ଆଜିକାଲି ପରୀକ୍ଷାସର୍ବସ୍ଵ ଯୁଗ । କୌଣସି ଚାକିରି, ପାଠ, ଖେଳକସରତ ଲାଗି ଶାରୀରିକ ଓ ମାନସିକ ବା ମେଧା ପରୀକ୍ଷା ଆବଶ୍ୟକ ହୋଇଥାଏ । ଶରୀର ସୁସ୍ଥ ରଖିବା ପାଇଁ ଜୀବନଶୈଳୀ, ଯୋଗ, ପ୍ରାଣାୟମ, ସୁଷମ ଖାଦ୍ୟ ଉପରେ ଗୁରୁତ୍ଵ ଦିଆଯିବା ପରି ମେଧା ପାଇଁ ମେଧାବର୍ଦ୍ଧକ ଖାଦ୍ୟ ଓ ଔଷଧ ଗ୍ରହଣ କରାଯାଏ । ଏହାକୁ ଡାକ୍ତରୀ ଭାଷାରେ ‘ନ୍ୟୁଟ୍ରୋପିକ୍’ କହନ୍ତି । ନ୍ୟୁଟ୍ରୋପିକ୍ ମନେରଖିବା ଓ ଶିଖିବାର ଦକ୍ଷତା ବୃଦ୍ଧି କରେ, ପ୍ରତିକୂଳ ପରିସ୍ଥିତିରେ ମସ୍ତିଷ୍କକୁ କାର୍ଯ୍ୟକ୍ଷମ ରଖେ, ରାସାୟନିକ କ୍ଷତିରୁ ମସ୍ତିଷ୍କର ସୁରକ୍ଷା କରେ, ମସ୍ତିଷ୍କ କୋଷ ବା ନ୍ୟୁରନ୍ ଗୁଡିକର କାର୍ଯ୍ୟକାରିତା ଶକ୍ତି ବଢାଏ । ଏହାର କୌଣସି ବିଷାକ୍ତ ଗୁଣ ନଥାଏ । ଏଗୁଡିକ ମଣିଷକୁ ନିଦ୍ରାଗ୍ରସ୍ତ କରନ୍ତି ନାହିଁ କି ଉତ୍ତେଜିତ କରନ୍ତି ନାହିଁ ।
ମସ୍ତିଷ୍କରୁ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ କ୍ଷରଣ ହୋଇଥାଏ, ଯଥା- ନର୍-ଏପିନେ ଫ୍ରିନ, ସିରୋଟୋନିକ, ଡୋପାମାଇନ ଆଦି । ଏଗୁଡିକ ଅସନ୍ତୁଳିତ ହେଲେ ମାନସିକ ଉଦବେଳନ, ଉତ୍ତେଜନା, ବିଷାଦ ଭଳି ଲକ୍ଷଣ ପ୍ରକାଶ ପାଏ । ଫଳରେ ସାଧାରଣ ଜୀବନ ପ୍ରଭାବିତ ହୁଏ । ମେଧାବର୍ଦ୍ଧକ ଖାଦ୍ୟ ଓ ଔଷଧ ଏହି ସମସ୍ୟାର ସମାଧାନ କରେ ।
ମାଛ, ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟ, କଲିଜା, ଅକାଣ୍ଡିଆ ଚାଉଳ, ଚୋପାଥିବା ଗହମ, ଚର୍ବି ନଥିବା ମାଂସ, ଅଣ୍ଡା, ପାଳଙ୍ଗ ଶାଗ, ଡାଲି, ଚିଙ୍ଗୁଡି ମାଛ, କୋଳି, କଦଳୀ, ସବୁଜ ଚା’ ଓ କଫି, ଚିନାବାଦାମ, ଗଜାବୁଟ, ଗଜାମୁଗ, କାଜୁ, ପିଷ୍ଟାଚିଓ, ଆଭୋକାଡୋ, କଖାରୁ ମଞ୍ଜି, ହଳଦୀ, ଜିନ୍ ସେଙ୍ଗ, ଅଶ୍ଵଗନ୍ଧା, ଡାଲଚିନି ଇତ୍ୟାଦି ।
ବିଶେଷକରି ସମୁଦ୍ର ମାଛ, ଇଲିଶି, ଖଅଙ୍ଗା, ପୋଟେଲ, ଭେକଟି, ୟୁରୋପୀୟ ମାଛ- ସାଲମନ, ମାକରେଲ, ସାର୍ଡାଇନ, ଟୁନା ଆଦି ମସ୍ତିଷ୍କ ପାଇଁ ଉପକାରୀ । ମସ୍ତିଷ୍କର ଶତକଡା ପଞ୍ଚଷଠିଭାଗ ଫ୍ୟାଟି ଏସିଡ୍ ରେ ତିଆରି । ଏସବୁ ମାଛରୁ ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ବହୁ ପରିମାଣରେ ମିଳିଥାଏ । ସବୁ ମାଛରେ ଏହା ଅଳ୍ପେ ବହୁତେ ଥିଲେ ମଧ୍ୟ ତେଲିଆ ମାଛରେ ଅଧିକ । ମାଛର ଉପର ଚମଡା ନଫିଙ୍ଗି ଖାଇବା ଭଲ ।
ଦୁଗ୍ଧ ସହିତ ଦୁଗ୍ଧଜାତ ବସାଦହି ପ୍ରୋ ବାୟୋଟିକ ଏବଂ ପ୍ରିବାୟୋଟିକର ପ୍ରାକୃତିକ ଉତ୍ସ । ଏଥିରେ ଥିବା ଲାକ୍ଟୋବାସିଲସ୍ ଅନ୍ତନଳୀରେ ଏକାଧିକ ଭିଟାମିନ୍ କ୍ଷରଣ କରାଇଥାନ୍ତି ଯାଆ ଶରୀରକୁ ସୁସ୍ଥ ରଖେ ।
ହଳଦୀ ମସ୍ତିଷ୍କରେ ଏକ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ ବି.ଡି.ଏନ୍.ଏଫ୍ କ୍ଷରଣ କରିଥାଏ ଯାହା ମସ୍ତିଷ୍କ ସୁସ୍ଥ ରଖିବା ସହିତ ସ୍ମରଣ ଶକ୍ତି ବୃଦ୍ଧି କରାଏ । ରାତିରେ ଶୋଇବା ବେଳକୁ ୧ଗ୍ଲାସ ଉଷୁମ କ୍ଷୀରରେ ୧ଚାମଚ ହଳଦୀଗୁଣ୍ଡ ଗୋଳାଇ ପିଇଲେ ସ୍ମରଣ ଶକ୍ତି ବୃଦ୍ଧି ହୁଏ ।
ଏସବୁ ବାଦ୍ ବିଭିନ୍ନ ଔଷଧ ବାହାରିଲାଣି । ଯେଉଁମାନେ ଖାଦ୍ୟ ଖାଇପାରୁନାହାନ୍ତି, ସେମାନେ ଔଷଧ ଖାଇପାରିବେ । ଆୟୁର୍ବେଦରେ ମେଧାବୃଦ୍ଧି ପାଇଁ ବ୍ରାହ୍ମୀର ବର୍ଣ୍ଣନା କରାଯାଇଛି । ଏହାକୁ ଉଦ୍ଭିଦ ବିଜ୍ଞାନ ଭାଷାରେ ‘ବାକୋପା ମନିଏର’ କହନ୍ତି । ବ୍ରାହ୍ମୀ ଦୁଶ୍ଚିନ୍ତାର ସଙ୍କେତ ବା ଷ୍ଟ୍ରେସ ସିଗନାଲ କମାଏ । ଅଶ୍ଵଗନ୍ଧା ସେହିଭଳି ଏକ ପ୍ରାକୃତିକ ଖାଦ୍ୟ ।
ଚୀନା ଆୟୁର୍ବେଦରେ ଜିନ୍ ସେଙ୍ଗ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟବହୃତ ହୁଏ । ସବୁଜ ଚା’ରେ ଥିଆନିଜ ନାମରେ ଏକ ପଦାର୍ଥ ରହିଛି । ଏଣୁ ଏହାକୁ ପିଇଲେ ମନରେ ଆପେ ଶାନ୍ତ ଅବସ୍ଥା ସୃଷ୍ଟି ହୁଏ । ଅଣ୍ଡା ଓ ସୋୟାବିନ୍ ରେ ଥିବା ଟାଇରୋସିନ ମେଧାବର୍ଦ୍ଧକ । ମେଧାବୃଦ୍ଧି ଏକ ପ୍ରବାହମାନ ପ୍ରକ୍ରିୟା । ଏହାକୁ ସବୁଦିନ, ସବୁ ସମୟରେ ଆହରଣ କରାଯାଇପାରେ । ଛାତ୍ର ହୁଅନ୍ତୁ ବା ବୃଦ୍ଧ ବାରମ୍ବାର ବିଭିନ୍ନ ତଥ୍ୟ ମନେପକାଇବା ଭଳି ମସ୍ତିଷ୍କ ବ୍ୟାୟାମ କଲେ ମେଧାବୃଦ୍ଧି ହୋଇପାରିବ ଏବଂ ସ୍ମରଣଶକ୍ତି ଜନିତ କୌଣସି ସମସ୍ୟା ହେବନାହିଁ ।
ସଂଗୃହୀତ – ଡାକ୍ତର ନିରଞ୍ଜନ ତ୍ରିପାଠୀ
Last Modified : 10/25/2019