অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମୁଦ୍ର ତଟର ବାଲି ଓ ଏହାର ଉପଯୋଗ

ସମୁଦ୍ର ତଟର ବାଲି ଓ ଏହାର ଉପଯୋଗ

ଉପକ୍ରମ

ସମୁଦ୍ର  ତଟ  ବାଲିରେ  ରହିଥିବା  ଭାରି  ଖଣିଜ  ମଧ୍ୟରେ  ଇଲମେନାଇଟ, ରୁଟାଇଲ, ଲ୍ୟୁକୋସ୍କିନ, ମାଗ୍ନେଟାଇଟ, ଗାର୍ନେଟ, ସିଲିମାନାଇଟ, ମୋନାଜାଇଟ, ଜିରକନ୍  ଅନ୍ୟତମ   । ଏଗୁଡିକ  ସାଙ୍ଗରେ  ସିଲିକେଟ୍, ଭାରି  ଖଣିଜ   ଆମ୍ପିବୋଲ, କ୍ଲାଇନୋ  ଏବଂ  ଅର୍ଥୋ – ପାଇରୋକସ୍କିନ, ଟୁରମାଲିନ  ଇତ୍ୟାଦି  ସଂଘବଦ୍ଧ  ହୋଇ  ଥା’ନ୍ତି  । ରାସାୟନିକ  କ୍ଷୟ  ନ ହେବା  ଯୋଗୁ  କ୍ଵାର୍ଜ  ଖଣିଜ  ସମୁଦ୍ର  ତଟ  ବାଲିରେ  ବହୁଳ  ଭାବେ  ଦେଖିବାକୁ  ମିଳିଥାଏ   । କ୍ଵାର୍ଜ  ସାଙ୍ଗରେ  କିଛି  ଶାମୁକା  ଖଣ୍ଡ  ସମୁଦ୍ର ତଟ  ବାଲିରେ  ମିଳିଥାଏ, ଯାହାକୁ  ଆମେ  ହାଲୁକା  ଖଣିଜ  ଭାବରେ  ପରିଗଣନା  କରୁ   । ଭାରି  ଖଣିଜ  କହିଲେ   ଆମେ  ସାଧାରଣତଃ  ଖଣିଜର  ବିଶିଷ୍ଟ  ଘନତ୍ଵ  ୨.୮ ରୁ  ଉର୍ଦ୍ଧ୍ଵକୁ  ବୁଝିଥାଉ  । ଉପରୋକ୍ତ  ଭାରି  ଖଣିଜ  ସମ୍ଭାରଗୁଡିକ  ଆମ  ଦେଶର  ସମୁଦ୍ରତଟିୟ  ଅନେକ  ଜାଗାରେ  ଦେଖିବାକୁ  ମିଳେ  । କିନ୍ତୁ  କେରାଲା  ରାଜ୍ୟର  କ୍ଵିଲନ ଜିଲ୍ଲା  ଅନ୍ତର୍ଗତ  ନିନ୍ଦକାରା  ଓ  କାୟାମକୁଲାମ, ତାମିଲନାଡୁ  ରାଜ୍ୟର  କନ୍ୟାକୁମାରୀ  ଜିଲ୍ଲାର  ମାନଭାଲାକୁରୁଚି  ଏବଂ  ଓଡିଶା  ରାଜ୍ୟର  ଗଞ୍ଜାମ  ଜିଲ୍ଲା  ଅନ୍ତର୍ଗତ  ଛତ୍ରପୁର  ଅଞ୍ଚଳରୁ  ଭାରି ଖଣିଜଗୁଡିକୁ  ବ୍ୟବସାୟିକ  ଭିତ୍ତିରେ  ଉତ୍ତୋଳନ  କରି  ବିଭିନ୍ନ  ଶିଳ୍ପ  ଉଦ୍ୟୋଗରେ  ଉପଯୋଗ  ହେବା  ଲାଗି  ପ୍ରେରଣ  କରାଯାଇଥିବାରୁ  ଦେଶ  ଓ  ବିଦେଶରେ  ସୁପରିଚିତ   । ଓଡିଶାର  ଛତ୍ରପୁରରୁ  ଭାରି  ଖଣିଜ  ଇଲମେନାଇଟ  ଆମେରିକା, ଜାପାନ, ନରୱେ, ଦକ୍ଷିଣ  କୋରିଆ  ଆଦି  ଦେଶକୁ  ରପ୍ତାନି  ହୋଇଥାଏ   ।

ଗାର୍ନେଟ, ସିଲିମାନାଇଟ, ରୁଟାଇଲ  ଏବଂ  ଜିର୍ କନ୍  ଆମ  ଦେଶର  ଚାହିଦା  ମେଣ୍ଟାଇବା  ଲାଗି  ଦେଶରେ  ବିକ୍ରି  କରାଯାଇଥାଏ   । ଖଣିଜ  ଅନୁସନ୍ଧାନ ଏବଂ  ଗବେଷଣାରୁ  ତାମିଲନାଡୁର  କୁଦିରାଇମୋଝି, ଆନ୍ଧ୍ର ପ୍ରଦେଶର  ଭିମିଲିପାଟନାମ୍, କଳିଙ୍ଗପାଟନାମ୍ ଓ  କକିନଡା ଏବଂ ମହାରାଷ୍ଟ୍ରର  ରତ୍ନଗିରିଠାରେ  ଗଚ୍ଛିତ  ସମୁଦ୍ରତଟିୟ  ଖଣିଜ  ସମ୍ଭାର  ବ୍ୟବସାୟିକ ଭିତ୍ତିରେ  ଉତ୍ତୋଳନ  ଓ  ଉପଯୋଗକ୍ଷମ  ହେବା  ଲାଗି  ଆମେ  ବେଶି  ଆଶାବାଦୀ  । ଓଡିଶାର  ଦୀର୍ଘ  ୪୮୦ କି.ମି. ବ୍ୟାପି  ସମୁଦ୍ର ତଟ,  ଯେଉଁଠି   ପୃଥକ୍ ପୃଥକ୍ ଭାବେ   ବିଭିନ୍ନ   ସ୍ଥାନରେ   ଭାରି  ଖଣିଜ  ଗଚ୍ଛିତ  ହୋଇ  ରହିଛି, ତନ୍ମଧ୍ୟରୁ  ବ୍ୟବସାୟିକ  ଭିତ୍ତିରେ  ସ୍ୱଳ୍ପ  ବ୍ୟୟରେ  ସମୁଦ୍ରତଟିୟ  ଖଣିଜ  ଉତ୍ତୋଳନ  କରି  ଉପଯୋଗୀ   କରିବାରେ  ଓଡିଶା  ଭାରତର  ଏକ  ଅଗ୍ରଣୀ  ରାଜ୍ୟ  ରୂପେ  ପରିଚିତ   ।

ଓଡିଶା  ସମୁଦ୍ର ତଟର  ଦକ୍ଷିଣରେ   ପଡୋଶୀ  ରାଜ୍ୟ  ଆନ୍ଧ୍ରପ୍ରଦେଶ – ଓଡିଶା  ସୀମାଠାରୁ  ବାଲେଶ୍ଵରର  ଏକକୂଳ, ଗହିରମଥା  ତଟ  ଯାଏ  ଠାଏ ଠାଏ  ଖଣିଜ  ସମ୍ଭାର ଗଚ୍ଛିତ  ହୋଇ  ରହିଛି  । ସମୁଦ୍ର ତଟର  ଭୌଗୋଳିକ  ଆକାର, ଖଣିଜର  ଉଦ୍ ଗମ  କ୍ଷେତ୍ର, ତଟରେ  ଗଚ୍ଛିତ  ଖଣିଜର  ମାତ୍ରା  ଏବଂ  ବିତ୍ତୀୟ  ଆଧାରରେ  ଓଡିଶା  ତଟକୁ  ତିନୋଟି  ଭାଗରେ  ଯଥା  ଉତ୍ତର, କେନ୍ଦ୍ରୀୟ  ଏବଂ  ଦକ୍ଷିଣ  ଭାଗରେ  ବିଭକ୍ତ  କରାଯାଇପାରେ   । ଉତ୍ତର  ତଟିୟ ମଣ୍ଡଳ  ପଶ୍ଚିମ  ବଙ୍ଗଳା – ଓଡିଶା  ସୀମାଠାରୁ   ଧାମରା  ପର୍ଯ୍ୟନ୍ତ  ୧୩୫ କି.ମି. ଦୈର୍ଘ୍ୟ ; କେନ୍ଦ୍ରୀୟ ମଣ୍ଡଳ   ଧାମରାଠାରୁ  ଦକ୍ଷିଣରେ  ଚିଲିକା  ହ୍ରଦ  ଯାଏ  ୨୩୫ କି.ମି. ଦୈର୍ଘ୍ୟ  ଏବଂ  ଓଡିଶାର  ଦକ୍ଷିଣ  ମଣ୍ଡଳରେ  ଚିଲିକାଠାରୁ  ପଡୋଶୀ ରାଜ୍ୟ  ଆନ୍ଧ୍ରପ୍ରଦେଶ  ସୀମା  ଯାଏ  ୧୪୦ କି.ମି. ଦୀର୍ଘ  ତଟରେ   ଅନେକଗୁଡିଏ   ସ୍ଥାନରେ  ପୃଥକ୍  ପୃଥକ୍  ଭାବେ  ମୂଲ୍ୟବାନ  ଖଣିଜ  ସମ୍ଭାର  ଗଚ୍ଛିତ  ହୋଇ  ରହିଛି  । ଉପରୋକ୍ତ   ତିନୋଟି  ମଣ୍ଡଳରେ   ଖଣିଜଗୁଡିକର  ସହବଦ୍ଧତା, ବୟନ  ଏବଂ  ଆକାର  ବିଭିନ୍ନ  ପ୍ରକାରର  ହୋଇଥାଏ, ଯାହା  ବିଭିନ୍ନ  ଉତ୍ସ  ଶୈଳ ଓ  ଜନନ  କ୍ଷେତ୍ର  ଉପରେ  ନିର୍ଭର  କରିଥାଏ   ।

ଉତ୍ତର   ତଟିୟ ମଣ୍ଡଳରେ  ଅବସ୍ଥିତ   ଅବକ୍ଷେପଗୁଡିକ  ଶିମିଳିପାଳ  କମ୍ପ୍ଲେକ୍ସ, ଛୋଟନାଗପୁର   ଗ୍ରାନାଇଟ, ସିଙ୍ଗଭୂମ  ଗ୍ରୁପ, ଆଇରନ  ଅୟସ୍କ  ଗ୍ରୁପ, ଡାଲମା ଓ  ଧାଞ୍ଜୋରି  ଜ୍ଵାଳାମୁଖୀୟ  ବର୍ଗ, ବାରିପଦା  ସ୍ତର, ଲାଟେରାଇଟ  ଏବଂ ଜୀର୍ଣ୍ଣ  ନଦୀବାହିତ  ପଟୁରୁ  ଆସିଥାଏ   । ସେଥିରେ  ଭାରି  ଖଣିଜଗୁଡିକ  ହେଲା – ଇଲମେନାଇଟ, ସିଲିମାନାଇଟ, କାୟାନାଇଟ, ମୋନାଜାଇଟ, ଜିରକନ୍, ରୁଟାଇଲ, ମାଗ୍ନେଟାଇଟ  ଏବଂ  ପାଇରୋବଲ  ।

କେନ୍ଦ୍ରୀୟ  ତଟମଣ୍ଡଳ  ମହାନଦୀ  ସମ୍ପର୍କୀୟ  ତ୍ରିକୋଣଭୂମୀ  ଅବକ୍ଷେପରେ  ପରିପୂର୍ଣ୍ଣ, ଯାହାକି  ପୂର୍ବଖଣ୍ଡ  ପର୍ବତମାଲା  ଓ  ଗଣ୍ଡାୱାନା  ବର୍ଗର  ଶିଳାରୁ  ଉଦ୍ଧୃତ   । ଏହି  ଅବକ୍ଷେପରେ  ଥିବା  ଭାରୀ  ଖଣିଜଗୁଡିକ  ମଧ୍ୟରେ  ଗାର୍ନେଟ,  ସିଲିମାନାଇଟ, ଇଲମେନାଇଟ, ରୁଟାଇଲ,  ମାଗ୍ନେଟାଇଟ, ଜିରକନ୍, ମୋନାଜାଇଟ  ଓ  ପାଇରୋବଲ୍  ଅନ୍ୟତମ   ।

ଦକ୍ଷିଣ  ମଣ୍ଡଳରେ  ଭାରୀ  ଖଣିଜର ମାତ୍ରା  ଅତ୍ୟଧିକ  । ଦକ୍ଷିଣ  ଓଡିଶା ଉପକୂଳ ଗଞ୍ଜାମ  ଜିଲ୍ଲାରେ ଅନେକଗୁଡିଏ ଭାରୀ  ଖଣିଜ  ନିକ୍ଷେପ  ରହିଛି   । ଦକ୍ଷିଣ  ଓଡିଶା ମଣ୍ଡଳ ପାଶ୍ଚାତଭୂମି, ଭୂତତ୍ତ୍ଵ  ପ୍ରିକେମ୍ବ୍ରିୟାନ  ଗ୍ରାନୁଲାଇଟ  ସଂଲକ୍ଷଣୀ  ଶିଳାରେ  ପରିପୂର୍ଣ୍ଣ  । ପ୍ରଭାବୀ  ଶିଳାଗୁଡିକ  ଚାରନୋକାଇଟ, ଖଣ୍ଡାଲାଇଟ,  କ୍ଵାଟର୍ଜାଇଟ ଓ  ଚୂନଯୁକ୍ତ  ସିଲିକେଟ, ଯାହାକୁ  ଗ୍ରାନାଇଟ ପେଗମାଟାଇଟ, ଅର୍ଥୋନିସ୍  ଏବଂ  ଆନର୍ଥୋସାଇଟ ଅନ୍ତର୍ବେଧନ   କରିଛି   ।  ଏହିସବୁ  ଶିଳାଗୁଡିକରେ  ଉପରୋକ୍ତ  ଭାରୀ  ଖଣିଜ  ଅତି  କମ୍  ମାତ୍ରାରେ  ରହିଥାଏ, ଯାହାକି  ତଟିୟ  ଭାରୀ  ଖଣିଜ  ନିକ୍ଷେପର  ଉତ୍ସ  । ଏହି ଶିଳାଗୁଡିକରେ  ରାସାୟନିକ  ଓ ଯାନ୍ତ୍ରିକ  ଅବକ୍ଷୟରୁ  ଅବକ୍ଷେପ  ଉତ୍ପନ୍ନ  ହୋଇଥାଏ   ।

ବର୍ଷା ଦିନେ  ନଦୀ, ନାଳ  ଜଳ  ଉପରୋକ୍ତ  ଶିଳାଗୁଡିକ ଉପରେ  ବହିଆସିଥିବା  ବେଳେ  ଅତି ମାତ୍ରାରେ  ଅବକ୍ଷେପଗୁଡିକୁ  ବୋହି  ଆଣିଥାଏ ; ଯେଉଁଥିରେ  କିଛି  ମାତ୍ରାରେ   ଭାରୀ  ଖଣିଜ  ଥାଏ  । ନଦୀର  ପାଶ୍ଚାତଭୂମିରୁ  ଆସିଥିବା  ଅବକ୍ଷେପ  ଶେଷରେ  ବଙ୍ଗୋପସାଗରରେ  ପହଞ୍ଚିଯାଏ   । ଅବକ୍ଷେପରେ  ଅପରଦୀ  ହାଲକା  ଓ  ଭାରୀ  ଖଣିଜଗୁଡିକ  ମିଶ୍ରିତ  ଭାବରେ  ରହିଥା’ନ୍ତି   । ଅବକ୍ଷେପରେ  ଭାରୀ  ଖଣିଜର  ମାତ୍ରା, ତଟିୟ  ଭୁପୃଷ୍ଠରେ  ଭୂଗୋଳ, ସକ୍ରିୟ  ଜଳରାଶିର  ଅବସ୍ଥା  ତଥା  ତରଙ୍ଗ  ଶକ୍ତି, ବେଳା  ସାମନ୍ତରୀୟ  ସ୍ରୋତ, ପବନର  ବେଗ ଓ  ବେଳା  ସାମନ୍ତରୀୟ  ପରିବହନ, ପୃଥକୀକରଣ  ଏବଂ  ଅବକ୍ଷେପଣ  ପ୍ରକ୍ରିୟାକୁ   ପ୍ରଭାବିତ   ଓ  ନିୟନ୍ତ୍ରଣ  କରିଥାଏ   । ଅତି  ଗୋଲାକାର  ଏବଂ  ପୃଥକ୍  ଦାନାଗୁଡିକ  ସେମାନଙ୍କର  ଅତି  ଦୂରରୁ  ଆସିଥିବା  ଓ  ତଟିୟ  ପ୍ରକ୍ରିୟାରେ  ବହୁ  ସମୟ  ଧରି  ପୁନଃରଚିତ  ହେବା  ସୂଚିତ  କରାଇଥାଏ   ।

ନିକଟରେ  ପାଶ୍ଚାତଭୂମି, କ୍ରାନ୍ତୀୟରୁ  ଉପକ୍ରାନ୍ତୀୟ  ପରିବେଶ, ଝରଣା  ଓ ନଦୀର ପ୍ରକୃତି, ତଟିୟ  ଭୂ – ଆକୃତି  ବିଜ୍ଞାନ  ଓ  ତଟିୟ  ପ୍ରକ୍ରିୟାରେ  ଜଳର  ସକ୍ରିୟତା  ଦକ୍ଷିଣ  ଓଡିଶାର  ଗଞ୍ଜାମ  ଜିଲ୍ଲାରେ  ଭାରୀ  ଖଣିଜ  ନିକ୍ଷେପଗୁଡିକ  ଭଲ  ମାନର  ହେବାରେ  ସକ୍ରିୟ   ଭୂମିକା  ଗ୍ରହଣ  କରିଥାଏ   । ଗଞ୍ଜାମ  ଜିଲ୍ଲାରେ  ଆନ୍ଧ୍ର – ଓଡିଶା  ସୀମାରୁ  ଚିଲିକା  ହ୍ରଦ ଯାଏଁ  ଭାରୀ  ଖଣିଜ  ନିକ୍ଷେପଗୁଡିକ  ରାମୟାପାଟଣା, ମାର୍କଣ୍ଡି, ଛତ୍ରପୁର, ମୟୁରପଦା, ନୀଳାଦ୍ରିପୁର, କଣ୍ଟିଆଗଡ, ଝାଟିପଦର, ଅରୁଣପୁର, ପାଲୁରୁ, ପ୍ରୟାଗି, ପାଇକରାପୁର ଓ  ନନ୍ଦଳାଠାରେ  ଅବସ୍ଥିତ   । ଭୂତତ୍ତ୍ଵ  ନିର୍ଦ୍ଦେଶାଳୟ, ଓଡିଶା  ସରକାର, ଭାରତୀୟ  ପରମାଣୁ  ଖଣିଜ  ମଣ୍ଡଳ  ଏବଂ  ସି.ଏସ୍.ଆଇ.ଆର୍  ଖଣିଜ  ଓ  ବସ୍ତୁ  ପ୍ରଯୁକ୍ତି  ପ୍ରତିଷ୍ଠାନ  ଭୁବନେଶ୍ଵର  ଦ୍ଵାରା ଓଡିଶାର  ବିଭିନ୍ନ  ଉପକୂଳ  ଅଞ୍ଚଳ  ସର୍ବେକ୍ଷଣ  କରି  ସ୍ରୋତଜ  ଖଣିଜଗୁଡିକର  ଅବସ୍ଥିତ, ମାନ  ଓ ସଜ୍ଜୀକରଣକ୍ଷମତା  ସମ୍ପର୍କରେ  ଅନୁସନ୍ଧାନ କରି  ତଥ୍ୟ  ଉପସ୍ଥାପନ  କରିଥା’ନ୍ତି   ।

ସମୁଦ୍ର ତଟର ବେଳାଭୂମି  ବାଲି  ଓ  ବାଲୁକା  ସ୍ତୂପ ଉଭୟରେ  ଭାରୀ  ଖଣିଜ  ମିଳିଥାଏ ; କିନ୍ତୁ  ଏହାର  ମାତ୍ରା  ବାଲୁକା  ସ୍ତୂପରେ  ଅଧିକ  ହୋଇଥାଏ   । ବାଲୁକା  ସ୍ତୂପଗୁଡିକର  ଅବସ୍ଥିତିକୁ  ନେଇ  ତିନି  ଭାଗରେ  ବା  ତିନି  ପ୍ରକାରରେ  ଯଥା  ଅଗ୍ରହି  ସ୍ତୂପ, ମଧ୍ୟମ  ସ୍ତୂପ  ଓ  ପଛୁଆ  ସ୍ତୂପରେ  ବିବେଚନା  କରାଯାଇପାରେ   । ଅଗ୍ରହି  ସ୍ତୂପଗୁଡିକ  ସମୁଦ୍ର  ବେଳାଭୂମିକୁ  ଲାଗିଥାଏ  ଏବଂ ସାଧାରଣତଃ  ଅବିଚ୍ଛିନ୍ନ  ହୁଡା  ସଦୃଶ  ଉପକୂଳ  ରେଖା ସହ  ସମାନ୍ତର  ଭାବେ  ଦଣ୍ଡାୟମାନ  ହୋଇଥାଏ   । ଅଗ୍ରହି  ସ୍ତୂପଗୁଡିକ  NE – SW  ଦିଗରେ  ବୃଦ୍ଧି  ଘଟାଇଥା’ନ୍ତି,  ଯାହାର  ପ୍ରସ୍ଥ  ୧୦୦ – ୧୫୦ ମି. ଏବଂ  ଉଚ୍ଚତା  ୪ – ୧୫  ମି. ମଧ୍ୟମ  ସ୍ତୂପଗୁଡିକ  ବେଶ୍  ପ୍ରଶସ୍ତ  ଓ  ଆବୁଡାଖାବୁଡା  ଭାବେ  ଛୋଟିଆ  ଛୋଟିଆ  ବାଲୁକା  ଗଦା  ଏବଂ  ଅବନମନରେ  ଭରପୁର   । ବାଲୁକାସ୍ତୂପରେ  ଅବିଚ୍ଛିନ୍ନ  ଭାବେ  ବାଲିର  ଅଭିବୃଦ୍ଧି  ଯୋଗୁଁ  ଏଗୁଡିକ  ସ୍ଥଳଭାଗ  ଆଡକୁ  ମାଡିଥା’ନ୍ତି   । ମଧ୍ୟମ  ସ୍ତୂପଗୁଡିକ  ୪୦୦ – ୬୦୦ ମି. ପ୍ରସ୍ଥବିଶିଷ୍ଟ  ଏବଂ  ଉଚ୍ଚତା  ୩ ମି.ରୁ  ପ୍ରାୟ  ୧୨ ମି.  । ପଛୁଆ  ସ୍ତୂପଗୁଡିକ  ୧୦୦ – ୨୫୦ ମି. ପ୍ରସସ୍ଥ  ଏବଂ  ୧ ମି.ରୁ  ୬ ମି.ଉର୍ଦ୍ଧ୍ଵର  ଉଚ୍ଚତାବିଶିଷ୍ଟ   । ଭାରୀ  ଖଣିଜଗୁଡିକ  ବେଳାଭୂମି   ଅବକ୍ଷେପରେ  ବାଲୁକାସ୍ତୂପ  ତୁଳନାରେ  ଅତି  କମ୍  ମାତ୍ରାରେ  ରହିଥାଏ  । ସମୁଦ୍ର  ବେଳାଭୂମିର  ୫୦ ମି. ରୁ  ୯୦ ମି. ଯାଏ  ପ୍ରସସ୍ଥ  ଏବଂ  ସାଧାରଣତଃ  ଭାରୀ ଖଣିଜମାନ  ଜଳସ୍ତର  ଯାଏ  ମିଳିଥାଏ   ।

ଭାରୀ  ଖଣିଜ  ସ୍ରୋତଜ  ନିକ୍ଷେପଗୁଡିକ  ଉତ୍ତରପୂର୍ବ   ଓ ଦକ୍ଷିଣ  ପଶ୍ଚିମ  ଦିଗରେ   ଉପକୂଳ  ସହ  ସମାନ୍ତରାଳ ଭାବେ  ବଢିଥାଏ, ଯାହାର  ପ୍ରସ୍ଥ  ୭୦୦ ମି. ରୁ  ୧୫୦୦ ମି. ବିଶିଷ୍ଟ  ଏବଂ  ଉଚ୍ଚତା  ୧୫ ମି. ଯାଏ  ହୋଇଥାଏ   । ଏହି  ବାଲୁକା  ସ୍ତୂପଗୁଡିକରେ  ଜଳସ୍ତର  ଭୂତଳଠାରୁ  ୧ ମି. ରୁ  ୬ ମି. ପର୍ଯ୍ୟନ୍ତ  ଏବଂ  ଜଳସ୍ତର  ତଳେ  ଭାରୀ ଖଣିଜର  ମାତ୍ରା  ହଠାତ୍  କମିଯାଇଥାଏ   । ଓଡିଶାରେ  ମିଳୁଥିବା  ଭାରୀ  ଖଣିଜ  ସମ୍ଭାରଗୁଡିକ  ମଧ୍ୟରେ  ଇଲମେନାଇଟ, ରୁଟାଇଲ, ସିଲିମାନାଇଟ, ଜିରକନ୍ ଓ  ମୋନାଜାଇଟର  ଭୂମିକା  ଅତି  ଗୁରୁତ୍ଵପୂର୍ଣ୍ଣ   ।

ବେଳାଭୂମି ଓ  ବାଲୁକା  ସ୍ତୂପରେ  ପ୍ରଚୁର  ପରିମାଣର  ଇଲମେନାଇଟ  ମିଳେ, ଯାହା  ସାଙ୍ଗରେ  ଅନ୍ୟାନ୍ୟ  ଭାରୀ  ଓ  ହାଲୁକା  ଖଣିଜ  ବହୁ  ପରିମାଣରେ  ମିଶି  କରି  ରହିଥା’ନ୍ତି  । ଅଭିକର୍ଷ, ଚୁମ୍ବକୀୟ, ସ୍ଥିର  ବୈଦ୍ୟୁତିକ  ଓ ପ୍ଲାବନ  ସଜ୍ଜୀକରଣ  ପଦ୍ଧତି  ଦ୍ଵାରା  ବେଳାଭୂମି  ଓ  ବାଲିସ୍ତୂପରୁ  ମିଳୁଥିବା  ଖଣିଜ   ପଦାର୍ଥଗୁଡିକୁ  ପୃଥକୀକରଣ  କରି  ଇଲମେନାଇଟ, ରୁଟାଇଲ, ମୋନାଜାଇଟ, ଜିରକନ୍, ସିଲିମାନାଇଟ  ଆଦିର ସମାହରଣ  କରାଇ ବିଭିନ୍ନ  ଉଦ୍ୟୋଗରେ ବ୍ୟବହାରକ୍ଷମ କରାଯାଇପାରୁଛି   ।

ଇଲମେନାଇଟ

ଇଲମେନାଇଟ   ଓ  ରୁଟାଇଲ  ଟାଇଟାନିୟମ  ଧାତୁର  ମୂଳ ଖଣିଜ   । ରୁଟାଇଲ   ଖଣିଜ  ଅତି  ବିରଳ   ଭାବେ  ମିଳିଥାଏ  ଏବଂ  ଇଲମେନାଇଟ  ଖଣିଜ  ସମୁଦ୍ର  ତଟ  ବାଲିରେ   ବହୁ  ପରିମାଣରେ  ମିଳିଥାଏ   । ତେଣୁ  ଟାଇଟାନିୟମ  ଧାତୁ  ଉତ୍ପାଦନରେ  ଇଲମେନାଇଟକୁ  କଞ୍ଚାମାଲ  ଭାବେ  ବ୍ୟବହାର  କରାଯାଇଥାଏ   । ଇଲମେନାଇଟର  ରାସାୟନିକ  ଉପାଦାନ  ହେଲା  FeTi   । ଗଞ୍ଜାମ  ଜିଲ୍ଲାର  ଛତ୍ରପୁର  ତଟ  ଅଞ୍ଚଳ  ଦକ୍ଷିଣରେ   ଗୋପାଳପୁର  ଏବଂ   ଉତ୍ତରରେ  ଋଷିକୁଲ୍ୟା  ନଦୀ   ମୁହାଣକୁ   ଧରି  ୧୮ କି.ମି. ଦୈର୍ଘ୍ୟ, ହାରାହାରି  ୧.୪ କି.ମି. ପ୍ରସ୍ଥ  ଏବଂ  ହାରାହାରି  ୭.୫ ମି. ଗଭୀରତାର  ଭାରୀ  ଖଣିଜ  ନିକ୍ଷେପକୁ  ଓଡିଶା  ସ୍ୟାଣ୍ଡ  କମ୍ପ୍ଲେକ୍ସ ବ୍ୟବସାୟିକ  ଭିତ୍ତିରେ  ଖଣିଜ  ସମ୍ଭାର  ଉତ୍ତୋଳନ  କରି ଆସୁଛି  । ଏହି  ନିକ୍ଷେପରେ  ୨୬.୭୨ ମିଲିୟନ  ଟନର   ଇଲେମେନାଇଟ  ନିଶ୍ଚୟ  ଗଚ୍ଛିତ  ଅଛି   । ଏତଦ୍ ବ୍ୟତୀତ   ନିକଟ  ଅନୁସନ୍ଧାନରୁ  ପୁରୀ  ଜିଲ୍ଲାର   ବ୍ରହ୍ମଗିରି  ଅଞ୍ଚଳ  ଗିରିଳା  ନାଳଠାରୁ  ଭାବୁନିଆ  ଯାଏ  ୩୦ କି.ମି. ଦୈର୍ଘ୍ୟ, ୧.୯୧ କି.ମି. ପ୍ରସ୍ଥ  ବ୍ୟାପି  ସ୍ରୋତଜ  ନିକ୍ଷେପରେ  ୬୧.୧୦ ମିଲିୟନ ଟନ  ଉଲମେନାଇଟ  ଠାବ   କରାଯାଇଛି   । ଆମ  ଦେଶ  ଭାରତରେ  ସମୁଦାୟ  ଇଲମେନାଇଟ  ଓ  ରୁଟାଇଲ  ଖଣିଜ  ସମ୍ଭାର  ୫୨୦.୩୮ ମିଲିୟନ  ଟନ,  ଯେଉଁଥିରୁ  ଆମ  ରାଜ୍ୟ   ଓଡିଶାରେ  ୧୦୮.୨୩  ମିଲିୟନ   ଟନ  ଉପଲବ୍ଧ   ।

୨୦୦୯ – ୧୦ ବର୍ଷରେ  ଆମ  ଦେଶରେ  ୭୬୭  ହଜାର  ଟନ  ଇଲିମେନାଇଟ  ଉତ୍ପାଦିତ  ହୋଇଥିଲା   । ଇଲମେନାଇଟ   ଉତ୍ପାଦନରେ  ତାମିଲନାଡୁ  ଅଗ୍ରଣି  ରାଜ୍ୟ  (୫୫%), ତା’ପରେ   ଓଡିଶା  (୨୭%) ଏବଂ  ପଛକୁ  କେରାଲା  (୧୮%)  । ଓଡିଶା  ସ୍ୟାଣ୍ଡ  କମ୍ପ୍ଲେକ୍ସ (OSCOM)  କାରଖାନାରୁ  ପ୍ରସ୍ତୁତ  ଇଲମେନାଇଟ  ଚାଭାରା  (୫୮%Ti) ଓ  ମାନାଭାଲାକୁରୁଚି   । (୫୫%Ti) ଇଲମେନାଇଟ  ତୁଳନାରେ   ଟିକିଏ  କମ୍  ମାତ୍ରାର  (୫୦%Ti)   । ରାସାୟନିକ  ଅବକ୍ଷୟ, ଜାରଣ  ପ୍ରତିରୋଧ  ଏବଂ  ଅନ୍ୟାନ୍ୟ  ବିଶିଷ୍ଟ  ଧର୍ମ  ଯୋଗୁଁ  ଟାଇଟାନିୟମ  ଏବଂ  ଏହାର  ମିଶ୍ର  ଧାତୁର  ଚାହିଦା   ବହୁତ  ବେଶୀ   । ଫେରୋଟାଇଟାନିୟମ, କୃତ୍ରିମ  ରୁଟାଇଲ  ଓ  ଟାଇଟାନିୟମ  ଡାଇଅକ୍ସାଇଡ ଧଳା  ବର୍ଣ୍ଣକ  ଉତ୍ପାଦନରେ  ଇଲମେନାଇଟ  ବ୍ୟବହୃତ  ହୋଇଥାଏ   । ଟାଇଟାନିୟମ  ଡାଇଅକ୍ସାଇଡ  ଏହାର  ଉଚ୍ଚ  ପ୍ରତିସରଣାଙ୍କ, କମ୍  ବିଶିଷ୍ଟ  ଘନତ୍ଵ  ଏବଂ  ଅବିଷାକ୍ତ  କାରଣରୁ  ଧଳା  ଓ  ବିଭିନ୍ନ  ତରଳ  ରଙ୍ଗ, ଚମକ୍ ଦାର  କାଗଜ,  ପ୍ଲାଷ୍ଟିକ  କନା, ଚଟାଣ  ପଦାର୍ଥ, ପ୍ରସାଧନ  ଉପକରଣ, ଦାନ୍ତଘଷା  ପେଷ୍ଟ, ସୂର୍ଯ୍ୟସ୍କ୍ରିନ କ୍ରିମ  ଇତ୍ୟାଦିରେ   ବ୍ୟବହୃତ  ହୋଇଥାଏ   ।  କୃତ୍ରିମ  ରୁଟାଇଲ  ଇଲେକଟ୍ରୋଡ  ଝଳେଇରେ  ଆବରଣ  ଭାବେ  ବ୍ୟବହୃତ  ହୁଏ ଏବଂ ଟେଟ୍ରାକ୍ଲୋରାଇଡ   ଉତ୍ପାଦନରେ  ଲାଗିଥାଏ, ଯାହା  ଟାଇଟାନିୟମ  ସ୍ପଞ୍ଜ  ତିଆରିରେ  ବ୍ୟବହୃତ  ହୁଏ  । ଟାଇଟାନିୟମ  ଧାତୁ  ହାଲୁକା  ସ୍ଵଭାବ, ଶାକ୍ତ  ଓ  ବହୁଦିନ  ଲାଗି  କାର୍ଯ୍ୟଦକ୍ଷତା  ଯୋଗୁଁ  ବାୟୁଯାନ  ଉଦ୍ୟୋଗରେ  ଏହାର  ବେଶ୍  ଚାହିଦା   । ଏହାର  ନିଷ୍କ୍ରିୟତା, ରାସାୟନିକ  ଅବକ୍ଷୟ  ପ୍ରତିରୋଧ  କ୍ଷମତା  ଓ  ଉଚ୍ଚତାପୀୟ  ପରିବାହିତା  ଯୋଗୁଁ  ଶକ୍ତି  ଉତ୍ପାଦନ  କାରଖାନା  ଏବଂ  ରାସାୟନିକ  ଉଦ୍ୟୋଗରେ  ବ୍ୟବହୃତ  ହୋଇଥାଏ  । ଟାଇଟାନିୟମ  ଧାତୁର  ନିଷ୍କ୍ରିୟ   ଧର୍ମ  ଯୋଗୁଁ   ମଣିଷ  ଶରୀରରେ   ମଧ୍ୟ  ବ୍ୟବହାର  ହୋଇପାରୁଛି   ।

ଓଡିଶା  ତଟ  ବାଲିରେ  ଥିବା  ଇଲମେନାଇଟର  ପ୍ରକୃତି : ସମୁଦ୍ର  ବେଳାଭୂମି  ବାଲି  ନିକ୍ଷେପରେ  ଥିବା  ଇଲମେନାଇଟ  ଖଣିଜର  ଉତ୍ତମ  ବିମୋଚନ  ଯୋଗୁଁ  ସହଜରେ  ପୁନଃପ୍ରାପ୍ତି  କରାଯାଇପାରେ   । ଓଡିଶା  ଉପକୂଳରେ  ଗଞ୍ଜାମ  ଜିଲ୍ଲାର  ରାମୟାପାଟଣା, ମାର୍କଣ୍ଡି, ମୟୁରପଦା, ନୀଳାଦ୍ରିପୁର,  ଅରୁଣପୁର, ପାଲୁରୁ, ପ୍ରୟାଗି ; ପୁରୀ  ଜିଲ୍ଲାର  ପାଇକରାପୁରା, ନନ୍ଦଲା  ଓ  କେନ୍ଦ୍ରାପଡା  ଜିଲ୍ଲାର  ଏକକୂଳଠାରେ  ଅବସ୍ଥିତ  (ଚିତ୍ର - ୧) ଭାରୀ ଖଣିଜ   ନିକ୍ଷେପଗୁଡିକ   ବ୍ୟବସାୟିକ  ଭିତ୍ତିରେ  ଉତ୍ତୋଳିତ  ହୋଇ   ବିନିଯୋଗକ୍ଷମ  ହେବାର  ସମ୍ଭାବନା   ବହୁତ  ବେଶୀ  । ଛତ୍ରପୁର   ସ୍ରୋତଜ   ଖଣିଜ  ନିକ୍ଷେପରେ  ସମୁଦାୟ  ଭାରୀ  ଖଣିଜର  ମାତ୍ରା ୨୦.୫%, ଯାହାକି  ଓଡିଶା ସ୍ୟାଣ୍ଡ  କମ୍ପ୍ଲେକ୍ସ  (M/S OSCOM), ଭାରତୀୟ  ବିରଳ ମୃତ୍ତିକା, ଉତ୍ତୋଳନ  ଓ  ସଜ୍ଜୀକରଣ  କରି   ବିନିଯୋଗ  କରି  ଆସୁଅଛି   ।

ଓଡିଶା  ତଟର  ଛତ୍ରପୁର, କଣ୍ଟିଆଗଡ  ଓ ଏକକୁଳ  ନିକ୍ଷେପରେ  ଥିବା  ଇଲମେନାଇଟର  ଅଣୁବୀକ୍ଷଣ  ଯନ୍ତ୍ର ଏବଂ  ରାସାୟନିକ   ପ୍ରବୃତି  ବିଷୟରେ   ଏଠାରେ  ଆଲୋଚନା  କରିବା   ।

ଖଣିଜ  ବିଜ୍ଞାନ

ଛତ୍ରପୁର, କଣ୍ଟିଆଗଡ  ଏବଂ ଏକକୂଳରେ  ଗଚ୍ଛିତ  ହୋଇଥିବା  ଖଣିଜ  ସମ୍ପଦଗୁଡିକର   ନମୁନା  ବେଳାଭୂମି  ଓ ବାଲୁକା  ସ୍ତୂପରୁ  ସଂଗ୍ରହ  କରି  ଅଣୁବୀକ୍ଷଣ  ଯନ୍ତ୍ର  ଏବଂ  ରଞ୍ଜନ  ରଶ୍ମି  ବିଚ୍ଛୁରଣ ପଦ୍ଧତି  ଅନୁସନ୍ଧାନରୁ  ଏହି  ବାଲିରେ   ଇଲମେନାଇଟ, ଗାର୍ନେଟ, ସିଲିମାନାଇଟ, ରୁଟାଇଲ, ଜିରକନ୍, ମୋନାଜାଇଟ, ହେମାଟାଇଟ  ଖଣିଜର  ଅବସ୍ଥିତି  ଉପଲବ୍ଧ  ହୋଇପାରିଛି  । ଏହି  ଭାରୀ  ଖଣିଜଗୁଡିକ  ସାଙ୍ଗରେ   କମ୍ ରୁ  ଅତି  କମ୍  ମାତ୍ରାର  ମାଗ୍ନେଟାଇଟ, ହରନ୍ ବ୍ଲେଣ୍ଡ, ପାଇରସ୍କିନ, ସପନ, ଟୁରମାଲିନ  ଏବଂ ଏପିଡୋଟ  ମିଳିଥାଏ  । କ୍ଵାର୍ଜ, ଶାମୁକାଖଣ୍ଡମାନ ଓ ଅନୁଲେଖ  ମାତ୍ରାର  ଅର୍ଥୋକ୍ଲେଜ, ମାଇକ୍ରୋକ୍ଳିନ  ହେଉଛି  ଏହି  ବାଲିର  ହାଲୁକା  ଖଣିଜ  ପଦାର୍ଥ   । ଛତ୍ରପୁରର  ଇଲମେନାଇଟ  କାନାଗୁଡିକର  ଆକାର  ପ୍ରାୟତଃ  ୩୫୫ ମାଇକ୍ରୋମିଟରରୁ  କମ୍  ହୋଇଥାଏ   । ଏହି  କଣାଗୁଡିକ  ୬୩ ମାଇକ୍ରୋମିଟର  ଠାରୁ  ବି  କମ୍  ହୋଇଥାଏ, ଯାହାର  ଶିଖର  ବିତରଣ  ୧୮୦ ମାଇକ୍ରୋମିଟରରୁ  ୧୦୫ ମାଇକ୍ରୋମିଟର  ମଧ୍ୟରେ   । ଏକକୂଳରେ  ମିଳୁଥିବା  ଇଲମେନାଇଟ  ଦାନାଗୁଡିକ  ୧୦୪ ରୁ  ୫୨୦ ମାଇକ୍ରୋମିଟର   । ଆକାରର   ଏବଂ  ୯୭.୩ ପ୍ରତିଶତ  ଦାନାଗୁଡିକ  ୧୦୦ ରୁ  ୩୦୦ ମାଇକ୍ରୋମିଟର  ଆକାରର ; କିନ୍ତୁ  କଣ୍ଟିଆଗଡ  ଇଲମେନାଇଟ   କଣାଗୁଡିକର   ଆକାର  ସର୍ବୋପରି  ୯୦ ରୁ  ୨୫୦ ମାଇକ୍ରୋମିଟର  । ଉପରୋକ୍ତ  ଇଲମେନାଇଟ  କଣାଗୁଡିକ ଗୋଲାକାରରୁ ଉପଗୋଲାକାର, ଅତି  ଅତି  ସୁନ୍ଦର ଏବଂ ପରିଷ୍କାର ଭାବେ ବିମୋଚିତ  ହୋଇଥା’ନ୍ତି  । କିନ୍ତୁ  ଇଲମେନାଇଟ  ଦାନାଗୁଡିକୁ  ଅଣୁବୀକ୍ଷଣ  ଯନ୍ତ୍ର  ସାହାଯ୍ୟରେ  ପରୀକ୍ଷା  କଲେ  କେତେକ   ଦାନାରେ  ଇଲମେନାଇଟ – ହେମାଟାଇଟ ସହବୃଦ୍ଧି  ହୋଇଥିବା  ଦେଖାଯାଏ  । ଇଲମେନାଇଟ – ହେମାଟାଇଟର  ଅପବିଲିୟନ  ସହବୃଦ୍ଧି  ବିଭିନ୍ନ  ପ୍ରକାରର  ବୟନ  ସଜ୍ଜୀକରଣ  ଦେଖାଦେଇଥାଏ   । ତନ୍ମଧ୍ୟରୁ  ସିରିଏଟ, ଦାନାମୟ, ମିରମେକାଇଟିକ, ଇମଲସନ  ଅନ୍ୟତମ   । ଏହିସବୁ  ସହବୃଦ୍ଧି  ଭିତରେ  ସିରିଏଟ ଗଠନ  ଅତ୍ୟନ୍ତ  ସାଧାରଣ  । (ଚିତ୍ର - ୨) ଇଲମେନାଇଟରେ  ହେମାଟାଇଟ   ପଟାଳିକାର  ସ୍ଥୂଳତା  କିମ୍ବା   ହେମାଟାଇଟରେ  ଇଲମେନାଇଟ   ପଟାଳିକାର  ସ୍ଥୂଳତା  ଦ୍ଵିପ୍ରକାରୀୟ  ବିତରଣ  ସ୍ପଷ୍ଟ  ଭାବେ  ଦେଖାଇଥାଏ  (ଚିତ୍ର – ୩ - ୫)  । ଦୁଇ  ଆନୁବଂଶିକ  ହେମାଟାଇଟ  କିମ୍ବା  ଇଲମେନାଇଟ  ପଟାଳିକାର  ସୂକ୍ଷ୍ମତା ଓ  ସ୍ଥୂଳତାରୁ  ପ୍ରଭେଦ  ବାରିହୁଏ   । ପ୍ରଥମ  ଆନୁବଂଶିକ  ଅପବିଲିୟନ  ହେମାଟାଇଟ  ସ୍ଥୂଳ  ପଟାଳିକା, ଯାହାକି   ଇଲମେନାଇଟରେ  ଦେଖିବାକୁ   ମିଳେ, ସେଗୁଡିକ   ନିଜେ  ଦ୍ଵିତୀୟ  ଆନୁବଂଶିକ   ସୂକ୍ଷ୍ମ  ଅପବିଲିୟନ  ଇଲମେନାଇଟ  ପଟାଳିକାକୁ  ଧରି  ରଖିଥା’ନ୍ତି

ଚିତ୍ର – ୩ : ହେମାଟାଇଟ  (ଧଳା) ଖଣିଜରେ  ଅପବିଲିୟନ  ଇଲମେନାଇଟ  (ପାଉଁଶିଆ) ଲାଥ  ଓ  ପଟାଳିକା  ପ୍ରାୟ  ସମାନ୍ତରାଳ  ଭାବେ  ବଢିଛି   । ଉତ୍ସ – କଣ୍ଟିଆଗଡ

ଚିତ୍ର – ୪ : କେନ୍ଦ୍ରୀୟ  ହେମାଟାଇଟ  (ଧଳା)ରେ  ନାନାବିଧ  ପ୍ରକାରର  ଓ  ଆକାରର  ଇଲମେନାଇଟ  (ପାଉଁଶିଆ) ସହ  ବୃଦ୍ଧି  ଘଟିଅଛି   । ଚିତ୍ରରୁ   ଇଲମେନାଇଟ   ପଟାଳିକାର  ଦ୍ଵିପ୍ରକାରୀୟ  ବିତରଣ  ସ୍ପଷ୍ଟ  ଭାବେ  ସୂଚାଉଅଛି   । ଦାନାମୟ  ଇଲମେନାଇଟରେ  ଅତି  ସୂକ୍ଷ୍ମ  କଣିକାଯୁକ୍ତ   ହେମାଟାଇଟ  ସହବୃଦ୍ଧି ଦେଖାଯାଉଛି   । ଉତ୍ସ – ଛତ୍ରପୁର

ଚିତ୍ର – ୫ : ଇଲମେନାଇଟ  କଣିକାରେ  ଅତି  ସୂକ୍ଷ୍ମ  ଛୋଟ  ବିନ୍ଦୁ ଓ  ସୂକ୍ଷ୍ମ  ରେଖାସଦୃଶ  ହେମାଟାଇଟ  ସହବୃଦ୍ଧି   ବାରି  ହେଉଅଛି   । ଉତ୍ସ – ଛତ୍ରପୁର

ଚିତ୍ର – ୬ : ଲ୍ୟୁକୋସ୍କିନ  ଅଂଶମୟ,  ଶିରା  ଓ ପ୍ରଶିରା  ଆକାରରେ  ଇଲମେନାଇଟ (ପାଉଁଶିଆ)ରୁ  ପରିବର୍ତ୍ତିତ  ହୋଇଅଛି   । ଉତ୍ସ – କଣ୍ଟିଆଗଡ

କେତେକ  କ୍ଷେତ୍ରରେ  ଏହି  ପଟାଳିଗୁଡିକରେ  ବକ୍ରତା   ଦେଖାଦେଇଥାଏ, ଯାହା  ଷ୍ଟ୍ରେସ  ଅବସ୍ଥାରେ  ଅପବିଲିୟନ   ହେବା  ସୁଚାଇଥାଏ   । ଇଲମେନାଇଟ  ଦାନାଗୁଡିକର  ସୀମାନ୍ତ, ବିଭଙ୍ଗ  ଓ  ଅନିୟମିତ  ଅଂଶମୟରେ  ଲ୍ୟୁକୋସ୍କିନ   ଏବଂ  ଆନାଟେଜକୁ   ପରିବର୍ତ୍ତିତ   ହୋଇଥାଏ  (ଚିତ୍ର - ୬)  ।

ଇଲମେନାଇଟ  ଖଣିଜର  ରାସାୟନିକ  ଉପାଦାନ – ଛତ୍ରପୁର, କଣ୍ଟିଆଗଡ ଓ  ଏକକୂଳ   ଇଲମେନାଇଟ, ଅପବିଲିୟନ  ହେମାଟାଇଟ  ଏବଂ  ଇଲମେନାଇଟରୁ  ଲ୍ୟୁକୋସ୍କିନକୁ   ପରିବର୍ତ୍ତିତ   ହୋଇଥିବା  ପଦାର୍ଥକୁ  ଇଲେକଟ୍ରନ  ଅଣୁବୀକ୍ଷଣ   ଯନ୍ତ୍ର  ଦ୍ଵାରା  ବିଶ୍ଳେଷଣ   କରାଯାଇ  ସେଗୁଡିକର  ରାସାୟନିକ  ଉପାଦାନଗୁଡିକ  ସାରଣୀ – ୧ ରେ  ଦିଆଯାଇଛି   । ଛତ୍ରପୁର  ଇଲମେନାଇଟରେ  ୪୩.୯୪ -  ୫୦.୧୭% FeO, ୪୬.୩୮ – ୫୨.୭୧% Ti, ୦.୧୪ – ୧.୮୯ %   ଏବଂ  ଅନୁଲେଖ  ମାତାର  ମାଗ୍ନେସିୟମ, କାଲସିୟମ, ମାଙ୍ଗାନିଜ, କ୍ରୋମିୟମ, ଜିଙ୍କ, ଭାନାଡିୟମ ଓ  ବେରିୟମ  ରହିଅଛି  । କଣ୍ଟିଆଗଡ  ଇଲମେନାଇଟରେ  ୪୧.୫୮- ୪୯.୧୨% FeO , ୪୮.୯୧ – ୫୬.୬୫% Ti ୦.୧୮- ୦.୬୦%  ସହ  ଅତି  କମ୍ ମାତ୍ରାର  ମାଗ୍ନେସିୟମ, ମାଙ୍ଗାନିଜ, କ୍ରୋମିୟମ ଏବଂ  ଜିଙ୍କ  ରହିଛି   । ଏକକୂଳ  ଇଲମେନାଇଟରେ  ୪୨.୪୨ – ୪୬.୯୦% FeO, ୫୦.୦୨ – ୫୪.୭୩% Ti ଓ ୧.୮୦% ପର୍ଯ୍ୟନ୍ତ   ସହ  ଅନୁଲେଖ  ମାତ୍ରାର  ମାଗ୍ନେସିୟମ, ମାଙ୍ଗାନିଜ, କ୍ରୋମିୟମ, ଜିଙ୍କ, ଭାନାଡିୟମ  ଓ  ବେରିୟମ  ମିଳିଥାଏ   । ଏହି  ତିନୋଟି   ନିକ୍ଷେପ   ମଧ୍ୟରେ   ତୁଳନାତ୍ମକ  ଭାବରେ  ଦେଖିଲେ, ଛତ୍ରପୁର  ଇଲମେନାଇଟରେ  କମ୍  ପରିମାଣରେ   ଟାଇଟାନିୟମ   ଏବଂ  ବେଶୀ  ପରିମାଣର  ଆଇରନ  ଥିବା  ଜଣାଯାଏ   ।

ଉପରୋକ୍ତ  ତିନୋଟି  ନିକ୍ଷେପର ଇଲମେନାଇଟରେ  ଅପବିଲିୟନ  ହେମାଟାଇଟର  ରାସାୟନିକ  ଉପାଦାନ  ସାରଣୀ – ୨ ରେ  ଉଲ୍ଲେଖ  କରାଯାଇଛି   । ଅପବିଲିୟନ  ହେମାଟାଇଟରେ

ସାରଣୀ – ୧ : ଇଲେକଟ୍ରନ  ଅଣୁବୀକ୍ଷଣ  ଯନ୍ତ୍ର  ଦ୍ଵାରା  ଇଲମେନାଇଟ, ହେମାଟାଇଟ  ଓ  ଲ୍ୟୁକୋସ୍କିନର  ରାସାୟନିକ  ବିଶ୍ଳେଷଣ

ଇଲମେନାଇଟ

 

ଛତ୍ରପୁର

କଣ୍ଟିଆଗଡ

ଏକକୂଳ

Fe

43.94 – 50.17

41.58 – 49.12

42.42 – 46.90

Ti

46.38 – 52.71

48.91 – 56.65

50.02 – 54.73

 

0.14 – 1.89

0.18 – 0.60

0.01 – 1.80

MgO

0.29 – 1.03

BDL – 0.80

0.11 – 1.68

MnO

0.11 – 0.57

0.12 – 0.49

0.10 – 1.78

CaO

BDL – 0.01

ND

BDL – 0.02

 

0.03 – 0.18

BDL – 0.09

0.01 – 0.29

ZnO

0.00 – 0.16

BDL – 0.02

BDL – 0.24

 

0.23 – 0.29

BDL – 0.32

0.26 – 0.29

BaO

0.10 – 0.35

ND

0.20 – 0.45

ହେମାଟାଇଟ

 

ଛତ୍ରପୁର

କଣ୍ଟିଆଗଡ

ଏକକୂଳ

 

78.95 – 81.97

78.38 – 86.01

81.03 – 88.13

Ti

15.84 – 18.26

13.38 – 20.41

10.22 – 16.26

Si

BDL – 0.08

ND

BDL – 0.47

 

0.55 – 0.73

ND

0.15 – 0.65

MgO

0.09 – 0.37

BDL – 0.31

BDL – 0.43

MnO

0.04 – 0.14

0.06 – 0.15

BDL – 0.22

CaO

ND

ND

0.01 – 0.03

 

0.05 – 0.32

0.08 – 0.11

0.18 – 0.38

ZnO

BDL – 0.08

BDL

BDL – 0.11

 

0.08 – 0.10

0.08 – 0.13

0.02 – 0.07

BaO

0.06 – 0.10

ND

0.02 – 0.18

ଲ୍ୟୁକୋସ୍କିନ

 

ଛତ୍ରପୁର

କଣ୍ଟିଆଗଡ

FeO

21.02 – 27.37

17.93 – 20.45

Ti

65.75 – 70.72

74.85 – 75.15

Si

0.54 – 0.92

ND

 

2.11 – 2.18

BDL – 1.27

MgO

1.32 – 1.40

BDL

MnO

0.11 – 0.33

0.12 – 0.62

CaO

BDL – 0.33

ND

 

0.42 – 0.46

0.13 – 0.19

ZnO

BDL – 0.02

0.03 – 0.05

 

0.34 – 0.36

0.01 – 0.46

BaO

0.30 – 0.31

ND

ସାରଣୀ – 2 : ଇଲମେନାଇଟ  ସମାହରଣର  ବିଭିନ୍ନ  ଚୁମ୍ବକୀୟ  ସମାହାରକୁ  ଲୌହ  ଓ  ଟାଇଟାନିୟମର  ବିଶ୍ଳେଷଣ

 

Wt %

Fe %

Ti

Tidistribution%

Hand magnetic

2.56

36.99

45.11

2.31

IDS 0.2 amp (magnetic)

25.06

35.86

46.78

23.45

IDS 0.25 amp (magnetic)

28.60

33.64

52.67

30.13

IDS 0.3 amp (magnetic)

36.76

32.75

55.97

41.15

IDS 0.3 amp (non - magnetic)

7.02

22.94

21.14

2.97

Feed

100.00

34.75

50.00

100.01

୭୮.୩୮ – ୮୮.୧୩% , ୧୦.୨୨ – ୨୦.୪୧% Ti ସହ  ଅତି  କମ୍  ମାତ୍ରାର  ଆଲୁମିନିୟମ, ମାଗ୍ନେସିୟମ, ମାଙ୍ଗାନିଜ, କ୍ରୋମିୟମ, ଜିଙ୍କ, ଭାନାଡିୟମ  ଓ  ବେରିୟମ  ମହଜୁଦ  ଅଛି   । ଏତେ  ମାତ୍ରାର  ଟାଇଟାନିୟମ  ଡାଇଅକ୍ସାଇଡ  ସ୍ସାଧାରଣ  ହେମାଟାଇଟରେ  ଅସ୍ଵାଭାବିକ   । କିନ୍ତୁ  ଏହି  ଅପବିଲିଅନ  ହେମାଟାଇଟରେ   – Fe Ti ର ସଲିଡ  ସଲ୍ୟୁସନ  କିମ୍ବା  ଅତି  ସୂକ୍ଷ୍ମ  ଇଲମେନାଇଟ  କଣିକା  ଥିବା  ସୁଚାଇଥାଏ   । ହେମାଟାଇଟ  ସଙ୍ଗେ  ତୁଳନା  କଲେ  ଇଲମେନାଇଟରେ  ମାଗ୍ନେସିୟମ, ମାଙ୍ଗାନିଜ ଓ  ଭାନାଡିୟମ ମୌଳିକ  ଉପାଦାନ  ବେଶ୍  ସମୃଦ୍ଧ   ।

ଇଲମେନାଇଟରୁ  ଅବହେଳିତ   ଲ୍ୟୁକୋସ୍କିନରେ  ୬୫.୭୫ – ୭୫.୧୫% Ti ଓ  ୧୭.୯୩ – ୨୭.୩୭% FeO ରହିଛି   । Ti / (Ti + Fe) ର  ଅନୁପାତ  ଲ୍ୟୁକୋସ୍କିନରେ  ୦.୭୫  ହେବା  ବେଳେ  ଏହା  ଇଲମେନାଇଟରେ  ୦.୫୦ ଅଟେ   । ଇଲମେନାଇଟ  ତୁଳନାରେ  ଲ୍ୟୁକୋସ୍କିନରେ  ଟାଇଟାନିୟମ, ଆଲୁମିନିୟମ, କ୍ରୋମିୟମ ଓ  ଭାନାଡିୟମ  ମୌଳିକ  ଉତ୍ପାଦନ  ସମୃଦ୍ଧ  ଏବଂ  ଆଇରନ  ଅତି  କମ୍ ମାତ୍ରାର  ବା  ନିକୃଷ୍ଟ   ।

ଇଲମେନାଇଟର  ଚୁମ୍ବକୀୟ  ତୀବ୍ରତା

ଉତ୍ସ  ଶିଳା, ଅପକ୍ଷୟର  ମାତ୍ରା, ଖଣିଜର  ପରିବର୍ତ୍ତନ, ତଟକା  ଏବଂ  ପରିବର୍ତ୍ତିତ  ଖଣିଜର  ପରିବହନ, ଜୁଆରିଆ  ତରଙ୍ଗ, ତଟିୟ  ବିସ୍ଥାପନ, ବାୟୁର  କ୍ରିୟା  ଇତ୍ୟାଦି  ଉପରେ  ନିର୍ଭର  କରିଥିବା  ଯୋଗୁଁ  ସମୁଦ୍ର  ବେଳାଭୂମି  ଓ  ବାଲୁକା  ସ୍ତୂପରେ  ଥିବା  ଇଲମେନାଇଟର  ରାସାୟନିକ  ଉପାଦାନ  ବହୁଳ  ଭାବେ   ପରିବର୍ତ୍ତନଶୀଳ  ହୋଇଥାଏ   । ପଶ୍ଚିମତଟିୟ  ଇଲମେନାଇଟ  ତୁଳନାରେ   ଓଡିଶା  ଉପକୂଳ   ଇଲମେନାଇଟର  ଲକ୍ଷଣ  ହେଲା  ବହୁ  ଲୌହମୟ  ଏବଂ  କମ୍  ଫେରିକ  ଆଇରନ  ଏବଂ  କମ୍  ଟାଇଟାନିୟମ  ଡାଇଅକ୍ସାଇଡ   । ଅସକମ୍  (OSCOM) ଇଲମେନାଇଟ   ସମାହରଣରେ  ୫୦.୦୦% Ti, ୩୪.୪୦% FeO, ୧୧.୪୬%  , ୦.୭୦%
, ୧.୬୪% Si, ୦.୦୫% , ୦.୫୦ % MnO , ୦.୦୫% , ୦.୨୧% , ୦.୦୦୧% CaO, ୦.୫୫% MgO ଓ ୦.୦୧%  Zr ଅଛି   । ଛତ୍ରପୁର  ଇଲମେନାଇଟର  ଫେରସ୍  ଓ ଫେରିକ  ଆଇରନ  ଅନୁପାତରୁ  ଇଲମେନାଇଟର  ପ୍ରାୟ  ଏକ  ଚତୁର୍ଥାଂଶ  ଫେରସ୍  ଆଇରନ  ଜାରିତ  ହେବା  ସୂଚନା  ମିଳେ  ।  ଇଲମେନାଇଟ   ସମାହରଣରେ  ଇଲମେନାଇଟ, ପରିବର୍ତ୍ତିତ  ଇଲମେନାଇଟ, (ପରିବର୍ତ୍ତନଶୀଳ  ମାତ୍ରାର   ଲ୍ୟୁକୋସ୍କିନ), ଇଲମେନାଇଟ – ହେମାଟାଇଟ   ଅନ୍ତଃବୃଦ୍ଧି  ସହ  କମ୍  ମାତ୍ରାର  ଗାର୍ନେଟ  ଦେଖିବାକୁ  ମିଳିଥାଏ   ।

ଇଲମେନାଇଟର  ଚୁମ୍ବକୀୟ  ତୀବ୍ରତା  ସହ  ଇଲମେନାଇଟର  ରାସାୟନିକ  ଉପାଦାନ  ସମ୍ପର୍କ  ବିଷୟରେ  ବୁଝିବା  ଲାଗି  ଇଲମେନାଇଟ  ସମାହରଣର  ସମଷ୍ଟିକୁ  ହାତ  ଚୁମ୍ବକ  ଓ  ଆଇସୋ – ଡାଇନାମିକ  ମାଗନେଟିକ  ସେପାରେଟର  ଦ୍ଵାରା  ୦.୨,୦.୨୫,୦.୩ ଆମ୍ପ  ବିଦ୍ୟୁତ  ସ୍ରୋତ  ବ୍ୟବହାର  କରି  ପୃଥକୀକରଣ  କରାଇ  ବିଭିନ୍ନ  ଚୁମ୍ବକୀୟ  ଓ  ଅଚୁମ୍ବକୀୟ  ବିଭକ୍ତଗୁଡିକର  ରାସାୟନିକ  ଉପାଦାନ  ବିଶ୍ଳେଷଣ  କରାଗଲା   । ବିଭିନ୍ନ  ବିଭକ୍ତରେ  ଆଇରନ, ଟାଇଟାନିୟମ  ଏବଂ  ଟାଇଟାନିୟମର  ବିତରଣ  ସାରଣୀ – ୨ରେ  ଦିଆଯାଇଛି, ଯେଉଁଥିରୁ   ସ୍ପଷ୍ଟ  ଜଣାଯାଉଛି  ଯେ  ବିଦ୍ୟୁତ   ସ୍ରୋତର   ତୀବ୍ରତା  ବଢାଇ  ପୃଥକୀକରଣ  କରିଥିବା  ଇଲମେନାଇଟରେ  ଟାଇଟାନିୟମ  ବଢିଥାଏ ଓ ଆଇରନ  କମିଥାଏ   । ଅଚୁମ୍ବକୀୟ  ବିଭାଜନରେ  ଗାର୍ନେଟ  ସହ  କିଛି  ଇଲମେନାଇଟ   ମଧ୍ୟ  ରହିଥାଏ   । ଏହି  ବିଶ୍ଳେଷଣ  ଇଲମେନାଇଟ  ସମାହରଣକୁ  ପୁନଃ   ଚୁମ୍ବକୀୟ  ପଦ୍ଧତିରେ  ସଜ୍ଜୀକରଣ  କରି  ସମାହରଣରେ  ଥିବା  ଅବାଞ୍ଛନୀୟ  ଗାର୍ନେଟଗୁଡିକୁ  ପୃଥକୀକରଣ  କରି  ଏହାର  ମାନ  ବଢାଇବାରେ  ସକ୍ଷମ  ହେବା  ସୁଚାଇ  ଦେଇଛି   ।

ଇଲମେନାଇଟରୁ  ଆଇରନ  ନିଷ୍କାସନ  ଚିତାଚରିତ  ପ୍ରକ୍ଷାଳନ   ପ୍ରଣାଳୀରେ  ବହୁତ  ପରିମାଣରେ  ବହିଃସ୍ରାବୀ  ନିର୍ଗତ  ହୋଇଥାଏ   । ତେଣୁ  ଉଚ୍ଚତାପ  ଧାତୁ  ନିଷ୍କାସନ  ପଦ୍ଧତିରେ  ଇଲମେନାଇଟରେ   କାରବନ ଦେଇ  ଚୁଲାରେ   ପ୍ରଗଳନ  କରାଯାଇଥାଏ   । ଏହାଦ୍ଵାରା  ପିଗ୍  ଲୁହା  ଓ  ଉଚ୍ଚ  ଟାଇଟାନିୟମ  ଡାଇଅକ୍ସାଇଡଯୁକ୍ତ  ସ୍ଲାଗ  ଉତ୍ପାଦିତ  ହୋଇଥାଏ   ।

ଟାଇଟାନିୟମ  ଖଣିଜ  ମୁଖ୍ୟତଃ  ବର୍ଣ୍ଣକ  ଉଦ୍ୟୋଗ  ଓ  ଟାଇଟାନିୟମ  ଧାତୁ  ଉତ୍ପାଦନରେ  ଲାଗିଥାଏ  । ଭାରତରେ  ମିଳୁଥିବା  ଇଲମେନାଇଟ  ଖଣିଜ  ଖୁବ  ବେଶୀ  ଅଂଶକୁ  କୌଣସି ମୂଲ୍ୟଯୁକ୍ତ  ନ କରି ବିଦେଶକୁ  ରପ୍ତାନୀ  କରାହୁଏ   । ମୂଲ୍ୟଯୁକ୍ତ  ଦ୍ଵାରା  ଏହାର  ମୂଲ୍ୟ  ବର୍ଣ୍ଣକ  ଉଦ୍ୟୋଗ  ଲାଗି  ୪୦ ରୁ ୫୦ ଗୁଣ  ଓ  ଟାଇଟାନିୟମ  ସ୍ଲାଗ  ଲାଗି  ୧୦୦ ଗୁଣ  ବଢିଥାଏ   ।

ଖଣିଜ ଓ  ବସ୍ତୁ  ପ୍ରଯୁକ୍ତି  ପ୍ରତିଷ୍ଠାନ  ଇଲମେନାଇଟ ମୂଲ୍ୟଯୁକ୍ତ  ଲାଗି  ସ୍ୱଳ୍ପ  ଖର୍ଚ୍ଚରେ  ପରିବେଶ  ସହଯୋଗୀ  ନୂଆ  ପ୍ଲାଜ୍ମା  ପ୍ରଯୁକ୍ତି  ଜରିଆରେ   ଇଲମେନାଇଟରୁ   ଟାଇଟାନିୟମ  ଡାଇଅକ୍ସାଇଡ  ପୃଥକ୍  କରିବାରେ  ସମର୍ଥ   । ଏହି  ପ୍ରଯୁକ୍ତିରେ  ସ୍ଲାଗ, ଯେଉଁଥିରେ  ୭୫  ପ୍ରତିଶତରୁ  ଅଧିକ  ଟାଇଟାନିୟମ  ଡାଇଅକ୍ସାଇଡ  ଥାଏ  ଓ ପିଗ୍  ଲୁହା  ବାହାରିଥାଏ, ସେହି  ସ୍ଲାଗଗୁଡିକ  ସିଧା  ବର୍ଣ୍ଣକ  ଉଦ୍ୟୋଗରେ  ବ୍ୟବହାର  ହୋଇପାରିବ  ନତୁବା  ସେଗୁଡିକୁ  ପ୍ରକ୍ଷାଳନ  କରି  କୃତ୍ରିମ  ରୁଟାଇଲ   ଉତ୍ପାଦନ  କରିହେବ   । ଦୈନିକ  ଦଶ  ଟନ  କ୍ଷମତାସମ୍ପନ୍ନ  ଗୋଟିଏ  ଡେମନଷ୍ଟ୍ରେସନ  କାରଖାନା  ଆମ  ରାଜ୍ୟର   ଅସକମ  ଇଲମେନାଇଟରୁ  ବିଜାରଣ  ଭର୍ଜନ  ଓ  ପ୍ରଗଳନ ପଦ୍ଧତି   ଦ୍ଵାରା  କରିବା  ଲାଗି  ଭାରତୀୟ  ବିରଳ  ମୃତ୍ତିକା  ଛତ୍ରପୁରଠାରେ  ପ୍ରସ୍ତାବ  ରଖାଯାଇଛି   ।

  1. କଣ୍ଟିଆଗଡ ଓ  ଏକକୂଳ  ବେଳାଭୂମି  ଓ  ବାଲୁକା  ସ୍ତୂପରେ  ମିଳୁଥିବା  ଇଲମେନାଇଟ  ଖଣିଜ  ଦାନାଗୁଡିକ  ଉତ୍ତର  ରୂପେ  ବିମୋଚନ   ହୋଇଥା’ନ୍ତି   । ଇଲମେନାଇଟ  କଣାଗୁଡିକ  ବହୁଳ  ଭାବେ  ୩୫୦ ରୁ  ୯୦ ମାଇକ୍ରୋମିଟର  ଆକାରର  ଏବଂ  ଏହା  ସହ  ମିଶି  ଗଚ୍ଛିତ  ହୋଇଥିବା  ଅନ୍ୟାନ୍ୟ  ଭାରୀ  ଓ  ହାଲୁକା  ଖଣିଜଠାରୁ  ସହଜରେ   ପୃଥକୀକରଣ  ହୋଇପାରେ   ।
  2. ଉପରୋକ୍ତ  ସମସ୍ତ  ନିକ୍ଷପଗୁଡିକରେ  କେତେଗୁଡିଏ  ଇଲମେନାଇଟ  ଦାନାରେ  ବିଭିନ୍ନ  ପରିମାଣର  ହେମାଟାଇଟ, ଲାଥ, ପଟାଳିକା  ଓ  ବ୍ଲେଡ  ଭାବେ  ସହବୃଦ୍ଧି  ଘଟିଥାଏ, ଯାହାଦ୍ଵାରା  ଇଲମେନାଇଟ  ଖଣିଜର  ସାନ୍ଧ୍ରତାରେ  ଆଇରନ  ବୃଦ୍ଧି  ହେବା  ସ୍ଵାଭାବିକ   ।
  3. ଇଲମେନାଇଟରେ  ଟାଇଟାନିୟମ  ଏବଂ  ଆଇରନ  ବ୍ୟତୀତ  ଖୁବ୍ କମ୍ ମାତ୍ରାର  ମାଗ୍ନେସିୟମ, ମାଙ୍ଗାନିଜ, କ୍ରୋମିୟମ, ଜିଙ୍କ, ଭାନାଡିୟମ  ଓ  ବେରିୟମ  ରହିଛି  । କଣ୍ଟିଆଗଡ ଓ  ଏକକୂଳ  ଇଲମେନାଇଟ  ତୁଳନାରେ  ଛତ୍ରପୁର  ଅସକମ୍  ଇଲମେନାଇଟରେ  କମ୍  ପରିମାଣର  ଟାଇଟାନିୟମ  ଓ  ଟିକିଏ  ବେଶୀ  ପରିମାଣର  ଆଇରନ  ରହିଛି   ।
  4. ସହବୃଦ୍ଧି  ଇଲମେନାଇଟ – ହେମାଟାଇଟ  ଅପବିଲିଅନ  ହୋଇଥିବା  ହେମାଟାଇଟରେ  ୧୦.୨୨ – ୨୦.୪୧ ପ୍ରତିଶତ  ଟାଇଟାନିୟମ  ଡାଇଅକ୍ସାଇଡ,  – Fe Ti ସଲିଡ୍  ସଲ୍ୟୁସନ କିମ୍ବା  ଅତି  ସୂକ୍ଷ୍ମ  ଇଲମେନାଇଟ  କଣିକା  ହେମାଟାଇଟରେ  ଅନ୍ତର୍ବେଶନ  ହୋଇ  ରହିଥିବା   ସୂଚାଇଥାଏ   । ଇଲମେନାଇଟରେ  ହେମାଟାଇଟ  ତୁଳନାରେ  ଅଧିକ  ମାତ୍ରାର  ମାଗ୍ନେସିୟମ, ମାଙ୍ଗାନିଜ  ଓ ଭାନାଡିୟମ  ଉପାଦାନ  ରହିଛି   ।
  5. ଇଲମେନାଇଟ  ତୁଳନାରେ  ପରିବର୍ତ୍ତିତ  ହୋଇଥିବା  ଲ୍ୟୁକୋସ୍କିନରେ  ଅଧିକ  ଟାଇଟାନିୟମ, ଆଲୁମିନିୟମ, କ୍ରୋମିୟମ, ଭାନାଡିୟମ ଓ  କମ୍ ଆଇରନ୍  ମିଳିଥାଏ   ।
  6. ଇଲମେନାଇଟର  ବିଭେଦକ  ଅପକ୍ଷୟିତା, ପରିବହନ  ଓ  ଖଣିଜ  ଅଭିବୃଦ୍ଧି  ସମୟରେ  ତାଜା  ଏବଂ  ପରିବର୍ତ୍ତନ  ଇଲମେନାଇଟର  ବିଭିନ୍ନ  ଅନୁପାତର  ମିଶ୍ରଣ  ସ୍ରୋତଜ  ଖଣିଜ  ନିକ୍ଷେପର  ରାସାୟନିକ   ଧର୍ମକୁ  ଜଟିଳ  କେଇଦେଇଥାଏ   ।
  7. ଇଲମେନାଇଟର  ଚୁମ୍ବକୀୟ  ଧର୍ମ  ଅତି  ପରିବର୍ତ୍ତନଶୀଳ   । ଇଲମେନାଇଟରେ  ଚୁମ୍ବକୀୟ  ସମ୍ବେଦନଶୀଳତା   କମିଲେ, ଏହାର  ଟାଇଟାନିୟମ  ଡାଇଅକ୍ସାଇଡର  ମାତ୍ରା  ବଢିଥାଏ   ।
  8. ଇଲମେନାଇଟ  ବ୍ୟତୀତ  ଛତ୍ରପୁର  ଉପକୂଳରୁ  ଗାର୍ନେଟ, ସିଲିମାନାଇଟ, ମୋନାଜାଇଟ, ଜିରକନ୍  ପ୍ରଭୃତି  ଖଣିଜ  ସମାହରଣ   ବିଭିନ୍ନ  ଉଦ୍ୟୋଗରେ  ବ୍ୟବହୃତ  ହୋଇଥାଏ   ।
  9. ସର୍ଭେ  ଓ  ଅନୁସନ୍ଧାନରୁ  ଜଣାଯାଏ  ଯେ  ଦକ୍ଷିଣ  ଓଡିଶା  ଏବଂ କେନ୍ଦ୍ରୀୟ  ତଟମଣ୍ଡଳରେ  ଅନେକଗୁଡିଏ  ଛୋଟ ଛୋଟ  ସ୍ରୋତଜ  ଖଣିଜ  ନିକ୍ଷେପ  ଗଚ୍ଛିତ  ହୋଇ  ରହିଛି, ଯାହାକୁ   ସଜ୍ଜୀକରଣ  କରି  ଇଲମେନାଇଟ, ରୁଟାଇଲ, ସିଲିମାନାଇଟ, ମୋନାଜାଇଟ  ଓ ଜିରକନ୍ ର  ବିକ୍ରି  ହେଲା  ଭଳି  ସମାହରଣ  ଉପଲବ୍ଧ  ହୋଇପାରିବ,  ଯାହା  ବିଭିନ୍ନ  ଶିଳ୍ପରେ   ଉପଯୋଗକ୍ଷମ   । ଭାରତର  ୩୨.୨୮ ମିଲିୟନ  ଟନ  ଜିରକନ୍  ଖଣିଜ  ସମ୍ପଦରୁ  ଓଡିଶା  ରାଜ୍ୟରେ  ୩.୧୬ ମିଲିୟନ  ଟନ  ଜିରକନ୍ ଗଚ୍ଛିତ  ଅଛି   । ଜିରକନ୍  ସମୁଦ୍ର  ଉପକୂଳ   ବାଲିରେ  ଅନ୍ୟାନ୍ୟ  ଭାରୀ   ଖଣିଜମାନଙ୍କ  ସହ  ସାଧାରଣତଃ  ମିଳିଥାଏ   । ଜିରକନ୍  ଖଣିଜ  ଆମ  ଭାରତଦେଶର  ମାନାଭାଲାକୁରୁଚି, ଚାଭାରା (କେରଳ) ଓ  ଆମ  ରାଜ୍ୟ  ଓଡିଶାର  ଛତ୍ରପୁରଠାରୁ  ଭାରୀ  ଖଣିଜ  ସଜ୍ଜୀକରଣ  ପ୍ରକ୍ରିୟାରେ  ସହ – ଉତ୍ପାଦନ  ହୋଇଥାଏ   । ଦେଶର  ଜିରକନ୍  ଉତ୍ପାଦନରେ  ଓଡିଶା  ରାଜ୍ୟର  ଭାଗ  ୨୧ ପ୍ରତିଶତ   ।

ଜିରକନ୍  ଉଚ୍ଚ  ଉତ୍ତାପରେ  ଅତି  ସ୍ଥିର, ଉଷ୍ମ, ବୈଦ୍ୟୁତିକ  ପ୍ରଘାତ  ପ୍ରତିରୋଧ  ଶକ୍ତି  ଏବଂ  ରାସାୟନିକ  ନିଷ୍କ୍ରିୟତା  ଯୋଗୁଁ  ବିଭିନ୍ନ  ମୃତ୍ତିକା  ଶିଳ୍ପ, ଉଚ୍ଚତାପ  ସହ୍ୟଜ ଶିଳ୍ପ,  ଅପଘର୍ଶୀ, ଢଳେଇ, ରାସାୟନିକ  ଓ  ବିଶିଷ୍ଟ  ମିଶ୍ରଧାତୁ  ଶିଳ୍ପରେ  ବ୍ୟବହୃତ  ହୋଇପାରୁଛି   ।

ଆମ  ଦେଶରେ  ମୁଖ୍ୟତଃ  ବିରଳ  ମୃତ୍ତିକା  ଏବଂ  ଥୋରିଅମ  ମୋନାଜାଇଟ  ଖଣିଜରୁ  ମିଳିଥାଏ  । ଦେଶର  ୧୦.୭୦ ମିଲିୟନ  ଟନ  ମୋନାଜାଇଟ  ସମ୍ପଦ  ମଧ୍ୟରୁ   ଓଡିଶାରେ  ୧.୮୫ ମିଲିୟନ  ଟନ  ସମ୍ପଦ  ଗଚ୍ଛିତ  ଅଛି   । ମୋନାଜାଇଟ  ବିରଳ  ମୃତ୍ତିକାରେ  ଭରପୁର   । ସେଗୁଡିକ  ହେଲା  ସ୍କାନାଡିୟମ, ୟିଟ୍ରିୟମ, ଲାନାଥାନମ, ସିରିୟମ, ପ୍ରାସୋଡିୟମ, ନିୟୋଡିୟମ, ପ୍ରୋମୋଥିୟମ, ସାମାରିୟମ, ୟୁରୋପିୟମ, ଗାଡୋଲିନିୟମ, ଟେରବିୟମ, ଡିସପ୍ରୋସିୟମ, ହଲମିୟମ, ଏରବିୟମ, ଥୁଲିୟମ, ୟିଟ୍ରିବିୟମ, ଲୁଟେଟିୟମ   । ଉପରୋକ୍ତ  ବିରଳ  ମୃତ୍ତିକାଗୁଡିକ  ବିଭିନ୍ନ  କ୍ରାନ୍ତୀୟ  ଉତ୍ପାଦରେ  ବ୍ୟବହୃତ  ହୋଇଥାଏ  । ରାସାୟନିକ  ପ୍ରକ୍ରିୟା  ଦ୍ଵାରା  ମୋନାଜାଇଟରୁ  ବିରଳ  ଯୌଗିକ  ମୃତ୍ତିକା  ଉତ୍ପାଦିତ  ହୋଇପାରୁଛି   । ୟୁଟ୍ରିୟମ  ଉତ୍ପାଦନରେ  ଆମ  ଦେଶ  ବିଶ୍ଵର  ଦ୍ଵିତୀୟ  ବୃହତ୍ତମ  ଉତ୍ପାଦକ  ଦେଶ  ଭାବେ  ସୁପରିଚିତ   । ଏହା  ବ୍ୟତୀତ   ମୋନାଜାଇଟରୁ  ୟୂରାନିୟମ  ଓ  ଥୋରିୟମ  ମଧ୍ୟ  ବାହାର  କରାଯାଇପାରୁଛି   ।

ସଂଗୃହୀତ – ଡକ୍ଟର  ଭାସ୍କର  ଚନ୍ଦ୍ର  ଆଚାର୍ଯ୍ୟ, IMMT



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate