରେ ସେତିକି ବର୍ଷାରେ କିନ୍ତୁ କମ୍ ପାଣି ବୋହିଯାଏ । ମାଟି ମଧ୍ୟ କମ୍ ବୋହିଯାଏ । ଯେ କୌଣସି ପ୍ରକାର ଫସଲଟିଏ ଥିଲେ ପାଣି ଓ ମାଟି ଆହୁରି କମ୍ ବହିଯାଏ । ମାଟିକୁ ଫସଲ ଚେର ଜାବୁଡି ଧରେ । ଫସଲ ଉପରେ ପାଣି ପଡି କ୍ରମେ ତଳକୁ ଭେଦିଲେ ତାର କ୍ଷୟ ଶକ୍ତି ହ୍ରାସ ପାଇଥାଏ । ପାଣି ଥିବା ହେତୁ ଚେର ବହୁତ ତଳକୁ ଯାଇ ଫସଲ ଗଛକୁ ଟାଣ କରି ରଖେ ଓ ଅଧିକ ପରିମାଣ ଉପାଦାନ ଯୋଗାଇଥାଏ । ଏଣୁ ମୃତ୍ତିକା କ୍ଷୟ ହ୍ରାସ ପାଇବା ପାଇଁ କିଆରୀରେ କିଛି ଫସଲ ରହିବା ଆବଶ୍ୟକ । ଧନ କାଟିସାରି ବଡ ବଡ ନଡାମୂଳ ମଧ୍ୟ ରଖିଲେ ମୃତ୍ତିକା କ୍ଷୟ ହ୍ରାସ ପାଇଥାଏ । ଧାନ ପରେ ମୁଗ, ବିରି, କୋଳଥ, ସୋରିଷ ଇତ୍ୟାଦି ଦ୍ଵିତୀୟ ଫସଲ ନେଲେ କିଆରୀରୁ ମୃତ୍ତିକା ନଷ୍ଟ ହ୍ରାସ ପାଇଥାଏ ।
ପଟି ପଟି ଫସଲ ଚାଷ
ଢାଲୁ ଜମିରେ ପଟି ପଟି ଫସଲ ଚାଷ କରିବା ଉଚିତ୍ । ଏହା ଫସଲ ପର୍ଯ୍ୟାୟର ଅନ୍ୟ ଏକ ରୂପ । ପାହାଡ ଢାଲୁରେ ବିଭିନ୍ନ ପ୍ରକାର ଫସଲ ଯଥା - ମକା, ମାଣ୍ଡିଆ, ଧାନ, ଗୁରୁଜି, ସୁଆଁ, କାଙ୍ଗୁ, କୋଳଥ, ହରଡ, କାନ୍ଦୁଲ,
ପବନ ବେଶି ହେଉଥିବା ଅଞ୍ଚଳରେ ପବନ ବହୁଥିବା ଅଞ୍ଚଳରେ ପବନ ବହୁଥିବା ଦିଗରେ ବିପରୀତ ଦିଗରେ ଫସଲ ଧାଡି ରହିବା ଦରକାର । ଉଦାହରଣ ସ୍ୱରୂପ ଦକ୍ଷିଣା ପବନ ବହୁଥିବା ଅଞ୍ଚଳରେ ଫସଲ ଧାଡି ଗୁଡିକ ପୂର୍ବ ପଶ୍ଚିମ ହୋଇ ରହିବା ଆବଶ୍ୟକ । ପ୍ରଥମ ପଟିରେ ଡେଙ୍ଗା ଗଛ ଓ ପରବର୍ତ୍ତୀ ପଟିରେ ଗେଡା ଗଛ ଫସଲ ରହିବା ଦରକାର । ଏହାଦ୍ଵାରା ପବନର ବେଗ ହ୍ରାସ ପାଏ । ମୃତ୍ତିକା କ୍ଷୟ ମଧ୍ୟ ହ୍ରାସ ପାଏ । ଏହାକୁ ବାତ ନିରୋଧୀ ଫସଲ ପଟି କୁହାଯାଏ ।
କେତେକ ଜାଗାରେ ମଝିରେ ମଝିରେ କେତୋଟି ପଟିରେ ଗୋ – ଖାଦ୍ୟ ଉପଯୁକ୍ତ ବହୁବାର୍ଷିକୀ ଫସଲ ଚାଷ କରାଯାଏ । ଅନ୍ୟ ପଟିଗୁଡିକର ପର୍ଯ୍ୟାୟକ୍ରମେ ସାଧାରଣ ସ୍ୱଳ୍ପକାଳୀ ଫସଲ ଚାଷ କରାଯାଏ । ଏହାକୁ ଦୀର୍ଘକାଳୀ ପଟି ଫସଲ କୁହାଯାଏ ।
ଅବରଣୀ ଫସଲ
ବର୍ଷା ହେଲେ ପଡିଆ ଜମିରୁ ବେଶୀ ପାଣି ବହିଯାଏ । କିନ୍ତୁ ଜମିରେ ଫସଲଟିଏ ରହିଥିଲେ ମୃତ୍ତିକା ହ୍ରାସ ପାଇଥାଏ । ଫସଲ ଉପରେ ବର୍ଷା ପଡିବା ହେତୁ ଏହାର କ୍ଷତି କରିବା ଶକ୍ତି କମିଯାଏ । ଚେର ମାଟିକୁ ବାନ୍ଧି ରଖେ । ଉଭୟ ଜଳ ଓ ମୃତ୍ତିକା ହ୍ରାସ ପାଏ । ଏଣୁ ଜମିରେ ଯେ କୌଣସି ପ୍ରକାର ଫସଲ ରଖିବା ଆବଶ୍ୟକ । ଧନିଚା , ଛଣପଟି ବିଭିନ୍ନ ପ୍ରକାର ଘାସ, ବରଗୁଡି , ବେଣା ଏଥିଲାଗି ଉପଯୁକ୍ତ । ବର୍ଷା ଦିନେ ଧନିଚା ଓ ଛଣପଟ , ବରଗୁଡି ଇତ୍ୟାଦି ଚାଷକରି ଏହାକୁ ୨ମାସ ପରେ ମାଟିରେ ମିଶାଇ ପରେ ୨ୟ ଫସଲ ନିଆଯାଇ ପାରିବ ।
ଫୁଲବାଣୀ ଜିଲ୍ଲାରେ ପଦର ଜମିରେ ବର୍ଷା ଦିନେ ଛଣପଟ ଚାଷକରି ଭାଦ୍ରବ ମାସରେ ଏହାକୁ ମାଟିରେ ମିଶାଇ ଏଥିରେ ଅଳସି ଚାଷ ଭଲ ଲାଭଜନକ ହୋଇପାରିଛି । ଏହାଦ୍ୱାରା ମୃତ୍ତିକା ଉର୍ବରତା ବୃଦ୍ଧି ପାଉଛି । ମୃତ୍ତିକା କ୍ଷୟ ହ୍ରାସ ପାଉଛି । ଅଳସି ଅମଳ ମଧ୍ୟ ବୃଦ୍ଧି ପାଉଛି ।
ଛାଦନ
ଜମିକୁ ଖୁସାଖୁସି କରିବା ଦ୍ଵାରା ଉପର ୫-୬ ସେ.ମି. ମାଟି ନରମ ହୋଇଯାଏ । ଅନାବନା ଘାସ ନଷ୍ଟ ହୋଇଯିବା ଦ୍ଵାରା ମାଟିର ଜଳୀୟ ଅଂଶ ଓ ପୁଷ୍ଟି ଉପାଦାନ ଫସଲକୁ ମିଳେ । ବୃଷ୍ଟିଜଳ ସହଜେ ବହିନଯାଇ ମାଟିରେ ଭେଦେ । ଧାଡି ଧାଡି ବୁଣା ବା ଲଗାଯାଇଥିବା ଫସଲରେ ଖୁସା କୋଡା ପରେ ବିଭିନ୍ନ ପ୍ରକାର ପତ୍ର, ନଡା, ଘାସ ବା ଦଳ ବିଛାଇ ଦିଆଯାଏ । ଏଗୁଡ଼ିକୁ ଛାଦନ କୁହାଯାଏ । ଏଗୁଡିକ ଉପର ମାଟିକୁ ଘୋଡାଇ ରଖନ୍ତି । ବାଷ୍ପୀଭବନ ହ୍ରାସ ହେତୁ ଜଳ ସଂରକ୍ଷିତ ହୁଏ । ବର୍ଷା ପାଣି ଧୀରେ ଧୀରେ ମାଟିରେ ଭେଦିବାରୁ ମୃତ୍ତିକା କ୍ଷୟ ହୁଏ ନାହିଁ । ସମୟ କ୍ରମେ ସଢିଗଲେ ମାଟିରେ ମିଶିଯାଇ ଜୈବିକାଂଶ ଓ ପୁଷ୍ଟିସାର ବୃଦ୍ଧିପାଏ ।
ଏବେ କଳା ପ୍ଲାଷ୍ଟିକ କଳା ଛାଦନ ରୂପେ ବିଭିନ୍ନ ପ୍ରକାର ଫସଲରେ ବ୍ୟବହାର କରାଗଲାଣି । ମକା, କପା, ଭେଣ୍ଡି , ବିଲାତି ବାଇଗଣ , ଆଳୁ, ଅମୃତଭଣ୍ଡା, ଆମ୍ବ, ପିଜୁଳି ଇତ୍ୟାଦିରେ ଏହାର ବ୍ୟବହାର ଲାଭଜନକ ବୋଲି ପ୍ରମାଣିତ ହେଲାଣି ।
ମିଶ୍ରିତ ଚାଷ
ଏକାଧିକ ଫସଲ ଗୋଟିଏ ବିଲରେ ଗୋଟିଏ ଋତୁରେ ଚାଷ କରିବାକୁ ମିଶ୍ରିତ ଚାଷ କୁହାଯାଏ । ବିଭିନ୍ନ ଫସଲର ମଞ୍ଜି ଅନୁପାତ କ୍ରମେ ମିଶାଇ ଏକାଠି ବୁଣାଯାଏ ବା ଲଗାଯାଏ । ସେଗୁଡିକର ପାଚିବା ସମୟ ଅନୁସାରେ ବିଭିନ୍ନ ସମୟରେ କଟା ବା ତୋଳା ହୋଇଯାଏ । ଓଡିଶାର ପାର୍ବତ୍ୟ ଅଞ୍ଚଳରେ ୧୦ – ୧୨ ପ୍ରକାର ଫସଲର ମଞ୍ଜି ଏକାଠି କରି ବୁଣାଯାଏ ।
ମିଶ୍ରିତ ଫସଲ ହେତୁ ବିଭିନ୍ନ ଜମି ସମ୍ପୂର୍ଣ୍ଣ ଭାବେ ଆବୃତ୍ତ ହୋଇ ରହେ । ବହୁତ ସମୟ ପାଇଁ ଜମିରେ କିଛି ନା କିଛି ଫସଲ ରହିଥାଏ । ଫସଲ ଅନୁସାରେ ଚେର ବିଭିନ୍ନ ଗଭୀରତାକୁ ଯାଇ ମାଟିକୁ ଟାଣକରି ଧରି ରଖନ୍ତି । ପାଣି ସହଜରେ ବହିଯାଏ ନାହିଁ । ଧୀରେ ଧୀରେ ମାଟିରେ ଭେଦେ । ମୃତ୍ତିକା ଓ ଜଳ ସଂରକ୍ଷିତ ହୁଏ । ଏକାଧିକ ଫସଲ ହେତୁ ମୋଟ ଅମଳ ଓ ଲାଭ ବୃଦ୍ଧି ପାଇଥାଏ । ଉଦାହରଣ :-
ହରଡ + ଧାନ / ଚିନାବାଦାମ/ ବିରି/ ମୁଗ
କପା + ଧାନ / ଚିନାବାଦାମ
ମୃତ୍ତିକା କ୍ଷୟ ଅବରୋଧି ଫସଲ ବର୍ଷା ଦିନେ ଓ ଅନବରୋଧି ଫସଲ ରବି ଓ ଗ୍ରୀଷ୍ମ ଋତୁରେ ଚାଷ କରାଯାଇପାରେ । ବରଗୁଡି , ଗୁଆର, ଡଙ୍ଗରରାଣୀ , ଛଣପଟ ଧନିଚା ଇତ୍ୟାଦି ଫସଲ ଲଗାଇ କ୍ରମେ ମାଟିର ଉର୍ବରତା ବୃଦ୍ଧି ପାଇପାରେ ।
ଯାନ୍ତ୍ରିକ ପର୍ଯ୍ୟାୟ
ସବୁ କ୍ଷେତ୍ରରେ କେବଳ ବିଭିନ୍ନ କୃଷି ପ୍ରଣାଳୀ ଅବଲମ୍ବନ କରି ମୃତ୍ତିକା ସଂରକ୍ଷଣ ସମ୍ଭବ ନୁହେଁ । ଶତକଡା ୩ ଭାଗରୁ ବେଶୀ ଢାଲୁ ଅଞ୍ଚଳରେ ଜମିର ଉଚ୍ଚାନିଚା ଅବସ୍ଥା ଉପରେ ନିର୍ଭର କରି ମାଟି କାଟିବା, ପୂର୍ଣ୍ଣ କରିବା , ଜଳ ସ୍ରୋତର ଗତି ହ୍ରାସ କରିବା ବଦଳାଇବା, ଜଳ ସଂଗ୍ରହ କରି ରଖି ପରେ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ । ଏଣୁ କେତେକ ଜାଗାରେ କିଛି ପୂର୍ତ୍ତିବିଭାଗୀ କାମ ମଧ୍ୟ ଆବଶ୍ୟକ ହୋଇଥାଏ ।
ମୃତ୍ତିକା ସଂରକ୍ଷଣ ଲାଗି କେତେକ ଯାନ୍ତ୍ରିକ ପ୍ରଣାଳୀ ଉଲ୍ଲେଖ କରାଗଲା ।
ଅବବାହିକାରେ ସ୍ଥାନେ ସ୍ଥାନେ ସମପତନ ଅନୁସାରେ ଛୋଟ ଅଭଗୀର ଜୁଆ ଖୋଲି ଦିଆଯାଏ । ଏଗୁଡିକ ପଲମ ବା ଛୋଟ ନନ୍ଦ ଭଳି । ଉପରୁ ମାଟି ଓ ପାଣି ବହି ଆସି ଏଥିରେ ସଂଗୃହୀତ ହୁଏ । ପାଣି ମାଟିରେ ଭେଦି ମାଟିକୁ ଓଦାରଖେ । ମାଟି ବହିଯାଏ ନାହିଁ । ଶତକଡା ୨-୩% ଢାଲୁଥିବା ଅଞ୍ଚଳରେ ଏପରି ପ୍ରଣାଳୀ ଅବଲମ୍ବନ କରାଯାଇପାରେ ।
କେତେକ ଜାଗାରେ ମାଟି ତଳେ କଠିନ ସ୍ତର ଥିବାରୁ ପାଣି ତଳକୁ ଭେଦେ ନାହିଁ । ଉପରେ ଉପରେ ବହିଯାଏ । ଏପରି ଜାଗାରେ ଗୋଜିଆ ବଡ ପତ୍ରୀ ଲଙ୍ଗଳରେ ଗଭୀର ଚାଷ କରାଗଲେ ତଳେ ଥିବା କଠିନ ସ୍ତର ଚିରି ହୋଇ ହାଲୁକା ହୋଇଯାଏ ଓ ପାଣି ତଳ ସ୍ତରକୁ ଭେଦିଥାଏ ।
ଜମି ସବୁଠାରେ ସମାନ ଭାବରେ ଗଡାଣିଆ ନୁହେଁ । ଏଣୁ କୌଣସି ପତନ ତୁଳନାରେ ସମାନ ଉଚ୍ଚରେ ବା ସମାନ ଭାବେ ତଳେ ଥିବା ଜାଗାଗୁଡିକୁ ବନ୍ଧ ପକାଇ ମିଶାଇ ଦେଲେ ଦୁଇଟି ବନ୍ଧ ଭିତର ଜାଗା ପ୍ରାୟ ଗୋଟିଏ ପତନରେ ରହିଯିବ । ଏହି ବନ୍ଧ ସିଧା ସିଧା ହେବା ଆବଶ୍ୟକ ନାହିଁ । ତେରଚ୍ଛା ବଙ୍କା ଟଙ୍କା ମଧ୍ୟ ହୋଇପାରେ । ଅବବାହିକାରେ ଏକାଧିକ ସମପତନ ବନ୍ଧ ଦରକାର ପରିପାରେ ଦୁଇ ବନ୍ଧ ମଧ୍ୟରେ ଦୂତା, ବନ୍ଧର ଉଚ୍ଚତା, ଓସାର , ବୃଷ୍ଟିପାତ ,ଏହାର ସଘନତା ଓ ସମୟ ଜମିର ଢାଲୁ ପରିମାଣ ମୃତ୍ତିକା ଗଭୀରତା ପ୍ରକାର ଓ ଗୁଣ ଉପରେ ନିର୍ଭର କରି ଭିନ୍ନ ହୋଇଥାଏ । ମଟାଳ ମାଟି ହୋଇଥିଲେ ବନ୍ଧର ଉପର ପଟ ଓସାର ୧ ଫୁଟ , ତଳଫୁଟର ଓସାର ୭ ଫୁଟ, ଉଚ୍ଚତା ୨ ଫୁଟ ଓ ଗଡାଣି ୧ ଫୁଟ ପାଇଁ ୧ – ୫ ଫୁଟ ରହିବା ଆବଶ୍ୟକ ।
ମାଟି ହାଲୁକା ହେଲେ ବନ୍ଧର ଉଚ୍ଚତା ୨ ଫୁଟ, ଉପର ପଟ ଚଉଡା ଏକ ଫୁଟ , ତଳ ପଟ ଚଉଡା ୬’ ଏବଂ ଦୁଇପାଖ ଢାଲୁ ୧ ଫୁଟ ପାଇଁ ୧.୨୫ ଫୁଟ ହେବା ଆବଶ୍ୟକ ।
ଜମିର ଢାଲୁ ଶତକଡା ୧ ଭାଗ ହୋଇଥିଲେ ଦୁଇ ବନ୍ଧ ମଧ୍ୟରେ ଦୂରତା ପ୍ରାୟ ୨୦୦ ଫୁଟ, ୨% ହୋଇଥିଲେ ୧୦୦ ଫୁଟ ୩- ୫% ହୋଇଥିଲେ ୬୬ ଫୁଟ ହୋଇଥାଏ । ଗୋଟିଏ ଗୋଟିଏ ଛୋଟ କିଆରିରେ ଆୟତନ କମ୍ ଢାଲୁ ଥିଲେ ୬୦ ଡେସିମିଟର ଓ ବେଶୀ ଢାଲୁ ଥିଲେ ୨୦ – ୨୫ ଡେସିମିଟର ହେବା ଦରକାର । ୨-୧୦% ଢାଲୁ ଜମିରେ ସମପତନ ବନ୍ଧ ପକାଇ ମୃତ୍ତିକା ସଂରକ୍ଷଣ କରାଯାଇପାରେ ।
ଢାଲୁର ପତନ ଅନୁସାରେ ତଳକୁ ତଳ ହିଡ ପକାଇ ଅଣଓସାରିଆ ଲମ୍ବ ପଟିମାନ କରାଯାଏ । ଏହି ପଟିଗୁଡିକ ପାହାଚ ଭଳି ଦେଖାଯାଏ ।
ଦୁଇ ସମପତନ ହିଡ ଭିତରେ ଏକ ବା ଏକାଧିକ ପାହାଚିଆ ପଟି ରହିପାରେ । ପାବଚ୍ଛନ ହେତୁ ବେଶୀ ଢାଳୁଥିବା ଜମି ସହଜରେ ଛୋଟ ଛୋଟ ଅଣଓସାରିଆ ସମତଳ ପଟିରେ ବିଭକ୍ତ ହୋଇପାରେ । ଏହି ପଟିରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଏ । ଗୋଟିଏ ପାହାଚରୁ ଅନ୍ୟ ପାହାଚକୁ ପାଣି ଗଡିଯିବା ପାଇଁ ଘାସ ଛୁଆଁ ନାଳ ରହିବା ଦରକାର ଜମିରେ ଢାଲୁ ପରିମାଣ ୧୦ – ୧୫ ଭାଗ ହୋଇଥିଲେ ଜମିକୁ ପାହାଚିଆ କରିବା ଆବଶ୍ୟକ ହୋଇଥାଏ । ହିଡ ମାଟିରେ ଢେମା ବା ପଥରରେ ତିଆରି କରାଯାଏ । ମାଟି ହିଡର ଉପର ଓ ଦୁଇକଡା ଚେକା ଛପର କରାଗଲେ କିମ୍ବା ବେଣା ଘାସ ଲଗାଗଲେ ବନ୍ଧ ବହୁତ ଦିନ ରହେ । ଭୁଷୁଡି ପଡେ ନାହିଁ । ସମପତନ ଅନୁସାରେ ପାବଚ୍ଛନ କରାଯାଉଥିବାରୁ ଏହାକୁ ସମପତନ ପାବଚ୍ଛନ କୁହାଯାଏ । ସମପତନ ପାବଚ୍ଛନ ବିଭିନ୍ନ ପ୍ରକାର ଯଥା : (୧) ନାଳ ପାବଚ୍ଛନ (୨) ମୂଳ ଓସାରିଆ ହିଡ ପାବଚ୍ଛନ (୩) ମୂଳ ଅଣଓସାରିଆ ହିଡ ପାବଚ୍ଛନ ଓ (୪) ବେଞ୍ଚ ପାବଚ୍ଛନ ।
ଢାଲୁର ପତନ ଅନୁସାରେ ଅଗଭୀର ଓ ଓସାରିଆ ନାଳ ଖୋଲା ଯାଇଥାଏ । ଖୋଳାମାଟି ନାଳର ତଳ ପଟି ହିଡରେ ବିଚ୍ଛାଇ ଦିଆଯାଏ । ବେଶୀ ବୃଷ୍ଟିପାତ ଅଞ୍ଚଳରେ ଓ ସହଜରେ ପାଣି ଭେଦୁ ନଥିବା ଏପରି ନାଳ ପାବଚ୍ଛନ କରାଯାଏ ।
ଓସାରିଆ ଓ କମ୍ ଉଚ୍ଚ ହିଡ ଆବଶ୍ୟକ ଦୂରତାରେ ପକାଯାଏ । ହିଡର ଦୁଇ ପଟୁ ମାଟି ଖୋଳି ହିଡ ତିଆରି କରାଯାଏ । କମ୍ ବୃଷ୍ଟିପାତ ଏବଂ ଫସଫସିଆ ମାଟି ଥିବା ଅଞ୍ଚଳରେ ଏ ପ୍ରଣାଳୀ ଅବଲମ୍ବନ କରାଯାଏ ।
ଛୋଟ ଛୋଟ ହିଡ ବେଶୀ ଦୂରରେ ପକାଯାଇଥାଏ । ପ୍ରାୟ ୧୦% ଢାଲୁ ଜମିରେ ଏପରି ପାବଚ୍ଛନ କରାଯାଇଥାଏ । ଏଥିରେ ଅଧିକା ପାଣି କାଢି ନେବାର ବ୍ୟବସ୍ଥା କରାଯାଇଥାଏ । ହିଡର ଉଚ୍ଚତା, ତଳ ଓ ଉପର ଓସାର ଜମିର ଢାଲୁ ଓ ମାଟିର ଗୁଣ ଅନୁସାରେ ଭିନ୍ନ ହୋଇଥାଏ । ଏହାର ଏକ ସାଧାରଣ ସୂଚନା ନିମ୍ନରେ ଦିଆଗଲା ।
ମୃତ୍ତିକା ଗଭୀରତା (ସେ.ମି.) |
ହିଡ ଉପର ଓସାର (ସେ.ମି.) |
ହିଡ ତଳ ଓସାର (ସେ.ମି.) |
ହିଡ ଉଚ୍ଚତା ସେ.ମି. |
ଢାଲୁ ଅନୁପାତ |
ହିଡର ଅନୁପ୍ରସ୍ଥ କ୍ଷେତ୍ରଫଳ (ବର୍ଗମିଟର) |
ଅଗଭୀର (୨୫ସେ.ମି. ରୁ କମ୍) |
୦.୪୫ |
୨.୦ |
୦.୭୫ |
୧:୧ |
୦.୯ |
ଅଳ୍ପ ଗଭୀର (୨୫ – ୪୫ ସେ.ମି.) |
୦.୪୫ |
୨.୫ |
୦.୮ |
୧: ୨୫: ୧ |
୧.୨୩ |
ମଧ୍ୟମ ଗଭୀର (୪୫ ରୁ ୧ ମିଟର) |
୦.୫୨ |
୩.୦ |
୦.୮ |
୧: ୫: ୧ |
୧.୪୪ |
(୧ ମିଟରରୁ ବେଶୀ) |
୦.୬୦ |
୪.୨ |
୦.୯ |
୨: ୧ |
୨.୧୬ |
ଦୁଇଟି ହିଡର ଦୂରତା ସ୍ଥିର କରିବା ଲାଗି ସାଧାରଣତଃ କେତୋଟି ନିୟମ ଅନୁସରଣ କରାଯାଏ । ନିର୍ଦ୍ଧିଷ୍ଟ ଉଚ୍ଚତା ୧.୫ ସେ.ମି. ହ୍ରାସ ପତନରେ ବା ପ୍ରଥମ ହିଡଠାରୁ ୭୦ ମିଟର ଦୂରରେ ଦ୍ଵିତୀୟ ହୁଡା ପକାଇବା ଦରକାର ହୋଇଥାଏ । ଉପରପଟ ହୁଡାରୁ ଯେତିକି ଦୂରକୁ ପାଣି ବହି ଆସୁଛି । ସେ ଦୂରତା ତଳ ପଟ ହୁଡା ପାଣିର ପରିପୃକ୍ତ ଦୂରତା ସହିତ ସମାନ ହେବା ଦରକାର । ଏଥିଲାଗି ନିମ୍ନଦତ୍ତ ନିୟମ ଅନୁସରଣ କରାଯାଇପାରେ ।
ଢାଲୁ ପରିମାଣ (%) |
ଉଚ୍ଚତା ହ୍ରାସ (ମିଟର) |
୦ – ୧ |
୧.୧ ମିଟର |
୧ – ୧.୫ |
୧.୨ |
୧.୫ – ୨ |
୧.୩୫ |
୨ - ୩ |
୧.୫ |
ଉଚ୍ଚତା ହ୍ରାସ ଓ ଢାଲୁ ପରିମାଣ ଅନୁସାରେ ଦୁଇ ହିଡ ମଧ୍ୟରେ ଦୂରତା ସ୍ଥିର କରାଯାଇଥାଏ ।
ଉଚ୍ଚତା ହ୍ରାସ = + 60 ମଧ୍ୟମ ଓ ଅଧିକ ବୃଷ୍ଟିପାତ ଅଞ୍ଚଳରେ ୫୦ ସେ.ମି. ରୁ ବେଶୀ ।
+ 60 (୫୦ ସେ.ମି. ରୁ କମ୍ ବୃଷ୍ଟିପାତ ଅଞ୍ଚଳରେ )
S = ଢାଲୁ ପରିମାଣ (%)
ଢାଲୁ ପରିମାଣ ୩% ହୋଇଥିଲେ ମଧ୍ୟମ ଓ ଅଧିକ ବୃଷ୍ଟିପାତ ଅଞ୍ଚଳରେ ଉଚ୍ଚତା ହ୍ରାସ = + 60 = 30 ସେ.ମି. + 60 ସେ.ମି. = 90 ସେ.ମି. = 0.9 ମିଟର
ଦୁଇ ହିଡ ମଧ୍ୟରେ ଦୂରତା = 0.9 X = 30 ମିଟର
ହେକ୍ଟର ପ୍ରତି ହିଡର ଲମ୍ବ = = 333 ମିଟର
ଢାଲୁରେ ସମପତନ ଅନୁସାରେ ୫୦ – ୬୦ ମିଟର ଅନ୍ତରରେ ଅଳ୍ପ ଗଭୀର ଓ ଅଣଓସାରିଆ ଖାଇ ଖୋଳାଯାଏ । ଖାଇର ମାଟିରେ ତଳପଟ ଖାଇତଳପଟ ହିଡ ପକାଯାଏ । ଏ ହିଡରେ ବିଭିନ୍ନ ପ୍ରକାର ଗଛ ଜଙ୍ଗଲ ସୃଷ୍ଟିପାଇଁ ପକାଯାଏ । ଉପର ପାଣି ଓ ମାଟି ବୋହି ଆସି ଏ ଖାଇରେ ସଂଗୃହୀତ ହୋଇ ରହେ ।
ପାବଚ୍ଛ ନିଷ୍କାସନ ପଥ
ପ୍ରତି ପାହାଚରୁ ଉଦ୍ ବୃତ୍ତ ଜଳ ନିଷ୍କାସନ ପାଇଁ ଛୋଟ ଛୋଟ ନିଷ୍କାସନ ପଥ ବା ମୁହଁ ରଖାଯାଇଥାଏ । କେତେକ ସ୍ଥଳେ ଏଥିପାଇଁ ତୃଣଶଯ୍ୟା ତିଆରି କରାଯାଇଥାଏ ବା ଜଙ୍ଗଲ ପଥ ସ୍ଥିର କରାଯାଇଥାଏ । ଅନ୍ୟାନ୍ୟ ଜାଗାରେ ଛୋଟ ଛୋଟ ସିମେଣ୍ଟ କଂକ୍ରିଟ ନାଳ, କୁଣ୍ଡ , ହ୍ୟୁମ ପାଇପ୍ ବସାଇ ବା କବାଟି ସୃଷ୍ଟି କରାଯାଇଥାଏ । ଅବବାହିକାରେ ଅତୀତ ବର୍ଷମାନଙ୍କରେ ସର୍ବୋଚ୍ଚ ଏକକାଳୀନ ବୃଷ୍ଟିପାତ ପରିମାଣ ହିସାବକୁ ନେଇ ଖୁବ୍ ବେଶୀ କେତେ ଜଳ ବହିପାରିବ ସ୍ଥିର କରି ନିଷ୍କାସନ ପଥର ଆକାର ଓ ପ୍ରକାର ସ୍ଥିର କରାଯାଇଥାଏ ।
Q = C.i.A.
Q = ବହିଯାଉଥିବା ଜଳର ସର୍ବୋଚ୍ଚ ପରିମାଣ
C = ବହିଯାଉଥିବା ପାଣିର ଗୁଣାଙ୍କ
I = ବୃଷ୍ଟିପାତ ହାର (ସେକେଣ୍ଡ ପ୍ରତି ଘନମିଟର)
A = ଅବବାହିକାର କ୍ଷେତ୍ରଫଳ (ହେକ୍ଟର)
ମାଟିର ଗୁଣ ଢାଲୁ ପରିମାଣ ଜମିରେ ଥିବା ସାକାଳି ଆବରଣ ଇତ୍ୟାଦି ଭିତରେ ନିର୍ଭର କରି ‘C’ ର ମୂଲ୍ୟ 0.2 ରୁ 1.0 ହୋଇଥାଏ ।
ଘାସ ଓ ବେଣା ଚାଷ
କେତେକ ଘାସ ଅଳ୍ପ ବୃଷ୍ଟିପାତରେବି ବଢିପାରନ୍ତି । ସେମାନଙ୍କର ଚେର ଅତି ଘଞ୍ଚ ଓ ମାଟିକୁ ବାନ୍ଧି ରଖି ପାରିବା ଶକ୍ତି ଅଛି । କିଆରିରେ ଘଞ୍ଚ ହୋଇ ବଢୁଥିବାରୁ ଜଳ ଓ ମୃତ୍ତିକା ଧରି ରଖିପାରନ୍ତି । ଯେଉଁ ଅଞ୍ଚଳରେ ବୃଷ୍ଟିପାତ କମ୍ , ଅନ୍ୟାନ୍ୟ ଫସଲ କରି ବିଲକୁ ଘୋଡାଇ ରଖି ହେବ ନାହିଁ । ମୃତ୍ତିକା କ୍ଷୟ ସମସ୍ୟା ଅତି ଭୟଙ୍କର ହୋଇଗଲାଣି ଓ ଚାଷ ଏବଂ ଯାନ୍ତ୍ରିକ ଉପାୟରେ ମୃତ୍ତିକା ସଂରକ୍ଷଣ ଅସମ୍ଭବ , ଯେପରି ଜାଗାରେ ଘାସ ଚାଷ ମୃତ୍ତିକା ସଂରକ୍ଷଣ ଲାଗି ଏକ ଉତ୍କୃଷ୍ଟ ଉପାୟ । କିଛି ବର୍ଷ ଏପରି ଜମିରେ ଘାସ ଚାଷକରି ଛାଡିଦେଲେ ସମସ୍ୟା ଆପେ ଆପେ ବହୁ ପରିମାଣରେ ସମାଧିତ ହୋଇଯିବ । ଏପରି ଘାସମାନଙ୍କ ମଧ୍ୟରୁ ଦୂବ ଘାସ ନୀଳ ପାନିକ୍ ହାତୀଆ ଘାସ , ନେପିଅର ଘାସ, କୁଡଜୁ ଲତା, ପାରା ଘାସ , ରୋଡିସ୍ ଘାସ ବେଣା , ରେଗେଡା , ଦୀନାନାଥ, ଛୋଟ ଅଞ୍ଜନ ଇତ୍ୟାଦି ମୁଖ୍ୟ ।
ମୟୁରଭଞ୍ଜ ଜିଲ୍ଲାରେ ସବାଇ ଘାସ ପାହାଡ ତଳ ଢିପମାନଙ୍କରେ ବହୁଳ ପରିମାଣରେ ଚାଷ କରାଯାଏ । ଏହାର ଚେର ଅତି ଘଞ୍ଚ ଓ ଗଛ ବୁଦାଳିଆ । ଏ ଘାସ ମଧ୍ୟ ମରୁଡି ସହିପାରେ । ଏଥିରୁ ଦଉଡି ତିଆରିହୁଏ । ଖଟ ବୁଣାଯାଏ । ଏଥିରୁ ସପ, ହେଁସ , ମସିଣା, ତଟେଇ, ଗାଲିଚା, ପାପୋଛା ଇତ୍ୟାଦି ତିଆରି ହୁଏ । ଓଡିଶାର ମରୁଡି ପ୍ରପୀଡିତ ଢିପଜମି ପାଇଁ ଉପଯୁକ୍ତ । ଓଡିଶାରେ ବିଭିନ୍ନ ଜାଗାରେ ବେଣା ପାଟ ଅଛି । ବେଣା ଚେର ଅତି ଟାଣ ଓ ଘଞ୍ଚ ମଧ୍ୟ । ବେଣା ହିଡ ବନ୍ଧରେ , ନଦୀ ଓ ନାଳ କୁଳରେ ଲଗାଇ ମୃତ୍ତିକା ସଂରକ୍ଷଣ କରାଯାଇପାରିବ । ଏ ଘାସର ମରୁଡି ସହଣି ଶକ୍ତି ଅଛି । ଏଣୁ ମରୁଡି ପ୍ରପୀଡିତ ଅଞ୍ଚଳରେ ଚାଷ କରାଯାଇପାରିବ ।
ବନୀକରଣ
ମୃତ୍ତିକା କ୍ଷୟ ଅବରୋଧ ପାଇଁ ସୃଷ୍ଟି ଅତି ଆବଶ୍ୟକ । ଜଳ ହେତୁ ବୃଷ୍ଟିଜଳର ପ୍ରକୋପ ହ୍ରାସ ପାଏ । ଜଳ ଧୀରେ ଧୀରେ ମାଟି ଭିତରକୁ ପ୍ରବେଶ କରେ । ମୋଟ ବୃଷ୍ଟିପାତର 25 – 30 ଭାଗ ଜଙ୍ଗଲ ଅଟକାଇ ରଖିଦିଏ । ପତ୍ର ଗଦା ହୋଇ ମାଟି ଉପରେ ଗୋଟିଏ ବହଳିଆ ସ୍ତର ସୃଷ୍ଟି କରେ । ବର୍ଷାପାଣି ଜୋରରେ ପଡିଲେ ମଧ୍ୟ ମାଟିର କ୍ଷତିକରେ ନାହିଁ । ପତ୍ର ଉପରେ ପଡି ବଳ ହରାଏ ଏବଂ ଧୀରେ ଧୀରେ ମାଟି ଭିତରକୁ ଭେଦେ । ପତ୍ର ସଢିଗଲେ ହ୍ୟୁମସ ହୁଏ ଏବଂ ମାଟିରେ ମିଶିଗଲେ ମାଟିର ଛିଦ୍ରତା , ଜଳ ଭେଦ୍ୟତା ଓ ଉର୍ବରତା ବୃଦ୍ଧିକରେ । ଜଙ୍ଗଲ ମାଟିରେ ଏହି କାରଣରୁ ଜଳଭେଦ୍ୟତା ଘଣ୍ଟାକୁ 12 – 15 ମଧ୍ୟ ସେ.ମି. ହୋଇଥାଏ । କିନ୍ତୁ ଜଙ୍ଗଲ ପୋଡିଗଲେ ଉପର ପତ୍ର ଆବରଣ ନଷ୍ଟହୁଏ । ହ୍ୟୁମସ ଓ ଅନ୍ୟାନ୍ୟ ଜୈବାଂଶ ଜଳି ଧ୍ଵଂସ ପାଇଥାଏ । ଉପର ମୃତ୍ତିକା ବହିଯାଇ କେବଳ ଶୀଳାଂଶ ରହିଯାଏ । ଉପର ସ୍ତର ଟାଣ ହୋଇଯାଏ । ଜଳ ଭେଦ୍ୟତା ଘଣ୍ଟାକୁ ଏକ ସେଣ୍ଟିମିଟରର କିଛି ଅଂଶ ମଧ୍ୟ କମିଯାଏ ।
ଜଙ୍ଗଲ ହେତୁ ପବନ ବେଗ ହ୍ରାସପାଏ । ଫଳତଃ, ବାୟୁ ଦ୍ଵାରା ମୃତ୍ତିକାକ୍ଷୟ ମଧ୍ୟ ହ୍ରାସପାଏ । ଜଙ୍ଗଲର ଉଚ୍ଚତା ଅନୁସାରେ ଏହାର ବିଭିନ୍ନ ସ୍ତରରେ ପବନର ବେଗ କିପରି ହ୍ରାସପାଏ ନିମ୍ନରେ ଦର୍ଶାଗଲା । ଜଙ୍ଗଲ ଛତ୍ରର ଉପରାଂଶରେ 18 ମିଟର ଉଚ୍ଚତାରେ, ଜଙ୍ଗଲର ଛତ୍ର ସ୍ତରରେ 14 ମିଟର ଉଚ୍ଚତାରେ, ଜଙ୍ଗଲ ଭିତରେ ୧୨ ମିଟର ଉଚ୍ଚତାରେ ଏବଂ ଜଙ୍ଗଲ ତଳେ ଭୂମି ପାଖରେ ୧ ମିଟର ଉଚ୍ଚରେ ବାୟୁ ବେଗ ଘଣ୍ଟାପ୍ରତି ଯଥାକ୍ରମେ ୬, ୩, ୨.୪ ଓ ୨ କିଲୋମିଟର ହୋଇଥାଏ ।
ଜଙ୍ଗଲ ସୃଷ୍ଟିକରି ମୃତ୍ତିକା ଓ ଜଳ ସଂରକ୍ଷଣ ଏବଂ ପରିବେଶର ସନ୍ତୁଳନ ରକ୍ଷାଲାଗି ୧୯୫୦ ମସିହା ଜୁଲାଇ ପହିଲାରୁ ବନମହୋତ୍ସବ ସପ୍ତାହ ଆଜିପର୍ଯ୍ୟନ୍ତ ପାଳିତ ହୋଇଆସୁଛି । ପଡିଆରେ, ହିଡ ଓ ବନ୍ଧ କଡରେ ଉଜୁଡା ଜଙ୍ଗଲରେ ଗଛ ଲଗାଇ ପରିବେଶର ପୁନରୁଦ୍ଧାର ତଥା ସମସ୍ତଙ୍କର ଆର୍ଥିକ ଉନ୍ନତି ସାଧକ ଏହାର ଲକ୍ଷ୍ୟ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/13/2022