ସମ୍ପ୍ରତି ଅନେକ ରୋଗୀ ଦୋକାନରେ ଜେନେରିକ୍ ଔଷଧ ମିଳୁ ନଥିବା ଦର୍ଶାଇଛନ୍ତି । ଆଉ ଯେଉଁଠି ବି ମିଳୁଛି, ଦୋକାନୀ ବିରକ୍ତିର ସହିତ ଏହା ଦେଉଛନ୍ତି । କାରଣ ନାମୀ କମ୍ପାନୀ ତୁଳନାରେ ଏହାର ଦର କମ୍ । କୌଣସି ରୋଗର ଚିକିତ୍ସା ପାଇଁ ଗବେଷଣା ପରେ ସଲଟ ବା ରାସାୟନିକ ପ୍ରସ୍ତୁତ କରାଯାଇ ଏହାକୁ ଔଷଧ ରୂପ ଦିଆଯାଏ । ଏହି ରାସାୟନିକ ପ୍ରସ୍ତୁତିର ଅଧିକାର ଗବେଷକ କମ୍ପାନୀ ପାଖରେ କିଛି ବର୍ଷ ପାଇଁ ଥାଏ । ଦେଶରେ ଏହାର ଅବଧି କୋଡିଏ ବର୍ଷ । ପୃଥିବୀ ବିଭିନ୍ନ ସ୍ୱାସ୍ଥ୍ୟ ଅଭିବୃଦ୍ଧି ରାଷ୍ଟ୍ରରେ ଏହା ଦଶରୁ ତିରିଶ ବର୍ଷ ପର୍ଯ୍ୟନ୍ତ ରହିଛି । ଏହି ଅବଧି ଭିତରେ ଗବେଷକ କମ୍ପାନୀ ବା ଅଧିକାର କିଣିଥିବା କମ୍ପାନୀ ଉକ୍ତ ରାସାୟନିକରୁ ପ୍ରସ୍ତୁତ ଔଷଧ ବିକ୍ରି କରିପାରିବେ । କିନ୍ତୁ କୋଡିଏ ବର୍ଷ ପରେ ଏହି ରାସାୟନିକ ପ୍ୟାଟେଣ୍ଟ ମୁକ୍ତ ହୋଇଯିବାରୁ ଏହାକୁ ଜେନେରିକ୍ କୁହାଯାଏ । ପରବର୍ତ୍ତୀ ସମୟରେ ସରକାରୀ ଅନୁମୋଦିତ ଭାବରେ କମ୍ପାନୀ ମାନେ ଏହାକୁ ଅଲଗା ବ୍ରାଣ୍ଡର ଔଷଧ ଭାବେ ବିକ୍ରି କରିଥାନ୍ତି । ଏହି ଔଷଧ ପେଟେଣ୍ଟ ମୁକ୍ତ ହେବା ପରେ ମଧ୍ୟ କେତେକ କମ୍ପାନୀ ଏହାକୁ ଚଢ଼ା ଦରରେ ଛାଡ଼ନ୍ତି । କିନ୍ତୁ ଜେନେରିକ୍ ପ୍ରସ୍ତୁତ କରୁଥିବା କମ୍ପାନୀ ଏହାକୁ କମ୍ ଦରରେ ବଜାର ପଠାନ୍ତି । ତେଣୁ ଏହି ଜେନେରିକ୍ ଔଷଧକୁ ମହଙ୍ଗା ଏବଂ ବ୍ରାଣ୍ଡେଡ ଔଷଧର ବିକଳ୍ପ ଭାବେ ନିଆଯାଏ ।
ସମାନ ରାସାୟନିକ ଉପାଦାନ ଥିବା ସତ୍ତ୍ୱେ ଏହି ଜେନେରିକ ଔଷଧ ବ୍ରାଣ୍ଡେଡ ଠାରୁ କିପରି ଶସ୍ତାରେ ମିଳେ । ଏହାର କାରଣ ହେଉଛି ଜେନେରିକ ଔଷଧ ଦର ସ୍ଥିର କରିବାର ଭୂମିକା ସରକାରଙ୍କ ହାତରେ ରହିଥାଏ । କିନ୍ତୁ ନାମୀଦାମୀ କମ୍ପାନୀର ଔଷଧର ଦର ନିୟନ୍ତ୍ରଣ କମ୍ପାନୀ ହାତରେ ଥାଏ । ସେହିପରି ଜେନେରିକ ଔଷଧର ପ୍ରଚାର ପ୍ରସାର ପାଇଁ କମ୍ପାନୀ ଗୁଡ଼ିକ ଆଗଭର ହୋଇ ନଥାନ୍ତି । କିନ୍ତୁ ବ୍ରାଣ୍ଡେଡ ଔଷଧ ପାଇଁ ପ୍ରଚୁର ବିଜ୍ଞାପନ ଓ ଆନୁଷଙ୍ଗିକ ଖର୍ଚ୍ଚ ହୋଇଥାଏ । ପ୍ରମାଣ ସ୍ଵରୂପ, ରକ୍ତ କର୍କଟ ନିମନ୍ତେ ଗ୍ଲବେଭେକ୍ ବ୍ରାଣ୍ଡର ଔଷଧ ନିମିତ୍ତ ମାସକୁ ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ଵ ଖର୍ଚ୍ଚ ହେଉଥିବାବେଳେ ଏହାର ଜେନେରିକ ବ୍ରାଣ୍ଡ୍ ବଜାରରେ ଏଗାର ହଜାର ଭିତରେ ମିଳିଥାଏ । ସେହିପରି ପେଟ ପାଇଁ ଦରକାର ହେଉଥିବା ପାଣ୍ଡୋପ୍ରୋଜୋଲର ଦଶଟି ବଟିକାର ଦର ବଜାରରେ ବେଳେବେଳେ ଶହେ ଟଙ୍କା ପଡ଼ୁଥିବାବେଳେ ଏହାର ଜେନେରିକ ମୂଲ୍ୟ ହେଉଛି ଦଶ ଟଙ୍କା । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ତଥ୍ୟ ଅନୁଯାୟୀ, ଡାକ୍ତରମାନେ ବିନା ଦ୍ଵିଧାରେ ରୋଗୀପାଇଁ ସମ୍ପୂର୍ଣ୍ଣ ରୂପେ ଜେନେରିକ ଔଷଧ ଲେଖିଲେ ଚିକିତ୍ସା ପାଇଁ ରୋଗୀର ସମସ୍ତ ଖର୍ଚ୍ଚ ପାଖାପାଖି ସତୁରୀ ପ୍ରତିଶତ କମିଯାଏ । ଲୋକଙ୍କ ପାଖରେ ଠିକ୍ କମ୍ପୋଜିସନ। ଓ ସଠିକ ମାତ୍ରାର ଜେନେରିକ ଔଷଧ ପାଇଁ ସରକାର ଡାକ୍ତରଖାନା ପରିସରରେ ଜେନେରିକ୍ ମେଡ଼ିସିନ ଷ୍ଟୋର ବା ଜନ ଔଷଧ କେନ୍ଦ୍ର ଖୋଲିଛନ୍ତି।
ଭାରତରେ ସଂପ୍ରତି ୮୫୦ଟି ଜନ ଔଷଧ କେନ୍ଦ୍ର ରହିଛି । ଉତ୍ତରପ୍ରଦେଶରେ ଏହା ୧.୬୨ ଓ ଦିଲ୍ଲୀରେ ୧୬ଟି । ଅନେକ ବଡ଼୍ କମ୍ପାନୀ ଉଭୟ ବ୍ରାଣ୍ଡେଡ ଓ ଜେନେରିକ ଔଷଧ ତିଆରି କରିଥାନ୍ତି । ନିକଟରେ କେନ୍ଦ୍ରୀୟ ଔଷଧ ନିୟନ୍ତ୍ରଣ ସଂସ୍ଥା ଦ୍ଵାରା କରାଯାଇଥିବା ମାନ ପରୀକ୍ଷଣରେ ୬୦ ପ୍ରତିଶତ ଔଷଧ ଫେଲ ମାରିଛି । ଯାହା ଭିତରେ ରହିଛି ଯନ୍ତ୍ରଣାନିବାରକ କମ୍ବିଫ୍ଲେମ୍, ଆଣ୍ଟିକୋଲ୍ଡ ମେଡ଼ିସିନ, ଡିକୋଲ୍ଡ ଟୋଟାଲ, ଆଣ୍ଟି ଆଲର୍ଜିକ, ସେଟିରିଜିନ ଓ ଆଣ୍ଟି ବାୟୋଟିକ
ସିଫ୍ରୋପ୍ଲାକ୍ସାସିନ ଏବଂ ଅଫ୍ଲକ୍ସାସିନ ଆଦି । ଯେତେବେଳେ ନାମୀ ବ୍ରାଣ୍ଡର ଔଷଧର ମାତ୍ରାର ସଠିକତା ରହିପାରୁନି ସେତେବେଳେ ଜେନେରିକ ଔଷଧ ତିଆରି କରୁଥିବା ଛୋଟ କମ୍ପାନୀ ଉପରେ ସନ୍ଦେହ ରହିବା ଶତ ପ୍ରବୃତ୍ତ କଥା । ତେବେ ଏ କ୍ଷେତ୍ରରେ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନର ମତ ଅଲଗା । ଭାରତର ଔଷଧ ବଜାରର ସ୍ଥିତି ସାଙ୍ଗକୁ ଲୋକଙ୍କ ଆର୍ଥିକ କ୍ଷେତ୍ର ଯାହା ଏହାକୁ ଦୃଷ୍ଟିରେ ରଖି କମ ମୂଲ୍ୟ ବିଶିଷ୍ଟ ଔଷଧ ପ୍ରସ୍ତୁତି ହେବା ସହ ଦୋକାନ ମଧ୍ୟ ବଢ଼ିବା କଥା । ସଂସ୍ଥାର କହିବାନୁଯାୟୀ, ସରକାର ଔଷଧ ନିୟନ୍ତକଙ୍କ ସଂଖ୍ୟା ବଢ଼ାଇ ବଜାରରେ ଔଷଧର ନିୟମିତ ଯାଞ୍ଚ କରିବା ଜରୁରୀ । ବର୍ତ୍ତମାନ ଭାରତରେ ୧୮୦୦ ଔଷଧ ନିୟନ୍ତ୍ରକ ଅଛନ୍ତି ; କିନ୍ତୁ ଦରକାର ହେଉଛନ୍ତି ଅନ୍ୟୁନ ୩୦୦୦ । ସରକାରୀ କ୍ଷେତ୍ରରେ ମଧ୍ୟ ସ୍ଵୀକାରୋକ୍ତି ଜଣାଯାଇଛି ଯେ ଦେଶରେ ମାତ୍ର ୦.୦୧ ପ୍ରତିଶତ ଔଷଧର ମାନ ପରୀକ୍ଷା ହୋଇଥାଏ । ତେବେ ପୁରୁଣାକାଳିଆ ବ୍ୟବସ୍ଥାକୁ ଛାଡ଼ି ଡ୍ରଗ୍ସ ବିଭାଗକୁ କେମିକାଲ ଓ ପେଟ୍ରୋଲିୟମ ମନ୍ତ୍ରାଳୟ ବଦଳରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନକୁ ଆଣିବା କଥା । ସେହିପରି ରାଜ୍ୟରେ ଔଷଧର ଗୁଣାତ୍ମକ ମାନ ପରୀକ୍ଷା ପାଇଁ ପରୀକ୍ଷାଗାର ଜରୁରୀ । ସେହିପରି ଜୀବନରକ୍ଷାକାରୀ ଗୁରୁତ୍ଵପୂର୍ଣ୍ଣ ଔଷଧ ଗୁଡ଼ିକର ମୂଲ୍ୟ ନ ବଢ଼ିବା ପାଇଁ ସରକାରୀ କ୍ଷେତ୍ରରେ ନୀତି ନିର୍ବାରଣ ରହିବା ଜରୁରୀ ।
ଅଧିକାଂଶ ହୁଏତ ଜାଣିନଥିବେ ଭାରତରେ ସର୍ବାଧିକ ଜେନେରିକ ଔଷଧ ପ୍ରସ୍ତୁତ ହୋଇଥାଏ । ଅନେକ ଆଫ୍ରିକୀୟ ରାଷ୍ଟ୍ରକୁ ଏହା ନିୟମିତ ପଠା ଯାଉଛି । ପାଖାପାଖି ପ୍ରତିବର୍ଷ ୪୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଔଷଧ ଭାରତ ବିଦେଶରେ ଥିବା ଅନ୍ୟ ରାଷ୍ଟ୍ରକୁ ପଠାଇଛି । ବ୍ରିଟେନ, ଜାପାନ ଇଟାଲୀ ପରି ଦେଶରେ ସରକାରୀ ପଞ୍ଜୀକରଣ ପୃସ୍ତିକାରେ ଡାକ୍ତରମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ଦେଖି ସମସ୍ତ ତଥ୍ୟ ଲେଖନ୍ତି; ଯେଉଁଥିରେ ଡାକ୍ତରଙ୍କ ରେଜିଷ୍ଟ୍ରେସନ ନଂ ସହିତ ଯୋଗାଯୋଗ ନଂ ମଧ୍ୟ ଥାଏ । ଭାରତର ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ପରି ରାଜ୍ୟର ସରକାରୀ ବ୍ୟବସ୍ଥାରେ ଜେନେରିକ ଔଷଧ ଲୋକପ୍ରିୟ ହୋଇଛି । ବର୍ତ୍ତମାନର ସ୍ଵାସ୍ଥ୍ୟନୀତି ଅନୁସାରେ ସଂପ୍ରତି ପ୍ରାୟ ୭୦୦ ସାଧାରଣ ଔଷଧ ଅର୍ଥାତ ଅତ୍ୟଧିକ ଆବଶ୍ୟକ ହେଉଥିବା ଔଷଧର ଦରକୁ କମାଇ ଦିଆଯାଇଛି । ବଜାରରେ ନାମୀ ଦାମୀ ଓ ଜେନେରିକ ଔଷଧ ଚିହ୍ନିବାର ପ୍ରଥମ ଫରକ । ହେଉଛି ମୂଲ୍ୟର ବ୍ୟବଧାନ । କାରଣ ଜେନେରିକ ଔଷଧର ମୂଲ୍ୟ ବହୁତ କମ ।
ସଂଗୃହିତ : ଡାକ୍ତର ଉମେଶଚନ୍ଦ୍ର ପାତ୍ର ଏସ୍ସିବି ମେଡ଼ିକାଲ କଲେଜ, କଟକ
Last Modified : 1/7/2020