ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଖାଦ୍ୟ ଖାଇବାର ସଠିକ ଉପାୟ
ସେଆର କରନ୍ତୁ

ଖାଦ୍ୟ ଖାଇବାର ସଠିକ ଉପାୟ

ଖାଇବା ପରେ କ’ଣ କରିବେ ନାହିଁ ଏବଂ ଖାଲି ପେଟରେ କେଉଁ ଖାଦ୍ୟ ଖାଇବା ଅନୁଚିତ ସେ ବିଷୟରେ ସୂଚନା ।

ଖାଇବା ପରେ କ’ଣ କରିବେ ନାହିଁ ?

ନିଜର ଦୈନଦିନ ଜୀବନରେ ଆମେ ସୁସ୍ଥ ରହିବା ପାଇଁ ଅନେକ ପନ୍ଥା ଆପଣାଇ ଥାଉ । ତେବେ ଆମର କିଛି ବଦଭ୍ୟାସ ବେଳେବେଳେ ଆମକୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼େ । ତେଣୁ ଏପରି କେଉଁ କଥା ଆମେ ଖାଇବା ପରେ ନକରିବା ଚାଲନ୍ତୁ ନଜର ପକାଇବା ।

  1. ଖାଇବା ପରେ ସଙ୍ଗେ ସଙ୍ଗେ ଗରମ ପାଣିରେ ଗାଧାନ୍ତୁ ନାହିଁ। ଖାଇବା ପରେ ଗମର ପାଣିରେ ଗାଧୋଇଲେ ଶରୀରର ତାପମାତ୍ରା ବଢ଼ିଯାଏ। ଏହାକୁ ସନ୍ତୁଳିତ କରିବାକୁ ଯାଇ ଚର୍ମ ଆଡ଼କୁ ରକ୍ତ ପ୍ରବାହିତ ହୋଇଥାଏ। ଫଳରେ ବହୁତ ଗୁଡ଼ିଏ ଏନର୍ଜି ନଷ୍ଟ ହୋଇଯାଏ। ଆହୁରି ମଧ୍ୟ ଖାଇବା ପରେ ଗାଧୋଇବା ଦ୍ୱାରା ହାତ ଓ ଗୋଡ଼କୁ ରକ୍ତ ପ୍ରବାହ ବଢ଼ିଯାଏ, କିନ୍ତୁ ପେଟର ଚାରିପାଖରେ ରକ୍ତର ପରିମାଣ କମିଯାଏ। ଲଗାତାର ଏଭଳି କଲେ ପାଚନ ପ୍ରକ୍ରିୟା ଦୁର୍ବଳ ହୋଇଯାଏ। ଫଳରେ ଆପଣ ଯେତେ ଅଳ୍ପ ଖାଦ୍ୟ ଖାଇଲେ ମଧ୍ୟ ହଜମ ହୁଏ ନାହିଁ।
  2. ଅଧିକାଂଶ ସମୟରେ ଦେଖିବାକୁ ମିଳେ ଲୋକେ ଖାଇବା ପରେ ଚା’ ପିଅନ୍ତି। ଯଦି ଆପଣଙ୍କର ଏହି ଅଭ୍ୟାସ ଥାଏ, ତା’ହେଲେ ତୁରନ୍ତ ବଦଳାଇ ଦିଅନ୍ତୁ। ଚା’ରେ ପୋଲିଫିନାଲ୍ସ ଓ ଟେନିଂସ୍ ଭଳି ରସାୟନିକ ପଦାର୍ଥ ରହିଛି। ଏହା ଭୋଜନ ଦ୍ୱାରା ପେଟକୁ ଯାଇଥିବା ନ୍ୟୁଟ୍ରିସନ୍‌କୁ ନଷ୍ଟ କରି ଦିଏ। ପୁଣି ଚା’ର ୫୦ ଗ୍ରାମ ପତିରୁ ୪୦ ଗ୍ରାମରେ ଏସିଡ୍‌ ଥାଏ। ଏହା ଶରୀରର ପ୍ରୋଟିନ୍ ଅଂଶକୁ ନଷ୍ଟ କରିଥାଏ। ସେହିଭଳି ନିଦ ମଧ୍ୟ ଲାଗେ ନାହିଁ।
  3. ଖାଇବା ପରେ ସଙ୍ଗେ ସଙ୍ଗେ ଫଳ ଖାଆନ୍ତୁ ନାହିଁ। କାରଣ ଏହା ପେଟରେ ଲାଖି ରହିଯାଏ ଓ ଠିକ୍ ଭାବେ ପେଟ ଭିତରକୁ ଯାଇ ପାରେ ନାହିଁ। ଫଳରେ ଏଥିରୁ ଆବଶ୍ୟକ ଭିଟାମିନ୍‌ ମିଳିପାରେ ନାହିଁ। ତେଣୁ ଖାଇବାର ଏକ ଘଣ୍ଟା ପରେ ଅବା କିଛି ଘଣ୍ଟା ପୂର୍ବରୁ ଫଳ ଖାଆନ୍ତୁ।
  4. ଏମିତିରେ ତ ଆଦୌ ସିଗାରେଟ୍ ପିଇବା ଉଚିତ୍ ନୁହେଁ। ଧୂମ୍ରପାନ ଦ୍ୱାରା ଅନେକ ପ୍ରକାର ରୋଗ ହୋଇଥାଏ। କିନ୍ତୁ ଯେଉଁମାନେ ସିଗାରେଟ୍ ଟାଣୁଛନ୍ତି ସେମାନଙ୍କ ପାଇଁ ଏହି ଟିପ୍ସଟି। ଖାଇବା ପରେ ପରେ ସିଗାରେଟ୍ ଟାଣିବା ଦ୍ୱାରା ୧୦ ଗୁଣା ଅଧିକ ବିପଦ ରହିଥାଏ।

ଖାଲି ପେଟରେ କେଉଁ ଖାଦ୍ୟ ଖାଇବା ଅନୁଚିତ

ସକାଳୁ ସକାଳୁ ଅଫିସ ଯିବା ତରବରିଆରେ ଅଧିକାଂଶ ଲୋକ ଖାଲି ପେଟରେ ଯାହା ମିଳେ ତାକୁ ଖାଇ ବାହାରୁ ପଡିଥାନ୍ତି । ମାତ୍ର କଣ ଆପଣ ଜାଣିଛନ୍ତି ଆପଣଙ୍କ ଏଭଳି ଖରାପ ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଭୟଙ୍କର । ତେବେ ଏନେଇ ବିଶେଷଜ୍ଞମାନେ କିଛି ଖାଦ୍ୟ ଜିନିଷ ଉପରେ ସଂପୂର୍ଣ୍ଣ ଭାବରେ ରୋକ୍ ଲଗାଇଛନ୍ତି କାରଣ ସେମାନଙ୍କ କହିବା କଥା ହେଲା ଯଦି ଏହିସବୁ ଖାଦ୍ୟକୁ ସାଧାରଣତଃ ଖାଲି ପେଟରେ ଖିଆ ଯାଏ ତେବେ ଏହାଦ୍ୱାରା ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଖାଲି ପେଟରେ କେଉଁ ଖାଦ୍ୟ ଖାଇବା ଅନୁଚିତ ।

କେଉଁ ଖାଦ୍ୟ ଖାଇବା ଅନୁଚିତ

  1. ମସଲାଯୁକ୍ତ ଖାଦ୍ୟ
  2. ସକାଳୁ ସକାଳୁ ବ୍ରେକ୍ ଫାଷ୍ଟରେ କେବେ ହେଲେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ । ବିଶେଷ କରି ଅଧିକ ଲଙ୍କା ବା ରାଗ ମସଲା ଖାଦ୍ୟ ଖାଇବା ଅନୁଚିତ୍ । ଏହାଦ୍ୱାରା ପୁରା ଦିନଟା ପେଟରେ ଏସିଡିଟି ହେବା ସହ ଏହା ଅର୍ଶ ବା ପାଇଲ୍ସ ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

  3. ସଫ୍ଟ ଡ୍ରିଙ୍କ୍
  4. ସଫ୍ଟ ଡ୍ରିଙ୍କ୍ ତଥା ମୃଦୁ ପାନୀୟ ଜଳ ବିଶେଷ କରି କୋଲ୍ଡ ଡ୍ରିକ୍ସ ଆଦିକୁ ଖାଲି ପେଟରେ ପିଇବା ଅନୁଚିତ । କାରଣ ଏଥିରେ ଅଧିକ ମାତ୍ରାରେ କାର୍ବୋନେଟ ଏସିଡ୍ ମିଶିକରି ରହିଥାଏ । ଏହା ପେଟର ଏସିଡ୍ ସହ ମିଶି ବିଭିନ୍ନ ରୋଗର କାରଣ ହୋଇଥାଏ । ଏହାଛଡା ଆପଣଙ୍କୁ ଗ୍ୟାସ୍ ଏବଂ ବାନ୍ତି ଭଳି ସମସ୍ୟାର ଶିକାର ହେବାକୁ ପଡିଥାଏ ।

  5. ଥଣ୍ଡା ଜାତୀୟ ଖାଦ୍ୟ
  6. ଖାଲି ପେଟରେ ଭୁଲରେ ମଧ୍ୟ ଥଣ୍ଡା ଜାତୀୟ ପାନୀୟ ପଦାର୍ଥ କିମ୍ବା ଖାଦ୍ୟ ଗ୍ରହଣ କରିବା ଅନୁଚିତ୍ । ଯେପରିକି କୋଲ୍ଡ କଫି ଓ କୋଲ୍ଡ ଡ୍ରିଙ୍କ୍ ଇତ୍ୟାଦି । କାରଣ ଏହା ପେଟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ବିଶେଷ କରି ଏହା ପାଚନ କ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ଖାଲି ପେଟରେ ଥଣ୍ଡା ଜାତୀୟ ଜିନିଷ ଖାଇବା କିମ୍ବା ପିଇବାଦ୍ୱାରା ହଜମ ଶକ୍ତି ହ୍ରାସ ପାଇଥାଏ । ତେଣୁ ଏହି ଜାଗାରେ ଗରମ ଗ୍ରୀନ୍ ଟି କିମ୍ବା ହାଲକା ମାତ୍ରାରେ ଉଷୁମ ପାଣି ପିଇ ଆପଣଙ୍କ ଦିନର ଶୁଭାରମ୍ଭ କରିବା ଉଚିତ ।

  7. ଖଟା ଫଳ
  8. ଖାଲି ପେଟରେ ଖଟା ଜାତୀୟ ଫଳ ଖାଇବା ଉଚିତ୍ ନୁହେଁ । ଯେପରିକି କମଳା, ଲେମ୍ବୁ, ଅଙ୍ଗୁରୁ ଇତ୍ୟାଦି । ଏହାଦ୍ୱାରେ ପେଟରେ ଏସିଡ୍ ହୋଇଥାଏ । ଏକଥା ଠିକ୍ ଯେ, ଏହାଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାରର ପ୍ରୋଟିନ୍ ମିଳିଥାଏ ସତ ମାତ୍ର ଏହା ଶରୀରରେ ପାଚନ ତନ୍ତ୍ରକୁ ମଧ୍ୟ ପ୍ରଭାବିତ କରିଥାଏ । ଏଥିପାଇଁ ଖଟା ଜାତୀୟ ଫଳକୁ ଖାଲି ପେଟରେ ଖାଇବା ଆଦୌ ଉଚିତ୍ ନୁହେଁ ।

  9. କଫି
  10. ଖାଲି ପେଟରେ କଫି ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏହା ଦ୍ୱାରା ଏସିଡିଟି ଭଳି ସମସ୍ୟା ଦେଖାଯାଇଥାଏ । କାରଣ କଫି ଶରୀରରେ ଥିବା ହାଇଡ୍ରୋକ୍କୋରିକ ଏସିଡକୁ ରୋକିଥାଏ ଯାହାଦ୍ୱାରା ଶରୀରର ଡାଇଜେଷ୍ଟିକ୍ ସିଷ୍ଟମ ଠିକ୍ ଭାବରେ ସଂଚଳନ ହୋଇ ପାରି ନଥାଏ ଆଉ ଯାହା ପାଇଁ ଗ୍ୟାଷ୍ଟ୍ରିକ୍ ଭଳି ସମସ୍ୟା ଦେଖାଦେଇଥାଏ ।

୬ ପ୍ରକାରର ଖାଦ୍ୟ: କେତେବେଳେ ଖାଇବା ଉଚିତ୍

ଆମର ସୁସ୍ଥ ଶରୀର ପାଇଁ ସନ୍ତୁଳନ ରକ୍ଷାକାରୀ ଭୋଜନ ନିହାତି ଆବଶ୍ୟକ । ଭିଟାମିନରେ ଭରପୁର ଖାଦ୍ୟ ଖାଇଲେ ଶରୀରକୁ ଶକ୍ତି ମିଳିଥାଏ । ଏ ସବୁ ସେତ୍ତ୍ୱ ଆମେମାନେ ଲୋଭରେ ପଡି ଭୂଲ ସମୟରେ ବିଭିନ୍ନ ଖାଦ୍ୟ ଖାଇଥାଉ, ଯାହାକି ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ । ତେଣୁ ସୁସ୍ଥ ଶରୀର ପାଇଁ କେତେବେଳେ କେଉଁ ଖାଦ୍ୟ ଖାଇବା ଜରୁରୀ ତାହା ଆମେ ଜାଣିବା ସହିତ ସଚେତନ ହେବା ଆବଶ୍ୟକ ।

ଭାତ

ଖାଦ୍ୟ ବିଶେଷଜ୍ଞମାନଙ୍କ ମତରେ ରାତି ସମୟରେ ଭାତ ଖାଇବା ଅନୁଚିତ । କାରଣ ଭାତରେ ବହୁ ପରିମାଣରେ ମଣ୍ଡ ଥାଏ । ତେଣୁ ରାତିରେ ଭାତ ଖାଇଲେ ଏହି ମଣ୍ଡକୁ ହଜମ କରିବା ସହଜ ହୁଏ ନାହିଁ । ଫଳରେ ନିଦ ଠିକରେ ହୁଏ ନାହିଁ । ଭାତରେ ଥିବା ମଣ୍ଡକୁ ହଜମ କରିବା ପାଇଁ ଅଧିକ ସମୟ ଲାଗୁଥିବାରୁ ରାତିରେ ଖାଇଲେ ମଣିଷ ମୋଟା ହୋଇଥାଏ ।

ଭାତ ଖାଇବାର ସଠିକ ସମୟ ?

ଦିନବେଳା ଭାତ ଖାଇବାର ସଠିକ ସମୟ । ଦିନରେ ମଣିଷ ଶରୀରରେ ପାଚନକ୍ରିୟା ଅଧିକ ସକ୍ରିୟ ଥିବାରୁ ହଜମ କରିବାରେ ସହଜ ହୋଇଥାଏ ।

କ୍ଷୀର

କ୍ଷୀରରେ ପ୍ରଚୁର ପରିମାଣରେ ପ୍ରୋଟିନ ସହିତ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଥାଏ । ତେଣୁ କ୍ଷୀରକୁ ଶକ୍ତିର ଉତ୍ସଭାବେ ବିବେଚନା କରାଯାଏ । ଖାଦ୍ୟ ବିଶେଜ୍ଞମାନଙ୍କ ମତରେ କ୍ଷୀର ହଜମ ହେବାକଚ ବହୁତ ସମୟ ଲାଗୁଥିବାରୁ ଦିନରେ ପିଇଲେ ଅଳସୁଆ ଲାଗିଥାଏ ।

କ୍ଷାର ପିଇବାର ସଠିକ ସମୟ ?

ରାତି ହେଉଛି କ୍ଷୀର ପିଇବାର ସଠିକ ସମୟ । ରାତିରେ କ୍ଷୀର ପିଇଲେ ଶରୀରକୁ ଶାନ୍ତି ମିଳିବା ସହିତ ଏହାର ପୋଷକ ତତ୍ତ୍ୱ ଶରୀରରେ ମିଶିଯାଏ ।

ଦହି

ରାତିରେ ଦହି ଖାଇଲେ ଶରୀରରେ ଉଷ୍ମ ଭାବ ସୃଷ୍ଟି ହୋଇଥାଏ । କେବଳ ସେତିକି ନୁହେଁ ଏହା ଦ୍ୱାରା ଅମ୍ଳପିତ ବା ଏସିଡି ସୃଷ୍ଟି ହେବା ସହିତ ବଦହଜମୀ ହୋଇଥାଏ । ଏତଦବ୍ୟତୀତ ରାତିରେ ଦହି ଖାଇଲେ ଥଣ୍ଡା ହେବା ସହିତ କଫ ମଧ୍ୟ ସୃଷ୍ଟି ହୋଇଥାଏ ।

ଦହି ଖାଇବାର ସଠିକ ସମୟ ?

ଦିନ ବେଳା ଦହି ଖାଇଲେ ଶରୀର ପାଇଁ ଉପକାରୀ ହୋଇଥାଏ । କାରଣ ଦହି ଦିନ ବେଳା ହଜମ ପ୍ରକ୍ରିୟାକୁ ସୁଦୃଢ କରିବା ସହିତ ଶରୀରକୁ ଶକ୍ତି ଯୋଗାଇଥାଏ ।

ଗ୍ରୀନ ଟି (ସବୁଜ ଚା’)

ଆମେ ସମସ୍ତେ ସବୁଜ ଚା’ ପିଇବାକୁ ଭଲ ପାଉ । ସବୁଜ ଚା’ରେ ଥିବା ଅନେକ ଭଲ ଗୁଣ ଶରୀର ପାଇଁ ଉପକାରୀ ହୋଇଥାଏ । କିନ୍ତୁ ଏହାକୁ ଠିକରା ସମୟରେ ପିଇବା ଆବଶ୍ୟକ । ସବୁଜ ଚା’ରେ କାଫିନ ଥିବାରୁ ଏହାକୁ ସକାଳେ ପିଇଲେ ଅମ୍ଳପିତ ସୃଷ୍ଟି ହୋଇଥାଏ । ଏହାଛଡା କାଫିନ ଯୋଗୁଁ ଶରୀରରୁ ଜଳୀୟ ଅଂଶ ମଧ୍ୟ କମିଯାଏ ।

ଗ୍ରୀନ ଟି (ସବୁଜ ଚା’) ପିଇବାର ସଠିକ ସମୟ ?

ସକାଳ ବ୍ୟତୀତ ଦିନର ଯେ କୌଣସି ସମୟରେ ଗ୍ରୀନ ଟି (ସବୁଜ ଚା’) ପିଆଯାଇପାରେ ।

ସେଓ

ସେଓ ରେ ପ୍ରଚୁର ପରିମାଣରେ ଅର୍ଗାନିକ ଏସିଡ ଥାଏ । ଏହା ପାକସ୍ଥଳୀର ଏସିଡ ପରିମାଣକୁ ବୃଦ୍ଧି କରିଥାଏ । ତେଣୁ ଏହାକୁ ରାତିରେ ଖାଇଲେ ଅମ୍ଳପିତ ପରିମାଣ ବୃଦ୍ଧି ପାଇଥାଏ ।

ସେଓ ଖାଇବାର ସଠିକ ସମୟ?

ସେଓରେ ପେକ୍ଟିନ ପରିମାଣ ଅଧିକ ଥିବାରୁ ଶରୀରରୁ ଅଦରକାରୀ ତତ୍ତ୍ୱକୁ ବାହର କରିଦେଇଥାଏ । ତେଣୁ ଦିନ ବେଳା ସେଓ ଖାଇଲେ ଶରୀରକୁ ଉପକାର ମିଳିଥାଏ ।

କଦଳୀ

ରାତିରେ କଦଳୀ ଖାଇଲେ ଥଣ୍ଡା ଓ କଫ ସୃଷ୍ଟି ହୋଇଥାଏ । କେବଳ ସେତିକି ନୁହେଁ ଖାଲି ପେଟରେ କଦଳୀ ଖାଇଲେ ପାକସ୍ଥଳୀରେ ସମସ୍ୟା ଦେଖାଦେଇଥାଏ ।

କଦଳୀ ଖାଇବାର ସଠିକ ସମୟ ?

କଦଳୀ ତନ୍ତୁ ଯୁକ୍ତ ହୋଇଥିବାରୁ ଏହା ଜହମ ପ୍ରକ୍ରିୟାକୁ ସହାୟତା କରିଥାଏ । ଏହା ମଧ୍ୟ ଅମ୍ଳପିତ ବିରୋଧି ହୋଇଥିବାରୁ ଛାତି ଜଳାପୋଡା ସମସ୍ୟାକୁ ଦୂର କରିଥାଏ । ତେଣୁ ଦିନରେ କଦଳୀ ଖାଇଲେ ଦିନ ସାରା ଶରୀରକୁ ଶକ୍ତି ମିଳିଥାଏ ।

କମ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ

ସୁସ୍ଥ ଶରୀର ପାଇଁ ପୁଷ୍ଟିକର

ସୁସ୍ଥ ଶରୀର ପାଇଁ ପୁଷ୍ଟିକର ଏବଂ ଆବଶ୍ୟକ ମୁତାବକ ଖାଦ୍ୟ ଗ୍ରହଣ କରିବା ବହୁତ ଜରୁରୀ ହୋଇଥାଏ । କାରଣ ଆମ ଶରୀର ଠିକ ଭାବେ କାମ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର କ୍ୟାଲୋରୀର ଆବଶ୍ୟକତା ରହିଥାଏ । କିନ୍ତୁ କେତେକ ଲୋକ କମ ଖାଇବା ଖାଆନ୍ତି । ଫଳରେ ଶରୀରକୁ କମ କ୍ୟାଲୋରୀ ମିଳିଥାଏ ଏବଂ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସଠିକ ଭାବେ କାର୍ଯ୍ୟ କରିପାରିନଥାଏ । ତେବେ କମ ଖାଇବା ଦ୍ୱାରା ଶରୀରରେ ହେଉଥିବା କେଉଁ କେଉଁ ସମସ୍ୟା ହୁଏ ସେ ବିଷୟରେ ଜାଣିବା ।

ସମସ୍ୟା

  • ଦୁର୍ବଳ ଲାଗିବା ଯେତେବେଳେ ଶରୀରକୁ କ୍ୟାଲୋରୀର ଆବଶ୍ୟକତା ରହିଥାଏ ସେତେବେଳେ ଭୋକ ଲାଗେ । ମାତ୍ର ଭୋକ ଲାଗିବା ସମୟରେ ଆମେ କମ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଦୁର୍ବଳତା ଆସିଥାଏ । ଦୁର୍ବଳତା ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଥାଏ ।
  • ଚିନ୍ତାଗସ୍ତ ରହିବା ଆମ ଶରୀରକୁ କାମ କରିବା ପାଇଁ ଅନେକ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି ଏବଂ କମ ଖାଇବା ଦ୍ୱାରା ଆମକୁ ସେ ସବୁ ମିଳିପାରିନଥାଏ । ଏପରି କ୍ଷେତ୍ରରେ କାମ ନକରିପାରିବା ଯୋଗୁଁ ଆମେ ଚିନ୍ତାଗସ୍ତ ରହିବା ସହ ଆମକୁ ରାଗ ମଧ୍ୟ ଆସିଥାଏ ।
  • ଥକାପଣ- କୌଣସି କାମ କରିବା ସମୟରେ ପର୍ଯ୍ୟାପ୍ତ କ୍ୟାଲୋରୀର ଆବଶ୍ୟକତା ରହିଥାଏ । ଯେବେ ଶରୀରରେ ଉର୍ଜା ଶେଷ ହୋଇଥାଏ ସେତେବେଳେ ଶରୀରକୁ ଥକା ଲାଗିଥାଏ । ଯାହା ଅନେକ ସମସ୍ୟାର ପ୍ରମୁଖ କାରଣ ।
  • ଭୋକ ଲାଗିବା; ଯେତେବେଳେ ଶରୀରକୁ ବେଶ ଥକା ଲାଗିଥାଏ ସେତେବେଳେ ଆମକୁ ଭୋକ ଲାଗିଥାଏ । ଏହାର ମୁଖ୍ୟ କାରଣ ଥାଏ ଶରୀରରେ ଉର୍ଜା ବା ଶକ୍ତି କମିବା ।
  • ଅଧିକ ନିଦ ଲାଗିବା ଯଦି ଆମେ କମ ଖାଇବା ତେବେ ଆମକୁ ଥକା ଲାଗିଥାଏ । ଯାହାଫଳରେ ଆମକୁ ସବୁବେଳେ ନିଦ ଲାଗିଥାଏ ।
  • ଥଣ୍ଡା ଲାଗିବା କମ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ କ୍ୟାଲୋରୀ ମାତ୍ରା କମିଯାଇଥାଏ । ଯାହାଫଳରେ ଆମ ଶରୀରର ତାପମାତ୍ରା କମ ହେବାରେ ଲାଗିଥାଏ । ଯାହାଫଳରେ ଆମକୁ ଥଣ୍ଡା ଅନୁଭୁତ ହୋଇଥାଏ ।
  • କୋଷ୍ଠକାଠିନ୍ୟ ସମସ୍ୟା ସର୍ବଦା ଲୋକ ମୋଟା ହେବାରୁ ମୁକ୍ତି ପାଇବା ପାଇଁ ନିଜର ଖାଦ୍ୟକୁ କମ କରି ଦେଇଥାନ୍ତି । ଯାହା ଫଳରେ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିବା ବନ୍ଦ ହୋଇଯାଇଥାଏ । ଏହା ପରେ ଆମର ପାଚକ ତନ୍ତ୍ର ଦୁର୍ବଳ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top