অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସିଆଟିକା ଓ ଆୟୁର୍ବେଦ ଉପଚାର

ସିଆଟିକା

ଅଣ୍ଟାଧରା ବା କଟିଶୂଳ ଅନେକ ଲୋକଙ୍କଠାରେ ଦେଖାଯାଏ  । ସିଆଟିକ୍ ଶବ୍ଦରୁ ସିଆଟିକାର ସୃଷ୍ଟି  । ଗୃଧସୀ ବା ସିଆଟିକା ଏକ ନାଡିର ନାମ ଯାହା ମେରୁଦଣ୍ଡର ନିମ୍ନ ଭାଗରୁ ବା ଅଣ୍ଟାରୁ ବାହାରି ନିତମ୍ବ ଦେଇ ଗୋଡ ପଛପଟେ  ପାଦ ଆଙ୍ଗୁଠି ପର୍ଯ୍ୟନ୍ତ ଯାଇଥାଏ  । ବାୟୁଦୋଷ ବୃଦ୍ଧି ହେଲେ, ଥଣ୍ଡା ବା ସର୍ଦ୍ଦି ପ୍ରାବଲ୍ୟରୁ ତଥା ଅନ୍ୟ କେତେକ କାରଣରୁ ଏହି ନାଡି ଉପରେ ଚାପ ପଡିଲେ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ଝିମ୍ ଝିମ୍ ହେବା, ବଧିରା ଲାଗିବା, ବିନ୍ଧା ଯନ୍ତ୍ରଣା ହେବା, ଚାଇଁଚାଇଁ ଲାଗିବା ପ୍ରଭୃତି ଲକ୍ଷଣ ଦେଖାଯାଏ  । ଏହି ପ୍ରକାର ଯନ୍ତ୍ରଣାକୁ ଗୃଧସୀ ବାତ ବା ସିଆଟିକା କୁହାଯାଏ  ।

ମାତ୍ର ଅଣ୍ଟାଠାରୁ ଯନ୍ତ୍ରଣା ଆରମ୍ଭ ହୋଇ କୌଣସି ପାଖର ପାଦ ଆଡକୁ ଗଲେ ତାହାକୁ ଗୃଧ୍ରସୀ ରୋଗ ବା ସାଇଟିକା ବୋଲି କୁହାଯାଏ  । ମେରୁଦଣ୍ଡ ମଧ୍ୟରେ ଥିବା ସୁଷୁମ୍ନା କାଣ୍ଡରୁ ବାହାରିଥିବା ନାଡିସୂତ୍ରମାନଙ୍କୁ ନେଇ ଗୃଧ୍ରସୀ ନାଡି ବା ସିଆଟିକା ନର୍ଭ ଗଠିତ  । ଏହା ଅଣ୍ଟାଠାରୁ ଆରମ୍ଭ ହୋଇ ଦୁଇ ପାଖର ପାଦ ଆଡକୁ ପ୍ରସାରିତ  । ତେଣୁ ଯେଉଁ ପାର୍ଶ୍ଵର ଗୃଧ୍ରସୀ ନାଡି ଉପରେ କୌଣସି କାରଣରୁ ଚାପ ପଡେ ସେହି ପାର୍ଶ୍ଵରେ ଯନ୍ତ୍ରଣା ହୁଏ  । ଅଣ୍ଟା, ଜଙ୍ଘର ପଛପାଖ ତଥା ନଳୀ ଗୋଡରେ ଦରଜ ଲାଗେ  । ଗୋଡ ଝିମିଝିମି ହୁଏ ଏବଂ ବଧିରା ବା ଭାରି ଭାରି ଲାଗେ  । କାଶିଲେ ବା ଛିଙ୍କିଲେ ଅଣ୍ଟା ପାଖରେ ଯନ୍ତ୍ରଣା ବଢିଯାଏ  । ରୋଗୀ ଚାଲିପାରେ ନାହିଁ ବା ଛୋଟେଇ ଛୋଟେଇ ଚାଲେ  । ବେଳେବେଳେ ଏହା ଏତେ ତୀବ୍ର ହୁଏ ଯେ ରୋଗୀ ଚାଲିବା ତ ଦୂରର କଥା, ଉଠିବା ବସିବା ମଧ୍ୟ କଷ୍ଟ ହୋଇଯାଏ  ।

ଅଧିକାଂଶ କ୍ଷେତ୍ରରେ ଏହା ବାମ ବା ଡାହାଣ ପାର୍ଶ୍ଵରେ ହୋଇଥାଏ  । ମାତ୍ର ବେଳେବେଳେ ଏହା ଉଭୟ ପାର୍ଶ୍ଵରେ ହୋଇଥାଏ  । ସାଧାରଣତଃ ମଧ୍ୟମ ବୟସ ଅର୍ଥାତ ୨୫ରୁ ୬୦ ବର୍ଷ ମଧ୍ୟରେ ଲୋକମାନଙ୍କ ଠାରେ ଏହା ଅଧକ ଦେଖାଯାଏ  । ଅଧିକ ପରିଶ୍ରମ, ଅଭିଘାତ ବା ଚୋଟ ଲାଗିବା, ଭାରି ଜିନିଷ ବୋହିବା, ଅତ୍ୟଧିକ ଶୀତଳ ପରିବେଶରେ ରହିବା ଆଦି ଏହି ରୋଗର ବାହ୍ୟ କାରଣ  । ଶରୀର ଅନ୍ତର୍ଗତ କାରଣ ମଧ୍ୟରେ ନିୟମିତ ଝାଡା ସଫା ନ ହେବା, ଗର୍ଭାବସ୍ଥା, ଅର୍ବୁଦ ଆଦି ରୋଗ ଯାହା ଗୃଧ୍ରସୀ ନାଡିର ମୂଳ ସ୍ଥାନରେ ଚାପ ପକାଏ  । ଏହି ରୋଗରେ ରୋଗୀ ଯଦି ଚିତ୍ ହୋଇ ଶୋଇ ଯନ୍ତ୍ରଣା ହେଉଥିବା ପାର୍ଶ୍ଵର ଗୋଡ ଉପରକୁ ଉଥାଏ ତେବେ ସମ୍ପୂର୍ଣ୍ଣ ସିଧା ଭାବରେ ଉପରକୁ ଟେକିପାରେ ନାହିଁ ବା ଭୀଷଣ କଷ୍ଟ ହୁଏ  ।

ସିଆଟିକା ର  ଲକ୍ଷଣ

ମେରୁଦଣ୍ଡ ମଧ୍ୟରେ ଥିବା ସୁଷୁମ୍ନା କାଣ୍ଡରୁ ବାହାରିଥିବା ନାଡି ସୂତ୍ରମାନଙ୍କୁ ନେଇ ଗୃଧସୀ ନାଡି ବା ସିଆଟିକା ନରଭା ନିର୍ମାଣ ହୋଇଛି  । ଏହା ଅଣ୍ଟାରୁ ଦୁଇ ପାଖର ପାଦ ଆଡକୁ ପ୍ରସାରିତ  । ତେଣୁ ଯେଉଁ ପାର୍ଶ୍ଵର ଗୃଧସୀ ନାଡି ଉପରେ କୌଣସି କାରଣରୁ ଚାପ ପଡେ ସେହି ପାର୍ଶ୍ଵରେ ଯନ୍ତ୍ରଣା ହୁଏ  । ଅଣ୍ଟା ଓ ଜଙ୍ଘର ପଛ ପାଖ ଓ ଗୋଡର ପେଣ୍ଡା ଦରଜ ଲାଗେ   । ଗୋଡ ଝିମଝିମ ହୁଏ  । କାଶିଲେ ବା ଛିଙ୍କିଲେ ଅଣ୍ଟା ପାଖରେ ଯନ୍ତ୍ରଣା ହୁଏ  । ରୋଗୀ ଛୋଟେଇଛୋଟେଇ ଚାଲେ; ବେଳେବେଳେ ଏହି ଯନ୍ତ୍ରଣା ବୃଦ୍ଧି ପାଇ ରୋଗୀ ଉଠିବସି ପାରେନାହିଁ  । ଅଧିକାଂଶ କ୍ଷେତ୍ରରେ ଏହା ବାମ ବା ଡାହାଣ ଗୋଟିଏ ପାର୍ଶ୍ଵରେ ହୋଇଥାଏ  । ମାତ୍ର ବେଳେବେଳେ ଉଭୟ ପାର୍ଶ୍ଵରେ ମଧ୍ୟ ହୁଏ  । ସାଧାରଣତଃ ୨୫ରୁ ୬୦ ବର୍ଷ ବୟସ୍କଙ୍କଠାରେ ଏହା ଅଧିକ ଦେଖାଯାଏ  । ଅଧିକ ପରିଶ୍ରମ, ଅଭିଘାତ,ଚୋଟ ଲାଗିବା, ଓଜନିଆ ଜିନିଷ ଉଠାଇବା, ଅତ୍ୟଧିକ ଶୀତଳ ପରିବେଶରେ ରହିବା ଏହି ରୋଗର ବାହ୍ୟ କାରଣ  । ଝାଡା ସଫା ନହେବା, ଶ୍ଲେଷ୍ମା ଓ ବାତ ବୃଦ୍ଧି, ଅର୍ବୁଦ, ଗର୍ଭାବସ୍ଥା, ଅସନ୍ତୁଳିତ ଆହାର ଗ୍ରହଣ ଗୃଧସୀ ନାଡିର ମୂଳ ସ୍ଥାନରେ ଚାପ ସୃଷ୍ଟି କରେ  । ରୋଗୀ ଯଦି ଚିତ୍ ହୋଇ ଶୋଇ ଯନ୍ତ୍ରଣା ହେଉଥିବା ପାର୍ଶ୍ଵର ଗୋଡ ଉପରକୁ ଉଠାଏ ତେବେ ସମ୍ପୂର୍ଣ୍ଣ ସିଧା ଭାବରେ ଉପରକୁ ଟେକିପାରେ ନାହିଁ  । ଡିଜେନେରେଟିଭ ଡିସ୍କ ରୋଗ, ସ୍ପଣ୍ଡିଲୋଥେସିସ, ସ୍ପାଇନାଲ ଷ୍ଟେନୋସିସ୍ କାରଣରୁ ମଧ୍ୟ ସିଆଟିକା ହୋଇଥାଏ   । ଏହା ଉଗ୍ର ହେଲେ ଝାଡା ପରିସ୍ରାକୁ ପ୍ରଭାବିତ କରେ  ।

ସିଆଟିକା ରୋଗର ଆୟୁର୍ବେଦୀ ଚିକିତ୍ସା

ସିଆଟିକା ରୋଗର ଚିକିତ୍ସା ସହିତ ବିଶ୍ରାମ ଏକାନ୍ତ ଆବଶ୍ୟକ  । ଆଭ୍ୟନ୍ତରୀଣ ଔଷଧ ସହ ବାହ୍ୟ ଚିକିତ୍ସାରେ ଆୟୁର୍ବେଦୀୟ ତୈଳ ମାଲିସ ଏବଂ ସେକ ଦେଲେ ରୋଗ ଯନ୍ତ୍ରଣା କମ୍ ହେବା ସହ ଶୀଘ୍ର ଭଲ ହୁଏ  । ଗଙ୍ଗଶିଉଳି ପାତ୍ର ରସ ୪ଚାମଚ, ଗୋଲମରିଚ ୫/୭ ଟି ଗୁଣ୍ଡକରି ମହୁ ସହିତ ସେବନ କଲେ ରୋଗ ନିୟନ୍ତ୍ରଣ ହୁଏ   । ଶୁଣ୍ଠି ଚୂର୍ଣ୍ଣ ଗୋଟିଏ ଚାମଚ ନେଇ ଜଡା ମୂଳ ଛାଲି ରସ ୨ ଚାମଚ ସହ ଭିଯାଇ ସାମାନ୍ୟ ଗରମ କରି ମହୁ ସହିତ ଜଳଖିଆ ପରେ ସେବନ କଲେ ଉପଶମ ମିଳେ  । ପଞ୍ଚକର୍ମ ଚିକିତ୍ସାରେ ମଧ୍ୟ ଏହି ରୋଗ ଆରୋଗ୍ୟ କରାଯାଇପାରୁଛି  ।

ଏରୋବିକ ବ୍ୟାୟାମ

ଏରୋବିକ ବ୍ୟାୟାମ ଯଥା- ଚାଲିବା, ପହଁରିବା, ଇତ୍ୟାଦି କଲେ ଏହି ରୋଗ ନିୟନ୍ତ୍ରଣ ହୋଇଥାଏ  । ବେଗୁଣିଆ ପାତ୍ର ୧୦ ଗ୍ରାମ, ଶୁଣ୍ଠି ୫ଗ୍ରାମ ନେଇ ୪ କପ୍ ପାଣିରେ ସିଝାଇ ଅଧ କପ୍ ରହିଲେ ଛାଣି ପିଇବେ  । ଶାସ୍ତ୍ରୀୟ ଔଷଧ ମଧ୍ୟରେ ମହାଯୋଗରାଜ ଗୁଗୁଳ, ମହାବାତ ବିଧ୍ଵଂସିନୀ ରସ, ରସଜାତ ରସ, ବିଷତିନ୍ଦୁକ ବଟିକା, ଅଗ୍ନିତୁଣ୍ଡି ବଟିକା, ଛାଗଳାଦି ଘୃତ, ଦଶମୂଳାରିଷ୍ଟ,  ମାହାରାସ୍ନାଦି କ୍ଵାଥ ସେବନ ସହିତ ଅର୍କକ୍ଷାର ତୈଳ ଅଣ୍ଟା ଓ ପୀଡିତ ସ୍ଥାନରେ ମାଲିସ କଲେ ରୋଗରୁ ଉପଶମ ମିଳେ  । ଏହା ସହିତ ପଞ୍ଚପତ୍ର ସେକ, ପିଣ୍ଡସେକ ବା ବାଲି ଲୁଣ ସେକ ଦେବା ଆବଶ୍ୟକ  । ଏହି ସମୟରେ ଖଟା, ପଖାଳ, ଦହି, ଥଣ୍ଡା ପାନୀୟ ବିରି ପ୍ରସ୍ତୁତ ଖାଦ୍ୟ, ତେନ୍ତୁଳି, ଆମ୍ବୁଲ, ସେବନରୁ ଦୂରେଇ ରହିବା ଉଚିତ  । ଦୁଇ ସପ୍ତାହରୁ ୪ ସପ୍ତାହ ମଧ୍ୟରେ ରୋଗ ଭଲ ନହେଲେ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ  ।

ସାଇଟିକା ରୋଗରେ ଚିକିତ୍ସା

ସାଇଟିକା ରୋଗରେ ଚିକିତ୍ସା ସହିତ ବିଶ୍ରାମ ଏକାନ୍ତ ଅପରିହାର୍ଯ୍ୟ  । ରୋଗୀ ଯାହା ଔଷଧ ସେବନ କରନ୍ତୁ ନା କାହିଁକି ଅନ୍ତଃ ପକ୍ଷେ ୧୫ ଦିନରୁ ଏକମାସ ଯାଏ ବିଶ୍ରାମ ନେବେ  । ଆଭ୍ୟନ୍ତର ଔଷଧ ସେବନ ସହିତ ଆୟୁର୍ବେଦୀୟ ତୈଳର ମାଲିସ ଏବଂ ସେକ ଦେଲେ ରୋଗ ଶୀଘ୍ର ଭଲ ହୁଏ  । ଗଙ୍ଗଶିଉଳି ପାତ୍ର ରସ ୪ ଚାମଚ ଓ ଗୋଲମରିଚ ୨ଟି ଗୁଣ୍ଡା କରି ମହୁ ସହିତ ସକାଳ – ସନ୍ଧ୍ୟା ଜଳଖିଆ ପରେ ପ୍ରାୟ ୧୫ରୁ ୩୦ ଦିନଯାଏ ସେବନ କଲେ ସାଇଟିକା ରୋଗ ଭଲ ହୁଏ  । ସେହିପରି ଶୁଣ୍ଠିଚୂର୍ଣ୍ଣ  ୫ ଗ୍ରାମ୍ ନେଇ ଜଡାମୂଳ ଛାଲିର ରସ ୨ ଚାମଚ ସହ ଭିଜାଇ ସାମାନ୍ୟ ଭାଜି ଦେଇ ସକାଳେ ମହୁ ସହିତ ଜଳଖିଆ ପରେ ସେବନ କରିବେ  । ଏପରି ୭ରୁ ୧୫ ଦିନଯାଏ ସେବନ କଲେ ସାଇଟିକା ରୋଗରୁ ଉପଶମ ମିଳେ  ।

ଥରକେ ଶୁଣ୍ଠି ୫ ଗ୍ରାମ୍, ବେଗୁନିଆ ପତ୍ର ୧୦ ଗ୍ରାମ୍ ନେଇ ୪ କପ ପାଣିରେ ସିଝାଇବେ  । ଅଧାକପ୍ ରହିଲେ ଥଣ୍ଡା କରି ଛାଣିକରି ପିଇବେ  । ଏପରି ଦିନରେ ୨ଥର ତିଆରି କରି ଜଳଖିଆ ପରେ ସେବନ କଲେ ୧୫ରୁ ୩୦ ଦିନ ମଧ୍ୟରେ ସାଇଟିକା ଉପଶମ ହୁଏ  । ଶାସ୍ତ୍ରୀୟ ଔଷଧମାନଙ୍କ ମଧ୍ୟରେ ଯୋଗରାଜ ଗୁଳ୍ମକୁ ୧ ଗ୍ରାମ ବା ମହାଯୋଗରାଜ ଗୁଳ୍ମକୁ ୧ ଗ୍ରାମ ଦୁଇଥର ଖାଦ୍ଯ ପରେ ଉଷୁମ କ୍ଷୀର ବା ଉଷୁମ ଜଳ ସହ ସେବନ କରାଯାଇପାରେ  । ବଳାରିଷ୍ଟ ବା ମହାରାସ୍ନାଦି କ୍ଵାଥ ୪ ଚାମଚ ଔଷଧ ୪ ଚାମଚ ପାଣି ସହ ମିଶାଇ ଦୁଇବେଳା ଭୋଜନ ପରେ ସେବନ କରାଯାଇପାରେ  । ଏହା ସହିତ ବୃହତ୍ ସୈନ୍ଧବାଦି ତୈଳ, ବିଷଗର୍ଭ ତୈଳ, ଅର୍କ କ୍ଷୀର ତୈଳ ବା ରିଲାକ୍ସି ତୈଳ ଅଣ୍ଟା ଓ ପୀଡିତ ଗୋଡରେ ଧୀରେ ଧୀରେ ମାଲିସ କରି ଗରମ ବାଲି ଥିବା କନା ବା ଗରମ ଜଳରେ କନା ଭିଜାଇ ଚିପୁଡି ସହିବା ମୁତାବକ ସେକ ଦେଲେ ଶୀଘ୍ର ଆରାମ ମିଳେ  । ଏହି ସମୟରେ ଦହି, ଥଣ୍ଡା ଜିନିଷ, ବିରି ତିଆରି ଜିନିଷ, ତେନ୍ତୁଳି ଖଟା, ସେବନ କରିବା ଅନୁଚିତ  । ୧୫-୩୦ ଦିନ ମଧ୍ୟରେ ଉପଶମ ନ ହେଲେ ଚିକିତ୍ସିକଙ୍କ ସହ ପରାମର୍ଶ କରି ବିଶେଷ ପରୀକ୍ଷା ଓ ଚିକିତ୍ସା କରିବା ଉଚିତ  ।

ସଂଗୃହୀତ – ଡା. ସ୍ଵପ୍ନେଶ୍ଵର ପଣ୍ଡା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate