অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶକ୍ତି(ଶକ୍ତିର ଉତ୍ସ)

ଶକ୍ତିର ଉତ୍ସ

ବଞ୍ଚିବା ଓ ଶରୀର ବିକାଶ ନିମିତ୍ତ ଆମେ ସମସ୍ତେ ଖାଦ୍ୟ ଖାଇଥାଉ  । ମୋଟର ସାଇକେଲ, ଟ୍ରାକ୍ଟର, ବସ, ଟ୍ରକ, ଜାହାଜ ଏବଂ ଉଡାଜାହାଜ ଚାଲିବା ନିମନ୍ତେ ଜାଳେଣୀ ଆବଶ୍ୟକ  କରିଥାନ୍ତି  । ଖାଦ୍ୟରାନ୍ଧିବା ନିମନ୍ତେ ଆମେ ଜାଳେଣୀ ଆବଶ୍ୟକ କରିଥାଉ  । ଖାଦ୍ୟ କିମ୍ବା ଜାଳେଣୀରୁ ଆମେ କ’ଣ ପାଇଥାଉ ତାହା ତୁମେ ଜାଣିଛ କି ? ହଁ ତୁମେମାନେ ଠିକ୍ ଜାଣିଛ  । ଖାଦ୍ୟ ଏବଂ ଜାଳେଣୀରୁ ଆମେମାନେ ଶକ୍ତି ପାଇଥାଉ  । ଉଠିବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ଆମ ଜୀବନ ପ୍ରକ୍ରିୟାରେ ଶକ୍ତି ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ  । ଏହା ଲକ୍ଷ୍ୟ କରିଛ କି ନା ? ଅଧିକ ଶକ୍ତି ନ ପାଇଲେ ବିଭିନ୍ନ କାର୍ଯ୍ୟକରିବା ସମୟରେ ମଣିଷ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଏ  । କାର୍ଯ୍ୟ କରିବାକୁ ହେଲେ ଶକ୍ତି ଆବଶ୍ୟକ  । ସଂସାରରେ ବଞ୍ଚି ରହିବା ପାଇଁ, ସାମାଜିକ ସ୍ଥିତି ଓ ପ୍ରଗତି ସଭ୍ୟତାର ଉନ୍ନତି ପାଇଁ ଆମକୁ କୃଷି, ଶିଳ୍ପ, ଯାନ୍ତ୍ରିକ ଶକ୍ତି, ନ୍ୟୁକ୍ଲିୟର ଶକ୍ତି (ନାଭିକୀୟ ଶକ୍ତି) ଏବଂ ଶାରୀରିକ ଶକ୍ତିର ଭୂମିକା ରହିଛି  । ଆମ ଶରୀରର ଶକ୍ତି ଆମକୁ କଥା କହିବା, ବିଭିନ୍ନ ଅଙ୍ଗକୁ କାର୍ଯ୍ୟଶୀଳ କରାଇବା  ଏବଂ ଚାଲିବା ପାଇଁ ସାହାଯ୍ୟ କରିଥାଏ  । ଶକ୍ତି ବିନା କୌଣସି କାର୍ଯ୍ୟ କରିବା ସମ୍ଭବ କି ? ମନରେ ପ୍ରଶ୍ନ ଉଠେ, ଆମର ଦରକାର ମୁତାବକ ଶକ୍ତି ଆମେ କେଉଁଠୁ ପାଇଥାଉ ? ଏହି ଅଧ୍ୟାୟରେ ଆମେ ବିଭିନ୍ନ ପ୍ରକାର ଶକ୍ତି, ଏହାର ଆବଶ୍ୟକତା, ସୁବିଧା, ଅସୁବିଧା ବିଷୟରେ ଆଲୋଚନା କରିବା  । ଶକ୍ତି ସଙ୍କଟ ଓ ଏହାର କାରଣ ସମ୍ପର୍କରେ ଜାଣିବା  । ଶକ୍ତିର ସୁବିନିଯୋଗ ଓ ସଂରକ୍ଷଣ ବିଷୟରେ ମଧ୍ୟ ଆଲୋଚନା କରାଯିବ  । ଶକ୍ତି ସଙ୍କଟର ସମାଧାନ  ନିମନ୍ତେ ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ବିଷୟରେ ଜାଣିବା  ।

ମୁଖ୍ୟ ଉଦ୍ଦେଶ୍ୟ

  • ଶକ୍ତି କ’ଣ, ଏହାର ସଂଜ୍ଞା ଓ ବିଭିନ୍ନ ପ୍ରକାରର ଶକ୍ତି ବିଷୟରେ କହିପାରିବ  ।
  • ଭାରତରେ ବ୍ୟବହାର କରାଯାଉଥିବା ବିଭିନ୍ନ ପାରମ୍ପରିକ ଓ ଅଣପାରମ୍ପରିକ ଶକ୍ତିଗୁଡିକୁ ଚିହ୍ନିପାରିବ  ।
  • ନବୀକରଣ ଯୋଗ୍ୟ ଏବଂ ନବୀକରଣ ଅଯୋଗ୍ୟ (ସରନ୍ତି ଶକ୍ତି ଉତ୍ସ)ମଧ୍ୟରେ ଥିବା ପ୍ରଭେଦ ଜାଣିପାରିବ  ।
  • ଶକ୍ତିର ବିଭିନ୍ନ ଉତ୍ସ ଯଥା ଜୀବାଶ୍ମଇନ୍ଧନ, ଜଳ, ପବନ, ଜୈବ ଶକ୍ତି, ସମୁଦ୍ର, ଭୂତାପୀୟ ଶକ୍ତି, ନ୍ୟୁକ୍ଲିୟର ଶକ୍ତି ବିଷୟରେ ବର୍ଣ୍ଣନା କରିପାରିବ  ।
  • ସୂର୍ଯ୍ୟ ସକଳ ଶକ୍ତିର ଆଧାର ଏ ବିଷୟରେ ଜାଣିପାରିବ  ।
  • ବିଭିନ୍ନ ଶକ୍ତିର ଉପକାର, ଅପକାର ସମ୍ପର୍କରେ ବର୍ଣ୍ଣନା କରିପାରିବ  ।
  • ଶକ୍ତି ସଂକଟ ଓ ଏହାର କାରଣ ବୁଝାଇପାରିବ  ।
  • ଶକ୍ତି ସଂରକ୍ଷଣର ଆବଶ୍ୟକତା ଜାଣିବ  ।
  • ଶକ୍ତି ସଂକଟର ମୁକାବିଲା କରିବାର ବିଭିନ୍ନ ଉପାୟ ସମ୍ପର୍କରେ ଜାଣିବ  ।
  • ଶକ୍ତି ସଂକଟର ସମାଧାନ ନିମନ୍ତେ ବିଭିନ୍ନ ଉପାଦେୟ କହିପାରିବ  ।

ଶକ୍ତି – ପ୍ରାରମ୍ଭିକ ଆଲୋଚନା

ପ୍ରତ୍ୟକ ଦିନ ଆମେ ଶକ୍ତି ବିଷୟରେ କହିଥାଉ କିମ୍ବା ଆଲୋଚନା କରିଥାଉ  । କାର୍ଯ୍ୟ କରିବାର ସାମର୍ଥ୍ୟକୁ ହିଁ ଶକ୍ତି କୁହାଯାଏ  । ପ୍ରତ୍ୟକ ପ୍ରକାର କାର୍ଯ୍ୟ ଯଥା ଶରୀର ଭିତରେ, ଆମ ଶରୀର ଦ୍ଵାରା କିମ୍ବା ଅନ୍ୟ ଶରୀର ନିମନ୍ତେ ଶକ୍ତି ଏକାନ୍ତ ଆବଶ୍ୟକ  । ଯେତେବେଳେ ଆମେ କହୁ ଆମର ଶକ୍ତି ଅଛି ଅର୍ଥାତ୍ ଆମେ କାର୍ଯ୍ୟ କରିବାକୁ ସମର୍ଥ  । ଆମ ଚତୁପାର୍ଶ୍ଵକୁ ଲକ୍ଷ୍ୟ କଲେ ଏଭଳି ଅନେକ ଉଦାହରଣ ପାଇପାରିବ ଯେଉଁଠି ଶକ୍ତି ଦ୍ଵାରା କାର୍ଯ୍ୟ ସଂପନ୍ନ ହେଉଛି  । ପେଟ୍ରୋଲ କିମ୍ବା ଡିଜେଲରେ ଥିବା ଶକ୍ତିକୁ ବ୍ୟବହାର କରି କାରଟି ଆଗକୁ ଯାଇପାରେ  । ଟେପ୍ ରେକର୍ଡର କିମ୍ବା ରେଡିଓ ବଜାଇବା ନିମନ୍ତେ ଆବଶ୍ୟକ କରୁଥିବା ବିଦ୍ୟୁତଶକ୍ତି ବ୍ୟାଟେରୀରେ ଥିବା ଶକ୍ତିରୁ ମିଳିଥାଏ  । ଜୋରରେ ଆସୁଥିବା ଜଳସ୍ରୋତ ବନ୍ଧକୁ ଭାଙ୍ଗିଦେଇଥାଏ  କେବଳର ଜଳସ୍ରୋତରେ ଥିବା ଶକ୍ତି ଯୋଗୁଁ  । ପବନରେ ଥିବା ଶକ୍ତି ମଧ୍ୟ ବଡ ବଡ ଗଛକୁ ଭାଙ୍ଗିପାରେ  ।

ଦୈନନ୍ଦିନ ଜୀବନରେ ଶକ୍ତିର ଭୂମିକା

ସହଜ ଓ ସୁନ୍ଦର ଜୀବନଯାପନ ପାଇଁ, ଉତ୍ପାଦନ କ୍ଷମତା ବଢାଇବା, ସୁଖ ଓ ସ୍ଵାଚ୍ଛନ୍ଦ୍ୟ ଜୀବନଶୈଳୀ ନିମନ୍ତେ ଶକ୍ତି ଆମକୁ ପ୍ରତ୍ୟକ କ୍ଷେତ୍ରରେ ସାହାଯ୍ୟ କରିଥାଏ  । ଆମେ ଶକ୍ତି ଉପରେ ଏକାନ୍ତ ନିର୍ଭରଶୀଳ  । ସଭ୍ୟତାର ଆରମ୍ଭରୁ ହିଁ ଆମେ ସମସ୍ତେ କାଠ, କୋଇଲା, ଜୀବାଶ୍ମଇନ୍ଧନ ଓ ଜଳର ବ୍ୟବହାର କରି ତାପଜଶକ୍ତି ତଥା ବିଭିନ୍ନ ଯାନ୍ତ୍ରିକ କାର୍ଯ୍ୟ କରୁଥିଲୁ, ଏବେ ବି କରୁଛୁ  । ପ୍ରାୟତଃ ପ୍ରତ୍ୟକ କାର୍ଯ୍ୟ ସଂପାଦନ ନିମନ୍ତେ ଶକ୍ତି କିମ୍ବା ଶକ୍ତିର ବିଭିନ୍ନ ରୂପ ଉପରେ ନିର୍ଭରଶୀଳ  ।

ସଭ୍ୟତାର ଅର୍ଥନୈତିକ ଉନ୍ନତି ଓ ବିକାଶ ଶକ୍ତିର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ  । ଶକ୍ତି ବିନା ଆମ ଶରୀର ଶ୍ଵାସକ୍ରିୟା ଖାଦ୍ୟହଜମ, ପରିବହନ ଓ ସଞ୍ଚାଳନ, ନିୟନ୍ତ୍ରଣ ଓ ସମନ୍ଵୟ, ଜନନ, ପୋଷଣ ଆଦି ଶରୀରର ଦୈନନ୍ଦିନ କାର୍ଯ୍ୟ କରିବା ମଧ୍ୟ ସମ୍ଭବ ନୁହେଁ  । ଉଦ୍ଭିଦ ଅଙ୍ଗାରକାମ୍ଳ ଗ୍ୟାସ, ଜଳ ଓ ପୋଷାକ ପଦାର୍ଥକୁ ବ୍ୟବହାର କରି ନିଜ ପାଇଁ ପ୍ରସ୍ତୁତ କରୁଥିବା ଶର୍କରା ଜାତୀୟ ଖାଦ୍ୟ ସୂର୍ଯ୍ୟଙ୍କ ଆଲୋକ ବିନା ସମ୍ଭବ ନୁହେଁ  । କଳକାରଖାନାରେ ତିଆରି ହେଉଥିବା ବିଭିନ୍ନ ଉପକରଣ ବିଦ୍ୟୁତଶକ୍ତି ବିନା ହୋଇପାରିବ ନାହିଁ  । ଆମ ଚାରିପାଖେ ଆମେ ଯାହା କିଛି ଦେଖିଥାଉ ଏପରିକି ପୋଷାକ ପିନ୍ଧିବା, ଯେଉଁ ଖାଦ୍ୟ ଖାଇଥାଉ, ଯେଉଁ ଘରେ ଆମେ ରହିଥାଉ, ଯେଉଁ କାଗଜରେ ଆମେ ଲେଖିଥାଉ, ଯେଉଁ ଗାଡି ଚଳେଇଥାଉ, ସବୁକ୍ଷେତ୍ରରେ ଶକ୍ତି ଆବଶ୍ୟକ ଯାହାକୁ ସୃଷ୍ଟି କରାଯାଇଥାଏ  କିମ୍ବା ପ୍ରାକୃତିକ ସମ୍ପଦକୁ ବ୍ୟବହାର କରି ବା ଦ୍ଵାରା ମିଳିଥାଏ  । ଘରେ ବ୍ୟବହାର କରାଯାଉଥିବା ବିଭିନ୍ନ ଯାନ୍ତ୍ରିକ ଉପକରଣ କିମ୍ବା କାର୍ଯ୍ୟକ୍ଷେତ୍ରରେ ଥିବା ବିଭିନ୍ନ ଉପକରଣର କାର୍ଯ୍ୟକ୍ଷମ ବିଦ୍ୟୁତଶକ୍ତି ଉପରେ ନିର୍ଭରଶୀଳ  । ଶିଳ୍ପ କାରଖାନା ବିଦ୍ୟୁତଶକ୍ତି ଦ୍ଵାରା ହିଁ କାର୍ଯ୍ୟକ୍ଷମ  ।

ବିଭିନ୍ନ ପ୍ରକାର ଶକ୍ତି

ଦୈନନ୍ଦିନ ଜୀବନରେ ଆମେ ତାପଶକ୍ତି, ଆଲୋକଶକ୍ତି, ଯାନ୍ତ୍ରିକ ଶକ୍ତି, ବିଦ୍ୟୁତ ଶକ୍ତି, ରାସାୟନିକ ଶକ୍ତି ଓ ଶବ୍ଦଶକ୍ତିର ବିଭିନ୍ନ ବ୍ୟବହାର କରିଥାଉ  । ଦେଖିବାକୁ ଗଲେ ଆମେ ସାଧାରଣତଃ ତାପଶକ୍ତି, ଆଲୋକଶକ୍ତି ବୈଦ୍ୟୁତିକ ଶକ୍ତି ଅଧିକ ବ୍ୟବହାର କରିଥାଉ  । ବିଭିନ୍ନ କାର୍ଯ୍ୟନିମନ୍ତେ ଆମେ ଏହି ଶକ୍ତି ବ୍ୟବହାର କରିଥାଉ  ।

ଆବଶ୍ୟକ ଅନୁଯାୟୀ ଶକ୍ତି ଏକ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ  ନିର୍ଦ୍ଧିଷ୍ଟ ଉପକରଣ ବା କୌଶଳ ଦ୍ଵାରା ବିଭିନ୍ନ ଉତ୍ସରୁ ଆମେ ବିଭିନ୍ନ ପ୍ରକାର ଶକ୍ତି ପାଇଥାଉ  । ଏହି ବିଷୟରେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରାଯିବ  ।

ବିଭିନ ପ୍ରକାର ଶକ୍ତିର ଉତ୍ସ

ଯେଉଁ ପଦାର୍ଥରୁ ବ୍ୟବହାର ଉପଯୋଗୀ ଶକ୍ତି ସୃଷ୍ଟି ହୋଇଥାଏ  ସେଗୁଡିକ ଶକ୍ତିର ଉତ୍ସ ଅଟେ  । ବିଭିନ୍ନ ବ୍ୟବହାର ନିମନ୍ତେ ବିଭିନ୍ନ ପ୍ରକାର ଶକ୍ତିର ଆବଶ୍ୟକତା ରହିଛି  । ତୁମେମାନେ କୋଇଲା, ପେଟ୍ରୋଲ, ଡିଜେଲ, କିରୋସିନି ଏବଂ ପ୍ରାକୃତିକ ଗ୍ୟାସ ବିଷୟରେ ଅବଗତ ଥିବ  । ଜଳବିଦ୍ୟୁତ ଶକ୍ତି, ପବନ ଶକ୍ତି, ସୋଲାର ସେଲ୍ (ସୌର ଶକ୍ତି) ଜୈବବସ୍ତୁତ୍ଵରୁ ଉତ୍ପାଦିତ ଶକ୍ତି ସମ୍ପର୍କରେ ନିଶ୍ଚୟ ଶୁଣିଥିବ  ।

ଶକ୍ତି ମିଳିବା ଦୃଷ୍ଟିରୁ ଶକ୍ତି ଉତ୍ସକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରିପାରିବା  । କେତେକ ଶକ୍ତି ଉତ୍ସକୁ ବାରମ୍ବାର ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେଗୁଡିକ କିଛି ସମୟ ପରେ ସୃଷ୍ଟି କରିହୁଏ ବା ପ୍ରାକୃତିକ ଉପାୟରେ ବାରମ୍ବାର ଏଥିବରୁ ଶକ୍ତି ସୃଷ୍ଟି ହୋଇଥାଏ  । ଏଗୁଡିକ ନବୀକରଣ ଯୋଗ୍ୟ ବା ଅସରନ୍ତି ଶକ୍ତି ଉତ୍ସ କୁହାଯାଏ  । ଆଉ କେତେକ ଶକ୍ତି ଉତ୍ସ ପ୍ରାକୃତିକ ଉପାୟରେ ଆଗରୁ ସୃଷ୍ଟି ହୋଇଛି  । ଏହି ଶକ୍ତି ଉତ୍ସ ଅଳ୍ପ ସମୟ ବ୍ୟବଧାନରେ ସୃଷ୍ଟି କରିପାରିବା ନାହିଁ  । ଏ ପ୍ରକାର ଶକ୍ତି ଉତ୍ସକୁ ନବୀକରଣ  ଅଯୋଗ୍ୟ ବା ସରନ୍ତି ଶକ୍ତି ଉତ୍ସ କୁହାଯାଏ  ।

ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ

କାର୍, ବସ୍, ଟ୍ରକ୍, ଟ୍ରାକ୍ଟର, ଟ୍ରେନ, ଉଡାଜାହାଜ, ଜଳଜାହାଜ ଇତ୍ୟାଦି ଯାତାୟାତ ପାଇଁ ବ୍ୟବହାର କରାଯାଉଥିବା ବସ୍ତୁ ଡିଜେଲ, ପେଟ୍ରୋଲ କିମ୍ବା ପ୍ରାକୃତିକ ଗ୍ୟାସ ଦ୍ଵାରା ଚାଲିଥାଏ  । ଷ୍ଟୋର ଓ ପେଟ୍ରୋମାକ୍ସ ଲାଇଟ୍ ଜଳିବା ପାଇଁ କିରୋସିନି କିମ୍ବା ପ୍ରାକୃତିକ ଗ୍ୟାସ ଆବଶ୍ୟକ  । ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା କୋଇଲା ଓ ଖଣିଜତୈଳ ଓ ଗ୍ୟାସର ପରିମାଣ ସୀମିତ  । ଏହାର ପରିମାଣ ମଧ୍ୟ ସୀମିତ ଏବଂ ଏହାକୁ ଅଳ୍ପ ସମୟ ବ୍ୟବଧାନରେ ସୃଷ୍ଟି କରିବା ମଧ୍ୟ ଅସମ୍ଭବ  । ସେଥିପାଇଁ କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଇତ୍ୟାଦି ଶକ୍ତି ଉତ୍ସକୁ ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ କୁହାଯାଏ  । ବର୍ତ୍ତମାନ ସମୟରେ ଆମେ ଆମର ଅଧିକ ଶକ୍ତି ଆବଶ୍ୟକତା ଜୀବାଶ୍ମଇନ୍ଧନ ଅର୍ଥାତ୍ କୋଇଲା, ଖଣିଜତୈଳ ଓ ଗ୍ୟାସରୁ ପାଇଥାଉ  । ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଏହି ଶକ୍ତି ଉତ୍ସ ଓ ଭଣ୍ଡାର ୩୦-୩୫ ବର୍ଷ ପର୍ଯ୍ୟନ୍ତ ହିଁ ପର୍ଯ୍ୟାପ୍ତ ଯେହେତୁ ନୂଆ ତୈଳଭଣ୍ଡାର ବା କୋଇଲା ଗଚ୍ଛିତ ଅଞ୍ଚଳ ଚିହ୍ନଟ ହୋଇପାରିନି  । କୋଇଲା ମଧ୍ୟ ଆଉ ୧୦୦ ବର୍ଷ ପର୍ଯ୍ୟନ୍ତ ଆମର ଚାହିଦା ପୂରଣ କରିପାରିବ  । ଭବିଷ୍ୟତ ପାଇଁ ଏହା ଏକ ଚିନ୍ତାଜନକ ପ୍ରଶ୍ନ ଅଟେ  ଯାହାର ସମାଧାନ ମଧ୍ୟ ଏତେ ସହଜ ନୁହେଁ । ଏହି ଶକ୍ତି ଉତ୍ସର ବ୍ୟବହାର ଠିକ୍ ରୂପରେ ହେବା ଆବଶ୍ୟକ  ।

ଜୀବାଶ୍ମଇନ୍ଧନ – ପାରମ୍ପରିକ ଶକ୍ତି ଉତ୍ସ

ଜୀବାଶ୍ମଇନ୍ଧନ ଯଥା କୋଇଲା, ଖଣିଜତୈଳ ଏବଂ ପ୍ରାକୃତିକ ଗ୍ୟାସ ନବୀକରଣ ଅଯୋଗ୍ୟ ବା ସରନ୍ତି ଶକ୍ତି ଉତ୍ସ ଅଟେ  । ସଭ୍ୟତାର ଆରମ୍ଭରୁ ଆମେ ଜୀବାଶ୍ମଇନ୍ଧନକୁ ତାପ, ଆଲୋକ ଏବଂ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ବ୍ୟବହାର କରିଆସୁଛୁ  । ବିଶ୍ଵରେ ଉତ୍ପାଦନରେ ଏହି ଜୀବାଶ୍ମ ଇନ୍ଧନକୁ ମୁଖ୍ୟତଃ  ବ୍ୟବହାର କରାଯାଏ  । ଶତକଡା ୮୫ ଭାଗ ଶକ୍ତି ଆମେ ଏହି ଜୀବାଶ୍ମଇନ୍ଧନକୁ ଜାଲି ପାଇଥାଉ  । ଜୀବାଶ୍ମଇନ୍ଧନର ମୁଖ୍ୟ ଉପାଦାନ ଅଙ୍ଗାରକ ଅଟେ  । ଯାତାୟାତର ଆବଶ୍ୟକତା ପାଇଁ ଜୀବାଶ୍ମଇନ୍ଧନ ଏକ ଉତ୍ତମ ଶକ୍ତି ଉତ୍ସ ଅଟେ  । ୧.୯ ବିଲିୟନ ଟନ୍ କୋଇଲା ପ୍ରତି ବର୍ଷ ଜାଲି ବିଶ୍ଵର ବିଦ୍ୟୁତ ଶକ୍ତି ଚାହିଦା ମେଣ୍ଟାଯାଉଛି  । ଜୀବାଶ୍ମଇନ୍ଧନରେ ବହୁପରିମାଣର ରାସାୟନିକ ଶକ୍ତି ଗଚ୍ଛିତ ରହିଥାଏ  । ଏହି ରାସାୟନିକ ଶକ୍ତି ଅନ୍ୟାନ୍ୟ ଶକ୍ତି ଯଥା ତାପ, ଆଲୋକ ଏବଂ ଯାନ୍ତ୍ରିକ ଶକ୍ତିକୁ ରୂପାନ୍ତରିତ ହୋଇଥାଏ  ।

ବର୍ତ୍ତମାନ ମନରେ ପ୍ରଶ୍ନ ଉଠେ ଏହି ଜୀବାଶ୍ମଇନ୍ଧନ କିପରି ସୃଷ୍ଟିହୁଏ  । ଭୂତତ୍ତ୍ଵବିତମାନଙ୍କର  ମତ ଅନୁଯାୟୀ ବର୍ଷ ବର୍ଷ ଧରି ପୃଥିବୀ ପୃଷ୍ଠରେ ଘନ ଜଙ୍ଗଲ, ବିସ୍ତ୍ରୀର୍ଣ୍ଣ ସନ୍ତସନ୍ତିଆ ଅଞ୍ଚଳ, ବଡ ବଡ ନଦୀ ଆଦି ଭରପୂର ହୋଇରହିଥିଲା  । ଭୂଚଳନ, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଘନ ଜଙ୍ଗଲଗୁଡିକ ମାଟିତଳେ ପୋତି ହୋଇଗଲା  । ବାୟୁ ତଥା ଅମ୍ଳଜାନର ଅଭାବ ପୃଥିବୀ ଆଭ୍ୟନ୍ତରରେ ତାପମାତ୍ରା ତଥା ଉପର ମାଟିର ପ୍ରବଳ ଚାପଯୋଗୁଁ ଜୈବପଦାର୍ଥଗୁଡିକ ଜୀବାଶ୍ମ ଇନ୍ଧନକୁ ପରିବର୍ତ୍ତିତ ହେଲା  ।

କୋଇଲା

ପ୍ରାକୃତିକ ଅନ୍ତର୍ଧୂମପାତନ ପ୍ରକ୍ରିୟା ଦ୍ଵାରା ବର୍ଷ ବର୍ଷ ଧରି ମାଟି ତଳେ ପୋତି ହୋଇରହିଥିବା ଉଦ୍ଭିଦ ଅମ୍ଳଜାନର ଅଭାବ, ଉଚ୍ଚ ତାପମାତ୍ରା ଓ ପ୍ରବଳ ଚାପଯୋଗୁଁ କୋଇଲାରେ ରୂପାନ୍ତରିତ ହୋଇଥାଏ  ।

କୋଇଲାର ମୁଖ୍ୟ ଉପାଦାନ ହେଉଛି କାର୍ବନ ବା ଅଙ୍ଗାରକ  । ଯାହାକି ଏକ ଅଧାତୁ ଶ୍ରେଣୀୟ ମୌଳିକ  । ଏହା ବ୍ୟତୀତ ଏଥିରେ କାର୍ବନ ଓ ଉଦଜାନଜନିତ ଯୌଗିକ ଏବଂ ଅମ୍ଳଜାନ, ଯବକ୍ଷାରଜାନ ଓ ଗନ୍ଧକଯୁକ୍ତ ଯୌଗିକ ରହିଥାଏ  । କାର୍ବନ ପରିମାଣକୁ ଭିତ୍ତିକରି ଚାରିଶ୍ରେଣୀରେ ବିଭକ୍ତ କରାଯାଇଛି  ।

  1. ଆନ୍ଥାସାଇଟ (କାର୍ବନର ପରିମାଣ ୯୪.୯୮%) ଏହାର କ୍ୟାଲୋରି ମୂଲ୍ୟ ଅଧିକ
  2. ବିଟୁମିନସ୍ (କାର୍ବନର ପରିମାଣ ୭୮.୮୬%)
  3. ଲିଗ୍ ନାଇଟ (କାର୍ବନର ପରିମାଣ ୨୮.୩୦%)
  4. ପିଟ୍ (କାର୍ବନର ପରିମାଣ ୨୭%) ନିକୃଷ୍ଟ କୋଇଲା

କୋଇଲା ବ୍ୟବହାର କରି ବିଦ୍ୟୁତ ଶକ୍ତି ଉତ୍ପାଦନ

କୋଇଲାରୁ କିପରି ବିଦ୍ୟୁତଶକ୍ତି ମିଳିଥାଏ ? ତାପଜ ବିଦ୍ୟୁତକେନ୍ଦ୍ରରେ କୋଇଲା ବ୍ୟବହାର କରି ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଏ  । ତାପଜ ବିଦ୍ୟୁତକେନ୍ଦ୍ରରେ ଅଧିକ ପରିମାଣର କୋଇଲା ଫର୍ଣ୍ଣେସରେ ପୋଡି ଅଧିକ ପରିମାଣର ତାପଶକ୍ତି ସୃଷ୍ଟିକରାଯାଏ  । ଏହି ତାପକୁ ବାୟଲର ମଧ୍ୟରେ ଥିବା ପାଣିକୁ ଗରମ କରି ବାମ୍ଫ ସୃଷ୍ଟିକରାଯାଏ  ଏବଂ ବୟଲର ମୁହଁରୁ ବାହାରୁଥିବା ଗତିଶୀଳ ବାମ୍ଫ ଟରବାଇନ୍ କୁ ଜୋରରେ ଘୂରାଏ  । ଏ କ୍ଷେତ୍ରରେ ତାପଶକ୍ତି ଯାନ୍ତ୍ରିକ ଶକ୍ତିରେ ରୂପାନ୍ତରିତ ହୁଏ  । Power Generator  ମଧ୍ୟରେ ଚୁମ୍ବକଏହି ଟରବାଇନ୍ ଦ୍ଵାରା ଘୂରାଇ ଚୁମ୍ବକୀୟ ବଳୟ ରେଖା ସୃଷ୍ଟିକରେ  । ଏହାଫଳରେ ବିଦ୍ୟୁତଶକ୍ତି ଉତ୍ପନ୍ନ ହୁଏ ଏବଂ ଏହାକୁ ଜାତୀୟ ଗ୍ରୀଡ ସାହାଯ୍ୟରେ ବଣ୍ଟନ କେନ୍ଦ୍ରକୁ ପଠାଯାଏ  । ଏହି ବଣ୍ଟନ କେନ୍ଦ୍ରରୁ ବିଭିନ୍ନ ସ୍ଥାନକୁ ବିଦ୍ୟୁତ ଯୋଗାଯାଏ  ।

ପ୍ରାକୃତିକ ଗ୍ୟାସ

ଆମ ଦେଶରେ ପ୍ରାକୃତିକ ଗ୍ୟାସ ଆଉ ଏକ ଶକ୍ତି ଉତ୍ସ ଅଟେ  । ଆଣ୍ଟାର୍ଟିକାକୁ ଛାଡି ପୃଥିବୀର ବିଭିନ୍ନ ସ୍ଥାନରେ ତୈଳ ଓ ପ୍ରାକୃତିକ ଗ୍ୟାସର କୂପ ଦେଖାଯାଏ  । ଏହି ତୈଳ କୂପରେ କିଛି ନା କିଛି ଗ୍ୟାସ ଥାଏ  । କିନ୍ତୁ ଏହା ପ୍ରାକୃତିକ ଗ୍ୟାସ ମିଥେନରେ ପରିଣତ ହେବା ପ୍ରକ୍ରିୟା ବହୁତ ଦିନର  । ପ୍ରାକୃତିକ ଗ୍ୟାସ ସ୍ଵାଧୀନଭାବରେ ଭୂସ୍ତରରେ ଗଚ୍ଛିତ ହୋଇ ରହିଥାଏ  । ମିଥେନ ଗ୍ୟାସ ସନ୍ତସନ୍ତିଆ ଜାଗା ଏବଂ ଏହା ପ୍ରାଣୀଙ୍କ ପାଚନ ପ୍ରକ୍ରିୟାର ଅବଶେଷ ଅଟେ  ।

ଯଦିଓ ପ୍ରାକୃତିକ ଗ୍ୟାସ ଏକ ଜୀବାଶ୍ମ ଗ୍ୟାସ ଅଟେ  । ଏହା ଗ୍ୟାସୋଲିନ ଅପେକ୍ଷା ଭଲରେ ଜଳି ଅଙ୍ଗାରକାମ୍ଳ ଗ୍ୟାସ ସୃଷ୍ଟିକରେ  । ଯାହା ଏକ ସବୁଜ କୋଠରୀ ଗ୍ୟାସ ଅଟେ  । ପେଟ୍ରୋଲ, ଡିଜେଲ ଭଳି ପ୍ରାକୃତିକ ଗ୍ୟାସ ବହୁପରିମାଣରେ ମିଳୁଥିଲେ ମଧ୍ୟ ସୀମିତ ଅଟେ  ।

ଜୀବାଶ୍ମ ଇନ୍ଧନରୁ ମିଳୁଥିବା ଶକ୍ତିର ଉପଯୋଗିତା ଓ ଅପଯୋଗିତା

ଉପଯୋଗିତା :

  • ଜୀବାଶ୍ମଇନ୍ଧନରୁ ଶକ୍ତି ଉତ୍ପାଦନ ସହଜ ଓ ଅଳ୍ପ ମୂଲ୍ୟ ଅଟେ  ।
  • ଜୀବାଶ୍ମଇନ୍ଧନର କ୍ୟାଲୋରୀମୂଲ୍ୟ ଅଧିକ ଅଟେ  ।
  • ଜୀବାଶ୍ମଇନ୍ଧନରୁ ଅଧିକ ପରିମାଣର ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଇପାରେ  ।
  • ପାଇପଲାଇନ୍ ବିଛାଇ ଜୀବାଶ୍ମଇନ୍ଧନକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନେବା ସହଜ ଅଟେ  ।
  • ତାପଜ ବିଦ୍ୟୁତକେନ୍ଦ୍ର ଯାହା ଗ୍ୟାସ ବ୍ୟବହାର କରିଥାଏ ତା’ର କାର୍ଯ୍ୟକ୍ଷମତା ଅଧିକ  ।
  • ଯେକୌଣସି ସ୍ଥାନରେ ତାପଜ ବିଦ୍ୟୁତକେନ୍ଦ୍ର ସ୍ଥାପନ କରିବାର କୌଶଳ ସହଜ ଅଟେ  ।

ଅପଯୋଗିତା :

  • ଜୀବାଶ୍ମଇନ୍ଧନକୁ ଅଧିକ ବ୍ୟବହାର କରିବା ଦ୍ଵାରା ପରିବେଶ ପ୍ରଦୂଷିତ ହୋଇଥାଏ  । ଏହା ଦ୍ଵାରା ବିଷାକ୍ତ ଗ୍ୟାସ ଏବଂ ପାଉଁଶ ସୃଷ୍ଟି ହୋଇ ବାୟୁମଣ୍ଡଳକୁ ପ୍ରଦୂଷିତ କରେ  । ଜୀବାଶ୍ମଇନ୍ଧନ ଜାଳେଣୀରୁ ସୃଷ୍ଟି ହୋଇଥିବା ଅଙ୍ଗାରକାମ୍ଳ ଗ୍ୟାସ ଓ ସଲଫରଡାଇଅକ୍ସାଇଡ ଗ୍ୟାସ ସବୁଜ କୋଠରୀ ପ୍ରଭାବ, ଅମ୍ଳ ବୃଷ୍ଟି, ଶ୍ଵାସକ୍ରିୟା ଜନିତ ରୋଗ ଏବଂ ପୃଥିବୀର ତାପମାତ୍ରା ବୃଦ୍ଧିରେ ମୁଖ୍ୟ ଭୂମିକା ନେଇଥାଏ  ।
  • ଜୀବାଶ୍ମଇନ୍ଧନର ପରିମାଣ ସୀମିତ ଯେଉଁ ପରିମାଣରେ ଏହା ବ୍ୟବହାର କରାଯାଉଛି ବହୁତ ଶୀଘ୍ର ଏହାର ଭଣ୍ଡାରଗୁଡିକ ସରିଯିବ  ।
  • ଜୀବାଶ୍ମଇନ୍ଧନ ଅଳ୍ପ ସମୟ ବ୍ୟବଧାନରେ ସୃଷ୍ଟି କରିବା ସହଜ ନୁହେଁ  । ଏଥିପାଇଁ ବଡ ବଡ ଜଙ୍ଗଲ ଓ ସ୍ଥଳ ନଷ୍ଟ କରିବାକୁ ପଡେ ଯାହା ଦ୍ଵାରା ଜୈବବିବିଧତା ଉପରେ ପ୍ରତିକୂଳ ପ୍ରଭାବ ପକାଏ  ।
  • କୋଇଲା ଉତ୍ତୋଳନ କରିବା କଷ୍ଟସାଧ୍ୟ  ଅଟେ  । ଦୁର୍ଘଟଣା ଘଟି ଲୋକ ମୃତ୍ୟୁବରଣ କରିଥାଏ  ।
  • ପ୍ରାକୃତିକ ଗ୍ୟାସ ତୀବ୍ର ଗନ୍ଧ ଯୋଗୁଁ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଏହାର ଗନ୍ଧ ପ୍ରଭାବ ପକାଇଥାଏ  ।

ତୁମେ ଜାଣ କି

ଜୀବାଶ୍ମଇନ୍ଧନର ଦହନରୁ ନିର୍ଗତ କଣିକା ବିପଦ ସୃଷ୍ଟିକରେ  । ବହୁତ ସମୟ ପର୍ଯ୍ୟନ୍ତ ଏହି ନିର୍ଗତ କଣିକା ବାୟୁମଣ୍ଡଳରେ ରହିଥାଏ ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ମଧ୍ୟ ହୋଇଥାଏ  । ଦଶ ମାଇକ୍ରନ ଠାରୁ ସାନ ଏହି କଣିକା ଫୁସଫୁସ ମଧ୍ୟକୁ ଆନାୟାସରେ ଯାଇପାରେ  । ରକ୍ତବାହୀ ନାଲି ମଧ୍ୟରେ ପ୍ରବେଶ କରି ଫୁସଫୁସକୁ ଉତ୍ତେଜିତ କରିଥାଏ ଏବଂ ବିଷାକ୍ତ ପଦାର୍ଥ ଯଥା ଭାରୀଧାତୁ ଓ ପ୍ରଦୂଷକ ଶରୀର ମଧ୍ୟରେ ପ୍ରବେଶ କରି ଆଜମା, ବ୍ରୋଙ୍କାଇଟିସ୍, ସ୍ନାୟୁଜନିତ ରୋଗ ଓ ଶ୍ଵାସଜନିତ ରୋଗ ସୃଷ୍ଟିକରେ  ।

ଔଦୋଗିକ କ୍ଷେତ୍ରରେ ଯାନବାହନ ଓ କଳକାରଖାନା ଚଳାଇବା ନିମନ୍ତେ ଦରକାର ପଡୁଥିବା ଶତକଡା ୮୦% ଶକ୍ତି କୋଇଲା, ତୈଳ ଓ ପ୍ରାକୃତିକ ଗ୍ଯାସ ଜାଳେଣୀରୁ ହିଁ ମିଳିଥାଏ  । ଉଦ୍ଭିଦର ଅବଶେଷରୁ ଏହା ସୃଷ୍ଟି ହେଉଥିବା ଯୋଗୁଁ ଏଗୁଡ଼ିକୁ ଜୀବାଶ୍ମଇନ୍ଧନ କୁହାଯାଏ  । ଅଧିକାଂଶ ଇନ୍ଧନର ସମ୍ପୂର୍ଣ୍ଣ ଦହନରୁ କାର୍ବନ ଡାଇଅକ୍ସାଇଡ ଉତ୍ପନ୍ନ ହୁଏ  । ଏହାର ପ୍ରତିଶତ ମାତ୍ରା ବାୟୁମଣ୍ଡଳରେ ବୃଦ୍ଧି ଯୋଗୁଁ ପୃଥିବୀର ଉତ୍ତାପ ବୃଦ୍ଧି ପାଉଛି  । ପୃଥିବୀର ଏହି ଉତ୍ତାପ ବୃଦ୍ଧିକୁ ଗ୍ଲୋବାଲ ୱାର୍ମିଂ କହନ୍ତି  । ଜୀବାଶ୍ମଇନ୍ଧନର ଦହନରୁ ସଲଫର୍ ଡାଇଅକ୍ସାଇଡ ନିର୍ଗତ ହୁଏ  । ଏହି ଗ୍ୟାସ ଅମ୍ଳୀୟ ପ୍ରକୃତିର ଏବଂ ବାୟୁମଣ୍ଡଳରେ ରହି ବର୍ଷାଜଳ ସହ ମିଶି ପୃଥିବୀ ପୃଷ୍ଠକୁ ଆସିଥାଏ  । ଏ ପ୍ରକାର ବୃଷ୍ଟିକୁ କୁହାଯାଏ ଏବଂ ଏହା କୋଠାବାଡି, ଫସଲ ଓ ମୃତ୍ତିକା ପ୍ରତି ବିପଦ ଅଟେ  ।

ନ୍ୟୁକ୍ଲିୟ ଶକ୍ତି

ମୌଳିକ ଯଥା ରେଡିୟମ ଓ ୟୂରାନିୟମକୁ ମଧ୍ୟ ପ୍ରାକୃତିକ ଶକ୍ତି ଉତ୍ସ ରୂପେ ବ୍ୟବହାର କରାଯାଏ  । ସ୍ଵତଃ ବିଖଣ୍ଡନରେ ୟୁରାନିୟମ ପରି ଏକ ଭାରୀ ନ୍ୟୁକ୍ଲିୟସ ଦୁଇଖଣ୍ଡ ହୋଇ ଶକ୍ତି ପ୍ରଦାନ କରେ  । ପ୍ରକୃତିରୁ ଯେଉଁ ୟୁରାନିୟମ ମିଳେ ସେଥିରେ ୟୁରାନିୟମର ତିନୋଟି ଆଇସୋଟେପ ,  ଏବଂ  ଥାଏ  । ଏହି ଆଇସୋଟେପଗୁଡିକ ମଧ୍ୟରୁ  ଅତି ସହଜରେ ଧୀର ନିଉଟ୍ରନଦ୍ଵାରା ବିଖଣ୍ଡିତ ହୁଏ  । ଏହାକୁ ବିଖଣ୍ଡନୀୟ ନ୍ୟୁକ୍ଲିୟସ କୁହାଯାଏ  । କିନ୍ତୁ  ପ୍ରଚୁର ପରିମାଣରେ ମିଳୁଥିବାରୁ ତାକୁ କୃତ୍ରିମ ଉପାୟରେ  ପରିଣତ କରି ବିଖଣ୍ଡନ କରାଯାଇପାରେ  । ତେଣୁ 2 କୁ ବିଖଣ୍ଡନ ଯୋଗ୍ୟ ନ୍ୟୁକ୍ଲିୟସ କୁହାଯାଏ  । ବୈଜ୍ଞାନିକ ପଦ୍ଧତି ଦ୍ଵାରା  ର ଅନୁପାତକୁ ବୃଦ୍ଧି କରାଯାଇପାରେ  । ଏହାକୁ ସମୃଦ୍ଧିକରଣ ପ୍ରକ୍ରିୟା କୁହାଯାଏ  । ନ୍ୟୁକ୍ଲିଆର ପ୍ରତିକ୍ରିୟା ଯୋଗୁଁ ଏକ ନ୍ୟୁକ୍ଲିୟସ ସ୍ଵତଃ କିମ୍ବା ଅନ୍ୟ କଣିକା ସଙ୍ଘାତରେ ଭାଙ୍ଗିଯିବା ଦ୍ଵାରା ଯେଉଁ ଶକ୍ତି ଉତ୍ପନ୍ନ ହୁଏ ତାକୁ ନ୍ୟୁକ୍ଲିଆର ଶକ୍ତି କୁହାଯାଏ ଯାହାକି ନ୍ୟୁକ୍ଲିୟାର ରିଆକ୍ଟରରେ ମଧ୍ୟ ସମ୍ଭବ  ।

ପରମାଣୁରୁ କିପରି ଶକ୍ତି ମିଳେ ଆସ ଦେଖିବା  । ଆମେ ଜାଣୁ ଯେ ପରମାଣୁ ଇଲେକ୍ଟ୍ରନ, ପ୍ରୋଟନ ଓ ନିଉଟ୍ରନକୁ ନେଇ ଗଠିତ  ।  ପରମାଣୁର ସମୁଦାୟ ବସ୍ତୁତ୍ଵ ତାହାର ନ୍ୟୁକ୍ଲିୟସ ରୂପେ କେନ୍ଦ୍ରରେ ଥାଏ  । ନ୍ୟୁକ୍ଲିୟସରେ ଥିବା ଏହି ଶକ୍ତିକୁ ନିର୍ଗତ କରାଯାଇପାରେ ଯଦି ୟୂରାନିୟମ ପରି ଭାରୀ ମୌଳିକକୁ ଭାଙ୍ଗି ଦୁଇଟି ହାଲୁକା ନ୍ୟୁକ୍ଲିୟସରେ ପରିଣତ କଲେ   । ଯଦି ଏକ ଚାର୍ଜହୀନ କଣିକା ଦ୍ଵାରା ନ୍ୟୁକ୍ଲିୟସକୁ ଆଘାତ କରାଯାଏ, ତାହା ସହଜରେ ନ୍ୟୁକ୍ଲିୟସ ମଧ୍ୟକୁ ପ୍ରବେଶ କରିବ ଏବଂ ନ୍ୟୁକ୍ଲିୟସ ଖଣ୍ଡ ଖଣ୍ଡ ହୋଇଯିବ  । ଏହି ପ୍ରକ୍ରିୟା ନିଉଟ୍ରନ ଦ୍ଵାରା ସହଜରେ ହୋଇଥାଏ  । ନିଉଟ୍ରନ କଣିକାର ଶକ୍ତି ବହୁ କମ୍ ହେଲ ମଧ୍ୟ ତାହା ନ୍ୟୁକ୍ଲିୟସକୁ ଅସ୍ଥିର କରି ଦୁଇଖଣ୍ଡ ଅପେକ୍ଷାକୃତ  ହାଲୁକା ନ୍ୟୁକ୍ଲିୟସରେ ପରିଣତ କଲେ ଓ ସେଥିରୁ ଏକାଧିକ ନିଉଟ୍ରନ ବାହାରିବା ସଙ୍ଗେ ସଙ୍ଗେ ଅଧିକ ଶକ୍ତି ଜାତ ହୁଏ  । ଧୀର ନିଉଟ୍ରନ ହିଁ ନ୍ୟୁକ୍ଲିୟସର ବିଖଣ୍ଡନ କରିପାରେ  ଏବଂ ଦ୍ରୁତ ନିଉଟ୍ରନ ବିଖଣ୍ଡନ ପ୍ରକ୍ରିୟା ଘଟାଇପାରେନାହିଁ  । ପ୍ରଶ୍ନ ଉଠେ ଏତେ ସଂଖ୍ୟକ ଧୀର ନିଉଟ୍ରନ ନ୍ୟୁକ୍ଲିୟସ ବିଖଣ୍ଡନ ଆସିବ କେଉଁଠୁ  ?

ନ୍ୟୁକ୍ଲିୟସରେ ବିଖଣ୍ଡନ ଘଟିଲେ ପ୍ରାୟ ସମାନ ସମାନ ବସ୍ତୁତ୍ଵର ଦୁଇଟି ନ୍ୟୁକ୍ଲିୟସ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଏକାଧିକ ଅର୍ଥାତ୍ ଦୁଇ ବା ତିନୋଟି ଦ୍ରୁତ ନିଉଟ୍ରନ ନିର୍ଗତ ହୁଏ  । ଏହି ଦ୍ରୁତ ନିଉଟ୍ରନ ଅନ୍ୟାନ୍ୟ  ନ୍ୟୁକ୍ଲିୟସ ସହ ସଂଘର୍ଷ ଘଟିଲେ ମଧ୍ୟ ନ୍ୟୁକ୍ଲିୟସ ବିଖଣ୍ଡନ ହେଲାନାହିଁ  । ମନେକର ପ୍ରଥମ ସୋପାନରେ ଏକ ଧୀର ନିଉଟ୍ରନ ନ୍ୟୁକ୍ଲିୟସର ବିଖଣ୍ଡନ ଦ୍ଵାରା ଦୁଇଟି ଧୀର ନିଉଟ୍ରନ ଜନ୍ମାଇଲା  । ଏହି ଦୁଇଟି ଧୀର ନିଉଟ୍ରନ ପ୍ରଥମରୁ ନିର୍ଗତ ହୋଇଥିବା ଦୁଇଟି ନ୍ୟୁକ୍ଲିୟସକୁ ସହଜରେ ବିଖଣ୍ଡିତ କରିପାରିବେ  । ଏହି ଦୁଇଟି ବିଖଣ୍ଡନ ପ୍ରକ୍ରିୟାକୁ ଦ୍ଵିତୀୟ ସୋପାନରେ ସେହିପରି ଚାରୋଟି ଧୀର ନିଉଟ୍ରନ ନିର୍ଗତ ହେବ ଏବଂ ସେମାନେ ଚାରୋଟି  ନ୍ୟୁକ୍ଲିୟସକୁ ଭାଙ୍ଗିବେ  । ଏଥିରୁ ତୃତୀୟ ସୋପାନରେ ଆଠୋଟି ଧୀର ନିଉଟ୍ରନ ବାହାରିବ  ସେମାନେ ପୁଣି ଆଠୋଟି  ନ୍ୟୁକ୍ଲିୟସକୁ ବିଖଣ୍ଡିତ କରିବେ  । ଯଦି ଏହି ପ୍ରକ୍ରିୟା ଚାଲୁ ରହେ ତେବେ ଖୁବ୍ ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟକ  ନ୍ୟୁକ୍ଲିୟସ ବିଖଣ୍ଡିତ ହେବ  । ଏହାକୁ ଶୃଙ୍ଖଳ ପ୍ରତିକ୍ରିୟା କହନ୍ତି  । ଏହା ଅନିୟନ୍ତ୍ରିତ କିମ୍ବା ନିୟନ୍ତ୍ରିତ ହୋଇପାରେ   । ଅନିୟନ୍ତ୍ରିତ ହେଲେ ପରମାଣୁ ଏବଂ ନିୟନ୍ତ୍ରିତ କରାଗଲେ ଏହାକୁ ଗଠନମୂଳକ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ  । ମନେକର ନ୍ୟୁକ୍ଲିୟସର ବିଖଣ୍ଡନ ପରେ ଯେଉଁ ଦୁଇ ବା ତିନୋଟି ନିଉଟ୍ରନ ନିର୍ଗତ ହେଲା ସେଥିରୁ କେବଳ ଗୋଟିଏକୁ ବାଦ ଦେଇ ବାକି ନିଉଟ୍ରନଗୁଡିକୁ କୌଣସି ଉପାୟରେ ଅପସାରିତ କରାହେଲା  । ତାହାହେଲେ ରହିଯାଉଥିବା ନିଉଟ୍ରନଟି କେବଳ ଗୋଟିଏ ମାତ୍ର ନ୍ୟୁକ୍ଲିୟସର ବିଖଣ୍ଡନ ଘଟାଇପାରିବ  । ଏହି ବିଖଣ୍ଡନରୁ ସୃଷ୍ଟି ହୋଇଥିବା ନିଉଟ୍ରନମାନଙ୍କ ମଧ୍ୟରୁ ଯଦି ସେହିପରି ଗୋଟିଏକୁ ରଖି ବାକିତକ ଅପସାରିତ କରାଯାଏ, ତା’ହେଲେ ପୁଣି ଆଉ ମାତ୍ର ଗୋଟିଏ ନ୍ୟୁକ୍ଲିୟସର ବିଖଣ୍ଡନ ଘଟିବ  । ଏହିପରି ପ୍ରକ୍ରିୟା ଚାଲୁରହିଲେ ଶକ୍ତି ନିୟନ୍ତ୍ରିତ ରୂପେ ବାହାରିବ  । ସେ କ୍ଷେତ୍ରରେ ବ୍ୟବହାର ଉପଯୋଗୀ ଶକ୍ତି ବା କାର୍ଯ୍ୟରେ ପରିଣତ କରାଯାଇପାରିବ  । ନ୍ୟୁକ୍ଲିୟସ ରିଆକ୍ଟରର ଏହି ନିୟନ୍ତ୍ରିତ ଶୃଙ୍ଖଳ ପ୍ରତିକ୍ରିୟାକରି ଟରବାଇନ ଘୂରାଇ ବିଦ୍ୟୁତଶକ୍ତି ଘୂରାଇ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଏ  । ଦ୍ରୁତ ନିଉଟ୍ରନର ବେଗ କମାଇବା ପାଇଁ ଅର୍ଥାତ୍ ଧୀର କରାଇବା ପାଇଁ ଗ୍ରାଫାଇଟ ମଧ୍ୟ ଦେଇ ଦ୍ରୁତ ନିଉଟ୍ରନକୁ ଗତି କରିବାକୁ ଦିଆଯାଏ  । ଗ୍ରାଫାଇଟକୁ ମନ୍ଦକ କୁହାଯାଏ  । ଭାରୀ ଜଳକୁ ମଧ୍ୟ କେତେକ ରିଆକ୍ଟରରେ ମନ୍ଦକ ରୂପେ ବ୍ୟବହାର କରାଯାଏ  । ନିୟନ୍ତ୍ରିତ ଶୃଙ୍ଖଳ ପ୍ରକ୍ରିୟା ନିମନ୍ତେ ପ୍ରତ୍ୟକ ବିଖଣ୍ଡନରୁ ନିର୍ଗତ ହେଉଥିବା ଅଧିକ ନିଉଟ୍ରନକୁ ଅପସାରିତ କରିବା ପାଇଁ କାଡମିୟମ ବା ବୋରନ ଧାତୁ ଛଡ ଆକାରରେ ବ୍ୟବହାର  କରାଯାଏ  । ଏହି ଧାତୁଗୁଡିକୁ ଅବଶୋଷକ କୁହାଯାଏ  । ରିଆକ୍ଟରରୁ ବାହାରୁଥିବା ଶକ୍ତିକୁ ବ୍ୟବହାର କରି ଜଳକୁ ବାଷ୍ପରେ ପରିଣତ କରାଯାଏ  । ଏହି ବାଷ୍ପ, ସାହାଯ୍ୟରେ ଟରବାଇନ ଚଳାଯାଏ  । ଟରବାଇନ୍ ଘୂର୍ଣ୍ଣନକୁ ବ୍ୟବହାର କରି ଜେନେରେଟର ସାହାଯ୍ୟରେ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଏ  । ଆମ ଦେଶରେ ତାରାପୁର, କଳ୍ପକମ୍, କୋଟା ଏବଂ ନାରୋରାଠାରେ ଏହି ନ୍ୟୁକ୍ଲିୟ ରିଆକ୍ଟର କାର୍ଯ୍ୟ କରୁଛି  ।

ତୁମେ ଜାଣ କି ?

ଗୋଟିଏ ନିଉଟ୍ରନ ଇତ୍ସର୍ଜନ ଓ ପରେ ପରେ ୟୂରାନିୟମ ନ୍ୟୁକ୍ଲିୟସ ଦ୍ଵାରା ତାହାର ଆହରଣ ସମୟର ବ୍ୟବଧାର  ସେକେଣ୍ଡ ଅଟେ  । ତେଣୁ ଯଦି ଅନିୟନ୍ତ୍ରିତ ଶୃଙ୍ଖଳ ପ୍ରତିକ୍ରିୟା ଚାଲୁରହେ ତେବେ ତାହାମାତ୍ର  ସେକେଣ୍ଡ ବା ଏକ ମାଇକ୍ରୋ ସେକେଣ୍ଡରେ ଏକ ଶହଟି ସୋପାନରେ ଭିଖଣ୍ଡିତ ହେବ  । ଏହା ଫଳରେ ପ୍ରଚୁର ଶକ୍ତି ନିର୍ଗତ ହୋଇ ବିସ୍ଫୋରଣ ଘଟେ   । ପରମାଣୁ ବୋମାରେ ଏହାହିଁ ହୋଇଥାଏ  ଯାହାର ଭୟାବହତା ଜାପାନର ହିରୋସୀମା ଓ ନାଗାସାକି ସହରର ଅବସ୍ଥାରୁ ସହଜରେ ଅନୁମାନ କରାଯାଇପାରିବ  ।

ନ୍ୟୁକ୍ଲିୟ ଶକ୍ତିର ବ୍ୟବହାର

ନ୍ୟୁକ୍ଲିୟ ଶକ୍ତି ପୁନଃ ଅଯୋଗ୍ୟ କାରଣ ୟୂରାନିୟମ ବିଖଣ୍ଡନ ପ୍ରକ୍ରିୟା ଦ୍ଵାରା ଭଙ୍ଗା ଗଲାପରେ ନ୍ୟୁକ୍ଲିୟ ଆବର୍ଜ୍ଜନା ସହଜରେ ନଷ୍ଟ ହୋଇଥାଏ  । ତଥାପି ନ୍ୟୁକ୍ଲିୟ ଶକ୍ତିର ବ୍ୟବହାର ଅନେକ  ।

  1. ନ୍ୟୁକ୍ଲିୟର ରିଆକ୍ଟରରୁ ଉତ୍ପନ୍ନ ଶକ୍ତି ବ୍ୟବହାର କରି ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଏ  ।
  2. ବୁଡାଜାହାଜ  ଓ ଜାହାଜ ଚଳାଚଳ କ୍ଷେତ୍ରରେ ଏହି ଶକ୍ତି ବ୍ୟବହାର କରାଯାଇଥାଏ  ।
  3. ରିଆକ୍ଟର ମାଧ୍ୟମରେ ନୂଆ ନୂଆ କୃତ୍ରିମ ଆଇସୋଟେପ ସୃଷ୍ଟି କରାଯାଇପାରୁଛି । ଏହି କୃତ୍ରିମ ଆଇସୋଟେପଗୁଡିକୁ ଶିଳ୍ପ, କୃଷି ଓ ଚିକିତ୍ସା ବିଜ୍ଞାନରେ ବ୍ୟବହୃତ ହେଉଛି  ।

ନ୍ୟୁକ୍ଲିୟ ଶକ୍ତିର ସଙ୍କଟ

  1. ରିଆକ୍ଟର ଗଠନରେ ସାମାନ୍ୟତମ ଭୁଲ ରହିଗଲେ ସେଥିରେ ନିର୍ଗତ ତେଜଷ୍କ୍ରିୟ ରଶ୍ମୀ ମନୁଷ୍ୟ ଶରୀରର କୋଷକୁ ନଷ୍ଟ କରିଦିଏ  । କୋଷ ପୁନର୍ବାର ସୃଷ୍ଟି ହୋଇପାରିନଥାଏ  । ଏହି ତେଜସ୍କ୍ରିୟ ରଶ୍ମୀର ପ୍ରଭାବରୁ ରକ୍ଷା କରିବା ପାଇଁ ରିଆକ୍ଟରରେ ୟୂରାନିୟମ, ମନ୍ଦକ, ଅବଶୋଷକ ଇତ୍ୟାଦିଜୁ ଇସ୍ପାତ ଖଣ୍ଡ ବା ସୀସାଖୋଳ ମଧ୍ୟରେ ରଖାଯାଏ  । ରିଆକ୍ଟରରୁ ନିର୍ଗତ ରଶ୍ମୀ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ  । ଏ ପ୍ରକାର ଦୁର୍ଘଟଣା ଯୁକ୍ତରାଷ୍ଟ୍ରର ଥ୍ରୀମାଇଲ ଆଇଲ୍ୟାଣ୍ଡ ଓ ଋଷିଆର ଚେରନୋବିଲରେ ଥିବା ନ୍ୟୁକ୍ଲିୟ ଶକ୍ତି କେନ୍ଦ୍ରରେ ଦୁର୍ଘଟଣା ଘଟିଥିଲା  ।
  2. ବିଖଣ୍ଡନୀୟ ୟୂରାନିୟମ ରିଆକ୍ଟରରେ ବ୍ୟବହାର ହୋଇ ସାରିଲା ପରେ ରିଆକ୍ଟରରୁ ଏହା ତେଜଷ୍କ୍ରିୟ ନ୍ୟୁକ୍ଲିୟ ଆବର୍ଜନା ରୂପରେ ବାହାରେ  । ଏହି ନ୍ୟୁକ୍ଲିୟ ଆବର୍ଜନା ତେଜଷ୍କ୍ରିୟ ହୋଇଥିବାରୁ ମାନବ ଶରୀର ପ୍ରତି ଏହା ବିପଦ  । ଏହି ଆବର୍ଜନାକୁ ମାଟିତଳେ କିମ୍ବା ସମୁଦ୍ର ଶଯ୍ୟାରେ ସୀସା ଖେଳ ମଧ୍ୟରେ ରଖି ପୋତାଯାଏ  । କ୍ନ୍ତୁ ଏହା ସମ୍ପୂର୍ଣ୍ଣ ନିରାପଦ କି ନୁହେଁ ଏବେ ବି ପ୍ରଶ୍ନବାଚୀ ନ୍ୟୁକ୍ଲିୟ ଆବର୍ଜନାକୁ ନଷ୍ଟ କରିବାପାଇଁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ନିରାପଦ ଉପାୟ ବାହାରିନି  ।

ଆବଶ୍ୟକୀୟ ସାବଧାନତା ଅବଲମ୍ବନ କରି ନ୍ୟୁକ୍ଲିୟ ଶକ୍ତିର ବ୍ୟବହାର କଲେ ପରିବେଶ ପ୍ରଦୂଷଣ ଅନେକ ପରିମାଣରେ କମିଯାଏ  । କାରଣ ଏଥିରେ ସବୁଜ ଘର ଗ୍ୟାସ ଏବଂ ପ୍ରଦୂଷଣ ସୃଷ୍ଟି କରୁଥିବା ଅନ୍ୟ ଗ୍ୟାସ ସୃଷ୍ଟି ହୋଇଥାଏ  ।

ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ

ବିଶ୍ଵର ଆବଶ୍ୟକତା ଅନୁଯାୟୀ ଶକ୍ତି ଚାହିଦା ପୂରଣ ନିମନ୍ତେ ଆମେ କୋଇଲା, ଡିଜେଲ, ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ଆଦି ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ  । କ୍ରମଶଃ ସରିଆସୁଥିବା ଏହି ଜୀବାଶ୍ମଇନ୍ଧନର ଭଣ୍ଡାର ଯେତେବେଳେ ସରିଯିବ ସେତେବେଳେ କ’ଣ ହେବ ? ଏହା ବ୍ୟତୀତ ଏହାର ବ୍ୟବହାର ଦ୍ଵାରା ପରିବେଶ ଉପରେ ଯେଉଁ ପ୍ରତିକୂଳ ପ୍ରଭାବ ପଡୁଛି ସେ ବିଷୟ ବର୍ତ୍ତମାନ ଚିନ୍ତାର ବିଷୟ ଅଟେ  । ପ୍ରାକୃତିକ ଉପାୟରେ ସୃଷ୍ଟି ହେଉଥିବା ଶକ୍ତି ଉତ୍ସ ଆମେ ଚାହିଁଲେ ମଧ୍ୟ ସହଜରେ ସୃଷ୍ଟି କରିପାରିବା ନାହିଁ  । ସେଥିପାଇଁ ଅନ୍ୟାନ୍ୟ ଶକ୍ତି ଉତ୍ସ ବିଷୟରେ ଆମକୁ ଚିନ୍ତା କରିବାକୁ ହେବ ନଚେତ ଭବିଷ୍ୟତରେ ଯେଉଁ ଶକ୍ତି ସଙ୍କଟ ସୃଷ୍ଟି ହେବ ତାର ସମାଧାନ ଏତେ ସହଜ ହେବନାହିଁ  । ସେଥିପାଇଁ ଆମମାନଙ୍କୁ ନବୀକରଣ ଯୋଗ୍ୟ ଅସରନ୍ତି ଶକ୍ତି ଉତ୍ସ ସମ୍ପର୍କରେ ଜାଣିବାକୁ ପଡିବ ଏବଂ ଏହାକୁ ବହୁଳ ଭାବରେ ବ୍ୟବହାର କରିବାକୁ ମଧ୍ୟ ପଡିବ  । ଜଳ, ପବନ, ସୂର୍ଯ୍ୟକିରଣ, ଭୂତାପୀୟ ଶକ୍ତି, ସମୁଦ୍ର ଜୁଆର, ଉଦଜାନ ଓ ଜୈବିକଶକ୍ତି ବ୍ୟବହାର ଅଧିକ କରିବାକୁ ପଡିବ  । ଏଗୁଡିକ ବାରମ୍ବାର ବ୍ୟବହାର କଲେ ମଧ୍ୟ ଏହା ପ୍ରକୃତିରେ ସହଜରେ ଉପଲବ୍ଧ ହୋଇଥାଏ  । ଏହା ବ୍ୟତୀତ ଏହାର ବ୍ୟବହାର ଦ୍ଵାରା  ।

  • ପ୍ରଦୂଷକ ମାତ୍ରା ଓ ପ୍ରଦୂଷଣ, ସବୁଜଘର ଗ୍ୟାସ, ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇନଥାଏ  ।
  • ଜୀବାଶ୍ମ ରନ୍ଧନର ସଞ୍ଚୟ କରାଯାଇପାରିବ  ।
  • ଜୈବ ବିବିଧତାର ସୁରକ୍ଷା ଘଟିଥାଏ  ।
  • ଏହା ଅସରନ୍ତି ତେଣୁ ବହୁତ ଓ ବାରମ୍ବାର ବ୍ୟବହାର କଲେ ମଧ୍ୟ ଅସୁବିଧା ନାହିଁ  ।

ସୂର୍ଯ୍ୟ- ସକଳ ଶକ୍ତିର ଆଧାର

ପୃଥିବୀପୃଷ୍ଠରେ ଆମେ ଯେଉଁ ବିଭିନ୍ନ ପ୍ରକାର ଶକ୍ତି ପାଉ ସେଗୁଡିକର ମୂଳ ଉତ୍ସ ହେଉଛି ସୂର୍ଯ୍ୟ  । ବୃକ୍ଷଲତାର ଖାଦ୍ୟ ପ୍ରସ୍ତୁତ ପ୍ରକ୍ରିୟା ସୂର୍ଯ୍ୟଙ୍କଦ୍ଵାରା ସମ୍ଭବ  । ପ୍ରତ୍ୟକ ଉଦ୍ଭିଦ ଓ ପ୍ରାଣୀ ଆବଶ୍ୟକ କରୁଥିବା ଶକ୍ତି ସୂର୍ଯ୍ୟଙ୍କଠାରୁ ପାଇଥାଏ  ।

ଜୀବାଶ୍ମ ଜାଳେଣୀ, ଜଳସ୍ରୋତ ଓ ବାୟୁସ୍ରୋତର ଶକ୍ତି ଇତ୍ୟାଦି ସୃଜ୍ୟ କିରଣରୁ ହିଁ ସମ୍ଭବ  ।

ବୃକ୍ଷଲତାରେ ଯେଉଁ ରାସାୟନିକ ଶକ୍ତି ଭରି ରହିଛି, ତାହା ସେମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରୁ ହିଁ ପାଇଥାନ୍ତି  । ଏହି ବୃକ୍ଷଲତା ଉତ୍ପାଦ ଓ ପଶୁପକ୍ଷୀଙ୍କ ମାଂସ ଆମର ଖାଦ୍ୟ  । ଏହି ଖାଦ୍ୟରୁ ଶକ୍ତି ମିଳିଥାଏ  ।

କ୍ଷୀର, ଲହୁଣୀ ଓ ଅଣ୍ଡାରେ ଯେଉଁ ଶକ୍ତି ଥାଏ, ଏହା ସୂର୍ଯ୍ୟଙ୍କଠାରୁ ମିଳିଥାଏ  । ଏପରି ଆମେ କାହିଁକି କହୁ  ?

ଭୂମିକମ୍ପ ବା ପ୍ରାକୃତିକ ବିପର୍ଯ୍ୟୟରେ ଯେଉଁ ଜଙ୍ଗଲପୂର୍ଣ୍ଣ ଭୂଖଣ୍ଡ ଜୀବଜନ୍ତୁଙ୍କ ସହ ମାଟିତଳେ ପୋତିହୋଇ ପଡେ, ତାହା ଅତ୍ୟଧିକ ଚାପ ଓ ତାପମାତ୍ରାରେ କାଳକ୍ରମେ ଜୀବାଶ୍ମ ଇନ୍ଧନରେ ପରିଣତ ହୁଏ  । ନଦୀନାଳର ଜଳସ୍ରୋତ ସୂର୍ଯ୍ୟ କିରଣର ପ୍ରଭାବରୁ ସୃଷ୍ଟି ହେଉଥିବା ବୃଷ୍ଟିପାତ ହେତୁ ସମ୍ଭବ  । ସୂର୍ଯ୍ୟ କିରଣରେ ବାୟୁମଣ୍ଡଳ ବିଭିନ୍ନ ସ୍ଥାନରେ ସମାନ ଭାବରେ ଉତ୍ତପ୍ତ ହେଉନଥିବାରୁ ଚାପର ପାର୍ଥକ୍ୟ ଘଟି ବାୟୁସ୍ରୋତ ସୃଷ୍ଟି ହୋଇଥାଏ  । ଏହା କିପରି ହୋଇଥାଏ ? ଭବିଷ୍ୟତ ପାଇଁ ସୂର୍ଯ୍ୟ ହିଁ ଅସରନ୍ତି ଶକ୍ତି ଉତ୍ସ ରୂପେ କାର୍ଯ୍ୟକରିବ  । ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଶକ୍ତି ମିଳୁଥିବ । ଏହା ଆକାଶକୁ ଯେତେ ଶକ୍ତି ବିକିରଣ କରେ ତାହାର ଦୁଇଶହ କୋଟି ଭାଗରୁ ମାତ୍ର ଏକଭାଗ ଆମ ପୃଥିବୀ ପାଏ  । ଏହି ଏକଭାଗରୁ ଶତକଡା ୩୦ରୁ ୫୦ ଭାଗ ପୃଥିବୀ ଅବଶୋଷଣ  କରି  । ଅବଶିଷ୍ଟ ପ୍ରତିଫଳିତ ଓ ବିକରିତ ହୋଇ ମହାକାଶକୁ ଚାଲିଯାଏ  । ଏହି ଅବଶୋଷିତ ଶକ୍ତି ପୃଥିବୀପୃଷ୍ଠରେ ଥିବା କୋଇଲା ଓ ପେଟ୍ରୋଲରୁ ଜାତ ଶକ୍ତିଠାରୁ ଅଧିକ  । ସେଥିପାଇଁ ସୂର୍ଯ୍ୟ ସକଳ ଶକ୍ତିର ଆଧାର ଅଟେ  ।

ସୂର୍ଯ୍ୟ ଶକ୍ତି ବ୍ୟବହାର କରି ରୋଷେଇ (ସୌରରନ୍ଧକ), ଜଳଗରମ (ସୌରତାପଜ), ବିଦ୍ୟୁତ ଶକ୍ତି ଉତ୍ପାଦନ (ସୋଲାରସେଲ) ଏବଂ  ସମୁଦ୍ର ଜଳକୁ ଲବଣମୁକ୍ତ କରାଯାଏ  । ସୋଲାରସେଲ ଦ୍ଵାରା ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଏ  । ସୌର ସେଲ (ସୋଲାର ସେଲ) ସୌର ଶକ୍ତି ସିଧାସଳଖ ବିନିଯୋଗ ହୋଇ ବିଦ୍ୟୁତ ବିଭବାସ୍ତର ସୃଷ୍ଟି କରେ  । ଏହି ପଦ୍ଧତିକୁ ଆଲୋକ ଭୋଲଟୟର  ପ୍ରଭାବ କୁହାଯାଏ  । ଏହି ସୌର ସେଲରେ N ପ୍ରକାର ସିଲିକନକୁ P ପ୍ରକାର ସିଲିକନ  ଚପାଇ ରଖାଯାଏ  । ଆର୍ସେନିକ ମିଶା ସିଲିକନକୁ N ପ୍ରକାର ସିଲିକନ କୁହାଯାଏ  । ବୋରନ ମିଶା ସିଲିକନକୁ P ପ୍ରକାର କୁହାଯାଏ  । ସୌରଶକ୍ତି ପ୍ରଭାବରେ ସିଲିକନ ପରମାଣୁ ଇଲେକ୍ଟ୍ରିକ ମୁକ୍ତ ହୋଇ ବିଦ୍ୟୁତ ବିଭବାୟର ଜାତ ହୋଇ ବିଦ୍ୟୁତ ଶକ୍ତି ସୃଷ୍ଟି ହୁଏ  । ପାଣି ଗରମ କରିବା ପାଇଁ ମଧ୍ୟ ସୌରଶକ୍ତି ବ୍ୟବହାର କରାଯାଏ  । ଘରେ, ଡାକ୍ତରଖାନା ଓ ସନ୍ତରଣାଗାରରେ ସୌରତାପକୁ ବ୍ୟବହାର କରି ପାଣି ଗରମ କରାଯାଏ  । ଏହା ବ୍ୟତୀତ କାର, ତାପଜ ବିଦ୍ୟୁତ କେନ୍ଦ୍ର ଓ ଉଡାଜାହାଜ ହାଳାଚଳ ନିମନ୍ତେ ମଧ୍ୟ ସୌରଶକ୍ତି ବ୍ୟବହାର କରାଯାଇ ପାରିବ  ।

ସୌର ଶକ୍ତିର ଉପଯୋଗିତା

ପୁରାତନକାଳରୁ ସୂର୍ଯ୍ୟ କିରଣ  ଓ ତାପକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଆସୁଛେ  ।

  • ସୌରଶକ୍ତି ଦ୍ଵାରା ପରିବେଶ ପ୍ରଦୂଷିତ ହୋଇନଥାଏ  କାରଣ ଏହା ଦ୍ଵାରା କୌଣସି ରାସାୟନିକ ପଦାର୍ଥ ବା ବିଷାକ୍ତ ଗ୍ୟାସ ସୃଷ୍ଟି ହୋଇନଥାଏ  ।
  • ବିଭିନ୍ନ ବିଜ୍ଞାନ ପରୀକ୍ଷା ନିମନ୍ତେ ସୌରଶକ୍ତି ବ୍ୟବହାର କରାଯାଏ  ।
  • ମୁକ୍ତ ଭାବରେ ବର୍ଷ ବର୍ଷ ଧରି ସୌରଶକ୍ତି ଆମେ ସମସ୍ତେ ପାଇ ଆସୁଛେ ଏବଂ ଭବିଷ୍ୟତରେ ମଧ୍ୟ ପାଇ ପାରିବା  ।
  • ସୌର ଶକ୍ତି ବ୍ୟବହାର କରି ସୌର ରନ୍ଧକ, ସୌର ତାପକ (ସମୁଦ୍ର ଜଳକୁ ପାତନ ପଦ୍ଧତି ବ୍ୟବହାର କରି ପାନୀୟ ଜଳ ପାଇବା ପାଇଁ ସୌର ତାପକ), ଟ୍ରାଫିକ ସିଗନାଲ ପାଇଁ ବ୍ୟବହୃତ ଲାଇଟ, ମହାକାଶରେ ଉପଗ୍ରହ ଯନ୍ତ୍ରପାତି ଚଳାଇବା, ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ସମ୍ଭବ ହେଉଛି  ।

ସୌର ଶକ୍ତି ସକଳ ଶକ୍ତିର ଆଧାର ହେଲେ ମଧ୍ୟ ଏହାର  ବ୍ୟବହାରର ଏକ ସୀମା ଅଛି  । ଏହା ସବୁବେଳେ ପାଇବା ମଧ୍ୟ ସମ୍ଭବ ନୁହେଁ  । ସୂର୍ଯ୍ୟ କିରଣ ନପାଇଲେ ସୌର ବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତଶକ୍ତି ମିଳିବ ନାହିଁ  । ରାତ୍ରୀ ସମୟରେ ଏବଂ ମେଘୁଆ ପାଗବେଳେ ସୂର୍ଯ୍ୟଠାରୁ କୌଣସି ଶକ୍ତି ମିଳିନଥାଏ  । ସୌର ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ଅର୍ଥସାପେକ୍ଷ ଓ ଏହାର ରକ୍ଷଣାବେକ୍ଷଣ ମଧ୍ୟ କଷ୍ଟସାଧ୍ୟ  । ସୋଲାର ପ୍ୟାନେଲକୁ ବାରମ୍ବାର ସଫା ଓ ରକ୍ଷଣାବେକ୍ଷଣ ନ କଲେ ବିଦ୍ୟୁତ ଶକ୍ତିର ପରିମାଣ କମିଯାଏ  ।

ଅସୁବିଧା ଥିଲେ ମଧ୍ୟ ସୌରଶକ୍ତି ବ୍ୟବହାର କଲେ ଆମେ ନବୀକରଣ ଅଯୋଗ୍ୟ ସମ୍ପଦ ଖର୍ଚ୍ଚ ମାତ୍ରା ବହୁତ ପରିମାଣରେ କମାଯାଇପାରିବ  ।

ପବନ ଶକ୍ତି

ପବନ ଶକ୍ତି ଆଉ ଏକ ଶକ୍ତି ଉତ୍ସ ଯାହା ପରିବେଶ ଅନୁକୂଳ  । ସୌର ଶକ୍ତି ପରି ପବନ ଶକ୍ତି ମଧ୍ୟ ପାଣିପାଗ ଓ ସ୍ଥାନ ଉପରେ ନିର୍ଭରଶୀଳ  । ତଥାପି ବହୁବର୍ଷ ପୂର୍ବେ ଏହି ଶକ୍ତିର ସଦୁପଯୋଗ କରି ପାଲଟଣା ଡଙ୍ଗା, ପାଲଟଣା ଜାହାଜ, କାଠଚିରା, ଅଟାପେଷା, ତେଲପେଡା ଇତ୍ୟାଦି କାର୍ଯ୍ୟ କରାଯାଉଥିଲା  । ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ହୋଇଥିବାରୁ ଏହାକୁ ବ୍ୟବହାର କରାଯାଇପାରିଲେ ଏଥିରୁ ମଧ୍ୟ ବହୁତଶକ୍ତି ମିଳିପାରିବ  ।

ପବନ କଳ ସାହାଯ୍ୟରେ ବାୟୁର ଗତିଜ ଶକ୍ତିରୁ ଜେନେରେଟର ଚଳାଇ ବିଦ୍ୟୁତ ଶକ୍ତି ଉତ୍ପାଦନ କରିହୁଏ  । ଏହି କଳରେ କେତେଗୁଡିଏ ପ୍ରପେଲର ଖଞ୍ଜାଯାଇଥାଏ  । ଏହି କଳକୁ ଗୋଟିଏ ଉଚ୍ଚ ଇସ୍ପାତ ନିର୍ମିତ ଟାୱାର ଉପରେ ରଖାଯାଇଥାଏ  । ବାୟୁ ପ୍ରବାହରେ ପ୍ରପେଲର ଘୁରେ, ତାହାସହ ସଂଯୁକ୍ତ ଜେନେରେଟର ଘୁରେ ଓ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଥାଏ  । ତୁମେମାନେ ସମସ୍ତେ ପବନ କଳ ଦେଖିଥିବ  । କୃଷିକ୍ଷେତ୍ରରେ ପମ୍ପ ଚଳାଇବାପାଇଁ ମଧ୍ୟ ପବନକଳ ବ୍ୟବହାର କରାଯାଏ  ।

ପବନ ଶକ୍ତିର ଉପଯୋଗିତା  ।

  • ପବନ ଶକ୍ତି ବିନା ମୂଲ୍ୟରେ ମିଳିଥାଏ  ।
  • ଏହା ଦ୍ଵାରା ପରିବେଶ ପ୍ରଦୂଷିତ ହୋଇନଥାଏ  । ଜୀବାଶ୍ମ ଇନ୍ଧନ ଜାଳେଣୀରୁ ମିଳୁଥିବା ଅବଶେଷ ପରି ଏଥିରୁ କୌଣସି ଅବଶେଷ ମିଳିନଥାଏ  ।
  • ଏହା ଏକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ  ।
  • କୃଷିକ୍ଷେତ୍ରରେ ପବନ କଳକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇ ପାରେ  ।
  • ପବନ କଳ ଦ୍ଵାରା ଚାଷକାର୍ଯ୍ୟ ବେଳେବେଳେ ଟୁରିଷ୍ଟମାନଙ୍କୁ ଆକର୍ଷଣ କରିଥାଏ  ।

ପବନ ଶକ୍ତିର ଅସୁବିଧା

  • ସବୁବେଳେ, ସବୁସମୟରେ ଏବଂ ସବୁ ସ୍ଥାନରେ ଆବଶ୍ୟକ ଅନୁଯାୟୀ ପବନ ମିଳିନଥାଏ  ।
  • ପବନକୁ ସଂରକ୍ଷଣ କରି ରଖାଯାଇପାରିବ  । ନାହିଁ ତେଣୁ ଏହା କେବଳ ବହୁଥିବା ସମୟରେ ବ୍ୟବହାର କରାଯାଇ ପାରିବ  ।
  • ଏକ ନିର୍ଦ୍ଧିଷ୍ଟ ବେଗରେ ହିଁ ପବନ କଳ ସାହାଯ୍ୟରେ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇଥାଏ  କିନ୍ତୁ ସବୁବେଳେ ସବୁ ସମୟରେ ଏହି ନିର୍ଦ୍ଧିଷ୍ଟ ବେଗରେ ପବନ ହୋଇନଥାଏ  । ବେଗ କମିଗଲେ ବିଦ୍ୟୁତଶକ୍ତି ଉତ୍ପାଦନରେ ବ୍ୟାଘାତ ଘଟିଥାଏ  ।
  • ପବନ କଳର ଦକ୍ଷତା ଖୁବ୍ ବେଶୀରେ ଶତକଡା ୪୨ ହୋଇଥାଏ  ।
  • ଅତି ବେଗରେ ପବନ ବହିଲେ ବା ବାତ୍ୟା ହେଲେ ପବନକଳ ଭାଙ୍ଗିଯାଏ  ।
  • ସମୁଦ୍ରକୁଳ ହେଉ କିମ୍ବା ସମୁଦ୍ରକୂଳ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ଅଧିକ ପବନକଳ ବ୍ୟବହାର ଦ୍ଵାରା ଧ୍ୱନି ପ୍ରଦୂଷଣ ହୋଇଥାଏ ଯାହା ଜନବସତି ଉପରେ କୁପ୍ରଭାବ ପକାଇଥାଏ  ।
  • ପ୍ରାକୃତିକ ଦୃଶ୍ୟ ଏହା ଦ୍ଵାରା କ୍ଷତିଗ୍ରସ୍ତ ହୋଇଥାଏ  ।
  • ଏହାର ପ୍ରପେଲର ସଂସ୍ପର୍ଶରେ ଆସି ପକ୍ଷୀ ମୃତ୍ୟୁବରଣ କରିବା ସମ୍ଭାବନା ଅଧିକ  ।

ପବନକଳର କାର୍ଯ୍ୟକାରିତା

ଯାନ୍ତ୍ରିକ ଶକ୍ତି ଦ୍ଵାରା ଅନ୍ୟ ଶକ୍ତି ସୃଷ୍ଟି କରିବା ପବନକଳର ମୁଖ୍ୟ କାର୍ଯ୍ୟ  । ଏଥିରେ ବ୍ଲେଡ ଥାଏ  । ଏହାର ବ୍ୟାସ ପ୍ରାୟ ୬ ମିଟର  । ଅନୁଲମ୍ବ ଭାବରେ ଏହା ରଖାଯାଇଥାଏ  । ବାୟୁ ପ୍ରବାହରେ ପ୍ରପେଲର ଘୁରିଥାଏ  । ପ୍ରପେଲର (ବ୍ଲେଡ) ଘୂରିବା ଦ୍ଵାରା ତାହା ସହ ସଂଯୁକ୍ତ ଜେନେରେଟର ଘୁରେ ଏବଂ ଯାନ୍ତ୍ରିକ ଶକ୍ତି ବିରଯୁତ ଶକ୍ତିରେ ରୂପାନ୍ତରିତ ହୋଇଥାଏ  । ବ୍ଲେଡଗୁଡିକୁ ଏପରି ଭାବରେ ଖଞ୍ଜାଯାଇଥାଏ ଯେପରି ଏହା ଜୋରରେ ଘୁରିଥାଏ ଏବଂ ବିଦ୍ୟୁତଶକ୍ତି ଉତ୍ପାଦରେ ସହାୟକ ହୋଇଥାଏ  ।

କିନ୍ତୁ ପୂର୍ବରୁ ପବନକଳ ସାହାଯ୍ୟରେ ପାଣି ଉଠାଇବା, ତେଲପେଡିବା, ଶସ୍ୟ ପେଷିବା ଇତ୍ୟାଦି କାର୍ଯ୍ୟ କରାଯାଉଥିଲା  । ଏହାକୁ କେବଳ କୃଷି କ୍ଷେତ୍ରରେ ବ୍ୟବହାର କରାଯାଉଥିଲା  । ବର୍ତ୍ତମାନ ବିଦ୍ୟୁତ ଶକ୍ତି ଉତ୍ପାଦନରେ ଏହାକୁ ବ୍ୟବହାର କରାଯାଉଛି  । ବିଦ୍ୟୁତ ଶକ୍ତି ଉତ୍ପାଦନ ପବନର ବେଗ ଉପରେ ନିର୍ଭରଶୀଳ । ପବନକଳର ବ୍ଲେଡ ବୁଲିବା ପାଇଁ ପବନର ବେଗ ଘଣ୍ଟାପ୍ରତି ୨୫ କିଲୋମିଟର ହେବା ନିହାତି ଆବଶ୍ୟକ  ।

ଜଳବିଦ୍ୟୁତ ଶକ୍ତି କେନ୍ଦ୍ର

ପବନଶକ୍ତି ଭଳି ଜଳ ଓ ନଦୀ ବନ୍ଧ ଯୋଜନାରେ ରଖାଯାଇଥିବା ଜଳ ମଧ୍ୟ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ପାଇଁ ଆବଶ୍ୟକ ଅଟେ  । ଅଧିକ ବିକାଶ ଓ ଅଧିକ ଜଳ ବ୍ୟବହାର ଦ୍ଵାରା ସ୍ଥାନୀୟ ଅଞ୍ଚକ ଓ ଅଞ୍ଚଳବାସୀ ପ୍ରତି ବିପଦର କାରଣ ହୋଇଥାଏ  ।

ପ୍ରାକୃତିକ ଅବସ୍ଥାରେ ପ୍ରବାହିତ ଜଳସ୍ରୋତ ଦ୍ଵାରା ଟରବାଇନ ଚଳାଇ ଯେଉଁ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇଥାଏ, ତାହାକୁ ଜଳ ବିଦ୍ୟୁତ ଶକ୍ତି କୁହାଯାଏ  । ବନ୍ଧ ବାନ୍ଧି ଜଳକୁ ସଂଗ୍ରହ କରି ଏକ ଉଚ୍ଚ ସ୍ଥାନରେ ନିମ୍ନ ସ୍ଥାନକୁ ପ୍ରବାହିତ କରାଇବା ଦ୍ଵାରା ମଧ୍ୟ ଟରବାଇନ ଚଳାଯାଇଥାଏ  । ଟରବାଇନ ଦ୍ଵାରା ସଂଯୁକ୍ତ ଜେନେରେଟର ଘୂରିବା ଦ୍ଵାରା ବିଦ୍ୟୁତ ଶକ୍ତି ଉତ୍ପାଦନ ହୁଏ  । ଡ୍ୟାମରେ ଅଧିକ ପରିମାଣର ଜଳକୁ ଉଚ୍ଚସ୍ଥାନରେ ସଂରକ୍ଷିତ କରି ରଖାଯାଇଥାଏ  । ଏହା ଦ୍ଵାରା ଜଳର ସ୍ଥିତିଜ ଶକ୍ତି ରହିଥାଏ  । ଯେତେବେଳେ ଜଳ ଟରବାଇନ ଉପରେ ପଡିଥାଏ  ସେତେବେଳେ ଏହା ଗତିଜ ଶକ୍ତିରେ ରୂପାନ୍ତରିତ ହୁଏ  । ଯଦିଓ ନଦୀବନ୍ଧ ଯୋଜନାରେ ପ୍ରାଥମିକ ଅଟକଳ ଅଧିକ ବ୍ୟୟବହୁଳ ହୋଇଥାଏ  କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍ ହୁଏ  । ଏଥିରୁ ଉତ୍ପାଦନ ବିଦ୍ୟୁତଶକ୍ତି ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ  । ଜଳ ବିଦ୍ୟୁତ କେନ୍ଦ୍ରର କ୍ଷମତା ଜଳଭଣ୍ଡାରର ଉଚ୍ଚତା ଓ ଜଳସ୍ରୋତର ଗତି ଉପରେ ନିର୍ଭରଶୀଳ  । ଜଳଭଣ୍ଡାରର ଉଚ୍ଚତା ଯେତେ ଅଧିକ, ଜଳ ସ୍ରୋତର ପ୍ରବାହ ସେତେ ଅଧିକ  । ଏହା ଦ୍ଵାରା ଟରବାଇନର ଆର୍ମେଚର ସେତେ ଜୋରସରେ ଘୁରିଥାଏ  । ସେଥିପାଇଁ ବଡ ବଡ ଜଳଭଣ୍ଡାର ନଦୀ କିମ୍ବା ଅଧିକ ଜଳ ଗଚ୍ଛିତ ହେଉଥିବା ସ୍ଥାନରେ ତିଆରି ହୋଇଥାଏ  ।

ଜଳ ବିଦ୍ୟୁତ ଶକ୍ତିର ଉପଯୋଗିତା

  1. ଜଳବିଦ୍ୟୁତ କେନ୍ଦ୍ରରେ ବ୍ୟବହୃତ ଜଳ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଅଟେ  ।
  2. ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ ତୁଳନାରେ ଏହା ବ୍ୟୟବହୁଳ ନୁହେଁ  ।
  3. ନିରବଚ୍ଛିନ୍ନ ଭାବରଏ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଇପାରିବ ଯାହା ଜଳ ଉପରେ ନିର୍ଭରଶୀଳ  ।
  4. ଜଳ ବିଦ୍ୟୁତ କେନ୍ଦ୍ରରେ ବ୍ୟବହୃତ ଜଳ ଜଳସେଚନ ପ୍ରକ୍ରିୟା ଦ୍ଵାରା ଚାଷ ଜମିକୁ ଜଳ ଯୋଗାଇ ଦିଆଯାଏ  ।
  5. ଜଳ ବିଦ୍ୟୁତ ଶକ୍ତି ତିଆରି ସମୟରେ କିଛି ପ୍ରଦୂଷିତ ପଦାର୍ଥ ନବାହାରୁଥିବାରୁ ଏହା ପ୍ରଦୂଷଣରେ ସାହାଯ୍ୟ କରେ ନାହିଁ  ।

ଜଳବିଦ୍ୟୁତ କେନ୍ଦ୍ରର ବ୍ୟବହାରର ସୀମା

  • ଜଳବିଦ୍ୟୁତ କେନ୍ଦ୍ର ଆମ ସୁବିଧା ଅନୁସାରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସ୍ଥାପନ କରାଯାଇ ପାରିବନାହିଁ  ।
  • ଜଳସ୍ରୋତର ବେଗ ଥିବ କିମ୍ବା ଅଧିକ ଉଚ୍ଚତାରେ ଜଳ ରଖିବାଭଳି ଉପଯୁକ୍ତ ସ୍ଥାନ ଆବଶ୍ୟକ  ।
  • ଜଳଭଣ୍ଡାର ତିଆରି ଅଧିକ ବ୍ୟୟସାପେକ୍ଷ  ।
  • ଜଳ ଓ ଜଳସ୍ରୋତ ଅଧିକ ଥିଲେ ହେଁ ଜଳବିଦ୍ୟୁତ କେନ୍ଦ୍ର ସ୍ଥାପନ କରି ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇପାରିବ  ।

ଭୂତାପୀୟ ଶକ୍ତି

ଭୂତାପୀୟ ଶକ୍ତି ଅନ୍ୟ ଏକ ବିକଳ୍ପ ଶକ୍ତି ଉତ୍ସ ଅଟେ  । ପୃଥିବୀର ଆଭ୍ୟନ୍ତରରେ ଥିବା ତାପଶକ୍ତିକୁ କେତେକ ନିର୍ଦ୍ଧିଷ୍ଟ ପ୍ରାକୃତିକ ପ୍ରକ୍ରିୟା ଦ୍ଵାରା ନିୟନ୍ତ୍ରଣ କରି ବ୍ୟବହାର କରାଯାଇପାରିବ  । ଏହାକୁ ଭୂତାପୀୟ ଶକ୍ତି କୁହାଯାଏ  । ଆମେ ଜାଣୁ ପୃଥିବୀର ଗଭୀରତମ ସ୍ଥାନଗୁଡିକ ଅଧିକ ଉତପ୍ତ  । ଏହି ତାପ ଶିଳାଖଣ୍ଡକୁ ମଧ୍ୟ ତରଳାଇପାରେ  । ରୋମାନ ସଭ୍ୟତା ସମୟରୁ ହିଁ ଏହି ଭୂତାପୀୟ ଶକ୍ତିର ବ୍ୟବହାର ଜଣାଥିଲା  । ବର୍ତ୍ତମାନ ଏହାକୁ ବ୍ୟବହାର କରି ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇପାରିବ  । ଆଗ୍ନେୟଗିରି, ଉଷ୍ଣ ପ୍ରସବଣ ଆଦିକୁ ଉତ୍ତପ୍ତ ସ୍ଥାନ କୁହାଯାଏ  ।

ପୃଥିବୀର ଆଭ୍ୟନ୍ତରରେ ଥିବା ତରଳଶିଳାକୁ ମାଗମା ବୋଲି କୁହାଯାଏ  । କେତେକ ଅଞ୍ଚଳରେ ଭୂଭାଗରେ ପରିବର୍ତ୍ତନ ଏହି ମାଗ୍ମା ଉପରକୁ ଠେଲିଦିଏ  । ଫଳରେ ଏହା ଭୂପୃଷ୍ଠରେ କିଛି ଗଭୀରତାରେ ରହିଯାଏ  । ଏହି ସ୍ଥାନମାନଙ୍କୁ ଉତ୍ତପ୍ତ ସ୍ଥାନ କୁହାଯାଏ ଏବଂ ଏହି ସ୍ଥାନଗୁଡିକ ଭୂତାପୀୟ ଶକ୍ତିର ଉତ୍ସ ଭଳି କାର୍ଯ୍ୟକରେ  । ପୃଥିବୀର ଅନ୍ତଃସ୍ଥଳର ତାପମାତ୍ରା ପ୍ରାୟତଃ ୭୦୦ ଡିଗ୍ରୀ ସେଲସିୟସ, ଯାହା ଭୂତାପୀୟ ଶକ୍ତିର ଉତ୍ସରୂପେ କାର୍ଯ୍ୟକରେ  ।

ପ୍ରଶ୍ନ ଉଠେ ଭୂତାପୀୟ ଶକ୍ତି ମିଳେ କିପରି  ?

ଭୂତଳ ଜଳ ଏହି ଉତ୍ତପ୍ତ ସ୍ଥାନମାନଙ୍କ ସଂସ୍ପର୍ଶରେ ଆସି ବାଷ୍ପରେ ପରିଣତ ହୁଏ  । ଏହି ବାଷ୍ପ ଶିଳାଖଣ୍ଡ ମଧ୍ୟରେ ରହି ଉଚ୍ଚଚାପ ସୃଷ୍ଟି କରେ  । ଉତ୍ତପ୍ତ ସ୍ଥାନ ପର୍ଯ୍ୟନ୍ତ ପାଇପମାନ ଭର୍ତ୍ତିକରି ଏହି ବାଷ୍ପ ସଂଗ୍ରହ କରାଯାଏ  । ଅତ୍ୟଧିକ ଚାପରେ ଏହି ବାଷ୍ପ ବାହାରି ଜେନେରେଟର ଟରବାଇନକୁ ଘୂରାଏ ଏବଂ ବିଦ୍ୟୁତ ଶକ୍ତି ଉତ୍ପନ୍ନ କରେ  । ସାଧାରଣତଃ ଆଗ୍ନେୟଗିରି ନିର୍ଗତ ଅଞ୍ଚଳ ଓ ଉଷ୍ଣ ପ୍ରସବଣ ଥିବା ସ୍ଥାନମାନଙ୍କରେ ଏହି ଭୂତାପୀୟ ଶକ୍ତିକୁ ବ୍ୟବହାର କରାଯାଏ  ।

ଭୂତାପୀୟ ଶକ୍ତିର ଉପଯୋଗିତା

  1. ଏହା ଦ୍ଵାରା ପରିବେଶ ପ୍ରଦୂଷଣ ହୋଇନଥାଏ  । ଏହା ଦ୍ଵାରା କୌଣସି କ୍ଷତିକାରୀ ପଦାର୍ଥ ସୃଷ୍ଟି ହୋଇନଥାଏ  ।
  2. ଅଳ୍ପ ଅର୍ଥ ବ୍ୟୟରେ ଏହାକୁ ସ୍ଥାପନ କରାଯାଇଥାଏ । କଞ୍ଚାମାଲ କିଣିବା କିମ୍ବା ନେବାଆଣିବା ଇତ୍ୟାଦିରେ ଟଙ୍କା ଖର୍ଚ୍ଚ ହୋଇଥାଏ  ।
  3. ଏହା ଏକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଓ ଲାଭଦାୟକ ଅଟେ  ।
  4. ୨୪ ଘଣ୍ଟା ଧରି ଏଥିରୁ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଇପାରିବ  ।
  5. ଏହା ଛୋଟ ହୋଇଥିବା ଯୋଗୁଁ ପରିବେଶ କିମ୍ବା ଜନବସତି ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇନଥାଏ  ।

ଭୂତାପୀୟ ଶକ୍ତି ଉପଯୋଗରେ ସୀମା

ଯଦିଓ ଭୂତାପୀୟ ଶକ୍ତି ଅନେକ ଉପଯୋଗିତା ଅଛି ତାର ବ୍ୟବହାର ସୀମା ମଧ୍ୟ ଅଛି  ।

  1. ସାମାନ୍ୟ ଅସାବଧାନ ହେଲେ ଏହାର ଉତ୍ପାଦନ ସମୟରେ ଅନେକ ପ୍ରଦୂଷିତ ପଦାର୍ଥ ବାହାରିଥାଏ  ।
  2. ସମୟେ ସମୟେ ଏହି ପ୍ରଦୂଷିତ ପଦାର୍ଥ ଦୂଷିତ ମିନେରାଲ ଏବଂ ବାଷ୍ପ ହୋଇଥାଏ  ।

ତୁମେ ଜାଣ କି

ପୃଥିବୀକୁ ତିନୋଟି ବଡ ଅଂଶରେ ବିଭକ୍ତ କରାଯାଇପାରେ – ମାଗ୍ମା, ଅନ୍ତଃସ୍ତର ଏବଂ ବହିସ୍ତର  । ଅନ୍ତଃସ୍ତର ପୃଥିବୀର କେନ୍ଦ୍ରରେ ଥାଏ  । କେନ୍ଦ୍ର ଆଡକୁ ଗଲେ ତାପ ଓ ଚାପ ବୃଦ୍ଧି ପାଏ  । ଜଣେ ଅନ୍ତଃ ସ୍ତରରୁ ବାହ୍ୟ ସ୍ତରକୁ ଗତିକଲେ, ମ୍ୟାଣ୍ଟେଲ ଓ ଭୂପୃଷ୍ଠ ସ୍ତରରେ ପହଞ୍ଚିବ  । ଭୂ – ପୃଷ୍ଠତଳକୁ ମ୍ୟାଣ୍ଟେଲସ୍ତର ଅଛି  । ୨୯୦୦ km ତଳକୁ ଗଲେ ପୃଥିବୀ ତାପମାତ୍ରା  ସେଲସିୟସ ଅଟେ  । ବହିଃସ୍ତରର ତାପମାତ୍ରା C ଓ  C  । ମ୍ୟାଣ୍ଟେଲ ସ୍ତର ଶେଷ ହେଲେ ବାହ୍ୟସ୍ତର ଆରମ୍ଭ ହୁଏ, ଏବଂ ଏହା ଏକକ୍ରି ୨,୨୫୦ କି.ମି. ବ୍ୟାପ୍ତ  । ଅନ୍ତଃସ୍ତର ଭୂ-ପୃଷ୍ଠ ସ୍ତରର ପ୍ରାୟ ୬୪୦୦ କି.ମି. ତଳେ ଅବସ୍ଥିତ  । ପୃଥିବୀର ଅନ୍ତଃସ୍ଥଳର ତାପମାତ୍ରା ପ୍ରାୟତଃ  C ପୃଥିବୀ ଅନ୍ତଃସ୍ତର ଏହି ତାପମାତ୍ରା ଭୂତାପୀୟ ଶକ୍ତିର ଉତ୍ସଅଟେ  ।

ସମୁଦ୍ର – ଶକ୍ତିର ଉତ୍ସ

ସମୁଦ୍ର ଏକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ରୂପେ କାର୍ଯ୍ୟକରିଥାଏ  । ସମୁଦ୍ର ଜୁଆର ଭଟ୍ଟା ଓ ସମୁଦ୍ରପୃଷ୍ଠ ଭାଗ ଓ ଗଭୀର ଜଳ ମଧ୍ୟରେ ତାପମାତ୍ରା ପ୍ରଭେଦକୁ ବ୍ୟବହାର କରି ଶକ୍ତି ଉତ୍ପାଦନ କରାଯାଏ  ।

ସାମୁଦ୍ରିକ ଢେଉ :

ସମୁଦ୍ର ବକ୍ଷରେ ବିଭିନ୍ନ ପ୍ରକାର ଢେଉ ସୃଷ୍ଟି ହୁଏ  । ଉପର – ତଳ କିମ୍ବା ପାଶ୍ଚାଦ – ଅଗ୍ର ତରଙ୍ଗକୁ ବ୍ୟବହାର ଶକ୍ତି ସୃଷ୍ଟି କରାଯାଇପାରେ  । ସାମୁଦ୍ରିକ ଢେଉ ଗତିଜ ଶକ୍ତିର ଅଧିକାରୀ  । ଏହି ଶକ୍ତିକୁ ବ୍ୟବହାର କରି ଟରବାଇନ ଘୂରାଯାଇ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇପାରିବ  । ଯେତେବେଳେ ଚାମ୍ବର ମଧ୍ୟକୁ ଢେଉ ପ୍ରବେଶ କରେ ସେତେବେଳେ ଚାମ୍ବର ମଧ୍ୟରେ ଥିବା ବାୟୁ ନିଷ୍କାସିତ ହୁଏ  । ଏହି ନିଷ୍କାସିତ ବାୟୁ ଚାମବାର ମଧ୍ୟରେ ଥିବା ଟରବାଇନକୁ ଘୁରାଇବା ଦ୍ଵାରା ଜେନେରେଟର ଦ୍ଵାରା ବିଦ୍ୟୁତ ଶକ୍ତି ଉତ୍ପନ୍ନ ହୁଏ  । ଚାମ୍ବର ମଧ୍ୟରୁ ଯେତେବେଳେ ଦେଇ ତଳକୁ ଖସିଯାଏ ସେତେବେଳେ ଟରବାଇନ ବାୟୁ ପୁନଶ୍ଚ ଚାମ୍ବର ମଧ୍ୟକୁ ଫେରିଆସେ  । ଏହି ଗୋଟିଏ ପ୍ରକାର ମାଧ୍ୟମ ବ୍ୟବହାର ଦ୍ଵାରା ସାମୁଦ୍ରିକ ଢେଉକୁ ବ୍ୟବହାର ଉପଯୋଗୀ ବିଦ୍ୟୁତ ଶକ୍ତି ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଏ  ।

ଜୁଆର ଶକ୍ତି

ଜୁଆର ଓ ଭଟ୍ଟା ମଧ୍ୟରେ ଜଳପତ୍ତନର ପାର୍ଥକ୍ୟ ରହେ  । ଦିନକ ମଧ୍ୟରେ ଦୁଇଥର ଜୁଆର ଓ ଭଟ୍ଟା ହୁଏ  । ସମୁଦ୍ର କୂଳକୁ ଯେତେବେଳେ ଜୁଆର ଆସେ ସେତେବେଳେ ଏହାକୁ ଅଳଭଣ୍ଡାର ତିଆରି କରି ସୁଇସଗେଟ୍ ବ୍ୟବହାର ଜଳାଶୟ ମଧ୍ୟରେ ପାଣି ରଖାଯାଏ  । ଜଳ ପ୍ରବେଶ କଲାପରେ ଗେଟ ବନ୍ଦ କରାଯାଏ  । ପରେ ଜଳକୁ ଉଚ୍ଚପତନରୁ ନିୟନ୍ତ୍ରଣ କରି ଖଲାସ କରାଯାଏ  ଏବଂ ଖଲାସ ହେଉଥିବା ଜଳସ୍ରୋତରେ ଟରବାଇନ ଘୂରୁଥାଏ  । ଟରବାଇନ ଘୂରିବା ଦ୍ଵାରା ଜେନେରେଟର  ସାହାଯ୍ୟରେ ବିଦ୍ୟୁତ ଶକ୍ତି ଉତ୍ପାଦନ କରିଥାଏ  । ପୁନଶ୍ଚ ଗେଟ ଖୋଲିଦେଲେ ଜଳ ଫେରିଯାଏ  । କାନାଡା ଓ ଫ୍ରାନ୍ସରେ ଏହିପରି ଶକ୍ତି ଉତ୍ପାଦନ କରାଯାଏ  । ସୁଦୀର୍ଘ ସମୁଦ୍ର ଉପକୂଳ ଏଥିପାଇଁ ଅନୁକୂଳ  । ଏହା ସମ୍ଭବ ହେଲେ ବିଦ୍ୟୁତଶକ୍ତି ଉତ୍ପାଦନ ଓ ଜଳସେଚନ ସମୃଦ୍ଧ ହୁଏ  ।

ସାମୁଦ୍ରିକ ତାପଜ ଶକ୍ତି

ସମୁଦ୍ର ପୃଷ୍ଠଭାଗ ଓ ଗଭୀର ଜଳମଧ୍ୟରେ ତାପମାତ୍ରା ପ୍ରଭେଦକୁ ବ୍ୟବହାର କରି ଶକ୍ତି ସଂଗ୍ରହ କରାଯାଇପାରିବ  । ସମୁଦ୍ରରେ ପହଁରିଲା ବେଳେ କିମ୍ବା ଗଭୀରକୁ ବୁଡିଲା ବେଳେ ଆମକୁ ଅଧିକତ ଥଣ୍ଡାଲାଗେ  । ସୂର୍ଯ୍ୟ କିରଣ ଯୋଗୁଁ ସମୁଦ୍ରପୃଷ୍ଠ ଗରମ ଲାଗେ କିନ୍ତୁ ଯେତେ ତଳକୁ ଯିବା ଆମକୁ ଥଣ୍ଡା ଲାଗେ  । ସ୍କୁଭା ଦାଇଭର ସେଥିପାଇଁ ଏକ ସ୍ଵତନ୍ତ୍ର ଧରଣର ପୋଷାକ ପିନ୍ଧିଥାନ୍ତି ଏହି ଥଣ୍ଡାରୁ ମୁକ୍ତି ପାଇବା ପାଇଁ  । ଏହା ପିନ୍ଧିବା ଦ୍ଵାରା ସେମାନଙ୍କ ଶରୀର ଉଷୁମ ରହିଥାଏ  ।

ସମୁଦ୍ରପୃଷ୍ଠ ଓ ଗଭୀର ମଧ୍ୟରେ ତାପମାତ୍ରାର ପ୍ରଭେଦକୁ ବ୍ୟବହାର କରି ଶକ୍ତି ସଂଗ୍ରହ କରାଯାଏ  । ଏହାକୁ ସାମୁଦ୍ରିକ ତାପଜ ଶକ୍ତି ବା ସଂକ୍ଷେପରେ OTEC କୁହାଯାଏ  ।

ଯେଉଁ ଯନ୍ତ୍ର ସାହାଯ୍ୟରେ ଏହି ସାମୁଦ୍ରିକ ଶକ୍ତି ଉପଯୋଗ କରାଯାଏ  ତାକୁ ସାମୁଦ୍ରିକ ଶକ୍ତି ରୂପାନ୍ତରଣ ପାୱାର ପ୍ଲାଣ୍ଟ କୁହାଯାଏ  । ପୃଷ୍ଠ ଭାଗ ଓ ୧୦୦ ମିଟର ଗଭୀର ଜଳ ତାପମାତ୍ରାରେ ପ୍ରଭେଦ ପ୍ରାୟ  ମ ବା ତଦୁର୍ଦ୍ଧ୍ଵ ହୋଇପାରେ  । ଏହି ତାପମାତ୍ରା ପ୍ରଭେଦକୁ ବ୍ୟବହାରକରି ବର୍ଷର ସବୁ ସମୟରେ ଶକ୍ତି ଉପଲବ୍ଧ ହୋଇଥାଏ  । ବର୍ତ୍ତମାନ ଜାପାନ ଓ ହାୱାଇ ଦ୍ଵିପପୁଞ୍ଜରେ ଏହାକୁ ପରୀକ୍ଷାମୂଳକ ଭାବରେ ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଛି  ।

ସାମୁଦ୍ରିକ ଶକ୍ତିର ଉପଯୋଗିତା ଓ ଅପକାରିତା

ସମୁଦ୍ରର ଶକ୍ତି, ଏହାର ଜୁଆର ଉପରେ ପର୍ଯ୍ୟବେଶିତ  । ପବନଶକ୍ତି ଅପେକ୍ଷା ସାମୁଦ୍ରିକ ଶକ୍ତି ବ୍ୟବହାର ଉପଯୋଗୀ କାରଣ ଏହା ସ୍ଥିର ଓ ଆଶାଜନିତ  । ଜଳର ସାନ୍ଧ୍ରତା ଅନୁଯାୟୀ ଅଳ୍ପ ଟରବାଇନ ବ୍ୟବହାର କରି ଶକ୍ତି ମିଳିଯାଇପାରିବ ଯାହାକି ପବନ ଶକ୍ତି ଅପେକ୍ଷା ଅଧିକ  । ଏହା ସତ୍ତ୍ୱେ ଏହା ପରିବେଶ ଅନୁକୂଳ ନୁହେଁ  କାରଣ ଶକ୍ତି ଉତ୍ପାଦନ ନିମନ୍ତେ ଯେଉଁଠାରେ ଏହାକୁ ଆବଦ୍ଧ କରି ରଖାଯିବ  । ସେ ସ୍ଥାନରେ ଏହା ପରିବେଶ ପ୍ରତି କୁପ୍ରଭାବ ପକାଇବ  ।

ଜୈବ ଶକ୍ତି

କାଠ, ଗୋବର, ପରିବା ଚୋପା, ଆବର୍ଜନା ଓ କେତେକ ଶିଳ୍ପଜାତ ଜୈବ ଆବର୍ଜନାରୁ ଶକ୍ତି ମିଳିପାରେ  । ଏହି ଜୈବ ପଦାର୍ଥକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ ଯଥା ନୂତନ ଉଦ୍ଭିଦ, ଅବଶେଷ ଓ ଆବର୍ଜ୍ଜନା  । ଅନ୍ୟାନ୍ୟ ଶକ୍ତି ପରି ଏଥିରେ ମଧ୍ୟ ସୂର୍ଯ୍ୟଙ୍କ ଯୋଗୁଁ ଶକ୍ତି ନିହିତ ଥାଏ  । ତେଣୁ ଜୈବଶକ୍ତି ଏକ ଉତ୍ତମ ଶକ୍ତି ଉତ୍ସ ରୂପେ ନିଆଯାଇପାରିବ  । ଜୈବ ପଦାର୍ଥରେ ନିହିତ ଥିବା ବସ୍ତୁତ୍ଵକୁ ଜୈବବସ୍ତୁ କୁହାଯାଏ  । ଜୈବ ବସ୍ତୁତ୍ଵରେ ସୂର୍ଯ୍ୟର ଶକ୍ତି ନିହିତ ଥାଏ, ତୁମେ ଜାଣିଛ କି ? ତୁମେ ସମସ୍ତେ ଜାଣ ଆଲୋକର ସଂଶ୍ଳେଷଣ ପ୍ରକ୍ରିୟା ସମୟରେ ଉଦ୍ଭିଦ ସୂର୍ଯ୍ୟାଲୋକ ଆବଶ୍ୟକ କରେ  । ଏହି ପ୍ରକ୍ରିୟାରେ ରାସାୟନିକ ଶକ୍ତି ସୃଷ୍ଟି ହୁଏ  । ଏହି ରାସାୟନିକ ଶକ୍ତି ଅନ୍ୟ ନିକଟକୁ ଯାଇଥାଏ  ଯିଏ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରିଥାଏ । ଏହି ଜୈବ ବସ୍ତୁତ୍ଵକୁ ଜାଳିଲେ ରାସାୟନିକ ଶକ୍ତି ତାପ ଶକ୍ତିରେ ରୂପାନ୍ତରିତ ହୋଇଥାଏ  । ଏହି ତାପଶକ୍ତିକୁ ଶିଳ୍ପ କାରଖାନା ଓ ଘରେ ବ୍ୟବହାର କରାଯାଇପାରେ  । ଦହନ ପ୍ରକ୍ରିୟାରେ ବିଷାକ୍ତ ଗ୍ୟାସ ସୃଷ୍ଟି ହେବା କଥା ତୁମେମାନେ ଜାଣ  । ତେଣୁ ଜୈବ ବସ୍ତୁତ୍ଵ ଏକ ଉତ୍ତମ ଶକ୍ତି ହୋଇପାରିବ ନାହିଁ  ? ନ ଜାଲି ଏଥିରୁ ଶକ୍ତି ମିଳିପାରିବ  ?

ହଁ, ଏକଥା ଶକ୍ତି ଜୈବ ଅବଶେଷକୁ (ଜୈବ ବସ୍ତୁତ୍ଵ) ନ ଜାଲି ମଧ୍ୟ ସେଥିରୁ ଆମେ ଶକ୍ତି ପାଇପାରିବା  । ଜୈବ ଅବଶେଷ ଅନ୍ୟାନ୍ୟ ଶକ୍ତିକୁ ରୂପାନ୍ତରିତ କରିହେବ  ଏବଂ ବୟବାହାର କରିହେବ  ଯଥା ଜୈବ ଗ୍ୟାସ, ଇଥାନଲ ଓ ବାୟୋ ଡିଜେଲ  । ପ୍ରାକୃତିକ ଗ୍ୟାସର ମିଥେନ ଏକ ମୁଖ୍ୟ ଉପାଦାନ ଅଟେ  । କୃଷିଜାତ ଓ ମନୀଷା ଆବର୍ଜ୍ଜନାରୁ ଯେଉଁ ପଚାଳିଆ ଗନ୍ଧ ବାହାରିଥାଏ ତାହା ମିଥେନ ଅଟେ  । ଏଲ.ପି.ଜି ଗ୍ୟାସ ପରି ଏହି ଜୈବଗ୍ୟାସକୁ ମଧ୍ୟ ଜାଳେଣି ଓ ଆଲୋକ ପାଇବା ନିମନ୍ତେ ବ୍ୟବହାର କରାଯାଇପାରେ  ।

ଜୈବ ଇନ୍ଧନ ଯଥା ଜୈବ ଗ୍ୟାସ ଏବଂ ବାୟୋଡିଜେଲ ତୈଳବୀଜ ଓ ପଶୁଙ୍କ ଚର୍ବିରୁ ପ୍ରସ୍ତୁତ ହୋଇଥାଏ  । ଜୈବ ଇନ୍ଧନ ଦୁଇ ପ୍ରକାର ଉପାୟରେ ସୃଷ୍ଟି ହୋଇଥାଏ  । ଯେଉଁ ଶସ୍ୟରେ ଅଧିକ ପରିମାଣରେ ଚିନି କିମ୍ବା ଷ୍ଟାର୍ଚ ଥାଏ ଇଷ୍ଟ ଉପସ୍ଥିତିରେ କିମ୍ବନ ପ୍ରକ୍ରିୟା ଦ୍ଵାରା ଇଥାଇଲ ଆଲକୋହଲ ବା ଇଥାଇଲ ପ୍ରସ୍ତୁତ କରାଯାଇଥାଏ  । ସୋୟାବିନ, ଗହମ, ଚିନି, କର୍ଣ୍ଣ ଆଦି ବ୍ୟବହାର କରି ଇଥାନଲ ପ୍ରସ୍ତୁତ କରାଯାଏ  । ପେଟ୍ରୋଲ ଇଞ୍ଜିନରେ ପେଟ୍ରୋଲ ପରିବର୍ତ୍ତେ ଏହାକୁ ବ୍ୟବହାର କରାଯାଇ ପାରିବ  । କିନ୍ତୁ ଏହା ଯାନ୍ତ୍ରିକ ଉପକରଣକୁ ନଷ୍ଟ କରିଦେବାର ସମ୍ଭାବନା ଅଧିକ ଥାଏ  । ଏହାକୁ ପେଟ୍ରୋଲ ସହ ମିଶାଇ ମଧ୍ୟ ଇନ୍ଧନ ରୂପେ ବ୍ୟବହାର କରାଯାଇପାରେ । ଏହା ବ୍ୟତୀତ ଯେଉଁ ଶସ୍ୟରେ ଅଧିକ ତୈଳ ଥାଏ  ଅଧକ ପରିମାଣରେ ଚାଷ କରି ଏଥିରୁ ବାୟୋ-ଡିଜେଲ ପ୍ରସ୍ତୁତ କରାଯାଇପାରେ ।

ତିନୋଟି ଉପାୟରେ ଜୈବ ପଦାର୍ଥ ବୟବାହାର କରାଯାଇପାରେ :

  • ଶୁଖିଲା ଜୈବ ପଦାର୍ଥକୁ ଜାଲି ସେଥିରୁ ତାପଶକ୍ତି ନିର୍ଗତ କରି କିମ୍ବା ବାଷ୍ପ ସୃଷ୍ଟି କରିବା
  • ଅକସିଜେନ ଅନୁପସ୍ଥିତିରେ ଜୈବ ପଦାର୍ଥରୁ ମିଥେନ ଗ୍ୟାସ ସୃଷ୍ଟି କରିବା
  • ଅତ୍ୟାଧିକ ତୈଳ ରହିବା ଉଦ୍ଭିଦରୁ ବାୟୋଡିଜେଲ ପ୍ରସ୍ତୁତ କରିବା  ।

ଜୈବ ପଦାର୍ଥର ଉପଯୋଗିତା (ଜୈବ ବସ୍ତୁତ୍ଵର ଉପଯୋଗିତା)

ଜୈବ ପଦାର୍ଥର ଏକ ଅସରନ୍ତି ଉତ୍ସ ରୂପେ ଗଛ ଲଗାଇବା କିମ୍ବା ଚାଷ କରିବା ଏବଂ ଆବର୍ଜ୍ଜନା ଦ୍ଵାରା ମିଳିଯାଇପାରିବ  ।

  • ପ୍ରତ୍ୟକ୍ଷ ଭାବରେ ଏହାକୁ ଜାଳିଲେ ପରିବେଶ ଉପରେ ପ୍ରାୟତଃ କୁପ୍ରଭାବ ନଥାଏ  ।
  • ବାୟୋଡିଜେଲ ଏକ ଉତ୍ତମ ଶକ୍ତି ଉତ୍ସ ହୋଇଥାଏ  ।
  • ଜୈବ ପଦାର୍ଥରେ ସବୁଜାଗାରେ ସହଜରେ ମିଳିଥାଏ  ।
  • ଜୈବ ପଦାର୍ଥର ଅବଶେଷକୁ ଖତ ରୂପେ ବ୍ୟବହାର କରାଯାଇପାରେ  ।

ଜୈବ ପଦାର୍ଥ ବ୍ୟବହାରର ସୀମା

ଯଦିଓ ଜୈବ ପଦାର୍ଥ ନବୀକରଣ ଯୋଗ୍ୟ ଶକ୍ତି ସମ୍ପଦ ଅଟେ ତଥାପି ଏହାର ବ୍ୟବହାରର ଏକ ନିର୍ଦ୍ଧିଷ୍ଟ ସୀମା ଅଛି

  • ଜୈବ ଇନ୍ଧନ କିମ୍ବା ଇଥାନଲ ପେଟ୍ରୋଲ ପରି ଅଧିକ ଶକ୍ତି ଦେଇଥାଏ  ।
  • ସିଧାସଳଖ ଜାଳିଲେ ଜାଗତିକ ଉଷ୍ଣତା ବୃଦ୍ଧିପାଇବ ଯାହାକି ପରିବେଶକୁ ଦୂଷିତ କରିଥାଏ  ।
  • ମିଥେନ ପରିବେଶ ଅନୁକୂଳ ନୁହେଁ  ।
  • ଜୈବ ପଦାର୍ଥରୁ ଶକ୍ତି ନିର୍ଗତ କରିବା ଅର୍ଥସାପେକ୍ଷ ଅଟେ  ।

ଉଦଜାନ – ଭବିଷ୍ୟତର ଶକ୍ତି ଉତ୍ସ

ଉଦଜାନ ଭବିଷ୍ୟତରେ ପରିବେଶ ଅନୁକୂଳ ଶକ୍ତି ଉତ୍ସ ହୋଇପାରିବ  । ପେଟ୍ରୋଲ, ଡିଜେଲ, କୋଇଲା ଓ ଏହାର ବିକଳ୍ପ ହୋଇପାରିବ  । ଉଦଜାନ ବ୍ୟବହାର ଦ୍ଵାରା ସବୁଜକୋଠରୀ ଗ୍ୟାସ ଓ ଅନ୍ୟାନ୍ୟ ପରିବେଶ ପ୍ରଦୂଷକର ମାତ୍ରା କମିଯିବ  ।

ଉଦଜାନ ଜାଳିଲେ ସେଥିରୁ ଜଳିଆ କଣା ନିର୍ଗତ ହେବ  । ଉଦଜାନ ଜାଳିଲେ ସେଥିରୁ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହେବନି ଯାହାକି ପରିବେଶ ପ୍ରତିକୂଳ  । ତେଣୁ ଉଦଜାନ ଜାଳିବା ଦ୍ଵାରା ବାୟୁ ପ୍ରଦୂଷିତ ହେବ ନାହିଁ  । ଉଦଜାନର ଗ୍ୟାସୋଲିନ ଅପେକ୍ଷା କାର୍ଯ୍ୟଦକ୍ଷତା ଅଧିକ  । ଗ୍ୟାସୋଲିନରେ ଚାଲୁଥିବା ଏକ କାର ଠାରୁ ଉଦଜାନ ଇନ୍ଧନ ଦ୍ଵାରା ଚାଲୁଥିବା କାରର କାର୍ଯ୍ୟଦକ୍ଷତା ଦୁଇଗୁଣ  ଅଟେ  । ଯଦିଓ ଏହାର କାର୍ଯ୍ୟଦକ୍ଷତା ଅଧିକ ତେବେ ଏହାର ବ୍ୟବହାର ପ୍ରଶ୍ନବାଚୀ  । କିପରି ଏହାକୁ ପ୍ରସ୍ତୁତ କରାଯିବ, କିପରି ରଖାଯିବ ଏବଂ ବଣ୍ଟନ କରାଯିବ ଏହା ପ୍ରଶ୍ନବାଚୀ ଅଟେ  । ଏହାର ବ୍ୟବହାର ଅର୍ଥସାପେକ୍ଷ ମଧ୍ୟ ଅଟେ  ।

ତୁମେ ଜାଣ କି

ଉଦଜାନ ବିଶ୍ଵରେ ଅଧିକ ମିଳେ  । ଏହା ହାଲୁକା ମୌଳିକ ଏବଂ ସାଧାରଣ ଚାପ ଓ ତାପମାତ୍ରାରେ ଏହା ଗ୍ୟାସ ଅଟେ  । ପୃଥିବୀରେ ଏହା ପ୍ରାକୃତିକ ଉପାୟରେ ମିଳିନଥାଏ  କାରଣ ଏହା ବାୟୁଠାରୁ ହାଲୁକା   । ଏହା ଯୌଗିକ ରୂପରେ ଯଥା ଜଳ, କୋଇଲା ଏବଂ ପେଟ୍ରୋଲରେ ମିଶିକରି ରହିଥାଏ  ।

ଶକ୍ତି ରୂପାନ୍ତରଣ

ଆମ୍ଭେମାନେ ଆଗରୁ ଜାଣିଲେ ଯେ ଶକ୍ତି ବିଭିନ୍ନ ରୂପରେ ମିଳିଥାଏ  । ଶକ୍ତି ଗୋଟିଏ ରୂପରୁ ଅନ୍ୟରୂପକୁ ମଧ୍ୟ ପରିବର୍ତ୍ତିତ ହୋଇପାରେ ଏକଥା ମଧ୍ୟ ସତ୍ୟ  । କିନ୍ତୁ ଶକ୍ତିର ସୃଷ୍ଟି ନାହିଁ କି ବିନାଶ ନାହିଁ  । ଶକ୍ତି ବ୍ୟବହାର କରୁଛୁ ଏହା ଆମେ କହିଥାଉ  ।

  • ଖାଦ୍ୟରେ ରାସାୟନିକ ଶକ୍ତି ସଂରକ୍ଷିତ ହୋଇ ରହିଥାଏ  । ଯେତେବେଳେ ଆମେ କାର୍ଯ୍ୟକରୁ ସେତେବେଳେ ଏହି ସଂରକ୍ଷିତ ରାସାୟନିକ ଶକ୍ତି ଗତିଜଶକ୍ତିରେ ପରିବର୍ତ୍ତିତ ହୋଇଥାଏ  । ବଲଟିକୁ ଗୋଇଠା ମାରିଲେ ଖାଦ୍ୟରୁ ଜାତ ହୋଇଥିବା ମାଂସପେଶୀୟ ଶକ୍ତି ଗତିଜଶକ୍ତିରେ ରୂପାନ୍ତରିତ ହୋଇଥାଏ  । ବଲଟି ଘର୍ଷଣ ପ୍ରଭାବଯୋଗୁଁ ସ୍ଥିର ହୋଇଥାଏ  । ଗତିଜଶକ୍ତି ତାପ ଶକ୍ତିରେ ରୂପାନ୍ତରିତ ହୋଇଯାଏ  ।
  • ପେଟ୍ରୋଲ ଓ ଡିଜେଲ ସଂରକ୍ଷିତ ଥିବା ରାସାୟନିକ ଶକ୍ତି କାରକୁ ଗତିଶୀଳ କରିଥାଏ  । କାରକୁ ଗତିଶୀଳ କରିବା ପାଇଁ ଇଞ୍ଜିନ ରାସାୟନିକ ଶକ୍ତିକୁ ଗତିଜ ଶକ୍ତିରେ ରୂପାନ୍ତରିତ କରିଥାଏ  । ଗତିଶୀଳ ବସ୍ତୁ ଯଥା ଯାନବାହାନ, ପ୍ରବାହିତ ପାଣିସ୍ରୋତ ଏବଂ ପବନ ଗତିଜ ଶକ୍ତି ଥାଏ  ।
  • ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲାରେ ନିହିତ ଥିବା ରାସାୟନିକ ଶକ୍ତି ତାପ ଶକ୍ତିରେ ରୂପାନ୍ତରିତ ହୋଇ ଜଳକୁ ବାଷ୍ପରେ ପରିଣତ କରିଥାଏ  ଏବଂ ବାଷ୍ପ ଟରବାଇନକୁ ଗତିଶୀଳ କରି ଗତିଜ ଶକ୍ତିରେ ରୂପାନ୍ତରିତ ହୋଇଥାଏ  । ଏହି ଯାନ୍ତ୍ରିକ ଶକ୍ତି ଜେନେରେଟର ସାହାଯ୍ୟରେ ବିଦ୍ୟୁତଶକ୍ତିରେ ପରିଣତ ହୋଇ ସହର, ଗାଁ, କଳକାରଖାନାକୁ ଯୋଗାଇ ଦିଆଯାଏ ଯେଉଁଠାରେ ଏହା ତାପ, ଆଲୋକ, ଶବ୍ଦ କିମ୍ବା ଯାନ୍ତ୍ରିକ ଶକ୍ତିକୁ ପୁନଶ୍ଚ ପରିବର୍ତ୍ତିତ ହୋଇଥାଏ  ।
  • ସ୍ପ୍ରିଙ୍ଗ କିମ୍ବା ଛାପିହୋଇ ରହିଥିବା ଉପକରଣରେ ସ୍ଥିତିଜଶକ୍ତି ଥାଏ  ।
  • ଜଳଭଣ୍ଡାରରେ ଆବଦ୍ଧ ହୋଇରହିଥିବା ଜଳରେ ସ୍ଥିତିଜଶକ୍ତି ରହିଥାଏ  ।
  • ଉତ୍ତପ୍ତ ବସ୍ତୁ ଥଣ୍ଡା ହେଲେ ତାପ ଛାଡିଥାଏ  । ଜାଳେଣି ଏବଂ ବ୍ୟାଟେରୀରେ ରାସାୟନିକ ଶକ୍ତି ନିହିତ ଥାଏ  । ରାସାୟନିକ ପ୍ରତିକ୍ରିୟା ଦ୍ଵାରା ଏଥିରୁ ଶକ୍ତି ନିର୍ଗତ ହୋଇଥାଏ  ।
  • ଫୋନରେ ଯେତେବେଳେ କଥା ହୁଅ ସେତେବେଳେ ଧ୍ୱନି ଶକ୍ତି ବିଦ୍ୟୁତ ଶକ୍ତିରେ ରୂପାନ୍ତରିତ ହୋଇ ତାର କିମ୍ବା ବାୟୁରେ ଗତିଶୀଳ ହୋଇଥାଏ  । ଅନ୍ୟପାର୍ଶ୍ଵରେ ଫୋନ ଶୁଣୁଥିବା ବ୍ୟକ୍ତି ନିକଟରେ ଏହି ବିଦ୍ୟୁତଶକ୍ତି ପୁନର୍ବାର ସ୍ପିକର ଦ୍ଵାରା ଧ୍ୱନି ଶକ୍ତିରେ ପରିବର୍ତ୍ତିତ ହୋଇଥାଏ  । ଟେଲିଭିଜନରେ ବିଦ୍ୟୁତଶକ୍ତି ଆଲୋକ ଓ ଧ୍ୱନି ଶକ୍ତିରେ ପରିବର୍ତ୍ତିତ ହୋଇଥାଏ  ।

ଶକ୍ତି ସଂରକ୍ଷଣ ନିୟମ ଅନୁଯାୟୀ ଶକ୍ତିର ସୃଷ୍ଟି ନାହିଁ କି ବିନାଶ ନାହିଁ  । ଏହା ଗୋଟିଏ ରୂପରୁ ଅନ୍ୟ ରୂପକୁ ପରିବର୍ତ୍ତିତ ହୋଇଥାଏ  । ସମୁଦାୟ ଶକ୍ତି ସ୍ଥିର ରହେ  । ଶକ୍ତି ରୂପାନ୍ତର ଅନ୍ୟ ବିଷୟରେ ଆଲୋଚନା କରାଯିବ  ।

ଶକ୍ତି ସଙ୍କଟ ଓ ଏହାର ସମାଧାନ

ଛୋଟ ହେଉ କିମ୍ବା ବଡ ହେଉ ପ୍ରତ୍ୟକ କାର୍ଯ୍ୟରେ ଶକ୍ତିର ଆବଶ୍ୟକତା ରହିଛି  । ଏହା ମଧ୍ୟ କୁହାଯାଇପାରେ ବଞ୍ଚିବା ଓ ବିକାଶ ପାଇଁ ଶକ୍ତିର ଆବଶ୍ୟକତା ରହିଛି  । ବିଦ୍ୟୁତ ଶକ୍ତିର ଅଭାବ ଯୋଗୁଁ ଭାରତର ଏବେ ବି କେତେକ ଗାଁରେ ବିଦ୍ୟୁତ ବ୍ୟବହାରରୁ ବାଦ ପଡିଛନ୍ତି ଲୋକମାନେ  । ଦିନ ଦିନ ଧରି ବିଦ୍ୟୁତ ବିନା ଗାଁରେ ଲୋକ ଜୀବନଯାପନ କରନ୍ତି  । ସହର ଅବସ୍ଥା ମଧ୍ୟ ସେୟା  । ଅଘୋଷିତ କିମ୍ବା ଘୋଷିତ ବିଦ୍ୟୁତ କାଟରେ ସହରବାସୀ ଅସୁବିଧାରେ ରହିଥାନ୍ତି  । ଗ୍ରୀଷ୍ମରେ ଏହି ସମସ୍ଯା ଅଧିକ ହୋଇଥାଏ  । ଜନସଂଖ୍ୟା ବୃଦ୍ଧି ଭବିଷ୍ୟତରେ ଆହୁରି ଅଧିକ ଶକ୍ତିର ଆବଶ୍ୟକତା ପଡିବ  । ବିଭିନ୍ନ କ୍ଷେତ୍ରରେ ଏହି ଶକ୍ତିର ଆବଶ୍ୟକତା କ୍ରମଶଃ ବଢିଚାଲିଛି  ।

ମିଳିବା ଓ ଆବଶ୍ୟକତା ଅନୁଯାୟୀ ଶକ୍ତିଯୋଗାଣରେ ବିଭ୍ରାଟ ଦେଖାଦିଏ  । ମିଳିବା ଓ ଆବଶ୍ୟକତା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି  । ଏହା ଦ୍ଵାରା ବିଦ୍ୟୁତ ଶକ୍ତିର ଚାହିଦା ବଢିବାରେ ଲାଗୁଛି  ଏବଂ ବିଦ୍ୟୁତ ଶକ୍ତିର ଅର୍ଥ ମଧ୍ୟ ତା’ ସଙ୍ଗେ ସଙ୍ଗେ ବୃଦ୍ଧି ପାଉଛି ଯାହାଦ୍ଵାରା ଏହା ଅର୍ଥନୈତିକ ଓ ବିକାଶଧାରାରେ ବାଧକ ସାଜୁଛି  । ଦେଶରେ ସାମାଜିକ, ଆର୍ଥିକ ଓ ବିକାଶ/ପ୍ରଗତିରେ ଏହି ଶକ୍ତି ସମସ୍ୟା ସୃଷ୍ଟି କରୁଥିବାରୁ ଏହାକୁ ଶକ୍ତି ସଙ୍କଟ କୁହାଯାଏ  । ପ୍ରଗତିଶୀଳ ଦେଶରେ ଏ ସମସ୍ୟା ଆସ୍ତେ ଆସ୍ତେ ଉତ୍କଟ ହେବାକୁ ବସିଲାଣି  । ତେବେ ଏହି ଶକ୍ତି ସଙ୍କଟ ପ୍ରଶ୍ନରେ ରହିଥିବା ମୁଖ୍ୟ କାରଣଗୁଡିକ କ’ଣ  ?

ଶକ୍ତି ସଙ୍କଟର କାରଣ

ସମଗ୍ର ବିଶ୍ଵର ଶତକଡା ୮୫ ଭାଗ ଶକ୍ତି କୋଇଲା, ଜୀବାଶ୍ମଇନ୍ଧନ ଏବଂ ପ୍ରାକୃତିକ ଗ୍ୟାସ ବ୍ୟବହାରରୁ ହିଁ ମିଳିଥାଏ  । ବର୍ତ୍ତମାନ ଆମେ ସମସ୍ତେ କୋଇଲା ଓ ଖଣିଜ ତୈଳ ଯୁଗରେ ହିଁ ବଞ୍ଚିଛେ  । କିନ୍ତୁ ଏହି ଶକ୍ତି ଉତ୍ସର ମାତ୍ରା ନିର୍ଦ୍ଧିଷ୍ଟ ଅଟେ  । ଏହା ଆଉ ଅଳ୍ପ କେତେବର୍ଷରେ ସରିଯିବାର ଆଶଙ୍କା ରହିଛି  । ଭାରତ କଥା ଯଦି ଚିନ୍ତା କରାଯାଏ ତେବେ ଶତକଡା ୭୦ ଭାଗ ଶକ୍ତିର ଉତ୍ସ କୋଇଲା ଅଟେ  । ଏହାର ମାତ୍ରା ନିର୍ଦ୍ଧିଷ୍ଟ ଅଟେ  । ଏହାର ଅତ୍ୟଧିକ ବ୍ୟବହାର ପରିବେଶ ପ୍ରତି ବିପଦ ଅଟେ  । ଅଧିକ କୋଇଲା ଉତ୍ତୋଳନ କଲେ ସୁଦ୍ଧା ଭାରତରେ ଆବଶ୍ୟକତା ଓ ଯୋଗାଣ ମଧ୍ୟରେ ସମନ୍ଵୟ ରହିପାରିବ ନାହିଁ  । କୋଇଲା ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ ଅଟେ ତେଣୁ ମାତ୍ରାଧିକ ବ୍ୟବହାର ଭବିଷ୍ୟତ ପାଇଁ ବିପଦ ହୋଇପାରେ  । ବର୍ତ୍ତମାନ ମଧ୍ୟ ଭାରତରେ ଗାଁଗୁଡିକରେ ଲୋକମାନେ ରୋଷେଇ ପାଇଁ ୫-୬ ଘଣ୍ଟା ଜାଳେଣି ସଂଗ୍ରହରେ ବାଧ୍ୟରେ କଟାଇଥାନ୍ତି  । କାଠ ଉପରେ ଅଧିକ ନିର୍ଭର କରୁଥିବା ଯୋଗୁଁ ଜଙ୍ଗଲ ମଧ୍ୟ ହ୍ରାସ ପାଇବାରେ ଲାଗିଛି  ।

ଶକ୍ତି ସଙ୍କଟର କାରଣ ଗୁଡିକ ହେଲା –

  • ସୀମିତ ଓ କ୍ରମଶଃ ସରିଆସୁଥିବା କୋଇଲା ଓ ଖଣିଜତୈଳ ଉପରେ ଶକ୍ତିପାଇଁ ମାତ୍ରାଧିକ ନିର୍ଭରଶୀଳ  ।
  • ଆବଶ୍ୟକତା ଓ ଯୋଗାଣ ମଧ୍ୟରେ ପାର୍ଥକ୍ୟ
  • ବାହାର ଦେଶରେ ଜାଳେଣିର ମୁଦ୍ରାବୃଦ୍ଧି
  • ନବୀକରଣ ଯୋଗ୍ୟ ସମ୍ପଦର ବ୍ୟବହାର ନିମନ୍ତେ ଆଗ୍ରହ ଓ ଅନିଚ୍ଛା ପ୍ରକାଶ  ।
  • ମିଳୁଥିବା ଶକ୍ତିର ମାତ୍ରାଧିକ ବ୍ୟବହାର ଓ ଅପବ୍ୟବହାର
  • ନବୀକରଣ ଯୋଗ୍ୟ ଶକ୍ତିସମ୍ପଦ ସୌରଶକ୍ତି, ଜଳ, ପବନଶକ୍ତି ବ୍ୟବହାରର ଯାନ୍ତ୍ରିକ କୌଶଳ ସମସ୍ୟା  ।

ଶକ୍ତି ସଙ୍କଟର ସମାଧାନ ଓ ନିୟନ୍ତ୍ରଣ

ଶକ୍ତି ସଙ୍କଟର ସମାଧାନ ନିମନ୍ତେ ସରକାର ଓ ଜନସାଧାରଣ ସାମଗ୍ରିକ ଭାବେ କାର୍ଯ୍ୟ କରିବା ଉଚିତ  ।

  1. ଶକ୍ତି ସଙ୍କଟର ସମାଧାନର ଗୋଟିଏ ଉପାୟ ହେଲା ନ୍ୟୁକ୍ଲିୟର ଶକ୍ତିର ବ୍ୟବହାର  । ଏଥିପାଇଁ ଆବଶ୍ୟକ ଇନ୍ଧନ ଓ କୌଶଳ ପାଇଁ ଅନ୍ୟ ଦେଶ ସହ ଚୁକ୍ତି ସ୍ଵାକ୍ଷରିତ ହୋଇଛି  । ଫ୍ରାନ୍ସରେ ଶତକଡା ୭୫ ଭାଗ ଶକ୍ତିର ଭରଣା ନ୍ୟୁକ୍ଲିୟ ଶକ୍ତିରୁ ମିଳିଥାଏ  ।
  2. ନବୀକରଣ ଯୋଗ୍ୟସମ୍ପଦ ଯଥା ସୌରଶକ୍ତି, ପବନଶକ୍ତି, ଜଳବିଦ୍ୟୁତକେନ୍ଦ୍ର, ଜୈବଗ୍ୟାସ ଇତ୍ୟାଦିର ବ୍ୟବହାର ନିମନ୍ତେ ପ୍ରୋତ୍ସାହନ ଦିଆଯାଉ  । ଅଟୋମୋବାଇଲର ମାଇଲେଜ ବଢାଇବା ନିହାତି ଆବଶ୍ୟକ, ସେଥିପାଇଁ ଉନ୍ନତ ଯାନ୍ତ୍ରିକ କୌଶଳର ବ୍ୟବହାର କରାଯାଉ  । ନବୀକରଣ ଯୋଗ୍ୟ ସମ୍ପଦକୁ ବ୍ୟବହାର କରି ଶକ୍ତି ଉତାଡନ କରିବା ବ୍ୟୟ ସାପେକ୍ଷ ଓ କଷ୍ଟକର  । ସେଥିପାଇଁ ଶକ୍ତି ସଞ୍ଚୟ ଓ ସଂରକ୍ଷଣ ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ  ।
  3. କୃଷିପ୍ରଧାନ ଦେଶ ହେତୁ ଆମେ ଆଖୁ ଓ ତୈଳବୀଜ ଅଧିକ ଉତ୍ପାଦନ କରି ଜୈବ ଇନ୍ଧନ ଓ ଇଥାନଲ ଦ୍ଵାରା ଶକ୍ତି ସଙ୍କଟର ସମାଧାନ କିଛି ମାତ୍ରାରେ କରିପାରିବା  ।

ସମସ୍ତେ ପ୍ରତ୍ୟକ ଦିନ ଶକ୍ତି ସଂରକ୍ଷଣ ପାଇଁ ଚେଷ୍ଟା କରିବା ଏବଂ ଅନ୍ୟମାନଙ୍କୁ କରାଇବା ପାଇଁ ସକାରାତ୍ମକ ମନୋଭାବ ସୃଷ୍ଟି କରିବା  ।

ଶକ୍ତି ସଂରକ୍ଷଣର ଉପାୟ

  • ଘରେ କେହି ନଥିବା ବେଳେ ଲାଇଟ, ଫ୍ୟାନ ଏବଂ ଅନ୍ୟାନ୍ୟ ବିଦ୍ୟୁତ ଉପକରଣକୁ ବନ୍ଦ କରିବା ଉଚିତ । ପାଣିକଳାକୁ ଖୋଲା ରଖିବା ନାହିଁ  ।
  • ରୋଷେଇ କରିଲାବେଳେ ଆବଶ୍ୟକତା ଅନୁଯାୟୀ ପାଣି ବ୍ୟବହାର କରାଯାଉ  । ପ୍ରେସରକୁକର ବ୍ୟବହାର କରିବା ଉଚିତ  । ଚାଉଳ ଓ ଡାଲି ପାଣିରେ ରାନ୍ଧିବାର କିଛି ସମୟ ପୂର୍ବରୁ ଭିଯାଇ ତା’ପରେ ରାନ୍ଧିଲେ ଜାଳେଣି କମ ଖର୍ଚ୍ଚ ହୋଇଥାଏ  । ସିଝିବାବେଳେ ଘୋଡାଇ ସିଝେଇବା ଉଚିତ  ।
  • LED ବଲ୍ବ / CFL ବଲ୍ବ ବ୍ୟବହାର କରିବା ଦ୍ଵାରା ଶକ୍ତି ସଂରକ୍ଷଣ ହୋଇଥାଏ  । ବଲ୍ବ / ବାରଲାଇଟ ଅପେକ୍ଷା ଏଥିରେ ବିଦ୍ୟୁତ ଶକ୍ତି କମ ଖର୍ଚ୍ଚ ହୋଇଥାଏ  । କେତେକ ଦେଶରେ ବଲ୍ବ ବ୍ୟବହାର କଟକଣା କରାଯାଇଛି କିମ୍ବା ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି  । ଉନ୍ନତ ଷ୍ଟୋଭ ବ୍ୟବହାର ଦ୍ଵାରା ଇନ୍ଧନ ଖର୍ଚ୍ଚ କମ ହୋଇଥାଏ  । ଅଳ୍ପ ଇନ୍ଧନରେ ଅଧିକ ବାଟ ଯାଉଥିବା ଯାନବାହାନ ବ୍ୟବହାର କରିବା ଉଚିତ ଏବଂ ଯାନବାହାନର ନିୟମିତ ବ୍ୟବଧାନରେ ପରୀକ୍ଷା କରିବା ଜରୁରୀ ଅଟେ  । ଗାଡିର ପ୍ରେସର ଓ ଅଏଲ ଚେକ୍ କରିବା ଦରକାର  । ଅଧିକ କାର୍ଯ୍ୟଦକ୍ଷତାଥିବା ବିଦ୍ୟୁତ ଉପକରଣ ବ୍ୟବହାର କରିବା ଉଚିତ୍, ଏହାଦ୍ୱାରା ବିଦ୍ୟୁତ ଶକ୍ତି କମ ଖର୍ଚ୍ଚ ହୋଇଥାଏ  । ଏହା ବ୍ୟତୀତ ଅଭ୍ୟାସ ବଦଳାଇବାକୁ ଦ୍ଵାରା ଶକ୍ତି ସଙ୍କଟ ସମସ୍ୟା କିଛି ମାତ୍ରା ଦୂର କରାଯାଇପାରିବ  । ଅଳ୍ପବାଟକୁ ଯିବାରଥିଲେ ସାଇକେଲ କିମ୍ବା ଚାଲି ଚାଲି ଗଲେ ସ୍ୱାସ୍ଥ୍ୟ ଭଲ ରହିଥାଏ  ଏବଂ ଇନ୍ଧନ ବଞ୍ଚିଥାଏ  । ସାଧାରଣ ପରିବହନ ବ୍ୟବସ୍ଥାର ସଦୁପଯୋଗ କଲେ ଇନ୍ଧନ ଖର୍ଚ୍ଚ କମିଯାଏ  । କାରଣ ଏହା ଦ୍ଵାରା ନିଜ ନିଜର ଯାନବାହାନରେ ଆଉ ଇନ୍ଧନ ଖର୍ଚ୍ଚ ହୋଇନଥାଏ  । ଗାଡିଧରି ଏକୁଟିଆ ଅଫିସ ଯିବା ଅପେକ୍ଷା ନିଜମଧ୍ୟରେ ଗାଡି ସେୟାର କରି ଯିବାଟା ଏକ ଭଲ ଅଭ୍ୟାସ  । ଏହା ଦ୍ଵାରା ନିଜ ମଧ୍ୟରେ ସଙ୍କଟର ସମାଧାନକୁ ଆଉ କିଛି ଦିନ ଏଡାଇ ଦିଆଯାଇପାରେ  । ନିଜର ଅଭ୍ଯାସ ତଥା ଶକ୍ତି ଉତ୍ସର ମହଜୁଦ ସମ୍ପର୍କରେ ଏକ ଦୃଢ ତଥା ବଳିଷ୍ଠ ଧାରଣା ପ୍ରତ୍ୟକ ଜନସାଧାରଣଙ୍କ ନିକଟରେ ରହିବା ଏକାନ୍ତ ଆବଶ୍ୟକ  ।

ଆଧାର – ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate