ଶକ୍ତି ଅଭାବର ବଡ଼ ବିକଳ୍ପ ଭାବେ ଏବେ ଉଭା ହୋଇଛି ସୌର ଶକ୍ତି । କେରଳର କୋଚି ସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ସୌରଶକ୍ତି ପରିଚାଳିତ ବିମାନବନ୍ଦରର ମାନ୍ୟତା ମିଳିଥିବା ବେଳେ ଆମ ଭୁବନେଶ୍ୱର ବିମାନ ବନ୍ଦର ବି ଖୁବ ଶୀଘ୍ର ଏ ତାଲିକାରେ ସାମିଲ ହେବାକୁ ପ୍ରୟାସ କରୁଛି । ବଡ଼ ବଡ଼ ଅନୁଷ୍ଠାନ, ବ୍ୟକ୍ତିଗତ କୋଠା ଆଦିରେ ପରୀକ୍ଷାମୂଳକ ଭାବେ ସୌରଶକ୍ତିର ବ୍ୟବହାର ବେଶ୍ ସଫଳ ହୋଇଛି ।
ସୌରଶକ୍ତି ଭବିଷ୍ୟତର ମୁଖ୍ୟ ଶକ୍ତି ଉତ୍ସ ବେହାକୁ ଯାଉଥିବା ବେଳେ ଏହାର ବ୍ୟବହାର ଲାଗି ସରକାରୀ ଓ ବେସରକାରୀ ସ୍ତରରେ ପ୍ରଚାରପ୍ରସାର ବହୁତ ହେଉଛି । ତେବେ ଓଡ଼ିଶା ଏ କ୍ଷେତ୍ରରେ ଆଉ ପାଦେ ଯାଇଛି । ରାଜ୍ୟର ଗୋଟିଏ ଗ୍ରାମ ସମ୍ପୂର୍ଣ ସୌର ପରିଚାଳିତ ଗ୍ରାମ ଭାବେ ବିରଳ ଉଦାହରଣ ସୃଷ୍ଟି କରିଛି ।
ବରିପଠା ଏକ ଆଦିବାସୀ ଗାଁ ହେଲେ ହେଁ ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ୨୫ କିଲୋମିଟର ଦୂରତାରେ ରହିଛି । ତେବେ ବି ଏ ଗାଁ ପାଇଁ ବିଦ୍ୟୁତ ସଂଯୋଗ ଥିଲା ସାତସପନ । ଉଭୟ ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ହେତୁ ଏ ଗ୍ରାମଟି ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ବି ବିଦ୍ୟୁତ ଆଲୋକ ଦେଖିପାରିନଥିଲା ।
ବରିଷ୍ଠ ଆଇପିଏସ୍ ଅଧିକାରୀ ଏ ଗାଁକୁ ଆଲୋକିତ କରିବାକୁ ଉଦ୍ୟମ ଆରମ୍ଭ କଲେ ଆଉ ସଫଳ ବି ହେଲେ । ୨୦୧୫ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଅବସରରେ ଜାତିର ପିତାଙ୍କ ଗ୍ରାମ ଉନ୍ନୟନ ସ୍ଵପ୍ନ ସାକାର ହେଲା ବରିପଠା ଗାଁରେ । ରାଜ୍ୟର ପ୍ରଥମ ସୌର ଗ୍ରାମର ମାନ୍ୟତା ପାଇବା ସହ ଏହାର ଗ୍ରାମବାସୀ ଅନ୍ଧାର ରାତିରେ ଉଜ୍ଜ୍ୱଳ ଆଲୋକର ସୁବିଧା ପାଇଲେ ।
ଜୟଦୀପ ନାୟକ କହନ୍ତି,ଦେଶର ବିଭିନ୍ନ ପ୍ରାନ୍ତରେ ସୌର ଶକ୍ତି ବ୍ୟବହାର ଉଦ୍ୟମ ବିଫଳ ହୋଇଛି । କିନ୍ତୁ ବରିପଠାର ପ୍ରକଳ୍ପଟି ଭିନ୍ନ ଧରଣର । ଏହା କମ-ଖର୍ଚ, କମ୍ ସେବା ଯତ୍ନ ଆବଶ୍ୟକ କରୁଥିବା ଓ ଗୋଷ୍ଠୀ ପରିଚାଳିତ ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପକୁ ଓଡ଼ିଶାର ପ୍ରାୟ ୩୯୦୦ ଗାଁରେ ପ୍ରୟୋଗ କରାଯାଇପାରିବ ।
ବରିପଠା ପ୍ରକଳ୍ପରେ ମାତ୍ର ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଇସିସିଓ ଇଲେକଟ୍ରୋନିକ୍ସ(ସୌର ଚାଳିତ ଯନ୍ତ୍ର ଉତ୍ପାଦନକାରୀ) ଓ ଜାକସନ୍ ଗ୍ରୁପ(ଶକ୍ତି ସମାଧାନ ଦାତା)ର ମିଳିତ ଉଦ୍ୟମରେ ବରିପଠା ଗ୍ରାମର ମୋଟ ୬୧ଟି ପରିବାରକୁ ଗୋଟିଏ ଲେଖାଏଁ ସୌରଶକ୍ତି ସଂଗ୍ରହ ଯନ୍ତ୍ର ସାଙ୍ଗକୁ ଦୁଇଟି ବିଦ୍ୟୁତ ବତୀ ଯୋଗାଇ ଦିଆଯାଇଛି । ଏହା ଭିନ୍ନ ଗାଁରେ ଏକ କିଲୋୱାଟର ଗୋଟିଏ ସୋଲାର ୟୁନିଟ ସ୍ଥାପିତ ହୋଇଛି ।
ଏହା ଦ୍ୱାରା ୮ଟି ଷ୍ଟ୍ରିଟ୍ ଲାଇଟ୍ ସାଙ୍ଗକୁ କୋଠଘରେ ଗୋଟିଏ ଏଲ୍ଇଡି ଟିଭି ଓ ସେଟଟପ ବକ୍ସ ଯୋଗାଇ ଦିଆଯାଇଛି । ନାଲକୋ ଏବଂ ଅନ୍ୟ କେତେକ ସଂସ୍ଥା ଦ୍ୱାରା ସବୁ ପରିବାରକୁ ଦୁଇଟି ଲେଖାଏଁ ଏଲ୍ଇଡଇି ଲାଇଟ୍ ଦିଆଯାଇଛି ।
ଜାକସନ ଗ୍ରୁପ ଉପସଭାପତି ସନ୍ଦୀପ ଘୋଷ କହନ୍ତି,ଏଯାଏଁ ଯେତେ ଯେଉଁଠି ଗ୍ରାମ୍ୟ ସୌର ବିଦ୍ୟୁତିକରଣ କରାଯାଇଛି, ସବୁଠି ସେଣ୍ଟ୍ରାଲ ୟୁନିଟରୁ ଘର ଘରକୁ ବିଦ୍ୟୁତ ସଂଯୋଗ ଯାଇଥାଏ । ଏଥିରେ ୟୁନିଟ ସେବାଯତ୍ନରେ ଅସୁବିଧା ଉପୁଜିବା ସାଙ୍ଗକୁ କେବୁଲ ଚୋରିର ମୟ ମଧ୍ୟ ରହୁଥିଲା । ପୁଣି କିଏ ଆବଶ୍ୟକତା ଠାରୁ ଅଧିକ ବିଜୁଳି ବ୍ୟବହାର କରି ଦେଉଥିଲା । ଫଳରେ ସେଣ୍ଟ୍ରାଲ ୟୁନିଟ ଉପରେ ଚାପ ପଡ଼ୁଥିଲା ଏବଂ ବେଳେ ବେଳେ ତାହା ଖରାପ ହୋଇଯାଉଥିଲା । ପ୍ରତିଘରକୁ ସୋଲାର ୟୁନିଟ ଦେବା ଦ୍ୱାରା ଏସବୁ ସମସ୍ୟାର ସମାଧାନ ହୋଇପାରିଛି ।
ଇସିସିଓର ସିଓଇ ବିବେକ ବିହାନି କହନ୍ତି, ଏ କାମରେ ପୂରା ବରିପଠା ଗାଁ ସଂପୃକ୍ତ ହୋଇଛି । ଗାଁ ମୁଖିଆ ନାରାୟଣ ହିସା ଓ ଜଣେ ସ୍ଥାନୀୟ ଆଇଟିଆି ଡିପ୍ଲୋମାଧାରୀ ମେଣ୍ଟେନାନ୍ସ ଦାୟିତ୍ୱ ନେଇଛନ୍ତି । ମେଣ୍ଟେନାନ୍ସ କହିଲେ ନିୟମିତ ସୋଲାର ପ୍ୟାନେଲରୁ ଧୂଳି ଝାଡ଼ିବା ଓ ମଝିରେ ମଝିରେ ବ୍ୟାଟେରୀର ପାଣି ସ୍ତର ଯାଞ୍ଚ କରିବା । ପ୍ରକୃତରେ ଏ ପ୍ରକଳ୍ପରେ ମେଣ୍ଟେନାନ୍ସ ନାହିଁ କହିଲେ ଚଳେ ।
ସେଣ୍ଟ୍ରାଲ ସୋଲାର ୟୁନିଟରେ ୮ଟି ସୌର ପ୍ୟାନେଲ ରହିଛି । ବାତ୍ୟା ବା ଯୋର ପବନ ବେଳେ ଏହାକୁ ସହଜରେ ଓହ୍ଲାଇ ଭାଙ୍ଗିହେବ । ଏହି ପ୍ରକଳ୍ପ ମାଧ୍ୟମରେ ଏକ ହର୍ସପାୱାର ବିଶିଷ୍ଟ ଜଳସେଚନ ପମ୍ପ ମଧ୍ୟ ପରିଚାଳିତ କରାଯାଇପାରିବ ।
ଜମି ଉପରେ, ଘର ଓ ଅଫିସ୍ ଛାତ ଉପରେ ସୋଲାର ପ୍ଲାଣ୍ଟ୍ । ବହୁତ ଶୀଘ୍ର ଦେଶର ପ୍ରମୁଖ ନଦୀ ଓ ପୋଖରୀଗୁଡ଼ିକରେ ଭାସମାନ ସୋଲାର ପ୍ଲାଣ୍ଟ୍ ନିର୍ମାଣ କରାଯିବ ।
ଦେଶ ଭିତରେ ଏଭଳି ସୋଲାର ପ୍ଲାଣ୍ଟ୍ ନିର୍ମାଣ କରିବାର କଣ ସବୁ ସମ୍ଭାବନା ରହିଛି ତାହାକୁ ଖୋଜି ବାହାର କରିବା ପାଇଁ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସର୍ଭେ କରାଯାଉଛି ।
ମହାରାଷ୍ଟ୍ର ଓ କେରଳରେ ଏଭଳି ଭାସମାନ ସୋଲାର ପ୍ଳାଣ୍ଟ ନିର୍ମାଣ କରିବା ପାଇଁ ଜର୍ମାନୀର କେଏଫଡବ୍ଲ୍ୟୁ ଡେଭେଲପ୍ମେଣ୍ଟ୍ ବ୍ୟାଙ୍କ ସହ ସରକାର ବୁଝାମଣା ସ୍ଵାକ୍ଷର କରିଛନ୍ତି ।
କେଏଫଡବ୍ଲ୍ୟୁ ସହ ୩୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବା ପାଇଁ ବୁଝାମଣା ହୋଇଛି । ସେହି ପାଣ୍ଠିକୁ ନେଇ ଯେଉଁ ଭାସମାନ ସୋଲାର ପ୍ଲାଣ୍ଟ୍ ନିର୍ମାଣ କରାଯିବ ତାହା ଅନ୍ୟମାନଙ୍କ ପାଇଁ ପ୍ରଯୁକ୍ତି ଓ ବ୍ୟବସ୍ଥା ଦୃଷ୍ଟିରୁ ଉଦାହରଣ ଭାବେ କାର୍ଯ୍ୟ କରିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଏଭଳି ଭାସମାନ ସୋଲାର ପ୍ଲାଣ୍ଟ୍ ରୁ ଉତ୍ପାଦନ କରିବାକୁ ପ୍ରୟାସ କରାଯିବ । ରିନୁଏବଲ୍ ଏନର୍ଜି କଲେଜର ଚେୟାରମ୍ୟାନ୍ କହିଛନ୍ତି ଯେ, ଏଭଳି ଭାସମାନ ସୌର ପ୍ଲାଣ୍ଟ୍ ଜରିଆରେ ଦେଶରେ ୩.୧ ଲକ୍ଷ ମେଗାୱାଟ୍ ର ସବୁଜ ଶକ୍ତି ଉତ୍ପାଦନ ହେବା ଭଳି ସୁଯୋଗ ରହିଛି ।
ଦେଶରେ ଥିବା ଜଳଭଣ୍ଡାର ଗୁଡ଼ିକରେ ୧୦ ପ୍ରତିଶତ ଉପଯୋଗ କରି ଏଭଳି ପ୍ଲାଣ୍ଟ୍ ନିର୍ମାଣ କରାଯାଇପାରିବ । ନିକଟରେ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସେହି ବୈଠକରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୋଲାର ଏନର୍ଜି ଓ ରିନ୍ୟୁଏବଲ୍ ଏନର୍ଜି କଲେଜରୁ ମିଳିତ ଭାବେ ସର୍ବେକ୍ଷଣ କରିବାର ଦାୟିତ୍ଵ ପ୍ରଦାନ କରଯାଇଥିଲା । ନ୍ୟାସନାଲ୍ ରିମୋଟ୍ ସେନ୍ସିଂ ସେଣ୍ଟର୍ର ସହାୟତା ମଧ୍ୟ ଏଥିପାଇଁ ନିଆଯିବ ।
ଜମିଉପରେ ନିର୍ମାଣ କରାଯାଉଥିବା ସୋଲାର ପ୍ଲାଣ୍ଟ୍ ତୁଳନାରେ ପାଣି ଉପରେ ଭାସମାନ ସୋଲାର ପ୍ଲାଣ୍ଟ୍ ର ପ୍ରଦର୍ଶନ ଅଧିକ ରହିବ ବୋଲି ଅନୁମାନ କରାଯାଉଛି । ଏକ ମେଗାୱାର୍ ଭାସମାନ ସୋଲାର ପ୍ଲାଣ୍ଟ୍ ରୁ ୧୭ ଲକ୍ଷ ୟୁନିଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ । ସମାନ ପରିମାଣର ଜମି ଉପରେ ଥିବା ସୋଲାର ପ୍ଲାଣ୍ଟ୍ ରୁ ୧୬ ଲକ୍ଷ ୟୁନିଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହେବ ।
ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର, କଟକ ଓ ବୁର୍ଲାସ୍ଥିତ ୩ଟି ଭେଷଜ ମହାବିଦ୍ୟାଳୟର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ସଚିବାଳୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର କାର୍ଯ୍ୟ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୌରଶକ୍ତି ପ୍ରକଳ୍ପ ର ଉପକାରିତା୫୦୮୦ ଦୁର୍ଗମ ଗ୍ରାମରେ ସୌରାକ୍ତି ସହାୟତାରେ ପମ୍ପ ଦ୍ୱାରା ପାନୀୟ ଜଳର ସୁବିଧା କରାଯାଇଛି। ରାଜ୍ୟର ୬୮ଟି ଜନଜାତି ଛାତ୍ରାବାସରେ ପାନୀୟ ଜଳର ସୁବିଧା ପାଇଁ ଛାତ ଉପରେ ସୌରଶକ୍ତି ପ୍ରକଳ୍ପ କରାଯାଇଛି ଏବଂ ଜନଜାତି ଛାତ୍ରାବାସଗୁଡ଼ିକରେ ୧୪୦ଟି ସୌରଶକ୍ତିରେ ସଡ଼କ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଆସନ୍ତା ୩ବର୍ଷରେ ଆଉ ୫୦୦ଟି ଛାତ୍ରାବାସରେ ସୌରଶକ୍ତି ପ୍ରକଳ୍ପ କରାଯିବ। ରାଜ୍ୟରେ ବିଭିନ୍ନ ବୁଣାକାର ଓ କାରୀଗର ପରିବାରମାନଙ୍କୁ ୩୭,୫୭୭ ସୌର ଲଣ୍ଠନ ଯୋଗାଇ ଦିଆଯାଇଛି।
୨୦୧୬-୧୭ ଓ ୨୦୧୭-୧୮ରେ ୪୦,୦୦୦ ସୌର ଲଣ୍ଠନ ଯୋଗାଇ ଦିଆଯିବା ସହିତ ୧୩,୨୦୦ ଉନ୍ନତ ଚୁଲା ଯୋଗାଇ ଦିଆଯିବ ଏବଂ ୪ ହଜାର ସୌରଶକ୍ତି ବିଶିଷ୍ଟ।ଇପ୍ ଜଳ ଯୋଗାଣ ପ୍ରକଳ୍ପ କରାଯାଇ ଦୁର୍ଗମ ଗ୍ରାମଗୁଡ଼ିକୁ ପାନୀୟ ଜଳ ଯୋଗାଇ ଦିଆଯିବ।
ଆଧାର : ପୋର୍ଟାଲ ଟିମ
Last Modified : 2/10/2020