ବିଦ୍ୟୁତ୍ ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଭୁବନେଶ୍ଵରରେ ସେସୁ ତତ୍କାଳ ଯୋଜନା ଆରମ୍ଭ କରିଛି ।
ଆବେଦନକାରୀ ଏଲ୍.ଟି.ସିଙ୍ଗିଲ୍ ଫେଜ ସର୍ବାଧିକ ୫ କିଲୋୱାଟ୍ ଲୋଡ ପର୍ଯ୍ୟନ୍ତ ଘରୋଇ ଏବଂ ବ୍ୟବସାୟିକ ବିଦ୍ୟୁତ୍ ଗ୍ରାହକ ହେବା ପାଇଁ ସେସୁର ତତ୍କାଳ ଯୋଜନା ମାଧ୍ୟମରେ ନିର୍ଦ୍ଧାରିତ ଦେୟ ପଇଠର ୩ ଦିନ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ପାଇପାରିବେ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମ କରି ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ କରୁଥିବା ବ୍ୟକ୍ତି ଉଦ୍ଦିଷ୍ଟ ଆବେଦନପତ୍ର ପୂରଣ କରି ସମ୍ପୃକ୍ତ ଅଞ୍ଚଳର ଡିଭିଜନ ମୁଖ୍ୟଙ୍କ କାର୍ଯ୍ୟାଳୟରେ ଘର ବା ପରିସରକୁ ୱେୟାରିଂ କରିଥିବା କଣ୍ଟ୍ରାକ୍ଟର ପ୍ରମାଣପତ୍ର, ଘର/ ପରିସରର ମାଲିକାନା କାଗଜପତ୍ର ଏବଂ ବିଡିଏ/ ବିଏମ୍ସି ଦ୍ଵାରା ଅନୁମୋଦିତ ପ୍ଲାନ୍, ପ୍ରଫେସିଂ ଫି ବାବଦ ୨୫ ଟଙ୍କା, ଇନ୍ସପେକ୍ସନ ଫି’ ବାବଦ ଟଙ୍କା (ଘରୋଇ ପାଇଁ ୩୪ ଏବଂ ବ୍ୟବସାୟିକ ପାଇଁ ୭୫ ) ଏବଂ ସର୍ଭିସ କନେକ୍ସନ ବାବଦ ୧୫୦୦ ଟଙ୍କା ଦାଖଲ କରିବେ । ବିଦ୍ୟୁତ୍ ଡିଭିଜନର ମୁଖ୍ୟ, ଆବେଦନକାରୀଙ୍କ କାଗଜପତ୍ର ଯାଞ୍ଚ କରିବେ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତତ୍କାଳ ଯୋଜନା ମାଧ୍ୟମରେ ନୂତନ ବିଦ୍ୟୁତ୍ ସଂଯୋଗ ଦିଆଯାଇ ପାରିବ କି ନା ସର୍ବାଧିକ ତିନିଟି କାର୍ଯ୍ୟଦିବସ ମଧ୍ୟରେ ଜଣାଇବେ । ଆବେଦନକାରୀ ତତ୍କାଳ ଦେୟ ଏବଂ ଲୋଡ଼ ଅନୁସାରେ ଅମାନତ ଜମା ପଇଠ କରିବାର ତିନିଟି କାର୍ଯ୍ୟ ଦିବସ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ପାଇବେ ।
ତତ୍କାଳ ଦେୟ ବାବଦରେ ଜଣେ ଏଲ୍.ଟି.ସିଙ୍ଗିଲ ଫେଜ୍ ଘରୋଇ ଆବେଦନକାରୀଙ୍କ ପାଇଁ ୨୦୦୦ ଟଙ୍କା ଏବଂ ଜଣେ ଏଲ୍.ଟି.ସିଙ୍ଗିଲ୍ ଫେଜ୍ ବ୍ୟବସାୟିକ ଆବେଦନକାରୀଙ୍କ ପାଇଁ ୪୦୦୦ଟଙ୍କା ଦେବାକୁ ପଡିବ । ତତ୍କାଳ ଯୋଜନାରେ ଯୋଗ୍ୟ ବିବେଚିତ ହେଉ ନଥିବା ଆବେଦନକାରୀଙ୍କୁ ସାଧାରଣ ପ୍ରକ୍ରିୟାରେ ବିଦ୍ୟୁତ୍ ସଂଯୋଗ ଦିଆଯିବ । ଏହି ଯୋଜନା କେବଳ ପ୍ରଥମ ବିଦ୍ୟୁତ୍ ସଂଯୋଗ ପାଇଁ ପ୍ରଯୋଜ୍ୟ । ପର୍ଯ୍ୟାୟକ୍ରମେ ସମସ୍ତ ସେସୁ ଅଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ସେସୁ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ଆଧାର – ଦୈନିକ ସମାଜ
Last Modified : 1/26/2020