ଭାରତୀୟ ଗବେଷଣାଗାର କହିଲେ ମୁଖ୍ୟତଃ ଦେଶର ଚାରୋଟି ପ୍ରମୁଖ ଗବେଷଣା ସଂଗଠନକୁ ଇଙ୍ଗିତ କରେ । ସେଗୁଡିକ ହେଲା - ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ , ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ , ଭାରତୀୟ ମହାକାଶ ଗବେଷଣା ସଂଗଠନ ଓ ଭାବା ଆଣବିକ ଗବେଷଣା କେନ୍ଦ୍ର । ଏତତବ୍ୟତୀତ ବିଭିନ୍ନ ବିଶ୍ଵବିଦ୍ୟାଳୟ ତଥା ରାଜ୍ୟ ସରକାରନାକ ଦ୍ଵାରା ପରିଚାଳିତ ଅନେକ ଗବେଷଣାଗାର ମଧ୍ୟ ରହିଛି । ମୁଖ୍ୟ ଗବେଷଣା ସଂଗଠକମାନଙ୍କ ମଧ୍ୟରେ ଆଇ ଏସ ଆର ଓ ବା ଇସ୍ରୋର ଗବେଷଣା ବିଷୟ ମହାକାଶ ଗବେଷଣା ତଥା ଉତକ୍ଷେପଣ ପ୍ରଯୁକ୍ତି ବିଦ୍ୟା ଆଦିରେ କ୍ରିଯାଶୀଳ । ବି ଏ ଆର ସି , ସେହିପରି ଆଣବିକ ଗବେଅନା ଓ ସାର୍ବଜନୀନ କ୍ଷେତ୍ରରେ ଆଣବିକ ଶକ୍ତି ର ଉପଯୋଗ ଉପରେ ପ୍ରାଥମିକ ଗୁରୁତ୍ଵ ପ୍ରଦାନ କରେ । ଡି ଆର ଡି ଓ ର ଗବେଷଣା ବିଷୟବସ୍ତୁ ଅନେକ ଭାବରେ ପ୍ରସାରିତ ଓ ଏଥିରେ ମୁଖ୍ୟତଃ ପ୍ରତିରକ୍ଷା ସମ୍ବନ୍ଧୀୟ ଜ୍ଞାନକୌଶଳର ବିକାଶ ଅଗ୍ରାଧିକାର ଲାଭ କରିଥାଏ । ଏମାନଙ୍କ ତୁଳନାରେ ସି ଏସ ଆଇ ଆର ର ଗବେଷଣା ପରିସର ଭିତରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରାୟ ଆଧିକାଂଶ ବିଷୟ ସ୍ଥାନ ଲାଭ କରିଛନ୍ତି ଏବଂ ସାରା ଦେଶରେ ୩୭ ଟି ଗବେଷଣାଗାର ପ୍ରତିଷ୍ଠିତ ହୋଇ କାର୍ଯ୍ୟ କରୁଛନ୍ତି ।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଗବେଷଣାକୁ ସାଧାରଣତଃ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଏ , ଯଥା - ମୌଳିକ ଗବେଷଣା , ପ୍ରୟୋଗାତ୍ମକ ଗବେଅନା ଓ ବିକାଶମୂଳକ ଶୈଳ୍ପିକ ଗବେଷଣା । ମୌଳିକ ଗବେଷଣା କୌଣସି ପ୍ରାକୃତିକ ପ୍ରକ୍ରିୟା ସଂପର୍କରେ ଅନୁଧ୍ୟାନ ଓ ସେଥିରୁ ନୂତନ ତଥ୍ୟର ଉନ୍ମୋଚନ ଦିଗରେ କାର୍ଯ୍ୟ କରେ । ଏଥିରୁ ଯେଉଁ ତତ୍ଵ ଆବିଷ୍କୃତ ହୁଏ ଏବଂ ତଥ୍ୟ ଆହରିତ ହୁଏ , ତାହାର ବ୍ୟବହାରିକତା ଉପରେ ଅନୁଧ୍ୟାନ ପ୍ରୟୋଗାତ୍ମକ ଗବେଷଣାଗାର ପରିସରଭୁକ୍ତ । ବିକାଶମୂଳକ ଶୈଳ୍ପିକ ଗବେଷଣା ପୂର୍ବୋକ୍ତ ଦୁଇ ଗବେଷଣାଲବ୍ଧ ଜ୍ଞାନ ଓ ଅନୁଭୂତିକୁ ବ୍ୟବହାର କରି ନୂତନ ପଦ୍ଧତି (ପ୍ରୋସେସ ) ଓ ପ୍ରଯୁକ୍ତି (ଟେକନୋଲୋଜି) ଉଦ୍ଭାବନ କରେ । ଏହି ଉଦ୍ଭାବିତ ଜ୍ଞାନକୌଶଳ ନିଜର ପ୍ରାସଙ୍ଗିକତା ଭିତ୍ତିରେ ସମାଜର ଉତ୍ପାଦନ କାର୍ଯ୍ୟକ୍ରମ ସହିତ ସଂଯୁକ୍ତ ହୁଏ ।
ମୌଳିକ /ପ୍ରୋୟୋଗାତ୍ମକ ଗବେଅନା ସାଧାରଣତଃ ସେଥିପାଇଁ ସୁନିର୍ଦ୍ଧିଷ୍ଟ ଗବେଷଣାଗାର ତଥା ବିଭିନ୍ନ ବିଶ୍ଵବିଦ୍ୟାଳୟ ମାଧ୍ୟମରେ ସଂଗଠିତ ହୁଏ । ଶୈଳ୍ପିକ ଗବେଷଣା ପ୍ରତିଷ୍ଠାନମାନଙ୍କରେ ମଧ୍ୟ ମୌଳିକ/ପ୍ରୟୋଗାତ୍ମକ ଗବେଷଣାର ଆବଶ୍ୟକତା ଏଡାଇ ଦେଇ ହୁଏ ନାହିଁ । କାରଣ , ପଦ୍ଧତି ଓ ପ୍ରଯୁକ୍ତି ସମ୍ବନ୍ଧିତ ଯେଉଁସବୁ ପ୍ରକଳ୍ପ ଏପରି ସଂସ୍ଥାର କାର୍ଯ୍ୟକାରୀ ହୁଏ , ସେଥିପାଇଁ ନିର୍ଦ୍ଧିଷ୍ଟ ବିଷୟ ଉପରେ ମୌଳିକ ତଥା ପ୍ରୟୋଗାତ୍ମକ ଗବେଅନା ଆବଶ୍ୟକ ହୁଅନ୍ତି । ମୌଳିକ ଗବେଷଣା ଗବେଷଣାଗାରର ବୈଜ୍ଞାନିକମାନଙ୍କ ଜ୍ଞାନର ଗୁଣାତ୍ମକ ଅଭିବୃଦ୍ଧି ସାଧନ କରିଥାଏ ଓ ଗବେଷଣାର ଭିତ୍ତିଭୂମିକୁ ସୁଦୃଢ କରିଥାଏ । ଏହି ପରିପ୍ରେକ୍ଷୀରେ ଶୈଳ୍ପିକ ଗବେଷଣାଗାର ଗୁଡିକୁ ଗବେଷଣା ଓ ବିକାଶ (ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ) ସଂସ୍ଥା ଭାବେ ଚିହ୍ନିତ କରାଯାଏ । ଏପରି ଗବେଷଣାଗାରମାନଙ୍କ ପରିଚାଳନା ସବୁବେଳେ ଏକ ଆହ୍ଵାନ ଭାବେ ଆସେ । କାରଣ , ସେ କ୍ଷେତ୍ରରେ ଭିନ୍ନ ଭିନ୍ନ ବିଭାବର ସମନ୍ଵୟ ଆବଶ୍ୟକ ହୋଇଥାଏ ।
ପରିଚାଳନାର ମୁଖ୍ୟ ବିଭାବ :- କୌଣସି ବ୍ୟବସାୟିକ ସଂସ୍ଥା , କଳକାରଖାନା ବା ସରକାରୀ/ବେସରକାରୀ ଦପ୍ତରର ପରିଚାଳନା ତୁଳନାରେ ଏକ ଗବେଷଣାଗାରର ପରିଚାଳନା ରେ ତତ୍ଵଗତ ତଥା ଗୁଣାତ୍ମକ ପାର୍ଥକ୍ୟ ରହିଛି । କାରଣ ଗବେଷଣାଗାରର ଏକ ସୃଜନଶୀଳ ପ୍ରକ୍ରିୟାର ନିୟନ୍ତ୍ରଣ କରାଯାଏ । ଗୋଟିଏ ଗବେଷଣାଗାର ପୃଥିବୀର ଯେ କୌଣସି ସ୍ଥାନରେ ପ୍ରତିଷ୍ଠିତ ହୋଇଥାଉ ନା କାହିଁକି , ତାର ପରିଚାଳନା ପାଇଁ କେତେକ ସାଧାରଣ ନିୟମ ଓ ସୂତ୍ର ରହିଛି । ଯେଉଁସବୁ ମୁଖ୍ୟ ବିଭାବ ଗବେଷଣାଗାର ପରିଚାଳନାକୁ ପ୍ରଭାବିତ କରିଥାନ୍ତି , ସେଗୁଡିକ ହେଲା :-
ଦ୍ରୁଷ୍ଟି ଓ ଲକ୍ଷ୍ୟ :- ଏକ ଗବେଷଣାଗାର ପାଇଁ ତାର ଦ୍ରୁଷ୍ଟି ବା ଭିଜନ ହେଉଛି - ପ୍ରତିଷ୍ଠାନ ଟି କଣ ହେବାକୁ ଚାହେଁ ଓ କିପରି ଭାବରେ ଏହା ସାମାଜିକ କ୍ଷେତ୍ରକୁ ପ୍ରଭାବିତ କରିବ , ତାହାର ଏକ ପରିପ୍ରକାଶ । ଦ୍ରୁଷ୍ଟି ଭିତରେ ଏପରି କିଛି ଆହ୍ଵାନ ରହିଥାଏ , ଯାହା ପ୍ରତିଷ୍ଠାନର କାର୍ଯ୍ୟକ୍ରମକୁ ଅନୁପ୍ରେରିତ କରେ । ଅନ୍ୟ ପକ୍ଷରେ ଲକ୍ଷ୍ୟ ବା ମିସନ ଗବେଅନାଗାରର ଉଦ୍ଦେଶ୍ୟକୁ ସଂଜ୍ଞାୟିତ କରେ । ଏହା କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ଏକ ମାର୍ଗଦର୍ଶକ ସଦୃଶ । ଗବେଷଣାଗାରର ବିଭିନ୍ନ କାର୍ଯ୍ୟକ୍ରମକୁ ଏହା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ସୁପରିଚାଳନା ସକାଶେ ଏକ ଗବେଷଣାଗାରର ଦ୍ରୁଷ୍ଟି ଓ ଲକ୍ଷ୍ୟ ଖୁବ ପ୍ରାଞ୍ଜଳ ଭାବେ ପ୍ରକାଶିତ ହେବା ଆବଶ୍ୟକ ।
କୌଶଳଗତ ଯୋଜନା ଓ କାର୍ଯ୍ୟକାରୀ ଯୋଜନା : - ଗବେଷଣା ପ୍ରତିଷ୍ଟନ ଲକ୍ଷ୍ୟ ଅନୁଯାୟୀ ତାର କୌଶଳଗତ ଯୋଜନା ସ୍ଥିରୀକୃତ ହୋଇଥାଏ । ପ୍ରତିଷ୍ଠାନ କିପରି ତାର ଲକ୍ଷ୍ୟ ସାଧନ କରିପାରିବ ସେ ଦିଗରେ ନିଜର କୃତିତ୍ଵ ପ୍ରଦର୍ଶନ କରିବ , ଏହା କୌଶଳଗତ ଯୋଜନାରେ ପ୍ରତିଫଳିତ ହୋଇଥାଏ । ଏପରି ଯୋଜନା ୩ ବର୍ଷ , ୫ ବର୍ଷ ,ବା ୧୦ ବର୍ଷ ପାଇଁ କରାଯାଇପରେ । କୌଶଳଗତ ଯୋଜନାକୁ କାର୍ଯ୍ୟକାରୀ କରିବା ଯେଉଁସବୁ ଉପାୟ ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଏ , ତାହା କାର୍ଯ୍ୟକାରୀ ଯୋଜନା ଅନ୍ତର୍ଭୁକ୍ତ । ଏଥିରେ ଗବେଷଣାଗାରର ବିଶେଷଜ୍ଞ ଦଳ , ପ୍ରଶାସନ ତଥା ଅନ୍ୟ ସହଯୋଗୀ ବିଭାଗ ସମ୍ପୃକ୍ତି ରହନ୍ତି । କାର୍ଯ୍ୟକାରୀ ଯୋଜନା ମାଧ୍ୟମରେ ଗବେଷଣାର ବାହାର ସଂସ୍ଥାମାନଙ୍କ ସହିତ ସଂପର୍କ ରକ୍ଷା କରିଥାଏ ।
ଗବେଷଣା ବିଭାଗ ଓ ପ୍ରକଳ୍ପ ପରିଚାଳନା :- କୌଶଳଗତ ଯୋଜନା ଓ କାର୍ଯ୍ୟକରି ଯୋଜନାକୁ କ୍ରିୟାଶୀଳ କରିବା ପାଇଁ ଏକ ଗବେଷଣା ପ୍ରତିଷ୍ଠାନର ବିଭାଗୀକାରଣ ଆବଶ୍ୟକ ହୁଏ । ଗବେଷଣାଗାର ପରିଚାଳନା ଏକ ଜଟିଳ ପ୍ରକ୍ରିୟା ହୋଇଥିବା ଯୋଗୁଁ ଏହାକୁ ସୁଗମ କରିବା ପାଇଁ ସାଧାରଣତଃ ବିଷୟବସ୍ତୁ ଓ କାର୍ଯ୍ୟଭିତ୍ତିରେ ଅନେକ ବିଭାଗ ସୃଷ୍ଟି କରାଯାଇଥାଏ । ପ୍ରତ୍ୟେକ ଗବେଷଣା ବିଭାଗରେ ନିର୍ଦ୍ଧିଷ୍ଟ ବିଶେଷଜ୍ଞତା ସମ୍ପର୍ଣ୍ଣ ବୈଜ୍ଞାନିକମାନେ ସମ୍ମିଳିତ ହୋଇ କାର୍ଯ୍ୟ କରନ୍ତି । ଯାହାଫଳରେ ନିର୍ଦ୍ଧିଷ୍ଟ ବିଷୟ ଉପରେ ଅଧିକ ପାରଦର୍ଶିତା ହାସଲ କରିବା ସମ୍ଭବ ହୁଏ । ଗୋଟିଏ ଗବେଷଣା ବିଭାଗରେ କେତେଜଣ ବୈଜ୍ଞାନିକ କାମ କରିବେ , ତାହା ଗବେଷଣାଗାରର ଲକ୍ଷ୍ୟ ବା ମିସନ ଉପରେ ନିର୍ଭର କରେ । ଗୋଟିଏ ବିଭାଗରେ ଖୁବ କମ ଅଧିକ ବିଶେଷଜ୍ଞ କାର୍ଯ୍ୟ କରିବା ସୁଫଳ ଦେଇପାରେ ନାହିଁ ।
ଗୋଟିଏ ଗବେଷଣା ଓ ବିକାଶ (ଆର ଆଣ୍ଡ ଡି) ପ୍ରତିଷ୍ଠାନରେ ବିକାଶମୂଳକ ଗବେଷଣା ଅଗ୍ରାଧିକାର ପାଇଥାଏ । କାରଣ ଏହା ପ୍ରତିଷ୍ଠାନର ଲକ୍ଷ୍ୟ ସହିତ ସମ୍ପୃକ୍ତ ।ସେହି ତୁଳନାରେ ମୌଳିକ ଓ ପ୍ରୟୋଗାତ୍ମକ ଗବେଷଣା ଗୁରୁତ୍ଵ ପାଇବ , ତାହା ପରିଚାଳନାଗତ ଦୂରଦ୍ରୁଷ୍ଟି ଦ୍ଵାରା ପ୍ରତିଫଳିତ ହୁଏ । ବିଭିନ୍ନ ଶ୍ରେଣୀର ଗବେଷଣା ଭିତରେ ଅନୁପାତ ସାଂପ୍ରତିକ ଓ ଭବିଷ୍ୟତର ଆବଶ୍ୟକତାକୁ ଦ୍ରୁଷ୍ଟିରେ ରାଖୀ ସ୍ଥିର କରାଯାଇଥାଏ । ମୌଳିକ ଓ ପ୍ରୟୋଗାତ୍ମକ ଗବେଷଣା ପ୍ରକଳ୍ପଗୁଡିକ ସାଧାରଣତଃ ସମ୍ପୃକ୍ତ ଗବେଷଣା ବିଭାଗ ଭିତରେ କାର୍ଯ୍ୟ କରନ୍ତି । ଅନ୍ୟ ପକ୍ଷରେ ବିକାଶମୂଳକ ଶୈଳ୍ପିକ ଗବେଷଣା ପ୍ରକଳ୍ପମାନଙ୍କ ପରିସର ଅଧିକ ବିସ୍ତୁତ । ଅନେକ ସମୟ ଏହା ଗୋଟିଏ ବିଭାଗ ଭିତରେ କାର୍ଯ୍ୟକାରୀ ହେବ ସମ୍ଭବ ହୁଏ ନାହିଁ । ସେଥିପାଇଁ ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଏକ ପ୍ରକଳ୍ପ ପ୍ରଚାଳନ ଦଳ ବା ପ୍ରୋଜେକ୍ଟ ଟିମ ଗଠନ କରାଯାଏ । ଏକ ପ୍ରକଳ୍ପ ଦଳର ସଠିକ ଗଠନ ଓ ଦଳ ଭିତରେ ସମନ୍ଵୟ ସ୍ଥାପନ ପ୍ରକଳ୍ପର ସଫଳତା ପାଇଁ ଅନିର୍ବାର୍ଯ୍ୟ ।
ଏକ ଗବେଷଣା ପ୍ରକଳ୍ପର ପ୍ରବନ୍ଧନ ବା ପରିଚାଳନାକୁ ନେଇ ଆଧୁନିକ କାଳରେ ଅନେକ ତତ୍ଵ ଓ ନିର୍ଦେଶ ଉପସ୍ଥାପିତ ହୋଇଛି । ଏହି ପ୍ରବଂଧରେ ତାର ବିଶଦ ଆଲୋଚନା ସମ୍ଭବ ନୁହେଁ । ତେବେ ଗୋଟିଏ ପ୍ରକଳ୍ପଦଳ ଓ ତାର ନେତୃତ୍ଵ ପ୍ରକଳ୍ପ – ପରିଚାଳନା ପାଇଁ ଏକ ଯୁକ୍ତିଯୁକ୍ତ ନିଦର୍ଶ ଅବଲମ୍ବନ କରିବା ଆବଶ୍ୟକ । ପ୍ରକଳ୍ପର ଅବଧାରଣା ଠାରୁ ଆରମ୍ଭ କରି ତାର ସମାପ୍ତି ପର୍ଯ୍ୟନ୍ତ ପ୍ରକଳ୍ପ – କାର୍ଯ୍ୟକ୍ରମକୁ ସାଧାରଣତଃ ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ କରାଯାଏ ଓ ସେମାନଙ୍କ ଭିତରେ ଥିବା ଆନ୍ତଃସଂପର୍କକୁ ମଧ୍ୟ ଚିହ୍ନିତ କରାଯାଇଥାଏ । ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ଆବଶ୍ୟକୀୟ ଆର୍ଥିକ ଓ ମାନବ ସମ୍ବଳର ଉପଯୋଗକୁ ନେଇ ପ୍ରକଳ୍ପର ଯୋଜନା ନିର୍ଦ୍ଧାରିତ ହୁଏ । ବିଶେଷତଃ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଭୂମିକା ମଧ୍ୟ ନିର୍ଦ୍ଧିଷ୍ଟ କରାଯାଇଥାଏ । ପ୍ରକଳ୍ପର କାର୍ଯ୍ୟନିର୍ବାହକୁ ନିୟମିତ ପର୍ଯ୍ୟବେକ୍ଷଣ କରିବା ସହିତ ତାର ଅଗ୍ରଗତିର ଯଥାବିଧି ସମୀକ୍ଷା କରାଯିବା ପରିଚାଳନାର ଏକ ମୁଖ୍ୟ ବିଭବ । ଆଧୁନିକ ପ୍ରକଳ୍ପ- ପରିଚାଳନା ତତ୍ଵ କେବଳ ପ୍ରକଳ୍ପର ଯାନ୍ତ୍ରିକ ଢାଞ୍ଚା କୁ ପ୍ରାଧାନ୍ୟ ଦିଏ ନାହିଁ , ତା ସହିତ ଚାଲିଥିବା ମାନବୀୟ ପ୍ରକ୍ରିୟା ଯଥା – ପ୍ରକଳ୍ପ ଦଳରେ ଦହଯୋଗ ଓ ଆଦାନପ୍ରଦାନକୁ ମଧ୍ୟ ଯଥେଷ୍ଟ ଗୁରୁତ୍ଵ ଦିଏ ।
ଗବେଷଣାର ସମ୍ବଳ :- ଗବେଷଣାର ମୁଖ୍ୟ ସମ୍ବଳ ହେଉଛି ଏହାର ମାନବ ସମ୍ବଳ , ଯାହାକୁ ଏକ ସମର୍ଥ ଓ ଉଚ୍ଚମାନର କାର୍ଯ୍ୟନିର୍ବାହୀ ଗୋଷ୍ଠୀ ବ ଦଳ ଭାବେ ବିବେଚନା କରାଯାଇପାରେ । ଏତତବ୍ୟତୀତ ଗବେଷଣାର ସାଧନ , ଯଥା – ଗବେଷଣାର ଯନ୍ତ୍ରପାତି , ଉପକରଣ ଓ ସେସବୁର ପ୍ରତିଷ୍ଠା ଓ ପ୍ରଚାଳନା ଦିଗରେ ଉପଯୁକ୍ତ ବ୍ୟବସ୍ଥା ଇତ୍ୟାଦିକୁ ଅନ୍ୟତମ ସମ୍ବଳ ଭାବେ ଗ୍ରହଣ କରାଯାଏ । ଶେଷରେ ଆର୍ଥିକ ସମ୍ବଳ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ସମ୍ବଳ , ଯାହା ବ୍ୟତିରେକେ କୌଣସି ଗବେଷଣା କାର୍ଯ୍ୟକ୍ରମ ସମ୍ଭବ ନୁହେଁ ।
ମାନବ –ସମ୍ବଳ ପରିପ୍ରେକ୍ଷୀରେ ଗବେଷଣାଗାରରେ ନିୟୋଜିତ କାର୍ଯ୍ୟନିର୍ବାହୀ ଗୋଷ୍ଠୀ ଭିତରେ ଉପଯୁକ୍ତ ଜ୍ଞାନ ବା ଅନୁଭୂତି ଆବଶ୍ୟକ । ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ମାନବ ସମ୍ବଳକୁ ଶକ୍ତିଶାଳି କରିଥାଏ । ଗୋଟିଏ ଗବେଷଣାଗାରରେ ବୈଜ୍ଞାନିକ /ଇଞ୍ଜିନିୟରମାନେ ହେଉଛନ୍ତି କାର୍ଯ୍ୟନିର୍ବାହୀ ଗୋଷ୍ଠୀର ମେରୁଦଣ୍ଡ ଭଳି । ନିଜ ନିଜ କ୍ଷେତ୍ରରେ ସେମାନଙ୍କର ଗଭୀର ଜ୍ଞାନ ରହିବା ଯେପରି ଜରୁରୀ , ଅନେକ ଆନୁଷଙ୍ଗିକ କ୍ଷେତ୍ରରେ ସେମାନଙ୍କର ପର୍ଯ୍ୟାପ୍ତ ଅନୁଭବ ରହିବା ମଧ୍ୟ ଆବଶ୍ୟକ । ମାବନ –ସମ୍ବଳର ସୁପରିଚାଳନା ପାଇଁ ନିମ୍ନୋକ୍ତ ବିଭାବଗୁଡିକ ପ୍ରଣିଧାନଯୋଗ୍ୟ ।
ଗବେଷଣା ପାଇଁ ଆବଶ୍ୟକୀୟ ଯାନ୍ତ୍ରିକ ସାଧନ ଭିତରେ ଗବେଷଣା ଗୃହ , ଯନ୍ତ୍ରପାତି ପରିମାପକ ତଥା ପରୀକ୍ଷଣ ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରତ୍ୟେକ ଗବେଷଣା ପ୍ରକଳ୍ପର ଆବଶ୍ୟକତା ଅନୁଯାୟୀ ଏହିସବୁ ସାଧନ ବୈଜ୍ଞାନିକମାନଙ୍କ ପାଇଁ ଉପଲବ୍ଧ ହେବା ବିଧେୟ । ଅନେକ କ୍ଷେତ୍ରରେ ବିଶେଷ ଯନ୍ତ୍ରପାତି ଓ ପରିମାପକର ପ୍ରୟୋଜନ ଆସିଥାଏ । ଓ ସେସବୁ ପ୍ରୟୋଜିତ ପ୍ରକଳ୍ପମାନଙ୍କ ଅନୁଦାନକୁ ଉପଯୋଗ କରି କ୍ରୟ କରାଯାଏ । ଗୋଟିଏ ଗବେଷଣାଗାରରେ ବିଭିନ୍ନ କ୍ଷେତ୍ରରେ ଲୋଡା ହେଉଥିବା ସାଧନର ବିକାଶ ଓ ଉନ୍ନତିକରଣ ଗବେଷଣାର ମାନକୁ ପ୍ରଭାବିତ କରେ । ସମସ୍ତ ଗବେଷଣା ସାଧନର କିପରି ସର୍ବାଧିକ ସଦୁପଯୋଗ ହୋଇପାରିବ ,ସେଦିଗରେ ଦ୍ରୁଷ୍ଟିଦେବା ସଫଳ ପରିଚାଳନାର ଅନ୍ୟତମ ଲକ୍ଷଣ ।
ଆର୍ଥିକ ସମ୍ବଳ ହେଉଛି ଗବେଷଣା ପାଇଁ ଏକ ମୁଖ୍ୟ ଉପାଦାନ । ଭାରତରେ ଡି ଆ ଡି ଓ , ବି ଏ ଆର ସି ଓ ଇସ୍ରୋ ଭଳି ସଂଗଠନମାନେ ମୁଖ୍ୟତଃ ସରକାରୀ ଅନୁଦାନ ଦ୍ଵାରା ପରିପୃଷ୍ଠ ହୁଅନ୍ତି । ସି ଏସ ଆର ଆର ଭଳି ବହୁମୁଖ୍ୟ ଗବେଷଣା ସଂଗଠନରେ ଗବେଷଣାଗାରମାନଙ୍କ ଆର୍ଥିକ ସମ୍ବଳ ସରକାରୀ ଅନୁଦାନ ତଥା ନିଜସ୍ୱ ଅର୍ଜନ ଦ୍ଵାରା ପରିପୂରିତ ହେବାର ନିୟମ ରହିଛି । ଏହି ନିଜସ୍ୱ ଅର୍ଜନ ଗବେଷଣାଗାରର ବାର୍ଷିକ ବ୍ୟୟର ଏକ ବିଶିଷ୍ଟ ଅଂଶ । ଏହି ଅଂଶଟି ବାହାରର ପ୍ରଯୋଜକ ସଂସ୍ଥା ଓ ଶିଳ୍ପୋଦ୍ୟୋଗମାନଙ୍କ ଦ୍ଵାରା ପ୍ରୟୋଜିତ ପ୍ରକଳ୍ପମାନଙ୍କ ମାଧ୍ୟମରେ ପ୍ରାପ୍ତ ହୁଏ । ଏହି ପ୍ରୟୋଜିତ ପ୍ରକଳ୍ପସବୁ ସାଧାରଣତଃ ବିକାଶମୂଳକ ଓ ଦେଶର ଶୈଳ୍ପିକ ଉତ୍ପାଦନ ପ୍ରକ୍ରିୟା ସହିତ ଜଡିତ । ଗୋଟିଏ ଗବେଷଣାଗାର କେତେ ମାତ୍ରାରେ ଏହି ପ୍ରୟୋଜିତ ପ୍ରକଳ୍ପମାନଙ୍କୁ ଆକର୍ଷିତ କରିପାରୁଛି ଓ ତାହାକୁ ସଫଳ ଭାବେ କାର୍ଯ୍ୟକାରୀ କରିପାରୁଛି , ତାହା ଉପରେ ଗବେଷଣାଗାର ସାମର୍ଥ୍ୟ ଓ ମର୍ଯ୍ୟାଦା ଅନେକ ଭାବରେ ନିର୍ଭରଶୀଳ । ସାମଗ୍ରିକ ଭାବେ ଦେଖିଲେ ଏକ ଗବେଷଣା ପ୍ରତିଷ୍ଠାନରେ ମୌଳିକ ଗବେଷଣା , ପ୍ରୟୋଗାତ୍ମକ ଗବେଷଣା ଓ ବିକାଶମୂଳକ ଶୈଳ୍ପିକ ଗବେଷଣା ପାଇଁ କିପରି ଭାବେ ଆର୍ଥିକ ସମ୍ବଳକୁ ସନ୍ତୁଳିତ ଭାବେ ପ୍ରୟୋଜିତ କରାଯାଇପାରୁଛି , ତାହା ପରିଚାଳନାଗତ ସାମର୍ଥ୍ୟ ପରିଚୟ ଦିଏ ।
ନେତୃତ୍ଵ :- ଏକ ଗବେଷଣାଗାରରେ ନେତୃତ୍ଵ ସାଧାରଣତଃ ତିନି ଶ୍ରେଣୀର । ଗୋଟିଏ ହେଉଛି ସର୍ବୋଚ୍ଚ ନେତୃତ୍ଵ , ଯାହାକି ପ୍ରତିଷ୍ଠାନର ମୁଖ୍ୟ ବା ନିର୍ଦ୍ଦେଶକ ଦ୍ଵାରା ସଂପାଦିତ ହୁଏ । ପରବର୍ତ୍ତୀ ଶ୍ରେଣୀର ନେତୃତ୍ଵ ହେଉଛି , ପ୍ରତିଷ୍ଠାନର ବିଭିନ୍ନ ବିଭାଗର ମୁଖ୍ୟମାନଙ୍କୁ ନେଇ । ଆଉ ଏକ ସ୍ତରର ନେତୃତ୍ଵ ବିଭିନ୍ନ ପ୍ରକଳ୍ପ –ମୁଖ୍ୟ ବା ପ୍ରୋଜେକ୍ଟ ଲିଡରମାନଙ୍କ ମାଧ୍ୟମରେ କାର୍ଯ୍ୟକରି ହୁଏ । ଏହି ତିନିଶ୍ରେଣୀର ନେତୃତ୍ଵ ଭିତରେ ରହିଥିବା ଆନ୍ତଃସଂପର୍କ ଓ ସମନ୍ଵୟ ଗବେଷଣାଗାର ପରିଚାଳନାକୁ ବିଶେଷ ଭାବେ ପ୍ରଭାବିତ କରେ । ନେତୃତ୍ଵର ଭୂମିକା ଏ କ୍ଷେତ୍ରରେ ପୂର୍ବନିର୍ଦ୍ଧାରିତ ବା ଚିରାଚରିତ ନୁହେଁ । ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଅଣୁଦେଶ ପ୍ରଶାସନର ବିଭିନ୍ନ ସ୍ତର ଦେଇ ପରିପାଳିତ ହୋଇଥାଏ । ଶିଳ୍ପ ପ୍ରତିଷ୍ଠାନମାନଙ୍କର ନେତୃତ୍ଵ ଶିଳ୍ପ ପରିଚାଳନା ଓ ଉତ୍ପାଦନକୁ ଭିତ୍ତି କରି ଗଠିତ ହୋଇଥାଏ , କିନ୍ତୁ ଗବେଷଣା ଭଳି ଏକ ସୃଜନଶୀଳ ପ୍ରକ୍ରିୟାର ପରିଚାଳନା ପାଇଁ ତାର ନେତୃତ୍ଵ ପ୍ରତ୍ୟେକ ସ୍ତରରେ ସୃଷ୍ଟି ହେବା ଆବଶ୍ୟକ ।
ପ୍ରତିଷ୍ଠାନ ପରିଚାଳନା ପରିପ୍ରେକ୍ଷୀରେ ନେତୃତ୍ଵକୁ ବେଶ କିଛି ଧାରଣା ସୃଷ୍ଟି ହୋଇଛି । ସେହି ଅନୁଯାୟୀ ନେତୃତ୍ଵକୁ ବିଭିନ୍ନ ପ୍ରକାର ଭେଦରେ ଚିହ୍ନିତ କରାଯାଇପରେ , ଯଥା -
ଗୋଟିଏ ଗବେଷଣାଗାରରେ ବିଭିନ୍ନ ସ୍ତରର ନେତୃତ୍ଵ ଯେ ଏହି ପ୍ରକାର ନେତୃତ୍ଵ ଭିତରୁ ଯେ କୌଣସି ଗୋଟିଏକୁ ବାଛିନେବ – ସେପରି କୌଣସି କଥା ନାହିଁ । ବ୍ୟାବହାରିକ କ୍ଷେତ୍ରରେ ନେତୃତ୍ଵ ଏକାଧିକ ପ୍ରକାରର ସମ୍ମିଶ୍ରଣ ହୋଇପରେ , କିନ୍ତୁ ନେତୃତ୍ଵ ଚାପମୂଳକ ବା ଗତି ନିର୍ଦ୍ଧାରିକ ହେବା ଉଚିତ ନୁହେଁ । ଅନେକ ପ୍ରତିଷ୍ଠାନରେ ନିଷ୍ପତ୍ତି ନେବାର କ୍ଷମତା ନେତୃତ୍ଵର ସର୍ବୋଚ୍ଚ ସ୍ତରରେ କେନ୍ଦ୍ରୀଭୂତ ହୋଇଥାଏ । ଏହା ନେତୃତ୍ଵର ଅନ୍ୟ ସ୍ତରମାନଙ୍କୁ ନିଷ୍ପତ୍ତି ନେବାର ସୁଯୋଗକୁ ଦୂରେଇ ରଖେ । ପ୍ରକାରନ୍ତେ ଏହା ଏକ ଚାପମୂଳକ ନେତୃତ୍ଵରେ ରୂପାନ୍ତରିତ ହୋଇ ପ୍ରତିଷ୍ଠାନରେ ଏକ ଚାପଗ୍ରସ୍ତ ବାତାବରଣ ସୃଷ୍ଟି କରେ । ଏହା କୌଣସି ଗବେଷଣାଗାର ପାଇଁ ଶୁଭଙ୍କର ନୁହେଁ । ତେଣୁ ନିଷ୍ପତ୍ତିରେ ବିଭିନ୍ନ ସ୍ତରର ନେତୃତ୍ଵ ର ଅଂଶଗ୍ରହଣ ଓ ସହଯୋଗ ଭିତ୍ତିରେ କାର୍ଯ୍ୟ ସମ୍ପାଦନ ଗବେଷଣାଗାର ପରିଚାଳନା ଆଦର୍ଶ ଭାବେ ଗୃହିତ ହେବା ସୀମାଚୀନ ।
ଭବିଷ୍ୟତ ପାଇଁ ଯୋଜନା ଓ ପରିବର୍ତ୍ତନ – ପରିଚାଳନା :- ଏକ ଗବେଷଣା ପ୍ରତିଷ୍ଠାନ ନିଜର ଲକ୍ଷ୍ୟପୂରଣ ଦିଗରେ ନିରବଚ୍ଛିନ୍ନ ଭାବେ ଭବିଷ୍ୟତ ପାଇଁ ଯୋଜନା କରିବା ଖୁବ ଗୁରୁତ୍ଵପୂର୍ଣ୍ଣ । ଏହାର ଅର୍ଥ – ଆବଶ୍ୟକ ସମୟରେ ଗବେଷଣା ପାଇଁ ସଠିକ ସାଧନ ଓ ନେତୃତ୍ଵ ଉପଲବ୍ଧ ହେବା । କାର୍ଯ୍ୟଗୋଷ୍ଠୀ ଭିତରୁ କେହି ଅବସର ଗ୍ରହଣ କାଲେ ବା ସ୍ଥାନାନ୍ତରିତ ହେଲେ , ସେମାନଙ୍କ ସ୍ଥାନପୂରଣ ପାଇଁ ମଧ୍ୟ ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକ । ଏହାଛଡା ଗବେଷଣାଗାରରେ ନୂତନ ପିଢିର ଗବେଷକ ଓ ସହଯୋଗୀ କର୍ମଚାରୀଙ୍କ ନିଯୁକ୍ତି ତଥା ପ୍ରଶିକ୍ଷଣ ମଧ୍ୟ ଭବିଷ୍ୟତ ଯୋଜନାର ଅନ୍ୟ ଏକ ଦିଗ ସାମଗ୍ରିକ ଭାବେ ଜ୍ଞାନ ଓ ଦକ୍ଷତାର ଅଭିବୃଦ୍ଧି ଗବେଷଣାଗାରର ଲକ୍ଷ୍ୟପୂରଣ ଦିଗରେ ସହାୟକ ହୋଇଥାଏ ।
ଭବିଷ୍ୟତର ଆହ୍ଵାନ ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକ୍ରମରେ ଅନେକ ପରିବର୍ତ୍ତନ ସମ୍ଭାବନା ରଖେ । ଏହାର କାରଣ ଅର୍ଥନୈତିକ ତଥା ଶୈଳ୍ପିକ ପରିବେଶରେ ପରିବର୍ତ୍ତନ ଘଟି ଚାଲିଥାଏ । ଏପରି ପରିବର୍ତ୍ତନ ସହିତ ପ୍ରତିଷ୍ଠାନଟି କିପରି ଖାପ ଖୁଆଇ ଆଗେଇପାରିବ , ତାହାର ସୂତ୍ର ହେଉଛି “ ପରିବର୍ତ୍ତନ ପରିଚାଳନା “ । ଗୋଟିଏ ପ୍ରତିଷ୍ଠାନରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ଦିଗରେ ଅନେକ ସମସ୍ୟା ସାମ୍ନାକୁ ଆସେ । ଏହାର ମୁଖ୍ୟ କାରଣ ହେଉଛି ଯଥା ସ୍ଥିତି ବଜାୟ ରଖିବାର ପ୍ରବଣତା । ପରିବର୍ତ୍ତନକୁ ବିରୋଧ କେବଳ କର୍ମଚାରୀମାନଙ୍କ ଠାରୁ ଆସେନାହିଁ , ଏହା ପ୍ରତିଷ୍ଠାନର ନିଜସ୍ୱ ସ୍ଥିତିରୁ ମଧ୍ୟ ଆସିଥାଏ । କର୍ମଚାରୀଙ୍କ ଭିତରେ ଆଶଙ୍କା ଜାଗ୍ରତ ହୁଏ- କାଳେ ସେମାନଙ୍କର ରହିଥିବା ସୁବିଧାସୁଯୋଗ ଛିନ୍ନ ହୋଇଯିବ । ପ୍ରତିଷ୍ଠାନ ମଧ୍ୟ ନିଜର ନିୟମ କାନୁନ ଭିତରେ ବାନ୍ଧି ହୋଇଥାଏ । ତେଣୁ ପରିବର୍ତ୍ତନକୁ ସ୍ଵାଗତ କରିବାରେ ବାଧା ସୃଷ୍ଟି ହୁଏ । ଏହିସବୁ ବାଧାକୁ ଅତିକ୍ରମ କରିବା ପାଇଁ ଯେଉଁସବୁ ଉପାୟ ଅବଲମ୍ବନ କରାଯାଏ , ତାହା ପରିବର୍ତ୍ତନ ପରିଚାଳନା ଅନ୍ତର୍ଭୁକ୍ତ ।
ଏହି ପରିପ୍ରେକ୍ଷୀରେ ପ୍ରଥମ ବିଚାରଟି ହେଉଛି କର୍ମଚାରୀଙ୍କ ବ୍ୟବହାର ବା ମତିଗତିରେ ପରିବର୍ତ୍ତନ ଆଣିବା । ଏହା କେବଳ ସମ୍ଭବ ହୋଇପାରେ କର୍ମଚାରୀଙ୍କ ସହିତ ଆଦାନପ୍ରଦାନ ପ୍ରତିଷ୍ଠା ମାଧ୍ୟମ ରେ । ଏହାଫଳରେ ବ୍ୟକ୍ତି ସହିତ ଦଳର ସଂପର୍କ ନିୟନ୍ତ୍ରିତ ହୁଏ ଓ କାର୍ଯ୍ୟଦଳ ଭିତରେ ପରିବର୍ତନ ପାଇଁ ସଚେତନା ସୃଷ୍ଟି ହୁଏ । ଏତତବ୍ୟତୀତ କାର୍ଯ୍ୟାବସ୍ଥା ;ଅର୍ଥାତ କର୍ମଜୀବନରେ ଉନ୍ନତି ଘଟିଲେ , ତାହା ପରିବର୍ତ୍ତନ ଦିଗରେ ଦ୍ରୁଷ୍ଟିଭଙ୍ଗୀକୁ ସକାରାତ୍ମକ କରେ ।
ପରିବର୍ତ୍ତନ ଦିଗରେ ଆଉ ଗୋଟିଏ ବିଚାର ହେଉଛି – ଗବେଷଣାତ୍ମକ ତଥା ଅନ୍ୟାନ୍ୟ “ କାର୍ଯ୍ୟକଳ୍ପ” (ଜବ ଡିଜାଇନ) ଉପରେ ଗୁରୁତ୍ଵ ଆରୋପ । ସରଲ ଭାବେ କହିଲେ କାର୍ଯ୍ୟକଳ୍ପ ହେଉଛି – କିପରି ଭାବେ କାର୍ଯ୍ୟଟି ପରିଚାଳିତ ହେବ , ଅର୍ଥାତ ତାର ଯାନ୍ତ୍ରିକ ତଥା ସାଂଗଠନିକ ଆବଶ୍ୟକତାକୁ କିପରି ପୂରଣ କରିହେବ ଓ ସେଥିପାଇଁ କେତେ ମାନବ ସମ୍ବଳ ନିୟୋଜିତ ହେବ । ଅନେକ ଚିନ୍ତାବିତଙ୍କ ମତରେ କାର୍ଯ୍ୟକଳ୍ପର କେବଳ ଯାନ୍ତ୍ରିକ ଦିଗକୁ ଗୁରୁତ୍ଵ ଦେଲେ , ଏହା କାର୍ଯ୍ୟଦଳ ଭିତରେ ବିରୋଧ ସୃଷ୍ଟି କରେ । ତେଣୁ କାର୍ଯ୍ୟକଳ୍ପର ସାମାଜିକ ଦିଗକୁ , ଅର୍ଥାତ କାମଚାରୀଙ୍କ ଭିତରେ ଅଭିପ୍ରେରଣା କୁ ମଧ୍ୟ ବିଚାରକୁ ନେବାକୁ ହେବ । ସାମାଜିକ ଓ ଯାନ୍ତ୍ରିକ ବିଭାବ ଭିତରେ ସମନ୍ଵୟ ଆସିପାରିଲେ , ଭବିଷ୍ୟତରେ ପରିବର୍ତ୍ତନ ପାଇଁ ପଥ ସୁଗମ ହୋଇପାରିବ ।
ଆଧାର : ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ
Last Modified : 1/26/2020