ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ଓଡିଶାରେ ଅନେକ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗଭର ହୋଇଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ମଧ୍ୟ ଓଡିଶାକୁ ବେଶ୍ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟ ସରକାର ମଧ୍ୟ ଏହି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହାନ୍ତି । ଏଥିପାଇଁ ତୈଳ କମ୍ପାନୀଗୁଡିକୁ ଆବଶ୍ୟକ ସାହାଯ୍ୟ ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏହି ସବୁ ପ୍ରସ୍ତାବିତ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଲେ ଅନେକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ମିଳିପାରିବ ।
ଭାରତ ପେଟ୍ରୋଲିୟମ (ବିପିସିଏଲ୍) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (ଏଚପିସିଏଲ୍) କୋରାପୁଟ ଓ ସମ୍ବଲପୁରରେ ଏଲପିଜି ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଆଗ୍ରହ ପକାଶ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଜମି ଯୋଗାଇଦେବାକୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବେ । ପୁଣି ସମ୍ବଲପୁରରେ ପ୍ରସ୍ତାବିତ ଏଲପିଜି ପ୍ଲାଣ୍ଟ ପାଇଁ ଏହି ଦୁଇ କମ୍ପାନୀ ନୂଆ ସ୍ଥାନ ଚିହ୍ନଟ କରିବେ | ପୂର୍ବରୁ ମାନେସରରେ ଏହା ପ୍ରତିଷ୍ଠା କରିବାର ଯୋଜନା ଥିଲା । କିନ୍ତୁ ଏହା ଜଳସେଚିତ ଅଞ୍ଚଳ ହୋଇଥିବାରୁ ସେଠାରେ ପ୍ଲାଣ୍ଟ ବସା ଯାଇପାରିବ ନାହିଁ । ନିକଟରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମେକ୍ ଇନ୍ ଇଣ୍ଡିଆ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଓ ଶାସନ ସଚିବଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତି ହୋଇଛି ।
ଏହି ଅବସରରରେ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି,ଭୁବନେଶ୍ୱରରେ ଏକ ହାଇଡ୍ରୋକାର୍ବନ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ପାଇଁ ଯୋଜନା କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଜମି ଯୋଗାଇଦେବେ ବୋଲି ଆଶା । ଜମି ମିଳିବା ପରେ ତ୍ୱରିକ କାମ ଆରମ୍ଭ ହେବ ।
ବଲାଙ୍ଗୀରରେ ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଣ୍ଟ ପ୍ରସ୍ତାବକୁ ସରକାର ମଂଜୁର କରିଛନ୍ତି । ୧୦୦ କୋଟି ଟଙ୍କାରେ ଏହାକୁ ନିର୍ମାଣ କରିବା ଲାଗି ରାଷ୍ଟ୍ରାୟତ ତୈଳ କମ୍ପାନି ବିପିସିଏଲ୍ ପୂର୍ବରୁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲା । ଏହି ପ୍ରସ୍ତାବକୁ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ମଂଜୁରୀ ପ୍ରଦାନ କରିଛି । ଏହି ପ୍ରକଳ୍ପ ଫଳରେ ପ୍ରାୟ ୫୦୦ ଲୋକଙ୍କୁ ରୋଜଗାର ସୁଯୋଗ ମିଳିବ । କ୍ଲିୟରାନ୍ସ ଅଥୋରିଟି ନିଷ୍ପତ୍ତି ସମ୍ପର୍କରେ ଇପିକଲ୍ ର ମହାପ୍ରବନ୍ଧକ କଲ୍ୟାଣ ମହାନ୍ତି କହିଛନ୍ତି,
୪୨୦.୩୫ କୋଟି ଟଙ୍କାର ୩ଟି ନିବେଶ ପ୍ରସ୍ତାବକୁ ଅଥୋରିଟି ମଂଜୁରୀ ପ୍ରଦାନ କରିଛି । ଏହା ମଧ୍ୟରେ ରହିଛି ବଲାଙ୍ଗିରର ଏଲପିଜି ବଟଲିଂ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୯୩ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି । କ୍ଲିଅରାନ୍ସ ପାଇବା ପରେ ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ ହୋଇଯିବ ।
ଏହି ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ, ଆପ୍ରୋଚ୍ ରୋଡ୍ ନିର୍ମାଣ, ଡିଜିପିଏସ୍ ସର୍ଭେ, ବିଦ୍ୟୁତ୍ ଯୋଗାଣ, ଜଳ ଉପଯୋଗ ଆଦି ଆବଶ୍ୟକ ପଡିବ । ଏଗୁଡିକୁ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗ କରିବ ।
ଆଧାର - Akhand social worker, freelance journalist
Last Modified : 12/10/2019