অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସବୁଜ ଓ ସଫାସୁତୁରା ଶକ୍ତିର ଉତ୍ସ ହେଉଛି ଜଳ ବିଦ୍ୟୁତ୍‌

ସବୁଜ ଓ ସଫାସୁତୁରା ଶକ୍ତିର ଉତ୍ସ ହେଉଛି ଜଳ ବିଦ୍ୟୁତ୍‌

ଉପକ୍ରମ

ରାଜ୍ୟରେ ଦ୍ରୁତ ଶିଳ୍ପାୟନ ସହିତ ବିଦ୍ୟୁତ୍‌ ଶକ୍ତିର ଚାହିଦା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି୤ ଚାହିଦା ଅନୁଯାୟୀ ଉତ୍ପାଦନ ସେହି ପରିମାଣରେ ହେଉ ନଥିବାରୁ ବିଦ୍ୟୁତ୍‌ ଶକ୍ତି କ୍ଷେତ୍ରରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି୤ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ଗ୍ରୀଡ଼,ପଡ଼ୋଶୀ ରାଜ୍ୟ ସହିତ ଶିଳ୍ପାନୁଷ୍ଠାନଗୁଡ଼ିକର ନିଜସ୍ବ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଉପରେ ରାଜ୍ୟକୁ ନିର୍ଭର କରିବାକୁ ପଡୁଛି୤ ଏହିଭଳି ପରିସ୍ଥିତି ସତ୍ତ୍ବେ ମଧ୍ୟ ଆବଶ୍ୟକ ବିଦ୍ୟୁତ୍‌ ଶକ୍ତି ନମିଳିଲେ ବିଦ୍ୟୁତ୍‌ କାଟ କରାଯାଉଛି୤ ସମ୍ପ୍ରତି ରାଜ୍ୟରେ ପିକ୍‌ ଲୋଡ଼ ସମୟରେ ପ୍ରାୟ ୩୩୦୦ ମେଗାୱାଟ୍‌ ଓ ଅଣପିକ୍‌ ସମୟରେ ୨୭୦୦ ମେଗାୱାଟ ବିଦ୍ୟୁତ୍‌ ଶକ୍ତି ଆବଶ୍ୟକ ହେଉଛି୤ ରାଜ୍ୟରେ ବର୍ତ୍ତମାନ ଟିଟପିଏସ୍‌ ଏବଂ ଇବ୍‌ ଥର୍ମାଲ ନାମକ ଦୁଇଟି ତାପଜ ବିଦ୍ୟୁତ୍‌ କେନ୍ଦ୍ରର ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କ୍ଷମତା ୮୮୦ ମେଗାୱାଟ ଥିବାବେଳେ ସେଥିରୁ ସର୍ବନିମ୍ନ ୭୫୪ ରୁ ସର୍ବାଧିକ ୮୦୦ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି ଉତ୍ପାଦିତ ହୋଇ ପାରୁଛି୤ ଅନ୍ୟପକ୍ଷରେ ବୁର୍ଲା, ଚିପିଲିମା, ବାଲିମେଳା, ରେଙ୍ଗାଲି, ଅପର କୋଲାବ, ଇନ୍ଦ୍ରାବତୀ ଓ ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ସର୍ବାଧିକ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୨୦୮୫ ମେଗାୱାଟ୍‌ ଥିବାବେଳେ ଜଳ ସଙ୍କଟ ଯୋଗୁଁ ସେଥିରୁ ମାତ୍ର ୩୦୦ ରୁ ୫୦୦ ମେଗାୱାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି ଉତ୍ପାଦିତ ହୋଇ ପାରୁଛି୤

ତାପଜ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ

ଅନ୍ୟ ପକ୍ଷରେ ରାଜ୍ୟରେ ୩୮୦୦୦ ମେଗାୱାଟ ତାପଜ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ପାଇଁ ୨୯ ଟି ସଂସ୍ଥା ସହ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି୤ ଏହିସବୁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ବାର୍ଷିକ ୧୮୦ ନିୟୁତ ଟନ୍‌ କୋଇଲା ଜାଳେଣି ଭାବେ ବ୍ୟବହାର କରିବାକୁ ପଡ଼ିବ୤ ସେଥିରୁ ବାର୍ଷିକ ପ୍ରାୟ ୮ ନିୟୁତ ଟନ୍‌ ପାଉଁଶ ବାହାରିବ ଯାହାକି ପରିବେଶ ପ୍ରତି ବିପଦ ସୃଷ୍ଟି କରିବ୤ ଏତଦ୍‌ ବ୍ୟତୀତ ଏତେ ପରିମାଣରେ କୋଇଲା ଜାଳେଣି ଭାବେ ବ୍ୟବହାର କରାଗଲେ ସେଥିରୁ ସଲଫର ଡାଇଅକ୍ସସାଇଡ୍‌ ପରି ଅନେକ ବିଷାକ୍ତ ବାଷ୍ପ ସୃଷ୍ଟି ହେବ ଯାହା ପରିବେଶକୁ ପ୍ରଦୂଷଣ କରିବା ସହିତ ବାୟୁ ମଣ୍ଡଳର ତାପମାତ୍ରା ବୃଦ୍ଧି କରିବ୤ ବିଶେଷଜ୍ଞଙ୍କ ମତରେ ୧ ୟୁନିଟ୍‌ ତାପଜ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ୨ ଟଙ୍କାରୁ ୨.୫୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିଲାବେଳେ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ଗୋଟିଏ ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ପାଇଁ ୭୦ ରୁ ୯୦ ପଇସା ଖର୍ଚ୍ଚ ହେଉଛି୤ ତେଣୁ ଜଳ ବିଦ୍ୟୁତ୍‌ ଉତ୍ପାଦନରେ ତୁଳନାତ୍ମକ ଭାବେ କମ୍‌ ଖର୍ଚ୍ଚ ହେଉଥିବାବେଳେ ଏଥିପାଇଁ ପରିବେଶ ଉପରେ କୌଣସି କୁ ପ୍ରଭାବ ପଡ଼ିବ ନାହିଁ୤ ତେଣୁ ବିଦ୍ୟୁତ୍‌ କ୍ଷେତ୍ରରେ ନିଅଣ୍ଟିଆ ପରିସ୍ଥିତି ଓ ଆଗାମୀ ଦିନର ଚାହିଦାକୁ ଚାହିଁ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବିଧିବଦ୍ଧ ଯୋଜନା ହେବା ସହ ସବୁଜ ଓ ସଫାସୁତୁରା ଶକ୍ତି ଉତ୍ସ ସ୍ଥାପନା ନିମନ୍ତେ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି୤

ଜଳ ବିଦ୍ୟୁତ ଉତ୍ପାଦନର ଆଶା

ବର୍ତ୍ତମାନ ରାଜ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ରୁଷିକୁଲ୍ୟା, ନାଗାବଳୀ, ଇନ୍ଦ୍ରାବତୀ, କୋଲାବ, ସୁବର୍ଣ୍ଣରେଖା ଓ ବଂଶଧାରା ଭଳି ୧୧ ଟି ବଡ଼ବଡ଼ ନଦୀ ଓ ଏହାର ଶାଖାନଦୀ ମାନ ରହିଛି୤ ବର୍ଷକୁ ଏହିସବୁ ନଦୀରେ ୧୨୦.୪୯୭ ବିଲିୟନ କ୍ୟୁବିକ୍‌ ମିଟର ଜଳ ପ୍ରବାହିତ ହୋଇଥାଏ୤ ଏତଦ୍‌ ବ୍ୟତୀତ ପଡ଼ୋଶୀ ରାଜ୍ୟ ମାନଙ୍କରୁ ପ୍ରତିବର୍ଷ ୮୨.୮୪୧ ବିଲିୟନ କ୍ୟୁବିକ୍‌ ମିଟର ବର୍ଷା ଓ ଅନ୍ୟାନ୍ୟ ନଦୀର ପାଣି ରାଜ୍ୟକୁ ଆସିଥାଏ୤ ନଦୀରେ ବହି ଯାଉଥିବା ପାଣି ମଧ୍ୟରୁ ରାଜ୍ୟ ସରକାର ୧୪୬ ଟି ଶିଳ୍ପକୁ ୭୯୩୨୬.୮୨ ନିୟୁତ ବର୍ଗଫୁଟ୍‌ ପାଣି ଆବଣ୍ଟନ କରିଛନ୍ତି୤ ଏହା ବ୍ୟତୀତ ଚାଷ ପାଇଁ କିଛି ପାଣି ଯୋଗାଇ ଦିଆଯାଇଥାଏ୤ ବର୍ଷାଦିନେ ନଦୀ ଜଳକୁ ଧରି ରଖିବାକୁ କୌଣସି ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ପ୍ରାୟ ୭୦ ରୁ ୮୦ ଭାଗ ଜଳ ସମୁଦ୍ରକୁ ବହିଯାଇଥାଏ୤ ତେଣୁ ଏହି ପାଣିକୁ ବ୍ୟବହାର କରି ଜଳ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଯୋଜନା କରାଗଲେ ତାହା ରାଜ୍ୟର ଶକ୍ତି କ୍ଷେତ୍ରରେ ଥିବା ନିଅଣ୍ଟିଆ ପରିସ୍ଥିତିକୁ ଦୂର କରିପାରିବ ଏବଂ ପରିବେଶ ସନ୍ତୁଳନ ରକ୍ଷା କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି୤

ଆଧାର

ଓଡିଶା ଜଳ ବିଦ୍ୟୁତ ନିଗମ "ଜଳ ବିଦ୍ୟୁତ ନିଗମ"

ଶକ୍ତି ବିଭାଗ ଓଡିଶା ସରକାର "ଶକ୍ତି ବିଭାଗ"



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate