ଇଞ୍ଜେକ୍ସନ ଦେବାର ବିଭିନ୍ନ ଉପାୟ ରୋଗୀ ଦେହରେ ଇଞ୍ଜେକ୍ସନ ମାଧ୍ୟମରେ ଔଷଧ ଦେବାର ବିଭିନ୍ନ ଉପାୟ ଅଛି । କେତେକ ଔଷଧ ମାଂସପେଶୀରେ ଦେବାକୁ ପଡିଥାଏ ଓ ଆଉ କେତେକ ଚର୍ମ ତଳେ ଦିଆଯାଇଥାଏ । ଇଞ୍ଜେକ୍ସନ ଦେବାର ନିର୍ଦ୍ଦେଶାବଳୀ ଭାଲ ଭାବରେ ପାଳନ କରିବା ଉଚିତ୍ । କାରଣ ଭିନ୍ନ ଉପାୟରେ ଇଞ୍ଜେକ୍ସନ ଦେବାଦ୍ଵାରା ଔଷଧର ଗୁଣାତ୍ମକ ମାନ ହ୍ରାସ ହେବା ସହିତ ରୋଗୀର କ୍ଷତି ପହଞ୍ଚିଥାଏ । ଇଣ୍ଟ୍ରାଡରମାଲ୍ : ଚର୍ମରେ ଇଞ୍ଜେକ୍ସନ ଦିଆଯାଇଥାଏ । ଇଞ୍ଜେକ୍ସନର ଛୁଞ୍ଚି ଚର୍ମରେ ରୁହେ । ଏହାଦ୍ଵାରା ରୋଗୀର ଆର୍ଲ୍କି ଅଛି କି ନାହିଁ ପରୀକ୍ଷା କରାଯାଇଥାଏ । ବି.ସି.ଜି ଟୀକା ଇଣ୍ଟ୍ରାଡର୍ମାଲ ଇଞ୍ଜେକ୍ସନ ଦ୍ଵାରା ଦିଆଯାଇଥାଏ। ସବକ୍ୟୁଟାନିୟସ (ଏସ୍.ସି) ଔଷଧ ଇଞ୍ଜେକ୍ସନ ମାଧ୍ୟମରେ ଚର୍ମ ତଳେ ଚର୍ବି ଜାତୀୟ ତନ୍ତୁ ଭିତରକୁ ଦିଆଯାଇଥାଏ । ଛୁଞ୍ଚିର ଅବସ୍ଥା ତେର୍ଚ୍ଛାହୋଇ ରୁହେ । ଏହା ବାହୁର ଉପରି ଭାଗ, ଜଙ୍ଘ ଓ ତଳି ପେଟରେ ଦିଆଯାଇଥାଏ । ଏପିନେଫ୍ରାଇନ ଇଞ୍ଜେକ୍ସନ ଏହିଭଳି ଦିଆଯାଏ । ଇଣ୍ଟ୍ରାମସକ୍ୟୁଲାର (ଆଇ.ଏମ୍) ଇଞ୍ଜେକ୍ସନ ମାଂସପେଶୀ ଭିତରକୁ ଦିଆଯାଇଥାଏ । ଛୁଞ୍ଚିର ଅବସ୍ଥା ସମାନ୍ତରାଳ ହୋଇ ରୁହେ ଓ ସିଧା ସଳଖ ଦିଆଯାଏ । ଏହି ଇଞ୍ଜେକ୍ସନ ନେବାର ସ୍ଥାନ ହେଲା ବାହୁଡ଼ା ଉପରି ଭାଗ, ପିଚା ଓ ଜଙ୍ଘ । ଅଧିକାଂଶ ଇଞ୍ଜେକ୍ସନ ଯଥା ଡିପିଟି ଓ ଟିଟାନସ୍ ମାଂସପେଶୀରେ ଦିଆଯାଇଥାଏ । ଇଣ୍ଟ୍ରାଭେନସ୍ (ଆଇ.ଭି) ଇଞ୍ଜେକ୍ସନ ଶିରା ଭିତରକୁ ଦିଆଯାଇଥାଏ । କେବଳ ପ୍ରଶିକ୍ଷଣ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଏହି ଇଞ୍ଜେକ୍ସନ ଦେବା ଉଚିତ୍ । ଏହାଦ୍ଵାରା ଅତି ଜରୁରୀ ଅବସ୍ଥାରେ ଜୀବନକୁ ରକ୍ଷା କରାଯାଇପାରେ । ଆଇ.ଭି.ଫ୍ଲୁ ଇଡ୍ ଏହିଭଳି ଦିଆଯାଏ । ମନେରଖନ୍ତୁ ଆଇ.ଭି.ର ପ୍ରତିକ୍ରିୟା ହେଲେ ଆପଣ ଜାଣିପାରିବା ପୂର୍ବରୁ ରୋଗୀ ମରିଯାଇପାରେ । ଇଞ୍ଜେକ୍ସନ କେତେବେଳେ ଦେବେ ଓ କେତେବେଳେ ଦେବେ ନାହିଁ ? ଅଧିକାଂଶ ସମୟରେ ଇଞ୍ଜେକ୍ସନର ଆବଶ୍ୟକତା ନ ଥାଏ । ଡାକ୍ତରୀ ଚିକିତ୍ସା ଦରକାର କରୁଥିବା ଅନେକ ରୋଗ କ୍ଷେତ୍ରରେ ଇଞ୍ଜେକ୍ସନ ଦ୍ଵାରା ଯେତିକି ଲାଭ ମିଳିଥାଏ, ଔଷଧ ଖାଇବାଦ୍ଵାରା ସେତିକି ବା ତା’ଠାରୁ ଅଧିକ ଲାଭ ମିଳିଥାଏ । ସାଧାରଣତଃ, ଔଷଧ ଖାଇବା ଅପେକ୍ଷା ଔଷଧର ଇଞ୍ଜେକ୍ସନ ନେବା ଅଧିକ ବିପଦଜନକ । କେବଳ ନିହାତି ଦରକାର ବେଳେ ଇଞ୍ଜେକ୍ସନ ନେବା ଉଚିତ୍ । ଇଞ୍ଜେକ୍ସନର ପ୍ରୟୋଗ କେବଳ ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶିକ୍ଷଣ ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ହିଁ କରାଯିବା ଉଚିତ୍ । ଇଞ୍ଜେକ୍ସନ ମାଧ୍ୟମରେ ଔଷଧ ନେବାର ପ୍ରକୃଷ୍ଟ ସମୟ ପରାମର୍ଶ ଦିଆଯାଇଥିବା ଔଷଧ, ଯେତେବେଳେ ଖାଇବା ଔଷଧ ଆକାରରେ ମିଳେ ନାହିଁ । ଯେତେବେଳେ ରୋଗୀ ବାରମ୍ବାର ବାନ୍ତି କରେ, ଢୋକିପାରେ ନାହିଁ ବା ଅଚେତ ଅବସ୍ଥାରେ ଥାଏ । କେତେକ ନିର୍ଦ୍ଧିଷ୍ଟ ଜରୁରୀ ପରିସ୍ଥିତି ବା ସ୍ଵତନ୍ତ୍ର ଅବସ୍ଥାବେଳେ । ଡାକ୍ତର ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଲେ କ’ଣ କରିବେ ? ବେଳେବେଳେ ଆଦୌ ଦରକାର ନ ଥିବା ସମୟରେ, ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଥାନ୍ତି । ବିଶେଷତଃ ଇଞ୍ଜେକ୍ସନ ଦେବାପାଇଁ ସେମାନେ ଅଧିକ ପଇସା ପାଆନ୍ତି । ମଫସଲ ଅଞ୍ଚଳରେ ଇଞ୍ଜେକ୍ସନ ଦେବାଦ୍ଵାରା କେଉଁ ସମସ୍ୟା ବା ବିପଦ ଉପୁଜିବ ସେଥିପ୍ରତି ସେମାନେ ଦୃଷ୍ଟି ଦିଅନ୍ତି ନାହିଁ । ଯଦି ଜଣେ ସ୍ୱାସ୍ଥ୍ୟକର୍ମୀ ବା ଶୁଶ୍ରୁଷାକାରୀ ଇଞ୍ଜେକ୍ସନ ଦେବାକୁ ଚାହାଁନ୍ତି ତେବେ ସେ ଉପଯୁକ୍ତ ଔଷଧ ଦେଉଛନ୍ତି କି ନାହିଁ ଓ ସେ ଦରକାରୀ ସତର୍କତା ଅବଲମ୍ବନ କରୁଛନ୍ତି କି ନାହିଁ ସେ ବିଷୟରେ ନିଶ୍ଚିତ ହୁଅନ୍ତୁ । ଯଦି ଜଣେ ଡାକ୍ତର ଇଞ୍ଜେକ୍ସନ ଦେବାକୁ ପରାମର୍ଶ ଦିଅନ୍ତି ତେବେ ଆପଣଙ୍କ ଅଞ୍ଚଳରେ ଇଞ୍ଜେକ୍ସନ ଦେବାପାଇଁ କୌଣସି ଅଭିଜ୍ଞ ବ୍ୟକ୍ତି ନାହାନ୍ତି ବୋଲି ବୁଝାଇ କୁହନ୍ତୁ ଓ ସେହି ଇଞ୍ଜେକ୍ସନର ଖାଇବା ଔଷଧ ମିଳୁଛି କି ନାହିଁ ପଚାରି ବୁଝାନ୍ତୁ । ଯଦି ଜଣେ ଡାକ୍ତର ଆପଣଙ୍କ ରକ୍ତ ପରୀକ୍ଷା ନ କରି ଖାଦ୍ୟପ୍ରାଣ, ଲିଭର ଏକସଟ୍ରାକଟ (କଲିଜା ମଧ୍ୟରୁ ବାହାର କରାଯାଇଥିବା ଜୈବିକ ପଦାର୍ଥ) ଓ ଖାଦ୍ୟପ୍ରାଣ ବି ଇତ୍ୟାଦିର ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦିଅନ୍ତି, ତେବେ ଆପଣ ଅନ୍ୟଜଣେ ଡାକ୍ତରଙ୍କ ପାଖରେ ଚିକିଟଷିତ ହେବାକୁ ପସନ୍ଦ କରିବେ ବୋଲି ତାଙ୍କୁ କହିଦିଅନ୍ତୁ । କେଉଁ ଜରୁରୀ ପରିସ୍ଥିତିରେ ଇଞ୍ଜେକ୍ସନ ଦେବା ଅପରିହାର୍ଯ୍ୟ ନିମ୍ନଦତ୍ତ ରୋଗଗୁଡିକ କ୍ଷେତ୍ରରେ ଯେତେ ଶୀଘ୍ର ସମ୍ଭବ ଡାକ୍ତରୀ ସାହାଯ୍ୟ ଗ୍ରହଣ କରନ୍ତୁ । ଯଦି କୌଣସି କାରଣରୁ ସାହାଯ୍ୟ ପାଇବାରେ ବା ରୋଗୀକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାରେ ବିଳମ୍ବ ହୁଏ, ତେବେ ଯେତେଶୀଘ୍ର ସମ୍ଭବ ରୋଗୀକୁ ଉପଯୁକ୍ତ ଔଷଧର ଇଞ୍ଜେକ୍ସନ ଦିଅନ୍ତୁ । ମାତ୍ରାର ବିବରଣୀ ପାଇଁ ନିମ୍ନଦତ୍ତ ତାଲିକାର ସାହାଯ୍ୟ ନିଅନ୍ତୁ । ଇଞ୍ଜେକ୍ସନ ଦେବା ପୂର୍ବରୁ ଏହାର ସମ୍ଭାବ୍ୟ ପ୍ରଭାବ ଓ ଆବଶ୍ୟକୀୟ ସତର୍କତା ବିଷୟରେ ଜାଣିରଖନ୍ତୁ । ନିମ୍ନଦତ୍ତ ଗୁରୁତର ରୋଗ ଗୁଡିକ କ୍ଷେତ୍ରରେ ବହୁତ କମ୍ ଜରୁରୀ ଅବସ୍ଥା ଆସୁଥିଲେ ମଧ୍ୟ ସେହି ସମୟରେ ଇଞ୍ଜେକ୍ସନ ଦରକାର ପଡିଥାଏ । ତେଣୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ଗ୍ରହଣ କରନ୍ତୁ । କେତେବେଳେ ଇଞ୍ଜେକ୍ସନ ଦେବେ ନାହିଁ ଯଦି ଡାକ୍ତରୀ ସାହାଯ୍ୟ ଖୁବ୍ ଶୀଘ୍ର ପାଇପାରିବେ, ତେବେ ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । ଯଦି ରୋଗ ଗୁରୁତର ନୁହେଁ, ତେବେ ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । ଥଣ୍ଡା ବା ସର୍ଦ୍ଦି ଜ୍ଵର ପାଇଁ ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । ଆପଣ ଚିକିତ୍ସା କରିବାକୁ ଚାହୁଁଥିବା ରୋଗ ପାଇଁ ପରାମର୍ଶ ଦିଆଯାଇ ନ ଥିବା ଔଷଧର ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । ଯେଉଁ ଔଷଧ ଜାଣି ନାହାଁନ୍ତି ବା ଯାହାକୁ ଦେବା ପରେ ପରାମର୍ଶ ଦିଆଯାଇଥିବା ସତର୍କତା ଅବଲମ୍ବନ କରିହେବ ନାହିଁ, ତାର ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । ଗାଁରେ ପୋଲିଓ (ମେରୁରଜ୍ଜୁର ଧୂସରାଂଶର ପ୍ରଦାହ) ମହାମାରୀ ହୋଇଥିଲେ, ବିଶେଷକରି ଛୁଆମାନଙ୍କୁ ଆଦୌ ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । କେଉଁ ଔଷଧ ସବୁର ଇଞ୍ଜେକ୍ସନ ଦେବେ ନାହିଁ ମୋଟ ଉପରେ, ନିମ୍ନଦତ୍ତ ଔଷଧଗୁଡିକର ଇଞ୍ଜେକ୍ସନ ଆଦୌ ଦିଅନ୍ତୁ ନାହିଁ । ଖାଦ୍ୟପ୍ରାଣ ବା ଭିଟାମିନ୍ ଖିଆଯାଉଥିବା ଭିଟାମିନ୍ ଅପେକ୍ଷା ଭିଟାମିନ୍ ର ଇଞ୍ଜେକ୍ସନ କ୍ଵଚିତ ଫଳପ୍ରଦ ହୋଇଥାଏ । ଇଞ୍ଜେକ୍ସନରେ ଅଧିକ ଖର୍ଚ୍ଚ ହୁଏ ଓ ଏହା ବିପଦଜନକ । ଭିଟାମିନ୍ ର ଇଞ୍ଜେକ୍ସନ ଅପେକ୍ଷା ବଟିକା ବା ସିରପ୍ ବ୍ୟବହାର କରନ୍ତୁ । ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବା ଅଧିକ ଭଲ । ଲିଭର ଏକ୍ସଟ୍ରାକଟ ଓ ଭିଟାମିନ୍ ବି ଏଗୁଡ଼ିକର ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । ଏଗୁଡିକ ବଥ କରାନ୍ତି କିମ୍ବା ବିପଜ୍ଜନକ ପ୍ରତିକ୍ରିୟା କରାଇପାରନ୍ତି । ସବୁ ପ୍ରକାରର ରକ୍ତହୀନତା ପାଇଁ ଫେରସ୍ ସଲଫେଟ୍ ବଟିକା ଅଧିକ ଫଳପ୍ରଦ । କ୍ୟାଲସିୟମ ଯଦି କ୍ୟାଲସିୟମକୁ ଶିରା ଭିତରକୁ ଖୁବ୍ ଧୀରେ ଧୀରେ ଦିଆ ନ ଯାଏ, ତେବେ ଏହା ଖୁବ୍ ବିପଦଜନକ ହୋଇଥାଏ । ପିଚାରେ କ୍ୟାଲସିୟମ ଇଞ୍ଜେକ୍ସନ ଦେଲେ ଖୁବ୍ ବଡ ଘା’ ହୋଇଯାଇପାରେ । ତାଲିମପ୍ରାପ୍ତ ଲୋକଙ୍କ ଛଡା ଅନ୍ୟ କେହି କ୍ୟାଲସିୟମ ଇଞ୍ଜେକ୍ସନ ଦେବା ଉଚିତ ନୁହେଁ । ପିନିସିଲିନ୍ ପେନିସିଲିନ୍ ଦରକାର କରୁଥିବା ପ୍ରାୟ ସମସ୍ତ ରୋଗ କ୍ଷେତ୍ରରେ ପେନିସିଲିନ୍ ଔଷଧ ଖାଇବାଦ୍ଵାରା ଫଳପ୍ରଦ ଚିକିତ୍ସା କରାଯାଇପାରିବ । ପେନିସିଲିନ୍ ର ଇଞ୍ଜେକ୍ସନ ଅଧିକ ବିପଦଜନକ । କେବଳ ଭୟାନକ ସଂକ୍ରମଣ ପାଇଁ ପେନିସିଲିନ୍ ଇଞ୍ଜେକ୍ସନ ବ୍ୟବହାର କରନ୍ତୁ । ଷ୍ଟ୍ରେପଟୋମାଇସିନ୍ ସହିତ ପେନିସିଲିନ୍ ଏହି ଯୁକ୍ତ ଔଷଧକୁ ବ୍ୟବହାର କରନ୍ତୁ ନାହିଁ । ଥଣ୍ଡା ବା ଶର୍ଦ୍ଦି ଜ୍ଵର ପାଇଁ ଏହାକୁ କେବେ ବି ବ୍ୟବହାର କରନ୍ତୁ ନାହିଁ କାରଣ ଏଥିରେ ଏହା କାମ କରେ ନାହିଁ । ଏହା କେତେକ ଜଟିଳ ସମସ୍ୟା କରାଯାଇପାରେ ଯଥା – ବଧିରତା କିମ୍ବା ମୃତ୍ୟୁ । କ୍ଲୋରମଫେନିକଲ୍ ବା ଟେଟ୍ରାସାଇକ୍ଲିନ ଏହି ଔଷଧକୁ ଖାଇବାଦ୍ଵାରା ଏହା ଇଞ୍ଜେକ୍ସନର ବା ଇଞ୍ଜେକ୍ସନ ଠାରୁ ଅଧିକ ଫଳ ହୋଇଥାଏ । ଏହି ଔଷଧର ଇଞ୍ଜେକ୍ସନ ଅପେକ୍ଷା କ୍ୟାପସୁଲ୍ ବା ସିରପ୍ ବ୍ୟବହାର କରନ୍ତୁ । ଇଣ୍ଟ୍ରାଭେନସ ବା ଶିରାରେ ଦିଆଯାଉଥିବା ଦ୍ରବଣ କେବଳ ଉପଯୁକ୍ତ ତାଲିମପ୍ରାପ୍ତ ଲୋକଙ୍କଦ୍ଵାରା ଶରୀରରେ ଦେଖାଦେଉଥିବା ଗୁରୁତର ଜଳୀୟ ଅଂଶର ଅଭାବ ପାଇଁ ଏହା ବ୍ୟବହାର କରିବା ଉଚିତ୍ । ଯଦି ଠିକ୍ ରୂପେ ଦିଆ ନ ଯାଏ ତେବେ ଏହାଦ୍ଵାରା ଭୟଙ୍କର ସଂକ୍ରମଣ ବା ମୃତ୍ୟୁ ଘଟାଇ ପାରେ । ଇଣ୍ଟ୍ରାଭେନସ୍ ବା ଶିରାମଧ୍ୟଦେଇ ଔଷଧ ପ୍ରୟୋଗ ଶିରା ଭିତରକୁ ଇଞ୍ଜେକ୍ସନ ଦ୍ଵାରା ଔଷଧ ଭର୍ତ୍ତି କରିବା ଏତେ ବିପଦଜନକ ଯେ, ସବୁବେଳେ ଜଣେ ଅଭିଜ୍ଞ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ ଡାକ୍ତରଙ୍କ ତତ୍ତ୍ଵାବଧାନରେ ଇଞ୍ଜେକ୍ସନ ଦେବା ଉଚିତ୍ । କେବଳ ଶିରାରେ ବ୍ୟବହାର ପାଇଁ ଲେଖାଥିବା ଔଷଧକୁ କେବେ ବି ମାଂସପେଶୀ ରେ ଇଞ୍ଜେକ୍ସନ ଆକାରରେ ଦିଅନ୍ତୁ ନାହିଁ କିମ୍ବା କେବଳ “ମାଂସପେଶୀରେ ବ୍ୟବହାର ପାଇଁ” ଉଦ୍ଦିଷ୍ଟ ଔଷଧକୁ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଅନ୍ତୁ ନାହିଁ । ବିପଦ ଓ ସତର୍କତା ଔଷଧର ଇଞ୍ଜେକ୍ସନ ଦେବାଦ୍ଵାରା ସୃଷ୍ଟି ହେଉଥିବା ବିପଦଗୁଡିକ ହେଉଛି, (୧) ଛୁଞ୍ଚି ସହିତ ପଶିଯାଉଥିବା ଜୀବାଣୁଙ୍କ ଦ୍ଵାରା ସଂକ୍ରମଣ ଓ (୨) ଔଷଧର ଅନୁର୍ଜତା ବା ବିଷାକ୍ତ ପ୍ରତିକ୍ରିୟା । ଇଞ୍ଜେକ୍ସନ ଦେବାବେଳେ ସଂକ୍ରମଣର ସମ୍ଭାବନାକୁ କମାଇବାପାଇଁ ସବୁକିଛି ସଫା କରିବା ପାଇଁ ସର୍ବାଧିକ ଯତ୍ନବାନ ହୁଅନ୍ତୁ । ଇଞ୍ଜେକ୍ସନ ଦେବାପୂର୍ବରୁ ଛୁଞ୍ଚି ଓ ସିରିଞ୍ଜକୁ ପାଣିରେ ଅତି କମ୍ ରେ ପନ୍ଦର ମିନିଟ୍ ପକାଇ ଫୁଟାନ୍ତୁ । ପାଣିରେ ଫୁଟେଇ ସାରିବା ପରେ ଟିପରେ ବା ଅନ୍ୟ କେଉଁଥିରେ ଛୁଞ୍ଚିମୁନକୁ ଛୁଅଁନ୍ତୁ ନାହିଁ । ପ୍ରତ୍ୟକଥର ଇଞ୍ଜେକ୍ସନ ଦେବା ପୂର୍ବରୁ ଛୁଞ୍ଚିକୁ ଅଧ ଘଣ୍ଟାଏ ପାଣିରେ ଫୁଟାନ୍ତୁ, ବିଶେଷକରି ଯଦି ଆପଣ ଗୋଟିଏ ଛୁଞ୍ଚିରେ ଅନେକ ଲୋକଙ୍କୁ ଇଞ୍ଜେକ୍ସନ ଦେଉଥିବେ ଇଞ୍ଜେକ୍ସନ ଦେବାର ସମସ୍ତ ନିୟମ ଯତ୍ନ ସହକାରେ ନିମ୍ନ ପୃଷ୍ଠାମାନଙ୍କରେ ଅନୁସରଣ କରନ୍ତୁ । ଇଞ୍ଜେସକନ ଦେବା ପୂର୍ବରୁ ନିଜର ହାତ ଭଲଭାବେ ପରିଷ୍କାର କରି ଧୁଅନ୍ତୁ । ଇଞ୍ଜେକ୍ସନ ଦେବା ପୂର୍ବରୁ ଔଷଧର ପ୍ରତିକ୍ରିୟା ପାଇଁ ପ୍ରତିକାର ବ୍ୟବସ୍ଥା ସବୁ ଜାଣି ରଖନ୍ତୁ । ବିଶୋଧିତ ହୋଇ ନ ଥିବା ଛୁଞ୍ଚିରେ ଏହି ପିଲାଟିକୁ ଇଞ୍ଜେକ୍ସନ ଦିଆଯାଇଥିଲା । ମଇଳା ଛୁଞ୍ଚିରେ ଇଞ୍ଜେକ୍ସନ ଦେବାରୁ ପୂଜଭର୍ତ୍ତି ଘା’ ହେଲା ଓ ପିଲାଟିକୁ ଜ୍ଵର ହେଲା, ଶେଷକୁ ଘା’ଟି ଚିତ୍ରରେ ଦର୍ଶାଯାଇଥିବା ଭଳି ଫାଟିଲା । ଥଣ୍ଡା ହୋଇଥିବା ଯୋଗୁ ଛୁଆଟିକୁ ଇଞ୍ଜେକ୍ସନ ଦିଆଯାଇଥିଲା, ତାକୁ କୌଣସି ଔଷଧ ଦିଆ ନ ଯାଇଥିଲେ ବହୁତ ଭଲ ହୋଇଥାନ୍ତା, କୌଣସି ଉପକାର କରିବା ପରିବର୍ତ୍ତେ ଇଞ୍ଜେକ୍ସନ ଛୁଆଟିକୁ କଷ୍ଟ ଦେଲା ଓ ତା’ର କ୍ଷତି କଲା । ସତର୍କତା – ଯଦି ସମ୍ଭବ, ଛୋଟ ପିଲାଙ୍କୁ ଇଞ୍ଜେକ୍ସନ ଦେବା ବଦଳରେ ସବୁବେଳେ ଔଷଧ ପାଟିରେ ଖାଇବାକୁ ଦିଅନ୍ତୁ । ଏହିପରି ସମସ୍ୟାଗୁଡିକର ଦୂରୀକାରଣ ପାଇଁ କେବଳ ପ୍ରୟୋଜନୀୟ ସମୟରେ ଇଞ୍ଜେକ୍ସନ ଦିଅନ୍ତୁ । ଇଞ୍ଜେକ୍ସନ ଦେବାର ଠିକ୍ ପୂର୍ବରୁ ଛୁଞ୍ଚି ଓ ସିରିଞ୍ଜକୁ ପାଣିରେ ଫୁଟାନ୍ତୁ ଓ ସେଗୁଡିକୁ ସଂପୂର୍ଣ୍ଣ ପରିଷ୍କାର ରଖିବା ପାଇଁ ଯଥେଷ୍ଟ ଯତ୍ନ ନିଅନ୍ତୁ । ନିର୍ଦ୍ଧିଷ୍ଟ ରୋଗ ପାଇଁ କେବଳ ପରାମର୍ଶ ଦିଆଯାଇଥିବା ତଥା ଖରାପ ନ ହୋଇ ଭଲ ଅବସ୍ଥାରେ ଥିବା ଔଷଧର ଇଞ୍ଜେକ୍ସନ ଦିଅନ୍ତୁ । ଠିକ୍ ଯାଗାରେ ଇଞ୍ଜେକ୍ସନ ଦିଅନ୍ତୁ । (ଲକ୍ଷ୍ୟ କରନ୍ତୁ ଯେ ଏହି ପିଲାଟିକୁ ପିଚାର ବହୁତ ତଳେ ଇଞ୍ଜେକ୍ସନ ଦିଆଯାଇଥିଲା । ଯେଉଁଠାରେ କି ଏହା ସ୍ନାୟୁକୁ ନଷ୍ଟ କରିଦେବାର ସମ୍ଭାବନା ରହିଛି । ତେଣୁ ନବଜାତ ଶିଶୁ ଓ ଛୋଟପିଲାକୁ ପିଚାରେ ଇଞ୍ଜେକ୍ସନ ନ ଦେଇ ଜଙ୍ଘର ଉର୍ଦ୍ଧ୍ଵ ଓ ବାହ୍ୟ ଅଂଶରେ ଦେବା ଉଚିତ୍ । କେତେକ ନିର୍ଦ୍ଧିଷ୍ଟ ଔଷଧର ଇଞ୍ଜେକ୍ସନର ବିପଦଜନକ ପ୍ରତିକ୍ରିୟା ପେନିସିଲିନ୍, ଆମ୍ପିସିଲିନ୍ ଓ ଆଣ୍ଟିଟକ୍ ସିନ୍ ପରି କେତେକ ନିର୍ଦ୍ଧିଷ୍ଟ ଔଷଧ ଯୋଗୁଁ ଭୟାନକ ଅନୁର୍ଜତା ବା ମୂର୍ଚ୍ଛା ସୃଷ୍ଟି ହୁଏ । ଏହିସବୁ ଔଷଧଗୁଡିକରୁ ଯେ କୌଣସିଟି ଦେବା ପୂର୍ବରୁ ରୋଗୀତି ଉକ୍ତ ଔଷଧପ୍ରତି ସମ୍ବେଦନଶୀଳ କି ନୁହେଁ ଜାଣିବା ପାଇଁ ସମ୍ବେଦନଶୀଳତା ପରୀକ୍ଷା କରନ୍ତୁ । ଏହି ପରୀକ୍ଷା କରିବା ପୂର୍ବରୁ ଓ ପରେ ଆଡ୍ରେନାଲିନ୍ ପ୍ରସ୍ତୁତ ରଖିଥାନ୍ତୁ । ସମ୍ବେଦନଶୀଳତାର ପରୀକ୍ଷା କିପରି କରିବେ । ୧୦୩ ପୃଷ୍ଠାରେ ଦର୍ଶାଯାଇଥିବା ପରି ସିରିଞ୍ଜଟିକୁ ପ୍ରସ୍ତୁତ କରନ୍ତୁ । ଅତି ଛୋଟ ଛୁଞ୍ଚି ବ୍ୟବହାର କରନ୍ତୁ । କହୁଣୀ ପାଖରୁ ତଳକୁ ହାତର ସାମନା ସାବୁନ୍ ଓ ପାଣି ବା ଆଲକହଲ୍ ଦ୍ଵାରା ସଫା ଦିଅନ୍ତୁ । ଇଞ୍ଜେକ୍ସନ ଦେବା ପୂର୍ବରୁ ଚରମ ଶୁଖିଲା ରହିବା ଉଚିତ୍ । ଚର୍ମ ସହିତ ସମାନ୍ତରାଳ କରି ସିରିଞ୍ଜ ଧରନ୍ତୁ । ଠିକ୍ ଚର୍ମ ଭିତରେ ୦.୧ ମି.ଲି. ଔଷଧ ଭର୍ତ୍ତି କରନ୍ତୁ, ଯାହାଦ୍ଵାରା କି ଚର୍ମ ଉପରେ କିଛି ଜାଗା ଫୁଲିଯିବ । ଚର୍ମ ତଳକୁ ଭର୍ତ୍ତି କରନ୍ତୁ ନାହିଁ । ଏହାପରେ ଛୁଞ୍ଚି ବାହାର କରି ଦିଅନ୍ତୁ । ଛୁଛି ଫୋଡା ହୋଇଥିବା ସ୍ଥାନରେ କଲମ ସାହାଯ୍ୟରେ ଏକ ଗୋଲ୍ କରି ଦିଅନ୍ତୁ ଓ ଅଧଘଣ୍ଟା ଅପେକ୍ଷା କରନ୍ତୁ । ନିମ୍ନଦତ୍ତ ଲକ୍ଷଣଗୁଡିକ ଲକ୍ଷ୍ୟ କରନ୍ତୁ : ଇଞ୍ଜେକ୍ସନ ଦିଆଯାଇଥିବା ଜାଗା ନାଲିପଡୁଛି, କଷ୍ଟ ଦେଉଛି ଓ ଫୁଲି ଯାଉଛି କୁଣ୍ଡେଇ ହୋଇ ଫଳି ଫଳି ଯାଉଛି ଯେ କୌଣସ ଜାଗା ଫୁଲି ଯାଉଛି ଶ୍ଵାସକ୍ରିୟାରେ କଷ୍ଟ ହେଉଛି ସଜ୍ଞାହୀନ ହେବାର ଲକ୍ଷଣ ମୁଣ୍ଡ ଘୁରେଇହୋଇ ବାନ୍ତି ବାନ୍ତି ଲାଗୁଛି ଆଖିକୁ ଜାଲଜାଲୁଆ ଦେଖାଯାଉଛି କାନ ଭିତରେ ଟିନ୍ ଟିନ୍ ଶବ୍ଦ ହେଉଛି ବା କିଛି ଶୁଭୁନାହିଁ ପିଠିରେ ଭୀଷଣ ଯନ୍ତ୍ରଣା ହେଉଛି ପରିସ୍ରା କରିବାରେ ଅସୁବିଧା ହେଉଛି ଯଦି ଏଗୁଡିକରୁ ଯେ କୌଣସିର ଲକ୍ଷଣ ଦେଖାଦିଏ, ତେବେ ବଳକା ଔଷଧର ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । ଏପରିକି ସେହି ବ୍ୟକ୍ତିଙ୍କୁ ଏ ଔଷଧର ଇଞ୍ଜେକ୍ସନ ଆଉ ଆଦୌ ଦିଅନ୍ତୁ ନାହିଁ । ବର୍ତ୍ତମାନ ଆପଣଙ୍କ ନିକଟରେ ଥିବା ଆଡ୍ରେନାଲିନ୍ ରୁ ୦.୫ ମି.ଲି. ବୟସ୍କଙ୍କ ପାଇଁ ୦.୨୫ ମି.ଲି. ଛୁଆଙ୍କ ପାଇଁ ନେଇ ଇଞ୍ଜେକ୍ସନ ଦିଅନ୍ତୁ । ଯଦି ଉପରୋକ୍ତ ଲକ୍ଷଣଗୁଡିକରୁ କିଛି ଦେଖାଦିଏ ନାହିଁ ତେବେ ବଳକା ଔଷଧ ପିଚାରେ ଦିଅନ୍ତୁ । କେତେକ ଲୋକଙ୍କଠାରେ ସମ୍ବେଦନଶୀଳତା ପରୀକ୍ଷା ପରେ ଏପରି କୌଣସି ଲକ୍ଷଣ ଦେଖା ନ ଦେଲେ ମଧ୍ୟ, ବେଳେବେଳେ ସମ୍ପୂର୍ଣ୍ଣ ମାତ୍ରାର ଔଷଧ ଇଞ୍ଜେକ୍ସନରେ ଦିଆଯିବାପରେ ଅନୁର୍ଜତା ଦେଖା ଦେଇଥାଏ । ସମ୍ବେଦନଶୀଳତା ପରୀକ୍ଷା କରିଥିଲେ ବି ସବୁବେଳେ ଇଞ୍ଜେକ୍ସନ ଦେବା ପୂର୍ବରୁ ଆଡ୍ରେନାଲିନ୍ ପାଖରେ ରଖନ୍ତୁ । ପୂର୍ଣ୍ଣମାତ୍ରାର ଔଷଧ ଇଞ୍ଜେକ୍ସନରେ ନେବାର କିଛିଦିନ ପରେ ବି ଯଦି ଜଣଙ୍କର ଦେହ ରିବିରିବି ହୋଇ ଫୁଲିଯାଏ ବା କୁଣ୍ଡେଇ ହୁଏ, ତେବେ ହୁଏତ ସେହି ବ୍ୟକ୍ତିଙ୍କର ଉକ୍ତ ଔଷଧ ପ୍ରତି ଅନୁର୍ଜତା ଅଛି । ତାଙ୍କୁ ଉକ୍ତ ଔଷଧର ଇଞ୍ଜେକ୍ସନ ଆଉଥରେ ଦିଅନ୍ତୁ ନାହିଁ । ବେଳେବେଳେ ଇଞ୍ଜେକ୍ସନ ଦେବାର କିଛି ଘଣ୍ଟା ପରେ ବା କିଛିଦିନ ପରେ ଦେହ ଫଳି ଫଳି ଯାଏ ବା କୁଣ୍ଡେଇ ହୁଏ । ନିମ୍ନଲିଖିତ ଗୋଷ୍ଠିର ଔଷଧଗୁଡିକର ଇଞ୍ଜେକ୍ସନ ଦେବା ପରେ ପରେ ଅନୁର୍ଜତା ଜନିତ ଆଘାତ ନାମରେ ବିପଜ୍ଜନକ ପ୍ରତିକ୍ରିୟା ସୃଷ୍ଟି ହୁଏ । ପେନିସିଲିନ୍ (ଆମ୍ପିସିଲିନ୍ ସହିତ) ବିଛା ଆଣ୍ଟିଭେନମ୍, ସାପ ଆଣ୍ଟିଭେନମ୍, ଟିଟାନସ୍ ଆଣ୍ଟିଟକସିନ୍ (ଧନୁଷ୍ଟଙ୍କାର ପ୍ରତିବିଷ) ଘୋଡା ସେରମ୍ ରୁ ଉତ୍ପନ୍ନ ଆଣ୍ଟିଟକସିନ୍ ଯଦି ପୂର୍ବରୁ ଏହି ଔଷଧ ବା ଏହି ଗୋଷ୍ଠୀର ଔଷଧର ଇଞ୍ଜେକ୍ସନ ନେଇଥିବେ ତେବେ ଏଥର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ପ୍ରତ୍ୟୁର୍ଯ୍ୟତା ଜନିତ ବିପଦର ମାତ୍ରା ଅଧିକ । ବିଶେଅତଃ ଇଞ୍ଜେକ୍ସନ ଦେବାର କିଛି ଘଣ୍ଟା ବା କିଛିଦିନ ପରେ ଯଦି ପ୍ରତିକ୍ରିୟା ଦେଖାଦିଏ, ତେବେ ଏହା ଅଧିକ ବିପଦଜନକ ବିରୁଡି ବା ମହୁମାଛି ଦଂଶନ ଅଥବା ଖିଆଯାଉଥିବା ଔଷଧ ଯୋଗୁଁ ଖୁବ୍ କ୍ଵଚିତ ଅନୁର୍ଜତା ଜନିତ ଆଘାତ ସୃଷ୍ଟି ହୁଏ। ଇଞ୍ଜେକ୍ସନର ବିପଦଜନକ ପ୍ରତିକ୍ରିୟାର ପ୍ରତିରୋଧ କରିବାପାଇଁ କେବଳ ଅତ୍ୟାବଶ୍ୟକ କ୍ଷେତ୍ରରେ ଇଞ୍ଜେକ୍ସନ ପ୍ରୟୋଗ କରନ୍ତୁ । ଉପରଲିଖିତ ଯେ କୌଣସି ଔଷଧର ଇଞ୍ଜେକ୍ସନ ଦେବା ପୂର୍ବରୁ ଦୁଇ ଆମ୍ପ୍ୟୁଲ ଆଡ୍ରେନାଲିନ୍ ଓ ଗୋଟିଏ ଆମ୍ପ୍ୟୁଲ ଆଣ୍ଟିହିଷ୍ଟାମାଇନ (ଶରୀରରେ ଅଧିକାଂଶ ତନ୍ତୁରେ ରହିଥିବା ହିଷ୍ଟାମାଇନ୍ ନାମକ ପଦାର୍ଥର ଗୁଣକୁ ନାଶ କରୁଥିବା ପଦାର୍ଥ) ଯଥା : ପ୍ରୋମୋଥାଜାଇନ (ଫେନରଗାନ୍) ବା କ୍ଳୋରୋଫେନିରାମାଇନ (ଆଭିଲ୍) ପାଖରେ ରଖନ୍ତୁ । ଇଞ୍ଜେକ୍ସନ ଦେବା ପୂର୍ବରୁ, ଏହି ଔଷଧର ଇଞ୍ଜେକ୍ସନ ଯୋଗୁଁ ଆଗରୁ କୁଣ୍ଡେଇ ହେବା କି ଅନ୍ୟ କୌଣସି ପ୍ରତିକ୍ରିୟା ଦେଖାଦେଇଥିଲା କି ନାହିଁ ବୋଲି, ସବୁବେଳେ ପଚାରନ୍ତୁ । ଯଦି ସେହି ବ୍ୟକ୍ତି ହଁ କରନ୍ତି, ତେବେ ଉକ୍ତ ଗୋଷ୍ଠୀର ଔଷଧ ବା ଇଞ୍ଜେକ୍ସନ ଔଷଧ ଦିଅନ୍ତୁ ନାହିଁ । ଯଦି ସେ ନା କହନ୍ତି, ତେବେ ପ୍ରଥମେ ତାଙ୍କର ଦେହକୁ ଇଞ୍ଜେକ୍ସନ ସୁହାଇବ କି ନା ପରୀକ୍ଷା କରନ୍ତୁ (ଆମ୍ବେଦନଶୀଳତା ପରୀକ୍ଷା କରନ୍ତୁ) ଓ ପରେ ପୂର୍ଣ୍ଣମାତ୍ରାର ଔଷଧ ଇଞ୍ଜେକ୍ସନରେ ଦିଅନ୍ତୁ । ଧନୁଷ୍ଟଙ୍କାର ଓ ସର୍ପଦଂଶନ ପରି ଭୟାନକ ଅବସ୍ଥା କ୍ଷେତ୍ରରେ, ଆଣ୍ଟିଟକସିନ୍ ଦେଲେ ଯଦି ପ୍ରତ୍ୟୁର୍ଯ୍ୟତା ହେବାର ସମ୍ଭାବନା ଥାଏ (ସେହି ବ୍ୟକ୍ତି ଜଣକ ପ୍ରତ୍ୟୁର୍ଯ୍ୟତାର ଶିକାର ହୋଇଥାନ୍ତି ବା ଶ୍ଵାସ ଭୋଗୁଥାନ୍ତି ବା ଘୋଡା ଶେରମ୍ ବା ପ୍ରତି ଦଂଶ ନେଇଥାନ୍ତି), ତେବେ ଆଣ୍ଟିଟକସିନ୍ ବା ପ୍ରତିଦଂଶ ଦେବାର ୧୫ ମିନିଟ୍ ପୂର୍ବରୁ ପ୍ରୋମେଥାଜାଇନ୍ କିମ୍ବା ଦାଇଫେନ୍ ହାଇଡ୍ରାମାଇନର ଇଞ୍ଜେକ୍ସନ ଦିଅନ୍ତୁ । ବୟସ୍କଙ୍କୁ ୨୫-୫୦ ମି.ଗ୍ରା. ଓ ଛୋଟ ଛୁଆମାନଙ୍କୁ ସେମାନଙ୍କୁ ସେମାନଙ୍କ ଓଜନ ଅନୁଯାୟୀ ୧୦ ମି.ଗ୍ରା. ବା ୨୫ ମି.ଗ୍ରା. ଦିଅନ୍ତୁ । ଯେକୌଣସି ଔଷଧର ଇଞ୍ଜେକ୍ସନ ଦେବାପରେ ସେହି ବ୍ୟକ୍ତିଙ୍କ ସହିତ ୩୦ ମିନିଟ୍ ରୁହନ୍ତୁ ଓ ଅନୁର୍ଜତାଜନିତ ଆଘାତର ନିମ୍ନଦତ୍ତ କୌଣସି ଲକ୍ଷଣ ତାଙ୍କଠାରେ ଲକ୍ଷ୍ୟ କରନ୍ତୁ । ଥଣ୍ଡା, ଓଦାଳିଆ, ନିସ୍ତେଜ, ପାଉଁଶିଆ ଚର୍ମ (ଥଣ୍ଡା, ଝାଳ) ଦୁର୍ବଳ ବା ଦ୍ରୁତ ନାଡୀ ବା ହୃତପିଣ୍ଡର ଗତି ଶ୍ଵାସକ୍ରିୟାରେ କଷ୍ଟ ଚେତାଶୂନ୍ୟ ସମ୍ବେଦନଶୀଳତା ପରୀକ୍ଷା (ସେନ୍ସିଟିଭିଟି ଟେଷ୍ଟ) ଠିକ୍ ଥିଲେ ବି ଏହି ଲକ୍ଷଣଗୁଡିକ ଦେଖାଦେଇପାରେ । ଯଦି ଏହି ଲକ୍ଷଣଗୁଡିକ ଦେଖାଯାଏ, ତେବେ ବୟସ୍କମାନଙ୍କୁ ୦.୫ ମି.ଲି. ଓ ଛୋଟ ପିଲାମାନଙ୍କୁ ୦.୨୫ ମି.ଲି. ଆଡ୍ରେନାଲିନ୍ ଇଞ୍ଜେକ୍ସନରେ ସବକ୍ୟୁଟାନିୟସ ଦିଅନ୍ତୁ । ସେହି ବ୍ୟକ୍ତିଙ୍କର ଆଘାତ ଚିକିତ୍ସା କରନ୍ତୁ । ଏହାପରେ ଆଣ୍ଟିହିଷ୍ଟାମାଇନ (ଶରୀରର ଅଧିକାଂଶ ତତନୁରେ ରହିଥିବା ହିଷ୍ଟାମାଇନ ନାମକ ପଦାର୍ଥର ଗୁଣକୁ ନାଶ କରୁଥିବା ପଦାର୍ଥ) ଦୁଇଗୁଣ ମାତ୍ରାରେ ଦିଅନ୍ତୁ । ପେନିସିଲିନ୍ ଇଞ୍ଜେକ୍ସନ ପ୍ରୟୋଗ ଜନିତ ସାଘାଂତିକ ପ୍ରତିକ୍ରିୟାର ଦୂରୀକରଣ କିପରି କରିବେ ସାମାନ୍ୟ ବା ସାଧାରଣ ସଂକ୍ରମଣ ପାଇଁ ପେନିସିଲିନ୍ ବଟିକା ଦିଅନ୍ତୁ, ପେନିସିଲିନ୍ ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । ଇଞ୍ଜେକ୍ସନ ଦେବା ପୂର୍ବରୁ ବ୍ୟକ୍ତିଙ୍କୁ ପଚାରନ୍ତୁ ପେନିସିଲିନ୍ ଇଞ୍ଜେକ୍ସନ ନେବା ପରେ ଆପଣଙ୍କର କେବେ ଦେହ ଫଳିଯାଇଛି, କୁଣ୍ଡେଇ ହୋଇଛି, ଫୁଲିଯାଇଛି ବା ଶ୍ଵାସକ୍ରିୟାବେଳେ କଷ୍ଟ ଅନୁଭବ କରିଛନ୍ତି କି ? ଯଦି ସେ ହଁ ବୋଲି ଉତ୍ତର ଦିଅନ୍ତି, ତେବେ ତାଙ୍କୁ ପେନିସିଲିନ୍ ବା ଆମ୍ପିସିଲିନ୍ ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । ତାଙ୍କୁ ଏରିଥ୍ରୋମାଇସିନ୍ ବା ସଲଫୋନାମାଇଡ ପରି ଅନ୍ୟ କୌଣସି ପ୍ରତିସଂକ୍ରମଣ ଔଷଧ ଦିଅନ୍ତୁ । ଯଦି ସେ ନା ବୋଲି ଉତ୍ତର ଦିଅନ୍ତି, ତେବେ ତାଙ୍କର ସମ୍ବେଦନଶୀଳତା ପରୀକ୍ଷା କରନ୍ତୁ । ପେନିସିଲିନ୍ ଇଞ୍ଜେକ୍ସନ ଦେବାପୂର୍ବରୁ ସବୁବେଳେ କେତୋଟି ଆଡ୍ରେନାଲିନ୍ ର ଆମ୍ପ୍ୟୁଲ ପ୍ରସ୍ତୁତ କରି ରଖନ୍ତୁ । ଇଞ୍ଜେକ୍ସନ ଦେଇସାରିବା ପରେ: ମାଂସପେଶୀରେ ସେହି ବ୍ୟକ୍ତିଙ୍କ ନିକଟରେ ଅତି କମ୍ ରେ ୩୦ ମିନିଟ୍ ପର୍ଯ୍ୟନ୍ତ ରୁହନ୍ତୁ । ଯଦି ଇଞ୍ଜେକ୍ସନ ନେବାପରେ ସେହି ବ୍ୟକ୍ତି କ୍ରମେ ନିସ୍ତେଜ ହୋଇପଡନ୍ତି, ତାଙ୍କ ହୃତସ୍ପନ୍ଦନ ଦ୍ରୁତ ହୋଇଯାଏ ବା ଶ୍ଵାସକ୍ରିୟା କଲାବେଳେ କଷ୍ଟ ଅନୁଭବ କରନ୍ତି ଅଥବା ତାଙ୍କର ମୂର୍ଚ୍ଛା ହେବା ଅବସ୍ଥା ଆସିଯାଏ, ତେବେ ଅଧା ଆମ୍ପ୍ୟୁଲ ଆଡ୍ରେନାଲିନ୍ (ଛୋଟ ପିଲାଙ୍କ କ୍ଷେତ୍ରରେ ୧/୪ ଆମ୍ପ୍ୟୁଲ) ଇଞ୍ଜେକ୍ସନ ସଙ୍ଗେ ସଙ୍ଗେ । ଦେଇଦିଅନ୍ତୁ ଓ ଦରକାର ପଡିଲେ ୧୦ ମିନିଟ୍ ପରେ ପୁଣି ଦିଅନ୍ତୁ । ଇଞ୍ଜେକ୍ସନ ଦେବାପାଇଁ ସିରିଞ୍ଜ କିପରି ପ୍ରସ୍ତୁତ କରିବେ ଯେଉଁ ସିରିଞ୍ଜ କାଚରେ ତିଆରି ଏବଂ ଯେଉଁ ଛୁଞ୍ଚିର ମୂଳ ଭାଗ ଧାତୁରେ ତିଆରି ତେବେ ସେଗୁଡିକୁ ବିଶୋଧିତ କରି ବାରମ୍ବାର ବ୍ୟବହାର କରାଯାଏ । ଯେଉଁ ସିରିଞ୍ଜ ଓ ଛୁଞ୍ଚି ପ୍ଲାଷ୍ଟିକରେ ତିଆରି କିମ୍ବା ତା ଉପରେ “ଥରେ ମାତ୍ର ବ୍ୟବହାର ପାଇଁ” ବୋଲି ଲେଖାଥିବ – ତେବେ ସେଗୁଡିକୁ ଥରେ ବ୍ୟବହାର ପରେ ଫିଙ୍ଗି ଦିଆଯାଇଥାଏ । ସେଗୁଡିକୁ ଫିଙ୍ଗିଲାବେଳେ କେତୋଟି ବ୍ୟବସ୍ଥା ଗ୍ରହଣ କରିବେ । ଛୁଞ୍ଚି ଦେହରେ ତାର ଖୋଳ ଦେଇ ଭଲଭାବେ ଚାପି ଦେବେ ଏବଂ ପୋତି ଯଦ୍ଵାରା ଲୋକେ ବିଶେଷ କରି ପିଲାମାନେ ଯେମିତି ଏହି ଛୁଞ୍ଚି ସଂସ୍ପର୍ଶରେ ଆସି ପାରିବେ ନାହିଁ । ଛୁଞ୍ଚିମୁନ ଯେପରି କୌଣସି ଜିନିଷରେ, ଏପରିକି ଆଲକହଲ୍ ଭିଜା ତୁଳାରେ ମଧ୍ୟ ନ ଲାଗିବ, ତାର ଯତ୍ନ ନିଅନ୍ତୁ । ଯଦି ଆକସ୍ମିକ ଭାବେ ଛୁଞ୍ଚିମୁନ ଆପଣଙ୍କ ଆଙ୍ଗୁଠି ବା ଅନ୍ୟ କେଉଁଠି ଲାଗିଯାଏ, ତେବେ ଏହାକୁ ପୁଣିଥରେ ପାଣିରେ ଫୁଟାନ୍ତୁ । କେଉଁଠାରେ ଇଞ୍ଜେକ୍ସନ ଦେବେ ଠିକ୍ ଜାଗାରେ ଇଞ୍ଜେକ୍ସନ ଦିଅନ୍ତୁ । ପିଚାର ଉପର ଆଧାର ବାହାର ଚତୁର୍ଥାଂଶରେ ଥିବା ମାଂସପେଶୀରେ ସବୁବେଳେ ଇଞ୍ଜେକ୍ସନ ଦିଅନ୍ତୁ, ଫଳରେ ଘା’ ହେବନାହିଁ ବା ଇଞ୍ଜେକ୍ସନ ଦେବାବେଳେ ରକ୍ତ ବାହାରିବ ନାହିଁ । ଦୁଇବର୍ଷରୁ କମ୍ ବୟସ୍କର ପିଲାଙ୍କ ପିଚାରେ କେବେ ବି ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । ସେମାନଙ୍କ ଜଙ୍ଘର ଉପର ଭାଗର ବାହାର ପାଖରେ ଇଞ୍ଜେକ୍ସନ ଦିଅନ୍ତୁ । ସତର୍କତା ଯେଉଁ ସ୍ଥାନରେ ଚର୍ମ ଦେହରେ ସଂକ୍ରମଣ ଥିବ କିମ୍ବା କୌଣସି ଚର୍ମରୋଗ ଥିବ ସେଠି ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । କିପରି ଇଞ୍ଜେକ୍ସନ ଦେବେ ସାବୁନ୍ ଓ ପାଣି କିମ୍ବା ଆଲକହଲ୍ ଦ୍ଵାରା ଚର୍ମକୁ ପରିଷ୍କାର କରନ୍ତୁ, କିନ୍ତୁ ଭୀଷଣ କଷ୍ଟରୁ ରକ୍ଷା ପାଇବା ପାଇଁ ଆଲକହଲ୍ ଶୁଖିଯିବାପରେ ହିଁ ଇଞ୍ଜେକ୍ସନ ଦିଅନ୍ତୁ । ଛୁଞ୍ଚିକୁ ସିଧାସଳଖ ପୁରା ଭର୍ତ୍ତି କରନ୍ତୁ (ଯଦି ଖୁବ୍ ଶୀଘ୍ର ଏକାଥରକେ ଭର୍ତ୍ତି କରି ଦିଆଯାଏ, ତେବେ କମ୍ କଷ୍ଟ ହୁଏ) । ଇଞ୍ଜେକ୍ସନ ଦେବା ପୂର୍ବରୁ ସିରିଞ୍ଜର ପ୍ଲଞ୍ଜରର ଦଣ୍ଡକୁ ପଛକୁ ଭିଡନ୍ତୁ, (ଯଦି ସିରିଞ୍ଜକୁ ରକ୍ତ ଚାଲି ଆସିବ, ତେବେ ଛୁଞ୍ଚି ବାହାର କରିଆଣି ଅଲଗା ସ୍ଥାନରେ ଇଞ୍ଜେକ୍ସନ ଦିଅନ୍ତୁ) । ଯଦି ରକ୍ତ ନ ଆସେ ତେବେ ଔଷଧକୁ ଧୀରେ ଧୀରେ ମାଂସପେଶୀ ଭିତରକୁ ଭର୍ତ୍ତି କରି ଦିଅନ୍ତୁ। ଛୁଞ୍ଚି ବାହାର କରି ଆଣି ପୁଣି ଥରେ ଚର୍ମକୁ ପରିଷ୍କାର କରି ଦିଅନ୍ତୁ । ଇଞ୍ଜେକ୍ସନ ଦେଇସାରିବା ପରେ ଖୁବ୍ ଶୀଘ୍ର ସିରିଞ୍ଜ ଓ ଛୁଞ୍ଚିକୁ ପରିଷ୍କାର କରି ଦିଅନ୍ତୁ । ସିରିଞ୍ଜରେ ପାଣି ନେଇ ଛୁଞ୍ଚି ମାଧ୍ୟମରେ ପିଚକାରୀ ମାରନ୍ତୁ ଓ ଏଥର ଛୁଞ୍ଚି ଓ ସିରିଞ୍ଜକୁ ଅଲଗା ଅଲଗା କରି ଭଲଭାବେ ଧୋଇ ଦିଅନ୍ତୁ । ପୁଣି ଆଉ ଥରେ ବ୍ୟବହାର କରିବା ପୂର୍ବରୁ ସେ ସବୁକୁ ପାଣିରେ ଫୁଟାନ୍ତୁ । ଇଞ୍ଜେକ୍ସନ କିପରି ପିଲାମାନଙ୍କୁ ଅକର୍ମନ୍ୟ କରିଦିଏ ? କେତେକ ଔଷଧର ଇଞ୍ଜେକ୍ସନ ଠିକ୍ ଭାବରେ ବ୍ୟବହାର କଲେ ସ୍ୱାସ୍ଥ୍ୟ ପ୍ରତି ହିତକାରକ ହୋଇଥାଏ । ପିଲାମାନଙ୍କୁ ଯେଉଁ ଟିକା ଇଞ୍ଜେକ୍ସନ ଦିଆଯାଇଥାଏ ତାହା ପିଲାମାନଙ୍କୁ ଅକର୍ମନ୍ୟ ଖେବାରୁ ରକ୍ଷା କରିଥାଏ । ସେ ଯାହାହେଉପିଲାକୁ ପୋଲିଓ ପକ୍ଷାଘାତ ନ ହେବା ପାଇଁ ପିଲାକୁ ଜ୍ଵର ସମୟରେ ବା ଥଣ୍ଡା ସମୟରେ ଟିକା କିମ୍ବା ଅନ୍ୟ କୌଣସି ଇଞ୍ଜେକ୍ସନ ଦେବା ଉଚିତ୍ ନୁହେଁ । ଏହା ପିଲାକୁ ଅଧିକ ବିପଦପୂର୍ଣ୍ଣ କରିଦିଏ । ଏହି ଜ୍ଵର ବା ଥଣ୍ଡା ସମ୍ଭବତଃ ପକ୍ଷାଘାତ ବିନା ପୋଲିଓର ସାଧାରଣ ସଂକ୍ରମଣ ହୋଇଥାଇପାରେ । ଯଦି ଏହା ହୋଇଥାଏ ତେବେ ଇଞ୍ଜେକ୍ସନର ପ୍ରତିକ୍ରିୟାରୁ ଶିଶୁ ପୋଲିଓ ହେତୁ ଏକ ସ୍ଥାୟୀ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୁଏ । କେତେକ ବିଶେଷଜ୍ଞ କୁହନ୍ତି ହଜାର ହଜାର ପିଲା ପୋଲିଓଦ୍ଵାରା କେବଳ ଇଞ୍ଜେକ୍ସନ ଯୋଗୁଁ ସମ୍ପୂର୍ଣ୍ଣ ଅକର୍ମନ୍ୟ ହୋଇଯାନ୍ତି । ଏଥିରୁ ଅଧିକାଂଶ କ୍ଷେତ୍ରରେ ଇଞ୍ଜେକ୍ସନର ଆବଶ୍ୟକତା ନ ଥାଏ । ଯନ୍ତ୍ରପାତି କିଭଳି ବିଶୋଧନ କରିବା ଅଧିକାଂଶ ସଂକ୍ରାମକ ରୋଗ ଯଥା – ଏଡସ୍, ହେପାଟାଇଟିସ୍ ଓ ଧନୁଷ୍ଟଙ୍କାର ଅସୁସ୍ଥ ବ୍ୟକ୍ତିଠାରୁ ସୁସ୍ଥ ଲୋକକୁ ଅଶୋଧିତ ସିରିଞ୍ଜ ଛୁଞ୍ଚି ଓ ଅନ୍ୟାନ୍ୟ ଯନ୍ତ୍ରପାତି ମାଧ୍ୟମରେ ସଂକ୍ରମିତ ହୋଇଥାଏ । ଅଧିକାଂଶ ଚର୍ମ ସଂକ୍ରମଣ ମଧ୍ୟ ଏଥିପାଇଁ ହୋଇଥାଏ । ତେଣୁ ଯେକୌଣସି ଚର୍ମକୁ କାଟିଲା ବେଳେ ବା ଫୋଡିଲାବେଳେ ଯନ୍ତ୍ରପାତି ବିଶୋଧିତ ହେବା ଉଚିତ୍ । ଏହି ଯନ୍ତ୍ରପାତି ମାଧ୍ୟମରେ କାନ ଫୋଡିବା, ଆକୁପଂକଚର, ଦେହରେ ଚିତା କୁଟିବା ଓ ଅନ୍ୟାନ୍ୟ ଅସ୍ତ୍ରୋପ୍ରଚାରରେ ବ୍ୟବହୃତ ଯନ୍ତ୍ରପାତି ମଧ୍ୟ ଅନ୍ତର୍ଭୁକ୍ତ । ନିମ୍ନରେ ଯନ୍ତ୍ରପାତି ବିଶୋଧନର କେତେକ ଉପାୟ ପ୍ରଦତ୍ତ କରାଗଲା ୨୦ ମିନିଟ୍ ଫୁଟାନ୍ତୁ, ଯଦି ଆପଣଙ୍କ ପାଖରେ ସମୟ ଜାଣିବା ପାଇଁ କଣ୍ଟା ନାହିଁ ତେବେ ସେହି ପାଣିରେ ଗୋଟିଏ ବା ୨ଟି ଚାଉଳ ପକାଇ ଦିଅନ୍ତୁ । ଯେତେବେଳେ ଏହି ଚାଉଳ ଭାତ ହୋଇଯିବ ସେତେବେଳେ ଜାଣିବେ ଯେ ଯନ୍ତ୍ରପାତି ସମ୍ପୂର୍ଣ୍ଣ ବିଶୋଧନ ହୋଇଗଲା । ପ୍ରେସରକୁକ୍ ରରେ ଯନ୍ତ୍ରପାତି ଫୁଟାନ୍ତୁ । ଏକ ଭାଗ କ୍ଲୋରିନ ବ୍ଲିଚ ଓ ୭ ଭାଗ ପାଣି ଏକାଠି କରି କିମ୍ବା ୭୦% ଇଥାନଲ୍ ଆଲକହଲ୍ ର ଦ୍ରବଣରେ ଏହାକୁ ୨୦ ମିନିଟ୍ ବୁଡାନ୍ତୁ । ଯଦି ସମ୍ଭବ ପ୍ରତ୍ୟକ ଦିନ ଏହି ଦ୍ରବଣ ପ୍ରସ୍ତୁତ କରନ୍ତୁ । କାରଣ ପୁରୁଣା ହେଲେ ଏହାର କାର୍ଯ୍ୟ ଶକ୍ତି କମିଯାଏ (ସିରିଞ୍ଜର ଭିତର ମଧ୍ୟ ନିଶ୍ଚିତ ଭାବେ ସଫା କରନ୍ତୁ । ପୂର୍ବୋକ୍ତ ଦ୍ରବଣରୁ କିଛି ସିରିଞ୍ଜ ମଧ୍ୟକୁ ଆଣିବା ଓ ବାହାର କରିବା ଦ୍ଵାରା ଏହିପରି ସଫା କରାଯାଇଥାଏ) । ଆପଣ ସଂକ୍ରମିତ ବ୍ୟକ୍ତିର ଚିକିତ୍ସା କରିବା ସମୟରେ ନିଜର ହାତ ସାବୁନ୍ ଓ ପାଣିରେ ଧୁଅନ୍ତୁ । ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ