ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ରୋଗ ଉପଶମ ପାଇଁ ପନିପରିବା
ସେଆର କରନ୍ତୁ

ରୋଗ ଉପଶମ ପାଇଁ ପନିପରିବା

ରୋଗ ଉପଶମ ପାଇଁ ପନିପରିବା ସମ୍ବନ୍ଧରେ ସୂଚନା ।

ଉପକ୍ରମ

ସବୁଜ ପନିପରିବା ଓ ଶାଗ ରସ ମିଶାଇ ପିଇଲେ ରକ୍ତହୀନତା ରୋଗ ଦୂର ହୋଇଥାଏ । ଏହାବ୍ୟତୀତ ବିଟ୍, ବନ୍ଧାକୋବି, ପିସ୍ତାବାଦାମ ଓ ଅଙ୍ଗୁର ରସ ଆଦି ପିଇଲେ ଏଥିରୁ ରକ୍ଷା ମିଳେ । ବନ୍ଧାକୋବି, ଗାଜର, ବିଟ୍ ରସ ମିଶାଇ ପିଇଲେ ଆଜମା ରୋଗ ଦୂର ହୋଇଥାଏ । ରସୁଣ ଓ ଅମୃତଭଣ୍ଡା ରସ ମଧ୍ୟ ଏଥିପାଇଁ ବିଶେଷ ଉପଯୋଗୀ ।

ଉଷୁମ ପାଣିରେ ଅଦାରସ, ଲେମ୍ବୁରସ ଓ ମହୁ ଆଦି ମିଶାଇ ସକାଳେ ଖାଲି ପେଟରେ ପିଇଲେ ବ୍ରୋଙ୍କାଇଟିସ୍ ଭଲ ହୋଇଯାଏ । ଏହାଛଡା ଉଷୁମ ପାଣିରେ ରସୁଣ ରସ ଓ ପିଆଜ ରସ ମିଶାଇ ପିଇଲେ ବ୍ରୋଙ୍କାଇଟିସ୍ ଦୂର ହୁଏ । ସକାଳୁ ଖାଲି ପେଟରେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁରସ ମିଶାଇ ପିଇଲେ ବଡହଜମୀରୁ ମୁକ୍ତି ମିଳିଥାଏ । ଖାଦ୍ୟ ଖାଇବାର ଅଧଘଣ୍ଟା ପୂର୍ବରୁ ଏକ ଚାମଚ ଅଦାରସ ପିଇଲେ ଏହି ରୋଗରୁ ଆରାମ ମିଳେ । ଯଦି ଭୋକ ଲାଗୁ ନଥାଏ ତେବେ ଖାଲି ପେଟରେ ଏକ ଗ୍ଲାସ ଉଷୁମ ଜଳରେ ଲେମ୍ବୁରାସ ମିଶାଇ ପିଇଲେ ଭୋକ ଲାଗେ ।

ମାତ୍ରାଧିକ କାର୍ଯ୍ୟ ଅତ୍ୟଧିକ ଚିନ୍ତାରୁ ସାଧାରଣତଃ ମୁଣ୍ଡ ବ୍ୟଥା ହୋଇଥାଏ । ଗୋଟିଏ ଗ୍ଲାସ ପାଣିରେ ଏକ ଚାମଚ ଲେମ୍ବୁରାସ ଓ ଅଦା ରସ ମିଶାଇ ପିଇଲେ ମୁଣ୍ଡ ବ୍ୟଥା ହୋଇନଥାଏ । ଦାନ୍ତରୋଗ ସାଧାରଣତଃ ଅଧିକ ମିଠା ଖାଇବା ଯୋଗୁଁ ହୋଇଥାଏ । ଏହାକୁ ଦୂର କରିବା ପାଇଁ ଗାଜର ତୁଲସୀ, ପୋଦିନା, ଧନିଆ ଆଦି ପତ୍ରକୁ ଚୋବାଇ ଚୋବାଇ ଖାଇବା ଉଚିତ । ଗାଜର, ଶାଗ ରସ ଆଦି ପିଇଲେ ଏହି ରୋଗରୁ ମୁକ୍ତି ମିଳେ ପାଇରିଆ ଅନ୍ୟ ଏକ ଦାନ୍ତ ରୋଗ । ଏହି ରୋଗ ହେଲେ ଦାନ୍ତ ମୂଳରୁ ରକ୍ତ ଝରିବା ସହ ପାଟିରୁ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ । ସପ୍ତାହରେ ଦୁଇଥର ରସୁଣ ଓ ପିଆଜ ରସ ପିଇଲେ ଏହି ରୋଗରୁ ରକ୍ଷା ମିଳେ।

ଗାଜର, କାକୁଡି ଓ ଟମାଟୋ ଆଦି ରସକୁ ମିଶାଇ ପିଇଲେ ଓଜନ ହ୍ରାସ ପାଏ । ଗାଜର ଓ ପାଳଙ୍ଗ ରସକୁ ମିଶାଇ ପିଇଲେ ଚର୍ମ ରୋଗ ଦୂର ହୋଇଯାଏ । ଆଳୁ ଓ ଅମୃତ ଭଣ୍ଡା ରସକୁ ଚର୍ମରେ ମାଲିସ୍ କଲେ ଚର୍ମ ରୋଗ ଭଲ ହୋଇଯାଏ । ଏହିଭଳି କେତେକ ସଚେତନତା ଆପଣାଇ ପାରିଲେ, ସୁସ୍ଥ ନିରାମୟ ଜୀବନ ବିତାଇପାରିବା ।

ଗାଜର

ଗାଜର ଦେଖିବାକୁ ଯେତିକି ସୁନ୍ଦର ଆମ ଶରୀର ପାଇଁ ସେତିକି ଲାଭଦାୟକ। ଗାଜରକୁ ଆମେ କଞ୍ଚା କିମ୍ୱା ରୋଷେଇ କରି ଖାଇ ପାରିବା। ସାଧାରଣତଃ ଶୀତ ଦିନେ ଅଧକ ମାତ୍ରାରେ ମିଳୁଥିବା ଗାଜରରେ ବହୁ ଭିଟାମିନ୍‌ ଭରି ରହିଛି। ଦୀର୍ଘ ୧୦ ବର୍ଷ ଧରି ନେଦରଲ୍ୟାଣ୍ଡରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଗାଜର ଆମ ଶରୀର ପାଇଁ ଅତି ଲାଭଦାୟକ। ଏହାକୁ ଯେକୌଣସି ସମୟରେ ଖିଆଯାଇ ପାରିବ।

ଲାଲ୍‌ ଓ ନାରଙ୍ଗୀ ରଙ୍ଗ ବ୍ୟତୀତ ବିଶ୍ୱର ଭିନ୍ନଭିନ୍ନ ସ୍ଥାନରେ ହଳଦିଆ, କଳା ଓ ଧଳା ରଙ୍ଗର ଗାଜର ମଧ୍ୟ ଦେଖିବାକୁ ମିଳିଥାଏ। ଗାଜରରେ ଭରପୂର ମାତ୍ରାରେ ଭିଟାମିନ୍‌ ଏ ବ୍ୟତୀତ, ଭିଟାମିନ୍‌ ସି, କେ, ବି ୨, ବି ୩, ବି ୬ ଓ ଇ ରହିଛି। ଏହାଛଡ଼ା ଏଥିରେ ଫାଇବର, ପୋଟାସିୟମ୍‌, କପର୍‌ ଓ ଜିଙ୍କ୍‌ ମଧ୍ୟ ରହିଛି ।

  • ଗାଜର ଖାଇବା ଦ୍ୱାରା ସ୍ତନ କର୍କଟରୁ ରକ୍ଷା ମିଳିଥାଏ। ଆଖି ବିଶେଷଜ୍ଞଙ୍କ କହିବାନୁସାରେ ଗାଜରରେ ବିଟା କେରାଟିନ୍‌ ରହିଥିବାରୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ଠିକ୍‌ ରହିଥାଏ। ଏହାସହିତ ଆଖି ସମ୍ପର୍କିତ କୌଣସି ରୋଗ ହେବାର ଆଶଙ୍କା ହ୍ରାସ ଘଟିଥାଏ।
  • ଗାଜରରେ ରହିଥିବା ପୋଷକ ତତ୍ତ୍ୱ ଆମ ଶରୀରକୁ ଶକ୍ତି ଯୋଗାଇଥାଏ। ତେଣୁ ଗାଜର ଖାଇବା ଦ୍ୱାରା ସାରାଦିନ ଫୁର୍ତ୍ତିରେ କାମ କରିବାକୁ ଶକ୍ତି ମିଳିଥାଏ।
  • ହାଡ଼ ରୋଗ ଥିଲେ ଗାଜର ଖାଇବା ଉଚିତ, ଯାହାଦ୍ୱାରା ଶରୀରରେ କ୍ୟାଲସିୟମ୍‌ ମାତ୍ରା ବୃଦ୍ଧି ହୋଇଥାଏ।

ଅମୃତଭଣ୍ଡା

କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ ରଖିବାରେ କଞ୍ଚା ଅମୃତଭଣ୍ଡା ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଜଣ୍ଡିସ୍ ହେଲେ ଲିଭର୍ ଦୁର୍ବଳ ହୋଇଯାଏ। ସେଥିପାଇଁ କଞ୍ଚା ଅମୃତଭଣ୍ଡାକୁ ସାଲାଡ୍ ଭାବେ ରୋଗୀକୁ ଖାଇବାକୁ ଦିଆଯାଏ। ଏହା ଦ୍ୱାରା ରୋଗୀର ଲିଭର୍ ସୁସ୍ଥ ରହେ।

ସେହିପରି ଥଣ୍ଡା,କାଶ ଓ ଇନ୍‌ଫେକ୍ସନ ସହିତ ବି ଲଢ଼ିଥାଏ କଞ୍ଚା ଅମୃତଭଣ୍ଡା। ପରିସ୍ରା ସଂପର୍କିତ ସମସ୍ୟାଗୁଡ଼ିକ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଦୂର ହୋଇଥାଏ। ଶରୀରକୁ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ କଞ୍ଚା ଅମୃତଭଣ୍ଡା।

ଯେଉଁମାନେ କୋଷ୍ଠକାଠିନ୍ୟର ଶିକାର ହୋଇଥିବେ,ସେମାନେ ନିଶ୍ଚିତ ଭାବେ କଞ୍ଚା ଅମୃତଭଣ୍ଡା ଖାଇବା ଉଚିତ୍। କାରଣ ଅମୃତଭଣ୍ଡାରେ ପୈପିନ ନାମରେ ଏକ ଏନ୍‌ଜାଇମ୍ ଥାଏ। ଏହା ପ୍ରାକୃତିକ ଉପାୟରେ କୋଷ୍ଠକାଠିନ୍ୟକୁ ଭଲ କରିବାରେ ସହାୟକ ହୋଇଥାଏ। ଏଣୁ କୋଷ୍ଠକାଠିନ୍ୟର ଶିକାର ବ୍ୟକ୍ତିମାନେ ନିଜ ଖାଇବାରେ କଞ୍ଚା ଅମୃତଭଣ୍ଡାକୁ ନିଶ୍ଚିତ ସାମିଲ କରନ୍ତୁ।

ପିଆଜ

ଭାରତୀୟଙ୍କ ରୋଷେଇ ପ୍ରଣାଳୀରେ ପିଆଜ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ , ଯାହା ରାନ୍ଧଣାର ସ୍ୱାଦ ବଢାଇଥାଏ । ପିଆଜରେ ଅନେକ ପ୍ରକାର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ଥାଏ । ଏଥିରେ ପୋଟାସିୟମ, ଆଇରନ ,ସୋଡିୟମ ଓ ଫାଇବର ଇତ୍ୟାଦି ଗୁଣ ବହୂ ପରିମାଣରେ ମହଜୁଦ ଥାଏ । କଞ୍ଚା ପିଆଜରେ ଅଧିକ ପରିମାଣର ସଲଫର ଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ।

କେଶର ସୁରକ୍ଷା ପାଇଁ ଲାଲ ପିଆଜ ସୈାନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ । ଆରବ ଦେଶମାନଙ୍କରେ ଚନ୍ଦାପଣ ଓ କେଶ ଝଡିବା ସମସ୍ୟାର ସମାଧାନ ପାଇଁ ପିଆଜର ବହୁଳ ବ୍ୟବହାର କରାଯାଇଥାଏ । ପିଆଜ ରସରେ ଲୁଣ ଓ ଗୋଲମରିଚ ମିଶାଇ କେଶ ମୂଳରେ ଲଗାଇଲେ କେଶ କୋମଳ ହେବା ସହ ସିଲ୍କି ହୋଇଥାଏ

ଶ୍ୱାସରୋଗ ରୋଗର ଚିକିତ୍ସାରେ ପିଆଜ ଶ୍ୱାସରୋଗ ପାଇଁ ପିଆଜ ବହୁତ ଉପକାରୀ । ପିଆଜରେ ବହୁଳ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥିବାରୁ ଏହା ଶରୀରରେ ହେଉଥିବା ଏଲର୍ଜିରୁ ରକ୍ଷାକରିଥାଏ । ଶ୍ୱାସରୋଗର ଉପଶମ ପାଇଁ ପିଆଜକୁ ଔଷଧ ରୂପେ ବ୍ୟବହାର କରାଯାଏ ।

କର୍କଟ ରୋଗରୁ ସୁରକ୍ଷା ପାଇଁ ପିଆଜ ପିଆଜ ଓ ହଳଦୀ ଏକାଠି ମିଶାଇ ସେବନ କଲେ କର୍କଟ ରୋଗ ହେବାର ଆଶଙ୍କା କମିଯାଏ । ସ୍ତନକର୍କଟ, ମଳାଶୟକର୍କଟ, ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ । ପିଆଜରେ ଥିବା ଖାସ ଗୁଣ କର୍କଟର ପ୍ରଭାବକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ । ଆପଣ ଯଦି କର୍କଟ ପରି ଦୁରାରୋଗ୍ୟ ରୋଗରୁ ରକ୍ଷା ପାଇବା ପାଇଁ ଚାହୁଛନ୍ତି ନିୟମିତ ରୁପେ କିଛି କିଛି ପିଆଜ ଖାଇବା ଜରୁରୀ ।

ଆଳୁଚୋପା

ଘରେ ଘରେ ଆଳୁର ବହୁଳ ବ୍ୟବହାର ହୋଇଥାଏ । ବିନା ଆଳୁରେ ରୋଷେଇ ଯେପରି ଅସମ୍ଭବ ଲାଗେ। କିନ୍ତୁ ଆଳୁ ଚୋପା ଖାଇବା କଥା ଆପଣ କେବେ ଚିନ୍ତା କରିଛନ୍ତି କି ? ଯଦି ନୁହେଁ ତେବେ ଆଗକୁ ନିଜ ଘରେ ଯେବେ ଆଳୁର ତରକାରୀ ତିଆରୀ ହେବ ଚୋପାକୁ ନଫୋପାଡି ଆପଣ ଏହାକୁ ରୋଗରୁ ରକ୍ଷା ପାଇବା ପାଇଁ ବ୍ୟବହାର କରି ପାରିବେ ଏବଂ ଔଷଧ ଖର୍ଚ୍ଚରୁ ମଧ୍ୟ ବଞ୍ଚିପାରିବେ।

  • ଆଳୁରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ । ପୋଟାସିୟମ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
  • .ଆଳୁ ଚୋପା ବିପାକ କ୍ରିୟାକୁ ଠିକ କରିବାରେ ସାହାଯ୍ୟ କରେ । ବିଶେଷଜ୍ଞଙ୍କ ମତ ଅନୁସାରେ ଆଳୁ ଚୋପା ଖାଇବା ଦ୍ୱାରା ସ୍ନାୟୁ ମଧ୍ୟ ସୁସ୍ଥ ରହେ ।
  • ଯହି ଆପଣ ଆଇରନ କମ ହେତୁ ଚିନ୍ତିତ ଅଛନ୍ତି ତେବ ଅନ୍ୟ ପରିବା ସହ ଆପଣ ଆଳୁ ଚୋପା ଖାଇବା ଆରମ୍ଭ କରିଦିଅନ୍ତୁ । ଏପରି କରିବା ଶରୀର ପାଇଁ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହେବ । ଆଳୁ ଚୋପାରେ ଆଇରନ ମଧ୍ୟ ଭରପୁର ଥାଏ ।
  • .ଆଳୁ ଚୋପାରେ ପ୍ରଚୁର ପରିମାଣରେ ଭିଟାମିନ ବି୩ ମିଳେ । ଏହି ଭିଟାମିନ ଶରୀରକୁ ମଜଭୁତ କରିବା ସହ ଶକ୍ତି ଯୋଗାଇଥାଏ ।
  • କେବଳ ଏତିକି ନୁହଁ ଆଳୁରେ ପ୍ରଚୁର ପରିମାଣରେ ଫାଇବର ମଧ୍ୟ ଭରି ରହିଥାଏ । ଏହା ଶରୀରର ପାଚନ କ୍ରିୟାକୁ ନିୟନ୍ତ୍ରଣ କରେ ।

ଲେମ୍ବୁ ପାଣି

ଆମେ ଜାଣିଛେ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ । ମାତ୍ର ଭୁଲ ସମୟରେ, ଭୁଲ ଭାବରେ ତଥା ଦରକାରରୁ ଅଧିକ ଲେମ୍ବୁ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ଲେମ୍ବୁ ପାଣି ପିଇବାର ଫାଇଦା ହେବା ପରିବର୍ତ୍ତେ କ୍ଷତି ହୋଇଥାଏ । ଏମ୍ସ ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ ଲେମ୍ବୁ ପାଣି ପିଇବା ସମୟରେ ଏହି ୧୦ଟି କଥାକୁ ଧ୍ୟାନ ଦିଅନ୍ତୁ।

  • ବେଶି ଲେମ୍ବୁପାଣି ପିଇବା ଦ୍ୱାରା ଏସିଡିଟି ବଢ଼ି ଯାଇ ହଜମ ହେବାରେ କଷ୍ଟ ହୋଇଥାଏ ।
  • ଛାତି ଜଳିବା ବେଳେ ଯଦି ଲେମ୍ବୁ ପାଣି ପିଇବେ ତାହେଲେ ତାହା ଅଧିକ ବଢ଼ି ଯାଏ ।
  • କିଡ୍‌ନୀ ଓ ଲିଭର୍‌ରେ ସମସ୍ୟା ଥିଲେ ଲେମ୍ବୁ ପାଣି ପିଅନ୍ତୁ ନାହିଁ ।
  • ବେଶି ଲେମ୍ବୁ ପାଣି ପିଇଲେ ବାରମ୍ବାର ପରିସ୍ରା ହୁଏ । ଯାହା ପାଇଁ ଦେହରୁ ଜଳୀୟ ଅଂଶ କମିଯାଇ ଡିହାଇଡ୍ରେସନ୍‌ ସମସ୍ୟା ହୋଇଥାଏ ।
  • ଅଲ୍‌ସର ସମସ୍ୟା ଥିଲେ ଲେମ୍ବୁପାଣି ପିଅନ୍ତୁ ନାହିଁ ।
  • ସକାଳୁ ଉଠି ଏକ ଗ୍ଲାସ ନଖ ଉଷୁମ ଲେମ୍ବୁ ପାଣି ପିଇବା ଭଲ ।
  • ଲେମ୍ବୁ ପାଣି ପିଇବାର ସାଙ୍ଗେ ସାଙ୍ଗେ ବ୍ରଷ୍‌ କରନ୍ତୁ ନାହିଁ । ଦାନ୍ତ ଖରାପ ହେବାର ସମ୍ଭାବନା ଅଛି ।
  • ଯଦି ଦାନ୍ତରେ କିଛି ସମସ୍ୟା ଅଛି ଡାକ୍ତରଙ୍କ ପରାମର୍ଶରେ ଲେମ୍ବୁପାଣି ପିଅନ୍ତୁ । ନହଲେ କ୍ଷତିକାରକ ହୋଇପାରେ ।
  • ଷ୍ଟ୍ର ଦ୍ୱାରା ଲେମ୍ବୁପାଣି ପିଇଲେ ଦାନ୍ତ ସୁସ୍ଥ ରହିବ ।
  • ଅତ୍ୟଧିକ ଥଣ୍ଡା ଲେମ୍ବୁପାଣି ପିଅନ୍ତୁ ନାହିଁ ।

କଞ୍ଚାଲଙ୍କା

କଞ୍ଚାଲଙ୍କାରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ । ଯେପରିକି ଭିଟାମିନ୍‌ -ଏ, ଭିଟାମିନ୍‌-ବି୬, ଆଇରନ୍‌, କପର, ପୋଟାସିୟମ, ପ୍ରୋଟିନ୍‌ ଏବଂ କାର୍ବୋହାଇଡ଼୍ରେଟ୍‌ ଇତ୍ୟାଦି। ପ୍ରତି ଘର ମାନଙ୍କରେ ଖାଦ୍ୟର ସ୍ୱାଦ ବଢ଼ାଇବାକୁ ନେଇ ବ୍ୟବହାର କରାଯାଉଥିବା ବେଳେ ଏହାର ନିୟନ୍ତ୍ରଣ ମୁତାବକ ସେବନ ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ୱନ୍ଧିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

  • ଭିଟାମିନ୍‌ କମ୍‌ ହେବାରୁ ବଞ୍ଚାଏ ।
  • ହଜମ ପ୍ରକ୍ରୀୟା ତ୍ୱରାନ୍ୱିତ କରିଥାଏ ।
  • ଆଖି ଏବଂ ତ୍ୱଚା ପାଇର୍ ଏଥିରେ ଥିବା ଭିଟାମିନ୍‌ ଏ ବିଶେଷ ଭାବେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
  • ଏହା ରକ୍ତରେ ଶର୍କରା କମାଇବାରେ ସହାୟକ ହୋଇଥାଏ ।
  • ମୁଡ଼ ଠିକ୍‌ ରହିବାରେ ବିଶେଷ ଭାବେ ଫଳପ୍ରଦ ହୋଇଥାଏ
  • ଫୁସଫୁସ୍‌ ଜନିତ କ୍ୟାନ୍ସରରୁ ମଧ୍ୟ ଏହା ବଞ୍ଚାଇଥାଏ।
  • ଶରୀରକୁ ବ୍ୟାକ୍ଟରିଆରୁ ମୁକ୍ତ କରିଥାଏ।

କଲରା

କଲରା ନାଁ ଶୁଣିଲେ ସାଧରଣତଃ ପିତାଳିଆ ସ୍ୱାଦ କଥା ମନେ ପଡିଯାଇଥାଏ । ସବୁଜ ରଙ୍ଗର ଏହି ପରିବାଟିର ସ୍ୱାଦ ଯଦିଓ ପାଟିକୁ ସ୍ୱାଦିଷ୍ଟ ଲାଗି ନପାରେ ମାତ୍ର ଏଥିରେ ଭରି ରହିଛି ଅନେକ ପ୍ରକାରର ପୋଷଣ । କଲରାକୁ ଆପଣ ବିଭିନ୍ନ ଢଙ୍ଗରେ ବ୍ୟବହାର କରିପାରିବେ । ଖାଲି ସେତିକି ନୁହେଁ ଆପଣ ଚାହିଁଲେ ଏହାକୁ ଜୁସ ଆକାରରେ ନଚେତ୍ ଆଚାର ଭାବରେ ମଧ୍ୟ ଖାଇ ପାରିବେ । ତେବେ ଏହା ଖାଇବା ଦ୍ୱାରା ଶରୀରକୁ କିଭଳି ପ୍ରକାରର ଫାଇଦା ମିଳିଥାଏ ଆସନ୍ତୁ ଜାଣିବା ।

  • କଲରାରେ ବିଶେଷ କରି ବହୁ ମାତ୍ରାରେ ପୋଷଣ ମିଶିକରି ଥାଏ । ଏଥିରେ ଭିଟାମିନ-ଏ,ବି ଏବଂ ସି ଦେଖିବାକୁ ମିଳିଥାଏ । ଏହାଛଡା କୈରୋଟିନ୍, ଭିଟାକୈରୋଟିନ୍, ଲୁଟିନ୍, ଆଇରନ୍, ପୋଟେସିୟମ, ମ୍ୟାଗ୍ନେସିୟମ ଭଳି ସ୍ୱାସ୍ଥ୍ୟ ଉପାଦେୟ ପୋଷଣ ରହିଥାଏ । ଯାହା ଶରୀରକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ ।
  • ନିଶ୍ୱାସ-ପ୍ରଶ୍ୱାସ ଜନିତ ସମସ୍ୟାକୁ ଦୂର କରିବାରେ କଲରା ଏକ ଉତ୍ତମ ପରିବା ଭାବରେ କାର୍ଯ୍ୟକରିଥାଏ । ତେବେ ନିୟମିତ ଭାବରେ ଖାଦ୍ୟରେ କଲରାକୁ ସେବନ କରିବା ଦ୍ୱାରା ଏହି ସମସ୍ୟାକୁ ଅନେକାଂଶରେ ଦୂର କରାଯାଇ ପାରିବ ।
  • ଯଦି ଆପଣଙ୍କର ଲିଭର ଜନିତ କୌଣସି ସମସ୍ୟା ରହିଛି ତେବେ ଆପଣ କଲରାକୁ ବ୍ୟବହାର କରିପାରିବେ । ଏଥିପାଇଁ ପ୍ରତିଦିନ ଏକ ଗ୍ଲାସ୍ କଲରା ଜୁସ୍ ପିଇବା ଉଚିତ । ଏଭଳି ଭାବରେ ଏକ ସପ୍ତାହ କରିବା ଦ୍ୱାରା ଏହାର ଫାଇଦା ଅନୁଭବ କରିପାରିବେ ।
  • ଆପଣ ଯଦି ବିଭିନ୍ନ ଇନଫେକ୍ସନରୁ ନିଜରୁ ରକ୍ଷା କରିବାକୁ ଚାହୁଁଛନ୍ତି । ତେବେ କଲରା କିମ୍ବା କଲରାର ପତ୍ରକୁ ପାଣିରେ ଫୁଟାଇ ତା’ର ପାଣିକୁ ସେବନ କରନ୍ତୁ । ଏହାଦ୍ୱାରା ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।
  • କଲରା ଖାଇବା ଦ୍ୱାରା ମୁହଁରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଦୂର କରିବାପାଇଁ ପାରିବ । ଏଥିପାଇଁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କଲରା ଜୁସ ସହ ଲେମ୍ବୁ ମିଶାଇ ପାଖାପାଖି ଛ’ମାସ ପିଅନ୍ତୁ ଏବଂ ଫଳ ଦେଖନ୍ତୁ ।
  • କଲରା ଦ୍ୱାରା ମଧୁମେହ ଜନିତ ସମସ୍ୟାରୁ ମୁକ୍ତି ପାଇବା ସମ୍ଭବ ହୋଇଥାଏ । ଏଥିପାଇଁ କଲରା ଜୁସ୍ ଅତ୍ୟନ୍ତ ଉପକାରୀ ହୋଇଥାଏ ।
  • ପେଟ ଜନିତ ତଥା କିଡନୀ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ କଲରା । ଏହାକୁ ନିୟମିତ ଭାବରେ ଖାଇବା ଓ ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ ।
  • କଲରା ହାର୍ଟ ବା ହୃଦୟ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହା ଶରୀର ମଧ୍ୟରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରିଥାଏ । ଯାହାଦ୍ୱାରା ହୃଦ୍ ଘାତ ଜନିତ ସମସ୍ୟାକୁ କିଛି ମାତ୍ରାରେ ଏଡାଇବା ସମ୍ଭବପର ହୋଇଥାଏ ।
  • ସାଧାରଣତଃ କଲରାରେ ପିତା ଅଂଶ ରହିଥିବାରୁ ଅନେକେ ଏହା ଖାଇବାକୁ ପସନ୍ଦ କରି ନ ଥାଆନ୍ତି। କିନ୍ତୁ କଲରାରେ ବହୁ ଭିଟାମିନ୍ ଭରି ରହିଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ପ୍ରତି ୧୦ରୁ ୧୫ ଦିନ ମଧ୍ୟରେ ଦିନଟିଏ କଲରା ଖାଇବା ଉଚିତ। ଅନ୍ୟ ପରିବା ଓ ଫଳ ଅପେକ୍ଷା କଲରାରେ ଅଧିକ ଔଷଧୀୟ ଗୁଣ ରହିଛି। କଲରାରେ କାର୍ବୋହାଇଡ୍ରେଟ୍, ଫସ୍ଫରସ୍, ପ୍ରୋଟିନ୍ ଓ କ୍ୟାଲସିୟମ୍ ଭରି ରହିଛି।
  • କଲରା ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ। ଲିଭର ସହିତ ଜଡ଼ିତ କିଛି ରୋଗ ଥିଲେ କଲରା ଖାଇବା ଉଚିତ। କଲରା ପାଚନରେ ସହାୟକ ହୋଇଥାଏ। କଲରା ଜୁସ୍ରେ ଲେମ୍ୱୁ ମିଶାଇ ପିଇବା ଦ୍ୱାରା ଶରୀରର ଓଜନ କମ୍ ହୋଇଥାଏ। କଲରାରେ ଫସ୍ଫରସ୍ ରହିଥିବାରୁ ଶରୀରରେ କଫ ଜମିଥିଲେ କଲରା ଖାଇବା ଦ୍ୱାରା ସାମାନ୍ୟ ହାଲ୍କା ଲାଗିଥାଏ।
  • ଝାଡ଼ା କିମ୍ୱା ବାନ୍ତି ହେଉଥିଲେ କଲରା ଜୁସ୍ରେ କଳା ଲୁଣ ପକାଇ ଅଳ୍ପ ପିଇବା ଦ୍ୱାରା କିଛି ମାତ୍ରାରେ ଶରୀରକୁ ଉପଶମ ମିଳିଥାଏ। ମଧୁମେହ ରୋଗୀଙ୍କ ପାଇଁ କଲରା ବେଶ୍ ଲାଭଦାୟକ। ଶରୀରର ସୁଗାର ସ୍ତରକୁ ନିୟନ୍ତ୍ରିତ କରିବାରେ ଏହା ସହାୟକ ହୋଇଥାଏ।

କଳମ୍ବ ଶାଗ

କଳମ୍ବ ଶାଗର ବ୍ୟବହାର ସାଧାରଣତଃ ଇଣ୍ଡୋନେସିଆ ଓ ଭାରତରେ ବହୁଳ ମାତ୍ରା କରାଯାଇଥାଏ । ଏହା ବିଶେଷ କରି ଦକ୍ଷିଣ ଭାରତ,ପୂର୍ବ ଭାରତର ଓଡିଶା ଓ କଲକାତାରେ ମଧ୍ୟ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି । ତେବେ ଏଥିରେ ସାଧାରଣତଃ ଅଧିକ ପରିମାଣରେ ଭିଟାମିନ ମିଶିକରି ରହିଥାଏ । ପ୍ରତି ୧୦୦ ଗ୍ରାମ କଳମ୍ବ ଶାଗରେ କାର୍ବୋହାଇଡ୍ରେଟ୍ ୪ ଗ୍ରାମ, ପୃଷ୍ଟିସାର ୫ ଗ୍ରାମ, ଭିଟାମିନ-ଏ ୩୦୦-୪୦୦ ମାଇକ୍ରୋଗ୍ରାମ, ଭିଟାମିନ-ସି ୫୫ ମିଲିଗ୍ରାମ, ଲୌହ ୨.୦-୩.୧ ମିଲିଗ୍ରାମ ଆଦି ରହିଥାଏ।

  • କଳମ୍ବ ଶାଗ ପତ୍ରକୁ ସିଝାଇ ସେହି ପାଣିକୁ ପିଇଲେ କୋଷ୍ଠକାଠିନ୍ୟ ରୋଗ ଦୂର ହୋଇଥାଏ ।
  • ଏହି ଶାଗ ଖାଇବା ଦ୍ୱାରା ମନରେ ଶାନ୍ତ ଭାବନା ଆସିଥାଏ ।
  • ନିଦ୍ରାହୀନତା ଦୂର କରିବାରେ ସହାୟକ ହୋଇଥାଏ ଏହି ଶାଗ ।
  • ଭିଟାମିନ-ଏ ଅଧିକ ମାତ୍ରାରେ ଥିବାରୁ ଚକ୍ଷୁ ପାଇଁ ଏହା ଅତ୍ୟନ୍ତ ଉପାଦେୟ ଅଟେ ।
  • ଏହି ଶାଗକୁ ଦହି ଏବଂ ଭାତ ସହ ମିଶାଇ ଖାଇବା ଦ୍ୱାରା ଜୀର୍ଣ୍ଣ ଶକ୍ତି ବୃଦ୍ଧି ପାଇଥାଏ ।
  • ଶରୀରରେ ଥିବା ରକ୍ତକଣିକା ପରିମାଣ ମଧ୍ୟ ଏହି ଶାଗ ଖାଇବା ଦ୍ୱାରା ବୃଦ୍ଧି ପାଇଥାଏ ।
  • ଯକୃତ ଜନିତ ସମସ୍ୟା ଦୂର କରିବାରେ ଏହି ଶାଗ ଅତ୍ୟନ୍ତ ଉପାଦେୟ ହୋଇଥାଏ ।
  • ମଧୁମେହ ରୋଗୀମାନେ ଏହି ଶଗାକୁ ନିୟମିତ ରୂପେ ଖାଇଲେ ଉପଶମ ଲାଭକରିଥାନ୍ତି ।
  • କଳମ୍ବ ଶାଗ ଖାଇଲେ କେଶର ଘନତ୍ୱ ବଢି ଥାଏ ।
  • ଏହି ଶାଗ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇବା ସହ କର୍କଟନିରୋଧ ଭାବେ କାମକରିଥାଏ ।
  • ଯୁବତୀ ଓ ମହିଳାମାନେ ନିୟମିତ ଏହି ଶାଗ ଖାଇଲେ ତ୍ୱଚାରେ ଏକ ଚମକ ଆସିଥାଏ ।

ଅଦା

କେତେକ ପ୍ରକୃତିକ ଉପଚାର ଦ୍ଵାରା ଆମେ ଅନେକ ରୋଗରୁ ଅନେକାଂଶରେ ଉପଶମ ପାଇପାରିବା । ଅଦାକୁ ଏହାର ପର୍ଯ୍ୟାୟଭୁକ୍ତ କରିପାରନ୍ତି । ଏଥିରେ ଅନେକ ଉପକାରୀ ତତ୍ତୁ ରହିଛି, ଯାହା ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

  • ଅଦାରେ ଆଣ୍ଟିଅକ୍ସିଡାଣ୍ଟ ଭାରି ରହିଛି ।
  • ଥଣ୍ଡାରୋଗ ପାଇଁ ଏହା ଏକ ଭଲ ଘରୋଇ ଉପଚାର ଭାବରେ କାମ କରିଥାଏ ।
  • ବାନ୍ତି ଲାଗୁଥିଲେ ଛୋଟ ଅଦାଖଣ୍ଡକୁ କିଛି ସମୟ ଚୋବାନ୍ତୁ । ଏହାଦ୍ଵାରା ସେଥିରୁ ଉପଶମ ମିଳିଥାଏ ।
  • ଯଦି ଆପଣଙ୍କର ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଅଦା ଚୋବାଇଲେ ଯନ୍ତ୍ରଣା କେତେକାଂଶରେ ଲାଘବ ହୋଇଥାଏ ।
  • ଅଷ୍ଟିଓଆର୍ଥ୍ରାଇଟିସ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ ପ୍ରତିଦିନ ଅଦା ଖାଇପାରନ୍ତୁ ।
  • ଯଦି ଆପଣ ନିମ୍ନ ରକ୍ତଚାପ (ଲୋବ୍ଲଡପ୍ରେସର) ରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଅଦା ଉପକାରୀ ସାବ୍ୟସ୍ତ ହୋଇପାରେ ।
  • ଅଦାରେ ଆଉ ଏକ ଉପକାରୀ ତତ୍ତ୍ଵ ରହିଛି । ମଧୁମେହ (ଡାଇବେଟିସ୍) ରୋଗୀ ନିୟମିତ ଏହାକୁ ଖାଇଲେ ରକ୍ତରେ ସୁଗାର ପରିମାଣ ସନ୍ତୁଳିତ ରହିଥାଏ ।
  • ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ, ଟାଇପ୍ – ୨ ଡାଇବେଟସ୍ ରୋଗୀ ପ୍ରତିଦିନ ଦୁଇ ଗ୍ରାମ ଅଦା ପାଉଡରକୁ ପାଣିରେ ମିଶାଇ ଖାଇଲେ ରକ୍ତରେ ସୁଗାର ନିୟନ୍ତ୍ରିତ ରହିଥାଏ ।
  • ଯଦି ଆପଣ ଦୀର୍ଘ ବର୍ଷ ଧରି ହଜମଜନିତ ସମସ୍ୟା ସହ ଜଡିତ, ତେବେ ପ୍ରତିଦିନ ଅଦା ଖାଇଲେ ଏଥିରୁ ଉପଶମ ମିଳିଥାଏ ।
  • ମାସିକ ରତୁସ୍ରାବଜନିତ ଯନ୍ତ୍ରଣାରୁ ଅଦା ଅନେକାଂଶରେ ଉପଶମ ଦେଇଥାଏ ।
  • ଶରୀରରେ କୋଲେଷ୍ଟରଲ ସ୍ତରକୁ ଅଦା ସନ୍ତୁଳିତ ରଖିଥାଏ ।
  • ଅଦାରେ ଏଭଳି ତତ୍ତ୍ଵ ରହିଛି ଯାହା ମସ୍ତିଷ୍କକୁ ସକ୍ରିୟ ରଖିବାରେ ସାହାଯ୍ୟ କରିଥାଏ ।
  • ସଂକ୍ରମଣ ପରି ସମସ୍ୟାକୁ ଦୂର କରିବାରେଅଦା ସହାୟକ ହୋଇଥାଏ ।

ଲଙ୍କା

ଲଙ୍କା ଅନେକ ଲୋକ ଖାଇବାକୁ ପସନ୍ଦ କରିନଥାନ୍ତି । ଆପଣ ଜାଣିଛନ୍ତି କି ଲାଲ ଲଙ୍କା ଶରୀର ପାଇଁ ଅନେକ ଉପକାରୀ । ଏହାର ରହିଛି ଅନେକ ଔଷଧୀୟ ଗୁଣ। ଆମିନୋ ଏସିଡ, ଫୋଲିକ ଏସିଡ, ସାଇଟ୍ରିକ ଏସିଡ, ମେଲୋନିକ ଏସିଡ ପରି ଏଥିରେ ରହିଛି ଆହୁରି ଅନେକ ଉପଯୋଗୀ ତତ୍ତ୍ୱ। ସବୁଜ ତଥା ସାଧାରଣ ଲଙ୍କାଠାରୁ ଲାଲ ଲଙ୍କା ବହୁଗୁଣ ଲାଭ ଦେଇଥାଏ। ଏବେ ଜାଣନ୍ତୁ ଏହାର କେତେକ ଉପକାରିତା

  • ମସଲାଯୁକ୍ତ ଖାଦ୍ୟ ଓଜନ ହ୍ରାସ କରେ କହିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ମାତ୍ର ହଳଦୀ, ଲାଲଲଙ୍କା, ଗୋଲମରିଚ ପରି ମସଲା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହେବା ସହ ଏହା ଓଜନ ହ୍ରାସ କରିଥାଏ। ଏହି ମସଲାରେ ଫ୍ୟାଟ ଏବଂ କ୍ୟାଲୋରିର ମାତ୍ରା ବହୁତ କମ ରହିଥାଏ।
  • ଗର୍ଭବତୀମାନେ ଏହା ଖାଇବାକୁ ବାରଣ କରାଯାଇଥିଲେ ମଧ୍ୟ ଆବଶ୍ୟକ ମୁତାବକ ଖାଇବା ଦ୍ୱାରା ଏହା ଅନେକ ଲାଭ ଦେଇଥାଏ। ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଫୋଲିକ ଏସିଡ ଥିବାରୁ ଗର୍ଭବତୀ ମହିଳା ଏହାକୁ ଖାଇବା ଦରକାର।
  • ଲାଲ ଲଙ୍କା ଉପଯୁକ୍ତ ପରିମାଣର ଖାଇବା ଦ୍ୱାରା ଏହା ବିଭିନ୍ନ ଗ୍ୟାସଟ୍ରିକ ସମସ୍ୟାରୁ ରକ୍ଷା କରିଥାଏ। କାରଣ ଏହା ଆମର ପାଚନ ଶକ୍ତିକୁ ବୃଦ୍ଧି କରିଥାଏ।
  • ଲାଲ୍ ଲଙ୍କା ରକ୍ତ ସଂଚାଳନକୁ ଠିକ ରଖିଥାଏ। ତେଣୁ ଏହା ଶୁଷ୍କ ତଥା ଅସମୟରେ ପାଚି ଯାଉଥିବା କେଶର ସୁରକ୍ଷା କରିଥାଏ। ଏହା କେଶକୁ ବଢ଼ିବାରେ ମଧ୍ୟ ସହାୟକ ହୋଇଥାଏ। ତେଣୁ କେଶଜନିତ ସମସ୍ୟା ଥିଲେ ନିଜର ଖାଦ୍ୟରେ ଲାଲ୍ ଲଙ୍କା ସାମିଲ୍ କରନ୍ତୁ।
  • ଲାଲ୍ ଲଙ୍କାକୁ କର୍କଟରୋଗ ନିରୋଧୀ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଏଥିରେ ଥିବା କେପସାସିନ ତତ୍ତ୍ୱ ଶରୀରରୁ କର୍କଟର କୋଷଗୁଡ଼ିକୁ ନଷ୍ଟ କରିବାରେ ସହାୟକ ହୋଇଥାଏ।
  • ଲାଲଲଙ୍କା ପ୍ରାକୃତିକ ଉପାୟରେ ରକ୍ତଚାପକୁ ହ୍ରାସ କରିଥାଏ। ଏହା ପ୍ଲେଟେସକୁ କମ୍ କରି ରକ୍ତର ପ୍ରବାହକୁ ସୁଗମ କରିଥାଏ।
  • ଅତ୍ୟଧିକ ମଦ୍ୟପାନ କରିଥିବା ବ୍ୟକ୍ତିର ହ୍ୟାଙ୍ଗଓଭର ତୁଟି ନ ଥିଲେ ଏହି ଲଙ୍କା ଖାଇବା ଦ୍ୱାରା ଏଥିରୁ ରକ୍ଷା ମିଳେ। ଏଥିପାଇଁ ସଂପୃକ୍ତ ବ୍ୟକ୍ତିକୁ ଦୁଇ ଚିମୁଟା ଲଙ୍କାଗୁଣ୍ଡ ଉଷୁମ ପାଣିରେ ମିଶାଇ ପିଇବାକୁ ଦିଅନ୍ତୁ।
  • କିଛି ଲୋକ ଯେତେ ଶୋଇଲେ ବି ସହଜରେ ସେମାନଙ୍କ ନିଦ ଛାଡ଼େ ନାହିଁ। ସେମାନଙ୍କ ନିଦ ଛଡ଼ାଇବା ପାଇଁ ରାତିରେ ଖାଇବା ପୂର୍ବରୁ ପାଣିରେ ଲାଲ ଲଙ୍କାଗୁଣ୍ଡକୁ ମିଶାଇ ସେଥିରୁ ତିନି ଚାରିବୁନ୍ଦା ସେବନ କରିବା ଦରକାର।
  • ପେଟରେ ଯନ୍ତ୍ରଣା ହେଉଥିଲେ ଗୁଡ଼ ସହ ଏହାର ସାମାନ୍ୟ ଗୁଣ୍ଡକୁ ମିଶାଇ ସେବନ କରିବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ।

ସୋରିଷ ତେଲ

ଘରେ ଘରେ ସୋରିଷ ତେଲର ବ୍ୟବହାର ନିହାତି ଏକ ସାଧାରଣ କଥା । ସୋରିଷ ତେଲକୁ ଖାଦ୍ୟ ତିଆରି, ତ୍ୱଚାର ଚମକ ଓ ଦାନ୍ତ ସଫା ପାଇଁ ବ୍ୟବହାର କରାଯାଏ । ସୋରିଷ ତେଲ ପ୍ରାକୃତିକ ରୂପରେ ତ୍ୱଚା ପାଇଁ ଖୁବ୍ ଉପକାରୀ । ଏହା ବ୍ୟତୀତ ମଜଭୁତ କେଶ ପାଇଁ ମଧ୍ୟ ସୋରିଷ ତେଲର ବ୍ୟବହାର ହୁଏ ।

ଆପଣ ଜାଣନ୍ତି କି ସୋରିଷ ତେଲର ବ୍ୟବହାର ଦ୍ୱାରା ଆପଣ ଆକର୍ଷଣୀୟ ଲୁକ୍ ମଧ୍ୟ ପାଇପାରିବେ । ତ୍ୱଚା ବିଶେଷଜ୍ଞଙ୍କ ଅନୁସାରେ ସୋରିଷ ତେଲ ତ୍ୱଚା ପାଇଁ ବହୁତ ଉପକାରୀ ।

ହାନିକାରକ କେମିକାଲ ଯୁକ୍ତ କଣ୍ଡିସନର କେଶରେ ଲଗାଇବା ପରିବର୍ତେ କେଶରେ ସୋରିଷ ତେଲ ଲଗାନ୍ତୁ । ଏହା ପ୍ରାକୃତିକ ରୂପରେ କେଶକୁ କଣ୍ଡିସନ କରିଥାଏ ।

ସୋରିଷ ତେଲ କେଶ ମୂଳରେ ମାଲିସ କରିବା ଦ୍ୱାରା କେଶକୁ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ୱ ମିଳିଥାଏ । କେଶରେ ସୋରିଷ ତେଲ ମାଲିସ କଲେ କେଶ ଝଡିବାରୁ ମଧ୍ୟ ମୁକ୍ତି ମିଳେ ।

ମୁହଁରେ ପ୍ରତିଦିନ ସୋରିଷ ତେଲ ମାଲିସ କରିବା ଦ୍ୱାରା କଳାଦାଗ, ସନବର୍ଣ୍ଣରୁ ରକ୍ଷା ମିଳିଥାଏ । ୧ ଚାମଚ ବେସନ, ୧ ଚାମଚ ଦହି, ଅଧା ଚାମଚ ଲେମ୍ବୁ ରସ,୧ ଚାମଚ ସୋରିଷ ତେଲ ମିଶାଇ ସପ୍ତାହରେ ତିନି ଦିନ ମୁହଁରେ ଲଗାନ୍ତୁ ।

ଶୀତ ଦିନରେ ତ୍ୱଚା ରୁକ୍ଷ ହେବା ଏକ ସାଧାରଣ କଥା । ଆପଣ ସୋରିଷ ତେଲର କିଛି ବୁନ୍ଦା ଚେହେରାରେ ମାଲିସ କରନ୍ତୁ । କିଛି ସମୟ ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ତ୍ୱଚା କୋମଳ ରହିବା ସହ ତ୍ୱଚାରେ ଚମକ ଆସେ ।

କାକୁଡ଼ି

କାକୁଡ଼ି ବିନା ଘରେ ତିଆରି ହୋଇଥିବା କୌଣସି ବି ସାଲାଡ଼ ଅଧୁରା ଲାଗିଥାଏ। ତେବେ ଏହା ଯେ କେବଳ ସାଲାଡ଼ର ସ୍ୱାଦ ବଢ଼ାଇବାକୁ ନେଇ ବ୍ୟବହାର କରାଯାଇଥାଏ ତାହା ନୁହେଁ ବରଂ ଏହାକୁ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଜନିତ ଲାଭ ମିଳିଥାଏ। ଏହା ପାନୀୟ ଜଳର ଏକ ବଡ଼ ଶ୍ରୋତ। ଏଥିରେ ୯୬% ଜଳ ରହିଥାଏ। ଏହାକୁ ଅନେକ ବଲିଉଡ଼ ଷ୍ଟାର ତଥା ସେଲିବ୍ରିଟି ପତଳା ହେବା ପାଇଁ ଖାଇଥାନ୍ତି ମଧ୍ୟ। ଏଥିରେ ଭିଟାମିନ୍‌ ବି, ସି, ପୋଟାସିୟମ, ଫସ୍‌ଫରସ୍‌, ଆଇରନ୍‌ ଆଦିପ୍ରଚୁର ମାତ୍ରାରେ ରହିଥାଏ। କାକୁଡ଼ି ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।

  1. ଶରୀରରେ ପାଣିର କମି ଦୂର କରିଥାଏ। କାକୁଡ଼ିରେ ୯୬% ପାଣି ଥାଏ। ଫଳରେ ଗରମ ଦିନରେ ଏହା ଶରୀରରେ ପାଣିର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ଏପରିକି ଏହା ଶରୀରର ସବୁ ଆବର୍ଜନା ବାହାର କରିଥାଏ।
  2. ତ୍ୱଚା ପାଇଁ ଏହା ବିଶେଷ ଭାବେ ଉପଯୋଗୀ। ଏଥିରେ ଭିଟାମିନ୍‌ ଏ, ବି ଏବଂ ସି ତଥା ଅନେକ ପ୍ରକାର ମିନେରାଲ ମ୍ୟାଗ୍ନେସିୟମ, ସିଲିକା ଏବଂ କ୍ୟାଲସିୟମ ପ୍ରଭୃତି ରହିଥାଏ। ଏହା ତ୍ୱଚା ପାଇଁ ବିଶେଷ ଭାବେ ଉପଯୋଗୀ। ଏହାକୁ ତ୍ୱଚାରେ ଘସିବା ଦ୍ୱାରା ମଧ୍ୟ ଲାଭ ମିଳିଥାଏ। ତ୍ୱଚାରୁ କୁଞ୍ଚନ ଦୂର ହୋଇଥାଏ।
  3. କାକୁଡ଼ି ଆଖି ପାଇଁ ଲାଭକାରୀ। ଯଦି ଆଖିରେ କଳାଦାଗ ତଥା ସୁଜନ ପରି ସମସ୍ୟା ଦେଖାଦିଏ ତେବେ ଏହାକୁ କାଟି ଛୋଟ ଖଣ୍ଡ କରି ଲଗାନ୍ତୁ। ଏହା ଠିକ୍‌ ହୋଇଯିବ। ଏହା ସହ ସୂର୍ୟ୍ୟଙ୍କ କିରଣ ଯୋଗୁଁ ତ୍ୱଚାରେ ପଡ଼ିଥିବା ପ୍ରଭାବଠାରୁ ମଧ୍ୟ ରକ୍ଷା କରିଥାଏ କାକୁଡ଼ିର ରସ।
  4. ହଜମ ଠିକ୍‌ କରିଥାଏ। ଏଥିରେ ୯୬% ପାଣି ଏବଂ ୪% ଫାଇବର ରହିଥାଏ। ଯାହାକି କବ୍ଜ, ଏସିଡ଼ିଟି, ଛାତି ପୋଡ଼ାଜଳା ଅଥବା ଗ୍ୟାଷ୍ଟିକ୍‌ ପରି ଅନେକ ସମସ୍ୟାଠାରୁ ମୁକ୍ତି ଦେଇଥାଏ। ଏହାକୁ ନିୟମିତ ସେବନ କରନ୍ତୁ।
  5. ଯଦି ଆପଣ ମୋଟା ହୋଇଥିବା ଯୋଗୁଁ ଚିନ୍ତାରେ ଅଛନ୍ତି ତେବେ ଆପଣ ଭୋକ ଲାଗିବା ସମୟରେ କାକୁଡ଼ି ଖାଆନ୍ତୁ। ଏହା ବିନା କ୍ୟାଲୋରି ଯୁକ୍ତ ହୋଇଥିବାରୁ ଆପଣଙ୍କ ଓଜନ ବଢ଼ିବ ନାହିଁ। ଏହା ଯଦି ଆପଣ ଲଗାତାର ତିନିଦିନ ଧରି ଖାଇବେ ତେବେ ଆପଣ ପ୍ରାୟ ୨ କିଲୋ ଓଜନ ହ୍ରାସ କରିପାରିବେ।
  6. ଏହା ଡ଼ାଇବେଟିସ୍‌ ରୋଗୀ ମାନଙ୍କ ପାଇଁ ବେଶ ଳାଭଦାୟକ। ଏହାକୁ ନିୟମିତ ସେବନ କରିବା ଦ୍ୱାରା ଇନ୍‌ସୁଲିନ୍‌ର ମାତ୍ରା ସନ୍ତୁଳିତ ହୋଇଥାଏ।
  7. ଏହା କୋଲେଷ୍ଟ୍ରୋଲର ମାତ୍ରା କମାଇବାରେ ସହାୟକ ହୋଇଥାଏ।

ଗ୍ରୀନ୍ ମଟର

ଅଧିକାଂଶ ଲୋକ ଭାବନ୍ତି କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଗ୍ରୀନ୍ ମଟର ବ୍ୟବହାର କରାଯାଏ । ଆପଣ ମଧ୍ୟ ଯଦି ଏପରି ଭାବୁଥାନ୍ତି ତେବେ ଏହା ଭୁଲ୍ । ମଟର କେବଳ ଖାଦ୍ୟରେ ସ୍ୱାଦ ବଢାଇନଥାଏ ବରଂ ଭିଟାମିନ୍ ଏବଂ ମିନେରାଲରେ ଭରପୁର ମଟର । କେବଳ ସ୍ୱାସ୍ଥ୍ୟ ନୁହେଁ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହେଉଛି ଗ୍ରୀନ୍ ମଟର । ଏବେ ନଜର ପକାନ୍ତୁ ମଟରର ଉପକାରିତା ଉପରେ ।

ପୋଷକ ତତ୍ୱରେ ଭରପୁର ମଟର : ମଟରରେ ପ୍ରୋଟିନ୍ ଏବଂ ଫାଇବର୍ ପ୍ରଚୁର ପରିମାଣ ଥାଏ । ତେଣୁ ପ୍ରତିଦିନ ଗ୍ରୀନ୍ ମଟର ଖାଇଲେ ଶରୀରରେ ପୋଷକ ତତ୍ୱ ବଢିଥାଏ ।

ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ : ମଟରରେ ଆଇରନ୍, ଜିଙ୍କ୍ , କପର୍ ଏବଂ ମାଙ୍ଗାନିଜ୍ ଭରପୁର ଥାଏ । ଯାହା ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଏଥିରେ ଆଂଟି ଅକ୍ସିଡେଂଟ୍ ମଧ୍ୟ ଥାଏ । ଯାହା ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ଫଳରେ ବିଭିନ୍ନ ପ୍ରକାର ରୋଗରୁ ଶରୀର ମୁକ୍ତ ରହିଥାଏ ।

ସୁଗାରକୁ ନିୟନ୍ତ୍ରିତ କରିଥାଏ : ନିୟମିତ ମଟର ଖାଇଲେ ଶରୀରରେ ସୁଗାରର ମାତ୍ରା ନିୟନ୍ତ୍ରିତ ରହିଥାଏ । ଯାହା ଦ୍ୱାରା ମଧୁମେହ ହେବାର ଆଶଙ୍କା କମ୍ ଥାଏ ।

ହାଡ଼ ମଜଭୂତ ହୋଇଥାଏ : ମଟରରେ ପ୍ରଚୁର ପରିମାଣର କ୍ୟାଲସିୟମ୍ ଏବଂ ଜିଙ୍କ୍ ରହିଥାଏ । ଯାହା ହାଡକୁ ମଜଭୂତ ରଖିବାରେ ସାହାଯ୍ୟ କରିଥାଏ ।

ଲାଲ ରଙ୍ଗର ମକା

ସାଧାରଣତଃ ଅଧିକାଂଶ ଲୋକ ମକା ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏବେ ଏମିତି ଏକ ମକା  ଉତ୍ପାଦନ ହେବାକୁ ଯାଉଛି ଯାହା ଆପଣଙ୍କୁ ଅଧିକ ବୟସ ପର୍ଯ୍ୟନ୍ତ ମଧ୍ୟ ଯବାନ ରଖିବ । ଏହାଛଡା ମୁଖ ଓ ସ୍ତନ କର୍କଟର ଏକ ପ୍ରତିଷେଧକ ଭାବେ ଉଭା ହୋଇଛି ଏହି ମକା । ମଧ୍ୟପ୍ରଦେଶର ମାଲବାର ଚାଷୀଙ୍କୁ ଏକ ନୂଆ କିସମର ମକା ବିହନ ଯୋଗାଇ ଦେବାକୁ ପ୍ରସ୍ତୁତି କରାଯାଉଛି । ଏହି ମକା ଦେଖିବାକୁ ସମ୍ପୂର୍ଣ୍ଣ ଭାବେ ଲାଲ ରଙ୍ଗର । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମକାରେ ମୁଖ କର୍କଟ ଓ ସ୍ତନ କର୍କଟ ରୋକିବାର ପ୍ରତିଷେଧକ ରହିଛି ।ଏହି ମକାରେ ୧୦.୫ ପ୍ରତିଶତ ରହିଥାଏ ଯାହା ସାଧାରଣ ମକାର ପ୍ରୋଟିନ ଠାରୁ ୨୫ ଗୁଣ ଅଧିକ ।

ଏହି ମକାରେ ଏନ୍ଥୋକାୟାନିନ ଫାଇଟୋକେମିକାଲ ଆଣ୍ଟି ଏଜିଙ୍ଗ ନାମକ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ । ଯାହା ମଣିଷ ଶରୀରରେ ବୁଢାପଣ ଆସିବାକୁ ଦେଇନଥାଏ । ଏବେ ଏଭଳି ପ୍ରଜାତିର ବିହନ ପାଇଁ କସ୍ତୁରବା ଗାନ୍ଧି ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟର କୃଷି ବିଜ୍ଞାନ କେନ୍ଦ୍ରରେ ଏହାକୁ ନେଇ ଅନୁସନ୍ଧାନ ଜରି ରହିଛି । କୃଷି ବିଜ୍ଞାନ କେନ୍ଦ୍ରରେ ଏହି ପ୍ରଜାତିର ମକା ବିହନ ପାଇଁ ଦୀର୍ଘ ୫ ବର୍ଷ ଧରି ପରୀକ୍ଷା ନିରୀକ୍ଷା କରାଯାଉଛି ।ମିଠା ମକା ଭଳି ଏହି ପ୍ରଜାତିର ମକାର ଦାନା ମଧ୍ୟ ମିଠା । କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ମକାରେ କେତେ ମାତ୍ରାରେ ପ୍ରୋଟିନ ମହଜୁଦ  ଅଛି ତାହା ଜଣାପଡିଛି । ଏହାଛଡା ଭିଟାମିନ ଓ କେତେ ମାତ୍ରାରେ  ଧାତବ ପଦାର୍ଥ ଏହି ମକାରେ ରହୁଛି ତାହାକୁ ନେଇ ଏବେ ପରୀକ୍ଷା କରାଯାଉଛି ।ସମ୍ପ୍ରୂ୍ଣ୍ଣ ପରୀକ୍ଷଣ ପରେ ଏହାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ ।

ସେହିଭଳି ଏହି ମକାକୁ ନେଇ କ୍ୟାନସର ବିଶେଷଜ୍ଞ ଅରୁଣ ଅଗ୍ରୱାଲ କହିବା ଅନୁଯାୟୀ, ଏହି ମକାରେ ଥିବା ଏନ୍ଥୋକାୟାନିନ ଭଳି ପ୍ରୋଟିନ କ୍ୟାନସର ଓ ଅନ୍ୟ ରୋଗକୁ ପ୍ରତିରୋଧ କରିବାକୁ ସକ୍ଷମ । ଏହାଛଡା ଶରୀରକୁ ବୁଢାପଣରୁ ମଧ୍ୟ ଦୂରେଇ ରଖିଥାଏ ଏହି ମକା । ଏହାଛଡା ହାର୍ଟ ଓ ଲିଭର ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ ।  ଏହି ମକା ଉପରେ ପରୀକ୍ଷା ନିରୀକ୍ଷା କରୁଥିବା ଡାକ୍ତର ଦେଶୱାଲ କହିଛନ୍ତି, ଏବେ ପର୍ଯ୍ୟନ୍ତ ମୋଟ ଉପରେ ୪ କ୍ୱିଣ୍ଟାଲ ବିହନ ଉତ୍ପାଦନ କରାଯାଇଛି ।

  • ଏହି ପ୍ରଜାତିର ମକା ୧୦୦ରୁ ୧୧୦ ଦିନ ମଧ୍ୟରେ ଅମଳ ହୋଇଥାଏ ।
  • ଏହି କିସମର ବିହନରେ ପ୍ରତି ହେକ୍ଟର ପିଛା ପ୍ରାୟ ୪୦ରୁ ୫୦ କ୍ୱିଣ୍ଟାଲ ମକା ଉତ୍ପାଦନ ହେବ
  • ଏହି ପ୍ରଜାତିର ମକା ଗଛର ଉଚ୍ଚତା ୮ରୁ ୯ ପୁଟ ଭିତରେ ରହିଥାଏ । ଏହାଛଡା ଗଛରେ ବହୁତ କମ ପୋକ ଲାଗିଥାନ୍ତି ।
  • ଅନ୍ୟ ଖାଦ୍ୟଶସ୍ୟ ସହ ମିଶାଇ ଏହାକୁ ଖାଇପାରିବେ ।
  • ବେବି ଫୁଡ଼ ଓ ମଧ୍ୟାହ୍ନ ଭୋଜନ ମିଲରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ।

ଭେଣ୍ଡି

ଭେଣ୍ଡି ଏକ ଗୁଳ୍ମ ଜାତୀୟ ସପୁଷ୍କପ ଉଦ୍ଭିଦ। ଏହା ଏକ ଭଲ ପରିବା ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ ଟାଉଁସିଆ ଓ ବଡ, ଫୁଲ ହଳଦିଆ ରଙ୍ଗର ଓ ଏହା ମଝିରେ ନାଲି ଚିହ୍ନଥାଏ। ଏହାର ଫଳ ଲମ୍ବା ଓ ସବୁଜ ରଙ୍ଗର। ଏହାର ଉତ୍ପତ୍ତିସ୍ଥଳ ବିବାଦୀୟ। କେହି କେହି ଏହା ଦକ୍ଷିଣ ଏସୀୟ, କେହି ଇଥିଓପୀୟ ଓ କେହି ଏହା ପଶ୍ଚିମ ଆଫ୍ରିକୀୟ ବୋଲି ମତ ପ୍ରଦାନ କରିଥାନ୍ତି। ଏହା ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଭଲ ବଢ଼ିଥାଏ। ସାଧାରଣତଃ ଲୋକେ ଭେଣ୍ଡିକୁ ପରିବା ଭାବେ ଗ୍ରହଣ କରିଥାନ୍ତି । ତେବେ ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ରହିଛି । ଯାହା ସଂପର୍କରେ ଆମେ ତଳେ ଆଲୋଚନା କରିଛୁ ।

  1. ମଧୁମେହ ରୋଗୀ ଦରସିଝା ହୋଇଥିବା ଭେଣ୍ଡି ଖାଇବା ବେଶ୍ ଲାଭଦାୟକ ହୋଇଥାଏ।
  2. ପୁରୁଷମାନେ କଂଚା ଭେଣ୍ଡିକୁ ଚୋବାଇ ଖାଇବଦ୍ୱାରା ସେମାନଙ୍କ ପୁରୁଷତ୍ୱ ବଢିଥାଏ ।
  3. ଭେଣ୍ଡି ମଞ୍ଜକୁ ଶୁଖାଇ ଏହାର ଚୂର୍ଣ୍ଣ କରି ଛୋଟ ପିଲାଙ୍କୁ ଖାଇବାକୁ ଦେଲେ ଏହା ପ୍ରୋଟିନ ଭଳି କାମ କରିଥାଏ ।
  4. ମେଦ ବୃଦ୍ଧିରେ ଆକ୍ରାନ୍ତ ଲୋକେ କଂଚା ଭେଣ୍ଡି ଖାଇବାଦ୍ୱାରା ଓଜନ ହ୍ରାସ ପାଇଥାଏ ।
  5. ଶରୀରରେ ସାଧାରଣତଃ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ପାଇବା କାରଣରୁ ହୃଦୟଜନିତ ସମସ୍ୟା ଦେଖାଦେଇଥାଏ । ତେବେ ଭେଣ୍ଡି ଖାଇବା ଦ୍ୱାରା ଏଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
  6. ଭେଣ୍ଡିରେ ରୋଗ ପ୍ରତିରୋଧକ କ୍ଷମତା ଭରପୁରମାତ୍ରାରେ ରହିଥାଏ । ଯଦି ପ୍ରତିଦିନ ଭେଣ୍ଡି ସେବନ କରନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଶରୀରକୁ ଲାଭ ମିଳିଥାଏ ।
  7. ଗର୍ଭବତୀ ମହିଳାଙ୍କ ପାଇଁ ଭେଣ୍ଡି ଅତ୍ୟନ୍ତ ଉପକାରୀ ଅଟେ । ଏଥିରେ ସାଧାରଣତଃ ଭିଟାମିନ୍-ବି୯ର ପରିମାଣ ବେଶି ଥାଏ । ଯାହା କାରଣରୁ ଗର୍ଭରେ ବଢୁଥିବା ଶିଶୁକୁ ଏହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।

ରସୁଣ

ସାଧାରଣତଃ ଆମେ ରସୁଣକୁ ଖାଦ୍ୟରେ ମସଲାଦ୍ରବ୍ୟ ଭାବେ ବ୍ୟବହାର କରିଥାଉ । କାରଣ ରସୁଣ କୌଣସି ବି ପ୍ରକାର ବ୍ୟଞ୍ଜନକୁ ସ୍ୱାଦିଷ୍ଟ ବନାଇଦିଏ । ମାତ୍ର ରସୁଣ ମଧ୍ୟରେ ଏପରି ଗୁଣକାରୀ ତତ୍ତ୍ୱ ରହିଛି ଯାହା ଆପଣଙ୍କୁ ଅନେକ ରୋଗରୁ ଉପଶମ ଦେଇଥାଏ । କାରଣ ରସୁଣରେ ବହୁମାତ୍ରାରେ ରୋଗ ପ୍ରତିରୋଧକ ଶକ୍ତି ଭରପୂର ରହିଥାଏ ।

ଆର୍ୟୁବେଦରେ ରସୁଣକୁ ଔଷଧ ବୋଲି କୁହନ୍ତି । ଆପଣ ରସୁଣକୁ ଯେପରି ପ୍ରକ୍ରିୟାରେ ହେଉ ମଧ୍ୟ ନିଜ ଖାଦ୍ୟରେ ସାମିଲ କରିବା ଉଚିତ । ମାତ୍ର ପ୍ରତିଦିନ ସକାଳେ ଖାଲି ପେଟରେ ରସୁଣ ଖାଇବାଦ୍ୱାରା ଅଧିକ ଫାଇଦା ମିଳିଥାଏ । ଏଠାରେ ଆମେ ଏହି ରସୁଣ ମଧ୍ୟରେ ପୂରି ରହିଥିବା ଉପକାରୀ ଗୁଣ ବିଷୟରେ ନିମ୍ନରେ କିଛି ଟିପ୍ସ ଦେଇଛୁ ଯାହା ଆପଣଙ୍କ ହିତରେ କାର୍ଯ୍ୟକାରୀ ହୋଇପାରେ ।

ହୃଦୟ ରହିବ ସ୍ୱାସ୍ଥ୍ୟକର

ରସୁଣ ହୃଦୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ଦେଇଥାଏ । ରସୁଣ ଖାଇବାଦ୍ୱାରା ରକ୍ତ ଜମାଟ ବାନେ୍ଧ ନାହିଁ ଏବଂ ହୃଦରୋଗଜନିତ ସମସ୍ୟା କମ୍ ଦେଖାଯାଇଥାଏ । ରସୁଣ ଏବଂ ମହୁ ମିଶାଇ ଖାଇବାଦ୍ୱାରା ହୃଦୟ ପରିଷ୍କାର ରହିଥାଏ । ଯାହାଦ୍ୱାରା ହୃଜୟ ପର୍ଯ୍ୟନ୍ତ ସଠିକଭାବେ ରକ୍ତ ସଂଚାଳିତ ହୋଇଥାଏ ।

ଉଚ୍ଚ ରକ୍ତଚାପରୁ ମୁକ୍ତି

ରସୁଣ ଖାଇବାଦ୍ୱାରା ଉଚ୍ଚ ରକ୍ତଚାପରୁ ଆରାମ ମିଳିଥାଏ । ତେଣୁ ଉଚ୍ଚ ରକ୍ତଚାପରେ ପୀଡିତଥିବା ବ୍ୟକ୍ତିଙ୍କୁ ରସୁଣ ଖାଇବାପାଇଁ ପରାମର୍ଶ ଦିଆଯାଇଥାଏ ।

ପେଟଜନିତ ରୋଗରୁ ଉପଶମ

ଉଦର ବା ପେଟଜନିତ ରୋଗ ଯଥା ଡାଇରିଆ କିମ୍ବା କୋଷ୍ଠକାଠିନ୍ୟ ରୋଗରୁ ମୁକ୍ତି ରସୁଣକୁ ଔଷଧରୂପେ ବ୍ୟବହାର କରିବାଦ୍ୱାରା ସୁଫଳ ମିଳିଥାଏ । ପାଣିକୁ ଫୁଟାଇ ସେଥିମଧ୍ୟରେ କିଛି ରସୁଣ ପାଖୁଡା ପକାନ୍ତୁ । ଖାଲିପେଟରେ ଏହି ପାଣିକୁ ସେବନ କରନ୍ତୁ ଏହାଦ୍ୱାରା ପେଟ ରୋଗରୁ ସୁଫଳ ମିଳିବ । କେବଳ ଏହା ନୁହେଁ ଶରୀର ଭିତରେ ମହଜୁଦ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ଶରୀରରୁ ନିର୍ଗତ କରିବାରେ ସହାୟତା କରେ।

ପାଚନକ୍ରିୟାରେ ସାହାର୍ଯ୍ୟ କରେ

ରସୁଣରେ ପାଚନକ୍ରିୟା ଗୁଣ ପୂର୍ଣ୍ଣମାତ୍ରାରେ ଭରିରହିଛି । ଖାଲିପେଟରେ ରସୁଣପାଖୁଡା ଚୋବାଇବାଦ୍ୱାରା ହଜମ ପ୍ରକ୍ରିୟା ଭଲଭାବେ ହୋଇଥାଏ ଏବଂ ଭୋକ ମଧ୍ୟ ଲାଗେ ।

ଚିନ୍ତାରୁ ମୁକ୍ତି

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କି ରସୁଣ ଚିନ୍ତାରୁ ମୁକ୍ତିଲାଭ ପାଇଁ ମଧ୍ୟ ସାହାର୍ଯ୍ୟ କରିଥାଏ । ଅନେକ ସମୟରେ ପେଟ ଭିତରେ ଏପରି ଏସିଡ ପ୍ରସ୍ତୁତ ହୋଇଥାଏ ଯାହାଦ୍ୱାରା ମନଭିତରେ ଅସ୍ଥିରତା ଦେଖାଯାଇଥାଏ । ରସୁଣ ଏହି ଏସିଡ ପ୍ରସ୍ତୁତ ହେବାରୁ ରୋକିଥାଏ । ନିୟମିତ ରସୁଣ ସେବନଦ୍ୱାରା ମୁଣ୍ଡବ୍ୟଥା ମଧ୍ୟ ଦୂର ହୋଇଥାଏ ।

ଦାନ୍ତ ବ୍ୟଥାରୁ ମିଳେ ଆରାମ

ରସୁଣରେ ଏଂଟିବ୍ୟାକ୍ଟେରିଆଲ ଏବଂ ବ୍ୟଥା ନିବାରଣ ଗୁଣ ଭରପୁର ମାତ୍ରାରେ ପୂରିରହିଛି । ଯଦି ଆପଣଙ୍କ ଦାନ୍ତ ବ୍ୟଥା କରେ ରସୁଣର ଏକ ପାଖୁଡାକୁ ପେଶି ବ୍ୟଥା ହେଉଥିବା ସ୍ଥାନରେ ଲେପ ପ୍ରସ୍ତୁତ କରି ଲଗାନ୍ତୁ ଏହାଦ୍ୱାରା ଦାନ୍ତ ବ୍ୟଥାରୁ ଉପଶମ ମିଳିବ ।

ଥଣ୍ଡା-କାଶରୁ ଉପଶମ

ରସୁଣ ଖାଇବାଦ୍ୱାରା ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଥଣ୍ଡା,କାଶ, ଆଜ୍ମା,ନିମୋନିଆ , ବ୍ରୋଙ୍କାଇଟିସ ଭଳି ରୋଗର ଚିକିତ୍ସାପାଇଁ ଏହା ପ୍ରାକୃତିକ ଔଷଧ ଭଳି କାର୍ୟ୍ୟ କରିଥାଏ ।

ଲାଉ

ଶରୀର ପାଇଁ ଅନେକ ଉପକାରୀ ଲାଉ । ମାତ୍ର ଲାଉକୁ ଖାଦ୍ୟ ରୂପେ ବ୍ୟବହାର କରିବାକୁ ଅନେକ ଲୋକ ପସନ୍ଦ କରି ନଥାନ୍ତି । ତେବେ ଲାଉକୁ ରୋଷେଇ କରି ଖାଇବାଦ୍ୱାରା ଏବଂ ଏହାର ଜୁସ୍ ପିଇବାଦ୍ୱାରା କି କି ମିଳିଥାଏ ଜାଣିଲେ ଏହାପ୍ରତି ଆଗ୍ରହ ବଢିଯିବ ।ଏହି ପରିବାଟିରେ ପ୍ରାୟ ୯୦ ପ୍ରତିଶତ ଜଳ ରହିଛି । ଅତ୍ୟଧିକ ଜଳ ଥିବା କାରଣରୁ ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ସେଥିପାଇଁ ଗ୍ରୀଷ୍ମଦିନରେ ଝାଳ ବାହାରି ଶରୀରରେ ଜଳଶୁଷ୍କତା ଦେଖା ଯାଇଥାଏ । ତେବେ ଲାଉ ଖାଉଥିବା ଏବଂ ଏହାର ଜୁସ ପିଉଥିବା ବ୍ୟକ୍ତିଠାରେ ଜଳ ଶୁଷ୍କତା ଦେଖାଯାଇ ନଥାଏ ।

  • ନିଦ୍ରାହୀନତା ଭୋଗୁଥିବା ରୋଗୀ ପାଇଁ ଲାଉ ଉପକାରୀ । ଏଥିପାଇଁ ରସରେ ସାମାନ୍ୟ ରାଶି ତେଲ ମିଶାଇ ପିଇବାକୁ ପଡିଥାଏ ।
  • ଆଜିକାଲି ହୃଦ୍ ରୋଗରେ ପୀଡିତଙ୍କ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳୁଛି । ଅନୁଚିତ ଆହାର ଓ ଜୀବନଶୈଳୀରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ । ତେଣ ହୃଦୟକୁ ସୁସ୍ଥ ରଖିବା ପାଇଁ ଗୋଟେ କପ୍ ଲାଉ ଜୁସରେ ଟିକେ ଗୋଲମରିଚ ଏବଂ ସାମାନ୍ୟ ପୁଦିନା ରସକୁ ପକାଇ ନିୟମିତ ପିଇବା ଦରକାର ।
  • ପ୍ରଦୂଷିତ ବାତାବରଣ ଓ ଅପମିଶ୍ରଣ ଖାଦ୍ୟ ଖାଇବାଦ୍ୱାରା କେଶ ଝଡିବା ଓ କେଶ ପାଚିବା ପରି ରୋଗ ଦେଖା ଯାଇଥାଏ । ପ୍ରତିଦିନ ସକାଳୁ ଏକ ଗ୍ଲାସ୍ ଲାଉ ରସ ପିଇବାଦ୍ୱାରା କେଶ ପାଚିବା ସମସ୍ୟା ଏଡାଯାଇ ପାରିବ ।
  • ମୁଣ୍ଡରେ ରୁପି ହେଉଥିଲେ ଏହାକୁ ଅଳାଁ ରସ ସହ ମିଶାଇ ପିଇଲେ ଏହା ଦୂର ହୋଇଥାଏ ।
  • ଦୁଶ୍ଚିନ୍ତା ତଥା ମାନସିକ ଚାପରୁ ରକ୍ଷା ପାଇବାକୁ ହେଲେ ଏହାକୁ ଖାଆନ୍ତୁ । ଲାଉରେ ଥିବା ପିତ୍ତଶାମକ ଗୁଣ ଶରୀରକୁ କେବଳ ଥଣ୍ଡା ରଖେ ନାହିଁ ଏହା ମସ୍ତିସ୍କକୁ ମଧ୍ୟ ଶାନ୍ତ ରଖିଥାଏ ।
  • ଲାଉକୁ ଜୁସ କରି ପିଇବାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । କୋଲେଷ୍ଟରଲ ହ୍ରାସ ପାଇଁ ସକାଳୁ ସକାଳୁ ୨୦୦ଗ୍ରାମ୍ ଲାଉ ଜୁସ୍ ପିଅନ୍ତୁ । ନିୟମିତ ୨ ମାସ କରିବାପରେ କୋଲେଷ୍ଟରଲ ହ୍ରାସ ପାଇ ଥାଏ ।
  • ପ୍ରତିଦିନ ଖାଲି ପେଟରେ ଲାଉ ଜୁସ ପିଇବାଦ୍ୱାରା କୋଷ୍ଠକାଠିନ୍ୟ ଦୂର କରେ । ଖାଲି ସେତିକି ନୁହେଁ ପରିଶ୍ରାରେ ଅମ୍ଳର ମାତ୍ରା ବଢି ପରିଶ୍ରା ଜଳାପୋଡା କରିଥାଏ । ସକାଳୁ ଲାଉ ରସ ପିଇଲେ ପରିଶ୍ରାରୁ ଅମ୍ଳର ମାତ୍ରା ହ୍ରାସ ପାଇଥାଏ ।
  • କିଛି ଲୋକ ଲାଉ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ କିନ୍ତୁ ଶରୀରକୁ ସୁସ୍ଥ ରଖିବା ପାଇଁ ଲାଉ ସେବନ କରିବା ଜରୁୁରୀ । ଯଦି ଆପଣ ଲାଉ ତରକାରୀ ଖାଇବା ପାଇଁ ଆପଣ ପସନ୍ଦ କରୁ ନାହାନ୍ତି, ତେବେ ଲାଉର ଜୁସ୍ ମଧ୍ୟ ପିଇ ପାରିବେ ।

  • ଲାଉରେ ବହୁତ କମ ପରିମାଣର କ୍ୟାଲୋରି ଓ ଫ୍ୟାଟ ଥାଏ । ଯେଉଁ ମାନେ ପତଳା ହେବା ପାଇଁ ଡାଏଟିଂ କରୁଛନ୍ତି ବା ତନୁପାତଳୀ ଶରୀର ଚାହୁଁଛନ୍ତି, ସେମାନଙ୍କ ପାଇଁ ଲାଉ ଉପକାରୀ ସାବ୍ୟସ୍ତ ହେବ । ଏହାସହ ଲାଉରେ ଭରପୁର ପରିମାଣର ଫାଇବର ଥାଏ, ଯାହା ବହୁତ ସମୟ ଧରି ଆପଣଙ୍କୁ ଭୋକରୁ ମଧ୍ୟ ରକ୍ଷା କରେ ।
  • କୋଷ୍ଠକାଠିନ୍ୟର ଶିକାର ହେଉଥିଲେ ସକାଳୁ ଉଠି ଗୋଟିଏ ଗ୍ଲାସ ଲାଉ ଜୁସ୍ ପିଇବା ଦ୍ୱାରା ଏହି ରୋଗରୁ ମୁକ୍ତ ମିଳିଥାଏ । ଲାଉରେ ଥିବା ପୋଷକ ତତ୍ତ୍ୱ ପେଟକୁ ସଫା ରଖେ ଓ ପାଚନ ସମ୍ମନ୍ଧୀୟ ସମସ୍ୟରୁ ରକ୍ଷା କରିଥାଏ ।
  • ଲାଉ ରସକୁ ତେଲରେ ମିଶାଇ ମୁଣ୍ଡରେ ଲଗାଇବା ଦ୍ୱାରା କେଶ ଝଡୁଥିବା ସମସ୍ୟାରୁ ରକ୍ଷା ମିଳେ । ଏହାସହ ଧଳା ହୋଇଯାଉଥିବା କେଶ ପାଇଁ ମଧ୍ୟ ଲାଉ ଜୁସ୍ ବହୁତ ଉପକାରୀ ।
  • ଲାଉକୁ ମେଦବହୁଳତ ରୋଗୀମାନେ ଖାଲି ପେଟରେ ଲାଉ ସେବନ କରିବା ଦ୍ୱାରା ଆରାମ ମିଳିଥାଏ ଏହାର ଜୁସ୍ ମଧ୍ୟ ମେଦବହୁଳତ ରୋଗୀ ପାଇଁ ବହୁତ ଉପକାରୀ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

1.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top