ମାଗଣା ୧୦୮ ଜରୁରୀକାଳିନ ଆମ୍ବୁଲାନ୍ସ ସେବା :

ରାଜ୍ୟବାସୀଙ୍କୁ ସବୁ ସମୟରେ ଆବଶ୍ୟକତା ମୁତାବକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲକ୍ଷ୍ୟରେ ଆଉ ପାଦେ ଆଗେଇ ଯାଇ ଓଡିଶା ସରକାର ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଆରମ୍ଭ କରିଛନ୍ତି ମାଗଣା ୧୦୮ ଜରୁରୀକାଳିନ ଆମ୍ବୁଲାନ୍ସ ସେବା ।

୧୦୮ ନମ୍ବରକୁ ଫୋନ କରି ଜରୁରୀକାଳିନ ଅବଶ୍ୟକତା ସମୟରେ ରୋଗୀକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ମାଗଣାରେ ଆମ୍ବୁଲାନ୍ସ ସୁବିଧା ମିଳିପାରିବ ।

ଏହା ଏବେ ଓଡିଶାର ୧୯ଟି ଜିଲ୍ଲାରେ ସଫଳତାର ସହିତ କାର୍ଯ୍ୟ କରୁଛି ଏବଂ ଖୁବ ଶୀଘ୍ର ରାଜ୍ୟର ଅନ୍ୟସବୁ ଜିଲ୍ଲାକୁ ସଂପ୍ରସାରିତ ହେବ ।

ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି :

ରାଜ୍ୟର ସମସ୍ତ ବିପିଏଲ ପରିବାର, ଗ୍ରାମାଞ୍ଚଳରେ ୪୦ହଜାର ଏବଂ ସହରାଞ୍ଚଳରେ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ଏପିଏଲ ପରିବାର, ରେଜେଷ୍ଟ୍ରିଭୁକ୍ତ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର , ଅନାଥାଶ୍ରମ , ନିରାଶ୍ରୟସ୍ଥଳର ଅନ୍ତେବାସୀ ଏବଂ ଦୁର୍ଘଟଣାଗ୍ରସ୍ତ ଅଜଣା ବ୍ୟକ୍ତିଙ୍କ ପାଇଁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିବ ଏହି ପାଣ୍ଠିରୁ ।

ଆବେଦନ ଫର୍ମ ଚିକିତ୍ସକ ହେଉଥିବା ସରକାରୀ ଡାକ୍ତରଖାନା, ଚିହ୍ନଟ କରାଯାଇଥିବା ଘରୋଇ ଡାକ୍ତରଖାନାରେ ମିଳିବ । ଏହାକୁ ପୂରଣ କରି ପରିଚୟ ପତ୍ର, ଆୟର ପ୍ରମାଣ ପତ୍ର ସହ ଚିକିତ୍ସିତ ହେଉଥିବା ଡାକ୍ତରଖାନାର ମୁଖ୍ୟଙ୍କ ନିକଟରେ ଦାଖଲ କରିବାକୁ ହେବ ।

ଏହା ମଞ୍ଜୁର ହେଲେ ରୋଗୀଙ୍କ ଚିକିତ୍ସା ପାଇଁ ସମ୍ପୃକ୍ତ ଅନୁଷ୍ଠାନ ଦ୍ଵାରା କରାଯାଇଥିବା ଖର୍ଚ୍ଚ ଭରଣା କରାଯିବ ।

ବିଜୁ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ଶିବିର :

ପ୍ରତି ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇ ରାଜ୍ୟର ୧୦୦ଟି ସ୍ଥାନରେ ଗ୍ରାମାଞ୍ଚଳର ୨ଲକ୍ଷ ରୋଗୀଙ୍କର ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା ସହାୟତା ପ୍ରଦାନ ।

ସ୍ୱାସ୍ଥ୍ୟ ସଂଯୋଗ ଅଭିଯାନ :

ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେ ୧୦୧ ମୋବାଇଲ ସ୍ବାସ୍ଥ୍ୟସେବା ୟୁନିଟ ସହାୟତାରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଣ ।

ବିଜୁ କୃଷକ କଲ୍ୟାଣ ଯୋଜନା :

କୃଷକ ଏବଂ ଭୂମିହୀନ କୃଷି ଶ୍ରମିକଙ୍କ ପରିବାର ପାଇଁ ସ୍ୱାସ୍ଥ୍ୟ ବୀମା ସୁରକ୍ଷା ।

ପରିବାରର ସର୍ବାଧିକ ୫ଜଣଙ୍କ ପାଇଁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ପାଇଁ ବୀମା ସହାୟତା । ୬୦ଲକ୍ଷ ଚାଷୀ ପରିବାର ଅର୍ଥାତ ୩କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ ।

ବୀମା କରାଯାଉଥିବା ପରିବାର ପାଇଁ ସମସ୍ତ ପ୍ରିମିୟମ ରାଜ୍ୟ ସରକାର ଭରଣ କରିବେ । ପଞ୍ଜୀକୃତ କୃଷକଙ୍କୁ ରେଜିଷ୍ଟ୍ରେସନ ଖର୍ଚ୍ଚ ବାବଦ ରେ ୩୦ ଟଙ୍କା ଦେବାପାଇଁ ହେବ ।

ସ୍ଥାନୀୟ କୃଷି ଅଧିକାରୀଙ୍କ ନିକଟରେ ଏହି ବୀମା ସୁବିଧା ପାଇବା ପାଇଁ ପଞ୍ଜୀକରଣ କରାଯିବ ।

ଚିକିତ୍ସା ବାବଦରେ ଖର୍ଚ୍ଚ ୧ଲକ୍ଷ ଟଙ୍କାରୁ ଅଧିକ ହେଲେ ନିୟମାନୁଯାଇ ତାହା ସର୍ବାଧିକ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜ୍ୟ ଚିକିତ୍ସା ପାଣ୍ଠିରୁ ଭରଣା କରାଯାଇପାରିବ ।

ବୁଣାକାର , କାରିଗର ଏବଂ ରେଶମ ଚାଷୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ସହାୟତା :

୫୦ହଜାର ବୁଣାକାର ପରିବାରକୁ ଇତିମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ୱାସ୍ଥ୍ୟ ବୀମା ପରିସରଭୁକ୍ତ କରାଯାଇଛି । ୩୫ହଜାର ପରିବାରକୁ ଭାରତୀୟ ଜୀବନବିମା ନିଗମଙ୍କ ଜନଶ୍ରୀ ବୀମା ଯୋଜନାଭୁକ୍ତ କରାଯାଇଛି ।

ସେହିଭଳି ୧୫ହଜାର ମହିଳା ରେଶମ ଚାଷୀଙ୍କୁ ସ୍ୱାସ୍ଥ୍ୟ ବୀମା ପରିସରଭୁକ୍ତ କରାଯାଇଛି ।

ଏହିଭଳି ସ୍ୱାସ୍ଥ୍ୟ ବୀମା ଏବଂ ଜୀବନ ବୀମା ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀମାନେ ସାମିଲ ହେବାପାଇଁ ସ୍ଥାନୀୟ ବିଭାଗୀୟ ଅଧିକାରୀମାନଙ୍କୁ ଯୋଗାଯୋଗ କରି ଆବଶ୍ୟକୀୟ ପରାମର୍ଶ ଗ୍ରହଣ କରିପାରିବେ ।

ମତ୍ସ୍ୟଜୀବୀ ପରିବାରକୁ ସ୍ୱାସ୍ଥ୍ୟ ସହାୟତା :

ରାଜ୍ୟ ସରକାର କେତେକ ଜୀବନ ବିନାଶକାରୀ ମାରାତ୍ମକ ରୋଗର ଚିକିତ୍ସା ପାଇଁ ମତ୍ସ୍ୟଜୀବୀ ପରିବାରକୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଦେଉଛନ୍ତି ।

ଏହି ସହାୟତା ପାଇବା ପାଇଁ ମତ୍ସ୍ୟଜୀବୀ ପରିବାରର ଯେ କେହି ସଦସ୍ୟ ଉପଯୁକ୍ତ ପ୍ରମାଣ ସହ ବ୍ଲକସ୍ତରୀୟ ମତ୍ସ୍ୟ ସଂପ୍ରସାରଣ ଅଧିକାରୀ / ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ।

ସେହିଭଳି ‘ନେତ୍ରଜ୍ୟୋତି’ ଯୋଜନାରେ ଚକ୍ଷୁରୋଗର ଚିକିତ୍ସା ପାଇଁ ସାମୁଦ୍ରିକ ମତ୍ସ୍ୟାଜୀବୀମାନଙ୍କୁ ୫ହଜାର ଟଙ୍କାର ଚିକିତ୍ସା ସହାୟତା ଦିଆଯାଉଅଛି । ଗୁରୁତର ଚକ୍ଷୁରୋଗ ଭୋଗୁଥିବା ମତ୍ସ୍ୟଜୀବୀ ମାନେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରି ଏହି ସହାୟତା ପାଇପାରିବେ ।

ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ୱାସ୍ଥ୍ୟ ସହାୟତା :

ପଞ୍ଜୀକୃତ ହେବାର ୧ବର୍ଷପରେ ନିର୍ମାଣ ଶ୍ରମିକମାନେ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ପାଇବେ ସର୍ବାଧିକ ୧ହଜାର ଟଙ୍କା ଓ ଦୁର୍ଘଟଣା ଜନିତ ଅକ୍ଷମତା ପାଇଁ ଅକ୍ଷମତା ଅନୁପାତରେ ସର୍ବାଧିକ ୭୫ ହଜାର ଟଙ୍କା

କେତୋଟି ପ୍ରମୁଖ ମାରାତ୍ମକ ରୋଗର ଚିକିତ୍ସା ବାବଦରେ ସରକାରୀ ହାସପାତାଳରେ କରାଯାଇଥିବା ସମସ୍ତ ବ୍ୟୟର ଭରଣା ।

କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ବୀମା ଯୋଜନା :

ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ ଭାବରେ ବୀମା ପ୍ରିମିୟମ ପଇଠ କରାଯାଇ ୫ଲକ୍ଷରୁ ଉର୍ଦ୍ଧ୍ଵ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକଙ୍କୁ ଏଲ ॰ ଆଇ ॰ ସି ଦ୍ଵାରା ପରିଚାଳିତ ଜନଶ୍ରୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବିମାଧିକାରୀଙ୍କ ଅସମୟରେ ମୃତ୍ୟୁ ହେଲେ ୩୦ହଜାର ଏବଂ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁ ହେଲେ ୭୫ହଜାର ଟଙ୍କାର ବୀମା ରାଶି ପ୍ରଦାନ ବ୍ୟବସ୍ଥା ।

ବୀମାଭୁକ୍ତ ପରିବାରର ନବମରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ସର୍ବାଧିକ ଦୁଇଟି ପିଲାଙ୍କୁ ବାର୍ଷିକ ୧୨ଶହ ଟଙ୍କା ଲେଖାଏଁ ଛାତ୍ରବୃତ୍ତି ପ୍ରଦାନ ।

ଆଧାର: ଓଡିଶା ସରକାର