ଜିକା ଜ୍ୱର, ଅନ୍ୟ ନାମ ଜିକା ଭୁତାଣୁ ରୋଗ, ଏକ ରୋଗ ଯାହା ଜିକା ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ । ଏହାର ଲକ୍ଷଣ ଡେଙ୍ଗୁ ଜ୍ୱର ସହିତ ସଦୃଶ । ଅଧିକାଂଶ ସମୟରେ (୬୦–୮୦%) କୌଣସି ଲକ୍ଷଣ ନ ଥାଏ ।ସାଧାରଣତଃ ଏହାର ଲକ୍ଷଣରେ ଜ୍ୱର, ଲାଲ ଆଖି, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବଥା ଓ ମାକୁଲୋପାପୁଲାର ରାସ୍ ଦେଖାଯାଏ । ସାଧାରଣତଃ ଏହାର ଲକ୍ଷଣ ସାମାନ୍ୟ ଧରଣର ହୁଏ ଓ ୭ ଦିନରୁ କମ ସମୟ ରହେ ।ସନ ୨୦୧୫ ସୁଦ୍ଧା କୌଣସି ମୃତ୍ୟୁ ହୋଇନାହିଁ । ଏହି ସଂକ୍ରମଣର ଗୁଲେନ-ବାରି ସିଣ୍ଡ୍ରୋମ ସହ ସଂଯୋଗ ଅଛି ।
ସନ ୧୯୪୭ ରେ ଏହି ରୋଗର ଭୁତାଣୁ ପୃଥକୀକୃତ କରାଯାଇଥିଲା । ଫେଡେରେଟେଡ ଷ୍ଟେଟ ଅଫ ମାଇକ୍ରୋନେସିଆରେ ସନ ୨୦୦୭ରେ ପ୍ରଥମ ରୋଗ ଆବିର୍ଭାବ ହେବା ଲିଖିତ ଅଛି । ଆମେରିକୀୟ ସ୍ଥାନମାନଙ୍କର ୨୦ଟି ସ୍ଥାନରେ ଏହି ରୋଗ ହେବା ସନ ୨୦୧୬ରେ ଜଣାଯାଇଛି । ଏସିଆ, ଆଫ୍ରିକା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମାନଙ୍କରେ ମଧ୍ୟ ଏହି ରୋଗ ହେଉଛି । ସନ ୨୦୧୫ରେ ବ୍ରାଜିଲରେ ଏହି ରୋଗ ଆରମ୍ଭ ହେବାରୁ ଫେବୃଆରି ୨୦୧୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ଏହାକୁ ଆନ୍ତର୍ଜାତୀୟ ଚିନ୍ତାଜନକ ଜନସ୍ୱାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କଲେ ।
ଜିକା ଜ୍ୱର ମୁଖ୍ୟତଃ ଏଡିସ ଧରଣର ମଶା କାମୁଡ଼ିବା ଯୋଗୁ ବ୍ୟାପେ । ଯୌନ ସଙ୍ଗମ ଓ ରକ୍ତ ଅନ୍ତର୍ଭରଣ ସମୟରେ ମଧ୍ୟ ଏହାର ସଞ୍ଚାର ସମ୍ଭାବନା ଅଛି । ଏହା ଗର୍ଭରେ ମାଆଠାରୁ ଶିଶୁକୁସଂକ୍ରମିତ ହୋଇ ଶିଶୁର କ୍ଷୁଦ୍ର ଶିର (microcephaly) ହୋଇପାରେ । ରୋଗାକ୍ରାନ୍ତ ଲୋକର ରକ୍ତ, ପରିସ୍ରା ବା ଲାଳ ସଂଗ୍ରହ କରି ସେଥିରେ ଭୁତାଣୁର ଆରଏନଏ ଉପସ୍ଥିତି ଦେଖି ରୋଗ ନିର୍ଣ୍ଣୟ କରାଯାଏ ।
ରୋଗ ପ୍ରବଣ ଇଲାକାମାନଙ୍କରେ ମଶା କାମୁଡ଼ା ପ୍ରତିରୋଧ କରିବା ଆବଶ୍ୟକ । ଏଥି ନିମନ୍ତେ କୀଟ ବିଡ଼କ (insect repelent), ମଶାରୀ ବ୍ୟବହାର, ସମ୍ପୁର୍ଣ୍ଣ ଦେହ ଆବୃତ ଇତ୍ୟାଦି କରିବା ସହ ମଶା ପ୍ରଜନନ କରୁଥିବା ସ୍ଥିର ଜଳ ନିଷ୍କାସନ ବ୍ୟବସ୍ଥା ଦରକାର । ଏହା ନିମନ୍ତେ କୌଣସି ଟିକା ବାହାରି ନାହିଁ । ବ୍ରାଜିଲର ସ୍ୱାସ୍ଥ୍ୟ କର୍ମଚାରୀମାନେ ସନ ୨୦୧୫ରେ ଗର୍ଭାଧାନ ନ କରିବା ନିମନ୍ତେ ଉପଦେଶ ଦେଉଥିଲେ ଓ ଜିକା ପ୍ରବଣ ଇଲାକାକୁ ଅନ୍ୟ ସ୍ଥାନରୁ ଗର୍ଭାଧାନ କରିଥିବା ମହିଳାଙ୍କୁ ଯିବାକୁ ବାରଣ କରୁଥିଲେ । ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ଓ କେବଳ ପାରାସେଟାମୋଲ (ଆସେଟାମିନୋଫେନ) ଦେଇ ଏହାର ଲକ୍ଷଣ ନିୟନ୍ତ୍ରଣ କରାଯାଏ । ଡାକ୍ତରଖାନାରେ ଆଡମିସନ କ୍ୱଚିତ ଆବଶ୍ୟକ ହୁଏ ।
ଆଧାର: ସ୍ୱାସ୍ଥ୍ୟ ବିଭାଗ, ଓଡିଶା ସରକାର
Last Modified : 1/26/2020