ଯୋଗ ପ୍ରାଚୀନ ଭାରତରେ ପ୍ରାୟ ୬୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର,ମନ ଓ ଆତ୍ମାକୁସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି । ଯୋଗର ଅନେକ ଅନେକ ଶାଖା ଓ ଅଭ୍ୟାସ ରହିଛି । ଏହାର ହିନ୍ଦୁଧର୍ମ, ବୌଦ୍ଧଧର୍ମ ଓ ଜୈନଧର୍ମରେ ବିଭିନ୍ନ ସାଧନା ମାର୍ଗ ରହିଛି । ଯୋଗର ବହୁ ଶାଖା ମଧ୍ୟରେ ରାଜଯୋଗ ଓ ହଠଯୋଗ ବିଶେଷ ପ୍ରସିଦ୍ଧ ।
ପ୍ରାକ୍ ବୈଦିକ ଯୁଗରୁ ଯୋଗର ଉତ୍ପତ୍ତି ବୋଲି ଗ୍ରହଣ କରାଯାଏ । ସିନ୍ଧୁ ଉପତ୍ୟକା ସଭ୍ୟତାରୁ ମିଳିଥିବା ମୁଦ୍ରାରେ ଯୋଗାସନରେ ସ୍ଥିତ ପଶୁପତିଙ୍କ ଛବି ଯୋଗର ପ୍ରାଚୀନତା ପ୍ରତିପାଦନ କରେ । ଋକ ବେଦରେ ମଧ୍ୟ ଯୋଗର ଉଲ୍ଲେଖ ମିଳିଥାଏ । ବିଭିନ୍ନ ଉପନିଷଦରେ ଥିବା ବର୍ଣ୍ଣନା ଅନୁଯାୟୀ ଯୋଗର ବ୍ୟବହାର ବହୁ ପୁରାତନ । ବୌଦ୍ଧସୂତ୍ର ମାନଙ୍କରେ ମଧ୍ୟ ଯୋଗର ଉଲ୍ଲେଖ ରହିଛି । ତେବେ, ପତଞ୍ଜଳିଙ୍କ ଯୋଗସୂତ୍ର ଯୋଗ ସମ୍ବନ୍ଧରେ ପ୍ରଥମ ଗ୍ରନ୍ଥ, ଯାହା ଯୋଗର ମାନସିକ ଓ ଦାର୍ଶନିକ ବାଖ୍ୟା କରିଥାଏ । ବୈଦିକ ଷଡଦର୍ଶନ ମଧ୍ୟରୁ ଯୋଗ ଅନ୍ୟତମ, ଯାହା ପତଞ୍ଜଳୀଙ୍କ ଯୋଗସୂତ୍ର ଉପରେ ଆଧାରିତ । ଯୋଗର ବିଭିନ୍ନ ମାର୍ଗ ସମ୍ପର୍କରେ ଭଗବତ୍ ଗୀତାରେ ବିସ୍ତୃତ ବର୍ଣ୍ଣନା ରହିଛି ।
ଯୋଗ ମୁଦ୍ରାରେ ବୁଦ୍ଧ
ଯୋଗ ହେଉଛି ସାଧନାର ଅନ୍ତର୍ଚେତନାର ବିକାଶ ଓ ମହାଚେତନା ସଙ୍ଗରେ ମିଳନର ପ୍ରକ୍ରିୟା । ଯୋଗର ଆକ୍ଷରିକ ଅର୍ଥ ହେଉଛି ମହାଚେତନା ପରମାତ୍ମା ସହିତ ଅନ୍ତର୍ଚେତନା ଜୀବାତ୍ମାର ମିଶ୍ରଣ ।
ଯୋଗ ଶବ୍ଦର ଉତ୍ପତ୍ତି
ଯୋଗ ଶବ୍ଦ ସଂସ୍କୃତ "ଯୁଜ୍" ଧାତୂରୁ ଆସିଅଛି, ଯାହାର ଅର୍ଥ : "ଏକତ୍ର କରିବା, ଯୁକ୍ତ କରିବା ବା ଯୁକ୍ତ ଅବସ୍ଥା" ଅଟେ । ଆଧ୍ୟାତ୍ମିକ ଅର୍ଥରେ ଏହା ଜୀବାତ୍ମା ଓ ପରମାତ୍ମାଙ୍କ ମିଳନକୁ ବୁଝାଏ । ଯୋଗ ଶବ୍ଦର ଆହୁରି ଅନେକ ଅର୍ଥ ରହିଛି, ଯଦିଓ ଏକ ଆଧ୍ୟାତ୍ମିକ, ମାନସିକ, ଶାରୀରିକ ଶୃଙ୍ଖଳା ଭାବରେ ଏହାର "ଯୁକ୍ତ" ଅର୍ଥକୁ ବୁଝାଯାଏ ।
ହିନ୍ଦୁ ଧର୍ମରେ ଯୋଗ
ଯୋଗ ପାରମ୍ପରିକ ବୈଦିକ ସଡ଼ ଦର୍ଶନ ମଧ୍ୟରେ ଅନ୍ୟତମ । ଯୋଗର ପ୍ରୟୋଗ ଓ ମାର୍ଗକୁ ନେଇ ଅନେକ ଶାଖା ରହିଛି । ସବୁ ଶାଖା ମୁଖ୍ୟତଃ ଯୋଗର ମୂଳ ନିୟମ ଗୁଡିକ, ଏକାଗ୍ରତା ଓ ମାନସିକ ନିୟନ୍ତ୍ରଣ ଉପରେ ଆଧାରିତ । ଯୋଗର ନିମ୍ନସ୍ଥ ମୁଖ୍ୟ ଶାଖା ସବୁ ବର୍ତ୍ତମାନ ମଧ୍ୟ ରହିଛି ।
ରାଜ ଯୋଗ
ମହର୍ଷି ପତଞ୍ଜଳି ପ୍ରଣୀତ ଯୋଗସୂତ୍ର ଉପରେ ଆଧାରିତ ଯୋଗକୁ ରାଜଯୋଗ କୁହାଯାଏ । ଏହି ଗ୍ରନ୍ଥ ଖୀ.ପୂ. ପ୍ରଥମ ଶତାବ୍ଦୀରେ ପ୍ରଣୀତ ହୋଇଥିବା ଅନୁମାନ କରାଯାଏ । ଏହି ଗ୍ରନ୍ଥରେ ଯୋଗର ନାନାଦି ଦାର୍ଶନିକ ଓ ଆଧ୍ୟାତ୍ମିକ ବାଖ୍ୟା ରହିଛି । ଏହି ଗ୍ରନ୍ଥରେ ଅଷ୍ଟାଙ୍ଗ ଯୋଗ ସାଧନ - ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧିର ବର୍ଣ୍ଣନା ରହିଛି । ଜଣେ ସାଧକ ସାଧନା ଦ୍ବାରା ଏହି ଯୋଗାଙ୍ଗ, ବା ଯୋଗର ଅଙ୍ଗ ମାନଙ୍କୁ ଅଭ୍ୟାସ କରି ଶେଷରେ କୈବଲ୍ୟ ପ୍ରାପ୍ତ ହୋଇଥାଏ ।
ହଠ ଯୋଗ
ହଠ ଯୋଗ ଏବେ ବିଦେଶରେ ଅଧିକ ଲୋକପ୍ରିୟ । ବିଦେଶର ଅଧିକାଂଶ ଲୋକମାନେ ଏବେ ଯୋଗର ଏହି ଆସନ କରୁଛନ୍ତି । ଏହି ଯୋଗରେ ବିଭିନ୍ନ ଶାରୀରିକ ଆସନ ଓ ନିଶ୍ୱାସ ପ୍ରଶ୍ୱାସକୁ ବ୍ୟାୟାମ ସହ ଯୋଡା ଯାଇଥାଏ । ତା ଛଡା ଗଭୀର ଧ୍ୟାନ କରିବା ଦ୍ୱାରା ଭାବନାକୁ ଆୟତ୍ତ କରିବା ସହ ଶରୀରକୁ ଉତ୍ତେଜିତ ହେବାରୁ ରକ୍ଷା କରିଥାଏ ।
ହଠ ଯୋଗ ( ଯୋଗର ବିଭିନ୍ନ ଆସନ, ପ୍ରାଣାୟାମ ଓ ଧ୍ୟାନ କରିବାର ଏକ ମୁଦ୍ରା) ଓ ଗଭୀର ଧ୍ୟାନ କରିବା ଦ୍ୱାରା ଶରୀର ମଧ୍ୟରେ ଏକ ଅପୂର୍ବ ଉର୍ଜା ସଂଚାରିତ କରିବାରେ ସହାୟକ ହୋଇଥାଏ । ତେବେ ଖାଲି ଧ୍ୟାନ କରିବା ତୁଳନାରେ ପ୍ରତିଦିନ ଯୋଗ ଓ ସହ ଧ୍ୟାନ କରିବା ଶରୀରକୁ ଫୁର୍ତ୍ତି ରଖିବା ସହ ଅଫୁରନ୍ତ ଶକ୍ତି ପ୍ରଦାନ କରିଥାଏ । ଏଭଳି ରିପୋର୍ଟ ମାଇଣ୍ଡଫୁଲନେସ ପତ୍ରିକାରେ ପ୍ରକାଶ ପାଇଛି ।
ଆଧାର : ଓଡିଶା ରିପୋଟରLast Modified : 1/26/2020