ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ସର୍ପ ଦଂଶନ ଜନିତ ମୃତ୍ୟୁ ଏବଂ ଚିକିତ୍ସା
ସେଆର କରନ୍ତୁ

ସର୍ପ ଦଂଶନ ଜନିତ ମୃତ୍ୟୁ ଏବଂ ଚିକିତ୍ସା

ସର୍ପ ଦଂଶନ ଜନିତ ମୃତ୍ୟୁ ଏବଂ ଚିକିତ୍ସା ସମ୍ବନ୍ଧରେ ସୂଚନା ।

ସାପ କାମୁଡା ଜନିତ ସାବଧାନତା

“ବିଷାକ୍ତ ଓ ବିଷହୀନ ଏହିପରି ଦୁଇ ପ୍ରକାର ସାପ ଥାଆନ୍ତି । କେତେକ ସାପ ସ୍ଥଳ ଭାଗ ଓ ଗଛ ଆଦିରେ ରହୁଥିବା ବେଳେ ଅନ୍ୟ କେତେକ ପାଣିରେ ରହିଥାନ୍ତି । ସାପ ଶୀତଳ ରକ୍ତ ବିଶିଷ୍ଟ ପ୍ରାଣୀ ହୋଇଥିବାରୁ ଶୀତଦିନେ ଗାତରେ ଏବଂ ଖରାଦିନେ ଓ ବର୍ଷା ଦିନରେ ଗାତା ବାହାରେ ରହିଥାଏ । ସାଧାରଣତଃ ମୂଷା, ବେଙ୍ଗ ଓ ଛୋଟ ଜନ୍ତୁ, ଚଢେଇଛୁଆ ଓ ଅଣ୍ଡା ଇତ୍ୟାଦି ଖାଇବା ପାଇଁ ଏହା ଘରେ ଓ ଖଳାବାଡିରେ, ଜମି ହିଡରେ, ବୁଦାରେ ଓ ହୁଙ୍କା ମାନଙ୍କରେ ଥାଏ । ଅକସ୍ମାତ ଗୋଡ ପଡିଗଲେ ଆଘାତ ଆସିଲେ କାମୁଡିଥାଏ । ସାଧାରଣତଃ ନାଗ, ଗୋଖର, ରଣା, ତମ୍ପ, ଚିତି, ବୋଡା, ଗଛରେ ରହୁଥିବା ରାଟଲସାପ ଇତ୍ୟାଦି ଶତାଧିକ ବିଷଯୁକ୍ତ ଅଟନ୍ତି । ସେମାନଙ୍କ ମଧ୍ୟରେ ତମ୍ପ, ନାଗ, ଗୋଖର ଓ ରଣା ସାପ ପ୍ରାୟତଃ କାମୁଡିଲେ ଓ ତା’ର କୌଣସି ଠିକ ଚିକିତ୍ସା ନ କଲେ ମୃତ୍ୟୁ ହୋଇଥାଏ ।"

ଆମ ଦେଶ ଓ ରାଜ୍ୟ ଏକ ମୌସୁମୀ ପ୍ରଧାନ ଓ କୃଷିକର୍ମ ଯୁକ୍ତ ଅଞ୍ଚଳ ରୂପେ ପରିଗଣିତ । ସାଧାରଣତଃ ଲୋକମାନେ ଜୀବନ ଧାରଣ ପାଇଁ ଜମିବାଡି, ବଣ ଜଙ୍ଗଲ ଓ ବାହାର ସ୍ଥାନରେ କାମ କରିଥାନ୍ତି । ଅନେକ ସମୟରେ ଗାଁ ଗଣ୍ଡା ଓ ସହରର ବସ୍ତିରେ ତଳୁଆ, ପାଣି ପଶିଯାଉଥିବା ଓ ଘରଟି ସମ୍ପୂର୍ଣ୍ଣ ରୂପେ ବାହ୍ୟ ଜନ୍ତୁଜୁନ୍ତାଙ୍କ ଠାରୁ ବନ୍ଦ ନ ହୋଇ ପାରୁଥିବା ଦେଖାଯାଇଥାଏ । ଏହାଦ୍ୱାରା ଘର ମଧ୍ୟରେ ଓ ବାହାରେ ବିଶେଷତଃ ବର୍ଷା ଓ ଧାନ ତଥା ଅନ୍ୟ ଫସଲ ଅମଳ ସମୟରେ ମୂଷା ଓ ଅନ୍ୟାନ୍ୟ କୀଟ ଏବଂ ତୃଣଭୋଜୀ ଛୋଟ ପ୍ରାଣୀମାନେ ବୃଦ୍ଧି ପାଇଥାନ୍ତି । ସେମାନଙ୍କୁ ଖାଇବା ପାଇଁ ସାପମାନେ ମଧ୍ୟ ଘରକୁ ପଶିଥାଆନ୍ତି । ବିଲରେ କାମ କରିବା ବେଳେ, ଅନ୍ଧାରରେ ବାହାରକୁ ଗଲା ବେଳେ, ରାତିରେ ଚଟାଣରେ ଶୋଇଥିବା ବେଳେ ଓ ବହୁ ସମୟରେ ଅସାବଧାନତାରୁ ସର୍ପ ଦଂଶନ ହୋଇଥାଏ । ଆମ ପରମ୍ପରାରେ ସାପମାନଙ୍କୁ ବିଶେଷତଃ ‘ନାଗ’ ଭାବରେ ପୂଜା କରାଯାଇଥାଏ । ଶିବଙ୍କ ବେକରେ ସାପ ଶୋଭାପାଇଥାନ୍ତି ।

ସମ୍ପ୍ରତି ସରକାରୀ ଆକଳନରୁ ଜଣାଯାଇଛି ଯେ, ୨୦୧୫ – ୧୬ ରୁ ୨୦୧୭-୧୮ ତିନିବର୍ଷ ମଧ୍ୟରେ ବିଭିନ୍ନ ବିପର୍ଯ୍ୟୟ ଯୋଗୁ ମୋଟ ୪୬୮୯ ଜଣ ପ୍ରାଣ ହରାଇଥିବା ବେଳେ ସେଥିରୁ କେବଳ ସାପ କାମୁଡା ଯୋଗୁ ୧୭୧୬ ଜଣଙ୍କର ଅର୍ଥାତ ୩୭% ଭାଗ ସାପ କାମୁଡାରୁ ମରିଛନ୍ତି । ୨୦୧୫-୧୬ ରେ ଏହା ୪୪୬ ଥିବା ବେଳେ, ୨୦୧୭-୧୮ ରେ ସାପ କାମୁଡା ଯୋଗୁ ୬୭୬ ଜଣ ମରିଛନ୍ତି । ଏହା ୫୬% ବୃଦ୍ଧି ପାଇଛି ।

ରାଜ୍ୟରେ ସାପକାମୁଡାଜନିତ ମୃତ୍ୟୁ ସଂଖ୍ୟା ବାଲେଶ୍ଵରରେ ସର୍ବାଧିକ ୧୬୮ ରହିଥିବା ବେଳେ ଗଞ୍ଜାମରେ ୧୪୭ ଓ କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ପ୍ରତ୍ୟକ ୧୪୫ ଜଣ ରହିଛି । ମୋଟ ସାପକାମୁଡାଜନିତ ମୃତ୍ୟୁର ୮୫ ଭାଗ ମେ ଠାରୁ ଅକ୍ଟୋବର ଏହି ୬ ମାସ ମଧ୍ୟରେ ହୋଇଥାଏ । ଏହି ସମୟରେ ବର୍ଷା ଓ ବନ୍ୟା ହେଉଥିବାରୁ ଏହି ସଂଖ୍ୟା ଅଧିକ ହୋଇଥାଏ । ଗତ ତିନିବର୍ଷରେ ମୃତ୍ୟୁସଂଖ୍ୟା ମଧ୍ୟରୁ ଜୁଲାଇରେ ସର୍ବାଧିକ ୩୧୪ ଜଣ, ଅଗଷ୍ଟରେ ୩୦୬, ଜୁନରେ ୨୮୧, ସେପ୍ଟେମ୍ବରରେ ୨୫୩, ମେରେ ୧୫୬ ଓ ଅକ୍ଟୋବରରେ ୧୫୪ ଜଣ ମରିଥିବା ରେକର୍ଡ ରହିଛି । ଏହି ସଂଖ୍ୟା ବେସରକାରୀ ଭାବେ ଅଧିକ ହୋଇପାରେ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ୨୦୧୭-୧୮ରେ ମୋଟ ୧୧ ହଜାର ୧ ଜଣ ଚିକିତ୍ସିତ ହୋଇଛନ୍ତି । ସେହିରୁ ୬୯୬ ଜଣ ମୃତ୍ୟୁବରଣ କରିଛନ୍ତି । ଏତେ ସଂଖ୍ୟକ ସାପ କାମୁଡାକୁ ରୋକିବା ଓ ମୃତ୍ୟୁ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ଯୋଜନା-ଜଙ୍ଗଲ ଓ ପରିବେଶ ବିଭାଗ, ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗକୁ ନେଇ କରୁଥିବାର ଜଣାପଡିଛି । ଅନ୍ୟ ବିପର୍ଯ୍ୟୟଜନିତ ମୃତ୍ୟୁ ପରି ଏହା ଜଣାପଡୁ ନ ଥିଲେ ହେଁ ସର୍ବାଧିକ ସଂଖ୍ୟାର ମୃତ୍ୟୁ ଏହା ଯୋଗୁ ହିନ ହେଉଛି ।

ସେହିପରି ଆମ ଦେଶରେ ପ୍ରତିବର୍ଷ ସାପକାମୁଡା ୪୬୦୦୦ ଲୋକ ମୃତ୍ୟୁବରଣ କରିଥାନ୍ତି । ଏହାଠାରୁ ଅଧିକ ସଂଖ୍ୟାର ମୃତ୍ୟୁରିପୋର୍ଟ ହୋଇ ନ ଥାଏ । ସାରା ବିଶ୍ଵରେ ମଧ୍ୟ ପ୍ରତିବର୍ଷ ୧ ଲକ୍ଷରୁ ଅଧିକ ଲୋକ ସର୍ପାଘାତଜନିତ ମୃତ୍ୟୁବରଣ କରିଥାନ୍ତି । ଏହା ମଧ୍ୟରୁ ଅଧାଲୋକଙ୍କର ମୃତ୍ୟୁ ଆମ ଦେଶରେ ଘଟେ ।

ସାରା ବିଶ୍ଵରେ ପ୍ରତିବର୍ଷ ୧୨୦ ଲକ୍ଷରୁ ୫୫୦ ଲକ୍ଷ ପର୍ଯ୍ୟନ୍ତ ସର୍ପାଘାତ ହୋଇଥାଏ ଓ ତନ୍ମଧ୍ୟରୁ ୪ ଲକ୍ଷ ୨୧ ହଜାରରୁ ୧୮ ଲକ୍ଷ ୪୧ ହଜାର ବିଷାକ୍ତ ସର୍ପ ଦଂଶନ ହୋଇଥାଏ । ଏଥିରୁ ୨୦,୦୦୦ରୁ ୧ ଲକ୍ଷ ପର୍ଯ୍ୟନ୍ତ ମୃତ୍ୟୁମୁଖରେ ପଡିଥାନ୍ତି ।

ବିଷାକ୍ତ ଓ ବିଷହୀନ ଏହିପରି ଦୁଇ ପ୍ରକାର ସାପ ଥାଆନ୍ତି । କେତେକ ସାପ ସ୍ଥଳ ଭାଗ ଓ ଗଛ ଆଦିରେ ରହୁଥିବା ବେଳେ ଅନ୍ୟ କେତେକ ପାଣିରେ ରହିଥାନ୍ତି । ସାପ ଶୀତଳ ରକ୍ତ ବିଶିଷ୍ଟ ପ୍ରାଣୀ ହୋଇଥିବାରୁ ଶୀତଦିନେ ଗାତରେ ଏବଂ ଖରାଦିନେ ଓ ବର୍ଷା ଦିନରେ ଗାତ ବାହାରେ ରହିଥାଏ । ସାଧାରଣତଃ ମୂଷା, ବେଙ୍ଗ ଓ ଛୋଟ ଜନ୍ତୁ, ଚଢେଇଛୁଆ ଓ ଅଣ୍ଡା ଇତ୍ୟାଦି ଖାଇବା ପାଇଁ ଏହା ଘରେ ଓ ଖଳାବାଡିରେ, ଜମି ହିଡରେ, ବୁଦାରେ ଓ ହୁଙ୍କାମାନଙ୍କରେ ଥାଏ । ଅକସ୍ମାତ ଗୋଡ ପଡିଗଲେ ଆଘାତ ଆସିଲେ କାମୁଡିଥାଏ ।

ସାଧାରଣତଃ ନାଗ, ଗୋଖର, ରଣା, ତମ୍ପ, ଚିତି, ବୋଡା, ଗଛରେ ରହୁଥିବା ରାଟଲସାପ ଇତ୍ୟାଦି ଶତାଧିକ ବିଶଯୁକ୍ତ ଅଟନ୍ତି । ସେମାନଙ୍କ ମଧ୍ୟରେ ତମ୍ପ, ନାଗ, ଗୋଖର ଓ ରଣା ସାପ ପ୍ରାୟତଃ କାମୁଡିଲେ ଓ ତା’ର କୌଣସି ଠିକ ଚିକିତ୍ସା ନ କଲେ ମୃତ୍ୟୁ ହୋଇଥାଏ । ସାପ କାମୁଡାର ୮୦% ବିଷହୀନ ସାପ ଯଥା ଧଣ୍ଡ, ଢମଣା, କାଣ୍ଡନଳ ସାପ ଦ୍ଵାରା ହୋଇଥାଏ । ମାତ୍ର ବିଷହୀନ ହେଉ ବା ବିଷଯୁକ୍ତ ହେଉ ସାପ କାମୁଡିଲେ କାଳ ବିଳମ୍ବ ନ କରି ଚିକିତ୍ସା କରାଇବା ଉଚିତ ।

ଯଦିଓ ଝଡାଫୁଙ୍କା, ଗଦ ଓ ଜାରମହୁରା ଆଦି ଦ୍ଵାରା ଓ ମନ୍ଦିରକୁ ଯାଇ ପାଣି ଢାଳିବା ପରି ଅନେକ ଆବହମାନ କାଳରୁ ପ୍ରଚଳିତ ବ୍ୟବସ୍ଥା ଇତ୍ୟାଦି ଅନୁପଯୋଗୀ ବୋଲି କହିହେବ ନାହିଁ । ତଥାପି ସେସବୁର ସମୟ ନଷ୍ଟ ନ କରି ଚିକିତ୍ସା ମାଧ୍ୟମରେ ସାପକାମୁଡାଜନିତ ମୃତ୍ୟୁକୁ ୧୦୦% ଏଡାଯାଇପାରିବ ।

ପ୍ରଥମତଃ ସାପଟିକୁ ଚିହ୍ନିବାକୁ ପଡିବ, ଅନେକ କ୍ଷେତ୍ରରେ ଏହା ହୋଇପାରି ନ ଥାଏ । କେଉଁ ସ୍ଥାନକୁ କାମୁଡିଛି, ମୁହଁ, ମୁଣ୍ଡ ଉପର ଭାଗ ଶରୀର ହୋଇଥିଲେ ବିପଦପୂର୍ଣ୍ଣ । ଗୋଡ କିମ୍ବା ହାତ ହୋଇଥିଲେ ବେଳେବେଳେ ଲୁଗା ବା ଦଉଡି ଦ୍ଵାରା ଗଣ୍ଠି ପକାଇ ଦିଅନ୍ତି ଓ ପଟି ବାନ୍ଧନ୍ତି । ଏହା ବିଷକୁ ସହଜରେ ରକ୍ତରେ ମିଶିବାକୁ ଦେଇ ନ ଥାଏ । ମାତ୍ର ଏହା ମଧ୍ୟ ବିପଦପୂର୍ଣ୍ଣ ହୋଇଥାଏ, କାରଣ ଖୋଲିବା ସଙ୍ଗେ ସଙ୍ଗେ ଏହା ଖୁବ୍ ଶୀଘ୍ର ରକ୍ତରେ ମିଶିଯାଏ । ବନ୍ଧା ଯାଇଥିବା ସ୍ଥାନଟି ରକ୍ତ ସଞ୍ଚାରଣ ଅଭାବରୁ ଗୋଦରା ହୋଇଯାଏ । ସାପର ବିଷ ମୁଖ୍ୟତଃ ୨ ପ୍ରକାରର – ଗୋଟିଏ ପ୍ରକାର ହେଉଛି ରକ୍ତକୁ ପାଣି ଫଟେଇ ଦିଏ ଓ ଅକାମୀ କରି ପକାଏ – ହିମୋଲାଇଟିକ ଫଳରେ ଶକ୍ ଓ ମୃତ୍ୟୁ ହୋଇଥାଏ । ଅନ୍ୟଟି ସ୍ନାୟୁ ବିନାଶ କାରୀ ବା ନ୍ୟୁରୋଜେନିକ, ଏହା ଦ୍ଵାରା ସ୍ନାୟୁ ଅକାମି ହୋଇ ମୃତ୍ୟୁ ହୋଇଥାଏ । ଅନେକ ସମୟରେ ଦୁଇ ପ୍ରକାରର ଲକ୍ଷଣ ମଧ୍ୟ ପ୍ରକାଶ ପାଇଥାଏ । ନାଗ, ଗୋଖର, ଚିତି ସ୍ନାୟୁ ବିଷଯୁକ୍ତ, ବୋଡା ରକ୍ତ ନଷ୍ଟକାରୀ ବିଷଯୁକ୍ତ ଓ ରଣା ଏବଂ ତମ୍ପ ଉଭୟ ବିଷଯୁକ୍ତ ଅର୍ଥାତ ରଣା ଅଧିକ ସ୍ନାୟୁ ଓ ତମ୍ପ ଅଧିକ ରକ୍ତ ବିଷଯୁକ୍ତ ହୋଇଥାଏ ।

ପ୍ରଥମତଃ କାମୁଡିଥିବା ସ୍ଥାନକୁ ଭଲ ଭାବରେ ଦେଖିଲେ ଜଣାଯାଏ ଯେ ଦୁଇଟି ପାଖାପାଖି ସମାନ ଭାବେ ଛୁଞ୍ଚି ଫୋଡିବା ପରି ଚିହ୍ନ ଥାଏ । ଏହାକୁ କାମୁଡା ଚିହ୍ନ କୁହାଯାଏ । ସାପଟି ଯଦି ବହୁ ଦିନ ହେଲା ଆଘାତ ନ କରି ରହନ୍ତି ତା’ହେଲେ ଅଧିକ ବିଷ ଝଡିଥାଏ । ପୁନଶ୍ଚ ଯଦି ଭଲ ଭାବେ ଓ ଜୋର ସହିତ କାମୁଡିଥାଏ ତା’ହେଲେ ଅଧିକ ବିଷ ଛାଡିଥାଏ । ଅତ୍ୟଧିକ ରାଗରେ ଫଣାଟେକି ଖୁବ୍ ବେଗରେ କାମୁଡିଲେ ମଧ୍ୟ ଅତ୍ୟଧିକ ବିଷ ଯାଇଥାଏ । ସାପର ଦାନ୍ତ ଦୁଇଟି ଓ ଏହା ଆମର ଇଞ୍ଜେକ୍ଶନ ଛୁଞ୍ଚି ପରି କାମ କରିଥାଏ । ତା’ର ଥିବା ବିଷ ଗ୍ରନ୍ଥିରୁ ଗାଢ ଓ ତରଳ ବିଷ ଶରୀର ମଧ୍ୟକୁ ଦାନ୍ତ ଦେଇ ପ୍ରବେଶ କରିଥାଏ । ଦାନ୍ତ (ବିଷଦାନ୍ତ) ରେ କଣା ଥାଏ । କେଳା ଓ ସାପୁଆମାନେ ବିଷଧର ସାପ ଧରିବା ପରେ ତା’ର ବିଷଦାନ୍ତ ଭାଙ୍ଗିଦେଇଥାନ୍ତି । ସାପୁଆ କେଳାମାନେ ମଧ୍ୟ ଗାଁ ଗହଳି ଓ ସହର ବଜାରରେ ସାପ ଖେଳାଇ, ଗଦ ଜରମହୁରା ତଥା ଡେଉଁରିଆ ବିକି ଜୀବନ ନିର୍ବାହ କରୁଥିଲେ । ଏବେ ଏହା ଆଇନତଃ ବନ୍ଦ ହୋଇଛି । ଭୁବନେଶ୍ୱର ‘ପଟିଆ’ ସାପମାନଙ୍କର ଏକ ପ୍ରମୁଖ ସ୍ଥାନ ଥିଲା ।

ଏହିପରି ଚିହ୍ନ ଥିଲେ ଓ ସାପ କାମୁଡିବାର ଜଣାପଡିଲେ ସଙ୍ଗେ ସଙ୍ଗେ ସମୟ ନଷ୍ଟ ନ କରି ଡାକ୍ତରଖାନାରେ ଚିକିତ୍ସା କରାଇବା ଉଚିତ । ଯଦି ୧୦୦% ଜଣାପଡେ ଯେ ସାପଟି ବିଷାକ୍ତ ନୁହେଁ ତା’ହେଲେ ମଧ୍ୟ ଅତିକମ୍ ରେ ଟିଟାନସ୍ ଇଞ୍ଜେକ୍ଶନ ତିନେ ନେବା ଉଚିତ ଓ ରକ୍ତ ପରୀକ୍ଷା କରାଇନେବା ଦରକାର । ଏଥି ନିମନ୍ତେ ଗୋଟିଏ ନୂଆ ୫ ମି.ଲି. ସିରିଞ୍ଜରେ ୫ ମି.ଲି. ରକ୍ତ ଟଣାଯାଇ ରଖାଯାଇଥାଏ । ଏହି ରକ୍ତ ଜମାଟ ବାନ୍ଧୁଛି ନା ନାହିଁ ଦେଖାଯାଏ । ରକ୍ତ ଜମାଟ ନ ବାନ୍ଧିଲେ ସାପ ବିଷ ଯୁକ୍ତ ହୋଇଛି ବୋଲି ଜଣାଯାଏ । ଏହାକୁ ଡବ୍ଲ୍ୟୁସିଟି ପରୀକ୍ଷା କୁହାଯାଏ । ପ୍ରକାରାନ୍ତେ ସାପ ବିଷର ପରୀକ୍ଷା ମଧ୍ୟ କରାଯାଇପାରିବ, ମାତ୍ର ଏହା ଏଠାରେ ଉପଲବ୍ଧ ନୁହେଁ ।

ସାପ କାମୁଡ଼ା ଏବଂ ଚିକିତ୍ସା

ସାପ କାମୁଡ଼ା ଓଡ଼ିଶାରେ ବିଶେଷ ଭାବେ ଦେଖାଯାଏ । ତେବେ ସାପ କାମୁଡ଼ା ସମୟରେ ଚିକିସ୍ଥା ଅପେକ୍ଷା ସଚେତନତା ଅଭାବରୁ ରୋଗୀକୁ ମୁମୂର୍ଷୁ କରିଦିଆଯାଉଥିବା ଅଭିଯୋଗ ଆସିଥାଏ ।

ସାପ ସାଧାରଣତଃ ଦୁଇ ପ୍ରକାର । ଗୋଟିଏ ବିଷଧର ଓ ଅନ୍ୟଟି ବିଷହୀନ । ବିଷହୀନ ସାପ କାମୁଡ଼ିଲେ, କୌଣସି କ୍ଷତି ହୁଏନାହିଁ । କିନ୍ତୁ ବିଷଧର ସାପ କାମୁଡ଼ିଲେ ୧୫ରୁ ୨୦ ମିନିଟ ମଧ୍ୟରେ ବିଷ କ୍ରିୟା ଜଣାପଡ଼େ । ବିଷଧର ସାପ ପୁଣି ଦୁଇ ଶ୍ରେଣୀର । ଗୋଟିଏ ହେଲା ଗୋଖର ବା ନାଗ ଶ୍ରେଣୀର ଓ ଅନ୍ୟଟି ବୋଡ଼ା ଶ୍ରେଣୀର । ସାପ କାମୁଡ଼ିଲେ, ଏହାର ଦ°ଶନ ସ୍ଥାନରେ ଦୁଇଟି ଦାନ୍ତ ଚିହ୍ନ ଦେଖାଯାଇଥାଏ । ସ୍ଥାନଟି ଫୁଲିଯିବା ସହ ଯନ୍ତ୍ରଣା ଦେଇଥାଏ । ଏହି ସମୟରେ ଦେହ ଝିମ୍ ଝିମ୍ ଲାଗିବା ସହ କେତେକ କ୍ଷେତ୍ରରେ ରକ୍ତସ୍ରାବ ହୁଏ । ଜଣ ଜଣଙ୍କ ଶରୀର କ୍ରମଶଃ ନୀଳ ପଡ଼ିଯାଏ।

ବିଷାକ୍ତ ପ୍ରଜାତିର ନାଗ କିମ୍ବ । ଗୋଖର ସାପ କାମୁଡ଼ିଲେ, ବିଶେଷକରି ମସ୍ତିଷ୍କ ଓ ସ୍ନାୟୁ କ୍ଷତିଗ୍ରସ୍ତ ହୋଇଥାଏ । ସାପ କାମୁଡ଼ିଥିବା ଲୋକର ଆଖିପତା ପଡ଼ିଆସିଥାଏ ଯାହାଫଳରେ ସେ ପ୍ରତିଟି ଜିନିଷକୁ ଦୁଇ ଦୁଇଟା ଦିଶିବା ସହ ଆଉ କେତେକ କ୍ଷେତ୍ରରେ ଝାପସା ଦିଶିଥାଏ । ପକ୍ଷାଘାତ ରୋଗୀପରି ହାତଗୋଡ଼ ଦୁର୍ବଳ ହେବା ସହ ଶରୀର ଥକା ଲାଗିଥାଏ । ଜଣେ ଜଣେ ବେହୋସ ହୋଇଯାଆନ୍ତି । ତେବେ ଏହା ଭିତରେ ଶ୍ଵାସକ୍ରିୟା ବନ୍ଦ ହୋଇଗଲେ ସବୁକିଛି ନିୟନ୍ତ୍ରଣା ବାହାରକୁ ଚାଲିଯାଏ । ତେବେ ବୋଡ଼ା ପ୍ରଜାତିର ସାପ କାମୁଡ଼ିଲେ, ବିଶେଷକରି ରକ୍ତ କୋଷ କ୍ଷତିଗ୍ରସ୍ତ ହୋଇଥାଏ । କେବଳ ସେତିକି ନୁହେଁ ପ୍ରବଳ ଭାବରେ ମୁଣ୍ଡବ୍ୟଥା ହୋଇ ଲୋକଟି ବାଚଳ ପରି ଅବଶ ହୋଇ ବାନ୍ତି କରିଥାଏ । ଗୁରୁତର କ୍ଷେତ୍ରରେ କଫରେ ରକ୍ତପଡ଼ିବା ସହ ପରିସ୍ରା ମଧ୍ୟ ବନ୍ଦ ହୋଇଯାଇଥାଏ ।

ଖରାଦିନରେ ଗାତ ବାହାରୁ ସାପମାନେ କିଛି କ୍ଷେତ୍ରରେ ବୁଲାବୁଲି କରିବା ସହ ବର୍ଷାଦିନରେ ସେମାନଙ୍କ ଗାତରେ ପାଣି ପଶିଯାଉଥିବାରୁ ପ୍ରାୟତଃ ବାହାରକୁ ଚାଲିଆସନ୍ତି । ତେବେ ଗ୍ରାମାଞ୍ଚଳରେ ରାତିରେ ଶୋଇଲାବେଳେ ମଶାରୀ ବ୍ୟବହାର ଖୁବ ଭଲ କାରଣ ନିବୁଜ ମଶାରୀ ଭିତରକୁ ସାପମାନେ ଯିବା ସମ୍ଭବ ହୋଇପାରି ନଥାଏ । ତେବେ ନିଜ ପରିବେଶକୁ ପରିଷ୍କାର କଲେ ଏହା ସାପର ନିରାପଦସ୍ଥଳୀ ହୋଇପାରିବ ନାହିଁ । ଆମ ରାଜ୍ୟରେ ଲୋକମାନେ ଭ୍ରାନ୍ତଧାରଣାର ଶିକାର ହୋଇ ଗୁଣାଗାରେଡ଼ି ଓ ଅନ୍ୟାନ୍ୟ ତୁଟୁକା ଚିକିତ୍ସା କରି ଶେଷ ମୁହୁର୍ତ୍ତରେ ଡାକ୍ତରଖାନାକୁ ଯାଇଥାନ୍ତି । ତେବେ ସାପ କାମୁଡ଼ିଥିବା କ୍ଷେତ୍ରରେ ଧୌର୍ଯ୍ୟହରା ନହେଲେ ଲୋକକୁ ଆଶ୍ଵସନା ଦିଅନ୍ତୁ । ଆତ୍ମପ୍ରତ୍ୟୟ ସୃଷ୍ଟି ହୋଇପାରିଲେ ଲୋକଟି ଭିତରୁ ଭୟ ଅପସରି ଯିବ । ଏ କ୍ଷେତ୍ରରେ ଲୋକକୁ ଚିତ କରି ଶୁଆଇ ଦିଅନ୍ତୁ । ହଲଚଲ ହେବାକୁ ସୁଯୋଗ ନଦେବା ସହ ସାପ କାମୁଡ଼ିଥିବା ସ୍ଥାନକୁ ପରିଷ୍କାର ଭାବରେ ସାବୁନ କିମ୍ବା ଡେଟଲରେ ଧୋଇଦିଅନ୍ତୁ । ସୁବିଧା ଥିଲେ ବରଫ ବ୍ୟବହାର କରିପାରନ୍ତି ତେବେ କାମୁଡ଼ିଥିବା ସ୍ଥାନର ଉପର ଅଂଶକୁ ସର୍ବପ୍ରଥମେ ବାନ୍ଧି ଦିଅନ୍ତୁ । ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ର କିମ୍ବା ଡାକ୍ତରଖାନାକୁ ରୋଗୀକୁ ତୁରନ୍ତ ନିଅନ୍ତୁ । ସାପ କାମୁଡ଼ିବାର ଚିକିତ୍ସା ପାଇଁ ସରକାର ଡାକ୍ତରଖାନାରେ ବିନା ମୂଲ୍ୟରେ ଇଞ୍ଜେକ୍ସନ ଯୋଗାଇ ଦେଇଛନ୍ତି । କେହି କେହି ସାପକାମୁଡ଼ିଥିବା ସ୍ଥାନକୁ କାଚ ଓ ବ୍ୟବହୃତ ଖଡ଼ିକା ଦ୍ଵାରା ଖଣ୍ଡିଆ କରିବା ସହିତ ଆଉ କେହି କେହି ଉକ୍ତ ସ୍ଥାନକୁ କିରାସିନି ବା ପେଟ୍ରୋଲ ବ୍ୟବହାର କରି ପୋଡ଼ିଥାନ୍ତି, ଯାହା ରୋଗୀଟି ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ।

ସଂଗୃହୀତ –

  • ଡା. ରାମଚନ୍ଦ୍ର ରାଉତ
  • ଡାକ୍ତର ପୂର୍ଣ୍ଣଶଶୀ ଦାସ, କଟକ
0.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top