ଆଧୁନିକ ଔଷଧର ପ୍ରୟୋଗ ଔଷଧ ଦୋକାନ ବା ଗାଁର ଖାଉଟୀଙ୍କ ପାଇଁ ବିକ୍ରି ହେଉଥିବା କେତେକ ଔଷଧ ଅତ୍ୟନ୍ତ ଦରକାରୀ, ଆଉ କେତେକ ସମ୍ପୁର୍ଣ୍ଣ ଅଦରକାରୀ । ବେଳେବେଳେ ଲୋକମାନେ ମଧ୍ୟ ସବୁଠାରୁ ଭଲ ଔଷଧର ଭୁଲ୍ ବ୍ୟବହାର କରନ୍ତି ଓ ତଦ୍ୱାରା ସେମାନଙ୍କର ଉପକାର ଅପେକ୍ଷା ଅଧିକ ଅପକାର ହୋଇଥାଏ । ଔଷଧରୁ ଉପକାର ପାଇବାପାଇଁ, ତା’ର ଠିକ୍ ପ୍ରୟୋଗ ଏକାନ୍ତ ଆବଶ୍ୟକ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅଧିକାଂଶ ଲୋକ, ଦରକାର ଅପେକ୍ଷା ଯଥେଷ୍ଟ ବେଶୀ ଔଷଧ ପାଇଁ ପରାମର୍ଶ ଦେଇଥାନ୍ତି-ଯାହାଦ୍ଵାରା ଅନେକଙ୍କର ଅଯଥା ରୋଗ ଓ ଏପରିକି ମୃତ୍ୟୁମଧ୍ୟ ହୋଇଥାଏ । ଯେ କୌଣସି ଔଷଧ ବ୍ୟବହାର କରିବାଦ୍ଵାରା କିଛି ବା କିଛି ବିପଦ ଥାଏ । କେତେକ ଔଷଧ ଆଉ କେତେକ ଔଷଧ ଅପେକ୍ଷା ଯଥେଷ୍ଟ ବେଶୀ ବିପଜ୍ଜନକ । ଦୁର୍ଭାଗ୍ୟବଶତଃ, ଲୋକମାନେ କେତେକ ସାମାନ୍ୟ ରୋଗପାଇଁ ଅତି ବିପଜ୍ଜନକ ଔଷଧ ଦେବାଦ୍ଵାରା ପରିସ୍ଥିତି ଅଧିକ ଜଟିଳ ହୋଇଯାଏ । ସାମାନ୍ୟ ଅସୁସ୍ଥତା ପାଇଁ କେବେ ବି ବିପଜ୍ଜନକ ଔଷଧ ବ୍ୟବହାର କରନ୍ତୁ ନାହିଁ । ଔଷଧ ବ୍ୟବହାରର ଉପାୟ ଦରକାରବେଳେ ହିଁ ଔଷଧ ବ୍ୟବହାର କରନ୍ତୁ । ଯେ କୌଣସି ଔଷଧ ବ୍ୟବହାର କରିବା ପାଇଁ ତାର ସଠିକ୍ ପ୍ରୟୋଗ ଓ ସତର୍କତା ଜାଣି ରଖନ୍ତୁ । ଉପଯୁକ୍ତ ମାତ୍ରାରେ ବ୍ୟବହାର କରନ୍ତୁ । ଯଦି ଔଷଧରୁ ଉପକାର ମିଳେନାହିଁ ବା ଏହାଦ୍ଵାରା କୌଣସି ଅସୁବିଧା ହୁଏ, ଏହାର ବ୍ୟବହାର ବନ୍ଦ କରିଦିଅନ୍ତୁ । ସନ୍ଦେହ ରହିଲେ ସ୍ୱାସ୍ଥ୍ୟକର୍ମୀଙ୍କର ପରାମର୍ଶ ଗ୍ରହଣ କରନ୍ତୁ । ସବୁବେଳେ ଔଷଧର ଦ୍ରବ୍ୟଗୁଣର ଶେଷ ସାୟ ବା ଏକ୍ସପାରୀ ଡେଟ୍ (ଯେଉଁ ତାରିଖ ପର୍ଯ୍ୟନ୍ତ ଔଷଧ ବ୍ୟବହାର କରାଯାଏ) ପ୍ରତି ଦୃଷ୍ଟି ଦିଅନ୍ତୁ । ଦ୍ରବ୍ୟଗୁଣର ସେସ ତାରିଖ ପରେ ଔଷଧ ବ୍ୟବହାର କରିବାଦ୍ଵାରା ଉପକାର ଅପେକ୍ଷା ଅଧିକ ଅପକାର ହୁଏ । ଟିପ୍ପଣୀ କିଛି ଔଷଧ ନ ଦେଲେ ରୋଗୀମାନେ ସନ୍ତୁଷ୍ଟ ହେବେନାହିଁ ବୋଲି କେତେକ ସ୍ୱାସ୍ଥ୍ୟକର୍ମୀ ଓ ଅନେକ ଡାକ୍ତର ସମ୍ପୁର୍ଣ୍ଣ ଅଦରକାରୀ ଔଷଧ ଦେଇଥାନ୍ତି । ତେଣୁ ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀଙ୍କୁ କେବଳ ଦରକାର ଥିଲେ ହିଁ ଔଷଧ ଦେବାକୁ କୁହନ୍ତୁ । ଏହାଦ୍ଵାରା ଆପଣଙ୍କର ଅଯଥା ଖର୍ଚ୍ଚ ହେବ ନାହିଁ ଓ ସ୍ୱାସ୍ଥ୍ୟ ନିରାପଦ ରହିବ । ଆବଶ୍ୟକତା ଓ ବ୍ୟବହାର ବିଷୟରେ ନିଶ୍ଚିତ ହୋଇ ଔଷଧ ବ୍ୟବହାର କରନ୍ତୁ । ଔଷଧର ସମ୍ପୂର୍ଣ୍ଣ ବିପଜ୍ଜନକ ଅପବ୍ୟବହାର ନିମ୍ନରେ ଆଡଗୁଣିକ ଔଷଧ ବ୍ୟବହାର କରିବା ସମୟରେ ଲୋକମାନେ ଯେଉଁସବୁ ସାଧାରଣ ଓ ବିପଜ୍ଜନକ ଭୁଲ କରନ୍ତି, ସେ ସବୁର ଏକ ଚିଠା ଦିଆଯାଇଛି । ତଳଲିଖିତ ଔଷଧଗୁଡିକର ଅନୁପଯୁକ୍ତ ବ୍ୟବହାର ଯୋଗୁଁ ପ୍ରତିବର୍ଷ ଅନେକ ଲୋକମୃତ୍ୟୁମୁଖରେ ପଡନ୍ତି, ତେଣୁ ସାବଧାନ । କ୍ଲୋରମଫେନିକଲ (କ୍ଲୋରୋମାଇସେଟିନ) ଏହା ଏକ ମାରାତ୍ମକ ଔଷଧ ହୋଇଥିବାରୁ ଅତି ସାଧାରଣ ତରଳଝାଡା ଓ ଅନ୍ୟାନ୍ୟ ସାମାନ୍ୟ ଅସୁସ୍ଥତା ନିମନ୍ତେ ଏହାର ଜନପ୍ରିୟ ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଟାଇଫଏଡ ପରି କେତେକ ଅତି ଗୁରୁତର ଅସୁସ୍ଥତା ପାଇଁ ହିଁ କେବଳ କ୍ଲୋରମଫେନିକଲ୍ ବ୍ୟବହାର କରନ୍ତୁ । ନବଜାତ ଶିଶୁକୁ ଏହା ଆଦୌ ଦିଅନ୍ତୁ ନାହିଁ । ଅକ୍ସିଟୋସିନ(ପିଟୋସିନ), ପିଟ୍ୟୁଟ୍ରିନ ଓ ଏରଗୋନୋଭାଇନ(ଏରଗୋଗ୍ରେଟ) ଦୁର୍ଭାଗ୍ୟବଶତଃ କେତେକ ଧାଈ, ଛୁଆ ଓ ଶୀଘ୍ର ଜନ୍ମହେବାପାଇଁ ବା ପ୍ରସୂତି ଶକ୍ତି ଯୋଗାଇବା ନିମନ୍ତେ ବିଷଜାରଣଗତ ପଦାର୍ଥରୁ ତିଆରୁ ମା’ମାନଙ୍କୁ ପ୍ରସାବ ସମୟରେ ବ୍ୟବହାର କରିବାକୁ ଦେଇଥାନ୍ତି, ଏ ଅଭ୍ୟାସ ଖୁବ୍ ବିପଜ୍ଜନକ । ଏହା ମା’ କିମ୍ବା ଛୁଆକୁ ମାରି ଦେଇପାରେ । କେବଳ ଛୁଆ ଜନ୍ମ ହୋଇସାରିବା ପରେ ହିଁ ରକ୍ତସ୍ରାବ ନିୟନ୍ତ୍ରଣ କରିବାପାଇଁ ଏହି ଔଷଧ ବ୍ୟବହାର କରନ୍ତୁ । ଯେକୌଣସି ଔଷଧର ଇଞ୍ଜେକ୍ସନ ଖିଆଯାଉଥିବା ଔଷଧ ଅପେକ୍ଷା ଇଞ୍ଜେକ୍ସନ ଅଧିକ ଉପକାରୀ ବୋଲି ସାଧାରଣତଃ ଯେଉଁ ଧାରଣା ଅଛି, ତାହା ପ୍ରକୃତରେ ସତ୍ୟ ନୁହେଁ । ଅନେକ କ୍ଷେତ୍ରରେ, ଖିଆଯାଉଥିବା ଔଷଧ, ଇଞ୍ଜେକ୍ସନ ପରି ବା ତା’ଠାରୁ ଅଧିକ ଉପଯୋଗୀ ହୋଇଥାଏ । ଅଧିକାଂଶ ଔଷଧର ଇଞ୍ଜେକ୍ସନ ନେବା ଔଷଧ ଖାଇବା ଅପେକ୍ଷା ବିପଜ୍ଜନକ । ଇଞ୍ଜେକ୍ସନ ବ୍ୟବହାର ସୀମିତ କରନ୍ତୁ । ପେନିସିଲିନ କେତେକ ନିର୍ଦ୍ଧିଷ୍ଟ ଧରଣର ସଂକ୍ରମଣ ବିରୁଦ୍ଧରେ ପେନିସିଲିନ୍ ଫଳପ୍ରଦ ହୁଏ । ମକଚି ହୋଇଯିବା, ମାଡହୋଇ ରକ୍ତ ଜମିଯିବା କିମ୍ବା ଯେ କୌଣସି ପ୍ରକାରର ପୀଡା ହେବା ଅଥବା ଜ୍ଵରପାଇଁ ବାରମ୍ବାର ପେନିସିଲିନ୍ ବ୍ୟବହାର କରିବା ଏକ ବିରାଟ ଭୁଲ୍ । ସାଧାରଣତଃ ଖୁବ୍ ଆଘାତ ହୋଇ ରକ୍ତ ଜମି ଯାଇଥିଲେ ବି ଯଦି ଚର୍ମ ଛିଣ୍ଡି ନ ଥାଏ ତେବେ ସଂକ୍ରମିତ ହେବାର ଭୟ ଆଦୌ ନ ଥାଏ । ତେଣୁ ସେଥିପାଇଁ ପେନିସିଲିନ୍ ବା ଅନ୍ୟ କୌଣସି ସଂକ୍ରମଣ ପ୍ରତିଷେଧକର ଆବଶ୍ୟକତା ନାହିଁ । ପେନିସିଲିନ୍ ମଲମ ବା ପାଉଡର ବ୍ୟବହାର କରିବାଦ୍ଵାରା ଚର୍ମ ପେନିସିଲିନ୍ ପ୍ରତି ସମ୍ବେଦନଶୀଳ ହୋଇଯାଇପାରେ । କେତେକ ଲୋକଙ୍କ ପାଇଁ ପେନିସିଲିନ୍ ବିପଜ୍ଜନକ । ଏହାକୁ ବ୍ୟବହାର କରିବା ପୂର୍ବରୁ ଏହାର ବିପଦ ଜାଣି ସତର୍କତା ଅବଲମ୍ବନ କରିବା ଉଚିତ୍ । କାନାମାଇସିନ ଓ ଜେଣ୍ଟାମାଇସିନ (ଗାରାମାଇସିନ) ଏହିସବୁ ଆଣ୍ଟିବାଇଓଟିକ୍ସ ପିଲାମାନଙ୍କୁ ଦେବାଦ୍ଵାରା ପିଲାମାନଙ୍କର ଶୁଣିବା ଶକ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ପିଲା ଜୀବନ ସଙ୍କଟାପନ୍ନ ହେଲେ ଏହିସବୁ ଔଷଧ ବ୍ୟବହାର କରିବା ଉଚିତ୍ । ପିଲାମାନଙ୍କପାଇଁ ଆମ୍ପିସିଲିନ୍ ଉପଯୁକ୍ତ କାମ କରିଥାଏ ଓ ପିଲାଙ୍କର କିଛି କ୍ଷତି ହୁଏ ନାହିଁ । ତରଳଝାଡା ବିରୋଧୀ ଔଷଧ (କ୍ଲିଓକୁଇନଲ, ଡିଆଇଡୋ ହାଇଡ୍ରୋକ୍ସିକୁଇନୋଲିନ୍, ହଲକୁଇନଲ୍, ବ୍ରୋକ୍ସିକୁଇନୋଲିନ : ବାଇଓଡୋକୁଇନ, ଏଣ୍ଟେରୋକୁଇନଲ, ଆମିକ୍ଲିନ, ଇତ୍ୟାଦି) ଆଗରୁ କ୍ଲିଓକୁଇନାଲ ତରଳଝାଡାରୁ ଭଲ ହେବାପାଇଁ ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ ଏହି ଔଷଧର ବ୍ୟବହାର ଅଧିକାଂଶ ଦେଶରେ ନିଷେଧ କରାଯାଇଛି । ଏହି ଔଷଧ ବ୍ୟବହାର କରିବାଦ୍ଵାରା ପକ୍ଷାଘାତ, ଅନ୍ଧ ଓ ଏପରି କି ରୋଗୀ ମରିଯିବାର ସମ୍ଭାବନା ଥାଏ । କରଟିସୋନ୍ ଓ କରଟିକୋ ଷ୍ଟିରଏଡ (ପ୍ରେଡନିସୋଲୋନ୍ ଓ ଡେକ୍ସାମେଥାସୋନ୍) ଏହିସବୁ ଔଷଧ ଆଜ୍ମା, ଆଣ୍ଠୁଗଣ୍ଠିବାତ ଓ ଉଗ୍ର ଆଲର୍ଜି କ୍ଷେତ୍ରରେ ବ୍ୟବହାର କରାଯାଏ କିନ୍ତୁ ଅଧିକାଂଶ ଦେଶରେ ଏହି ଶକ୍ତିବୋଧକ ଔଷଧ ସାମାନ୍ୟ ଯନ୍ତ୍ରଣା ପାଇଁ ଦିଆଯାଏ କାରଣ ଏଥିରୁ ଶୀଘ୍ର ଉପକାର ମିଳିଥାଏ । ଏହା ଆମର ଏକ ବିରାଟ ଭୁଲ୍ । ଏହାକୁ ବ୍ୟବହାର କରିବାଦ୍ଵାରା ବିଭିନ୍ନ ପ୍ରତିକ୍ରିୟା ଶରୀରରେ ଦେଖାଦେଇଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦିଏ । ଯକ୍ଷ୍ମା ପାକସ୍ଥଳୀ ଘା’, ହାଡରେ ପ୍ରଭୃତ କ୍ଷତି ପହଞ୍ଚାଇଥାଏ । ଆନାବୋଲିକ୍ ଷ୍ଟିରଏଡ (ନାନଡ୍ରୋଲୋନ ଡେକାନୋଟ, ଡ୍ୟୁରାବୋଲିନ୍, ଡେକାଡ୍ୟୁରାବୋଲିନ୍, ଓରାବୋଲିନ୍, ଷ୍ଟାଞ୍ଜୋଲଲ୍, ସିଟାବନ୍, ଅକ୍ସିମିଥୋଲୋନ, ଆନାପୋଲନ୍, ଏଥିଲଷ୍ଟ୍ରେନୋଲ, ଅରଗାନାବୋରୋଲ୍) ଏହି ଷ୍ଟିରଏଡ ପୁରୁଷ ହରମୋନ୍ ରୁ ପ୍ରସ୍ତୁତ କରାଯାଏ ଏବଂ ପିଲାମାନଙ୍କର ଶକ୍ତି ବୃଦ୍ଧିପାଇଁ ଏହାକାଉ ଟନିକ୍ ରେ ମିଶାଇ ପିଲାମାନଙ୍କୁ ଦିଆଯାଇଥାଏ । ଯଦିଓ ପ୍ରାଥମିକ ପର୍ଯ୍ୟାୟରେ ଏହା ଭଲ କାମ କରିଥାଏ, ପରେ ପିଲାର କ୍ଷତି ହୋଇଥାଏ । ଏହି ଔଷଧ ସେବନ କରିବାଦ୍ଵାରା ବିପଦଜନକ ପ୍ରତିକ୍ରିୟା ଦେଖାଦିଏ । ଝିଅମାନଙ୍କର ମୁହଁରେ ବାଳଉଠେ । ଏହିଭଳି ଔଷଧ ପିଲାମାନଙ୍କୁ ଦେବା ଉଚିତ୍ ନୁହେଁ । ଏହା ବଦଳରେ ପିଲାମାନଙ୍କୁ ପୁଷ୍ଟିକାରକ ଖାଦ୍ୟ ପ୍ରଚୁର ଦେବା ଉଚିତ୍ । ଆଣ୍ଠୁଗଣ୍ଠି ବାତ ଔଷଧ (ବୁଟାଜୋନ୍: ଅକ୍ସିଫେନବୁଟାଜୋନ୍, ଆମିଡୋଜୋନ୍, ଏବଂ ଫେନିଲବୁଟାଜୋନ୍, ବୁଟାଜୋଲିଡିନ୍) ଆଣ୍ଠୁଗଣ୍ଠିବାତରେ ଏହି ଔଷଧ ବହୁତ ବିପଦଜନକ ପ୍ରତିକ୍ରିୟା ସୃଷ୍ଟି କରେ । ବେଳେବେଳେ ରକ୍ତରେ ବିଭିନ୍ନ ରୋଗ ଦେଖାଦିଏ । ପାକସ୍ଥଳୀ, ଯକୃତ, ବୃକ୍କ ନଷ୍ଟ କରିଦିଏ । ଆଣ୍ଠୁଗଣ୍ଠିବାତ ପାଇଁ ଆସ୍ପିରିନ ଓ ଆଇବୁ ପ୍ରୁଫେନ ଅଧିକ ନିରାପଦ ଓ ଶସ୍ତା ଅଟେ । ଜ୍ଵର ଓ ଯନ୍ତ୍ରଣା ପାଇଁ ଏସିଟାମିନୋଫେନ୍ ବ୍ୟବହାର କରାଯାଇପାରେ । ଭିଟାମିନ୍ ବି ଓ ଲିଭର ଏକ୍ସାଟ୍ରାକଟ କଦବା କ୍ଵଚିତ ଅବସ୍ଥାକୁ ଛାଡିଦେଲେ ‘ରକ୍ତହୀନତା ଓ ଦୁର୍ବଳତା’ ପାଇଁ ଏହି ଔଷଧ ଆଦୌ ଉପଯୋଗୀ ନୁହେଁ ।ଏହାକୁ ଇଞ୍ଜେକ୍ସନଦ୍ଵାରା ଦେବାବେଳେ ମଧ୍ୟ କେତେକ ନିର୍ଦ୍ଧିଷ୍ଟ ବିପଦ ରହିଛି । ରକ୍ତ ପରୀକ୍ଷା କରି ଜଣେ ସ୍ୱାସ୍ଥ୍ୟକର୍ମୀ ଯଦି ଏହାକୁ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି, ତେବେ ହିଁ କେବଳ ଏହାକୁ ବ୍ୟବହାର କରନ୍ତୁ । ପ୍ରାୟ ପ୍ରତ୍ୟକ ରକ୍ତହୀନତା ସମସ୍ୟା ପାଇଁ ଲୌହ ବଟିକା ଯଥେଷ୍ଟ ଉପଯୋଗୀ । ଅନ୍ୟାନ୍ୟ ଭିଟାମିନ୍ ସାଧାରଣତଃ ଭିଟାମିନ୍ କୁ ଇଞ୍ଜେକ୍ସନ ମାଧ୍ୟମରେ ଦେବା ଉଚିତ୍ ନୁହେଁ । ଇଞ୍ଜେକ୍ସନ ଅଧିକ ବିପଦପୂର୍ଣ୍ଣ । ଏହା ବଟିକା ତୁଳନାରେ ସେତେଟା ଫଳପ୍ରଦ ନୁହେଁ । ଦୁର୍ଭାଗ୍ୟବଶତଃ, ଅନେକ ଲୋକ, ସିରପ୍ ଓ ଟନିକ୍ ପାଇଁ ଅଯଥା ପଇସା ଖର୍ଚ୍ଚ କରିଥାନ୍ତି । ଏଗୁଡିକରେ ଅତି ଦରକାରୀ ଖାଦ୍ୟପ୍ରାଣ ନ ଥାଏ । ଏ ସବୁଥିରେ ଖାଦ୍ୟପ୍ରାଣ ଥିଲେ ବି ଅଧିକ ଭଲ ଖାଦ୍ୟ ଖାଇବା ବୁଦ୍ଧିମାନର କାର୍ଯ୍ୟ ହେବ । ଶରୀରର ଗଠନ ଓ ସୁରକ୍ଷାପାଇଁ ବିନ୍, ପନିପରିବା, ଫଳ, ଅଣ୍ଡା, ଓ ମାଛ ଇତ୍ୟାଦି ଖାଦ୍ୟରେ ଯଥେଷ୍ଟ ଖାଦ୍ୟପ୍ରାଣ ଓ ପୁଷ୍ଟିକାରକ ଉପାଦାନ ଥାଏ । ଜଣେ ପତଳା ଓ ଦୁର୍ବଳ ଲୋକକୁ ଲଗାୟତ ଭାବେ ଭଲଖାଦ୍ୟ ଖାଇବାକୁ ଦେଲେ, ତାହା ଖାଦ୍ୟପ୍ରାଣ ଓ ଖଣିଜପଦାର୍ଥ ଅନୁପୂରକ ଅପେକ୍ଷା ଯଥେଷ୍ଟ ବେଶୀ ସାହାଯ୍ୟ କରେ । ଯେଉଁ ଲୋକ ଭଲଖାଦ୍ୟ ଖାଏ, ତା ପାଇଁ ଅତିରିକ୍ତ ଖାଦ୍ୟପ୍ରାଣ ଦରକାର ହୁଏନାହିଁ । ସଂଯୁକ୍ତ ଔଷଧ ବେଳେବେଳେ ଗୋଟିଏ ବଟିକା ବା ଗୋଟିଏ ଟନିକ୍ ରେ ଏକରୁ ଅଧିକ ଔଷଧ ମିଶିକରି ଥାଏ । ସାଧାରଣତଃ ଏହା ସେତେଟା ଫଳପ୍ରଦ ନୁହେଁ ଓ ଖର୍ଚ୍ଚ ହୁଏ । ଏହା ଲାଭ କରିବା ପରିବର୍ତ୍ତେ ଅଧିକ କ୍ଷତି କରିଥାଏ । କେତେକ ସଂଯୁକ୍ତ ଔଷଧ ଯାହାକୁ ବର୍ଜନ କରାଯିବା ଉଚିତ୍ । କଫ ଔଷଧ ଯେଉଁଥିରେ କଫ ଓ ନାଳ ଭଲ କରିବାପାଇଁ ଆଣ୍ଟିବାଇଓଟିକ୍ ତରଳଝାଡା ବିରୋଧୀ ଔଷଧର୍ରେ ମିଶିଥାଏ ଆଣ୍ଟାସିଡ୍ ଯାହା ପାକସ୍ଥଳୀ ଘା’ର ଚିକିତ୍ସା ପାଇଁ ମିଶାଇ ଦିଆଯାଏ ଦୁଇ ବା ଅଧିକ ଔଷଧ (ଆସ୍ପିରିନ ସହିତ ଏସିଟାମିନୋଫେନ୍ – ବେଳେବେଳେ କାଫିନ୍ ସହିତ – କୋଡିନ୍ ସହିତ ଆସ୍ପିରିନ) କ୍ୟାଲସିୟମ ଶିରାରେ କ୍ୟାଲସିୟମ ଇଞ୍ଜେକ୍ସନ ନେବା ଅତ୍ୟନ୍ତ ବିପଦଜନକ । ଖୁବ୍ ଧୀରେ ଧୀରେ ଦିଆ ନ ଗଲେ, ଏହା ଖୁବ୍ର ଶୀଘ୍ର ଜଣକୁ ମାରିଦିଏ । ପିଚାରେ କ୍ୟାଲସିୟମ ଇଞ୍ଜେକ୍ସନ ଦେବାଦ୍ଵାରା ସାଘାଂତିକ ବଥ ହୋଇଥାଏ । କ୍ୟାଲସିୟମ ଇଞ୍ଜେକ୍ସନ ମାଧ୍ୟମରେ ଦିଅନ୍ତୁ ନାହିଁ । ଯଥେଷ୍ଟ ପରିମାଣରେ କ୍ୟାଲସିୟମ ଯୁକ୍ତ ଖାଦ୍ୟପଦାର୍ଥ ଯଥା, ସବୁଜପାତ୍ରଯୁକ୍ତ ପନିପରିବା, ଟାପିଓକା, ଦୁଧ, ଛେନା ଇତ୍ୟାଦି ଖାଇବା ବରଂ ଭଲ । ଶିରା ମାଧ୍ୟମରେ ଖାଦ୍ୟ ଦେବା (ଇଣ୍ଟ୍ରାଭେନସ୍ ବା ‘ଆଇ.ଭି.’ ସଲ୍ୟୁସନ୍ସ) କେତେକ ଅଞ୍ଚଳର ରକ୍ତହୀନତା ଭୋଗୁଥିବା ଓ ବହୁତ ଦୁର୍ବଳ ହୋଇଯାଇଥିବା ଲୋକ ଶିରା ମାଧ୍ୟମରେ ମାତ୍ର ଗୋଟିଏ ଲିଟର ଖାଦ୍ୟ ଖାଇବାକୁ ସେମାନଙ୍କର ଶେଷ ସମ୍ବଳ ମଧ୍ୟ ଖର୍ଚ୍ଚ କରିଦିଅନ୍ତି । ଏହାଦ୍ଵାରା ସେମାନେ ଶକ୍ତିବାନ୍ ହେବେ ଓ ସେମାନଙ୍କର ପ୍ରଚୁର ରକ୍ତ ହେବ ବୋଲି ସେମାନଙ୍କର ଧାରଣା ଥାଏ । କିନ୍ତୁ ଏହି ଧାରଣା ଭୁଲ୍ । ଶିରାରେ ଦିଆଯାଉଥିବା ଦ୍ରବଣ ଚିନି ବ ଲୁଣ ମିଶ୍ରିତ ବିଶୁଦ୍ଧ ଜଳ ଛଡା ଆଉକିଛି ନୁହେଁ । ଗୋଟିଏ ବଡ ମିଠାଇଠାରୁ ବି କମ୍ ଶକ୍ତି ଏଥିରୁ ମିଳିଥାଏ । ଏହା ରକ୍ତହୀନତାର ଉପଶମ କରାଏ ନାହିଁ କିମ୍ବା ଦୁର୍ବଳକୁ ସବଳ କରିଦିଏ ନାହିଁ । ଉପଯୁକ୍ତ ତାଲିମ୍ ପାଇ ନ ଥିବା କୌଣସି ବ୍ୟକ୍ତି ଯଦି ଶିରାରେ ଏହି ଦ୍ରବଣ ଦିଅନ୍ତି, ତେବେ ରକ୍ତ ସଂକ୍ରମିତ ହେବାର ଭୟ ରହିଛି । ଏହାଦ୍ଵାରା ରୋଗୀ ମରିଯାଇପାରେ । ପାଟିଦ୍ଵାରା କିଛି ଖାଇପାରୁ ନ ଥିଲେ ବା ଶରୀରରେ ଜଳୀୟ ଅଂଶର ଭୀଷଣ ଅଭାବ ଦେଖାଦେଇଥିଲେ, ଶିରା ମଧ୍ୟ ଦେଇ ଦ୍ରବଣ ପ୍ରୟୋଗ କରାଯିବା ଉଚିତ୍ । କେବଳ ଜଣେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଏହି ଦ୍ରବଣ ପ୍ରୟୋଗ କରିବା ଉଚିତ୍ । ରୋଗୀ ଯଦି ଢୋକିପାରୁଥାନ୍ତି, ତେବେ ତାଙ୍କୁ ଗୋଟିଏ ଲିଟର ପାଣିରେ କିଛି ଚିନି ଏମ ଲୁଣ ମିଶାଇ ପିଇବାକୁ ଦିଅନ୍ତୁ । ଖାଇବାପାଇଁ ସକ୍ଷମ ଲୋକଙ୍କପାଇଁ, ଯେକୌଣସି ଇଣ୍ଟ୍ରାଭେନ୍ସ ଦ୍ରବଣ ଅପେକ୍ଷା, ପୁଷ୍ଟିକାରକ ଖାଦ୍ୟ ଅଧିକ ଶକ୍ତି ଯୋଗାଇଥାଏ । ବିରେଚକ ଏବଂ ପେଟସଫା ଅତି ଦୁର୍ବଳ ହୋଇଯାଇଥିବା, ଦେହରେ ଜଳୀୟଅଂଶ କମିଯାଇଥିବା ବା ପେଟରେ ଭୀଷଣ କଷ୍ଟ ହେଉଥିବା ଶିଶୁ ବା ଅନ୍ୟ ଯେ କୌଣସି ଲୋକର ବିରେଚକ ଓ ପେଟ ସଫାକରାଇବା ସବୁବେଳେ ବିପଦଜନକ । ଦୁର୍ଭାଗ୍ୟବଶତଃ, ଲୋକମାନେ, ପେଟ ସଫା କରାଇଦେଲେ ସେମାନଙ୍କର ସ୍ୱାସ୍ଥ୍ୟ ଫେରିଆସିବ ଓ ଦେହରୁ ଖରାପ ପଦାର୍ଥ ସବୁ ବାହାରିଯିବ ବୋଲି ବିଶ୍ଵାସ କରନ୍ତି । ପେଟ ସଫା ବା ଶକ୍ତି ବିରେଚକ କରିବାଦ୍ଵାରା ହିତ ଅପେକ୍ଷା ଅଧିକ କ୍ଷତି ହୋଇଥାଏ ବୋଲି ପୂର୍ବରୁ ଆଲୋଚନା କରାଯାଇଛି । ଔଷଧ ଖାଉଥିବାବେଳେ କେଉଁ ଖାଦ୍ୟ ଖାଇବେ ଔଷଧ ଖାଉଥିବାବେଳେ କେତେକ ନିର୍ଦ୍ଧିଷ୍ଟ ଖାଦ୍ୟ, ଯଥା : ବାଇଗଣ, ତମାଟୋ, ଦହି, କମଳା, ପିଜୁଳି, ଅଣ୍ଡା, ମାଂସ ଓ ତେଲ ଇତ୍ୟାଦି ଖାଇବା ଉଚିତ୍ ନୁହେଁ ବୋଲି ଅନେକ ଲୋକ ବିଶ୍ଵାସ କରିଥାନ୍ତି, ସେମାନେ ଭାବନ୍ତି ଏସବୁ ଖାଦ୍ୟ ସହିତ ଯେ କୌଣସି ଔଷଧ ଖାଇଲେ ତାହା ତାଙ୍କର କ୍ଷତି କରିବ । କିନ୍ତୁ ଏହା ସତ୍ୟ ନୁହେଁ, ଏସବୁ ଖାଦ୍ୟ ଖାଇବାଦ୍ଵାରା ଔଷଧର କାର୍ଯ୍ୟ କାରିତା ଗୁଣ ନଷ୍ଟ ହୁଏ ନାହିଁ । କିନ୍ତୁ କେତେକ ରୋଗରେ, ଦେହ ସହିପାରୁ ନ ଥିବା କେତେକ ନିର୍ଦ୍ଧିଷ୍ଟ ଖାଦ୍ୟ ଖାଇବାଦ୍ଵାରା, ଗୁରୁତର ହୋଇଥାଏ । ଔଷଧ ଖାଅବା ନ ଖାଅ, ଏହିସବୁ ରୋଗରେ, କେତେକ ନିର୍ଦ୍ଧିଷ୍ଟ ଖାଦ୍ୟ ଖାଇବାଦ୍ଵାରା ଅବସ୍ଥା ଗୁରୁତର ହୋଇଥାଏ । ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ କେତେକ ନିର୍ଦ୍ଧିଷ୍ଟ ଔଷଧ ମଧ୍ୟ ହାନିକାରକ ହୋଇଥାଏ । କେଉଁ ସମୟରେ ଔଷଧ ଖାଇବା ଉଚିତ୍ ନୁହେଁ କେତେକ ପରିସ୍ଥିତିରେ କେତେକ ନିର୍ଦ୍ଧିଷ୍ଟ ଔଷଧ ନ ଖାଇବା ଭଲ : ଅନ୍ତଃସତ୍ତ୍ଵା ଥିବା କିମ୍ବା ସ୍ତନ୍ୟପାନ କରୁଉଥିବା ସ୍ତ୍ରୀ ଲୋକ ଆଦୌ ଅଦରକାରୀ ଔଷଧ ଖାଇବା ଉଚିତ୍ ନୁହେଁ । (ଖାଦ୍ୟପ୍ରାଣ କିମ୍ବା ଲୌହ ବଟିକା ନିର୍ଭୟରେ ଖାଇପାରିବେ) । ନବଜାତ ଶିଶୁଙ୍କୁ ଔଷଧ ଦେବାବେଳେ ସତର୍କତା ଅବଲମ୍ବନ କରନ୍ତୁ । ଯଦି ସମ୍ଭବ ସେମାନଙ୍କୁ ଔଷଧଦେବା ପୂର୍ବରୁ ଡାକ୍ତରୀ ପରାମର୍ଶ ଗ୍ରହଣ କରନ୍ତୁ । ଅତ୍ୟଧିକ ଔଷଧ ଆଦୌ ଦିଅନ୍ତୁ ନାହିଁ । ଧରନ୍ତୁ, ଜଣେ ଲୋକକୁ ପେନିସିଲିନ୍, ଆମ୍ପିସିଲିନ୍, ସଲଫୋନାମାଇଡ୍ ବା ଅନ୍ୟ କୌଣସି ଔଷଧ ବ୍ୟବହାର କରିବାକୁ ଦେବାଦ୍ଵାରା କେବେ ଅତୀତରେ ଲୋକଟିର ଦେହରେ ଅନୁର୍ଜତା ଦେଖାଦେଇ, ଦେହ କୁଣ୍ଡେଇ ହୋଇ ଫଳିଫଳି ଯାଇଥିଲା । ସେପରି ଲୋକକୁ ଏସବୁ ଔଷଧ ଜୀବନରେ କେବେହେଲେ ଦ୍ଵିତୀୟ ଥର ପାଇଁ ଦିଅନ୍ତୁ ନାହିଁ । ପାକସ୍ଥଳୀ ଘା’ ଓ ହୃଦ୍ ପ୍ରଦାହ ଥିବା ବ୍ୟକ୍ତି ଆସ୍ପିରିନ ଔଷଧ ଔଷଧ ଖାଇବା ଉଚିତ୍ ନୁହେଁ । ଅଧିକାଂଶ କଷ୍ଟ ନିବାରକ ଓ ଷ୍ଟିରଏଡ ବିପଦ ସୃଷ୍ଟି କରିଥାଏ । କେବଳ ଏସିଟାମିନୋଫେନ ବ୍ୟବହାର କରିବା ଦ୍ଵାରା କିଛି ପ୍ରତିକ୍ରିୟା ହୋଇ ନ ଥାଏ । କେତେକ ରୋଗପାଇଁ କେତେକ ନିର୍ଦ୍ଧିଷ୍ଟ ଔଷଧ ଅତ୍ୟନ୍ତ ବିପଦପୂର୍ଣ୍ଣ । ଉଦାହରଣସ୍ୱରୂପ, ଯକୃତ ସଂକ୍ରମଣ ବା ହେପାଟାଇଟିସ ରୋଗୀର ଚିକିତ୍ସାପାଇଁ କୌଣସି ପ୍ରତିରୋଧକ ବା ତେଜୀୟାନ ଔଷଧ ବ୍ୟବହାର କରିବା ଉଚିତ୍ ନୁହେଁ, କାରଣ ଏହାଦ୍ଵାରା ଯକୃତକୁ ନଷ୍ଟ କରିଦେବା ସହିତ ଦେହକୁ ବିଷାକ୍ତ କରିଦେବାର ସମ୍ଭାବନା ରହିଛି । ଦେହରୁ ଜଳୀୟ ଅଂଶ କମିଯିବା ବା ବୃକକ ଜନିତ ଭୋଗ କରୁଥିବା ରୋଗୀଙ୍କ କ୍ଷେତ୍ରରେ ଔଷଧ ପ୍ରୟୋଗ କରିବାପାଇଁ ସତର୍କତା ଅବଲମ୍ବନ କରିବା ଉଚିତ୍ । ଠିକ୍ ରୂପେ ପରିସ୍ରା ନ ହେଉଥିବା ବ୍ୟକ୍ତିକୁ ଗୋଟିଏ ପାନରୁ ଅଧିକ ଔଷଧ ଦିଆଗଲେ ତାହା ଶରୀରକୁ ବିଷାକ୍ତ କରି ଦେଇପାରେ ଉଦାହରଣ ସ୍ୱରୂପ : ଯଦି କୌଣସି ପିଲାକୁ ପ୍ରବଳ ଜ୍ଵର ହୋଇଥାଏ ଓ ଟା’ ଦେହର ଜଳୀୟଅଂଶ କମିଯାଇଥାଏ, ତେବେ ପରିସ୍ରା ନ କରିବା ପର୍ଯ୍ୟନ୍ତ ତାକୁ ଗୋଟିଏ ପାନରୁ ଅଧିକ ଆସ୍ପିରିନ ଦିଅନ୍ତୁ ନାହିଁ, ଶରୀରରେ ଜଳୀୟଅଂଶ କମିଯାଇ ରୋଗ ଭୋଗୁଥିବା ବ୍ୟକ୍ତିଙ୍କୁ କେବେବି ସଲଫା ଦିଅନ୍ତୁ ନାହିଁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ