ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ । ମନୁଷ୍ୟ ବିଭିନ୍ନ ଇଚ୍ଛାପୁରଣ ନିମନ୍ତେ ବ୍ୟାୟାମ କରେ ଯଥା ଓଜନ କମେଇବା ବା ସ୍ଥିର ରଖିବା, ମାଂସପେଶୀ ସୁଦୃଢ଼ କରିବା, କ୍ରୀଡ଼ା କୌଶଳରେ ଶୀର୍ଷକୁ ଯିବା, ନିର୍ଦ୍ଦିଷ୍ଟ ଗଣ୍ଠିମାନଙ୍କୁ ଚଳନକ୍ଷମ ରଖିବା ଓ ଆନନ୍ଦ ପାଇବା ନିମନ୍ତେ କରାଯାଏ । ନିୟମିତ ଓ ବାରମ୍ବାର ବ୍ୟାୟାମ କଲେ ଇମ୍ମ୍ୟୁନ ରୋଗ ପ୍ରତିରେଧକ ଶକ୍ତି ବଢ଼ିଥାଏ ତଥା ହୃତ୍ପିଣ୍ଡ ଓ ରକ୍ତନଳି ରୋଗ, ଟାଇପ ୨ ଡାଏବେଟିସ ଓ ମେଦ ବହୁଳତା ଆଦି ରୋଗମାନଙ୍କୁ ପ୍ରତିରୋଧ ହୋଇଥାଏ । ବ୍ୟାୟାମ ଦ୍ୱାରା ମାନସିକ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ ଏବଂ ସୁସ୍ଥ ଶରୀରର ଯୌନକ୍ଷମତା ବୃଦ୍ଧି ହୁଏ । ଶିଶୁ ମେଦ ବହୁଳତା ବିଶ୍ୱବ୍ୟାପୀ ଏକ ଚିନ୍ତାର ବିଷୟ । ଏହାର ବିବିଧ ଉପକାରୀତାକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ କର୍ମୀମାନେ ବ୍ୟାୟାମର ଉପକାରୀତାକୁ "ଆଶ୍ଚର୍ଯ୍ୟଜନକ" ବା "ଚମତ୍କାର" ଔଷଧ ଭାବେ ଅଭିହିତ କରିଥାନ୍ତି ।
ଦେହ ଉପରେ ପ୍ରଭାବ ଅନୁସାରେ ଶାରୀରିକ ବ୍ୟାୟାମକୁ ସାଧାରଣତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଏ ।
ବ୍ୟାୟାମ ଦ୍ଵାରା ଶକ୍ତି, ବେଗ ଓ ସ୍ଫୁର୍ତ୍ତି ବୃଦ୍ଧି ହୁଏ ।
ଶାରୀରିକ ଦକ୍ଷତା ବଜାୟ ରଖିବା ନିମନ୍ତେ ବ୍ୟାୟାମ ଅତି ଗୁରୁତ୍ତ୍ଵପୂର୍ଣ୍ଣ ଅଟେ । ସ୍ଵାସ୍ଥ୍ୟପ୍ରଦ ଓଜନ, ସୁସ୍ଥ ସାନ୍ଦ୍ରତା (Density) ସମ୍ପର୍ଣ୍ଣ ଅସ୍ଥି, ଶକ୍ତି ସମ୍ପର୍ଣ୍ଣ ମାଂସପେଶୀ, ଗଣ୍ଠିର ଚଳନ କ୍ଷମତା, ସଠିକ ଶରୀର କ୍ରିୟାତତ୍ତ୍ଵ ପ୍ରଦାନ ନିମନ୍ତେ ବ୍ୟାୟାମ ଆବଶ୍ୟକ । ନୂତନ ଗବେଷଣାଦ୍ଵାରା ଜଣାଯାଏ, ବ୍ୟାୟାମଦ୍ଵାରା ସଙ୍କୁଚିତ ମାଂସପେଶୀମାନଙ୍କରୁ ମାୟୋକାଇନ୍ସ୍ (myokines) ନାମକ ଏକ ପଦାର୍ଥ ନିର୍ଗତ ହୁଏ ଯାହା ନୂତନ ତନ୍ତୁ ବୃଦ୍ଧି କରିବାରେ, ତନ୍ତୁ ମରାମତି କରିବାରେ, ଏକାଧିକ ପ୍ରଦାହ ନିରୋଧକ ସୃଷ୍ଟି କରିବାରେ ସାହାଯ୍ୟ କରେ ।
ବ୍ୟାୟାମ କରିବାଦ୍ଵାରା ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ବିପନ୍ନକାରୀ କର୍ଟିଜଲ ( cortisol) ସ୍ତର ଦେହରେ କମିଯାଏ । ଅନ୍ୟ ପକ୍ଷରେ ଏହାଦ୍ଵାରା ଲାଳ ନାଇଟ୍ରାଇଟ ବୃଦ୍ଧି ହୁଏ ଯାହା ନାଇଟ୍ରିକ ଅକ୍ସାଇଡରେ ପରିଣତ ହୁଏ ଓ ତାହାଦ୍ଵାର ଟ୍ରେନିଙ୍ଗ ଲୋଡ଼ ବଢ଼େ । ଏହି ଲାଳ ପରୀକ୍ଷାଦ୍ୱାରା ବ୍ୟାୟାମ ଅବସ୍ଥିତି ଜଣାଯାଏ ।
ଖାଦ୍ୟ ଖାଇବା ପରେ ବ୍ୟାୟାମ କରିବା ଅପେକ୍ଷା ଖାଦ୍ୟ ଖାଇବା ପୂର୍ବରୁ ବ୍ୟାୟାମ କଲେ ରକ୍ତ ଶର୍କରା ପରିମାଣ ଅଧିକ କମିଯାଏ । ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଶାରୀରିକ ଅକର୍ମଣ୍ୟତା ଯୋଗୁ ୧୭% ହୃତ୍ପିଣ୍ଡ ରୋଗ ଓ ଡାଏବେଟିସ, ୧୦ % ସ୍ତନ କର୍କଟ ଓ କଲନ କର୍କଟ ମାନବ ଦେହରେ ଅଧିକ ହୁଏ ।
ମଧ୍ୟମ ବ୍ୟାୟାମ (40 to 70% of VO2 Max) ଅପେକ୍ଷା ଅତ୍ୟଧିକ ବ୍ୟାୟାମ (90–95% of VO2 Max) କଲେ ହୃତ୍ପିଣ୍ଡ ବୃଦ୍ଧିପ୍ରାପ୍ତ (cardiac hypertrophy) ହୁଏ, କିନ୍ତୁ ଏହାର ମୃତ୍ୟୁତଥା ସ୍ଵାସ୍ଥ୍ୟ ଉପରେ କୌଣସି ପ୍ରଭାବ ଥିବା ଜଣାଯାଇ ନାହିଁ ।
କେତେକ ଅନୁଶୀଳନ ଦ୍ଵାରା ଜଣାଯାଏ, ସୁସ୍ଥ ବ୍ୟକ୍ତି ଅତ୍ୟଧିକ ବ୍ୟାୟାମ କରିବା ଦ୍ଵାରା ଓପିଅଏଡ ପେପ୍ଟାଇଡ ପରିମାଣ ବୃଦ୍ଧି ହୁଏ ଓ ଏହା ନିଉରୋଟ୍ରାନ୍ସମିଟରମାନଙ୍କ ସହ ମିଶି ବ୍ୟାୟାମ ଜନିତ ପ୍ରଫୁଲ୍ଲତା (euphoria) ବୃଦ୍ଧି କରାଏ ଯାହା ଏକ ରକମ ନିଶା ଅଟେ ଓ ଟେସ୍ଟୋସ୍ଟିରନ ସହ ଗ୍ରୋଥ ହରମୋନ କ୍ଷରଣ ଅଧିକ କରାଏ ।
ଏରୋବିକ ବ୍ୟାୟାମଦ୍ଵାରା କାର୍ଡିଆକ ଭଲ୍ୟୁମ ବେଶୀ ହୁଏ ଓ ଆନେରୋବିକ ବ୍ୟାୟାମଦ୍ଵାରା ହୃତ୍ପିଣ୍ଡ-ନିଳୟର କାନ୍ଥ ମୋଟା ହୁଏ ଯାହା ଅତ୍ୟନ୍ତ ଉପକାରୀ ।
ବ୍ୟାୟାମଦ୍ଵାରା ସବୁ ଲୋକ ସମ ଭାବରେ ଉପକୃତ ହୁଅନ୍ତି ନାହିଁ ।ଏରୋବିକ ବ୍ୟାୟାମ କଲେ ଅଧିକାଂଶ ଲୋକଙ୍କର ମଧ୍ୟମ ଧରଣର ସହନଶୀଳତା ବୃଦ୍ଧି ହୁଏ, କେତେକ ଲୋକ ୨ ଗୁଣ ଅମ୍ଳଜାନ ଅଧିକ ଗ୍ରହଣ କରନ୍ତି ଓ ଅନ୍ୟ କେତେକ କୌଣସି ଉପକାର ପାଆନ୍ତି ନାହିଁ । ଖାଦ୍ୟ ଓ ଟେସ୍ଟୋସ୍ଟିରନଦ୍ଵାରା ହୁତ୍ପିଣ୍ଡ ମାଂସପେଶୀ ମୋଟା ହୁଏ ।ଜିନଗତ ପାର୍ଥକ୍ୟ ଯୋଗୁ ଉତ୍ତମ ଆଥଲେଟ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏହି ପାର୍ଥକ୍ୟ ଦେଖାଯାଏ । ମଧ୍ୟ ବୟସ୍କ ଲୋକଙ୍କର ପରବର୍ତ୍ତୀ ବୟସ୍କ ଲୋକଙ୍କ ଅପେକ୍ଷା ବ୍ୟାୟାମଦ୍ଵାରା ଅଧିକ ଉପକାର ହୁଏ ।
ବ୍ୟାୟାମ କରିବା ଦ୍ଵାରା ହୃତ୍ପିଣ୍ଡ-ରକ୍ତନଳୀ ସମୂହର ଉପକାରୀତା ପ୍ରମାଣିତ ହୋଇ ଲିପିବଦ୍ଧ ହୋଇଛି । ଶାରୀରିକ କ୍ରିୟାହୀନତା ସହ ମୃତ୍ୟୁ ହାରର ସିଧା ସଳଖ ସମ୍ପର୍କ ଅଛି । କରୋନାରୀ ରୋଗ ହେବା ନିମନ୍ତେ କର୍ମହୀନତା ଏକ ରିସ୍କ ଫ୍ୟାକ୍ଟର ଅଟେ । ମଧ୍ୟମ ଧରଣର ବ୍ୟାୟାମ ବା ଶାରୀରିକ କର୍ମଦ୍ଵାରା ହୃତ୍ପିଣ୍ଡ ସର୍ବାଧିକ ଉପକୃତ ହୁଏ । ସ୍ଥାନାବଦ୍ଧ ବ୍ୟକ୍ତିମାନଙ୍କର ହୃତ୍ପିଣ୍ଡ ଜନିତ ମୃତ୍ୟୁର ସର୍ବାଧିକ ରିସ୍କ ରହେ ।
ଶହ ଶହ ଅନୁଶୀଳନଦ୍ଵାରା ଜଣାଯାଇଛି, ବ୍ୟାୟାମ ଓ ଇମ୍ମ୍ୟୁନ ସିସ୍ଟମ ମଧ୍ୟରେ କୌଣସି ସିଧା ସଳଖ ସମ୍ପର୍କ ନାହିଁ । ଆଥଲେଟ ଓ ନନ୍ଆଥଲେଟଙ୍କର ଇମ୍ମ୍ୟୁନ ସିସ୍ଟମ ପ୍ରାୟ ସମାନ । ଆଥଲେଟମାନଙ୍କର ପ୍ରାକୃତିକ କିଲର କୋଷ ସଂଖ୍ୟା ଓ ସାଇଟୋଟକ୍ସିକ କାମ ସାମାନ୍ୟ ଅଧିକ ହେଲେ ମଧ୍ୟ ଏହା ବିଶେଷ ଦୃଷ୍ଟି ଆକର୍ଷଣକାରୀ ନୁହେଁ ।
ମାରାଥନ ଦୌଡ଼ାଳିମାନେ ଭିଟାମିନ ଗ ଅଧିକ ଖାଇଲେ ଉର୍ଦ୍ଧ୍ଵଶ୍ଵାସନଳୀ ରୋଗ କମ ହେବା ଦେଖାଯାଏ ।
ସକ୍ରିୟ ବ୍ୟକ୍ତିମାନଙ୍କର ସି-ରିଆକ୍ଟିଭ ପ୍ରୋଟିନ କମ ରହେ, ତେଣୁ ଏମାନଙ୍କର ପ୍ରଦାହକାରୀ ପ୍ରଭାବ କମ ରହେ ।
ସ୍ନାୟୁକ୍ଷୟକାରୀ ରୋଗ ଓ ସ୍ନାୟୁ-ମାଂସପେଶୀ ରୋଗମାନଙ୍କରେ ଶାରୀରିକ କାର୍ଯ୍ୟ ସ୍ନାୟୁ ରକ୍ଷାକାରୀ ହେବା ଦେଖାଯାଇଛି । ଏହା ଦ୍ଵାରା ଡିମେନ୍ସିଆ ରୋଗ ସମ୍ଭାବନା କମ ହେବା ପ୍ରମାଣ ମିଳିଛି । ସେରୋଫିଲି ହାର୍ଟ ଡିଜିଜ୍ ସ୍ଟଡି ଦ୍ଵାରା ୨୩୭୫ ପୁରୁଷଙ୍କୁ ୩୦ ବର୍ଷ ଧରି ଅନୁଶୀଳନ କରି ଦେଖାଯାଇଛି, ଯେଉଁମାନେ ନିୟମିତ ବ୍ୟାୟାମ କରନ୍ତି ସେମାନଙ୍କର ବ୍ୟାୟାମ୍ ନ କରୁଥିବା ଲୋକଙ୍କ ଅପେକ୍ଷା ଡିମେନ୍ସିଆ ୫୯ % କମ ହେଉଛି ।
ବ୍ୟାୟାମଦ୍ଵାରା ମସ୍ତିଷ୍କର ଉପକାର ହେବାର ନିମ୍ନଳିଖିତ କାରଣ ହୋଇପାରେ ।
• ମସ୍ତିଷ୍କକୁ ଅଧିକ ରକ୍ତ ଓ ଅମ୍ଳଜାନ ଯୋଗାଣ ।
• ଅଧିକ ଗ୍ରୋଥ ଫ୍ୟାକ୍ଟର ଯୋଗାଣଦ୍ଵାରା ସ୍ନାୟୁ ବୃଦ୍ଧି ହୁଏ ସିନାପ୍ଟିକ ପ୍ଲାସ୍ଟିସିଟି ଅଧିକ ହୁଏ । ଏହାଦ୍ଵାରା ସ୍ଵଳ୍ପ ଓ ଦୀର୍ଘକାଳୀନ ସ୍ମୃତି ଶକ୍ତି ଉନ୍ନତ ହୋଇପାରେ ।
• ଅଧିକ ଡୋପାମିନ୍, ଗ୍ଲୁଟାମେଟ, ନର୍-ଏପିନେଫ୍ରିନ ଓ ସେରୋଟୋନିନ୍ ଭଳି (dopamine, glutamate, norepinephrine, and serotonin) କେମିକାଲ ସୃଷ୍ଟି ଯୋଗୁ କଗ୍ନିସନ ବୃଦ୍ଧି ହୁଏ ।
Last Modified : 1/26/2020