ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ବ୍ୟକ୍ତିଗତ ଓ ପରିବେଶ ପରିଚ୍ଛନତା ରୋଗରୁ ମୁକ୍ତି
ସେଆର କରନ୍ତୁ

ବ୍ୟକ୍ତିଗତ ଓ ପରିବେଶ ପରିଚ୍ଛନତା ରୋଗରୁ ମୁକ୍ତି

ବ୍ୟକ୍ତିଗତ ଓ ପରିବେଶ ପରିଚ୍ଛନତା ରୋଗରୁ ମୁକ୍ତି ବିଷୟରେ ସୂଚନା ।

ସ୍ୱଚ୍ଛ ଭାରତ ଅଭିଯାନ

ଦେଶକୁ ସଫା ରଖିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଥି । ଏହି ଆଭିଯାନ ଆରମ୍ଭ ହେବା ପରେ ସାଧାରଣ ଲୋକ, ରାଜନେତା ଏପରିକି ସେଲିବ୍ରିଟି ମଧ୍ୟ ଉତ୍ସାହ ଦେଖାଇଥିଲେ । କିନ୍ତୁ ସମୟ କ୍ରମେ ଧୀରେ ଧୀରେ ସ୍ୱଚ୍ଛ ଭାରତ ଅଭିଯାନ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଲା ।

ଅଭିଯାନ ଆରମ୍ଭ କରିବା ଭିନ୍ନ କଥା, ଦେଶର ନାଗରିକ ହିସାବରେ ଦେଶକୁ , ରାଜ୍ୟକୁ, ଘରକୁ ତଥା ପରିବଶେକୁ ସଫରା ରଖିବା ଆମର କର୍ତ୍ତବ୍ୟ । ତେବେ ଏପରି ନକରିବା ଦ୍ୱାରା ଆଉ କାହାର କ୍ଷତି ହେଉ କି ନହେଉ ଆମେ ନିଜେ ରୋଗରେ ପଡ଼ିବା । ଶିଶୁମାନଙ୍କର ଅଧାରୁ ଅଧିକ ରୋଗ ଏବଂ ମୃତ୍ୟୁ, ଖାଦ୍ୟ, ପାଣି ବା ଅପରିଷ୍କାର ହାତ ମାଧ୍ୟମରେ ପାଟି ପଟେ ଶରୀର ମଧ୍ୟକୁ ଯାଉଥିବା କୀଟାଣୁମାନଙ୍କ ଦ୍ଵାରା ହୋଇଥାଏ । ଏଥିପାଇଁ ଆମେ ନିଜେ ସଚେତନ ହେବା ସହ ଲୋକଙ୍କୁ ସଚେତନ କରିବା । ତେବେ ସୁସ୍ଥ ଓ ନିରୋଗ ରହିବା ପାଇଁ କିଛି ଦିଗ ପ୍ରତିଧ୍ୟାନ ଦେବା ଉଚିତ୍ ।

ସୁସ୍ଥ ଓ ନିରୋଗ ରହିବା ପାଇଁ ଟିପ୍ସ

  • ଫଳ, ପନିପରିବା ଏବଂ କଞ୍ଚା ଖିଆଯାଉଥିବା ଖାଦ୍ୟକୁ ଖାଇବା ଏବଂ ରାନ୍ଧିବା ପୂର୍ବରୁ ଧୋଇବା ଜରୁରୀ ଅଟେ । ରନ୍ଧା ଯାଇଥିବା ଭୋଜନକୁ ତୁରନ୍ତ ଖାଇଦେବା ଦରକାର ବା ପୁଣିଥରେ ଖାଇବା ପୂର୍ବରୁ ସଂପୂର୍ଣ୍ଣ ଭାବେ ଗରମ କରିବା ଦରକାର ।
  • ଖାଦ୍ୟ, ବାସନକୁସନ ଏବଂ ରୋଷେଇ ଘରକୁ ପରିଷ୍କାର ରଖିବା ଉଚିତ୍ । ଖାଦ୍ୟକୁ ବାସନକୁସନ ଦ୍ଵାରା ଢାଙ୍କି କରି ରଖିବା ଉଚିତ୍ ।
  • ଘରର ସମସ୍ତ ମଇଳାକୁ ସୁରକ୍ଷିତ ଭାବେ ନିଷ୍କାସନ କରିବା ଦ୍ଵାରା ରୋଗର ବ୍ୟାପକତାକୁ ହ୍ରାସ କରାଯାଇପାରେ ।
  • ପିଇବା ପାଣିକୁ ପରିଷ୍କାର ପାତ୍ରରେ ଢାଙ୍କି ରଖନ୍ତୁ ।
  • ଅପରିଷ୍କାର ହାତ ପାଣିରେ ବୁଡାନ୍ତୁ ନାହିଁ ।
  • ପାତ୍ରରୁ ପାଣି ବାହାର କରିବା ପାଇଁ ଲମ୍ବା ବେଣ୍ଟ ଥିବା ସଫା ଡଙ୍କି / ପାତ୍ର ବ୍ୟବହାର କରନ୍ତୁ ।
  • ପାଣି ରଖିବା ପାଇଁ ପାତ୍ରରେ ନାଳ ଲଗାନ୍ତୁ ।
  • କାହାକୁ ପାଣିର ଏହି ପାତ୍ରରେ ହାତ ବୁଡାଇବାକୁ କିମ୍ବା ମୁହଁ ଲଗାଇ ପାଣି ପିଇବାକୁ ଦିଅନ୍ତୁ ନାହିଁ ।
  • ନିଜେ ବ୍ୟବହାର କରୁଥିବା ପାଣି ଠାରୁ ପଶୁପକ୍ଷୀମାନଙ୍କୁ ଦୂରେଇ ରଖନ୍ତୁ ।
  • କୂଅ ଗୁଡିକୁ ଢାଙ୍କି ସେଗୁଡିକୁ ସୁରକ୍ଷିତ କୂଅରେ ପରିଣତ କରନ୍ତୁ ବା ହ୍ୟାଣ୍ଡପମ୍ପ ଲଗାନ୍ତୁ ।
  • ଜଳ ଉତ୍ସଠାରୁ ପାଇଖାନାକୁ ଅତିକମ୍ ରେ ୧୫ ମିଟର ଦୂର ତଥା ତଳୁଆ ଗଡାଣି ସ୍ଥାନରେ ତିଆରି କରନ୍ତୁ ।
  • ଘର ଚାରିପାଖକୁ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ । ନିୟମିତ ବ୍ୟବଧାନରେ ଘର ତଥା ଘର ଚାରିପାଖକୁ ସଫା କରନ୍ତୁ ।

ପାଦରୁ ଜାଣିବେ ରୋଗ

“ଗାଉଟ୍ ଏକ ପ୍ରକାର ଗଣ୍ଠିବାତ । ଏଥିରେ ପାଦର ବୁଢା ଆଙ୍ଗୁଠି ଓ ବଳାଗଣ୍ଠି ଫୁଲି ବିନ୍ଧା ହୁଏ । ଗଣ୍ଠି ଭିତରେ ‘ୟୁରିକ ଏସିଡ୍’ ଜମିଯାଏ । ଡାଲି ଓ ପ୍ରୋଟିନ୍ ଜାତୀୟ ଖାଦ୍ୟ ମାଂସ, ମାଛ ଖାଇଲେ ଏବଂ ମଦ୍ୟପାନ କଲେ ବିନ୍ଧା ଅତ୍ୟଧିକ ହୁଏ । ପାଦ ଆଙ୍ଗୁଠିରେ ଥିବା ସୂକ୍ଷ୍ମ କୋମଳ ଲୋମ ହଠାତ୍ ଝଡିଗଲେ ପାଦକୁ ରକ୍ତ ସଞ୍ଚାଳନ ଯଥେଷ୍ଟ ହେଉ ନ ଥିବାର ସଙ୍କେତ ମିଳେ । ପାଦ ଆଙ୍ଗୁଠିଗୁଡିକ ବାଇଗଣୀ ବର୍ଣ୍ଣ ହୋଇଯାଏ ଓ ଉଜ୍ଜ୍ଵଳ ଦେଖାଯାଏ । ପାଦର ଧମନୀରେ ରକ୍ତ ପ୍ରବାହ କମିଯାଏ ।”

ପାଦ ଶରୀରର ଓଜନ ବହନକରେ । ଭାରସାମ୍ୟ ରକ୍ଷାକରେ । ଚାଲିବା ଓ ଦୌଡିବାରେ ସାହାଯ୍ୟ କରେ । ଏହାକୁ ଦେଖିଲେ ଅନେକ ରୂଗ ଜାଣିହୁଏ । ଗ୍ରୀସ୍ ରେ ଗୋଟିଏ କିମ୍ବଦନ୍ତୀ ଅଛି ଶିଶୁ ଜନ୍ମ ପରେ ତା’ର ଗୋଇଠିକୁ ଷ୍ଟିକ୍ସ ନଦୀର କୁହୁକ ଜଳରେ ବୁଡାଇ ରଖିଲେ ସେ ମୃତ୍ୟୁଞ୍ଜୟ ହୁଏ । ଜଳଦେବୀ ‘ଥେଟିସ୍’ ଙ୍କ ପୁଅ ଅକିଲିସର ପାଦକୁ ପବିତ୍ର ନଦୀ ଜଳରେ ନ ବୁଡାଇବା ଫଳରେ ତା’ର ଟ୍ରୋଜାନ ଯୁଦ୍ଧରେ ମୃତ୍ୟୁ ହେଲା । ଗୋଇଠିର ମାଂସରେ ବିଷାକ୍ତ ଶର ବିଦ୍ଧ ହୋଇ ସେ ପରାଜିତ ହେଲା ।

ପାଦ ଅନେକ ରୋଗରୁ ଫୁଲେ । ଫାଇଲେରିଆ ହେଉଛି ଗୋଟିଏ ମୁଖ୍ୟ କାରଣ । ହାତୀପାଦ ପରି ଦେଖାଯାଏ । ଏହାର ଅନ୍ୟନାମ ଗୋଦର । କିନ୍ତୁ ସବୁ ପାଦ ଫୁଲା ଗୋଦର ନୁହେଁ । ଭାରତର ୨୦ ପ୍ରତିଶତ ଫାଇଲେରିଆ ରୋଗୀ କେବଳ ଓଡିଶାରେ ଅଛନ୍ତି । ଚର୍ମ ମୋଟା ହୋଇଯାଏ । ଚିପିଲେ ଗାତ ହୁଏ ନାହିଁ । ଗୋଟିଏ ପାଦ ଫୁଲେ । କେତେଜଣ ରୋଗୀଙ୍କର ଦୁଇ ପାଦ ସଂକ୍ରମଣ ହୁଏ । ଜଙ୍ଘ ପାଖର ଗିଲ୍ଟି ଦରଜ ହୁଏ ।ଗୋଦା ବିନ୍ଧା ହୁଏ । ଲାଲ ହୋଇ ଫୋଟକା ବାହାରେ । ଜ୍ଵର ଓ ଯନ୍ତ୍ରଣା ଲାଗି ରହେ । ପ୍ରାଥମିକ ଅବସ୍ଥାରେ ଚିକିତ୍ସା କଲେ ଆରୋଗ୍ୟ ମିଳେ । ପୁରୁଣା ରୋଗୀ ଭଲ ହୁଅନ୍ତି ନାହିଁ ।

ଡାଇବେଟିସ୍ ରେ ପାଦ ଫୁଲେ

ରକ୍ତରେ ଅଧିକ ଶର୍କରା ଦୋଷରୁ ପାଦର ଧମନୀ ସାରୁ ହୋଇଯାଏ । ରକ୍ତ ସଞ୍ଚାଳନ କମିଯାଏ । ସ୍ନାୟୁ ଦୁର୍ବଳ ହୋଇଯାଏ । ଘା’ ହୋଇ ଶୁଖେ ନାହିଁ । ଚିମୁଟିଲେ ଜଣାପଡେ ନାହିଁ । ସାଧାରଣ ଆଘାତରେ ପାଦର ହାଡ ଫାଟିଯାଏ । ଗଣ୍ଠି ଦୁର୍ବଳ ହୋଇଯାଏ । ପାଦ ତଳର ଅର୍ଦ୍ଧଗୋଲାକାର ଆକୃତି ଦବିଯାଏ । ଚଟକା ହୋଇଯାଏ । ହାଡ ପଦାକୁ ବାହାରିପଡେ । ଏହାକୁ ‘ଚାରକଟ’ ପାଦ କୁହାଯାଏ । ଅନେକ ଜାଗାରେ ବିଣ୍ଡି ହୁଏ ।

ହୃତପିଣ୍ଡ ରୋଗଗ୍ରସ୍ତ ହେଲେ ପାଦରେ କେତେକ ଲକ୍ଷଣ

ହୃତପିଣ୍ଡ ରୋଗଗ୍ରସ୍ତ ହେଲେ ପାଦରେ କେତେକ ଲକ୍ଷଣ ପ୍ରକାଶ ପାଏ । ନଖରା ରଙ୍ଗରୁ ନିଜର ସ୍ୱାସ୍ଥ୍ୟ ଅବସ୍ଥା ଜାଣିହୁଏ । ହାର୍ଟର ଭିତର ପାର୍ଶ୍ଵ ପର୍ଦ୍ଦାରେ ପ୍ରଦାହ ହେଲେ ନଖ ତଳେ ଅତି ସାରୁ ଧମନୀ ଲାଲ ଦେଖାଯାଏ । ରକ୍ତସ୍ରାବ ହୋଇ ରକ୍ତ ଜମାଟ ବାନ୍ଧେ । କେମୋଥେରାପି, ଏଚ୍ ଆଇଭି ଓ ଡାଇବେଟିସ୍ ରେ ନଖରେ ସରୁ ସରୁ ରକ୍ତ ଦାଗ ଦେଖାଯାଏ । ହୃତପିଣ୍ଡରେ ରକ୍ତ ବାହକ ଧମନୀ ଅବରୂଢ ହୋଇ ପାଦଫୁଲେ । ଏହାର ଦକ୍ଷିଣ ପାର୍ଶ୍ଵ ନିଳୟରେ ରକ୍ତ ଜମି ରହିଲେ ଦୁଇପାଦ ଫୁଲେ ।

ଗଳଗ୍ରନ୍ଥି (ଥାଇରଏଡ) ବେକ ସମ୍ମୁଖରେ ଥାଏ । ଏଥିରେ ନିଃସୃତ ହରମୋନ ଶରୀରର ଅଭିବୃଦ୍ଧିଊ ନିୟନ୍ତ୍ରଣ କରେ । ଏହାର ପରିମାଣ କମିଗଲେ ପାଦ ଫୁଲେ, ଚର୍ମ ଶୁଖିଲା ଦେଖାଯାଏ, ନଖ ଭାଙ୍ଗିଯାଏ ଓ ଖଣ୍ଡ ଖଣ୍ଡ ହୋଇ ବାହାରିଯାଏ । ଚମ ଫାଟି କାତି ଛାଡିଲା ପରି ଦେଖାଯାଏ । ଶୁଷ୍କ ନ ହେବା ପାଇଁ ପ୍ରସାଧନ ଦ୍ରବ୍ୟ ବ୍ୟବହାର କଲେ ମଧ୍ୟ କିଛି ଫଳ ମିଳେ ନାହିଁ ।

ଗାଉଟ୍ ଏକ ପ୍ରକାର ଗଣ୍ଠିବାତ

ଗାଉଟ୍ ଏକ ପ୍ରକାର ଗଣ୍ଠିବାତ । ଏଥିରେ ପାଦର ବୁଢା ଆଙ୍ଗୁଠି ଓ ବଳାଗଣ୍ଠି ଫୁଲି ବିନ୍ଧାହୁଏ । ଗଣ୍ଠି ଭିତରେ ‘ୟୁରିକ୍ ଏସିଡ୍’ଜମିଯାଏ । ଡାଲି ଓ ପ୍ରୋଟିନ୍ ଜାତୀୟ ଖାଦ୍ୟ ମାଂସ, ମାଛ ଖାଇଲେ ଏବଂ ମଦ୍ୟପାନ କଲେ ବିନ୍ଧା ଅତ୍ୟଧିକ ହୁଏ । ପାଦ ଆଙ୍ଗୁଠିରେ ଥିବା ସୂକ୍ଷ୍ମ କୋମଳ ଲୋମ ହଠାତ୍ ଝଡିଗଲେ ପାଦକୁ ରକ୍ତ ସଞ୍ଚାଳନ ଯଥେଷ୍ଟ ହେଉ ନ ଥିବାର ସଙ୍କେତ ମିଳେ । ପାଦ ଆଙ୍ଗୁଠିଗୁଡିକ ବାଇଗଣୀ ବର୍ଣ୍ଣ ହୋଇଯାଏ ଓ ଉଜ୍ଜ୍ଵଳ ଦେଖାଯାଏ । ପାଦର ଧମନୀରେ ରକ୍ତ ପ୍ରବାହ କମିଯାଏ । ଏଗୁଡିକ କଠିନ ହୋଇଯାଏ । ଏହାର ପ୍ରତିରୂପ ହାର୍ଟର ଧମନୀରେ ଦେଖାଯାଏ । ପାଦର ଆଙ୍ଗୁଠିଗୁଡିକ ମୁଦ୍ ଗର ଆକାର ହେଲେ ଫୁସ୍ ଫୁସ୍ ରେ କ୍ୟାନସର କିମ୍ବା ବହୁଦିନ ଧରି ସଂକ୍ରମଣ ଲାଗି ରହିଥିବାର ସୂଚନା ମିଳେ । ପାଦ ଆଙ୍ଗୁଠିକୁ ଅଧିକ ରକ୍ତ ପ୍ରବାହ ଫଳରେ ମାଂସ ଫୁଲିଯାଏ । ମୁଦ୍ ଗର ପରି ଦେଖାଯାଏ ।

ରକ୍ତହୀନ

ରକ୍ତହୀନ ରୋଗୀମାନଙ୍କର ପାଦର ନଖ ଚାମଚ ପରି ମଝିରେ ଗାତ ହୋଇଯାଏ । ଏଥିରେ ଟୋପାଏ ପାଣି ରହିପାରିବ । ଲୌହ ଅଭାବରୁ ରକ୍ତହୀନତା ହୁଏ । ରକ୍ତରେ ଅଧିକ ଲୌହ ରହିଲେ ମଧ୍ୟ ଏପରି ଲକ୍ଷଣ ପ୍ରକାଶ ପାଏ । ନଖରେ ଛୋଟ କଣା ଓ ଗାର ଦେଖାଦେଲେ ସୋରିଆସିସ୍ ହୋଇଯାଏ । ଏହି ରୋଗରେ ନଖ ଧଳା ଦେଖାଯାଏ ଓ ସମାନ୍ତରାଳ ଗାର ପଡେ । ଗୋଟିଏ ଆଙ୍ଗୁଠି ଫୁଲେ ଓ ବଙ୍କା ହୋଇ ବିନ୍ଧା ହୁଏ ।

ଗୋଡ ଓ ପାଦର ଶିରା

ଗୋଡ ଓ ପାଦର ଶିରା ପ୍ରସାରିତ ହେଲେ ଏବଂ ଏହାର ଭାଲବ ଠିକ୍ କାମ ନ କଲେ ବଳାଗଣ୍ଠିର ଚାରିପାଖରେ ରକ୍ତ ଜମି ରହେ, ଫୁଲେ, କଳା ପଡିଯାଏ ଓ କୁଣ୍ଡାଇ ହୁଏ । ଘା’ ହୁଏ ଓ ବହୁଦିନ ପର୍ଯ୍ୟନ୍ତ ଶୁଖେ ନାହିଁ । ଗୋଡର ଶିରା ଭିତରେ ରକ୍ତ ଜମାଟ ବାନ୍ଧେ । ପାଦର ଚର୍ମ ମୋଟା ହୋଇଯାଏ । କର୍କଶ ଦେଖାଯାଏ, ପାଦ ଓ ଗୋଡ ଶିରାରେ ରକ୍ତ ପ୍ରବାହ ନ ହୋଇ ଗୋଇଠି ଚାରିପାଖରେ ଜମି ରହେ । ଫାଇଲେରିଆ ଗୋଡ ପରି ଦେଖାଯାଏ । ଫାଇଲେରିଆ ପ୍ରାୟ ଗୋଟିଏ ଗୋଡରେ ହୁଏ । ଚିପିଲେ ଦବେ ନାହିଁ । କିନ୍ତୁ ଏହି ରୋଗରେ ଦୁଇ ଗୋଡ ଓ ପାଦ ଫୁଲେ । ଚିପିଲେ ଦବିଯାଏ ।

ଦୁଇ ପାଦ ଓ ଗୋଇଠି କିଡନୀ, ହାର୍ଟ, ଯକୃତ ରୋଗରେ ଫୁଲେ । ଚିପିଲେ ଗାତ ହୋଇଯାଏ । ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ କ୍ୟାଲସିୟମ ଚାନେଲ ବ୍ଲକର ଔଷଧ ବହୁଦିନ ଖାଇଲେ ଏହି ଲକ୍ଷଣ ଦେଖାଯାଏ । ଭିଟାମିନ ଡି ଓ କ୍ୟାଲସିୟମ ଅଭାବ ହେଲେ ପାଦର ନଖ ଶୁଖିଲା ଦେଖାଯାଏ; ଗାରପଡେ ଓ ଭାଙ୍ଗିଯାଏ । ଫାଇଲେରିଆ ପାଦର ଆଙ୍ଗୁଳି ସନ୍ଧିରେ ଫଙ୍ଗସ ସଂକ୍ରମଣ ହେଲେ ଘା’ ହୁଏ । ପାଦର ଯତ୍ନନେବା ପ୍ରତ୍ୟକ ବ୍ୟକ୍ତିର ପ୍ରାଥମିକ କାର୍ଯ୍ୟ ହେବା ଉଚିତ୍ ।

ପ୍ରାୟତଃ ବହୁ ସମୟଧରି ଛିଡା ହେବା ଦ୍ଵାରା ଗୋଡ ଦରଜ ହୋଇଯାଇଥାଏ ଓ ଏହାର ଲକ୍ଷଣ କହୁଛି ଆପଣଙ୍କ ହାଡରେ କ୍ୟାଲସିୟମ୍ ଅଭାବ ରହିଛି, କିମ୍ବା ପାଦରେ ଲୋମ ନଥିଲେ ଜାଣିବେ ରକ୍ତ ସଂଞ୍ଚାଳନ ସୂଚାରୁ ରୂପେ ହେଉନାହିଁ । ଏଥିରେ ଯଦି ପାଦରେ କୌଣସି ପରିବର୍ତ୍ତନ ଦେଖାଯାଏ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କିପରି ଜାଣିବେ ରୋଗ

ପାଦରୁ ଜାଣିବେ ରୋଗ ପାଦ ଥଣ୍ଡା ହେବା

ଥାଇରଡ୍ ଗ୍ରନ୍ଥିର ସକ୍ରୀୟତା କମିଗଲେ, ଏହାଦ୍ଵାରା ବହୁପ୍ରକାର ରୋଗ ଶରୀରକୁ ପ୍ରଭାବିତ କରେ । ଏହାର ପ୍ରଭାବ ପାଦ ଉପରେ ପଡିଥାଏ । ପାଦ ଅଧିକାଂଶ ସମୟ ଥଣ୍ଡା ରହିଲେ କିମ୍ବା ହାଇପୋଥାଇରଡ୍ର କୌଣସି ପ୍ରକାରର ଲକ୍ଷଣ ଦେଖା ଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯେପରି ତ୍ଵଚା ଓ କେଶ ଶୁଖିଯିବା, ଥକ୍କାପଣ, ହଠାତ୍ ଓଜନ ବଢିଯିବା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଦରଜ ହେବା

ଗୋଇଠି ଫୁଲିବା, ଲାଲ ଓ ମୋଟାଳିଆ ଲାଗିବା ପରି ଲକ୍ଷଣ ଦେଖା ଦେଲେ ରକ୍ତରେ ୟୁରିକ୍ଏସିଡ ବଢିଥିବାର ସମ୍ଭାବନା ରହିଛି । ଏହା ବହୁପରିମାଣରେ ମାଂସ ଖାଇବା ଦ୍ଵାରା ହୋଇଥାଏ ।

ମାଂସପେଶୀରେ ରକା ପଶିବା

ସମସ୍ତେ ଭାବନ୍ତି ଚାଲିବା କିମ୍ବା କାମ କରିବା ଦ୍ଵାରା ଗୋଡର ମାଂସପେଶୀରେ ରକା ପଶିଥାଏ । ହେଲେ ଏହା ସର୍ବଦା ଠିକ୍ ନୁହେଁ, ଜଳୀୟ ଅଂଶ କମିବା, ଭିଟାମିନ୍ ଓ ମିନୋରାଲ୍ର ଅଭାବରେ ମଧ୍ୟ ରକା ପଶିଥାଏ । ରକ୍ତରେ ପୋଟାସିୟମ୍, କ୍ୟାଲ୍ସିୟମ୍ ଓ ସୋଡିୟମ୍ ଅଭାବରୁ ଗୋଡର ମାଂସପେଶୀରେ ରକା ପଶିଥାଏ ।

ଚାଲିବା ବେଳେ କଷ୍ଟ ହେବା

ଯଦି ବହୁ ସମୟ ଛିଡା ହେବାକୁ କଷ୍ଟ ହେଉଥାଏ, ତେବେ ଏହା କ୍ୟାଲସିୟମ୍ ଅଭାବରୁ ହୋଇଥାଏ । ପାଦ ବଧିରା ହେବା -

ଯଦି ପାଦ ବଧିରା ହୋଇଯାଇଥାଏ, ପ୍ରାୟ ଭାବନ୍ତି ବହୁ ସମୟଧରି ବସିବା ଦ୍ଵାରା ଏପରି ହେଉଛି । କିନ୍ତୁ ଏହା ସର୍ବଦା ଠିକ୍ ନୁହେଁ । ମଲ୍ଟିପୁଲ ସ୍କେଲେରୋସିସ୍ ସ୍ନାୟୁ ଖରାପ ହେବା ଦ୍ଵାରା କିମ୍ବା ଫାଇବ୍ରୋମାଲିଜିଆ ପରି ରୋଗ ହୋଇଥିଲେ ଏପରି ହୋଇଥାଏ ।

ହାତ ପରିସ୍କାର

ଯଦି ଆମ ଆଗରେ କୌଣସି ସୁସ୍ୱାଦୁ ଭୋଜନ ରଖାଯାଇଥାଏ ତେବେ ଆମେ ଅନେକ ସମୟରେ ହାତ ନଧୋଇ ଏହାକୁ ଖାଇବାଲାଗି ହାତ ବଢାଇ ଦେଇଥାଉ । ଏବଂ ସେହି ସମୟରେ ଭାବିଥାଉ ଯେ ଆମେ କିଛି ଛୁଇଁନାହୁଁ ତ, ହାତ ଧୋଇବା ଆବଶ୍ୟକ କ’ଣ ? ମାତ୍ର କ’ଣ ସତରେ ଆମ ହାତ ପରିଷ୍କାର ଥାଏ ? ଆମେ ବ୍ୟବହାର କରୁଥିବା ମୋବାଇଲ ଫୋନରେ ଏକ ଟଏଲେଟ ସିଟରୁ ଅଧିକ ଜୀବାଣୁ ରହିଥିବା ଏକ ଗବେଶଣାରୁ ଜଣାପଡିଛି । ହଁ ଏହା ସଂପୂର୍ଣ୍ଣ ସତ୍ୟ । କାରଣ ଖାଇବା ସମୟରେ ହେଉ କିମ୍ବା କୌଣସି କାମକରିବା ସମୟରେ ହେଉ ଆମେ ଅଧିକାଂଶ ସମୟ ଫୋନ ସଂସ୍ପର୍ଶରେ ଆସିଥାଉ ।

ଏଠାରେ ଆମେ ହାତରେ ଦେଖା ଯାଉଥିବା ଜୀବାଣୁ ଏବଂ ସ୍ୱଚ୍ଛତା ସମ୍ବନ୍ଧରେ କିଛି ତଥ୍ୟ ପ୍ରଦାନ କରୁଛୁ ।

ସ୍ୱଚ୍ଛତା ସମ୍ବନ୍ଧରେ କିଛି ତଥ୍ୟ

  • ହାତ ଧୋଇବା କେବଳ ଡାକ୍ତର କିମ୍ବା ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନୁହେଁ, ଶିଶୁ ହୁଅନ୍ତୁ କିମ୍ବା ବୟସ୍କ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।
  • ଲମ୍ବା ନଖ ସିନା ଦେଖିବାକୁ ସୁନ୍ଦର ଲାଗେ ମାତ୍ର ଏଥିରେ ଅନେକ ଜୀବାଣୁ ଭରି ରହିଥାଏ ।
  • ଲ୍ୟାପଟପ କିମ୍ବା ଫୋନ ପରିଷ୍କାର ଦେଖାଯାଏ ସିନା ଏଥିରେ ଅନେକ ଜୀବାଣୁ ବାସ କରିଥା’ନ୍ତି।
  • ଆପଣଙ୍କ ପୋଷା ଜନ୍ତୁ ସଫା ଦେଖାଯାଆନ୍ତି ମାତ୍ର ସେମାନଙ୍କ ଶରୀରରେ ଏପରି ଜୀବାଣୁ ରହିଥାଏ, ଯାହା ଆପଣଙ୍କୁ ଅନେକ ଅସୁବିଧାରେ ପକାଇପାରେ ।
  • ଛିଙ୍କିବା ପରେ ହାତ ପୋଛିଦେବା ଦ୍ୱାରା ଜୀବାଣୁ ମରନ୍ତି ନାହିଁ ।
  • ଥଣ୍ଡା, କାଶ ଭଳି ରୋଗ ଆଦି ଏହି ହାତ ଦ୍ୱାରା ହିଁ ବ୍ୟାପିଥାଏ ।
  • ଭୋଜନ ଦ୍ୱାରା ମଧ୍ୟ ଜୀବାଣୁ ବ୍ୟାପି ଥାଏ, ତେଣୁ କଂଚା ମାଂସ ଛୁଇିଁବା ପରେ ହାତ ଧୋଇନେବା ନିହାତି ଆବଶ୍ୟକ ।
  • କେବଳ ସାଧା ପାଣିରେ ହାତ ଧୋଇବା ଦ୍ୱାରା କୌଣସି ଫାଇଦା ହୋଇନଥାଏ । ସବୁବେଳେ ସାବୁନ ଏବଂ ଶୁଦ୍ଦ ପାଣିରେ ହାତ ଧୋଇବା ଆବଶ୍ୟକ ଏବଂ ଆଲକହଲ ଯୁକ୍ତ ହ୍ୟାଣ୍ଡ ୱାଶରେ ଧୋଇବା ଅତ୍ୟନ୍ତ ଫଳପ୍ରଦ ଅଟେ ।
  • ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଉତ୍ତମ ଏବଂ ସୁବିଧାଜନକ ଅଟେ । କାରଣ ଏଥିରେ ପାଣି ଆବଶ୍ୟକ ପଡିନଥାଏ ଏବଂ ଏହାକୁ ପର୍ସ କିମ୍ବା ପକେଟରେ ପାଖରେ ରଖି ପାରିବେ ।
  • ମାତ୍ର ଯଦି ହାତରେ ମାଟି ଲାଗିଥାଏ ତେବେ ସାବୁନ ଏବଂ ପାଣି ଦ୍ୱାରା ହାତ ସଫା କରିବା ଜରୁରୀ ଅଟେ ।
  • ହାତ ଧୋଇବାର ଅଭ୍ୟାସ କେବଳ ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରେ ନାହିଁ ବରଂ ସଂକ୍ରମଣ ବ୍ୟାପିବାକୁ ମଧ୍ୟ ରୋକିଥାଏ ।

ଶରୀରର କେତେକ ଲକ୍ଷଣ ଉପରେ ସର୍ବଦା ଧ୍ୟାନ ଦେବା

ଅନେକ ସମୟରେ ଆମ ଶରୀରର ଭିତରୁ ଖରାପ ରହିଥାଏ ହେଲେ ଏହା ବାହାରକୁ ସ୍ପଷ୍ଟ ଭାବରେ ଜଣା ପଡିନଥାଏ । କିନ୍ତୁ କିଛି ଲକ୍ଷଣ ଦେଖାଯାଇଥାଏ ଯାହା ଶରୀର ଅସୁସ୍ଥ ବୋଲି ସୂଚନା ଦେଇଥାଏ । ଏହି ସବୁ ଲକ୍ଷଣ ଦର୍ଶାଇଥାଏ ଶରୀରକୁ ସାହାଯ୍ୟ ଦରକାର ଉପେକ୍ଷା ନୁହେଁ । ଅଧିକ ଦିନ ଏହାକୁ ଉପେକ୍ଷା କରାଗଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜେ। ତେଣୁ, ଶରୀରର କେତେକ ଲକ୍ଷଣ ଉପରେ ସର୍ବଦା ଧ୍ୟାନ ଦେବା ଆବଶ୍ୟକ।

ନିଦ୍ରା ହୀନତା ଏବଂ ବିନ୍ଧାବିନ୍ଧି : ସଭିଏଁ କେବେ ନା କେବେ ନିଦ୍ରା ହୀନତା ଏବଂ ବିନ୍ଧାବିନ୍ଧିର ଶିକାର ହୁଅନ୍ତି । କିନ୍ତୁ, ଯଦି ଏହା ଲାଗି ରହେ, ତେବେ ଜାଣନ୍ତୁ ଶରୀରରେ ମ୍ୟାଗ୍ନେସିୟମ୍ ଜନିତ ସମସ୍ୟା ଅଛି । ମସ୍ତିଷ୍କ, ମାଂସପେଶୀ ଏବଂ ହୃତପିଣ୍ଡ ପାଇଁ ମ୍ୟାଗ୍ନେସିୟମ୍ ଗୁରୁତ୍ୱପୂର୍ଣ୍ଣ । ଏମିତି ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ବାଦାମ, ଶାଗ, କଦଳୀ ଏବଂ ଫଳ ଆଦି ଖାଆନ୍ତୁ ।

ଚର୍ମ ଶୁଷ୍କ ପଡିବା : ଶରୀରରେ ଭିଟାମିନ୍‌ ‘ଇ’ର ଅଭାବ ହେଲେ ତାହା ଚର୍ମରୁ ଜଣାପଡ଼େ। ଭିଟାମିନ୍‌ ‘ଇ’ ଚର୍ମକୁ ସୁସ୍ଥ ରଖେ। ଶରୀରରୁ ଭିଟାମିନ୍‌ ‘ଇ’ କମିଗଲେ, ଚର୍ମ ଫାଟିବା, ଶୁଖିଲିଆ ଲାଗିବା, କାତି କାତିଆ ଦିଶିବା ସହ କୁଣ୍ଡେଇ ହୋଇଥାଏ । ତେଣୁ, ମାଛତେଲ, ବାଦାମ ଏବଂ ଅନ୍ୟାନ୍ୟ ତୈଳ ଖାଆନ୍ତୁ।

ମିଠା ଖାଇବାର ଇଚ୍ଛା : ଯଦି ଆପଣଙ୍କର ହଠାତ୍‌ ମିଠା ଖାଇବାକୁ ପ୍ରବଳ ଆଗ୍ରହ ହେଉଛି, ଜାଣନ୍ତୁ ଚାପ, ବିଷାଦ ବା କ୍ଳାନ୍ତି ଏହାର କାରଣ ହୋଇପାରେ । ଆପଣଙ୍କ ଶରୀର ଗ୍ଲୁକୋଜ୍‌ ପାଇଁ କହୁଛି। ଏଥିପାଇଁ କଳା ଚକଲେଟ୍ କିମ୍ବା ମହୁ ଖାଆନ୍ତୁ।

ଟା ଖାଇବାର ଇଚ୍ଛା : ଶରୀରରେ ହର୍‌ମୋନ୍‌ ଜନିତ ପରିବର୍ତ୍ତନ ହେଲେ ଖଟା ଖାଇବାକୁ ମନ ବଳିଥାଏ । ଉଦାହରଣ ସ୍ୱରୂପ: ଅନ୍ତଃସତ୍ତ୍ୱା ଅବସ୍ଥାରେ। କିନ୍ତୁ, ଏହା ଲିଭର୍ ଏବଂ ପିତ୍ତକୋଷ ସମସ୍ୟାର ଲକ୍ଷଣ ମଧ୍ୟ ହୋଇପାରେ। ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ବରଫ/ ଥଣ୍ଡା ଜିନିଷ ଖାଇବାର ଇଚ୍ଛା : ଯଦି ଆପଣଙ୍କର ବରଫ/ ଥଣ୍ଡା ଜିନିଷ ଖାଇବାକୁ ମନ ହେଉଛି, ଆପଣ ରକ୍ତହୀନତା ଶିକାର ହୋଇଛନ୍ତି । ଶରୀରରେ ଆଇରନର ଅଭାବ ଦେଖା ଦେଇଛି । କଂଚା କଦଳୀ, ଅଣ୍ଡା ଆଦିରେ ପ୍ରଚୁର ଲୌହସାର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ସବୁ ଖାଆନ୍ତୁ।

ମାଢ଼ିରୁ ରକ୍ତ ବାହାରିଲେ : ଦାନ୍ତ ଘଷିବାବେଳେ ହଠାତ୍‌ କିମ୍ବା ସବୁବେଳେ ମାଢ଼ିରୁ ରକ୍ତ ବୋହିବା ଭିଟାମିନ୍‌ ‘ସି’ ଅଭାବର ଲକ୍ଷଣ ବୋଲି ଜାଣନ୍ତୁ। ଲେମ୍ବୁଜାତୀୟ ଫଳ, ପାଳଙ୍ଗ, ସବୁଜ ଓ ଲାଲ୍‌ ଶିମଳା ଲଙ୍କା, ବିଲାତୀ ବାଇଗଣ, ବନ୍ଧାକୋବି, ଫୁଲକୋବି ଏବଂ ବ୍ରୋକୋଲି ଖାଆନ୍ତୁ।

ଚୁଟି ଛିଡ଼ିଲେ କି, ନଖ ଭାଙ୍ଗିଲେ: ଯଦି ଆପଣଙ୍କର ଚୁଟି ଛିଡ଼ି ଯାଉଥାଏ କି, ନଖ ଭାଙ୍ଗି ଯାଉଥାଏ ଜାଣନ୍ତୁ, ଶରୀର ଭିଟାମିନ୍‌ ‘ବି’ ଲୋଡୁଛି । ପ୍ରତିକାର ପାଇଁ ଦୁଗ୍ଧ ପାନ କରନ୍ତୁ ଏବଂ ଛତୁ ଖାଆନ୍ତୁ।

ଆଖି ପିତୁଳା ଚାରିପଟେ ବଳୟ ଦିଶିଲେ : ସାଧାରଣତଃ ପଚାଶ ବର୍ଷ ଟପିଲେ ଆଖି ପିତୁଳା ଚାରିପଟେ ବଳୟ ଦିଶିବା ସ୍ୱାଭାବିକ କଥା । ଯଦି, ଏହା ତା’ଠାରୁ କମ୍‌ ବୟସ୍କ ବ୍ୟକ୍ତିଙ୍କ ଆଖିରେ ଦେଖାଗଲା, ତାହା ଶରୀରରେ କୋଲେଷ୍ଟ୍ରଲ୍‌ ବୃଦ୍ଧିର ସୂଚନା ବୋଲି ଜାଣନ୍ତୁ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଜରୁରୀ।

ସଂଗୃହିତ – ଡା: ଦ୍ଵିଜେଶ କୁମାର ପଣ୍ଡା

ଆଧାର:ସ୍ୱାସ୍ଥ୍ୟ ବ୍ୟୁରୋ

5.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top