ବିଦ୍ୟୁତ ସ୍ରୋତର ଚୁମ୍ବକୀୟ ପ୍ରଭାବ ତୁମେ ପୂର୍ବ ଅଧ୍ୟାୟରେ ଶିଳ୍ପଜଗତରେ ବିଦ୍ୟୁତର ଆବଶ୍ୟକତା ବିଷୟରେ ପଢିଛ । ଏହା ବିନା ଆମ ଜୀବନ ଅଧୁରା ଅଟେ । ଆମେ ଘରେ ହେଉ ବା ଅଫିସ୍ ରେ ହେଉ ବିଦ୍ୟୁତ ବିନା ଚଳିବା ଅସମ୍ଭବ ହୋଇ ପଡୁଛି । ବିଦ୍ୟୁତ ବଲ୍ବ, ବିଦ୍ୟୁତ ପଙ୍ଖା, ଟେଲିଭିଜନ, ରେଫ୍ରିଜିରେଟର, ୱାସିଙ୍ଗମେସିନ, ମୋଟର, ରେଡିଓ ଆଦି ବହୁବିଧ ଉପକରଣ ବିଦ୍ୟୁତ ଉପରେ ନିର୍ଭରଶୀଳ । ଯେତେବେଳେ ବିଦ୍ୟୁତ ସ୍ରୋତ ଏକ ପରିବାହୀ ତାର ବା ତାରକୁଣ୍ଡଳୀ ମଧ୍ୟରେ ପ୍ରବାହିତ ହୁଏ ସେତେବେଳେ ତାରର ଚତୁଃପାର୍ଶ୍ଵରେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୋଇଥାଏ । ବିଦ୍ୟୁତ ଘଣ୍ଟାର କାର୍ଯ୍ୟକାରିତା ଏହି ନିୟମ ଉପରେ ଆଧାରିତ । ଏହାର ବିପରୀତ କ୍ରମେ ଯଦି ଏକ ପରିବାହୀ କୁଣ୍ଡଳୀ ମଧ୍ୟରେ ଏକ ଚୁମ୍ବକୀୟ କ୍ଷେତ୍ରର ବାରମ୍ବାର ପରିବର୍ତ୍ତନ କରାଯାଏ ତେବେ ସେହି କୁଣ୍ଡଳୀ ମଧ୍ୟରେ ବିଦ୍ୟୁତ ସ୍ରୋତ ଉତ୍ପନ୍ନ ହୋଇଥାଏ । ଏହିପରି ଭାବରେ ବିଦ୍ୟୁତସ୍ରୋତ ଏବଂ ଚୁମ୍ବକ ପରସ୍ପର ସହ ସମ୍ପର୍କିତ । ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ଉଚ୍ଚ ସଞ୍ଚାରୀ ତାର ସାହାଯ୍ୟରେ ଶହ ଶହ କିଲୋମିଟର ଦୂର ସହର ବା ଗାଁ ମାନଙ୍କୁ ପଠାଯାଇଥାଏ । ଯାହା ଟ୍ରାନ୍ସଫରମର ଦ୍ଵାରା କରାଯାଇ ଗୃହଯୋଗାଣ ହୋଇଥାଏ । ଏହି ଅଧ୍ୟାୟରେ ଆମେ ବିଦ୍ୟୁତର ନିରାପଦ ବ୍ୟବହାର ସମ୍ବନ୍ଧରେ ଆଲୋଚନା କରିବା । ଏହା ସହ ଚୁମ୍ବକ ସମ୍ବନ୍ଧରେ କିଛି ସରଲା ପରୀକ୍ଷଣ ମାଧ୍ୟମରେ ଚୁମ୍ବକର ବିଭିନ୍ନ ଧର୍ମ ବିଷୟରେ ଧାରଣା ପାଇବା । ଉଦ୍ଦେଶ୍ୟ ଚୁମ୍ବକକୁ ଚିହ୍ନିପାରିବ ଏବଂ ଏହାର ଧର୍ମଗୁଡିକୁ ବୁଝାଇପାରିବ । ଚୁମ୍ବକୀୟ କ୍ଷେତ୍ରର ଧାରଣା ବୁଝିପାରିବ ଏବଂ ଚୁମ୍ବକୀୟ ବଳରେଖା ଗୁଡିକର ଧର୍ମ କହିପାରିବ । ପରିବାହୀ ତାର ମଧ୍ୟରେ ବିଦ୍ୟୁତ ପ୍ରବାହିତ ସମୟରେ ଉତ୍ପନ୍ନ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ସମ୍ବନ୍ଧରେ ଅବଗତ ହେବ । ବିଦ୍ୟୁତ ଚୁମ୍ବକର ବର୍ଣ୍ଣନା କରିପାରିବ ଏବଂ ବୈଦ୍ୟୁତିକ ଘଣ୍ଟାର କାର୍ଯ୍ୟକାରିତା ବୁଝାଇ ପାରିବ । ଚୁମ୍ବକୀୟ କ୍ଷେତ୍ରରେ ସ୍ଥାପିତ ପରିବାହୀ ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ସମୟରେ ଉତ୍ପନ୍ନ ହେଉଥିବା ବଳର ପ୍ରଭାବ ବୁଝାଇପାରିବ । ବିଦ୍ୟୁତ ଚୁମ୍ବକୀୟ ପ୍ରେରଣ, ଏହାର ବିଶେଷତ୍ଵ ଏବଂ ଦୈନନ୍ଦିନ ଜୀବନରେ ପ୍ରୟୋଗ ସମ୍ବନ୍ଧରେ ବୁଝାଇପାରିବ । ପ୍ରତ୍ୟାବର୍ତ୍ତୀ ବିଦ୍ୟୁତସ୍ରୋତ (AC) ଏବଂ ସଳଖ ବିଦ୍ୟୁତ ସ୍ରୋତ (DC) କୁ ବୁଝାଇପାରିବ ଏବଂ ଏହା ଆଧାରରେ ବ୍ୟବହୃତ ଘରୋଇ ଉପକରଣ ଗୁଡିକର ତାଲିକା କରିପାରିବ । କାରଖାନା ଏବଂ ଗୃହ ବିରଯୁତ ବ୍ୟବହାର ସମୟରେ ଘଟୁଥିବା ଦୁର୍ଘଟଣା ଗୁଡିକୁ ଜାଣିପାରିବା ଏବଂ ଏହାର ପ୍ରତିକାର ଗୁଡିକୁ ଜାଣିପାରିବ । ଚୁମ୍ବକ ଓ ଏହାର ଧର୍ମ ମନୁଷ୍ୟ ପାଇଁ ଚୁମ୍ବକର ଏବଂ ଚୁମ୍ବକ ନିର୍ମିତ ପଦାର୍ଥର ଏକ ବିଶେଷ ଆକର୍ଷଣ ରହି ଆସିଅଛି । ଇତିହାସରୁ ସୁସ୍ପଷ୍ଟ ଯେ ପ୍ରାଚୀନ ଗ୍ରୀକ ସଭ୍ୟତା ସମୟରେ ଏହାର ଆବିଷ୍କାର ଏବଂ ବ୍ୟବହାର ହୋଇଥିଲା । ସେମାନେ କେତେକ ପଥରର ଲୁହା, ନିକେଲ ଆଦି ପଦାର୍ଥକୁ ଆକର୍ଷଣ କରୁଥିବା ଲକ୍ଷ୍ୟ କରିଥିଲେ । ପ୍ରାକୃତିକ ପଥର ଗୁଡିକୁ ଲୋଡଷ୍ଟୋନ ନାମରେ ନାମିତ କରାଯାଇଥିଲା । ଏହା ଲୌହ ଅକ୍ସାଇଡ ()ର ଏକ ଯୌଗିକ ଅଟେ । ଛୋଟ ଲୌହ ଖଣ୍ଡ ଗୁଡିକ ଏହି ଲୋଡଷ୍ଟୋନ ଦ୍ଵାରା ଆକର୍ଷିତ ହେବା ଧର୍ମକୁ “ଚୁମ୍ବକତ୍ଵ” କୁହାଯାଏ । ଲୋଡଷ୍ଟୋନ ଗୁଡିକର ଆକାର ଅନିୟମିତ । ଏହା ବହୁଳ ଭାବରେ ମିଳେ ନାହିଁ ଓ ସିଧାସଳଖ ବ୍ୟବହାର ଉପଯୋଗୀ ନୁହେଁ । ଏହାର ଆକର୍ଷଣ ଗୁଣ ମଧ୍ୟ ଦୁର୍ବଳ । ତେଣୁ କୃତ୍ରିମ ଉପାୟରେ ଅଧିକ ବ୍ୟବହାର ଉପଯୋଗୀ ଚୁମ୍ବକ ସବୁ ବିଭିନ୍ନ ଆକାରରେ ତିଆରି କରାଯାଏ । ଏପରି ଚୁମ୍ବକକୁ କୃତ୍ରିମ ଚୁମ୍ବକ କୁହାଯାଏ । ଏହି ଚୁମ୍ବକ ଗୁଡିକ ମଧ୍ୟ ସ୍ଥାୟୀ ଚୁମ୍ବକ କୁହାଯାଏ । ତେଣୁ “ଯେଉଁ ପଦାର୍ଥ ଚୁମ୍ବକୀୟ କ୍ଷେତ୍ର ଉତ୍ପନ୍ନ କରିଥାଏ ଏବଂ ଅନ୍ୟ ପଦାର୍ଥକୁ ଆକର୍ଷଣ କରିପାରେ ତାକୁ ଚୁମ୍ବକ କହନ୍ତି” । ଏହି ଶକ୍ତିଶାଳୀ ଚୁମ୍ବକଗୁଡିକୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଆକୃତି ଗୁଡିକ ହେଲେ : ଦଣ୍ଡ ଚୁମ୍ବକ ଅଶ୍ଵକ୍ଷୁରା ଚୁମ୍ବକ ସ୍ତମ୍ବାକାର ଚୁମ୍ବକ ବୃତ୍ତାକାର ଚୁମ୍ବକ ଆୟତାକାର ଚୁମ୍ବକ ଏହି ଭଳି ଆକାରର ଚୁମ୍ବକ ତୁମେ କେବେ ଦେଖିଛକି ? ଏହି ଚୁମ୍ବକ ଗୁଡିକ ବିଭିନ୍ନ ପ୍ରକାରର ଉପରକର ଯଥା ଟେପରେକଡର, ରେଡିଓ, ମୋଟର, ବିଦ୍ୟୁତ ଘଣ୍ଟା ହେଡଫୋନ ଇତ୍ୟାଦିରେ ବ୍ୟବହାର କରାଯାଇଥାଏ । ବିଭିନ୍ନ ଉପକରଣ ଗୁଡିକରେ ଏହି ଚୁମ୍ବକ ଗୁଡିକ ଉପକରଣର ଅଂଶ ଗୁଡିକୁ ଧରିବା ପାଇଁ ବା ଅଲଗା ରଖିବା ପାଇଁ ନିୟନ୍ତ୍ରଣ କରିବା ପାଇଁ, ଉପରକୁ ଟେକି ରଖିବା ପାଇଁ, ବିଦ୍ୟୁତ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ପରିଣତ କରିବା ପାଇଁ (ବୈଦ୍ୟୁତିକ ମୋଟର, ଲାଉଡ ସ୍ପିକର) କିମ୍ବା ଯାନ୍ତ୍ରିକ ଶକ୍ତିକୁ ବିଦ୍ୟୁତ ଶକ୍ତିରେ ପରିଣତ କରିଥାଏ । (ବିଦ୍ୟୁତ ଜେନେରେଟର ଓ ମାଇକ୍ରୋଫୋନ) । ଗୋଟିଏ ପ୍ରାକୃତିକ ଚୁମ୍ବକ ପଥରକୁ ମୁକ୍ତଭାବରେ ଝୁଲାଇ ରଖିଲେ ତାହା ସର୍ବଦା ପୃଥିବୀ ପୃଷ୍ଠରେ ଉତ୍ତର – ଦକ୍ଷିଣ ଦିଗରେ ସ୍ଥିର ହୋଇ ରହେ । ଏହାକୁ ପୁଣିଥରେ ଘୂରାଇ ଛାଡିଦେଲେ ଏହା କିଛି ସମୟପରେ ସେହି ଏକା ଦିଗରେ ସ୍ଥିର ହୋଇ ରହିବ । ପୃଥିବୀର ଭୌଗଳିକ ଉତ୍ତର ଦିଗକୁ ରହୁଥିବା ଚୁମ୍ବକର ମେରୁଟିକୁ ଉତ୍ତରମେରୁ ଓ ଦକ୍ଷିଣ ଦିଗକୁ ରହୁଥିବା ମେରୁଟି ହେଉଛି ଦକ୍ଷିଣ ମେରୁ କୁହାଯାଏ । ଏହାକୁ ଯଥାକ୍ରମେ “N” ଏବଂ “S” ସଙ୍କେତରେ ସୂଚୀତ କରାଯାଏ । ତୁମ ପାଇଁ କାମ ଗୋଟିଏ ସୂଚୀ ଚୁମ୍ବକ ଦୁଇଟି ଦଣ୍ଡଚୁମ୍ବକ, କିଛି ଲୁହା ଖଣ୍ଡ, ଗୋଟିଏ ପିନକଣ୍ଟା ନେଇ ଚୁମ୍ବକ ଧର୍ମ ଜାଣିବା ପାଇଁ ନିମ୍ନ ପରୀକ୍ଷାଗୁଡିକ କର । ଗୋଟିଏ ଦଣ୍ଡ ଚୁମ୍ବକ ନେଇ ଏହାର ଠିକ ମଝିରେ ସୂତାଟିଏ ବାନ୍ଧି ଏକ ହୁକ ସାହାଯ୍ୟରେ ଏହାକୁ ଝୁଲାଇ ରଖ । ଏହା ସ୍ଥିର ହୋଇ ରଖିବା ପରେ ଏକ ସୂଚୀ ଚୁମ୍ବକ ଦ୍ଵାରା ଏହାର ଦିଗ ନିରୂପଣ କର ଏହି ପରୀକ୍ଷା ଦ୍ଵାରା ତୁମେ ପ୍ରମାଣିତ କରିପାରିବ ଯେ ଚୁମ୍ବକ ସର୍ବଦା ଉତ୍ତର – ଦକ୍ଷିଣ ଦିଗରେ ସର୍ବଦା ରହିଥାଏ । ଏହି ଚୁମ୍ବକ ଉପରେ କିଛି ଲୁହାଗୁଣ୍ଡ ଛିଞ୍ଚିଦିଅ । ଏହା ଚୁମ୍ବକ ଶହ ଲାଗିଯିବ । ଏଥିରୁ ଆମେ ଜାଣିବା ଚୁମ୍ବକ ଲୁହାକୁ ଆକର୍ଷଣ କରେ । ତୁମେ ଦେଖିବ ଚୁମ୍ବକର ମେରୁ ନିକଟରେ ଏହି ଆକର୍ଷଣ ସର୍ବାଧିକ ହେବା ସମୟରେ ମଧ୍ୟ ଅଂଶରେ ସର୍ବନିମ୍ନ ଅଟେ । ମୁକ୍ତ ଭାବରେ ଝୁଳୁଥିବା ଦଣ୍ଡଚୁମ୍ବକର ମେରୁ ନିକଟକୁ ଅନ୍ୟ ଏକ ଚୁମ୍ବକର ମେରୁକୁ ଆଣିଲେ ତୁମେ ଦେଖିବ ଉଭୟ ଚୁମ୍ବକ ଆକର୍ଷିତ ବା ବିକର୍ଷିତ ହୋଇଥାନ୍ତି । ଚୁମ୍ବକର ବିଷମ ମେରୁ ପରସ୍ପରକୁ ଆକର୍ଷଣ କରିବା ସମୟରେ ସମମେରୁ ପରସ୍ପର ବିକର୍ଷଣ କରନ୍ତି । ଗୋଟିଏ ପିନକଣ୍ଟା ନେଇ ଚୁମ୍ବକ ଶହ କିଛି ସମୟ ଲଗାଇରଖ । ତୁମେ ଦେଖିବ ପିନକଣ୍ଟାଟି ଚୁମ୍ବକତ୍ଵ ପ୍ରାପ୍ତ ହୋଇଛି ଏବଂ ଏହା ମଧ୍ୟ ଲୁହା ଗୁଣ୍ଡକୁ ଆକର୍ଷିତ କରିପାରିବ । ଚୁମ୍ବକଟିକୁ ମଝିରୁ ଦୁଇଖଣ୍ଡ କରି ଭାଙ୍ଗିଦିଅ, ବର୍ତ୍ତମାନ ଲକ୍ଷ୍ୟକର ଏହି କ୍ଷୁଦ୍ର ଖଣ୍ଡ ଦ୍ୱୟ ମଧ୍ୟ ଚୁମ୍ବକର ଧର୍ମ ପ୍ରଦର୍ଶନ କରୁଛନ୍ତି । ଏହାକୁ ଯେତେ ଛୋଟ ଛୋଟ ଖଣ୍ଡରେ ଭାଙ୍ଗିଲେ ମଧ୍ୟ ପ୍ରତ୍ୟକ ଖଣ୍ଡ ଗୋଟିଏ ଗୋଟିଏ ଚୁମ୍ବକ ହେବ । ଅର୍ଥାତ୍ ଚୁମ୍ବକର ମେରୁଦ୍ୱୟ ସର୍ବଦା ଯୁଗ୍ମ ଭାବରେ ରହିଥାନ୍ତି । ଏହାକୁ କେବେହେଲେ ଅଲଗା କରାଯାଇପାରିବ ନାହିଁ । ଚୁମ୍ବକର ଧର୍ମ ଏହା ଲୁହାକୁ ଆକର୍ଷଣ କରୁଥାଏ । ମୁକ୍ତଭାବରେ ଝୁଳୁଥିବା ଅବସ୍ଥାରେ ସର୍ବଦା ଉତ୍ତର – ଦକ୍ଷିଣ ଦିଗରେ ରହିଥାଏ । ସମମେରୁ ପରସ୍ପରକୁ ବିକର୍ଷଣ ଏବଂ ଅସମମେରୁ ପରସ୍ପରକୁ ଆକର୍ଷଣ କରେ । ଏକ ଲୌହ ଖଣ୍ଡକୁ ଚୁମ୍ବକ ଶହ ଲଗାଇ ରଖିଲେ ଏହା ଚୁମ୍ବକତ୍ଵ ଧର୍ମ ପ୍ରଦର୍ଶନ କରିଥାଏ । ଚୁମ୍ବକର ମେରୁ ଦ୍ୱୟକୁ କେବେବି ପୃଥକ କରାଯାଇପାରେ ନାହିଁ । ଚୁମ୍ବକୀୟ କ୍ଷେତ୍ର ଏକ ଛୋଟ ସୂଚୀ ଚୁମ୍ବକକୁ ଦଣ୍ଡ ଚୁମ୍ବକ ପାଖରେ ରଖ । ସୂଚୀ ଚୁମ୍ବକଟିର କଣ୍ଟାଟି ଘୁରିଘୁରି ଏକ ନିର୍ଦ୍ଧିଷ୍ଟ ଦିଗରେ ସ୍ଥିର ହୋଇ ରହିବ । ଏଥିରୁ ଜଣାପଡେ ଯେ ଏକ ବଳ ସୂଚୀ ଚୁମ୍ବକର ଉପରେ କାର୍ଯ୍ୟକରୁଅଛି, ଯାହା ଏହାକୁ ଘୂରାଇ ଏକ ନିର୍ଦ୍ଧିଷ୍ଟ ଦିଗରେ ସ୍ଥିର ହୋଇ ରହିବାରେ ସାହାଯ୍ୟ କରେ । ଏହି ବଳକୁ ‘ବଳଯୁଗ୍ମ’ କୁହାଯାଏ । ଚୁମ୍ବକ ଚତୁଃପାର୍ଶ୍ଵରେ ଏହି କ୍ଷେତ୍ରସୂଚୀ ଯେଉଁ ଅଞ୍ଚଳରେ ସୂଚୀ ଚୁମ୍ବକର ଘୂର୍ଣ୍ଣନ ହୋଇ ଶେଷରେ ଏକ ନିର୍ଦ୍ଧିଷ୍ଟ ଦିଗରେ କଣ୍ଟାଟି ସ୍ଥିର ହୋଇ ରୁହେ ତାହାକୁ ଚୁମ୍ବକୀୟ କ୍ଷେତ୍ର କୁହାଯାଏ । ଚୁମ୍ବକୀୟ କ୍ଷେତ୍ରର ଦିଗ ଚୁମ୍ବକୀୟ ବଳରେଖା ମାନଙ୍କ ଦ୍ଵାରା ସୂଚୀତ ହୋଇଥାଏ । ଏଥିରୁ ସ୍ପଷ୍ଟ ଯେ ସୂଚୀ ଚୁମ୍ବକର ଦିଗ ଅନବରତ ଭାବରେ ଏକ ବୃତ୍ତାକାର ପଥରେ ଉତ୍ତର ଦିଗରୁ ଦକ୍ଷିଣ ଦିଗ ପର୍ଯ୍ୟନ୍ତ ଗତି କରିଥାଏ । ଏହି ବୃତ୍ତାକାର ପଥକୁ ଚୁମ୍ବକୀୟ ବଳରେଖା କୁହାଯାଏ । ଚୁମ୍ବକୀୟ ବଳରେଖାର ଯେକୌଣସି ବିନ୍ଦୁରେ ଅଙ୍କିତ ସ୍ପର୍ଶକ ସେହି ବିନ୍ଦୁରେ ଚୁମ୍ବକୀୟ କ୍ଷେତ୍ରର ଦିଗ ନିର୍ଦ୍ଦେଶ କରିଥାଏ । ଏହି ଚୁମ୍ବକୀୟ ବଳରେଖାର ନିମ୍ବ ଧର୍ମ ପ୍ରଦର୍ଶନ କରିଥାଏ । ଚୁମ୍ବକୀୟ ବଳରେଖା ଚୁମ୍ବକର ଉତ୍ତର ମେରୁ ନିକଟରୁ ଆରମ୍ଭ ହୋଇ ଦକ୍ଷିଣ ମେରୁ ନିକଟରେ ଶେଷ ହୋଇଥାଏ । ଏହି ଚୁମ୍ବକୀୟ ବଳରେଖା ଗୁଡିକ କେବେବି ପରସ୍ପରକୁ ଛେଦ କରନ୍ତି ନାହିଁ । ମେରୁ ନିକଟରେ ଏହି ଚୁମ୍ବକୀୟ ବଳରେଖା ଗୁଡିକ ଅତି ପାଖାପାଖି ହୋଇଥାନ୍ତି, ଫଳରେ ଏହି ମେରୁ ନିକଟରେ ଚୁମ୍ବକର ଆକର୍ଷଣ ବଳ ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ହୋଇଥାଏ । ଆମପୃଥିବୀ ଏକ ବିରାଟ ଚୁମ୍ବକ ପରି କାର୍ଯ୍ୟକରେ ଯାହାର ଦକ୍ଷିଣ ଚୁମ୍ବକୀୟ ମେରୁ ଭୌଗଳିକ ଉତ୍ତର ମେରୁ ଆର୍କଟିକ ନିକଟରେ ଏବଂ ଚୁମ୍ବକୀୟ ଉତ୍ତରମେରୁ ଭୌଗଳିକ ଦକ୍ଷିଣ ମେରୁ ଆଣ୍ଟାର୍ଟିକା ନିକଟରେ ଅବସ୍ଥିତ । ଏହି ଇ – ଚୁମ୍ବକ ଏକ ଦଣ୍ଡ ଚୁମ୍ବକ ପରି ଧର୍ମ ପ୍ରଦର୍ଶନ କରେ । ଭୂ – ଆଭ୍ୟନ୍ତରରେ ଥିବା ଉତ୍ତପ୍ତ ଧାତବ ତରଳ ପଦାର୍ଥ ଲୌହ ଗତି କରିବା ସମୟରେ ବୈଦ୍ୟୁତିକ ସ୍ରୋତ ଉତ୍ପନ୍ନ କରିଥାଏ , ଯାହା ପୃଥିବୀକୁ ଚୁମ୍ବକତ୍ଵ ପ୍ରଦାନ କରିଥାଏ । ଭୂ – ଚୁମ୍ବକର ଉତ୍ତର – ଦକ୍ଷିଣ ଦିଗ ପୃଥିବୀର ଭୌଗଳିକ ଉତ୍ତର – ଦକ୍ଷିଣ ଦିଗ ଶହ ସମାନ ନଥାଏ । ଏହି କାଳ୍ପନିକ ଭୂ – ଚୁମ୍ବକ ପୃଥିବୀର ଅକ୍ଷୟ ସହ ସମାନ୍ତର ନହୋଇ କୋଣରେ ରହିଥାଏ । ଏହି କାରଣ ପାଇଁ ସୂଚୀ ଚୁମ୍ବକକୁ ମୁକ୍ତ ଭାବରେ ଝୁଲାଇ ରଖିଲେ ଏହା ସର୍ବଦା ଉତ୍ତର-ଦକ୍ଷିଣ ଦିଗରେ ରହିଥାଏ । ତୁମପାଇଁ କାମ ତୁମେ ମଧ୍ୟ ଚୁମ୍ବକୀୟ କ୍ଷେତ୍ର ନିରୂପଣ କରିପାରିବ । ଏଥିପାଇଁ ଦୁଇଟି ଦଣ୍ଡଚୁମ୍ବକ, ଗୋଟିଏ ସ୍କେଲ ନିଅ ଏବଂ ନିମ୍ନ ସୋପାନ ଗୁଡିକୁ ଅନୁସରଣ କର । ଦୁଇଟି ଦଣ୍ଡଚୁମ୍ବକ ଏକ ସମତଳରେ, ଏକ ସରଳରେଖାରେ ପରସ୍ପରଠାରୁ ୧୦ ସେ.ମି. ଦୂରରେ ରଖ । ସମମେରୁ ଦ୍ୱୟକୁ ପରସ୍ପର ନିକଟକୁ ଆଣ ? କିଛି ଅନୁଭବ କରୁଛ କି ? ତୁମେ ଅନୁଭବ କରିବ ଚୁମ୍ବକରେ ମେରୁ ଦ୍ୱୟ ପରସ୍ପରକୁ ଠେଲୁଛନ୍ତି । ଗୋଟିଏ ଚୁମ୍ବକର ମେରୁ ବଦଳାଇ ପୁନଶ୍ଚ ଉଭୟଙ୍କୁ ନିକଟବର୍ତ୍ତୀ କର । ତୁମେ ଦେଖିବ ଚୁମ୍ବକୀୟ ପରସ୍ପର ଆଡକୁ ତୀବ୍ରବେଗରେ ଆକର୍ଷିତ ହେଉଛନ୍ତି । ଏହି ପରୀକ୍ଷାରୁ ଆମେ ଜାଣିଲେ ଯେ ଚୁମ୍ବକର ଚତୁଃପାର୍ଶ୍ଵରେ ଯେଉଁ ଅଞ୍ଚଳରେ ଏହି ବଳ ଅନୁଭୂତ ହୁଏ ତାହାକୁ “ଚୁମ୍ବକୀୟ କ୍ଷେତ୍ର” କୁହାଯାଏ । ପରିବାହୀ ଚଳିତ ଚୁମ୍ବକୀୟ କ୍ଷେତ୍ର ଏକ ପରିବାହୀ ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ କରାଇଲେ ଏହା ଚତୁଃପାର୍ଶ୍ଵରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିହୁଏ । ଏହା ଦେଖିବା ପାଇଁ ଏକ ପରିବାହୀ ତାର ନେଇ ଏହାକୁ ସଂଯୁକ୍ତ ତାର ଦ୍ଵାରା ବ୍ୟାଟେରୀର ଉଭୟ ପ୍ରାନ୍ତ ସହ ଯୋଡିଦିଅ । ଏକ ସୂଚୀଚୁମ୍ବକକୁ ତମ୍ବାତାର ସହ ସମାନ୍ତର ଭାବରେ ରଖ । ଯେତେବେଳେ ପରିପଥରେ ବିଦ୍ୟୁତ ପ୍ରବାହିତ ହେବ ତମ୍ବାତାର ମଧ୍ୟରେ ବିଦ୍ୟୁତ ପ୍ରବାହିତ ହେବା ସମୟରେ ଏହା ଚତୁଃପାର୍ଶ୍ଵରେ ସୂଚୀଚୁମ୍ବକୀୟ କ୍ଷେତ୍ର ଉତ୍ପନ୍ନ ହେଉଛି । ବିଦ୍ୟୁତ ପ୍ରବାହର ପରିମାଣ ବୃଦ୍ଧିକରିଲେ ସୂଚୀଚୁମ୍ବକର ଅଧିକ ବିକ୍ଷେପଣ କରିବ । ବିଦ୍ୟୁତ ସ୍ରୋତର ପ୍ରବାହର ଦିଗ ପରିବର୍ତ୍ତନ କରିଲେ (ବ୍ୟାଟେରୀର ପ୍ରାନ୍ତ ବଦଳାଇ) ସୂଚୀ ଚୁମ୍ବକର ବିପକ୍ଷରେ ଦିଗ ମଧ୍ୟ ପରିବର୍ତ୍ତିତ ହୋଇଥାଏ । ପରିବାହୀ ମଧ୍ୟକୁ ବିଦ୍ୟୁତ ପ୍ରବାହ ବନ୍ଦ କରିଲେ ସୂଚୀଚୁମ୍ବକର ବିକ୍ଷେପ ମଧ୍ୟ ବନ୍ଦ ହୋଇଯିବ । ଅତଏବ ଚୁମ୍ବକୀୟ କ୍ଷେତ୍ରର ସୃଷ୍ଟି ପରବାହୀ ମଧ୍ୟରେ ପ୍ରବାହିତ ବିଦ୍ୟୁତ ସ୍ରୋତର ପ୍ରଭାବ ଅଟେ । ୧୮୨୦ ମସିହାରେ ଡେନମାର୍କର ବୈଜ୍ଞାନିକ ହାନସ୍ କ୍ରିଷ୍ଟିୟାନ ଓଏରଷ୍ଟୁଡ ଏହାକୁ ସର୍ବପ୍ରଥମେ ଆବିଷ୍କାର କରିଥିଲେ । ବିଦ୍ୟୁତ ସ୍ରୋତର ଚୁମ୍ବକୀୟ ପ୍ରବାହ ଅନେକ ବୈଦ୍ୟୁତିକ ଉପକରଣ ଯଥା ମୋଟର ଇତ୍ୟାଦିରେ ପ୍ରୟୋଗ ହୋଇଥାଏ । ବିଦ୍ୟୁତ ଚୁମ୍ବକ ବିଦ୍ୟୁତ ଚୁମ୍ବକ ଏପରି ଏକ ଚୁମ୍ବକ ଯେଉଁଥିରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲେ ଚୁମ୍ବକୀୟ କ୍ଷେତ୍ର ଉତ୍ପନ୍ନ ହୋଇଥାଏ । ବିଦ୍ୟୁତ ଚୁମ୍ବକ ପ୍ରସ୍ତୁତି ପାଇଁ ଗୋଟିଏ କାଗଜ ନେଇ ଏହାକୁ ଦଣ୍ଡାକାରରେ ଗୁଡାଇଦିଅ । ଏହା ଚତୁଃପାର୍ଶ୍ଵରେ ତମ୍ବାତାରର ଅନେକ ଘେରା ଗୋଟିଏ ଦିଗରୁ ଅନ୍ୟଦିଗ ପର୍ଯ୍ୟନ୍ତ ଗୁଡାଅ । ଏହି କୁଣ୍ଡଳୀକୁ ସଲନଏଡ କୁହାଯାଏ । ଯେତେବେଳେ ଏହି ତମ୍ବାଟାରର ଉଭୟ ପ୍ରାନ୍ତକୁ ବ୍ୟାଟେରୀର ଯୁକ୍ତ ଅଗ୍ର ଓ ବିଯୁକ୍ତ ଅଗ୍ର ସହ ସଂଯୁକ୍ତ କରାଯାଏ କୁଣ୍ଡଳୀ ମଧ୍ୟରେ ବିଦ୍ୟୁତ ପ୍ରବାହିତ ହୁଏ । ଏବଂ କୁଣ୍ଡଳୀଟି ଏକ ଦଣ୍ଡ ଚୁମ୍ବକ ପରି କାର୍ଯ୍ୟକରେ । କୁଣ୍ଡଳୀ ମଧ୍ୟକୁ ବିଦ୍ୟୁତ ପ୍ରବାହ ବନ୍ଦକରିଦେଲେ ଏହାର ଚୁମ୍ବକତ୍ଵ ନଷ୍ଟ ହୋଇଯାଏ । ଯଦି ବ୍ୟାଟେରୀର ଯୁକ୍ତ ଓ ବିଯୁକ୍ତ ମେରୁକୁ ବଦଳାଇ ଏହି କୁଣ୍ଡଳୀ ସହ ସଂଯୁକ୍ତ କରାଯାଏ ତେବେ ବିଦ୍ୟୁତ ଚୁମ୍ବକରେ ମେରୁ ମଧ୍ୟ ବଦଳିଯାଏ । ଚୁମ୍ବକୀୟ କ୍ଷେତ୍ରର ପରିମାଣ ବୃଦ୍ଧିପାଇଁ ଫମ୍ପାନଳୀ ମଧ୍ୟରେ କିଛି ଲୁହା କଣ୍ଟା ରଖିଦିଅ । ଏହି ବିଦ୍ୟୁତ ପ୍ରବାହିତ କୋମଳ ଲୁହା ଯୁକ୍ତ ସଲନଏଡଟି ଏକ ବିଦ୍ୟୁତ ଚୁମ୍ବକରେ କାର୍ଯ୍ୟକରିବ । ବିଦ୍ୟୁତ ଚୁମ୍ବକର ଚୁମ୍ବକତ୍ଵକୁ ଆବଶ୍ୟକତା ଅନୁଯାୟୀ ଶକ୍ତିଶାଳି କରାଯାଇପାରେ । ବିଭିନ୍ନ ଉପକରଣ ଯଥା ବୈଦ୍ୟୁତିକ ମୋଟର, ଜେନେରେଟର, ବୈଦ୍ୟୁତିକ ଘଣ୍ଟା, ଏମ୍ ଆରଆଇ ଯନ୍ତ୍ର ଇତ୍ୟାଦିରେ ବିଦ୍ୟୁତ ଚୁମ୍ବକ ବ୍ୟବହୃତ ହୋଇଥାଏ । ଏହାଛଡା ଅତିଦ୍ରୁତଗାମୀ ଟ୍ରେନ, ସାଇକ୍ଳୋଟ୍ରୋନ ଏବଂ ଜେନେଭା ସ୍ଥିତ ବିଜ୍ଞାନଗାରରେ ବିଭିନ୍ନ ପରୀକ୍ଷଣ ପାଇଁ ଅତି ଶକ୍ତିଶାଳୀ ବିଦ୍ୟୁତ ଚୁମ୍ବକ ବ୍ୟବହାର କରାଯାଉଛି । ଦଣ୍ଡ ଚୁମ୍ବକ ଓ ବିଦ୍ୟୁତ ଚୁମ୍ବକ ମଧ୍ୟରେ ପାର୍ଥକ୍ୟ ଦଣ୍ଡଚୁମ୍ବକ ବିଦ୍ୟୁତ ଚୁମ୍ବକ ଏହା ସ୍ଥାୟୀ ଚୁମ୍ବକ । ଏହାର ଚୁମ୍ବକୀୟ କ୍ଷେତ୍ର ସର୍ବଦା ସ୍ଥିର ରହିଥାଏ । ଏହା ଏକ ଅସ୍ଥାୟୀ ଚୁମ୍ବକ, ଏହା ମଧ୍ୟରେ ବିଦ୍ୟୁତ ପ୍ରବାହିତ ହେବା ପର୍ଯ୍ୟନ୍ତ ଏହାର ଚୁମ୍ବକତ୍ଵ ରହିଥାଏ । ଏହାର ଚୁମ୍ବକୀୟ ଶକ୍ତିକୁ ବୃଦ୍ଧି ବା ହ୍ରାସ କରାଯାଇପାରେ ନାହିଁ ଏହାର ଚୁମ୍ବକତ୍ଵ ବିଦ୍ୟୁତ ପ୍ରବାହର ପରିମାଣ ଅନୁସାରେ ପରିବର୍ତ୍ତିତ ହୋଇପାରେ । ଏହା ଏକ ଦୁର୍ବଳ ଚୁମ୍ବକ ଅଟେ ଏହା ଶକ୍ତିଶାଳୀ ଚୁମ୍ବକ ଅଟେ । ଚୁମ୍ବକୀୟ କ୍ଷେତ୍ରକୁ ନିୟନ୍ତ୍ରଣ କରାଯାଇପାରେ । ଏହାର ମେରୁ ପରବର୍ତ୍ତିତ ହୋଇ ନଥାଏ । ବିଜାତ ପ୍ରବାହ ଦିଗ ପରିବର୍ତ୍ତନ କରି ଏହାକୁ ମେରୁ ପରିବର୍ତ୍ତନ ହୋଇପାରେ । ତୁମପାଇଁ କାମ ତୁମେ ନିଜେ ଏକ ବିଦ୍ୟୁତ ଚୁମ୍ବକ ହାତରେ ତିଆରି କରିବାକୁ ଚେଷ୍ଟାକର । ଏଥିପାଇଁ ଗୋଟିଏ ମୋଟା ଡ୍ରଇଂ ପେପର, ତମ୍ବାତାର, ୯ ଭୋଲ୍ଟର ଏକ ବ୍ୟାଟେରୀ ବା ଏକ ଏଲିମିନେଟର ଯାହା ମଧ୍ୟରେ ସିଲି ଏମ୍ପିୟର ବିଦ୍ୟୁତ ପ୍ରବାହିତ ହୋଇପାରେ ଗୋଟିଏ ସୁଇଚ ଏବଂ ଲୌହ ସ୍କେଲ ନେଇ ସୋପାନ ଗୁଡିକୁ ଅନୁସରଣ କର । ଡ୍ରଇଁପେପରଟିକୁ ଗୁଡାଇ ୧ସେ.ମି. ବ୍ୟାସ ଓ ୧୫ ସେ.ମି. ଲମ୍ବ ବିଶିଷ୍ଟ ଏକ ନାଲି ପ୍ରସ୍ତୁତ କର । ଏହା ଉପରେ ୧୦୦ ରୁ ୧୫୦ ଘେରା ତମ୍ବାତାର ଗୁଡାଅ । ମନେରଖ ନଳୀ ମଧ୍ୟଟି ସମ୍ପୂର୍ଣ୍ଣ ଫମ୍ପା ହୋଇଥିବା ଦରକାର । ତମ୍ବାତାରର ଉଭୟପ୍ରାନ୍ତକୁ ବ୍ୟାଟେରୀର ପ୍ରାନ୍ତ ସହ ସୁଇଚ ମାଧ୍ୟମରେ ସଂଯୋଗ କର । ସୁଇଚ ଅନ କରିବା ପୂର୍ବରୁ ଲୁହା ସ୍କେଲଟିକୁ ଏହି କୁଣ୍ଡଳୀ ପାଖକୁ ନିଅ । ତୁମେ ସ୍କେଲ ଉପରେ କୌଣସି ବଳ ପ୍ରୟୋଗ ଅନୁଭବ କରିପାରିବ ନାହିଁ । ବର୍ତ୍ତମାନ ସୁଇଚ ଅନ କରି ବିଦ୍ୟୁତ ପ୍ରବାହ କରାଅ ବିଦ୍ୟୁତ ପ୍ରବାହ ଆରମ୍ଭ ହେବାକ୍ଷଣି ସ୍କେଲଟି ନଳୀ ଆଡକୁ ଟାଣି ହୋଇଯିବ । ଏଥିରୁ ବୁଝାପଡେ ଯେ ଏହି କାଗଜ ନଳୀଟି ଚୁମ୍ବକ ପରି କାର୍ଯ୍ୟ କରିଥାଏ । ଏହି ଚୁମ୍ବକତ୍ଵ ସଲନଏଡ ଯୋଗୁଁ ସଂଘଟିତ ହୋଇଥାଏ । ବର୍ତ୍ତମାନ ନଳୀ ମଧ୍ୟରେ ଲୁହା କଣ୍ଟା ପୁରାଅ । ତୁମେ ଅବୁଭାବ କରିବ ସ୍କେଲଟି ଅଧିକ ବଳ ଦ୍ଵାରା ଆକର୍ଷିତ ହେଉଛି । ଏଥିରୁ ଜଣାପଡିଲା ବିଦ୍ୟୁତ ଚୁମ୍ବକତ୍ତ୍ଵ ବୃଦ୍ଧି ପାଇଅଛି । ନଳୀ ମଧ୍ୟରେ ଥିବା ଲୁହାର ପରମାଣୁ ଗୁଡିକ ଅଧିକ ସଂଖ୍ୟାରେ ନିର୍ଦ୍ଧିଷ୍ଟ ଦିଗରେ ସଜେଇ ହୋଇ ଚୁମ୍ବକୀୟ କ୍ଷେତ୍ରରେ ପରିମାଣ ବୃଦ୍ଧି ପାଇଥାଏ । ଯେତେବେଳେ ବିଦ୍ୟୁତ ପ୍ରବାହ ବନ୍ଦ ହୋଇଯାଏ ଏହି ନଳୀଟିର ଚୁମ୍ବକତ୍ତ୍ଵ ଲୋପପାଇଯାଏ । ବିଦ୍ୟୁତ ଘଣ୍ଟା ଗୋଟିଏ ବିଦ୍ୟୁତ ଘଣ୍ଟା କିପରି କାର୍ଯ୍ୟ କରେ ? ଏହି ବୈଦ୍ୟୁତିକ ଉପକରଣ ମଧ୍ୟରେ ବିଦ୍ୟୁତ ଚୁମ୍ବକର ବ୍ୟବହାର ହୋଇଥାଏ । ବିଦ୍ୟୁତ ଘଣ୍ଟାରେ “U” ଆକାରର ବିଦ୍ୟୁତ ଚୁମ୍ବକ ବ୍ୟବହାର ହୋଇଥାଏ । ଏହାକୁ ଅଶ୍ଵଖୁରାକୃତି ଚୁମ୍ବକ କୁହାଯାଏ । ଏହି ବିଦ୍ୟୁତ ଚୁମ୍ବକ ମଧ୍ୟରେ କୋମଳ ରଖାଯାଇଥାଏ । ଏହାକୁ “କୋର” କୁହାଯାଏ । ବିଦ୍ୟୁତ ଚୁମ୍ବକର ଉଭୟମେରୁ ବିଦ୍ୟୁତ ପରିପଥ ସହ ସଂଯୁକ୍ତ ହୋଇଥାଏ । (ବ୍ୟାଟେରୀ ବା ମେନ ସୁଇଚ ସହ) । ଏକ ପୁଶବଟନ (B) ପରିପଥରେ ସଂଯୁକ୍ତ । ପୁଶ ବଟନକୁ ଦବାଇ ରଖିଲେ ବିଦ୍ୟୁତ ପରିପଥରେ ବିଦ୍ୟୁତ ପ୍ରବାହ ଘଟେ । ଫଳରେ କୋମଲ ଲୁହାରେ ତିଆରି ହୋଇଥିବା କୁଣ୍ଡଳୀଟି ଚୁମ୍ବକରେ ପରିଣତ ହୋଇଥାଏ । ଏହି ଚୁମ୍ବକୀୟ କୋରଟି ଆର୍ମେଚରଟିକୁ ନିଜ ଆଡକୁ ଟାଣିଥାଏ ଫଳରେ ଏହା ସହ ସଂଯୁକ୍ତ ହାତୁଡିଟି ବେଲକପ ଉପରେ ପିଟିହୋଇ ଶବ୍ଦ ବିଦ୍ୟୁତ ପରିପଥଟି କଟିଯାଏ ଓ ବିଦ୍ୟୁତ ପ୍ରବାହ ବନ୍ଦ ହୋଇଯାଏ । ବିଦ୍ୟୁତ ପ୍ରବାହ ବନ୍ଦ ହେବାକ୍ଷଣି ବିଦ୍ୟୁତ ଚୁମ୍ବକଟି ଚୁମ୍ବକତ୍ଵ ହରାଏ । ତେଣୁ ଆର୍ମେଚରଟି ସ୍ପ୍ରିଙ୍ଗଯୋଗୁଁ ପୁନଶ୍ଚ ମୂଳ ଅବସ୍ଥାକୁ ଫେରିଆସେ ଓ ବିଦ୍ୟୁତ ପରିପଥକୁ ପୂର୍ଣ୍ଣକରେ । ଏହି ପ୍ରକ୍ରିୟା ବାରମ୍ବାର ସଂପାଦିତ ହୋଇଥାଏ । ପୁଶ ବଟନଟି ଦବାହୋଇ ରହିଥିବା ପର୍ଯ୍ୟନ୍ତ ହାତୁଡିଟି ବେଲକପ୍ ଉପରେ ବାରମ୍ବାର ଆଘାତ କରି ଟିନ ଟିନ ଶବ୍ଦ ଉତ୍ପନ୍ନ କରିଥାଏ । ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ସ୍ଥାପିତ ବିଦ୍ୟୁତ ପରିବାହୀ ଉପରେ କାର୍ଯ୍ୟକାରୀ ବଳ ଏକ ପରିବାହୀ ମଧ୍ୟରେ ବିଦ୍ୟୁତ ପ୍ରବାହିତ ହେବା ସମୟରେ ଚୁମ୍ବକୀୟ କ୍ଷେତ୍ର ଉତ୍ପନ୍ନ ହେବ । ତୁମେ ଦେଖିଅଛି । ଏହି ଚୁମ୍ବକୀୟ କ୍ଷେତ୍ରରେ ଦିଗ (B) ବିଦ୍ୟୁତ ପ୍ରବାହ (I) ଦିଗ ଉପରେ ନିର୍ଭରଶୀଳ । ସେହିପରି ଯେତେବେଳେ ଏକ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଏକ ବିଦ୍ୟୁତ ପ୍ରବାହିତ ପରିବାହୀ ରଖାଯାଏ, ଏ ପରିବାହୀ ଉପରେ ଏକ ବଳ କାର୍ଯ୍ୟକାରୀ ହୋଇଥାଏ । ନିମ୍ନ ପରୀକ୍ଷଣରୁ ଏହାକୁ ପର୍ଯ୍ୟବେକ୍ଷଣ କରାଯାଇପାରିବ । ଗୋଟିଏ ଅଶ୍ଵଖୁରାକୃତି ଚୁମ୍ବକର ଦୁଇମେରୁ ମଧ୍ୟରେ ଏକ ତମ୍ବାତାରକୁ ଏପରି ଝୁଲାଇ ରଖ ଯେପରି ତମ୍ବାତାରର ଦୈର୍ଘ୍ୟ ଚୁମ୍ବକର ମେରୁ ଦ୍ୱୟ ମଧ୍ୟରେ ସୃଷ୍ଟ ଚୁମ୍ବକୀୟ କ୍ଷେତ୍ର ସହ ଲମ୍ବଭାବରେ ରହିବ । ଏହି ପରିବାହୀ ମଧ୍ୟରେ ବିଦ୍ୟୁତ ପ୍ରବାହିତ କରାଗଲେ ତମ୍ବାତାରଟି ଉପରକୁ ଉଠିଲାପରି ଲାଗିବ । ଏଥିରୁ ତାର ଉପର ଏକ ବଳ କାର୍ଯ୍ୟକାରୀ ହେଉଥିବାର ସୂଚନା ମିଳିବ । ପ୍ରୟୋଗ ବଳର ଦିଗ ବିଦ୍ୟୁତ ପ୍ରବାହର ଦିଗ ଏବଂ ଚୁମ୍ବକୀୟ କ୍ଷେତ୍ରର ଦିଗ ସହ ସର୍ବଦା ଲମ୍ବଭାବରେ ରହିବ ଏବଂ ପ୍ରବାହର ଦିଗ ଚୁମ୍ବକୀୟ କ୍ଷେତ୍ରର ଦିଗ ପରି ଲମ୍ବଭାବରେ ରହିବ ଏବଂ ଓଲଟାଇ ମେରୁକୁ ବିପରୀତ କରାଯାଏ । ଯଦି ଚୁମ୍ବକକୁ ପରିବାହୀ ତାର ତଳକୁ ଗତିକରିବ ଅର୍ଥାତ୍ ବଳ ନିମ୍ନଗାମୀ ହେବ । ଯଦି ବଳର ପରିମାଣ ମଧ୍ୟ ବୃଦ୍ଧିପାଇବ । ପରିବାହୀ ତାର ଉପରେ ଏହି ପ୍ରୟୋଗ ବଳ କାର୍ଯ୍ୟକାରିତା ବୈଜ୍ଞାନିକ ମାଇକେଲ ଫାରେଡ ଆବିଷ୍କାର କରିଥିଲେ । ଏହି ତତ୍ତ୍ଵକୁ ବିଦ୍ୟୁତ ମୋଟରରେ ପ୍ରୟୋଗ କରାଯାଇଥାଏ । ବିଦ୍ୟୁତ ପରିବହନ କରୁଥିବା ପରିବାହୀ ଉପରେ ଚୁମ୍ବକୀୟ କ୍ଷେତ୍ରର ପ୍ରଭାବ ନିମ୍ନ ନିୟମ ଦ୍ଵାରା ନିର୍ଣ୍ଣୟ କରାଯାଇଥାଏ । ଫ୍ଲେମିଙ୍ଗଙ୍କ ବାମ ହସ୍ତ ନିୟମ ଫ୍ଲେମିଙ୍ଗ ବାମ ହସ୍ତ ନିୟମରେ ବିଦ୍ୟୁତ ପରିବହନ କରୁଥିବା ପରିବାହୀ ଉପରେ କାର୍ଯ୍ୟକାରୀ ବଳ ଉଭୟ ପ୍ରବାହର ଦିଗ ଏବଂ ଚୁମ୍ବକୀୟ କ୍ଷେତ୍ରର ଦିଗ ସହ ଲମ୍ବା ଅଟେ । ଅର୍ଥାତ୍ ବାମ ହାତର ବୃଦ୍ଧାଙ୍ଗୁଳି, ତର୍ଜନୀ ଓ ମଧ୍ୟମାକୁ ଏପରି ଖୋଲିରଖ ଯେପରି ସେଗୁଡିକ ପରସ୍ପର ପ୍ରତି ଲମ୍ବ ହୋଇପାରିବ । ଏପରି ସ୍ଥଳେ ଯଦି ମଧ୍ୟମା ବିଦ୍ୟୁତ ପ୍ରବାହର ଦିଗ ଓ ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ସୂଚାଏ । ତେବେ ପରିବାହୀ ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ ବା ତାର ଗତିର ଦିଗ ବୃଦ୍ଧାଙ୍ଗୁଳି ଦ୍ଵାରା ନିର୍ଦ୍ଦେଶିତ ହେବ । ଉନବିଂଶ ଶତାବ୍ଦୀର ଶେଷ ଭାଗରେ ବୈଜ୍ଞାନିକ ଜନ ଆମ୍ରୋଜ ଫ୍ଲେମିଙ୍ଗ ଏହି ନିୟମ ପ୍ରଣୟନ କରିଥିଲେ ଯାହାର ଆଧାର ବୈଦ୍ୟୁତିକ ମୋଟରର କାର୍ଯ୍ୟପ୍ରଣାଳୀ ପର୍ଯ୍ୟବେଶିତ ବିଦ୍ୟୁତ ଚୁମ୍ବକୀୟ ପ୍ରେରଣ ପୂର୍ବରୁ ଏହି ଅଧ୍ୟାୟରେ ତୁମେ ପଢିଛ ସଲନଏଡ (ଏକ ନଳୀ ଚାରିପଟେ ରୋଧିତ ତମ୍ବାତାର ଅନେକ ଘେରା) ମଧ୍ୟରେ ବିଦ୍ୟୁତ ପ୍ରବାହିତ ହେଲେ ଚୁମ୍ବକୀୟ କ୍ଷେତ୍ର ଉତ୍ପନ୍ନ ହୁଏ । ଏହାର ବିପରୀତ ପ୍ରକ୍ରିୟା ମଧ୍ୟ ସମ୍ଭବକି, କେବେ ଚିନ୍ତା କରିଛ ? ଅର୍ଥାତ୍ ଚୁମ୍ବକରୁ ବିଦ୍ୟୁତର ରୂପାନ୍ତରଣ । ବୈଜ୍ଞାନିକ ମାଇକେଲ ଫାରେଡ ଏ ସମ୍ପର୍କିତ ପରୀକ୍ଷା ନିରୀକ୍ଷାକରି ୧୮୩୧ ମସିହାରେ ଏହି ଯୁଗାନ୍ତକାରୀ ଆବିଷ୍କାର କରିଥିଲେ । ଅନେକ ବର୍ଷଧରି ବିଭିନ୍ନ ପରୀକ୍ଷା କରିବା ପରେ ସେ ଆବିଷ୍କାର କରିଥିଲେ ଯେ ଯଦି ଚୁମ୍ବକୀୟ କ୍ଷେତ୍ରରେ କୌଣସି ଉପାୟରେ ପରିବର୍ତ୍ତନ ଆଣିଲେ ବିଦ୍ୟୁତ ସ୍ରୋତ ଉତ୍ପନ୍ନ ହୁଏ । ଯଦି ଆମେ ଗୋଟିଏ ଉତ୍ତମ ପରିବାହୀ କୁଣ୍ଡଳୀକୁ ଏକ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ପୁରାଇବା, ତେବେ ଚୁମ୍ବକୀୟ ବଳରେଖା ଗୁଡିକରେ ପରିବର୍ତ୍ତନ ହୋଇଥାଏ । ସେହିପରି ଗୋଟିଏ ଚୁମ୍ବକକୁ ଏକ ପରିବାହୀ ତାର କୁଣ୍ଡଳୀ ମଧ୍ୟରେ ଘୂରାଇଲେ ସେହି ଏକା ପ୍ରକାରର ଚୁମ୍ବକୀୟ ବଳରେଖା ଗୁଡିକରେ ପରିବର୍ତ୍ତନ ସୃଷ୍ଟିହୁଏ । ଏହିପରି ଘାତିଳେ ପରିବାହୀ ତାର ମଧ୍ୟରେ ବିଦ୍ୟୁତ ପ୍ରବାହିତ ହୋଇଥାଏ । ଏହି ପ୍ରକ୍ରିୟାକୁ ବିଦ୍ୟୁତ ଚୁମ୍ବକୀୟ ପ୍ରେରଣ କୁହାଯାଏ । ତେଣୁ ଏକ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଏକ ପରିବାହୀର ଗତି ଯୋଗୁଁ ଉତ୍ପନ୍ନ ବିଦ୍ୟୁତ ସ୍ରୋତକୁ ବିଦ୍ୟୁତ ଚୁମ୍ବକୀୟ ପ୍ରେରଣା କୁହାଯାଏ । ଜେନେରେଟର, ଟ୍ରାନ୍ସଫରମର ଇତ୍ୟାଦି ବୈଦ୍ୟୁତିକ ଉପକରଣ ଏହି ତତ୍ତ୍ଵ ଆଧାରରେ କାର୍ଯ୍ୟକ୍ଷମ ହୋଇଥାଏ । ତୁମପାଇଁ କାମ ତୁମେ ଚୁମ୍ବକୀୟ କ୍ଷେତ୍ରରୁ ବିଦ୍ୟୁତ ସ୍ରୋତ ଉତ୍ପନ୍ନ ହେବ ଦେଖିପାରିବ । ଏଥିପାଇଁ ଗୋଟିଏ ଶାକ୍ତ ଚୁମ୍ବକ, ତମ୍ବାତାର, ଏକ କୁପରିବାହୀ ନଳୀ, ବିଦ୍ୟୁତ ସ୍ରୋତ ମାପିବା ପାଇଁ ଏକ ଗାଲଭନୋମିଟର ନିଅ । କୁପରିବାହୀ ପାଇପ (କାର୍ଡ ବୋର୍ଡ ବା ବାଉଁଶ ନଳୀ) ଚାରିପଟେ ରୋଧିତ ତମ୍ବାତାର ଅନେକ ଘେରା ଗୁଡାଇ ଲକ କୁଣ୍ଡଳୀ ତିଆରି କର । ପ୍ରଥମେ ତମ୍ବାତାରର ଦୁଇମୁଣ୍ଡକୁ ଗାଲଭାନୋମିଟର ସହ ସଂଯୁକ୍ତ କର । ଚୁମ୍ବକଟି ସମାନ୍ତର ଭାବରେ କୁଣ୍ଡଳୀ ଆଡକୁ ଗତି କରାଇଲେ ବା ଧୀରେ ଧୀରେ ତାର କୁଣ୍ଡଳୀ ଠାରୁ ଦୂରେଇ ନିଅ । ଏହି ପଦ୍ଧତିକୁ ବାରମ୍ବାର କରିଲେ ତୁମେ ଗାଲଭାନୋମିଟରର ବିକ୍ଷେପ ଦେଖିପାରିବ । ତୁମେ ଆହୁରି ମଧ୍ୟ ଲକ୍ଷ୍ୟ କରିବ ଚୁମ୍ବକୀୟ କ୍ଷେତ୍ରର ପରିବର୍ତ୍ତନର ହାର ଅଧିକ ହେଲେ କୁଣ୍ଡଳୀ ମଧ୍ୟରେ ବିଦ୍ୟୁତ ପ୍ରବାହର ପରିମାଣ ବୃଦ୍ଧି ହୋଇଥାଏ ଅର୍ଥାତ୍ ପରିବହନ ଅଧିକତର ହେଲେ ବିଦ୍ୟୁତ ପ୍ରବାହର ପରିମାଣ ଅଧିକ ହୋଇଥାଏ । ଏହି ତତ୍ତ୍ଵକୁ ଭଲଭାବରେ ବୁଝିବା ପାଇଁ ଆମେ ଏକ ସରଳ ପରୀକ୍ଷା କରିପାରିବା । ଗୋଟିଏ ଇଞ୍ଜେକ୍ସନ ସିରିଞ୍ଜ ନିଅ । (ଏହାକୁ ଡାକ୍ତରମାନେ ଇଞ୍ଜେକ୍ସନ ଦେବା ସମୟରେ ବ୍ୟବହାର କରିଥାନ୍ତି) । ସିରିଞ୍ଜ ମଝିରେ ମଝିରେ ରୋଧିତ ରୋଧିତ ତମ୍ବାତାରର ୧୫୦ ଘେରା ଗୁଡାଅ । ଏହାର ଦୁଇମୁଣ୍ଡକୁ ଏକ ସଂଯୁକ୍ତ ତମ୍ବାତାର ସହ ଯୋଗ କରି ଏକ ସହଯୋଗ କର । LED ବଲ୍ବକୁ ଏକ ପ୍ଲାଷ୍ଟିକ ବୋତଲର ଠିପିରେ ଲଗାଇ ରଖିପାର । ଏକ ଦଣ୍ଡଚୁମ୍ବକକୁ ସିରିଞ୍ଜ ମଧ୍ୟରେ ରଖ । ତୁମେ ଯେତେବେଳେ ସିରିଞ୍ଜ ମଧ୍ୟରେ ଚୁମ୍ବକଟିକୁ ଗତି କରାଇବ । ଚୁମ୍ବକୀୟ କ୍ଷେତ୍ରର ପରିବର୍ତ୍ତନ ଆରମ୍ଭ ହେବ ଏବଂ LED ବଲ୍ବଟି ଜଳି ଉଠିବ ଦେଖିବ । ବିଦ୍ୟୁତ ଜନିତ୍ର ବିଦ୍ୟୁତ ଜନିତ୍ରରେ ଯାନ୍ତ୍ରିକ ଶକ୍ତିକୁ ବିଦ୍ୟୁତ ଶକ୍ତିଉତ୍ପନ୍ନ ହୋଇଥାଏ । ଏହା ଦୁଇପ୍ରକାରର ଅଟେ । ଏସି ଜନିତ୍ର : ଏଥିରେ ଉତ୍ପନ୍ନ ବିଦ୍ୟୁତ ସ୍ରୋତର ପ୍ରବାହର ଦିଗ ଏବଂ ଏହାର ଆୟାମ ଅନବରତ ଭାବରେ ପରିବର୍ତ୍ତିତ ହୋଇଥାଏ । ଡିସି ଜନିତ୍ର : ଦିଗ ବଦଳାଇ ନଥିବା ବା ଗୋଟିଏ ଦିଗରେ ସବୁବେଳେ ପ୍ରବାହିତ ହେଉଥିବା ବିଦ୍ୟୁତ ସ୍ରୋତକୁ ସଳଖ ବିଦ୍ୟୁତ ସ୍ରୋତ ଓ ଏ ପ୍ରକାର ବିଦ୍ୟୁତ ଉତ୍ପନ୍ନ କରୁଥିବା ଜନିତ୍ରକୁ ଡିସି ଜନିତ୍ର କୁହାଯାଏ । ଏସି ଜନିତ୍ରର ଗଠନ ଓ କାର୍ଯ୍ୟ ଏସି ଜନିତ୍ର ବିଦ୍ୟୁତ ଚୁମ୍ବକୀୟ ପ୍ରେରଣ ତତ୍ତ୍ଵ ଉପରେ ଆଧାରିତ । ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତକୁ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ତାରକୁଣ୍ଡଳୀକୁ ଘୂରାଇ ବା ସ୍ଥିର ତାର କୁଣ୍ଡଳୀ ମଧ୍ୟରେ ଶକ୍ତିଶାଳୀ ଚୁମ୍ବକକୁ ଘୂରାଇ ଉତ୍ପନ୍ନ କରାଯାଇଥାଏ । ଉତ୍ପନ୍ନ ବିଦ୍ୟୁତ ସ୍ରୋତ ବା ଭୋଲ୍ଟର ପରିମାଣ ନିମ୍ନ କାରକ ଉପରେ ନିର୍ଭର କରିଥାଏ : କୁଣ୍ଡଳୀ ମଧ୍ୟରେ ତାରର ଘେର ସଂଖ୍ୟା ଚୁମ୍ବକର କ୍ଷେତ୍ରର ଶକ୍ତି ଚୁମ୍ବକ ମଧ୍ୟରେ ତାର କୁଣ୍ଡଳୀର ଘୂର୍ଣ୍ଣନ ବେଗ ଉପରେ ଏଠାରେ N-S ଏକ ଶକ୍ତିଶାଳୀ ଚୁମ୍ବକ ଅଟେ । ABCD ଏକ ବିଦ୍ୟୁତ ଅପରିବାହୀ ଛାଞ୍ଚ ଉପରେ ତମ୍ବାଟାରର ଅନେକ ଘେରା ଗୁଡାଇ ଆୟତାକାର କୁଣ୍ଡଳୀ ଗଠନ କର । ଗୁଡା ହୋଇଥିବା ତମ୍ବାତାର ଉପରେ ଉପରେ ଅପରିବାହୀ ପଦାର୍ଥ ଯଥା ବାର୍ଣ୍ଣିସର ଏକ ଲେପ ଦିଆଯାଇଥାଏ, ଫଳରେ ସେଗୁଡିକ ପରସ୍ପର ସହ ସ୍ପର୍ଶକରିପାରି ନଥାନ୍ତି । ଏହି କୁଣ୍ଡଳୀଟି ଚୁମ୍ବକର ମେରୁ ଦ୍ୱୟ N-S ମଧ୍ୟରେ ମୁକ୍ତଭାବରେ ଘୁରୁପାରୁଥାଏ । ଏହି ଆୟତାକାର କୁଣ୍ଡଳୀର ଦୁଇପ୍ରାନ୍ତ ଦୁଇଟି ଧାତବ ସ୍ଲିପ ବଳଯ E ଏବଂ F ସହ ସହ ମିଶି ଘୂରିଥାଏ । ଏହି କୁଣ୍ଡଳୀଟି G ଓ H ନାମକ ଦୁଇଟି ବ୍ରଶ ସହ ସଂଯୁକ୍ତ ହୋଇଥାଏ । ଆୟତାକାର କୁଣ୍ଡଳୀ ABCD ଯାନ୍ତ୍ରିକ ଶକ୍ତିଦ୍ଵାରା ଚୁମ୍ବକରେ N-S ମେରୁ ମଧ୍ୟରେ ଘୂରିଥାଏ । ମନେକର କୁଣ୍ଡଳୀଟି ଚୁମ୍ବକୀୟ କ୍ଷେତ୍ର ସହ ସମତଳରେ ଅବସ୍ଥିତ ଏବଂ କୁଣ୍ଡଳୀଟି ବାମାବର୍ତ୍ତ ଦିଗରେ ଘୂରିବା ଆରମ୍ଭ କରିଥାଏ । ABCD କୁଣ୍ଡଳୀର ପାର୍ଶ୍ଵରେ ଚୁମ୍ବକୀୟ କ୍ଷେତ୍ରର ବଳରେଖା ଶୂନ୍ୟରୁ ଆରମ୍ଭ ହୋଇ କୁଣ୍ଡଳୀଟି ଚୁମ୍ବକୀୟ କ୍ଷେତ୍ର ପ୍ରତି ଲମ୍ବ ଅବସ୍ଥାନକୁ ଆସିବା ପର୍ଯ୍ୟନ୍ତ ଅନନ୍ତ ମୂଲ୍ୟ ପର୍ଯ୍ୟନ୍ତ ବୃଦ୍ଧିପାଇଥାଏ । କୁଣ୍ଡଳୀର ଗତି ଆରମ୍ଭ ସମୟରେ ଚୁମ୍ବକ କ୍ଷେତ୍ର ଏବଂ କୁଣ୍ଡଳୀର ଚାର୍ଜ ସର୍ବାଧିକ ଥିଲାବେଳେ ଏହା ଧୀରେ ଧୀରେ ହ୍ରାସ ପାଇଥାଏ । ଅର୍ଥାତ୍ ସମୟ t = 0 ସମୟରେ କୁଣ୍ଡଳୀ ମଧ୍ୟରେ ପ୍ରେରିତ ବିଦ୍ୟୁତ ପରିମାଣ ସର୍ବାଧିକ ଥିବା ସମୟରେ ଏହା ଧୀରେ ଧୀରେ କମିବାରେ ଲାଗେ । ଯେତେବେଳେ କୁଣ୍ଡଳୀଟି ଚୁମ୍ବକୀୟ ଅଭିବାହ ବା ଚୁମ୍ବକୀୟ ଫ୍ଲକ୍ସ ହାର ଶୂନକୁ ଆସିଯାଏ ଫଳରେ କୁଣ୍ଡଳୀ ମଧ୍ୟରେ ବିଦ୍ୟୁତ ପ୍ରବାହ ମଧ୍ୟ ଶୂନ ହୋଇଯାଏ । ଯେତେବେଳେ କୁଣ୍ଡଳୀଟି ପୁନଶ୍ଚ ଘୂରିଥାଏ କୁଣ୍ଡଳୀର ପାର୍ଶ୍ଵରେ ପ୍ରବେଶ କରୁଥିବା ଚୁମ୍ବକୀୟ ବଳରେଖା ଗୁଡିକର ଦିଗ ପରିବର୍ତ୍ତନ ହୋଇଥାଏ । କୁଣ୍ଡଳୀଟି ଚୁମ୍ବକୀୟ କ୍ଷେତ୍ର ସହ ସମାନ୍ତର ଅବସ୍ଥାନକୁ ନ ଆସିବା ପର୍ଯ୍ୟନ୍ତ ଏହି ପରିବର୍ତ୍ତନ ବୃଦ୍ଧିପାଇଥାଏ । ଏହି ଅବସ୍ଥାନରେ ବିଦ୍ୟୁତ ପ୍ରବାହର ପରିମାଣ ସର୍ବାଧିକ ହୋଇଥାଏ । ଯଦି କୁଣ୍ଡଳୀଟି ପୁନଶ୍ଚ ଘୂରିଥାଏ DCBA ପାର୍ଶ୍ଵର ସ୍ପର୍ଶ କ୍ଷେତ୍ରଫକ ବୃଦ୍ଧି ପାଏ ଏବଂ ଚୁମ୍ବକୀୟ କ୍ଷେତ୍ରର କ୍ଷେତ୍ରଫଳ କମ ହୋଇଥାଏ । ତେଣୁ ଉତ୍ପନ୍ନ ବିଦ୍ୟୁତର ପରିମାଣ ହ୍ରାସ ପାଇଥାଏ । କୁଣ୍ଡଳୀଟି ଚୁମ୍ବକୀୟ ବଳରେଖା ସହ ଲମ୍ବଭାବରେ ରହେ, ଉତ୍ପନ୍ନ ବିଦ୍ୟୁତ ପରିମାଣ ଶୂନ୍ୟ ହୋଇଥାଏ । ବର୍ତ୍ତମାନ ଚୁମ୍ବକର ଉତ୍ତରମେରୁ ଓଲଟିଯାଇଥାଏ । ବିଦ୍ୟୁତ ଏହାର ମୂଳ ଦିଗରେ ପ୍ରବାହିତ ହୋଇଥାଏ । ସମାନ ସମୟ ବ୍ୟବଧାନରେ ଉତ୍ପନ୍ନ ବିଦ୍ୟୁତ ସ୍ରୋତର ଦିଗ ପରିବର୍ତ୍ତନ ହୋଇଥାଏ । ଡିସି ଜନିତ୍ର ଡିସି ବିଦ୍ୟୁତ ଜନିତ୍ରର ଗଠନ ଓ କାର୍ଯ୍ୟ ପ୍ରଣାଳୀ ଏସି ବିଦ୍ୟୁତ ଜନିତ୍ର ଭଳି କେବଳ ଗଠନରେ ଏକ ମାତ୍ର ପାର୍ଥକ୍ୟ ଥାଏ । ଏଥିରେ ସ୍ଲିପ ବଳୟ ବଦଳରେ ବିଖଣ୍ଡିତ ବଳୟ ବା କମ୍ୟୁଟେଟର ବ୍ୟବହୃତ ହୁଏ । ଆୟତାକାର ଆର୍ମେଚର ଘୂର୍ଣ୍ଣନ ଫଳରେ ଚୁମ୍ବକୀୟ କ୍ଷେତ୍ର ସହ ସମାନ୍ତର ଅବସ୍ଥାରୁ ଉପରକୁ ଉଠିବା ଅବସ୍ଥାକୁ ଆସିଥାଏ । ଏହି ସମୟରେ ଏହା ବ୍ରୁଶସହ ସଂଯୁକ୍ତ ହୋଇଥାଏ ଏବଂ ବିଦ୍ୟୁତ ପ୍ରବାହିତ କରିଥାଏ । ଆମେ ଲକ୍ଷ୍ୟ କରିପାରିବା ଯେ ଏଥିରେ ବିଦ୍ୟୁତ ଗୋଟିଏ ଦିଗରେ ସର୍ବଦା ପ୍ରବାହିତ ହୋଇଥାଏ । ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ ଏବଂ ସଳଖ ବିଦ୍ୟୁତ ସ୍ରୋତ ଘରୋଇ ତଥା ଶିଳ୍ପକାରଖାନାରେ ଏସି ବିଦ୍ୟୁତର ବହୁଳ ବ୍ୟବହାର ହୋଇଥାଏ । ଘରେ ବିଦ୍ୟୁତ ସୁଇଚ ଦେବା ଫଳରେ ଯେଉଁ ବିଦ୍ୟୁତ ସ୍ରୋତ ପ୍ରବାହିତ ହୋଇଥାଏ ତାହା ହେଉଛି ଏସି ବିଦ୍ୟୁତ । ବ୍ୟାଟେରୀ ଦ୍ଵାରା ଉତ୍ପନ୍ନ ବିଦ୍ୟୁତ ସ୍ରୋତକୁ ଡିସି ବିଦ୍ୟୁତ କୁହାଯାଏ । ଏସି ରୁ ଡିସି ଏବଂ ଡିସି ରୁ ଏସି ବିଦ୍ୟୁତକୁ ପରିବର୍ତ୍ତନ କରାଯାଇପାରେ । ଏସି କୁ ଡିସିରେ ପରିଣତ କରିବା ପାଇଁ ରେକ୍ଟିଫାୟାର ବ୍ୟବହାର କରାଯାଇଥାଏ । ଏସି ବିଦ୍ୟୁତକୁ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ଗୃହଯୋଗାଣ ବା କାରଖାନା ପର୍ଯ୍ୟନ୍ତ ଅତି ଉଚ୍ଚ ଭୋଲ୍ଟେଜରେ ଅଧିକ କ୍ଷମତା ସଂପନ୍ନ ଟ୍ରାନ୍ସଫରମର ଦ୍ଵାରା ସଞ୍ଚାରିତ କରାଯାଇଥାଏ । ଯୋଗାଣ ସ୍ଥାନ ଗୃହ ବା କାରଖାନା ନିକଟରେ ଅପଚାୟୀ ଟ୍ରାନ୍ସଫରମର ଦ୍ଵାରା ଭୋଲ୍ଟକୁ କମ କରି ଯୋଗାଇଦିଆଯାଇଥାଏ । ଫଳରେ ସଞ୍ଚରଣ ଖର୍ଚ୍ଚ ଏବଂ ବିଦ୍ୟୁତ ଅପଚୟ ରୋକାଯାଇଥାଏ । ସଳଖ ସ୍ରୋତ (ଡିସି) କୁ ସଞ୍ଚରଣ କରିବା ସମୟରେ ଅତ୍ୟଧିକ ଶକ୍ତି କ୍ଷୟ ହୋଇଥାଏ । ଏହାକୁ ଟ୍ରାନ୍ସଫରମର ସାହାଯ୍ୟରେ କମ ବା ବେଶୀ କରାଯାଇପାରେ ନାହିଁ । ଯେଉଁ ବୈଦ୍ୟୁତିକ ଉପକରଣ ଯଥା ମୋଟର ଆଦି ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ (ଏସି) ରେ ଚାଲିଥାଏ, ସେଗୁଡିକ ସଳଖ ସ୍ରୋତ (ଡିସି) ଉପକରଣ ଠାରୁ ଅଧିକ ଶକ୍ତିଶାଳୀ । ଏହି ଉପକରଣ ଗୁଡିକର ବ୍ୟବହାର ମଧ୍ୟ ସହଜସାଧ୍ୟ । ଡିସି ବିଦ୍ୟୁତକୁ ବିଦ୍ୟୁତ ବିଶ୍ଳେଷଣରେ ବ୍ୟାଟେରୀ ଚାର୍ଜ କରିବା ପାଇଁ ଏବଂ ବିଦ୍ୟୁତ ଚୁମ୍ବକ ଆଦି ପ୍ରସ୍ତୁତି ସମୟରେ ବ୍ୟବହାର କରାଯାଏ । ସମାନ ଭୋଲ୍ଟରେ ଏସି ଅପେକ୍ଷା ଡିସି ଅଧବକ ବିପଜ୍ଜନକ ଅଟେ କାରଣ ଡିସିରେ ପ୍ରବାହର ଦିଗ ପରିବର୍ତ୍ତନ ହୋଇନଥାଏ । ତେଣୁ ଡିସି ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଦୁର୍ଘଟଣାଗ୍ରସ୍ଥ ହୋଇ ଏହା ସହ ଲାଖିରହିବା ବେଳେ ଏସି ସଂସ୍ପର୍ଶ ଜନିତ ଦୁର୍ଘଟଣାରେ ଛିଟିକି ପଡିଥାନ୍ତି । ଏସି ପ୍ରବାହ ସମୟରେ ପରିବାହୀ ତାରର ଉପର ଅଂଶରେ ବେଶୀ ପରିମାଣର ବିଦ୍ୟୁତ ପ୍ରବାହିତ ହୋଇଥାଏ । ତେଣୁ ଏସି ପ୍ରବାହିତ ତାରକୁ ଚତୁଃପାର୍ଶ୍ଵରେ ଅନେକ ପତଳା ତାର ଗୁଡାଇ ତାହାକୁ ମୋଟା କରାଯାଇଥାଏ, ଯାହା ଡିସି ପ୍ରବାହିତ ତାରରେ ନଥାଏ । ଗୃହବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ ଶକ୍ତିର ବଣ୍ଟନ ତୁମେ ବିଦ୍ୟୁତ ଖମ୍ବ, ଟ୍ରାନ୍ସଫରମର, ସଞ୍ଚାରୀ ତାର ଇତ୍ୟାଦି ତୁମ ଘର ଚତୁଃପାର୍ଶ୍ଵରେ ଦେଖିଥିବ । ବିଦ୍ୟୁତର ଉତ୍ପାଦନ ସହରଠାରୁ ଅନେକ ଦୂରରେ ବିଭିନ୍ନ ଉତ୍ପାଦନ କେନ୍ଦ୍ରରେ ହୋଇଥାଏ । ଏହି ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡିକ ଜଳ, ତାପଜ, ପବନ ବା ଭୂତାପୀୟ ଶକ୍ତି ଉନରେ ନିର୍ଭର କରିଥାଏ । ଏହି କେନ୍ଦ୍ର ଗୁଡିକରେ ଅତି ଉଚ୍ଚ ଭୋଲ୍ଟେଜ ପ୍ରାୟ 11KV ବା 50 ହିଜ (ଆବୃତ୍ତି) ର ଉତ୍ପାଦନ ହୋଇଥାଏ । ଯେଉଁ ପଦ୍ଧତିରେ ଏହି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଠାରୁ ଗ୍ରାହକ ମାନଙ୍କ ପାଖକୁ ବିଦ୍ୟୁତ ଆସିଥାଏ ତାହା 2 ପ୍ରକାରର ହୋଇପାରେ, ସଞ୍ଚାର ବ୍ୟବସ୍ଥା ବଣ୍ଟନ ବ୍ୟବସ୍ଥା ଉପଚାୟୀ ଟ୍ରାନ୍ସଫରମର ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଭୋଲ୍ଟେଜକୁ ସଞ୍ଚାର ପାଇଁ ବୃଦ୍ଧି କରାଯାଇଥାଏ, ଉତ୍ପାଦନ କେନ୍ଦ୍ରରେ ଉପଚାୟୀ ଟ୍ରାନ୍ସଫରମରର ଦ୍ଵାରା 11KV ବିଦ୍ୟୁତକୁ 132KV ରେ ପରିଣତ କରାଯାଇଥାଏ । ଏହି ବିଦ୍ୟୁତ ସ୍ରୋତକୁ ଉପଶକ୍ତି କେନ୍ଦ୍ର ନିକଟକୁ ଅତି ଉଚ୍ଚ ସଞ୍ଚାରୀ ତାର ସାହାଯ୍ୟରେ ପ୍ରେରଣା କରାଯାଇଥାଏ । ଉପଶକ୍ତିକେନ୍ଦ୍ର ଗୁଡିକରେ ପୁନର୍ବାର ଅପଚାୟୀ ଟ୍ରାନ୍ସଫରମର ସାହାଯ୍ୟରେ ଏହାକୁ 3.3KV କୁ ଅଣାଯାଇଥାଏ । ତାପରେ ବଣ୍ଟନ ଉପକେନ୍ଦ୍ର ନିକଟରେ ୨୨୦ ଭୋଲ୍ଟ, ୫୦ ହର୍ଷକୁ ପରିବର୍ତ୍ତନ କରି ଘରଗୁଡିକୁ ଯୋଗାଇ ଦିଆଯାଇଥାଏ । ହର୍ସକୁ ତରଙ୍ଗ ଆବୃତ୍ତିର ଏକକ କୁହାଯାଏ । ଏକ ସେକେଣ୍ଡରେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ ସମ୍ପୂର୍ଣ୍ଣ କରୁଥିବା ଚକ୍ର ସଂଖ୍ଯାକୁ ଏହାର ଆବୃତ୍ତି କୁହାଯାଏ । ୫୦ ହର୍ସ ଆବୃତ୍ତି ଅର୍ଥାତ୍ ଏକ ସେକେଣ୍ଡରେ ଏହି ପ୍ରତ୍ୟାବର୍ତ୍ତୀ ବିଦ୍ୟୁତକୁ ଏସି ୫୦ଟି ଚକ୍ର ସମ୍ପୂର୍ଣ୍ଣ କରିଥାଏ । ଏହା ଅର୍ଥ କୌଣସି ବୈଦ୍ୟୁତିକ ଉପକରଣ ବା ବଲ୍ବ ମଧ୍ୟରେ ଏସି ୫୦ ଥର ଗୋଟିଏ ବଲ୍ବ ୧୦୦ଥର ଜଳେ, ଏବଂ ୧୦୦ଥର ଲିଭିଯାଏ, କିନ୍ତୁ ଏହା ଏତେ କମ୍ ସମୟ ବ୍ୟବଧାନରେ ଘଟିଥାଏ ଯେ ଆମକୁ ନିବଚ୍ଛିନ୍ନ ଭାବରେ ଜଳିବା ପରି ଦେଖାଯାଏ । ଯଦି ବିଦ୍ୟୁତର ଭୋଲ୍ଟେଜ, ଟ୍ରାନ୍ସଫରମର ମଧ୍ୟରେ ବୃଦ୍ଧି କରାଯାଏ ତେବେ ବିଦ୍ୟୁତ ପ୍ରବାହ ସେହି ଅନୁପାତରେ ହ୍ରାସ ପାଏ । ତେଣୁ ଉପଚାୟୀ ଟ୍ରାନ୍ସଫରମରରେ ଆମେ ବିଦ୍ୟୁତର ଭୋଲ୍ଟେଜ ବୃଦ୍ଧିକରି ପ୍ରବାହ କରିଥାଉ । ଫଳରେ ସଞ୍ଚରଣ ଜନିତ କ୍ଷୟ ହ୍ରାସ ପାଏ । ଯୋଗାଣ ପ୍ରକ୍ରିୟାରେ ବିଦ୍ୟୁତ ଉପକେନ୍ଦ୍ରରୁ ଗ୍ରାହକ ମାନଙ୍କ ନିକଟକୁ ବିଦ୍ୟୁତ ବଣ୍ଟନର ବ୍ୟବସ୍ଥା କରାଯାଇଥାଏ । ଏହା ଗ୍ରାହକ ଯୋଗାଣ, ଉପଜୋଗାଣ, ଏବଂ ସେବା ପ୍ରଦାନକାରୀ ବ୍ୟକ୍ତିଙ୍କୁ ନେଇ ଗଠିତ । ସାଧାରଣତଃ ଦୁଇପ୍ରକାର ଯୋଗାଣ ବ୍ୟବସ୍ଥା ଦେଖାଯାଇଥାଏ । ବୃକ୍ଷ ବ୍ୟବସ୍ଥା ଗୋଲ ବ୍ୟବସ୍ଥା ବର୍ତ୍ତମାନ ଗୋଲ ବ୍ୟବସ୍ଥା ବେଶିପରିମାଣରେ ପ୍ରଚଳିତ । ଗୋଲ ବ୍ୟବସ୍ଥା ସଜ୍ଜୀକାରଣ ଦର୍ଶାଯାଇଅଛି । ଗୃହଯୋଗାଣ ପରିପଥ ଆମ ଘର ପାଖରେ ଥିବା ବିଦ୍ୟୁତ ଖୁଣ୍ଟ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଆସିଥାଏ । ବିଦ୍ୟୁତ ଖୁଣ୍ଟର ମୁଖ୍ୟ ବିଦ୍ୟୁତ ଯୋଗାଣ ତାରରୁ ଦୁଇଟି ତାର ଘରକୁ ଆସିଥାଏ, ସେଥି ମଧ୍ୟରୁ ଗୋଟିଏ ତାରକୁ ଫେଜ ଏବଂ ଅନ୍ୟ ତାରକୁ ନିଉଟ୍ରାଲ କୁହାଯାଏ । ଫେଜ ତାରରେ ୨୦୦v ବିଦ୍ୟୁତ ପ୍ରବାହିତ ହେଉଥିବା ସମୟରେ ନିଉଟ୍ରାଲ ତାରରେ ୦v ର ବିଦ୍ୟୁତ ପ୍ରବାହିତ ହୋଇଥାଏ । ଏହାକୁ N ସଙ୍କେତରେ ସୂଚୀତ କରାଯାଇଥାଏ । ସାଧାରଣତଃ ଫେଜ ତାରକୁ ଲାଲ ରଙ୍ଗର ରୋଧକ ମଧ୍ୟରେ ରଖାଯାଇଥିବା ବେଳେ ନିଉଟ୍ରାଲ ତାର ଲାଲ ଏବଂ ସବୁଜ ବ୍ୟତୀତ ଅନ୍ୟ ଯେକୌଣସି ରଙ୍ଗର ରୋଧକ ଦ୍ଵାରା ଆବୃତ୍ତ କରାଯାଇଥାଏ । ଗୃହ ମଧ୍ୟରେ ବିଭିନ୍ନ କୋଠରୀକୁ ସମାନ୍ତରାଳ ସଂଯୋଗରେ ଉପକରଣ ଗୁଡିକ ସଂଯୁକ୍ତ ହୋଇଥାଏ । ଫଳରେ ଗୋଟିଏ ଉପକରଣ ବିଦ୍ୟୁତ ବ୍ୟବହାର କରିବା ସମୟରେ ଅନ୍ୟ ଉପକରଣର ବିଦ୍ୟୁତ ବ୍ୟବହାର ଉପରେ କୌଣସି ପ୍ରଭାବ ପକାଇନଥାଏ । ଏହି ବିଦ୍ୟୁତ ଶକ୍ତି ପ୍ରାକୃତିକ ସମ୍ବଳ ବ୍ୟବହାର କରି ଉତ୍ପାଦିତ ହେଉଅଛି । ଜନସଂଖ୍ୟା ବୃଦ୍ଧି ଏବଂ ସହରୀକରଣ ଫଳରେ ବିଦ୍ୟୁତର ଆବଶ୍ୟକତା ବୃଦ୍ଧି ପାଉଛି । ଏହା ପ୍ରାକୃତିକ ସମ୍ବଳ ଉପରେ ଚାପ ପ୍ରୟୋଗ କରୁଛି । ତେଣୁ ଆଜିର ଆହ୍ଵାନ ହେଉଛି ଆମେ ବିଦ୍ୟୁତ ଶକ୍ତିକୁ ଅଯଥା ନଷ୍ଟ ନକରି ଆବଶ୍ୟକତା ଅନୁସାରେ ବ୍ୟବହାର କରିବା । ବିଦ୍ୟୁତ ଶକ୍ତି ବ୍ୟବହାର ସମୟରେ ସତର୍କତା ଅବଲମ୍ବନ ଯଦି ବିଦ୍ୟୁତକୁ ଆମେ ଯତ୍ନର ସହ ଏବଂ ସୁରକ୍ଷିତ ଭାବରେ ବ୍ୟବହାର କରିପାରିବା ତେବେ ଏହା ଆମ ପାଇଁ ଏକ ସୁବିଧା ପ୍ରଦାନକାରୀ ଶକ୍ତି ଉତ୍ସ ହେବ ନଚେତ ବିଦ୍ୟୁତ ଦୁର୍ଘଟଣାରେ ବହୁ ଧନଜୀବନ ନଷ୍ଟ ହୁଏ । ତେଣୁ ସତର୍କତା ପାଇଁ ନିମ୍ନ ଉପାୟମାନ ଅବଲମ୍ବନ କରିବା ଉଚିତ୍ । ବିଦ୍ୟୁତ କାମ କରିବା ପୂର୍ବରୁ ଏହା ଏସି ବା ଡିସି ଜାଣିବା ଜରୁରୀ । କାରଣ ସମାନ ଭୋଲ୍ଟେଜର ଡିସି ଏସି ଠାରୁ ଅଧିକ ବିପଜ୍ଜନକ । ବିଦ୍ୟୁତ ତାରକୁ ହାତରେ ଛୁଇଁବା ଅନୁଚିତ । ଏହା ଆଘାତରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । ଏସି ଛୁଇଁଥିବା ବ୍ୟକ୍ତିକୁ ଫୋପାଡି ଦେବା ସମୟରେ ଡିସି ସଂସ୍ପର୍ଶରେ ବ୍ୟକ୍ତି ଲାଗି ରହିଯାଏ । କୌଣସି ବିଦ୍ୟୁତ ଜନିତ ଦୁର୍ଘଟଣା ଘଟିଲେ ତୁରନ୍ତ ମେନ ସୁଇଚକୁ ବନ୍ଦ କରିଦେବା ଦରକାର । ବିଦ୍ୟୁତ ଆଘାତ ଅୟାଉଥିବା ବ୍ୟକ୍ତିକୁ ଛଡାଇବା ପାଇଁ ବିଦ୍ୟୁତ କୁପରିବାହୀ (ଯଥା ରବର, କାଠ, ଜୋତା ଗ୍ଲୋବ୍ସ) ଇତ୍ୟାଦିର ସାହାଯ୍ୟ ନେବା ଜରୁରୀ ଅଟେ । ଏଭଳି ବ୍ୟକ୍ତିକୁ ସିଧା ସଳଖ ଛୁଇଁବା ଅନୁଚିତ । ବୈଦ୍ୟୁତିକ ସ୍ଫୁଲିଙ୍ଗ ଜନିତ ନିଆଁ ଲିଭାଇବା ପାଇଁ ପାଣି ଆଦୌ ବ୍ୟବହାର କରିବା ଉଚିତ ନୁହେଁ । ବିଦ୍ୟୁତ ପରିପଥର କାମ ଆରମ୍ଭ କରିବା ପୂର୍ବରୁ ମେନ ସୁଇଚକୁ ନିଶ୍ଚୟ ବନ୍ଦ କରିବା ଦରକାର । ବିଦ୍ୟୁତ ଯନ୍ତ୍ରପାତି ବ୍ୟବହାର କରିବା ସମୟରେ ପାଦରେ ରବର ଜୋତା, ଗ୍ଲୋବ୍ସ ଉଚିତ କାଠ କିମ୍ବା ପ୍ଲାଷ୍ଟିକ ଉପକରଣର ବ୍ୟବହାର କରିବା ଉଚିତ୍ । ଗୃହ ବ୍ୟବହାରରେ ଉତ୍ତମ ମାନର ତମ୍ବାତାର ଠିକ୍ ମୋଟର ଏବଂ ଭଲରୋଧକ ଥିବା ତାର ବ୍ୟବହାର କରିବା ଉଚିତ୍ । ସମସ୍ତ ଉପକରଣ ଗୁଡିକ ISI ମାର୍କର ହୋଇଥିବା ଦରକାର । ସଂଯୋଜକ ଗୁଡିକ ଶକ୍ତ ଭବାରେ ଯୋଡା ଯାଇଥିବା ଏବଂ ରୋଧିତ ସଂଯୋଗ ଟେପ୍ ଦ୍ଵାରା ଗୁଡାଯାଇଥିବା ଦରକାର, ଆର୍ଥିଙ୍ଗ ଏବଂ ଫ୍ୟୁଜର ଉପଯୁକ୍ତ ସଂଯୋଗ ହୋଇଥିବା ଦରକାର । ଉପଯୁକ୍ତ କ୍ଷମତା ସଂପନ୍ନ ଫ୍ୟୁଜ ତାର ବା ଏମ୍.ସି.ବି (M.C.B) ଲାଗିଥିବା ଦରକାର । ଆପାତ କାଳୀନ ସ୍ଥିତିରେ ମୁଖ୍ୟ ସୁଇଚକୁ ବନ୍ଦକରି ସମସ୍ତ ସୁଇଚକୁ ଯୋଗାଣ ବନ୍ଦ କରାଯାଇପାରେ । ବିଦ୍ୟୁତ ଜନିତ ଦୁର୍ଘଟଣା ଘରେ ଏବଂ କଳକାରଖାନା ମାନଙ୍କରେ ବିଦ୍ୟୁତ ଦୁର୍ଘଟଣାରେ ଅନେକ ଧନଜୀବନ ନଷ୍ଟ ହେବା ତୁମେ ଶୁଣିଥିବ । ଏହି ଦୁର୍ଘଟଣା ଗୁଡିକ ନିମ୍ନ କାରଣରୁ ହୋଇଥାଏ । ବିଦ୍ୟୁତ ସ୍ରୋତର ଲିକେଜ୍ ପରିବାହୀ ମଧ୍ୟରେ ଅନେକ ଦିନ ଧରି ନିରବଚ୍ଛିନ୍ନ ବିଦ୍ୟୁତ ପ୍ରବାହିତ ହେଲେ ପରିବାହୀ ତାରର ରୋଧନ ପୁରୁଣା ହୋଇ ଛିଡି ଯାଇଥାଏ । ଫଳରେ ତାରଟି ମୁକ୍ତ ହୋଇ ବିଦ୍ୟୁତର ଲିକେଜ ହୋଇଥାଏ । ବେଳେବେଳେ ଏହି ମୁକ୍ତ ତାର ଅନ୍ୟ ଧାତବ ସଂସ୍ପର୍ଶରେ ଆସି ଏହାର ମୂଳ ବିଦ୍ୟୁତ ଉତ୍ସର ଭୋଲ୍ଟେଜ ବୃଦ୍ଧି ଘଟାଇଥାନ୍ତି । ଏହି ଧାତବ ପଦାର୍ଥ ଭୂପୃଷ୍ଠସହ ଲାଗିଥିଲେ ଭୂପୃଷ୍ଠକୁ ବିଦ୍ୟୁ ପ୍ରବାହ ହୋଇଥାଏ । ଯେତେବେଳେ କୌଣସି ବ୍ୟକ୍ତି ଏହା ସଂସ୍ପର୍ଶରେ ଆସେ ଖୁବ୍ ଜୋରରେ ବିଦ୍ୟୁତ ଧକ୍କା ପାଇଥାଏ । ଲଘୁ ପଥନ କୌଣସି କାରଣରୁ ପରିବାହୀ ତାରର ରୋଧନ କଟି ଫେଜ ତାର ଓ ନିଉଟ୍ରାଲ ତାର ଯୋଡି ହୋଇଗଲେ ସଙ୍ଗେ ସଙ୍ଗେ ପ୍ରବଳ ବିଦ୍ୟୁତ ସ୍ରୋତ ବହି ଉପକରଣ ଅକାମି ହୋଇଯାଏ କିମ୍ବା ସ୍ପାର୍କ ଜାତ ହୋଇ ନିଆଁ ଲାଗି ଯାଇପାରେ । ଏହି ଦୁର୍ଘଟଣାକୁ ଲଘୁପଥନ ବା ସର୍ଟ ସର୍କିଟିଂ କୁହାଯାଏ । ଅଧିକ ଚାପ ଯଦି ଗୋଟିଏ ପରାପଥ ସହ ଅନେକ ଗୁଡିଏ ବିଦ୍ୟୁତ ଉପକରଣ ସଂଯୁକ୍ତ ହୋଇଥାଏ । ତେବେ ଉକ୍ତ ପରିପଥ ଉପରେ ଅଧିକ ଚାପ ପଡିଥାଏ । ବିଦ୍ୟୁତ ପରିପଥରେ ପ୍ରବାହିତ ହେଉଥିବା ବିଦ୍ୟୁତର ମୂଲ୍ୟ ଠାରୁ ଉପକରଣ ଗୁଡିକର ଅଧବକ ବିଦ୍ୟୁତ ବ୍ୟୟ କରିଥାନ୍ତି । ଏଭଳି ଅବସ୍ଥାରେ ପରିବାହୀ ତାର ଉକ୍ତ ଅତ୍ୟଧିକ ବିଦ୍ୟୁତ ବ୍ୟବହାର ଚାପ ସହ୍ୟ କରିପାରିନଥାଏ । ଏହାକୁ ଅଧିକ ଚାପ ବା Over Loading କୁହାଯାଏ । ଗୃହ ବିଦ୍ୟୁତ ଯୋଗାଣରେ ଉପକରଣ ଗୁଡିକ ସମାନ୍ତରାଳ ସଂଯୋଗରେ ସଂଯୁକ୍ତ ହୋଇଥାଆନ୍ତି । ପ୍ରତିରୋଧର ପରିମାଣ ବୃଦ୍ଧିପାଇଲେ ଏହା ଉପରୁ ଅଧିକ ବିଦ୍ୟୁତ ଗ୍ରହଣ କରିବ । ତୁମେ ଦେଖିଥିବ ଗ୍ରୀଷ୍ମ ଦିନରେ ଯେତେବେଳେ ବିଦ୍ୟୁତ ବ୍ୟବହାର ବୃଦ୍ଧିପାଏ ସ୍ଥାନୀୟ ଟ୍ରାନ୍ସଫରମର । ଗୁଡିକ ଅଧିକ ଚାପ ଫଳରେ ଜଳି ଯାଇଥାଏ । ବିଦ୍ୟୁତ ପରିପଥର ବ୍ଯବହ୍ରୁତ ନିରାପତ୍ତା ବ୍ୟବସ୍ଥା ବୈଦ୍ୟୁତିକ ଫ୍ୟୁଜ ସୀସା ଓ ଟିଣ ଧାତୁରୁ ପ୍ରସ୍ତୁତ ଏକ ମିଶ୍ରଧାତୁର ତାରକୁ ଫ୍ୟୁଜ ରୂପେ ବ୍ୟବହାର କରାଯାଏ । ଏହି ତାରର ଉଚ୍ଚ ପ୍ରତିରୋଧ ଶକ୍ତି ଏବଂ ନିମ୍ନ ଗଳନାଙ୍କ ଧର୍ମ ଥାଏ । ଏହି କାରଣରୁ ଫ୍ୟୁଜ ତାର ମଧ୍ୟରେ ପ୍ରବାହିତ ବିଦ୍ୟୁତର ପରିମାଣ ବୃଦ୍ଧିପାଇଲେ ଏହା ଉତ୍ତପ୍ତ ହୋଇ ତରଳି ଛିଣ୍ଡିଯାଏ । ଫଳରେ ସଂପୂର୍ଣ୍ଣ ପରିପଥଟି ନଷ୍ଟହେବାରୁ ରକ୍ଷା ପାଇଥାଏ । ଫ୍ୟୁଜ ତାରଟି ମୁଖ୍ୟ ସ୍ରୋତ ସହ ପଂକ୍ତି ସଂଯୋଗରେ ସଂଯୁକ୍ତ ହୋଇଥାଏ । ସାଧାରଣତଃ 5A (ଏମ୍ପିୟର) ଫ୍ୟୁଜ ଶକ୍ତିଶାଳୀ ପରିପଥରେ ବ୍ୟବହାର କରାଯାଇଥାଏ । 15Aର ଫ୍ୟୁଜତାର 5A ତାରଠାରୁ ସାମାନ୍ୟ ମୋଟା ଅଟେ । କ୍ଷୁଦ୍ର ପରିପଥ ଛିନ୍ନକ ସାଧାରଣତଃ MCB ଗୁଡିକ ଗୃହ ବିଦ୍ୟୁତ ପରିପଥରେ ବ୍ୟବହାର କରାଯାଇଥାଏ । MCB ଏକ ସ୍ଵନିୟନ୍ତ୍ରିତ ସୁଇଚ ଯାହା ପରିପଥରେ ପ୍ରବାହିତ ଓଭର ଲୋଡିଂ ଏବଂ ଲଘୁ ପଥନ (ସର୍ଟ ସର୍କିଟିଂ) କୁ ନିୟନ୍ତ୍ରଣ କରିଥାଏ । ଯଦି ପରିପଥରେ ପ୍ରବାହିତ ବିଦ୍ୟୁତ ସ୍ରୋତରେ କୌଣସି ସମସ୍ୟା ଉତ୍ପନ୍ନ ହୁଏ MCB ଆପେ ଆପେ ବନ୍ଦ ହୋଇଯାଏ । ଏହି MCB ରେ ବ୍ୟବହାର ପାଇଁ ବିଭିନ୍ନ ଆକାରର ଫ୍ୟୁଜ ବ୍ୟବହାର ବନ୍ଦ ହୋଇଯାଏ । ଏହି MCBରେ ବ୍ୟବହାର ପାଇଁ ବିଭିନ୍ନ ଆକାରର ଫ୍ୟୁଜ ବୟବାହାର ହୋଇଥାଏ, ଯାହା ଅହଡିକ ଭୋଲ୍ଟେଜରେ ବିଦ୍ୟୁତ ପ୍ରବାହ ଜନିତ କ୍ଷତିତୁ ରକ୍ଷା କରିଥାଏ । ବିଦ୍ୟୁତ ଉପକରଣ ଗୁଡିକର ଆର୍ଥିଂ ବୈଦ୍ୟୁତିକ ଉପକରଣରେ ବିଦ୍ୟୁତ ସ୍ରୋତର ଲିକେଜ ଫଳରେ ଏହାକୁ ସ୍ପର୍ଶ କରୁଥିବା ବ୍ୟକ୍ତିକୁ ବିଦ୍ୟୁତ ଧକ୍କା ଲାଗିଥାଏ । ତେଣୁ ପ୍ରତିକାର ସ୍ୱରୂପ ଫେଜ ଓ ନିଉଟ୍ରାଲ ତାର ବ୍ୟତୀତ ଅନ୍ୟ ଏକ ମୋଟା ତାର ଏହି ପ୍ରକାରର ଉପକରଣ ସହ ଲାଗିଥାଏ । ଏହାକୁ ଆର୍ଥିଂ ତାର କୁହାଯାଏ । ବୈଦ୍ୟୁତିକ ଉପକରଣ ଗୁଡିକର ଧାତବ ପ୍ରାନ୍ତ ଏହି ଆର୍ଥିଂ ତାର ସହ ସଂଯୁକ୍ତ ହୋଇଥାଏ । ଆର୍ଥିଂ ତାରର ଅନ୍ୟ ପ୍ରାନ୍ତଟି ଟକ ତମ୍ବା ପ୍ଲେଟ ସହ ଯୋଡି ହୋଇ ମାଟିରେ ପୋତା ଯାଇଥାଏ । ତେଣୁ ବୈଦ୍ୟୁତିକ ଉପକରଣର ଏବଂ ଭୂ – ପୃଷ୍ଠର ବିଭବ ପାର୍ଥକ୍ୟ ସମାନ ରହିଥାଏ । ଯଦି କୌଣସି କାରଣରୁ ଆମେ ଉକ୍ତ ବୈଦ୍ୟୁତିକ ଉପକରଣ ସଂସ୍ପର୍ଶରେ ଆସୁ ତେବେ ବିଦ୍ୟୁତର ପରିପଥ ଆମ ଶରୀର ଦେଇ ଗତିକରିବା ବଦଳରେ ଆର୍ଥିଂତାର ମଧ୍ୟଦେଇ ଭୂ – ପୃଷ୍ଠକୁ ଚାଲିଯାଏ ଏବଂ ଆମେ ବିଦ୍ୟୁତ ଆଘାତ ଜନିତ ଦୁର୍ଘଟଣାରୁ ରକ୍ଷାପାଇଥାଉ । ଆଧାର – ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା