“ଜୀବାଶ୍ମ ତୈଳର ବିକଳ୍ପ କ’ଣ ହୋଇପାରେ । ବାୟୋଡିଜେଲ କିମ୍ବା ବାୟୋଫୁଏଲ । ଉତ୍ତର ହେବ ବାୟୋଫୁଏଲ । ବାୟୋଡିଜେଲର ଉତ୍ପାଦନ ସରଳ ଅଥବା ଲାଭଜନକ ନୁହେଁ । ଟ୍ରାନ୍ସ ଇଷ୍ଟରିଫିକେଶନ ଠିକ୍ ଭାବରେ ହୋଇ ନ ପାରିଲେ, ବାୟୋଡିଜେଲ ମିଳି ନ ଥାଏ । ପୁନଶ୍ଚ ମଞ୍ଜିରୁ ପ୍ରସ୍ତୁତ ଚର୍ବି ତୈଳ ଖାଦ୍ୟ, ଔଷଧ, ପ୍ରସାଧନ ସାମଗ୍ରୀ ତଥା ଅନେକ ଶିଳ୍ପ ପାଇଁ ଅପରିହାର୍ଯ୍ୟ ଅଟେ ।”
ପ୍ରତିଦିନ ପୃଥିବୀରେ ୯,୫୦,୦୦,୦୦୦ ବ୍ୟାରେଲ (ଏକ ବ୍ୟାରେଲ ୨୦୦ ଲିଟର) ପେଟ୍ରୋଲିୟମ ତୈଳ ଇନ୍ଧନ ହିସାବରେ ବ୍ୟବହୃତ ହେଉଅଛି । ଦୈନିକ ହାରାହାରି ମୁଣ୍ଡପିଛା ତିନିଲିଟର । ପେଟ୍ରୋଲିୟମ ଲାଟିନ ଶବ୍ଦ ପେଟ୍ରୋ (ପଥର) ଏବଂ ଓଲିୟମ (ତେଲ) ରୁ ଆସିଅଛି । ଅନେକ ବର୍ଷ ଧରି ପଥର ମଧ୍ୟରେ ପୋତିହୋଇ ବହୁତ ସଂଖ୍ୟାର ଜୀବ (ଜୁ ଫ୍ଲାଙ୍କଟନ, ଶୈବାଳ) ଚାପ ଓ ତାପ ଦ୍ଵାରା ତୈଳରେ ପରିଣତ ହୋଇଥିବାରୁ ଏହାକୁ ଜୀବାଶ୍ମ ଇନ୍ଧନ ମଧ୍ୟ କୁହାଯାଏ । ସବୁ ତୈଳ ଇନ୍ଧନ ନୁହନ୍ତି (ଧନ୍ଵନ୍ତରୀ ତୈଳ, ଚନ୍ଦନା ତୈଳ), ସବୁ ଇନ୍ଧନ ମଧ୍ୟ ତୈଳ ନୁହନ୍ତି (ମିଥାନଲ, ଇଥାନଲ) । ଜୀବନ୍ତ ଅର୍ଥରେ ବାୟୋ ଶବ୍ଦ ବ୍ୟବହାର କରାଯାଉଥିବାରୁ ତଥା ଉଦ୍ଭିଦଜ ତୈଳକୁ ରାସାୟନିକ ଉପଚାର କରି ଇଞ୍ଜିନ ଜାଳେଣିରେ ପରିଣତ କରାଯିବାରୁ ଏହାକୁ ବାୟୋଡିଜେଲ କହନ୍ତି । ତୈଳର ବିକଳ୍ପ ପଦାର୍ଥ ଜୀବ (ଉଦ୍ଭିଦ) ଉତ୍ସରୁ ମିଳୁଥିବାରୁ ଜୈବିକ ଇନ୍ଧନ (ବାୟୋ ଫୁଏଲ) କୁହାଯାଇପାରିବ । (ମିଥାନଲ, ଇଥାନଲ) । ଖଣିରୁ ଉତ୍ତୋଳିତ ଆଶୋଧିତ ପୀତ / କୃଷ୍ଣ ବର୍ଣ୍ଣର ପେଟ୍ରୋଲିୟମକୁ ଆଂଶିକ ପାତନ ଦ୍ଵାରା ବିଭିନ୍ନ ସ୍ଫୁଟନାଙ୍କର ଦ୍ରବ୍ୟ ଯଥା ମୋବିଲ, ଡିଜେଲ, କିରୋସିନ ଓ ପେଟ୍ରୋଲ (ଗାସୋଲିନ), ପିଚୁ ଇତ୍ୟାଦି ମିଳିଥାଈ । ସାଧାରଣତଃ ପେଟ୍ରୋଲିୟମ କହିଲେ ଉଭୟ ଅଶୋଧିତ ତୈଳ ଏବଂ ତହିଁରୁ ଉତ୍ପନ୍ନ ବିଭିନ୍ନ ଶୋଧିତ ଦ୍ରବ୍ୟକୁ ବୁଝାଇଥାଏ ।
ଡିଜେଲ ଅଙ୍ଗାରକ (କାର୍ବନ) ଅଣୁର ଲମ୍ବା ଶୃଙ୍ଖଳ ଅଟେ । ପାର୍ଶ୍ଵରେ ଉଦଜାନ (ହାଇଡ୍ରୋଜେନ)ଅଣୁଗୁଡିକ ଥାଏ । ମୋଟାମୋଟି ଭାବରେ ୧୨ ଗୋଟି ଅଙ୍ଗାରକ ପରମାଣୁ ଏବଂ ୨୩ ଗୋଟି ଉଦଜାନ ପରମାଣୁ ବିଶିଷ୍ଟ ଅଣୁ (C୧୨H୨୩) କୁ ଡିଜେଲ କହନ୍ତି । ଗାଡି ଇଞ୍ଜିନରେ ଦହନ ତାପମାତ୍ରାରେ ଡିଜେଲ ବାୟୁମଣ୍ଡଳର ଅମ୍ଳଜାନ ସାହାଯ୍ୟରେ ଜଳି, ଅଙ୍ଗାରକାମ୍ଳ ଓ ଜଳବାଷ୍ପ ଦେଇଥାଏ । ସମୀକରଣ (ଡି ଜେଲ + ଅମ୍ଳଜାନ... ଅଙ୍ଗାରକାମ୍ଳ + ଜଳ + ଶକ୍ତି) ଉଦ୍ଭିଦର ତୈଳ ଅର୍ଥାତ୍ ଚର୍ବି ତୈଳ (ମଞ୍ଜିରୁ ଉତ୍ପାଦିତ)କୁ ରାସାୟନିକ ଉପଚାର କଲେ ବାୟୋଡିଜେଲ ମିଳିଥାଏ (ତୈଳ + ମିଥାନଲ... ବାୟୋଡିଜେଲ + ଗ୍ଲିସେରଲ) । ଏହି ଟ୍ରାନ୍ସଷ୍ଟରିଫିକେଶନ ପ୍ରଣାଳୀରେ ସୋଡିୟମ ହାଇଡ୍ରକସାଇଡ କାଟାଲିଷ୍ଟ ରୂପେ ବ୍ୟବହାର ହୋଇଥାଏ । ବାଇଗବ (ଅମରଜଡା / ରତନଜୋତ / ଜାଟ୍ରୋଫା), କରଞ୍ଜ, ନିମ୍ବ ଇତ୍ୟାଦି ତୈଳ ବ୍ୟବହାର କରାଯାଇପାରିବ । ପୃଥିବୀର ପ୍ରଥମ ମୋଟର ଇଞ୍ଜିନ, ଡିଜେଲ ବଦଳରେ ବନସ୍ପତି ତେଲରେ ହିଁ ଚାଲିଥିଲା । ବାୟୋଫୁଏଲ କହିଲେ ମିଥାନଲ(କାଠ / ସୁରାସାର / ମିଥାଇଲ ଆଲକୋହଲ) ଇଥାନଲ (ଶସ୍ୟସୁରାସାର / ଇଥାଇଲ ଆଲକୋହଲ) ଇତ୍ୟାଦିକୁ ବୁଝାଇଥାଏ । ଦହନ ପ୍ରକ୍ରିୟାରେ ଇଥାନଲ ଅମ୍ଳଜାନ ସହିତ ପ୍ରତିକ୍ରିୟାକରି ଅଙ୍ଗାରକାମ୍ଳ ବାଷ୍ପ ଏବଂ ଜଳବାଷ୍ପ ଦେଇଥାଏ । (ଇଥାନଲ + ଅମ୍ଳଜାନ.... ଅଙ୍ଗାରକାମ୍ଳ + ଜଳ + କ୍ୟାଲୋରି) । ଇଞ୍ଜିନରେ ମିଥାନଲ କିମ୍ବା ମିଥାନଲଓ ଗ୍ଲାସୋରିନ (ପେଟ୍ରୋଲ )ର ମିଶ୍ରଣ ବ୍ୟବହାର କରାଯାଇପାରିବ । ଯୁକ୍ତରାଷ୍ଟ୍ର ଆମେରିକାରେ ଉକ୍ତ କାର୍ଯ୍ୟରେ ଇଥାନଲବ୍ୟବହାର ହୋଇଥାଏ ।
ପେଟ୍ରୋଲିୟମ ତୈଳ ପରିବେଶକୁ ପ୍ରଦୂଷଣ କରିବା ସହିତ, ଏହାର ଦହନରୁ ଉତ୍ପନ୍ନ ଅନେକ ଗ୍ୟାସ ବିଶେଷକରି ସଲଫର ଡାଇଅକସାଇଡ ବାୟୁମଣ୍ଡଳର ଓଜୋନ ସ୍ତରରେ କ୍ଷୟ କରିଥାଏ ।
ଜୀବାଶ୍ମ ତୈଳର ବିକଳ୍ପ କ’ଣ ହୋଇପାରେ, ବାୟୋଡିଜେଲ କିମ୍ବା ବାୟୋଫୁଏଲ । ଉତ୍ତର ହେବ ବାୟୋଫୁଏଲ । ବାୟୋଡିଜେଲର ଉତ୍ପାଦନ ସରଳ ଅଥବା ଲାଭଜନକ ନୁହେଁ । ଟ୍ରାନ୍ସ ଇଷ୍ଟରିଫିକେଶନ ଠିକ୍ ଭାବରେ ହୋଇ ନ ପାରିଲେ, ବାୟୋଡିଜେଲ ମିଳି ନ ଥାଏ । ପୁନଶ୍ଚ ମଞ୍ଜିରୁ ପ୍ରସ୍ତୁତି ଚର୍ବି ତୈଳ ଖାଦ୍ୟ, ଔଷଧ, ପ୍ରସାଧନ ସାମଗ୍ରୀ ତଥା ଅନେକ ଶିଳ୍ପ ପାଇଁ ଅପରିହାର୍ଯ୍ୟ । ବାୟୋଫୁଏଲର ଉପଯୋଗିତା ପୂର୍ବରୁ କେତେଗୁଡିଏ ବିଷୟରେ ବିଷୟରେ ଆଲୋଚନା କରିବାକୁ ହେବ । କାଠ ଏକ ପ୍ରାକୃତିକ ଅଥବା ମନୁଷ୍ୟକୃତ ପୁନର୍ନବୀକରଣ ସମ୍ପଦ । ସୂକ୍ଷ୍ମ ଭାବରେ ଦେଖିଲେ ଏହି ପଦାର୍ଥ ଅସଂଖ୍ୟ ମୃତକୋଷର ସମଷ୍ଟି । କାଠରେ ୪୦-୫୦ ଭାଗ ସେଲୁଲୋଜ (ଅଣୁ ତନ୍ତୁ), ୨୦ – ୩୫ ଭାଗ ହେମିସେଲୁଲୋଜ, ୧୮ - ୩୫ ଭାଗ ଲିଗନିନ୍ (କୋଷ ଅଠା) ଏବଂ ୪ – ୧୦ ଭାଗ ଜୈବ ନିଷ୍କର୍ଷ ଓ ପାଉଁଶ ଥାଏ । ପ୍ରଥମ ଦୁଇ ଉପାଦାନ ଶ୍ଵେତସାର ଅଟନ୍ତି । ସେଲୁଲୋଜ ଛଅ ଅଙ୍ଗାରକ ପରମାଣୁ ବିଶିଷ୍ଟ ଗ୍ଲୁକୋଜ ଅଣୁର ଏକ ଦୀର୍ଘ ଶୃଙ୍ଖଳ ହେବା ବେଳେ ହେମିସେଲୁଲୋଜ ମୁଖ୍ୟତଃ ପାଞ୍ଚ ଅଙ୍ଗାରକ ବିଶିଷ୍ଟ ଜାଇଲୋଜ, ମାନ୍ନୋଜ ଇତ୍ୟାଦି ଶର୍କରାର ସମଷ୍ଟି । ସେଲୁଲୋଜ ଦେଖିବାକୁ ଧଳା ଏବଂ ଲିଗନିନ୍ ଗାଢ ବାଦାମି ରଙ୍ଗ । କପାତୁଳା ଶହେ ପ୍ରତିଶତ ସେଲୁଲୋଜ ଅଟେ । ଲିଗନିନ୍ ଅଠାଳିଆ ହୋଇଥିବାରୁ ସେଲୁଲୋଜ ଏବଂ ହେମିସେଲୁଲୋଜକୁ ବାନ୍ଧି ରାଖୀ କାଠକୁ ଶାକ୍ତ କରିଥାଏ । ଉଦାହରଣ ସ୍ୱରୂପ ଏକ ଦଶ କୁଇଣ୍ଟାଲ ଓଜନର ଢାଳ ୧୦୦ କିଲୋମିଟର ବେଗରେ ବହୁଥିବା ବାତ୍ୟା ପବନର ତାନକୁ ପ୍ରତିହତ କରି ଗଛଭାଙ୍ଗି ନ ଥାଏ । ଅନ୍ୟପକ୍ଷରେ କାଠରେ ୫୦ ଭାଗ ଅଙ୍ଗାରକ, ୪୪ ଭାଗ ଅମ୍ଳଜାନ ଏବଂ ୬ ଭାଗ ଉଦଜାନ ପରମାଣୁ ଥାଏ । ଧାନ ନଡାରେ ହାରାହାରି ଭାବରେ ୬୩ ଭାଗ ସେଲୁଲୋଜ ଥାଏ । ଚାଉଳ, ଗହମ, ମକା ଇତ୍ୟାଦିରେ ୬୦ – ୭୫ ଭାଗ ମଣ୍ଡ ଥାଏ, ଯାହା କି ସେଲୁଲୋଜ ପରି ଗ୍ଲୁକୋଜ ଅଣୁର ଲମ୍ବା ଶୃଙ୍ଖଳ ଅଟେ । ଅତଏବ ସେଲୁଲୋଜ କିମ୍ବା ଷ୍ଟାର୍ଚ ଅଣୁକୁ ଭାଙ୍ଗିଦେଇ ଗ୍ଲୁକୋଜ ଅଣୁ ମିଳିଥାଏ ।
କାଠକୁ ଅମ୍ଳଜାନ ଉପସ୍ଥିତିରେ ଦହନ ତାପ ପର୍ଯ୍ୟନ୍ତ ଗରମ କଲେ, ଏହା ଛାଏଁଛାଏଁ ଜଳି ଅଙ୍ଗାରକାମ୍ଳ, ଜଳ, ପାଉଁଶ ସହିତ ତାପଶକ୍ତି ଦେଇଥାଏ । ମାତ୍ର ଅନ୍ତର୍ଧୂମପାତନ / ଅଙ୍ଗାରକକରଣ ପ୍ରଣାଳୀରେ କାଠକୁ ବାୟୁରୁଦ୍ଧ (ଅମ୍ଳଜାନ ରହିତ) ଅବସ୍ଥାରେ ଉଚ୍ଚ ତାପମାତ୍ରା (୨୫୦-୩୫୦..... ସେଲସିୟସ)ରେ ଗରମକେଲେ ଏହା ଅଙ୍ଗାର (୩୩ଭାଗ), କାଠତର (୯ଭାଗ), ଆସିଟିକ ଏସିଡ (୫ ଭାଗ), କାଠସୁରାସାର (୨ଭାଗ) ଦେଇଥାଏ (କାଠ....ଅଙ୍ଗାର + ତାର+ ଆସିଟିକ ଅମ୍ଳ+ ମିଥାନଲ)ଅନ୍ୟପକ୍ଷରେ ଜଳୀୟ ବିଘଟନ / ଶର୍କରାକରଣ ପ୍ରଣାଳୀରେ କାଠକୁ (କରତ ଗୁଣ୍ଡା, ଟୁକୁଡା, ଚୋପି ଇତ୍ୟାଦି) ଅମ୍ଳରେ ଉପଚାର କଲେ ଗ୍ଲୁକୋଜ ଓ ଅନ୍ୟ ଶର୍କରା ଦ୍ରବ୍ୟ ମିଳିଥାଏ । ଶର୍କରାର ଏହି ଦ୍ରବଣରୁ ବାଷ୍ପୀକରଣ, ସ୍ପଟିକ କରଣ ଏବଂ କିଣନ ପଦ୍ଧତିରେ ଯଥାକ୍ରମେ କାଠଗୁଡ, ଗ୍ଲୁକୋଜ ଏବଂ ଇଥାନଲ ଓ ଗ୍ଲିସେରଲ ମିଳିଥାଏ (କାଠ... ଶର୍କରା ଦ୍ରବଣ.... କାଠଗୁଡ / ଇଥାନଲ + ଗ୍ଲିସେରଲ) ସ୍କୋଲର ପଦ୍ଧତିରେ କାଠରୁ ୨୦ ଭାଗ ଇଥାନଲ ମିଳୁଥିବା ସ୍ଥଳେ ରିନାଉ ପଦ୍ଧତିରେ ୨୬ ଭାଗ ମିଳିଥାଏ । ଶର୍କରାକରଣ ପାଇଁ ଗନ୍ଧକାମ୍ଳ ପରିବର୍ତ୍ତେ ଲବଣାମ୍ଲ ଲାଭଦାୟକ ଅଟେ । ଆହୁରି ମଧ୍ୟ ପ୍ରଜାତି ଅନୁଯାୟୀ ୧୦୦ କିଲୋଗ୍ରାମ କାଠରୁ ୧୮-୩୦ ଲିଟର ଇଥାନଲ ମିଳିଥାଏ । ପାରମ୍ପରିକ ଜଙ୍ଗଲ ପରିବର୍ତ୍ତେ ବୃକ୍ଷଚାଷ କରି ଇଥାନଲ / ମିଥାନଲ ଉତ୍ପାଦନ କରାଯାଇପାରିବ । ଅଉନଶ୍ଚ ଦେଖାଯାଇଛି ଯେ ଓଡିଶାରେ ବାର୍ଷିକ ହାରାହାରି ୧୬ କୋଟି କୁଇଣ୍ଟାଲ ନଡା ଉତ୍ପାଦନ ହୁଏ । ଗୋଖାଦ୍ୟ, ଛପର, ଜାଳ, ଖତ, ଛତୁ ଇତ୍ୟାଦି ପାଇଁ ବ୍ୟବହୃତ ନଡାକୁ ବାଦ୍ ଦେଲେ ପ୍ରାୟ ୨ କୋଟି କୁଇଣ୍ଟାଲ ବଳିଥାଏ, ଯହିଁରୁ ଶର୍କରାକରଣ ପଦ୍ଧତିରେ ୪୪ କୋଟି ଲିଟର ସୁରାସାର ମିଳିପାରିବ । ଚାଉଳ, ଗହମ, ମକା, ଆଳୁ, ଆଖୁ, ମହୁଲ, ସୁଗାରବିଟ, ଗୟା ଆଳୁ ଇତ୍ୟାଦି କୃତିଜାତ ପଦାର୍ଥର ସୁରାସାର ଉତ୍ପାଦନ କରାଯାଇପାରିବ । ଚାଉଳ, ଗହମ, ମକା ଇତ୍ୟାଦିରୁ ୫୪- ଭାଗ ଗ୍ଲୁକୋଜ ମିଳିଥାଏ । ମାତ୍ର ଏସବୁ ଖାଦ୍ୟକୁ ବାୟୋଫୁଏଲ ପ୍ରସ୍ତୁତିରେ ବ୍ୟବହାର କଲେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧିପାଇବ ।
ସଂଗୃହୀତ – ମନୋରଞ୍ଜନ ମହାନ୍ତି
Last Modified : 6/23/2020