ଏହି ସମାଜରେ ବହୁ ସଂଖ୍ୟାରେ ସମସ୍ୟା ଭିତରେ ଫସି ରହିଥିବା ଲୋକ ରହିଛନ୍ତି । ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କୁ ଦୁଇ ବେଳା ଖାଇବା ମିଳେନାହିଁ । ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ କିଛି ଲୋକ ନିଜକୁ ପ୍ରସ୍ତୁତ କରନ୍ତି ଓ ଆଗକୁ ବଢନ୍ତି । ଜୀବନକୁ ଭଲରେ କଟାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ପ୍ରକୃତରେ ସଫଳତା ତା'ର ପାଦ ଚୁମେ ଯିଏ ପାଣିରେ ବି ଗାର ପକାଇବାର ସାହସ ରଖେ । କାନପୁର ପାଖ ଏକ ଗାଁରେ ଜଣେ ମହିଳା ଏମିତି କିଛି କରି ଦେଖାଇଛନ୍ତି । ସେ ହେଉଛନ୍ତି ଗୁଡିୟା । ହଁ, ବାପା ମା ସ୍ନେହ ଓ ଗେଲବସରରେ ତାଙ୍କ ନାଁ ଗୁଡିୟା ରଖିଥିଲେ । ବର୍ତ୍ତମାନ ଏହି ଗୁଡିୟା କାନପୁରର ଆଖପାଖ ଗାଁ ଲୋକଙ୍କ ପାଇଁ ‘ସୋଲାର ଦିଦି’ ନାମରେ ପରିଚିତ । ଶୁଣିବାକୁ ଅଜବ ଲାଗିପାରେ । କିନ୍ତୁ ଏହା ସତ୍ୟ । ସୋଲାର ଦିଦି ପାଇଁ ଗୁଡିୟାଙ୍କୁ ଅନେକ ସଂଘର୍ଷ ଦେଇ ଗତି କରିବାକୁ ପଡିଛି । ସଂଘର୍ଷ ସେହି କ୍ଷେତ୍ରରେ ଯେଉଁଥିରେ ସବୁବେଳେ ପୁରୁଷମାନଙ୍କର କର୍ତ୍ତୁତ୍ଵ ରହିଛି । ନିଜର ପରିଶ୍ରମ ଓ ଅଧ୍ୟବସାୟ ଫଳରେ ସେ ଜଣେ ସଫଳ ସୋଲାର ମେକାନିକ୍ ହୋଇ ବାହାରିଛନ୍ତି ।
ଗୁଡିୟା ରାଠୋଡଙ୍କ ପୈତୃକ ଗାଁ ହେଉଛି କାନପୁରର ବିଧାନୁ ଅଂଚଳର ହଡହା ଗାଁ । ସେ ଫତେହଫୁର ଗାଁରେ ବିବାହ କଲେ । ବିବାହ ସମୟରେ ତାଙ୍କର ସ୍ଥିତି ଯେ ବହୁତ ଭଲ ଥିଲା, ତାହା କହି ହେବ ନାହିଁ । ଚାରିବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ପିଲାଙ୍କୁ ଧରି ଶାଶୁ ଘରେ ରହିବା କଷ୍ଟକର ହୋଇପଡିଥିଲା । ସେ ଚିନ୍ତା କଲେ ଶାଶୁ ଘରେ ରହି ଏ ଅଭାବ ଭିତରେ ପିଲାଙ୍କୁ ଭଲ ମଣିଷ କରିହେବ ନାହିଁ । ଗୁଡିୟା ପିଲାଙ୍କୁ ଧରି ବାପ ଘରକୁ ଚାଲିଆସିଲେ । ସେ ଆତ୍ମନିର୍ଭର ହେବାକୁ ନିଷ୍ପତି ନେଲେ । ସେ ଘରୁ ଗୋଡ କାଢିଲେ ଓ ସାମାଜିକ ସଂସ୍ଥା ଶ୍ରମିକ ଭାରତୀ ସହ ସାମିଲ ହେଲେ । ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ଟେରୀ ଯୋଜନା ମାଧ୍ୟମରେ ଗାଁରେ ସୋଲାର ଲାଇଟ୍ କାର୍ଯ୍ୟକ୍ରମ ଚଲାଉଥିଲା ।
ଗୁଡିୟା କହନ୍ତି ,"ଶ୍ରମିକ ଭାରତୀ ସହ ଯୋଡି ହୋଇ ପ୍ରଥମ ସୋଲାର ଲାଇଟ୍ ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେଲି । ଏବେ ସୋଲାର ଲାଇଟ୍ ର ମରାମତି କାମ ମୁଁ ଭଲ ଭାବେ କରିପାରୁଛି । ମୁଁ ପ୍ରଥମେ ଭାବିଥିଲି ଏମିତି କଣ ଅଛି ଏହି କାମରେ ଯେ କେବଳ ପୁରୁଷମାନେ କରିପାରିବେ । ଚେଷ୍ଟା କରି ଏବେ ମୁଁ ଭଲ କାମ କରିପାରୁଛି । "
ଗୁଡିୟା ଗାଁ ଗାଁ ବୁଲି ସୋଲାର ଲାଇଟ୍, ସୋଲାର ଚୁହ୍ଲା, ସୋଲାର ପଂଖା ଆଦି ଲଗାଇବା କାମ ଆରମ୍ଭ କରିଦେଲେ । ସେଗୁଡିକର ମରାମତି ମଧ୍ୟ କଲେ । ଚାରିବର୍ଷର କଡା ପରିଶ୍ରମ ଫଳରେ ଲୋକେ ତାଙ୍କୁ ସୋଲାର ଦିଦି ବୋଲି ଡାକୁଛନ୍ତି । "ପ୍ରଥମେ ଲୋକେ ମୋତେ ଯେତେବେଳେ ସୋଲାର ଦିଦି ଡାକିଲେ, ମୋତେ ଅଜବ ଲାଗିଥିଲା । କିନ୍ତୁ ଧୀରେ ଧୀରେ ମୋତେ ବି ଏହି ନାଁ ଭଲ ଲାଗିଲା । "ସେ ବହୁତ ଭଲ କାମ କରନ୍ତି । ଖାସ୍ ସେଇଥିପାଇଁ ବିଧାନୁ ଅଂଚଳରେ ବନପୁରା, କଠାରା,ଇଜିୟାରା, ତିବାରୀପୁର ଆଦି ୧୨ରୁ ଅଧିକ ଗାଁରେ ସୋଲାର ମେକାନିକ୍ କଥା ଉଠିଲେ କେବଳ ସୋଲାର ଦିଦିଙ୍କ ନାମ ହିଁ ଆସେ ।
ଗାଁର ଜଣେ ମହିଳା ଭାରତୀଙ୍କ କହିବା କଥା ହେଲା -"ଗାଁରେ ସୋଲାର ଲାଇଟ୍ ଖରାପ ହୋଇଗଲା, ପଂଖା ଖରାପ ହୋଇଗଲା କି ଆଉ କଣ ସୋଲାର ଜିନିଷ ଖରାପ ହୋଇଗଲା ମାତ୍ରେ ଆମେ ସୋଲାର ଦିଦିଙ୍କୁ ଫୋନ୍ ଲଗାଉ । ସୋଲାର ଦିଦି ନିଜ ବ୍ୟାଗରେ ପେଚକସ୍, ପ୍ଲାସ ଓ ସୋଲାର ଉପକରଣ ଧରି ସ୍କୁଟିରେ ଗାଁରେ ଆସି ପହଁଚିଯାନ୍ତି । "କୁହାଯାଏ ସମୟ ସମସ୍ତଙ୍କୁ ସୁଯୋଗ ଦିଏ, ନୂଆ ରାହା ଦେଖାଏ । ଯଦି ସାମ୍ନାରେ ଥିବା ମଣିଷ ଏହାର ସଂକେତକୁ ବୁଝି ପାରିଲା, ତେବେ ତାର ସ୍ଥିତି ବଦଳିବା ନିଶ୍ଚିତ । ସେହିଭଳି ଗିଡିୟା ପୁରୁଣା ସମସ୍ୟାକୁ ନୂତନ ଦିଶା ଦେଇଥିଲେ ଓ ତାହାକୁ ସକାରାତ୍ମକ କରିପାରିଥିଲେ । ଏହି ବାଟରେ ପରିଶ୍ରମ ତ ଅଛି, କିନ୍ତୁ ଆତ୍ମନିର୍ଭର ହେବାର ଶାନ୍ତି ମଧ୍ୟ ଅଛି । ଏ ସମ୍ପର୍କରେ ଗୁଡିୟା କୁହନ୍ତି -" ଏମିତି ଏକ ସମୟ ଆସିଥିଲା, ଯେତେବେଳ ମୋତେ ଲାଗିଲା ଏ ଜୀବନରେ ଏବେ କଣ ହେବ । କିନ୍ତୁ ସବୁ ସମସ୍ୟାରୁ ବାହାରିବା ପାଇଁ ରାସ୍ତା ଥାଏ । କିନ୍ତୁ ଆମକୁ ଏହା ବାହାର କରିବାକୁ ପଡିବ । ମୁଁ ଯାହା କରୁଛି, ମୋତେ ଖୁବ୍ ଶାନ୍ତି ମିଳୁଛି "
ଆଉ ଜଣେ ଗ୍ରାମବାସୀ କଲ୍ଲୁଙ୍କ କହିବା କଥା ହେଲା -"ସୋଲାର ଦିଦିଙ୍କୁ ଯେତେବେଳେ ଫୋନ୍ କଲେ ସେ ନିଜ ବ୍ୟାଗ୍ ଧରି ଆସି ପହଁଚିଯାନ୍ତି । ସେଥିରେ ସେ କେବେ ଖିଲାପ କରିନାହାନ୍ତି । ଘରେ ସେଲାରକୁ ନେଇ ସବୁ ସମସ୍ୟାର ସମାଧାନ ହେଉଛନ୍ତି ସୋଲାର ଦିଦି । "
ନିଜ ବଳରେ ଏତେ ସବୁ ଗାଁରେ କାମ କରିବା କେଉଁ ପାହାଡ ଚଢାଠାରୁ ମଧ୍ୟ କମ୍ ନୁହେଁ । ସହରରେ ଯେତେ ସୁବିଧା ହେଲେ ମଧ୍ୟ ଜଣେ ମହିଳା ଘର ଘର ବୁଲି ବିଦ୍ୟୁତ୍ କିମ୍ବା ସୋଲାର ଲାଇଟ୍ ମରାମତି କରିବା ପ୍ରାୟ ଦେଖାଯାଏନି । ଗୁଡିୟା ଓରଫ ସୋଲାର ଦିଦିଙ୍କ ହିମ୍ମତ କେବଳ ପ୍ରଶଂସା ଯୋଗ୍ୟ ନୁହେଁ, ବଂର ପ୍ରେରଣାଦାୟୀ ମଧ୍ୟ । ୟୋର ଷ୍ଟୋରୀ ସୋଲାର ଦିଦିଙ୍କ ଏହି ପରିଶ୍ରମକୁ ସଲାମ୍ କରୁଛି ।
ଆଧାର - ଅଖଣ୍ଡ ସମାଜ ସେବି, freelance journalist
Last Modified : 4/28/2020