অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇସ୍ରୋ ପ୍ରସ୍ତୁତକଲା ସ୍ଵଦେଶୀ ମହାକାଶ ଯାନ

ଉପକ୍ରମ

ସ୍ଵଦେଶୀ ମହାକାଶ ଯାନ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଏକ ଏଭଳି ମହାକାଶ ଉଡାଣ ଭରିବା ପ୍ରସ୍ତୁତିରେ ଲାଗିପଡିଛି; ଯାହା ଇତିହାସ ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ । ଇସ୍ରୋ ତା'ର ଏପର୍ଯ୍ୟନ୍ତ ଯାତ୍ରାରେ ଯାହା ପୂର୍ବରୁ କରିଦେଖାଇ ପାରିନଥିଲା ତାହାକୁ କରି ଦେଖାଇବ ଏବଂ ବିଶ୍ଵବାସୀଙ୍କ ଆଗରେ ଭାରତର ଦକ୍ଷତାର ପ୍ରମାଣ ଦେବ । ପ୍ରଥମ ଥର ଲାଗି ଇସ୍ରୋ ତା'ର ସ୍ପେଶ ସଟଲ୍ ବା ମହାକାଶ ଯାନକୁ ସ୍ଵଦେଶ ଜ୍ଞାନକୌଶଳରେ ପ୍ରସ୍ତୁତ କରିଛି । ଦେଶୀ ମହାକାଶ ଯାନ 'ଆରଏଲ୍ ଭି-ଟିଡି' କୁ ଚଳିତ ମାସ ଶେଷ ସୁଦ୍ଧା ପ୍ରକ୍ଷେପଣ କରାଇବା ଲାଗି ଇସ୍ରୋ ଦ୍ରୁତଗତିରେ କାମ ଚଳାଇଛି । ଏହି ଉଡାଣ ସଫଳ ହେଲେ ଭାରତ ମହାକାଶ ବିଜ୍ଞାନ ସଫଳତା କ୍ଷେତ୍ରରେ ଆମେରିକା ଓ ରୁଷ୍ ସହିତ ସମକକ୍ଷ ହୋଇପାରିବ । ସୂଚନାମିଳିଛି ଯେ ଯଦି ସବୁକିଛି ଯେ ଯଦି ସବୁକିଛି ଠିକ୍ ଚାଲିଲା ତେବେ ଚଳିତ ମାସରେ ଆରଏଲ୍ ଭି-ଟିଡି ମହାକାଶ ଯାନକୁ ପ୍ରକ୍ଷେପଣ କରାଯାଇପାରିବ । ସୂଚନା ମିଳୁଛି ଯେ ଏହି ମହାକାଶ ଯାନର ନାମ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ନାମ ଅନୁଯାୟୀ 'କଲାମଯାନ' ରଖାଯାଇପାରେ ।

ମିଳିଥିବା ସୂଚନା ଅନୁଯାୟୀ ଦେଶୀ ମହାକାଶ ଯାନ ଆରଏଲ୍ ଭି-ଟିଡିରେ ସମସ୍ତ ଉପକରଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିମିତ। ଏହା 'ମେକ ଇନ୍ ଇଣ୍ଡିଆ' ର ଏକ ସର୍ବୋତ୍କୃଷ୍ଟ ଉଦାହରଣ । ଶ୍ରୀହରିକୋଟାରେ ଦେଶୀ ମହାକାଶ ଯାନରୁ ଚୂଡାନ୍ତ ରୂପ ଦିଆଯାଉଛି । ଯେତେବେଳେ ଏହା ପ୍ରସ୍ତୁତ ହୋଇଯିବ ଉଡାଣ ପାଇଁ ଓଲଟା ଗଣନା ଆରମ୍ଭ ହୋଇଯିବ । ମୌସୁମୀର ଆଗମନ ପୂର୍ବରୁ ଏହାର ଉଡାଣ ଲାଗି ଯୋଜନା ହୋଇଛି । ପ୍ରଥମ ଥର ଲାଗି ଇସ୍ରୋ ଡେଲ୍ଟା ଡେଣାଯୁକ୍ତ ମହାକାଶ ଯାନକୁ ପ୍ରକ୍ଷେପଣ କରିବ । ପ୍ରକ୍ଷେପଣ ପରେ ଏହା ବଙ୍ଗୋପ ମହାସାଗରକୁ ଫେରିଆସିବ । ୧୫ ବର୍ଷ ତଳୁ ଇସ୍ରୋ ମହାକାଶ ଯାନ ନିର୍ମାଣ ଲାଗି ଚିନ୍ତା କରିଥିବାବେଳେ ୫ ବର୍ଷ ତଳୁ ଏଥିପାଇଁ କାମ ଆରମ୍ଭ କରିଥିଲା ।

ଆରଏଲ୍ ଭି-ଟିଡି ଅର୍ଥ ରିୟୁଜେବଲ ଲଞ୍ଚ ଭେଇକଲଟେକ୍ନୋଲୋଜୀ ଡେମୋନଷ୍ଟ୍ରେଟର । ଏହା ଏକ ପୁନଃ ପ୍ରୟୋଗ ଯୋଗ୍ୟ ପ୍ରକ୍ଷେପଣ ଯାନ । ଏହାର ଲମ୍ବ ୬.୫ ମିଟର, ଓଜନ ୧.୭୩ ଟନ୍ ଓ ୭୦ କିମି ପର୍ଯ୍ୟନ୍ତ ବାୟୁମଣ୍ଡଳକୁ ଯାଇପାରିବ । ଆରଏଲ୍ ଭି-ଟିଡି ମହାକାଶ ଯାନ ଦେଖିବାକୁ ଏକ ବିମାନ ଭଳି ଏବଂ ଓଜନ ଠିକ୍ ଏକ ଏସ୍ୟୁଭି (ସ୍ପୋର୍ଟସ ୟୁଟିଲିଟି ଭେଇକଲ ) ଭଳି । ଏକ ସ୍ଵତନ୍ତ୍ର ରକେଟ ବୁଷ୍ଟରରେ ଏହାକୁ ମହାକାଶକୁ ପଠାଯିବ ।

ଆମେରିକୀୟ ମହାକାଶ ଯାନଠାରୁ ୬ ଗୁଣ ଛୋଟ

ଆମେରିକା ମହାକାଶ ଯାନଠାରୁ ଭାରତୀୟ ମହାକାଶ ଯାନ ପ୍ରାୟ ୬ ଗୁଣ ଛୋଟ । ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର, ତିରୁଅନନ୍ତପୁରମ୍ର ନିର୍ଦ୍ଦେଶକ ସିୱାନ କହିଛନ୍ତି 'ଏହା ହନୁମାନର ବଡ ପାହୁଣ୍ଡ ଦିଗରେ ଏବେ ଏକ ଛୋଟ ପାହୁଣ୍ଡ । ଅନ୍ତିମ ସୋପାନରେ ପହଞ୍ଚିବା ଲାଗି ଆହୁରି ୧୦ରୁ ୧୫ ବର୍ଷ ସମୟ ଲାଗିଯିବ । କାରଣ ପୁନଃ ପ୍ରୟୋଗଯୋଗ୍ୟ ମାନବରହିତ ରକେଟ୍ ପ୍ରସ୍ତୁତ କରିବା ପିଲା ଖେଳ ନୁହେଁ ।' ଇସ୍ରୋର ବୈଜ୍ଞାନିକଙ୍କ ମତରେ ଯଦି ପୁନର୍ବାର ବ୍ୟବହାର କରାଯିବା ଜ୍ଞାନ କୌଶଳ ହାସଲ କରିହେବ ତେବେ ଉପଗ୍ରହକୁ କକ୍ଷପଥରେ ଅବସ୍ଥାପିତ କରାଯିବା ଖର୍ଚ୍ଚ ୧୦ ଗୁଣ ହ୍ରାସ କରାଯାଇପାରିବ ।

ଭାରତର ଉଦ୍ଦେଶ୍ୟ

ଆରଏଲ୍ ଭି-ଟିଡିର ପ୍ରଥମ ପ୍ରୟୋଗବେଳେ ସମୁଦ୍ରରୁ ଆଉ ଏହାକୁ ଉଦ୍ଧାର କରାଯାଇପାରିବ ନାହିଁ । କାରଣ ପାଣି ସହିତ ସଂସ୍ପର୍ଶରେ ଆସିବା ମାତ୍ରେ ଏହା ଖଣ୍ଡବିଖଣ୍ଡିତ ହୋଇଯିବ । ଏହାର ଡିଜାଇନ ଭାସିବା ଭଳି କରାଯାଇନି । ଏବେ ପ୍ରଥମ ପ୍ରୟୋଗର ଏଦ୍ଦେଶ୍ୟ ମହାକାଶ ଯାନକୁ ସମୁଦ୍ରରେ ଭସାଇବା ନୁହେଁ; ଏହାକୁ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯିବା ହିଁ ମୁଖ୍ୟ ଲକ୍ଷ୍ୟ। ଧ୍ୱନିର ଗତିଠାରୁ ୫ ଗୁଣ ଅଧିକ ବେଗରେ ଏକ ନିର୍ଦ୍ଦିଷ୍ଟ ପଥରେ ବଙ୍ଗୋପସାଗର ଉପକୂଳରୁ ୫୦୦ କିମି ଦୂରରେ ପ୍ରସ୍ତୁତ ବାସ୍ତବବାଦୀ ରନୱେରେ ମହାକାଶ ଯାନକୁ ଅବତରଣ କରାଇବା ପାଇଁ ଇସ୍ରୋ ଲକ୍ଷ୍ୟ ରଖିଛି ।

ମହାକାଶ ଯାନରୁ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯିବା ବୈଜ୍ଞାନିକଙ୍କ ଲାଗି ଏକ ବଡ ଚାଲେଞ୍ଜ । ବାୟୁମଣ୍ଡଳରେ ଘର୍ଷଣ ଦ୍ଵାରା ମହାକାଶ ଯାନର ବାହାର ପାର୍ଶ୍ଵର ତାପମାତ୍ରା ୫୦୦୦ ରୁ ୭୦୦୦ ଡିଗ୍ରୀ ସେଲସିୟସରେ ପହଞ୍ଚିଯାଏ । ଏହି ତାପମାତ୍ରାରୁ ମହାକାଶଯାନକୁ ସୁରକ୍ଷା ଦେବା ଲାଗି ବୈଜ୍ଞାନିକମାନେ ଅତି ହାଲୁକା ଓ ଉଷ୍ମନିରୋଧୀ ସିଲିକା ଟାଇଲକୁ ବ୍ୟବହାର କରିଛନ୍ତି । ଯାନର ସମ୍ମୁଖ ପାଖକୁ ସ୍ଵତନ୍ତ୍ର କାର୍ବନ-କାର୍ବନ ସଂରଚନାରେ ନିର୍ମାଣ କରାଯାଇଛି; ଯାହା ଉଚ୍ଚ ତାପମାତ୍ରାକୁ ସହିପାରିବ । ଏହି ଉଷ୍ମନିରୋଧୀ ସିଲିକା ଟାଇଲ ଆମେରିକୀୟ ମହାକାଶ ଯାନ 'କଲମ୍ବିଆ' ରେ ବିଫଳ ହୋଇଥିଲା । ଏହି କାରଣରରୁ ୨୦୦୩ରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବୈଜ୍ଞାନିକ କଳ୍ପନା ଚାୱାଲାଙ୍କ ମହାକାଶରେ ମୃତ୍ୟୁ ଘଟିଥିଲା । ତେଣୁ ଇସ୍ରୋ ତା'ର ମହାକାଶ ଯାନରେ ଉଷ୍ମନିରୋଧୀ ପ୍ରମାଳୀ ଉପରେ ବିଶେଷ ଗୁରୁତ୍ଵ ଦେଇଛି ।

ମହାକାଶ ଯାନ ସମ୍ପର୍କରେ

ମହାକାଶ ଯାନ ମାନବ ରହିତ କିମ୍ବା ମାନସ ବିହୀନ ଉପଗ୍ରହ ଯାତାୟାତ ପ୍ରଣାଳୀକୁ ବୁଝାଯାଏ । ଏହାକୁ ପୁନଃ ଉପଯୋଗ କରାଯାଇପାରେ । ଏହି ମହାକାଶ ଯାନରେ ସବାର ହୋଇ ବୈଜ୍ଞାନିକମାନେ ମହାକାଶକୁ ଯାତ୍ରା କରିଥାନ୍ତି । ଏହାକୁ ଏକ ରକେଟ୍ ସହିତ ଯୋଡିକରି ମହାକାଶକୁ ପଠାଯାଏ । ଏହାପରେ ଏହା ଏକ ସାଧାରଣ ବିମାନ ଭଳି ପୃଥିବୀକୁ ଫେରିଆସେ । ମହାକାଶ ଯାନକୁ ମହାକାଶ ଗବେଷଣା ଲାଗି ଅନେକ ଥର ପ୍ରୟୋଗ କରାଯାଇପାରିବ । ଆମେରିକା ତା'ର ମହାକାଶ ଯାନ 'ଆଟ୍ଲାଣ୍ଟିସ୍' କୁ ୧୩୫ ଥର ପୁନଃ ପୟୋଗ କରିଥିଲା । ୨୦୧୧ ରେ ଏହି ଯାନ ଅବସର ନେଇଥିଲା । ୧୯୮୮ ରେ ରୁଷ ତା'ର ମହାକାଶ ଯାନ 'ବୁରାନ' କୁ ମହାକାଶ କୁ ପଠାଇଥିଲା ଏବଂ ଏହାକୁ ମାତ୍ର ଥରେ ବ୍ୟବହାର କରାଯାଇଥିଲା । ଜାପାନ ଓ ଫ୍ରାନ୍ସ ମହାକାଶ ଯାନର ପରୀକ୍ଷାମୂଳକ ଉଡାଣ କରିଥିଲେ ହେଁ ଚୀନ କେବେ ଏଦିଗରେ ଅଗ୍ରସର ହୋଇନି ।

ଆଧାର - ଶକ୍ତି ବ୍ୟୁରୋ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate