অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ଉତ୍ପାଦନ (ମୃତ୍ତିକା କ୍ଷୟ ଓ ସଂରକ୍ଷଣ)

ଫସଲ ଉତ୍ପାଦନ (ମୃତ୍ତିକା କ୍ଷୟ ଓ ସଂରକ୍ଷଣ)

ମୃତ୍ତିକା ସଂରକ୍ଷଣ

ଭୂପୃଷ୍ଠରେ ଫସଲ ଉତ୍ପାଦନ ପାଇଁ କର୍ଷଣ କରାଯାଉଥିବା ଅଂଶକୁ ମୃତ୍ତିକା କୁହାଯାଏ। ଏହା ଭୁପୃଷ୍ଠରେ କୋମଳ ସ୍ତର । କେଉଁଠି ଏହି ସ୍ତର ମୋଟାତ କେଉଁଠି  ପତଳା । ଏହି ମୃତ୍ତିକା ଯୁଗ ଯୁଗ ଧରି ଜଳ, ବାୟୁ, ତାପମାନ, ଜୀବଜନ୍ତୁ ଓ  ଉଦ୍ଭିଦର ମିଳିତ ପ୍ରକ୍ରିୟାରେ ସଂଘଟିତ ହେଉଥିବା ବିଭିନ୍ନ ଭୌତିକ ଓ ରାସାୟନିକ   ପ୍ରକ୍ରିୟା ଦ୍ଵାରା ଗଠିତ  ହୋଇଅଛି । ପୃଥିବୀ  ପୃଷ୍ଠରେ 1 ସେ.ମି. ବହଳର ମୃତ୍ତିକା ସୃଷ୍ଟି ଲାଗି  ପ୍ରକୃତିକୁ ପ୍ରାୟ ୫୦୦ ରୁ ୧୦୦୦ ବର୍ଷ ଲାଗିଥାଏ । ଏହି ମୃତ୍ତିକାର ରକ୍ଷଣାବେକ୍ଷଣ ଉପରେ ଦେଶ ଓ  ଜାତିର  ସଭ୍ୟତା ଓ ସ୍ଥିତି ଚିରକାଳ  ନିର୍ଭରଶୀଳ । ଜୀବନ ଧାରଣ ଆବଶ୍ୟକ  ଖାଦ୍ୟପେୟ, ବସା ଓ ବାସ ଲାଗି ମୃତ୍ତିକା  ଅପରିହାର୍ଯ୍ୟ ମାଧ୍ୟମ ହୋଇଥିବାରୁ ଏହାର ସଂରକ୍ଷଣ ଓ ସଦୁପଯୋଗ ଜାତି ଓ ସଭ୍ୟତାର ସ୍ଥିତି ଓ ବିକାଶର ମୂଳଧାର ବୋଲି ଗୃହୀତ ହୋଇଛି ।  ଭୂପୃଷ୍ଠର ଉଚ୍ଚା  ନିଚ୍ଚା ହେତୁ ଏହି ମୃତ୍ତିକାର  ସ୍ଥାନାନ୍ତରଣକୁ ମୃତ୍ତିକା କ୍ଷୟ  କୁହାଯାଏ । ସାଧାରଣ ଭାବେ ବୁଝାଯାଉଥିବା ମୃତ୍ତିକାକ୍ଷୟ ପ୍ରକୃତରେ କ୍ଷୟ ନୁହେଁ । ଏହା  ସ୍ଥାନାନ୍ତରଣ  ମାତ୍ର । ଜଣଙ୍କର କ୍ଷତିରେ  ଅନ୍ୟର ଲାଭ  କୌଣସି ସ୍ଥାନରୁ ପରିବହିତ ମୃତ୍ତିକା ସୃଷ୍ଟିକରିଥାଏ ।

ପୃଥିବୀ  ଆରମ୍ଭରୁ  ମୃତ୍ତିକାର ଗଠନ – ପ୍ରକ୍ରିୟା  ଅବିରତ  ଭାବେ ଲାଗି ରହିଛି । ଏହି ପ୍ରକ୍ରିୟା ଏତେ ମନ୍ଥର ଓ ସୂକ୍ଷ୍ମ ଯେ ସହଜରେ ଅନୁମାନ କରାଯାଇପାରେ  ନାହିଁ । ପ୍ରକୃତିର ଏହି ସମନ୍ଵିତ  ପ୍ରକ୍ରିୟାର  ଭାରସାମ୍ୟ  କୌଣସି  ବାହ୍ୟକାରକ ହେତୁ ନଷ୍ଟ  ହୋଇ ତ୍ୱରାନ୍ୱିତ ହେଲେ ତାହା ଦୃଷ୍ଟିଗୋଚର ହୋଇଥାଏ । ଆମ୍ଭେ   ଏହାକୁ  ମୃତ୍ତିକା  କ୍ଷୟ  ଆଖ୍ୟା ଦେଇଥାଉ ।

ମୃତ୍ତିକା କ୍ଷୟର କାରଣ

ମୃତ୍ତିକା ଗଠନର  କାରକ ଗୁଡିକ ମଧ୍ୟ କ୍ଷୟର କାରକ ଅଟନ୍ତି । ଏମାନଙ୍କ ମଧ୍ୟରେ ଜଳ ଓ ବାୟୁ ପ୍ରଧାନ । ଏ  ଦୁହିଁଙ୍କର ପ୍ରଭାବ  ଖୁବ୍ ଶୀଘ୍ର ଜଣାପଡିଥାଏ ।

ଜଳଦ୍ଵାରା ମୃତ୍ତିକା କ୍ଷୟ

ମୃତ୍ତିକା କ୍ଷୟ ଓ  ସଂରକ୍ଷଣ  ଜଳ ବର୍ଷାରୁ ଆସେ । ବର୍ଷାଜଳ  ଟୋପା ଟୋପା   ହୋଇ ପଡିଲେ ମୃତ୍ତିକା  ଆର୍ଦ୍ରହୁଏ । କ୍ରମେ  ମୃତ୍ତିକା  ଭିତରେ ଜଳବିନ୍ଦୁ ଭେଦିଯାଏ । ମୃତ୍ତିକାରେ ଅବା   ଛିଦ୍ରରୁ ବାୟୁ ବାହାରିଯାଇ ଜଳ ତାର ସ୍ଥାନ ପୂରଣ   କରେ । କ୍ରମେ ମୃତ୍ତିକା ଫୁଲି ଉଠେ । ମୃତ୍ତିକା ରେ   ଥିବା ସବୁ ଛିଦ୍ର ପୂର୍ଣ୍ଣ ହୋଇଗଲେ ଜଳ ମାଧ୍ୟାକର୍ଷଣ  ଶକ୍ତି ହେତୁ ତଳକୁ  ଭେଦିଯାଏ । ତଳକୁ ଭେଡିବା   ଶକ୍ତି ମୃତ୍ତିକା ବୟନ ଅନୁସାରେ ଭିନ୍ନ ହୋଇଥାଏ। ବାଲିଆ ମୃତ୍ତିକାରେ ଛିଦ୍ର ଗୁଡିକର ଆକାର ବଡ । ଏହି  ଛିଦ୍ର ଦେଇଜଳ ଶୀଘ୍ର ତଳକୁ ବହିଯାଇ ପାରେ । କର୍ଦ୍ଦମାକ୍ତ ମୃତ୍ତିକାରେ ଛିଦ୍ର ଗୁଡିକର ଆକାର ଛୋଟ। କର୍ଦ୍ଦମ କଣିକା ପୃଷ୍ଠରେ ବେଶି ଜଳ ଅଣୁ ଆକର୍ଷିତ   ହୋଇ ରହିପାରୁଥିବାରୁ ଏହା ଶୀଘ୍ର ଫୁଲିଯାଏ । ଏହାର ଛିଦ୍ର ଗୁଡିକର ମୁହଁ ବନ୍ଦ ହୋଇଯାଏ । ଏଣୁ ଜଳ  ଶୀଘ୍ର ନିମ୍ନ ଦିଗକୁ ଗତି କରିପାରେ ନାହିଁ । ନିମ୍ନ ଦିଗକୁ ନହୋଇ ପାର୍ଶ୍ଵକୁ ହୋଇଥାଏ । ଯେଉଁ ପାର୍ଶ୍ଵର ଢାଲୁ ପରିମାଣ ବେଶି ହୋଇଥାଏ, ସେହି ପାର୍ଶ୍ଵକୁ ଜଳ ବୋହିଯାଏ । ଜଳ ବୋହିଯିବା ସମୟରେ ତା ସହିତ ମୃତ୍ତିକା  ମଧ୍ୟ ବୋହି ନେଇଥାଏ । ଏହି କ୍ରିୟା ବୃଷ୍ଟିପାତର ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥାରେ ସମ୍ପାଦିତ   ହୋଇଥାଏ ।

ସ୍ତରକ୍ଷୟ

ବର୍ଷା ହେତୁ ମୃତ୍ତିକାର ଉପରିସ୍ଥ କଣିକା ଗୁଡିକ ଶୀଘ୍ର ଜଳ ଶୋଷି ଆର୍ଦ୍ର ହୋଇଯାଆନ୍ତି । ବୃଷ୍ଟି  ବଢିଲେ ଏହି କଣିକା ଗୁଡିକ ତଳ ସ୍ତରରେ ଥିବା କଣିକା ଗୁଡିକରୁ  ଅଲଗା ହୋଇ ପାଣିରେ ମିଶିଯାଆନ୍ତି ଓ ସ୍ତର ସ୍ତର ହୋଇ ବୋହିଯାଆନ୍ତି  । ପଡିଆ ଓ ଢାଲୁ ଜମିରେ ଏପରି ପ୍ରଥମେ ମୃତ୍ତିକା କ୍ଷୟ ହୋଇଥାଏ। ବର୍ଷା  ଛାଡିଗଲା ପରେ ସେଗୁଡିକ ସହଜରେ ଜଣା ପଡେନାହିଁ । ଏଣୁ କେତେ ନଷ୍ଟ ହେଲା ଜାଣିହୁଏ ନାହିଁ  । କିନ୍ତୁ ବର୍ଷା ହେଉଥିବା ବେଳେ ନିରୀକ୍ଷଣ କଲେ ପାଣି ଗୋଳିଆ   ହୋଇ ବହିଯାଉଥିବା ଜଣାପଡେ । ଏହାଦ୍ଵାରା ମୃତ୍ତିକାର ଉପର ଅଂଶରେ  ଥିବା  ପଟୁ, କର୍ଦ୍ଦମ ଓ  ଉଦ୍ଭିଦ ଲାଗି  ଆବଶ୍ୟକ ବିଭିନ୍ନ  ଉପାଦାନ ବୋହିଜାଇ ନଷ୍ଟ  ହୋଇଥାଏ । ଏହି କ୍ଷୟ ସହଜରେ ଅନୁଭୂତ ନହେଉ ଥିଲେ ମଧ୍ୟ କ୍ରମାଗତ ଭାବେ ଘଟିଲେ ମୃତ୍ତିକାର ଉତ୍ପାଦିକତା ହ୍ରାସପାଏ ଏବଂ ଫସଲ ଅମଳ ମଧ୍ୟ ହ୍ରାସପାଏ ।

ଧାନ ଓ ନାଳ କ୍ଷୟ

ଏହା ସ୍ତର କ୍ଷୟର ପରବର୍ତ୍ତୀ ଅବସ୍ଥା ଅଟେ । ଅବିରତ  ସ୍ତରକ୍ଷୟ ହେତୁ ଭିଜିଯାଉଥିବା ମୃତ୍ତିକାରେ ପ୍ରଥମେ ଛୋଟ ଛୋଟ ସରୁ ସୂତା ଭଳି ଧାର ଏବଂ ପରେ   କେତୋଟି ବଳିତା ମିଶି ସରୁ ନାଳ ସୃଷ୍ଟି କରନ୍ତି । ଆଙ୍ଗୁଠି ଭଳି ମୋଟା ନଳୀ ସୃଷ୍ଟି ହୁଏ । ଏହିସବୁ ନାଳୀ ବା ଧାର ଗୁଡିକୁ ଆଙ୍ଗୁଳି ନାଳୀ ବୋଲି କୁହାଯାଏ ।

ବର୍ଷାର  ପ୍ରକୋପ ବଢିଲେ ଏହି  ନଳୀରେ ଗଡିଯାଉଥିବା ପାଣିର ବେଗ କ୍ରମେ ବୃଦ୍ଧିପାଏ । ଦୁଇପଟୁ ଓ ତଳୁ ବେଶୀ ମାଟି  ଖୋଳି ତାଡି ବୋହି ନେଇ ତଳ  ମୁଣ୍ଡରେ  ଗଦା  କରିଦିଏ । କ୍ରମେ  ନାଳୀର  ଆକାର, ଓସାର ଓ  ଗଭୀରତା  ବୃଦ୍ଧିପାଏ । ବର୍ଷାବେଳେ ଗାଁ ଦାଣ୍ଡରେ ବହିଯାଉଥିବା ପାଣି  ଗୋଳିଆ ହୋଇ   କେତେ ମାଟି ତଳ ମୁଣ୍ଡରେ ଗଦା  କରିଦିଏ ଦେଖିଲେ ଏହା ସହଜରେ ଅନୁମାନ କରିହେବ । କ୍ରମେ ସରୁନାଳୀ ମଧ୍ୟମ ଓ ବଡ ନାଳୀରେ ପରିଣତ ହୋଇଥାଏ। ନାଳୀର ଆକାର ବୃଦ୍ଧି ପାଇଲେ ବେଶି ପାଣି  ବହିଯିବା ସାଥି ସାଥି ବହିଯାଉଥିବା  ପାଣିର ବେଗ ମଧ୍ୟ ବୃଦ୍ଧି ପାଇଥାଏ । ବିଭିନ୍ନ ପ୍ରକାର ନାଳୀର ସୃଷ୍ଟି ଦର୍ଶାଯାଇଛି । ବୃଷ୍ଟିହେତୁ ନାଳୀର ସୃଷ୍ଟିକ୍ରମ  ଗଛର  ପତ୍ର - ପତ୍ରର,  ଡେମ୍ଫ - ଡେମ୍ଫରୁ,  ଛୋଟ  ଡାଳ- ବଡ  ଡାଳ,  ଗଣ୍ଡି – ମୂଳ ଭଳି  କଳ୍ପନା କରାଯାଇପାରେ । ଧାରର   ଆକାର ବଡ ହେଲେ  ତାକୁ ନାଳୀ କୁହାଯାଏ । ନାଳୀ ହେତୁ ମୃତ୍ତିକା କ୍ଷୟକୁ ନାଳ – ମୃତ୍ତିକା କ୍ଷୟ  କୁହାଯାଏ । ପାହାଡିଆ ଅଞ୍ଚଳରେ ପାହାଡରୁ ଗଡି ଆସୁଥିବା   ପାଣିର ଗତିପଥ ଓ ବିଭିନ୍ନ  ପ୍ରକାର  ଝିଲ୍ଲି, ଝର, ଧାର ଓ  ନାଳକୁ ଲକ୍ଷ୍ୟକଲେ ବିଭିନ୍ନ ପ୍ରକାର  ମୃତ୍ତିକା   କ୍ଷୟ  ପ୍ରଣାଳୀ ସହଜରେ ଜଣାପଡେ । ନଈ ଓ  ନାଳ  ଦ୍ଵାରା ମୃତ୍ତିକା ବହିଯାଇ ନଈ ସମୁଦ୍ର ମିଶିବା ସ୍ଥାନରେ ତ୍ରିକୋଣ ଭୂମି ଗଠିତ ହୋଇଛି । ନଦୀ ପଠା  ଓ ଚଡା ଇତ୍ୟାଦି ମୃତ୍ତିକା କ୍ଷୟ ଓ ମୃତ୍ତିକା ଗଠନରସହଜ  ଉଦାହରଣ ।

ଜଳଧାର ସୃଷ୍ଟି ହେଲେ ଏହି ଧାରର  ଆକାର କ୍ରମେ କ୍ରମେ ବୃଦ୍ଧିପାଏ । ମାଟି ନରମ ଓ ଫସଫସିଆ ଥିଲେ ଏବଂ ଏହି ମାଟିକୁ ଜାବୁଡି ଓ ଟାଣ କରି ଧରି ରଖିବାକୁ କୌଣସି  ଫସଲ, ଗଛଲତା ବା ଘାସ ନଥିଲେ  ଜଳଧାର ଦୁଇକଡକୁ ଓ ତଳକୁ ଖାଇଖାଇଯାଏ । ଦୁଇପଟ ମାଟି ଅତଡା ଖାଇ ଖସିପଡେ ଓ ପାଣିରେ ଗୋଳେଇ  ହୋଇ ତଳକୁ ବୋହିଯାଏ।  ମାଟିର ଗୁଣ ଅନୁସାରେ ନାଳର ଆକାର ଭିନ୍ନ ହୋଇଥାଏ । ଦୁଇପଟ ମାଟି ଅପେକ୍ଷା ତଳପଟ କମ୍ ଖାଇଥାଏ । କିନ୍ତୁ ଦୁଇପଟ  ଅପେକ୍ଷା  ତଳମାଟି  ନରମ ଥିଲେ ପାଣି ତଳପଟୁ ଖାଇ ନାଳୀକୁ ବେଶି ଗଭୀର କରିଦିଏ । ଏହି ଦୃଷ୍ଟିରୁ ନାଳୀର ଅନୁପ୍ରସ୍ଥଚ୍ଛେଦ ଇଂରାଜୀ ଅକ୍ଷର ଇଉ ବା ଭି ଭଳି  ଦେଖାଯାଉଥିବାରୁ ଏହାକୁ  ଇଉ ବା ଭି ଆକୃତି ନାଳ  ଆକୃତି   ନାଳ  କୁହାଯାଏ । କର୍ଦ୍ଦମ ଓ  ପଟୁମାଟି ବେଶିଥିବା ଅଞ୍ଚଳରେ ସାଧାରଣତଃ ଇଉ ଆକୃତି ନାଳ  ଓ  ପାହାଡିଆ ଅଞ୍ଚଳରେ ଭି ଆକୃତି  ନାଳ  ଦେଖାଯାଇଥାଏ । ଜମିର ଢାଲୁ ବେଶି ହେଲେ  ସାଧାରଣତଃ  ଭି  ଆକୃତି  ଓ  କମ୍  ହୋଇ ଜମି ସମତଳ ହେଲେ ଇଉ  ଆକୃତି ନାଳ ସୃଷ୍ଟି ହୋଇଥାଏ । କାରଣ ଟାଣ ଓ ଢାଲୁ ଜମିରେ ଜଳର ବେଗ ପ୍ରଖର ହୋଇ ଆଗ ତଳପଟୁ ବେଶି ଖାଇଯାଇ ନାଳକୁ ଓସାର ତୁଳନାରେ ବେଶି   ଗଭୀର କରିପକାଏ । ପାହାଡ ଉପରୁ ବହି  ଆସୁଥିବା  ଜଳଧାରକୁ ଲକ୍ଷ୍ୟକରି ଏହାର ଗତିପଥ ଅନୁସରଣ କରି ସବାତଳେ ସମତଳ ଭୂମିରେ ପଡିଥିବା ପର୍ଯ୍ୟନ୍ତ   ନାଳୀର ଆକାର ଓ ଆକୃତିକୁ  ଲକ୍ଷ୍ୟକରି କଥାଟି ସହଜରେ ଜାଣିହୁଏ ।  ଜଳ ପରିମାଣ, ପ୍ରବାହ ବେଗ, ଦୁଇପଟ ଓ ତଳ ମାଟିର ଗୁଣ ଏବଂ ଦୁଇପଟେ ଥିବା ଗଛଲତାର ଗୁଣ ଓ ପ୍ରକାର ଅନୁସାରେ ଧାର କେଉଁଠି ଓସାରିଆ, କେଉଁଠି ଅଣ ଓସାରିଆ ଓ ଏହି ଜଳଧାରରେ ଅନୁପ୍ରସ୍ଥ ଚ୍ଛେଦ ଭି କିମ୍ବା ଇଉ ଆକାର ହୋଇଥାଏ।  ଏହି  କାରଣରୁ ମଧ୍ୟ ନଦୀର ଉତ୍ପତ୍ତି ସ୍ଥଳରେ ଏହାର ଓସାର, କମ୍ , ଗଭୀର  ବେଶି  ଏବଂ ମୁହାଣ  ଆଡକୁ ଓସାର ଖୁବ୍ ବେଶି କିନ୍ତୁ ଗଭୀର କମ୍ ହୋଇଥାଏ ।   ଛୋଟ ନାଳ, ବଡ ନାଳ ଓ  ନଦୀ  ସବୁ ଏହିପରି ସୃଷ୍ଟି  ହୋଇ ଜଳ ପ୍ରବାହିକା ରୂପେ ମୃତ୍ତିକା କ୍ଷୟ ଓ ପରିବହନ କରି ବିଭିନ୍ନ ଜାଗାରେ ବିଭିନ୍ନ ରୂପ ସୃଷ୍ଟି କରିଛନ୍ତି । ପଥୁରିଆ, ଗେଙ୍ଗୁଟିଆ ପାହାଡିଆ ମାଟିରେ  ଛୋଟ, ବଡ ଅଗଭୀର ଓ ସଂକୀର୍ଣ୍ଣ  ଗିରିପଥ ସୃଷ୍ଟି ହୋଇଥାଏ । ଏଗୁଡିକ  ମଧ୍ୟ ଝର, ଧାର ଓ  ନାଳ ପ୍ରଣାଳୀ ମୃତ୍ତିକା କ୍ଷୟର ପରିପ୍ରକାଶ । ନାଳର କ୍ରମିକ ବୃଦ୍ଧିରେ ମୁଖ୍ୟତଃ  ୪ଟି  ଅବସ୍ଥା ଦେଖାଯାଇଥାଏ  -

  1. ସଞ୍ଚରଣ ଅବସ୍ଥା – ଏଥିରେ ପାଣି ଉପର ମାଟି କାଟି ତଳ ଅଂଶ ଆଡକୁ ଖାଇ ଖାଇଯାଏ ।
  2. ବିକାଶ ଅବସ୍ଥା – ନାଳରେ ପାଣି ଜୋରରେ ବହିଲେ ନାଳମୁହଁ ଫାଟିଯାଏ । ନାଳର ଓସାର ଓ ଗଭୀରତା ବୃଦ୍ଧିପାଏ ।
  3. ଆରୋଗ୍ୟ ଅବସ୍ଥା – ପାଣି ଯେତିକି ମାଟି କାଟି ଖାଇଯିବା କଥା ସେତିକି ହୋଇଗଲା ପରେ ନାଳର ଆକାର ଓ ପ୍ରକାର ଆଉ ପରିବର୍ତ୍ତନ ହୁଏ  ନାହିଁ, ସ୍ଥିର ହୋଇଯାଏ । ଦୁଇ କଡରେ ଘାସ ଓ ଅନ୍ୟାନ୍ୟ ଗଛ ଉଠିଯାଏ ।
  4. ସ୍ଥିରାବସ୍ଥା – ଏହି ଅବସ୍ଥାରେ ନାଳର ଆକାର ଓ ପ୍ରକାର ସ୍ଥିର ରହେ ।  ଦୁଇ କଡରେ ଭଲ ଭାବେ ଘାସ ବିଭିନ୍ନ ଅନାବନା ଗଛ ଉଠି ବଢି  କଡକୁ ଆବୃତ୍ତ କରି ରଖେ।

ବେଳେ ବେଳେ ଗୋଟିଏ ନାଳର ସଞ୍ଚରଣ  ସ୍ଥଳରୁ ମୁହାଣ ପର୍ଯ୍ୟନ୍ତ ଗତିପଥରେ ନାଳର ଆକାର ପ୍ରକାର ଓ ସବୁ ପ୍ରକାର ଅବସ୍ଥା ଦେଖାଯାଇଥାଏ । ନାଳ ଦେହରୁ  ଶାଖା ଓ  ପ୍ରଶାଖାନାଳ ବାହାରି କିଛି ଦୂର ଯାଇ ପୁଣି ଛନ୍ଦା  ଛନ୍ଦି ହୋଇ ଏକାଠି ମିଶି ନଦୀରେ ବା ମୁହାଣରେ ପଡିଥିଲେ ପ୍ରକୃତିର ଗଠନ  ଓ ଧ୍ଵଂସଲୀଳାର ଚିତ୍ର  ସୁସ୍ପଷ୍ଟ  ହୋଇଯାଏ ।  ଓଡିଶାର  ଭୂପ୍ରକୃତି  ଉତ୍ତର ପୂର୍ବରୁ ଦକ୍ଷିଣକୁ ଓ ଦକ୍ଷିଣ ପଶ୍ଚିମରୁ ପୂର୍ବକୁ ଢାଲୁ । ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ,  କାଂଶ ବାଂଶ, ଚିତ୍ରୋତ୍ପଳା, ବିରୂପା,  ମହାନଦୀ, କାଠଯୋଡି, ନାଗାବଳୀ ଓ ଋଷିକୁଲ୍ୟା ଇତ୍ୟାଦି ନଦୀର ଉତ୍ପତ୍ତି ସ୍ଥଳରୁ ବଙ୍ଗୋପସାଗରସ୍ଥ ମୁହାଣ ପର୍ଯ୍ୟନ୍ତ ଗତିପଥ   ପର୍ଯ୍ୟବେକ୍ଷଣ କଲେ ଏହି ପ୍ରକ୍ରିୟାର ଏକ ସମ୍ପୂର୍ଣ୍ଣ ଚିତ୍ର ମିଳିଥାଏ ।

ଓସାର, ଗଭୀରତା ଓ ଦୁଇ ପଟର ଢାଲୁ ଅନୁସାରେ ନାଳ ଓ ଗିରିଗହ୍ଵର ଗୁଡିକୁ   -

  1. ଅତି  କ୍ଷୁଦ୍ର
  2. କ୍ଷୁଦ୍ର
  3. ମଧ୍ୟମ ଓ
  4. ଗଭୀର   ବୋଲି   ୪ଟି  ଶ୍ରେଣୀରେ   ବିଭକ୍ତ  କରାଯାଇଥାଏ   । (ସାରଣୀ -୧)

ସାରଣୀ – ୧ ନାଳ  ଗିରିଗହ୍ଵର ର   ଶ୍ରେଣୀ   ବିଭାଗ   ।

ବିବରଣୀ

ଶ୍ରେଣୀ

ଅତିକ୍ଷୁଦ୍ର

କ୍ଷୁଦ୍ର

ମଧ୍ୟମ

ଗଭୀର

ଗଭୀରତା

୧-୩

୩-୯

୯ ରୁ ବେଶି

ନାଳ ଶଯ୍ୟାର  ଓସାର

୦-୧୮

୧୮ ରୁ  ବେଶି

୧୮ ରୁ ବେଶି

୧୮ ରୁ ବେଶି

ଦୁଇପଟର ଢାଲୁ %

ବଦଳୁଥାଏ

ବଦଳୁଥାଏ

୬-୧୨ ଦୁଇପଟ ଢାଲୁ ପରିମାଣ ପ୍ରାୟସମାନ

୧୨ରୁ ବେଶି ତୀଖ, ଉତ୍ତୁଙ୍ଗ

ତୀର ଓ ବେଳାଭୂମି ମୃତ୍ତିକା କ୍ଷୟ

ସମୁଦ୍ର ଢେଉ ବାଲି ବା ମାଟି ବହିଆଣି କୁଳରେ  ଆଉଯାଇ ଦିଏ ଏବଂ ସମୁଦ୍ର ଭିତରକୁ ନେଇଯାଏ । ସମୁଦ୍ର କୂଳିଆ ଗାଁମାନ ବେଳେ ବେଳେ ସମୁଦ୍ର ଢେଉରେ   ଆସ୍ତେ ଆସ୍ତେ ଧୋଇ ହୋଇ ସଂପୂର୍ଣ୍ଣ ଭାବେ ସମୁଦ୍ର ଗର୍ଭରେ ଲୀନହୋଇଯାଏ । ସମୁଦ୍ର ଜୁଆରିଆ ହେଲେ  ଜୁଆର ପାଣି ନାଳ ଭିତରେ ଆସି ଖାଲ ଜମି ଲୁଣିଆ  କରିଦିଏ । ଜୁଆର ଛାଡିଗଲା ବେଳେ ନାଳରୁ ଚିକିଟା ଓ ପଟୁମାଟି ଧୋଇ ନେଇଯାଏ । ହୁଗୁଳିଠାରୁ ବଙ୍ଗୋପସାଗର କୂଳେ କୂଳେ ଚାନ୍ଦିପୁର, ଧାମରା ହୁକିଟୋଲା,  ପାରାଦ୍ଵୀପ, ଗୋପାଳପୁର, ଚିଲିକା ରମ୍ଭା ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ଗଲେ ସମୁଦ୍ର ହେତୁ ମୃତ୍ତିକା କ୍ଷୟ ପ୍ରକ୍ରିୟା ଖୁବ୍ ଭଲ ଭାବେ ଜଣାପଡେ । ସମୁଦ୍ର ହେତୁ  ତୀରବର୍ତ୍ତି ଜମିରେ ବିଶେଷତଃ ଖରାଦିନେ ଲୁଣି ସମସ୍ୟା ସୃଷ୍ଟି ହୋଇଥାଏ   ।

ନାଳ ଓ ନଈକୁଳ ମୃତ୍ତିକା କ୍ଷୟ

ବର୍ଷା ହେଲେ ମୃତ୍ତିକା  ଆର୍ଦ୍ରହୁଏ । ମୃତ୍ତିକା ଧରି ପାରୁନଥିବା ଉଦବୃତ୍ତ ଜଳତଳକୁ ବହିଯାଏ । ଏହି ଜଳ କ୍ରମେ ଛୋଟ ନାଳରୁ ବଡ ନାଳ ଓ ବଡ ନାଳରୁ ନଦୀକୁ   ପ୍ରବାହିତ ହୁଏ  । ନାଳ ଓ  ନଈ  ପୂରିଯାଏ ଏବଂ ସୁଅ ପଡେ। ଘନ ଘନ ବର୍ଷା ହେତୁ ନାଳ ଓ ନଦୀରେ  ସୁଅର ବେଗ ପ୍ରଖର ହେଲେ ଦୁଇପଟରୁ ମାଟି ତାଡି   ଖାଇଯାଏ । ଦୁଇକଡରୁ ବଡ ବଡ ଅତଡା ଖସେ । ବେଳେବେଳେ ଏ ସମସ୍ୟା ଏତେ ଉତ୍କଟ ହୁଏ ଯେ ଗୋଟିଏ ଗୋଟିଏ ନଈକୂଳିଆ ଗାଁ ମଧ୍ୟ ନଦୀ ଗର୍ଭରେ   ଲୀନ  ହୋଇଯାଏ । ନଦୀ ବନ୍ଧରେ ଥିବା ବଡ ବଡ ଗଛ ମଧ୍ୟ ଉପୁଡି ପଡି ନଦୀ ଗର୍ଭରେ ଲୀନ ହୁଏ । ଏପରି ମୃତ୍ତିକା କ୍ଷୟକୁ ନାଳ ଓ ନଈ କୁଳ ମୃତ୍ତିକା କ୍ଷୟ   କୁହାଯାଏ । ଏହାଦ୍ଵାରା କେଉଁ କେଉଁ ନଦୀର ଗତିପଥ ମଧ୍ୟ ବଦଳିଯାଏ । କେଉଁପଟ ନଈ ଖାଇଯାଏ ତ କେଉଁ ପଟେମାଟି ଭର୍ତ୍ତିକରି ଜମି ଗଢିଦିଏ । ନଦୀ   ମଧ୍ୟଭାଗରେ ମଧ୍ୟ ମାଟି ଗଦା ହୋଇଯାଇ କ୍ରମେ ଟାପୁ ବା ଚଡା ସୃଷ୍ଟି ହୋଇଯାଏ ।

ଠାଏ ଠାଏ ନଦୀ ବନ୍ଧ ଭାଙ୍ଗିଯାଏ । ବଡ ବଡ ଘାଇ ସୃଷ୍ଟିହୁଏ । ବନ୍ଧ ଡେଇଁ ପାଣି ପାଖ ଗାଁ ଓ ଜମିକୁ ପ୍ଲାବିତ କରି ଧନ ଜୀବନ ବିପନ୍ନ କରେ । ଏହାଦ୍ଵାରା କେତେ ଜମିରେ ବାଲି ଚଢିଯାଇ  ବାଲିଚର ହୋଇଯାଏ । ଜମି ସମ୍ପୂର୍ଣ୍ଣ ଉତ୍ପାଦନ  ଅକ୍ଷମ ହୋଇଯାଏ । ୧୯୫୫ ଓ  ୧୯୮୨  ମସିହାରେ ହୋଇଥିବା ପ୍ରଳୟଙ୍କରୀ   ବନ୍ୟାରେ ଅଦ୍ଭୁତପୂର୍ବ କ୍ଷତି ହୋଇଥିଲା ।  ହଜାର ହଜାର ହେକ୍ଟର  ଜମିରେ ବାଲିଚର ସୃଷ୍ଟି ହୋଇଥିଲା । ସେ ସବୁ ଜମି ଏପର୍ଯ୍ୟନ୍ତ ବି ସମ୍ପୂର୍ଣ୍ଣ ଭାବେ ଅବାଦି   ହୋଇନାହିଁ ।

ଅନ୍ୟାନ୍ୟ ପ୍ରଣାଳୀ ଦ୍ଵାରା ମୃତ୍ତିକା କ୍ଷୟ ତୁଳନାରେ ଜଳଦ୍ଵାରା ମୃତ୍ତିକା କ୍ଷୟ ଅତି ବ୍ୟାପକ, ବହୁରୂପୀ ଓ ଭୟଙ୍କର।

ଜଳଦ୍ଵାରା ମୃତ୍ତିକା କ୍ଷୟ ହୁଏ କିପରି?

ଟପ୍ ଟପ୍ ହୋଇ ପଡୁଥିବା ଜଳ ବିନ୍ଦୁର ଶକ୍ତି ଓ ମାଟି ଉପରେ ବହିଯାଉଥିବା ଜଳବିନ୍ଦୁର ଶକ୍ତି ସଂଯୋଗରେ ମୃତ୍ତିକା କ୍ଷୟ ପ୍ରକ୍ରିୟା ସଂଗଠିତ ହୋଇଥାଏ । ଉପରୁ   ପଡୁଥିବା ଜଳବିନ୍ଦୁର ଶକ୍ତି ମୃତ୍ତିକା ଉପରେ କୌଣସି ଭାବେ ଅଥବା ଲମ୍ବଭାବେ ପଡେ ।  ବହିଯାଉଥିବା ଜଳର ଶକ୍ତି ଭୂମି ସହିତ ସମାନ୍ତରାଳ ହୋଇପଡେ ।  ଉପରୁ ପଡୁଥିବା ଜଳ ବିନ୍ଦୁର ଶକ୍ତି ହେତୁ  ମୃତ୍ତିକା କଣିକା ଅନ୍ୟ କଣିକା ଗୁଡିକ ଠାରୁ ବିଚ୍ଛିନ୍ନ ହୋଇଯାଏ ।  ଭୂମି ସହିତ ସମାନ୍ତରାଳ ଭାବେ ବହିଯାଉଥିବା   ଜଳଶକ୍ତି ଏ ବିଚ୍ଛିନ୍ନ  କଣିକାକୁ  ବୋହିନିଏ । ଜମିରେ  ବିଶେଷତଃ  କୌଣସି ଫସଲ ବା ଆବରଣ  ନଥିଲେ ଏବଂ ଜମି ଢାଲୁ ହୋଇଥିଲେ କଚଡା ଓ ଛେଚା ବର୍ଷା ହେତୁ ମାଟି କାଦୁଅ ହୋଇଯାଏ ।  ଏବଂ ଚାରିଆଡକୁ ଛିଟିକିଯାଏ । ଚବଚବ ଓ ସୁସୁ ଶବ୍ଦ କରି ତଳକୁ ବୋହିଯାଏ ।  ଏହି  ପ୍ରକ୍ରିୟା ଗୋଳିଆ ପାଣିର  ପରିବହନ  ଶକ୍ତି  ବୃଦ୍ଧି କରାଇଥାଏ । ଅତି  ଫସଫସିଆ  ନରମ  ଓ  ଅନାବରିତ  ମାଟିରେ ଛେଚା ବର୍ଷା ହେତୁ ହେକ୍ଟର ପ୍ରତି ପ୍ରାୟ ୨୫ ଟନରୁ  ଅଧିକ ମାଟି ଛିଟିକି  କରି   ବର୍ଷାକୁ କ୍ଷୟ ହୋଇଥାଏ ।  ବହିଯାଉଥିବା  ପାଣିର କାଟିବା  ଶକ୍ତି ଏବଂ ଏହାକୁ ବହିନେବା ଶକ୍ତି ପାଣିର ବେଗ ଉପରେ ନିର୍ଭର କରେ । ବହିଯାଉଥିବା ପାଣିର   ମାଟି କାଟିବା ବା ଖାଇଯିବା ଶକ୍ତି ପ୍ରବାହ ବେଗର ବର୍ଗାନୁପାତୀ, ଏବଂ  ବିଭିନ୍ନ ପ୍ରକାର ପଦାର୍ଥ ବହିନେବା ଶକ୍ତି ପ୍ରବାହ ବେଗର ଷଷ୍ଠ ଘାଟାଣୁପାତୀ । ଏଣୁ   ନାଳରେ ପାଣି ବହିଲେ ମାଟି କାଟି ହୋଇଯାଏ ଏବଂ ବୋହିଯାଏ ।

ଆଧାର  - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା ଓ ପ୍ରଶିକ୍ଷଣ  ପରିଷଦ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate