ଗାଁ କିମ୍ବା ସହରରେ ମାଛ ବୁଲି ବୁଲି ମାଛ ବିକ୍ରି କରୁଥିବା ବିକାଳି ମାନେ ମନଇଛା ଯେଉଁଠି ହେଉନା କାହିଁକି ବସି ପଡନ୍ତି, ମାଛ କାଟନ୍ତି ଓ ବିକ୍ରି କରିଦିଅନ୍ତି | ଆଉ ପଛରେ ରହିଯାଏ ମାଛକାତି, ଗାଲି ଓ ଅନ୍ତବୁଜୁଳା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ | ଫଳରେ ସେଠାକାର ସ୍ୱଚ୍ଛତା ନଷ୍ଟ ହୋଇଥାଏ | ପୁଣି ମାଛରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଖାଇବା ପାଇଁ କୁକୁର, ବିଲେଇ ଓ କିଛି ପକ୍ଷୀ ଏକତ୍ର ହୁଅନ୍ତି | ଯାହା ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଚି କରିଥାଏ | ଆପଣମାନେ ଏଭଳି ଦୃଶ୍ୟ ପ୍ରାୟ ଦେଖୁଥିବେ | ପୁଣି ମାଛ ବିକ୍ରେତାମାନେ ମଧ୍ୟ ଆଉ ଗୋଟିଏ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି | ଯେଉଁ ପ୍ଲାଷ୍ଟିକ୍ କ୍ରେଟ୍ ରେ ମାଛ ରଖାଯାଇଥାଏ, ତାର ଉପର ଭାଗ ଖୋଲା ଥାଏ | ଯାହା ଫଳରେ ସେଥିରେ ଥିବା ବରଫ ଶୀଘ୍ର ତରଳିବା ଆରମ୍ଭ କରେ ଓ ମାଛ ବାୟୁ ସଂସ୍ପର୍ଶରେ ଆସି ଶୀଘ୍ର ପଚିବାର ଆଶଙ୍କା ରହିଥାଏ | ଏହି ସବୁ ସମସ୍ୟାର ସମାଧାନ ସୂତ୍ର ବାହାର କରିଛି ଭୁବନେଶ୍ୱର ନିକଟ କୌଶଲ୍ୟାଗଙ୍ଗ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(CIFA) | ଏଠାକାର ବୈଜ୍ଞାନିକମାନେ ଏମିତି ଏକ ମାଛ ବିକ୍ରୟ ଟ୍ରଲିର ଉଦ୍ଭାବନ କରିଛନ୍ତି, ଯାହା ପରିବେଶକୁ ସ୍ୱସ୍ଥ ରଖିବା ଦିଗରେ ତ ସହାୟକ ହେବ, ମାଛ ମଧ୍ୟ ବହୁ ସମୟ ଧରି ତାଜା ରହିବ
ଏହି ଟ୍ରଲିଟି ଫାଇବର ରେନଫ୍ରୋସଡ୍ ପ୍ଲାଷ୍ଟିକ୍ ରେ ପ୍ରସ୍ତୁତ କରାଯାଇଛି | ଅର୍ଥାତ୍ ଏହି ପ୍ଲାଷ୍ଟିକ୍ ଅତ୍ୟନ୍ତ କଠିନ, ମଜବୁତ ଓ ସହଜରେ ଭାଙ୍ଗେନାହିଁ | ଏଥିରେ ତାପ ପୃଥକୀକରଣ (ଇନସୁଲେସନ୍) ବ୍ୟବସ୍ଥା ରହିଛି | ଦୂରରୁ ଦେଖିଲେ ଏହା ଆପଣଙ୍କୁ ଏକ ଆଇସକ୍ରିମ ବାକ୍ସ ଭଳି ଦେଖାଯିବ | ଏ ସମ୍ପର୍କରେ ସିଫାର ନିର୍ଦ୍ଦେଶକ ଡକ୍ଟର ପି. ଜୟଶଙ୍କର କହିଛନ୍ତି, ସିଫାର ବୈଜ୍ଞାନିକମାନଙ୍କ ଅନେକ ଦିନର ଗବେଷଣାପରେ ଏଭଳି ଅନିଭବ ଟ୍ରଲିଟିଏ ପ୍ରସ୍ତୁତ କରିଛନ୍ତି | ଏହାକୁ ପ୍ରସ୍ତୁତ କରିବାରେ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଛି | ଏହା ମାଛ ବିକାଳିଙ୍କ ପାଇଁ ବେଶ୍ ସହାୟକ ଓ ଲାଭଦାୟକ ମଧ୍ୟ ହେବ | ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରଗୁଡିକରେ ଏହାକୁ ମାଛ ବିକାଳିମାନେ ବ୍ୟବହାର କରିବେ |ଟ୍ରଲିରେ ଥିବା ବାକ୍ସଟିକୁ ତିନି ଭାଗରେ ବିଭକ୍ତ କରାଯାଇଛି | ପ୍ରଥମ ଭାଗରେ ଏକ କ୍ୱିଣ୍ଟାଲ ମାଛ ଓ ବରଫ ରହିବାର ବ୍ୟବସ୍ଥା ଅଛି | ଦ୍ୱିତୀୟ ଭାଗରେ ୨୦ ଲିଟର ପାଣି ରଖିବା ଭଳି ସୁବିଧା ରହିଛି | ବାକ୍ସର ପଛ ଭାଗରେ ମାଛ କାଟିବା ପାଇଁ ପନିକି, ହାତଧୁଆ ସାବୁନ, ପାଣି ଟ୍ୟାପ୍ ଓ ହାତପୋଛା ଟାୱେଲ୍ ରଖାଯାଇଛି | ମାଛକୁ କାଟିବା ପରେ ସେଥିରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ସଫାସଫି ପରେ ବାହାରୁଥିବା ପାଣିକୁ ରଖିବା ପାଇଁ ଟ୍ରଲିର ତଳଭାଗରେ ଦୁଇଟି ପୃଥକ ଟ୍ରେ ର ବ୍ୟବସ୍ଥା ରହିଛି | ମାଛ ବିକ୍ରି କରିସାରିବା ପରେ ଟଙ୍କା ଓ ଟ୍ରଲିର ଯନ୍ତ୍ରପାତି ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି |
ସିଫାର ପ୍ରଧାନ ବୈଜ୍ଞାନିକ ଡକ୍ଟର ବି.ସି. ମହାପାତ୍ର କୁହନ୍ତି, ଏହି ଟ୍ରଲିରେ ଥିବା ବାକ୍ସରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ମାଛ ତାଜା ରହିବ | ତେଣୁ ମାଛ ବିକାଳିମାନଙ୍କ ପାଇଁ ମାଛ ପଚିଯିବାର ଭୟ ରହିବ ନାହିଁ | ଏହା ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବ | ତେବେ ମାଛ ବିକାଳିମାନେ ଏହାକୁ ଯେପରି କମ୍ ଦରରେ ପାଇ ପାରିବେ, ସେଥିପାଇଁ ସବସିଡିର ବ୍ୟବସ୍ଥା ହେବା ଦରକାର |
ପ୍ରକୃତରେ ସ୍ୱଚ୍ଛତା ଦିଗରେ ଏହି ଟ୍ରଲିର ଆବଶ୍ୟକତା ଯଥେଷ୍ଟ | ପୁଣି ଏବେ ସ୍ୱଚ୍ଛତାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଠି ସେଠି ମାଛର ବର୍ଜ୍ୟବସ୍ତୁ ପଡିବା ଏକ ସାଧାରଣ କଥା ହୋଇଗଲାଣି | ତେଣୁ ସମସ୍ତ ବୁଲା ମାଛ ବିକାଳି ଯେପରି ଏହି ଟ୍ରଲିକୁ ବ୍ୟବହାର କରିବେ, ତାର ବ୍ୟବସ୍ଥା ହେବା ଜରୁରୀ | ଟ୍ରଲିଟିର ନିର୍ମାଣ ଖର୍ଚ୍ଚ ୫୦ ହଜାର ଆସୁଥିବାରୁ ମାଛ ବିକାଳିଙ୍କୁ ମାନଙ୍କୁ ଏହା ଯୋଗାଇଦେବା ପାଇଁ ନେସନାଲ୍ ଫିସରୀ ଡେଭଲପମେଣ୍ଟ ବ୍ୟାଙ୍କ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଏଥିରେ ସବସିଡି ପ୍ରଦାନ କରିବା ଦରକାର | ଏହା ମାଛ ବିକାଳିମାନଙ୍କୁ ଏକ ବଡ ପ୍ରୋତ୍ସାହନ ହେବା ସହ ସ୍ୱଚ୍ଛ ଭାରତ ଦିଗରେ ଆଉ ଏକ ବଳିଷ୍ଠ ପଦକ୍ଷେପ ହୋଇପାରିବ |
ଆଧାର
କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(CIFA)
Last Modified : 3/3/2020