ଦେଶରେ ଦିନକୁ ଦିନ ବିଦ୍ୟୁତ ଚାହିଦା ବୃଦ୍ଧି ପାଉଛି । ସମୟ ପ୍ରକାର ଶକ୍ତି ମଧ୍ୟରେ ସୁବିଧା ଓ ସହଜରେ ବିଦ୍ୟୁତ ଶକ୍ତି ବ୍ୟବହାର ହୋଇପାରୁଥିବାରୁ ଏହାର ଏହାର ଆବଶ୍ୟକତା ହେଉଛି ସର୍ବାଧିକ । ବାସ୍ତବରେ ଏହା ହେଉଛି ଗୋଟିଏ ପ୍ରମୁଖ ଆନୁଷ୍ଠାନିକ ବସ୍ତୁ । ଶିଳ୍ପ ଓ କୃଷି ଉତ୍ପାଦନ ବୃଦ୍ଧି ସହିତ ଦେଶର ବିକାଶ ଏହା ଉପରେ ନିର୍ଭର କରୁଛି । ଯେଉଁ ଦେଶରେ ଜଣ ପିଛା ହାରାହାରି ବିଦ୍ୟୁତ ବ୍ୟବହାର ଅଧିକ , ସେହି ଦେଶର ବିକାଶ ହାର ଅଧିକ ବୋଲି ଜଣାପଡିଛି । ଏହି ଦୃଷ୍ଟିରୁ ଦେଖିଲେ ଭାରତର ସ୍ଥିତି ସେତେଟା ଉଜ୍ଜ୍ଵଳ ନୁହେଁ । ଆମ ଦେଶରେ ଜଣପିଛା ହାରାହାରି ବିଦ୍ୟୁତ ବ୍ୟବହାର ୧,୦୧୦ ୟୁନିଟ ହୋଇଥିବା ବେଳେ ବିକଶିତ ଦେଶରେ ଏହା ୧୦,୦୦୦ ୟୁନିଟରୁ ଅଧିକ । ଆମଦେଶରେ ଏ ପର୍ଯ୍ୟନ୍ତ ପ୍ରାୟ ୩୦ ପ୍ରତିଶତ ଲୋକ ବିଦ୍ୟୁତ ସୁବିଧାରୁ ବଞ୍ଚିତ ଅଛନ୍ତି । ଦେଶ ସ୍ଵାଧୀନତା ଲାଭ କଲାବେଳକୁ ବିଦ୍ୟୁତ ଉତ୍ପାଦନ କ୍ଷମତା ୧,୩୬୨ ମେଗାୱାଟ ଥିବାବେଳେ ୨୦୧୭ ମସିହା ମାର୍ଚ୍ଚ ସୁଦ୍ଧା ଏହା ୩,୧୯,୬୦୬ ମେଗାୱାଟରେ ପହଞ୍ଚିଛି । ଏହା ସତ୍ତ୍ୱେ ଆମର ଚାହିଦା ପୂରଣ ହୋଇପାରୁ ନାହିଁ । ଉଦାହରଣସ୍ୱରୂପ , ୨୦୧୫ – ୧୬ ମସିହାରେ ଆମର ବିଦ୍ୟୁତ ଚାହିଦା ୧୧,୧୪,୪୦୮ ନିୟୁତ ୟୁନିଟ ଥିବାବେଳେ ୧୦,୯୦,୮୫୬ ୟୁନିଟ ଉପଲବ୍ଧ ହୋଇଥିଲା ।
ଦେଶର ବର୍ଦ୍ଧିଷ୍ଣୁ ବିଦ୍ୟୁତ ଚାହିଦାକୁ ମେଣ୍ଟାଇବା ପାଇଁ ଆମକୁ ନୂଆ ନୂଆ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରିବାକୁ ପଡିବ । ଆମ ଦେଶରେ ବିଭିନ୍ନ ଉତ୍ସରୁ ଉତ୍ପାଦିତ ବିଦ୍ୟୁତର ୬୭ ପ୍ରତିଶତ ହେଉଛି ତାପଜ ବିଦ୍ୟୁତ , ଯାହା କୋଇଲା ଭଳି ଜୀବାଶ୍ମ ଇନ୍ଧନର ଦହନରୁ ଉତ୍ପାଦିତ ହେଉଛି ଏବଂ ଏହା ଶସ୍ତା ମଧ୍ୟ । ଏଣୁ ଅଧିକ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରିହେବ । କିନ୍ତୁ ଅସୁବିଧା ହେଉଛି ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ , ଯାହା ହେଉଛି ଜାଗତିକ ତାପମାତ୍ରା ବୃଦ୍ଧି ଓ ତଜ୍ଜନିତ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ । ବାଯୁମଣ୍ଡଳକୁ ଅଙ୍ଗାରକାମ୍ଳର ଉତ୍ସର୍ଜନକୁ ହ୍ରାସ କରିବା ପାଇଁ ବିଭିନ୍ନ ଦେଶ ପ୍ୟାରିସ ରାଜିନାମାରେ ଅଙ୍ଗାକାରବଦ୍ଧ ଅଛନ୍ତି । ଭାରତ ମଧ୍ୟ ଏଥିରେ ସ୍ଵାକ୍ଷର କରି ଏହାକୁ ମଞ୍ଜୁରୀ ଦେଇଛି । ଏହାର ଅର୍ଥ ହେଉଛି , ଆମକୁ ନୂତନ ତାପଜ ବିଦ୍ୟୁତ କେନ୍ଦ୍ର ନିର୍ମାଣରେ ଅଙ୍କୁଶ ଲଗାଇବାକୁ ପଡିବ । ସୂଚନାଯୋଗ୍ୟ ଯେ ଅଙ୍ଗାରକାମ୍ଳ ଉତ୍ସର୍ଜନରେ ଚାଇନା , ଯୁକ୍ତରାଷ୍ଟ୍ର ଆମେରିକା ଓ ରୁଷିଆ ପରେ ଭାରତର ସ୍ଥାନ ହେଉଛି ଚତୁର୍ଥ । ତାହାହେଲେ ବିକଳ୍ପ କ’ଣ ? ଅନ୍ୟ ପାରମ୍ପରିକ ଶକ୍ତି ଉତ୍ସ ହେଉଛି ଜଳବିଦ୍ୟୁତ ଓ ଆଣବିକ ବିଦ୍ୟୁତ । ମାତ୍ର ବିଭିନ୍ନ କାରଣ ଯୋଗୁ ଏଗୁଡିକ କ୍ଷେତ୍ରରେ ଅଧିକ ବିସ୍ତାର ସମ୍ଭବ ହେଉନାହିଁ ।
ତାପଜ ବିଦ୍ୟୁତର ବିକଳ୍ପ ଭାବେ ବର୍ତ୍ତମାନ ସୌରଶକ୍ତି ଦେଖାଦେଇଛି ।ସୂର୍ଯ୍ୟକିରଣରୁ ସିଧାସଳଖ ବିଦ୍ୟୁତ ଉତ୍ପାଦନ ପ୍ରକ୍ରିୟା ଆବିଷ୍କୃତ ହୋଇଛି । ସିଲିକନ ଚିପ୍ ରୁ ନିର୍ମିତ ସୌର ବ୍ୟାଟେରି ସାହାଯ୍ୟରେ ଏହା ସମ୍ଭବ ହେଉଛି । ଏହି ପ୍ରଯୁକ୍ତି ବିଦ୍ୟାର ବିକାଶ ଫଳରେ ଏହାର ଉପକରଣ ଓ ଯନ୍ତ୍ରପାତିଗୁଡିକର ମୂଲ୍ୟ ହ୍ରାସ ପାଇଛି ଏବଂ ସୌର ବିଦ୍ୟୁତର ଉତ୍ପାଦନ ଖର୍ଚ୍ଚ ଅନ୍ୟ ଉତ୍ସରୁ ଉତ୍ପାଦନ ଖର୍ଚ୍ଚ ସହ ପ୍ରାୟ ସମାନ ରହୁଛି । ପରିବେଶ ଉପରେ ଏହାର କୁପ୍ରଭାବ ନ ଥିବାରୁ ଏହାର ବିକାଶ ପାଇଁ ସମଗ୍ର ପୃଥିବୀରେ ଚେଷ୍ଟା ଚାଲିଛି । ୨୦୧୬ ମସିହା ଶେଷ ସୁଦ୍ଧା ପୃଥିବୀର ମୋଟ ସୌର ବିଦ୍ୟୁତ କ୍ଷମତା ହେଉଛି ୨,୯୪,୬୯୦ ମେଗାୱାଟ । କେବଳ ସାହାରା ମରୁଭୂମିରୁ ଯେତିକି ସୌରଶକ୍ତି ଉପଲବ୍ଧ ହେବ , ତାହା ସମଗ୍ର ୟୁରୋପର ବିଦ୍ୟୁତ ଚାହିଦା ପୂରଣ କରିପାରିବ ବୋଲି ଇଞ୍ଜିନିୟରମାନେ ଆକଳନ କରିଛନ୍ତି ।
ଭାରତରେ ସୌରଶକ୍ତିର ବିକାଶ ପାଇଁ ସରକାର ୨୦୧୦ ମସିହାରୁ ‘ ଜବାହରଲାଲ ନେହୁର ଜାତୀୟ ସୌର ଅଭିଯାନ ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।ଆରମ୍ଭରୁ ୨୦୨୨ ମସିହା ସୁଦ୍ଧା ଏହି କାର୍ଯ୍ୟକ୍ରମରେ ୨୦,୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନର ଲକ୍ଷ୍ୟ ଥିଲେ ସୁଦ୍ଧା ବର୍ତ୍ତମାନ ଏହାକୁ ଏକ ଲକ୍ଷ୍ୟ ମେଗାୱାଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୦ ମସିହା ସୁଧା ୪୦,୦୦୦ ମେଗାୱାଟ କ୍ଷମତାର ସୌର ପ୍ରକଳ୍ପ ସ୍ଥାପନ ପାଇଁ ସରକାର ଦେଇଥିବା ବ୍ୟୟ ଅଟକଳକୁ ରାଷ୍ଟ୍ରପତି ଏହି ବର୍ଷ ମାର୍ଚ୍ଚ ମାସରେ ସ୍ଵୀକୃତି ଦେଇଛନ୍ତି । ୨୦୧୭ ମସିହା ଏପ୍ରିଲ ୬ ତାରିଖ ସୁଦ୍ଧା ଦେଶର ସୌର ବିଦ୍ୟୁତ କ୍ଷମତା ୧୨,୨୮୦ ମେଗାୱାଟ ଅଛି । ସୂଚନାଯୋଗ୍ୟ ଯେ ତାମିଲନାଡୁର ରାମନାଥପୁରମ୍ ନିକଟବର୍ତ୍ତୀ କାମୁଥିଠାରେ ୬୪୮ ମେଗାୱାଟ କ୍ଷମତାବିଶିଷ୍ଟ ପୃଥିବୀର ବୃହତ୍ତମ ସୌର ବିଦ୍ୟୁତ କେନ୍ଦ୍ର ଗତବର୍ଷ ସେପ୍ଟେମ୍ବର ମାସରେ କାର୍ଯ୍ୟକାରୀ ହୋଇଛି । ଏହି ବର୍ଷ ଅଗଷ୍ଟ ମାସ ସୁଦ୍ଧା ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଏହାଠାରୁ ବଡ ୭୫୦ ମେଗାୱାଟ କ୍ଷମତାର ସୌର କେନ୍ଦ୍ର ସ୍ଥାପିତ ହେବ ।
ଆନ୍ତର୍ଜାତୀୟ ଶକ୍ତି ସଞ୍ଚାର ଏକ ରିପୋର୍ଟ ଅନୁଯାୟୀ ୨୦୧୫ ମସିହାରେ ପୃଥିବୀରେ ୧,୫୩,୦୦୦ ମେଗାୱାଟ କ୍ଷମତାର ଅକ୍ଷୟ ଶକ୍ତି କେନ୍ଦ୍ର ସ୍ଥାପିତ ହୋଇଛି ଏବଂ ଏଥିମଧ୍ୟରେ ସୌର ବିଦ୍ୟୁତର କ୍ଷମତା ହେଉଛି ୪୯, ୦୦୦ ମେଗାୱାଟ । ସୌର ବିଦ୍ୟୁତ ଉତ୍ପାଦନରେ ବର୍ତ୍ତମାନ ପୃଥିବୀରେ ଏସିଆ ମହାଦେଶ ଆଗୁଆ ଅଛି ଏବଂ ଏସିଆ ମହାଦେଶରେ ଚାଇନା ସର୍ବାଗୋ ରହିଛି । ପ୍ୟାରିସ ରାଜିନାମାର ସର୍ତ୍ତ ପୂରଣ କରିବା ପାଇଁ ଭାରତ ସରକାର ଚେଷ୍ଟା ଚଳାଇଛନ୍ତି । ଦେଶର ସମସ୍ତ ରେଳଷ୍ଟେସନ ଓ ଷ୍ଟାଡିୟମରେ ସୌର ବିଦ୍ୟୁତ ବ୍ୟବହାର ପାଇଁ ଗୁରୁତ୍ଵ ଦିଆଯାଇଛି । ପରୀକ୍ଷାମୂଳକ ଭାବେ ସୌରଶକ୍ତି ସାହାଯ୍ୟରେ ଗାଡି ମୋଟର ଚାଲିଲାଣି । ଏହାକୁ ବ୍ୟବସାୟିକ ଭାବେ ସମ୍ଭବ କରିବା ପାଇଁ ଗବେଷଣା ଚାଲିଛି । ସୌର ବିଦ୍ୟୁତର ଗୋଟିଏ ଅସୁବିଧା ହେଉଛି ଯେ ଏଥିପାଇଁ ଅଧିକ ଜାଗା ଦରକାର ହୋଇଥାଏ । ଏକ ମେଗାୱାଟ ବିଦ୍ୟୁତ କେନ୍ଦ୍ର ସ୍ଥାପନ ପାଇଁ ପାଞ୍ଚ ଏକର ଜାଗା ଆବଶ୍ୟକ । କୃଷି ଜମିରେ ଏହାକୁ ସ୍ଥାପନ କଲେ ଲାଭ ନାହିଁ । ଏଣୁ ପରିମାଣର ଅଣକୃଷି ଜମି ଉପଲବ୍ଧ ହେଲେ ଏହାକୁ ସ୍ଥାପନ କରିବା ଲାଭଜନକ ହେବ । ଏହି କାରଣରୁ ବଡ ବଡ କୋଠାଘର ଛାତ ଉପରେ ସୌରଫଳକ ସ୍ଥାପନ କରି ସୌରଶକ୍ତି ଉତ୍ପାଦନ କରିବା ପାଇଁ ଗୁରୁତ୍ଵ ଦିଆଯାଉଛି । ସରକାର ବଡ ବଡ ସରକାରୀ କୋଠା ଓ ଡାକ୍ତରଖାନା ଛାତ ଉପରେ ସୌର ବ୍ୟାଟେରି ସ୍ଥାପନ କରି ନିଜ ନିଜର ବିଦ୍ୟୁତ ଚାହିଦା ପୂରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏକ କିଲୋୱାଟ ସୌର ବିଦ୍ୟୁତ ଉତ୍ପାଦନ ପାଇଁ ବାର ବର୍ଗମିଟର ଛାତ ଦରକାର ହୋଇଥାଏ । ଓଡିଶା ସରକାର ନିକଟରେ ଓଡିଶା ଅକ୍ଷୟ ଶକ୍ତି ନୀତି – ୨୦୧୬ ପ୍ରକାଶ କରିଛନ୍ତି । ଏଥିରେ ୨୦୨୨ ମସିହା ସୁଦ୍ଧା ୨,୭୫୦ ମେଗାୱାଟ କ୍ଷମତାର ଅକ୍ଷୟଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛନ୍ତି । ଏହା ମଧ୍ୟରେ ୨,୨୦୦ ମେଗାୱାଟର ସୌର ବିଦ୍ୟୁତ ଅନ୍ତର୍ଭୁକ୍ତ । ବର୍ତ୍ତମାନ ଓଡିଶାରେ ସୌର ବିଦ୍ୟୁତ କ୍ଷମତା ହେଉଛି ୬୭.୫ ମେଗାୱାଟ । ନିଜ ଘର ଛାତ ଉପରେ ସୌର ବ୍ୟାଟେରି ସ୍ଥାପନ କରିବା ପାଇଁ ଓଡିଶା ସରକାର ରିହାତି ଘୋଷଣା କରିଛନ୍ତି । ଏକ କିଲୋୱାଟ କ୍ଷମତାର ସୌର ବ୍ୟାଟେରି ଲଗାଇବା ପାଇଁ ପ୍ରାୟ ୮୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସରକାର ଏଥିରେ ୩୦ ପ୍ରତିଶତ ରିହାତି ଦେଉଛନ୍ତି । କେବଳ ସରକାର ଯୋଜନା କଲେ ହେବ ନାହିଁ , ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ । ନିଜ ନିଜ ଘରର ଛାତ ଉପରେ ସୌର ବ୍ୟାଟେରି ସ୍ଥାପନ କରି ସେଥିରୁ ନିଜର ବିଦ୍ୟୁତ ଆବଶ୍ୟକତା ପୂରଣ କରିବା ପାଇଁ ପଦକ୍ଷେପ ନେବା ଉଚିତ ।ସଂଗୃହିତ :ଇଂ . ମାୟାଧର ସ୍ଵାଇଁ
Last Modified : 6/23/2020