ସେଆର କରନ୍ତୁ

କାନର ସତର୍କତା

ବେଳେବେଳେ କୌଣସି କାରଣରୁ କାନ ବିନ୍ଧିବା ସହିତ ଅସହ୍ୟ ଯନ୍ତ୍ରଣା ହୁଏ । ହଠାତ୍ ଡାକ୍ତର ଦେଖାଇବା ସମ୍ଭବ ହୁଏ ନାହିଁ । ଏପରି କ୍ଷେତ୍ରରେ କିଛି ଘରୋଇ ଉପାୟ ।

ବେଳେବେଳେ କୌଣସି କାରଣରୁ କାନ ବିନ୍ଧିବା ସହିତ ଅସହ୍ୟ ଯନ୍ତ୍ରଣା ହୁଏ । ହଠାତ୍ ଡାକ୍ତର ଦେଖାଇବା ସମ୍ଭବ ହୁଏ ନାହିଁ । ଏପରି କ୍ଷେତ୍ରରେ କିଛି ଘରୋଇ ଉପାୟ ଆପଣେଇ ପାରିଲେ ଯନ୍ତ୍ରଣା ହ୍ରାସ ପାଇ ଆରାମ ଲାଗିବ ।

କାନ ବିନ୍ଧିଲେ କ’ଣ କରିବେ

  • କାନ ବିନ୍ଧିବା ଉଷୁମ ପିଆଜ ରସ ପକାନ୍ତୁ ।
  • ଏରଣ୍ଡିପତ୍ରକୁ ଉଷୁମ ରାଶି ତେଲରେ ପକାଇ କାନ ଆଖପାଖ ସେକନ୍ତୁ । ତୁଲସୀ ପତ୍ରକୁ ପେଶି ଏହାର ରସକୁ ଅଳ୍ପ ଉଷୁମ କରନ୍ତୁ ଏବଂ ସେଥିରୁ ୪/୫ ବୁନ୍ଦା କାନରେ ପକାନ୍ତୁ ।
  • ସୋରିଷ ତେଲରେ ଲବଙ୍ଗ ପୋଡି ଏହାର ତେଲକୁ କାନରେ ପକାନ୍ତୁ ।
  • କଅଁଳ ଆମ୍ବପତ୍ର ରସକୁ ଉଷୁମ କରି କାନରେ ପକାନ୍ତୁ ।
  • ମୂଳାକୁ ଛୋଟଛୋଟ କାଟି ସୋରିଷ ତେଲରେ ଗରମ କରି କାଢି ଆଣନ୍ତୁ । ଏହି ତେଲକୁ ବୋତଲରେ ରଖନ୍ତୁ । କାନ ବିନ୍ଧିଲେ ଏଥିରୁ ଦୁଇ ତିନି ବୁନ୍ଦା ପକାନ୍ତୁ ।

ଶ୍ରବଣ ଶକ୍ତିକୁ ସୁରକ୍ଷିତ

ଜଣେ କର୍ଣ୍ଣ, ନାଶା ଓ ଗଳା ବିଶେଷଜ୍ଞପାଖକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଲୋକ କାନଜନିତ ସମସ୍ୟାର ଶିକାର ହେଉଛନ୍ତି । ତେବେ ଏପରି କାନ ରୋଗୀଙ୍କ ସଂଖ୍ୟା ବୃଦ୍ଧିର କାରଣ ଯାହା ଜଣାପଡେ !

ଶ୍ରବଣଶକ୍ତି ହ୍ରାସର କାରଣ

କାନରେ ବିଭିନ୍ନ ପ୍ରକାର ସଂକ୍ରମଣ, ଶବ୍ଦ ପ୍ରଦୂଷଣ, ଅଧିକ ମାତ୍ରାରେ ମ୍ୟୁଜିକ୍ ଓ ଇୟରଫୋନ୍ ବ୍ୟବହାର, ଥଣ୍ଡା ଓ ଆଡେନୋଆଇଡ ( ଏକ ପ୍ରକାର ଟନ୍ସିଲ) ବୃଦ୍ଧି ଶ୍ରବଣଶକ୍ତି ହ୍ରାସର କାରଣ ।

ବାର୍ଦ୍ଧକ୍ୟ ଯୋଗୁଁ ଓ ଡାଇବେଟିସ୍ ଦ୍ଵାରା କାନର ସ୍ନାୟୁ ଦୁର୍ବଳ ହୋଇ ମଧ୍ୟ ଶ୍ରବଣଶକ୍ତି ହ୍ରାସ ପାଉଛି । କାନ ରୋଗ ହେଲେ କାନରୁ ପୂଜା ଓ ପାଣି ବାହାରିବା, ବିନ୍ଧା ଓ ଦରଜ, କୁଣ୍ଡେଇ ହେବା ଲକ୍ଷଣ ଦେଖାଯାଏ । ଏନେଇ ତୁରନ୍ତୁ ଇଏନ୍ଟି (କର୍ଣ୍ଣ , ନାଶା, ଗଳା) ବିଶେଷଜ୍ଞଙ୍କୁ ପଚାରିବା ଜରୁରୀ ।

ଜନ୍ମରୁ ଶିଶୁଟି ବଧିର ହୁଏ କାହିଁକି ?

ଏହି ରୋଗ ବଂଶଗତ, ଜନ୍ମରୁ ପିଲାର ସ୍ନାୟୁ ଦୁର୍ବଳ, ଗର୍ଭାବସ୍ଥାରେ ମା’ ଜରାୟୁ ସଂକ୍ରମଣର ଶିକାର ଓ କୌଣସି ଔଷଧ ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ପିଲାକୁ ବଧୀର କରିପାରେ ।

ଏହାର ଚିକିତ୍ସା ପଦ୍ଧତି କ’ଣ

ଜନ୍ମରୁ ବଧିର ପିଲାଙ୍କୁ ୨ ରୁ ୩ ବର୍ଷ ଭିତରେ ଶ୍ରବଣଶକ୍ତି ପରୀକ୍ଷା କରି ଶ୍ରବଣଯନ୍ତ୍ର ଓ ସ୍ପୀଚ ଥେରାପି ଚିକିତ୍ସା କରନ୍ତୁ । ନଚେତ୍ ଏହା ପରବର୍ତ୍ତୀ ସମୟରେ ପିଲାର ବାକ୍ ଶକ୍ତି ଉପରେ ପ୍ରଭାବ ପକାଏ । ଆଧୁନିକ ଚିକିତ୍ସାରେ ‘କକ୍ଲିଆର୍ ଇମ୍ପ୍ଲାଣ୍ଟ ଅପରେସନ୍’ ଦ୍ଵାରା ରୋଗକୁ ଭଲ କରାଯାଇପାରୁଛି । ଏହି ଅପରେସନ୍ ଦ୍ଵାରା କାନ ଭିତରେ ଏକ ‘ ଇଲୋକ୍ ଟ୍ରୋଡ’ ଲଗାଇ ତାହାକୁ ସ୍ନାୟୁ ସହିତ ସଂଯୋଗ କରାଯାଉଛି । ଏଥିପାଇଁ ୮ ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

ଶ୍ରବଣ ଶକ୍ତି ହ୍ରାସ ମସ୍ତିଷ୍କ ଉପରେ ପ୍ରଭାବ ପାକାଏ କି ?

ନିଶ୍ଚିନ୍ତ ଭାବେ, ଶ୍ରବଣ ଶକ୍ତି କମିଲେ କାନରେ ଘଣ୍ଟି ଓ ହ୍ଵିସିଲ୍ ମାରିଲା ଭଳି ବିରକ୍ତିକର ଶବ୍ଦ ଶୁଣାଯାଏ । ଏହାକୁ ‘ ଟିନିଟିସ୍’ କୁହାଯାଏ । ଏହାଦ୍ଵାରା ବ୍ୟକ୍ତିର ଅବସାଦ ଓ ଉଦ୍ ବେଗ ବୃଦ୍ଧି ପାଏ । କାନରେ ପ୍ରତିକୂଳ ପ୍ରଭାବ ନପଡିବା ପାଇଁ ଶବ୍ଦର ମାତ୍ରା ୮୫ ଡେସିବିଲ୍ ଭିତରେ ରହିବା ଦରକାର ।

ଅଟୋସ୍ କ୍ଳେରୋସିସ୍’ ଡିଜିଜ୍ କହିଲେ କ’ଣ

କାନ ଭିତରେ ଥିବା ଅସ୍ଥି ଟାଣ ହୋଇଗଲେ ବାହାରୁ ଆସୁଥିବା ଶବ୍ଦ କମ୍ପନ ସୃଷ୍ଟି ନକରିବାରୁ ବ୍ୟକ୍ତି ଶୁଣିପାରେ ନାହିଁ । ଏହାକୁ ‘ଅଟୋସ୍ କ୍ଳେରୋସିସ୍’ କୁହାଯାଏ । ଅଧିକାଂଶ ମହିଳା ବଂଶଗତ ଓ ହାର୍ମୋନ ଅସନ୍ତୁଳନ ପାଇଁ ଏହାର ଶିକାର ହୁଅନ୍ତି । କୃତ୍ରିମ ହାଡ ଲଗାଇ ଏହାର ଚିକିତ୍ସା କରାଯାଉଛି ।

କାନ ପରଦା ଛିଦ୍ରର ଉପଚାର

ଲୋକମାନେ କାନ ସାଫା ପାଇଁ କାଠି,କାଗଜ ବ୍ୟବହାର କରିବା ଓ ଅନ୍ୟାନ୍ୟ ସଂକ୍ରମଣ ଯୋଗୁଁ ପରାଦାରେ ଛିଦ୍ର ହୁଏ । ଏଥିପାଇଁ ‘ ଟିମ୍ପାନୋପ୍ଲାଷ୍ଟିକ୍’ ଅସ୍ତ୍ରୋପଚାର ଦ୍ଵାରା ଚିକିତ୍ସା ସମ୍ଭବ।

କାନ ପରୀକ୍ଷାର ପଦ୍ଧତି

ଶ୍ରବଣ ଶକ୍ତିର ପରୀକ୍ଷା ପାଇଁ ବୟସ୍କ ଲୋକ ଅଡିଓମେଟ୍ରିକ୍ ଟେଷ୍ଟ କରାଇବା ଦରକାର ଏହା ସହ ପିଲା ଜନ୍ମରୁ ୨ ବର୍ଷ ଭିତରେ ‘ ଅଟୋଆକୋଷ୍ଟିକ୍ ଏମିସନ୍’ ଓ ‘ବେରା’ ଟେଷ୍ଟ କରାଯାଉଛି ।

ଶ୍ରବଣଶକ୍ତି ସୁରକ୍ଷା ପାଇଁ ସତର୍କତା

ଶବ୍ଦ ପ୍ରଦୁଷଣରୁ ଦୁରାଇ ରୁହନ୍ତୁ । କାନକୁ ତେଲ, କାଠି, କାଗଜ ଦ୍ଵାରା ସଫା କରନ୍ତୁ ନାହିଁ । ଇୟର ଡ୍ରପ୍ ଓ ଇୟରବଡ୍ ଦ୍ଵାରା କାନ ସାଫା, ମୋବାଇଲ୍ ଫୋନ୍, ମ୍ୟୁଜିକ୍, ଇୟରଫୋନ୍ ଆବଶ୍ୟକ ମାତ୍ରାରେ ବ୍ୟବହାର କରନ୍ତୁ । ଥଣ୍ଡା ଓ ଧୁଳି ଆଲର୍ଜି ଠାରୁ ଦୂରେଇ ରୁହନ୍ତୁ । ଡାଇବେଟିସ୍ ଆୟତ୍ତରେ ରଖନ୍ତୁ । ଗ୍ଗାଧୋଇବା ସମୟରେ କାନରେ ପାଣି ନପଶିବା ପାଇଁ ଦୃଷ୍ଟି ଦିଅନ୍ତୁ । ଏହିପରି ଭାବେ ସତର୍କ ଅବଲମ୍ଭନ କାଲେ ଶ୍ରବଣ ଶକ୍ତି ହ୍ରାସରୁ ରକ୍ଷା ପାଇପାରିବେ ।

ଇୟରବଡ ବ୍ୟବହାର

ସୁସ୍ଥ ରହିବା ଲାଗି ପ୍ରତ୍ୟେକ ମଣିଷକୁ ପରିଷ୍କାର ପରିଚ୍ଛନ୍ନ ରହିବା ନିତ୍ରାନ୍ତ ଆବଶ୍ୟକ । ଆଉ ଏଥିପାଇଁ ପ୍ରତିଦିନ ଗାଧେଇବା ସହ ପାଟି, ନାକ, ଆଖି ଏବଂ କାନ ଆଦି ମଧ୍ୟ ଭଲ ଭାବେ ସଫା କରିବା ଦରକାର । ହେଲେ ଆପଣ ଜାଣନ୍ତିକି ପ୍ରତିଦିନ କାନ ସଫା କରିବା ଲାଗି ବ୍ୟବହାର କରୁଥିବା ଇୟରବତ୍‌ ମଧ୍ୟ କେବେ କେବେ କାନକୁ କ୍ଷତି ପହଞ୍ଚାଇବା ସହ ଶ୍ରବଣ ସମସ୍ୟାର କାରଣ ସାଜିଥାଏ । ଜାଣି ରଖନ୍ତୁ ସେ ସମ୍ପର୍କରେ

  • କାନ ସଫା ରଖିବା ଏକ ଭଲ ଅଭ୍ୟାସ । ହେଲେ ଅଧିକ ଥର କିମ୍ବା ପ୍ରତିଦିନ କାନକୁ ଇୟରବଡରେ ସଫା କରିବା ଦ୍ଵାରା ବାହାର ମଳି ଭିତରକୁ ଯିବାରେ ଅବରୋଧ କରିବା ଲାଗି କାନ ଭିତରେ ଥିବା ଅଠାଳିଆ ଅଂଶ ଛାଡିଯାଇଥାଏ ଏବଂ ଧୂଳି ସହଜରେ ଭିତରକୁ ଯାଇଥାଏ । ତା'ଛଡା ବବାରମ୍ବାର କାନରେ ଇୟରବଡ ପୁରାଇବା ଦ୍ଵାରା ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ଧୀରେ ଧୀରେ କାନର ନଳି ମଧ୍ୟ ଚଉତା ହୋଇ ଅଧିକ ଧୂଳି, ମଳି ଭିତରକୁ ଯାଇ କାନକୁ କ୍ଷତି ପହଞ୍ଚାଇଥାଏ ।
  • କାନର ପରଦା ଅଧିକ ସମ୍ବେଦନଶୀଳ । ତେଣୁ ଇୟରବଡର ନରମ ତୁଳା ମଧ୍ୟ ସେଠାରେ ବାଜିବା ମାତ୍ରେ କ୍ଷତ ହେବାର ଆଶଙ୍କା ରହିଛି। ତା'ଛଡା ଜଣେ ଜଣେ କାନ ପୋଛିବା ଲାଗି କାନ ଭିତରେ ଇୟରବଡକୁ ରଗତିଥାନ୍ତି, ଯାହାଦ୍ଵାରା କାନ ଭିତରର ଚର୍ମ ବା ତ୍ଵଚା ରାମ୍ପି ହୋଇଯାଏ ଏବଂ କଷ୍ଟ ଅନୁଭବ ହୋଇଥାଏ ।
  • କେବେ କେବେ ଅଜାଣତରେ କାନ ଭିତରେ ଇୟରବଡରୁ କିଛି ତୁଳା ରହିଯାଇଥାଏ । ପରବର୍ତୀ ସମୟରେ ଗାଧୋଇବା ବେଳେ ଯେବେ କାନ ଭିତକୁ ପାଣି ଯାଏ ଉକ୍ତ ତୁଳା ତାହାକୁ ଶୋଷିନିଏ, ଫଳରେ ଫଙ୍ଗାଲ ଇନ୍‌ଫେକ୍ସନ ହୋଇ କାନ ଭିତରେ ଘା' ହେବା ସହ ବିନ୍ଧା ହୋଇଥାଏ ।
  • କେବେ କେବେ ଇୟରବଡର ତୁଳା ଖସିଯାଏ ଏବଂ କାନ ସଫା କରୁ କରୁ କେବଳ କାଠି ପରଦାରେ ବାଜିବା କାରଣରୁ କ୍ଷତ ହୋଇ ରକ୍ତ ସ୍ରାବ ହେବା କିମ୍ବା ଫାଟିଯିବା ଭଳି ସମସ୍ୟା ଉପୁଜିଥାଏ । ଯାହାକି ନା କେବଳ କଷ୍ଟ ଦାୟକ ବରଂ ଏହି ସାମାନ୍ୟ ଅସାବଧାନତା ଯୋଗୁ କେବେ କେବେ ଶ୍ରବଣ ଶକ୍ତି ହରାଇବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ।
  • ଇୟରବଡରେ କାନ ସଫା କରିବା ବେଳେ କେବେ କେବେ ମଳି ବାହାରିବା ପରିବର୍ତ୍ତେ ଭିତରକୁ ଠେଲି ହୋଇଯାଇଥାଏ । ଯାହାକି ପରଦା ପାଖରେ ଜମା ହୋଇ କମ ଶୁଭିବା କିମ୍ବା କାନ ଭିତର ହ୍ଵିସିଲ ମାରିବା ଭଳି ଶୁଭିଥାଏ ।

ପୁରୁଣା କିମ୍ବା ପୂର୍ବରୁ ବ୍ୟବହୃତ ଇୟରବଡରେ କାନ ସଫା କରିବା ଦ୍ଵାରା କାନ ଭିତରକୁ ଅଧିକ ମଳି ଯାଇଥାଏ ଏବଂ ଇନ୍‌ଫେକ୍ସନ କରାଇଥାଏ ।

ଆଧାର - ସ୍ୱାସ୍ଥ୍ୟ ବିଭାଗ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top