ଦେଖିବାରେ ଅସୁବିଧା ୪୦ ବର୍ଷ ବୟସ ପରେ ବହୁ ଲୋକ ନିକଟବର୍ତ୍ତୀ ଜିନିଷମାନଙ୍କୁ ଦେଖିବାରେ ଅସୁବିଧା ଅନୁଭବ କରିଥାନ୍ତି । ସେମାନେ ପାଖ ଜିନିଷ ଦେଖି ପାରନ୍ତି ନାହିଁ । ଏଥିପାଇଁ ବହୁ ସମୟରେ ଚଷମା ସାହାଯ୍ୟ କରିଥାଏ । ୪୦ ବର୍ଷ ବୟସ ପରେ ପ୍ରତ୍ୟକ ଲୋକ ଚକ୍ଷୁ ବ୍ୟାଧିର ଲକ୍ଷଣମାନଙ୍କ ପ୍ରତି ସତର୍କ ରହିବା ଦରକାର, କାରଣ ଏହାର ଉପଯୁକ୍ତ ଚିକିତ୍ସା ନ କଲେ ଏହା ଅନ୍ଧ କରି ଦେଇଥାଏ । ଯେ କୌଣସି ଲୋକଙ୍କଠାରେ ଗ୍ଲୁକୋମାର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଖାନାର ସାହାଯ୍ୟ ନେବା ଉଚିତ୍ । ମୋତିଆ ବିନ୍ଦୁ ଓ ଚକ୍ଷୁ ସାମ୍ନାରେ ମାଛି ଉଡିବା (ଛୋଟ ଛୋଟ କଳା ଦାଗ ଆଖି ଆଗରେ ଦେଖା ଦେବା । ଆଦି ବୃଦ୍ଧମାନଙ୍କର ସାଧାରଣ ସମସ୍ୟା ଅଟେ । ଗୋଟିଏ ଛୋଟ ଅସ୍ତ୍ରୋପ୍ରଚାରଦ୍ଵାରା ମୋତିଆ ବିନ୍ଦୁକୁ ଠିକ୍ କରାଯାଇପାରେ । ଦୁର୍ବଳତା, ଥକ୍କା ଲାଗିବା ଓ ଖାଇବା ଅଭ୍ୟାସ ଏହା ଜଣାଶୁଣା ଯେ ଜଣେ ବ୍ୟକ୍ତି ବୁଢା ହୋଇଗଲେ ତାଙ୍କର ଯୁବକ ସମୟର ବଳ ଓ ଶକ୍ତି ରହେ ନାହିଁ, କିନ୍ତୁ ସେ ଯଦି ଠିକ୍ ରୂପେ ଖିଆ ପିଆ ନ କରନ୍ତି ତେବେ ଆହୁରି ଅଧିକ ଦୁର୍ବଳ ହୋଇଯିବେ । ଯଦିଓ ବହୁ ସମୟରେ ବୁଢା ବୁଢୀମାନେ ଅଧିକ ଖାଦ୍ୟ ଖାଇ ନ ପାରନ୍ତି ତଥାପି ସେମାନେ ପ୍ରତିଦିନ କିଛି କିଛି ଶରୀର ବର୍ଦ୍ଧକ ତଥା ସୁରକ୍ଷାତ୍ମକ ଖାଦ୍ୟ ଖାଇବା ଉଚିତ୍ । ସ୍ମରଣ ଶକ୍ତି ନଷ୍ଟ ଏବଂ ଅଦ୍ଭୁଦ ବ୍ୟବହାର ବୃଦ୍ଧା ବା ବୃଦ୍ଧ ସାଧାରଣରେ ସେମାନଙ୍କର ସ୍ମରଣ ଶକ୍ତି ହରାଇଥାନ୍ତି ଓ ସମୟ ସମୟରେ ଅଦ୍ଭୁତ ବ୍ୟବହାର ପ୍ରଦର୍ଶନ କରିଥାନ୍ତି, ଏଥିପାଇଁ କୌଣସି ଔଷଧ ନାହିଁ । କିନ୍ତୁ ଉପଯୁକ୍ତ ଖାଦ୍ୟ, ପରିବାରର ଯତ୍ନ, ସ୍ନେହ, ଦୟା ଏବଂ ଧୌର୍ଯ୍ୟ ଏମାନଙ୍କ ଅବସ୍ଥାର ଉନ୍ନତି ଆଣିପାରିବ । ଅଧିକାଂଶ ବୃଦ୍ଧ ବା ବୃଦ୍ଧାଙ୍କର ଦେହର ଚର୍ମ ଶୁଖିଯାଏ ବା ଭାଙ୍ଗ ଭାଙ୍ଗ ହୋଇଯାଏ ଏବଂ ଶୀଘ୍ର ତାଙ୍କର ମାନସିକ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜି ଥାଏ । ଏହା କୁପୋଷଣ ଯୋଗୁଁ ହୋଇଥାଏ । ଏଣୁ ସନ୍ତୁଳିତ ଖାଦ୍ୟ ଏହାର ଉପଯୁକ୍ତ ମୁକାବିଲା କରିପାରିବ । ପାଦଫୁଲା ଅନେକ ରୋଗ ଯୋଗୁଁ ଏହା ହୋଇଥାଏ । କିନ୍ତୁ ବୃଦ୍ଧମାନଙ୍କର ପାଦଫୁଲା ସାଧାରଣତଃ ଅନୁପଯୁକ୍ତ ରକ୍ତ ସଞ୍ଚଳନ ଓ ହୃତପିଣ୍ଡ ସମସ୍ୟା ଯୋଗୁଁ ଦେଖା ଦେଇଥାଏ । ଯେଉଁ କାରଣରୁ ହୋଇଥାଉନା କାହିଁକି ପାଦ ଉପରକୁ ଟେକି ରଖିବା ହେଉଛି ସାର୍ବୋତ୍କୃଷ୍ଟ ଚିକିତ୍ସା । ଚାଲିବା ଦ୍ଵାରା ମଧ୍ୟ କିଛି ଉପକାର ମିଳିଥାଏ । କିନ୍ତୁ ବହୁ ସମୟ ଠିଆ ହୋଇ ବା ପାଦ ତଳକୁ ରଖି ବସନ୍ତୁ ନାହିଁ । ଯେତେବେଳେ ସମ୍ଭବ ହେଉଛି ପାଦ ଉପରକୁ ଟେକି ରଖନ୍ତୁ । ପାଦ ଓ ଗୋଡରେ ଦୀର୍ଘକାଳୀନ ଘା’ ଅନୁପଯୁକ୍ତ ରକ୍ତ ସଞ୍ଚାଳନ ଯୋଗୁଁ ନାଗରା ଶିରା ଫୁଲିଯିବା ଫଳରେ ଏହା ସୃଷ୍ଟି ହୋଇଥାଏ । ବେଳେବେଳେ ମଧୁମେହ ରୋଗ ଏହାର କାରଣ ହୋଇଥାଏ ଅନ୍ୟାନ୍ୟ ସମ୍ଭାବିତ କାରଣ ପାଇଁ ଘରୋଇ ଚିକିତ୍ସା ଦେଖନ୍ତୁ । ଅନୁପଯୁକ୍ତ ରକ୍ତ ସଞ୍ଚାଳନ ଯୋଗୁଁ ସୃଷ୍ଟି ହୋଇଥିବା ଘା’ ଖୁବ୍ ଧୀରେ ଧୀରେ ଶୁଖେ । ଘା’କୁ ସବୁବେଳେ ପରିଷ୍କାର ରଖନ୍ତୁ । ନରମ ସାବୁନ ତଥା ଫୁଟନ୍ତା ପାଣି ଥଣ୍ଡା କରି ଏହାକୁ ଧୁଅନ୍ତୁ ଓ ଘା’ ଉପରେ ପଡୁଥିବା ପଟିକୁ ବାରମ୍ବାର ବଦଳାନ୍ତୁ । ବସିଥିବା ବା ଶୋଇଥିବା ବେଳେ ପାଦକୁ ଉପରକୁ ଟେକି ରଖନ୍ତୁ । ପରିସ୍ରା କରିବାରେ କଷ୍ଟ ଅନୁଭବ କରିବା ଯେଉଁ ବୁଢା ଲୋକଙ୍କର ପରିସ୍ରା କଲାବେଳେ କଷ୍ଟ ହୁଏ ଓ ମୂତ୍ର ବୁନ୍ଦା ବୁନ୍ଦା ହୋଇ କାଟି କାଟି ହୋଇ ପଡେ ତାଙ୍କୁ ପ୍ରୋଷ୍ଟେଟ ଗ୍ରନ୍ଥୀ ଫୁଲା ରୋଗ ସମ୍ଭବତଃ ହୋଇଥାଏ । ଦୀର୍ଘକାଳୀନ କାଶ ଯେଉଁ ବୃଦ୍ଧ ଲୋକମାନଙ୍କର ଧଇଁ କାଶ ହେଉଅଛି ସେମାନେ ଧୂମପାନ କରିବା ଉଚିତ୍ ନୁହେଁ ଓ ଡାକ୍ତରଖାନାର ସାହାଯ୍ୟ ନେବା ଉଚିତ୍ । ଯଦି ପିଲାବେଳେ ତାଙ୍କର ଯକ୍ଷ୍ମା ରୋଗର ଲକ୍ଷଣ ଦେଖା ଦେଇଥାଏ ବା ପୂର୍ବରୁ କେବେ କାଶରେ ରକ୍ତ ପଡିଥାଏ, ତେବେ ହୁଏତ ତାଙ୍କୁ ଯକ୍ଷ୍ମା ହୋଇ ଥାଇପାରେ । ଯଦି ଲୋକ ଜଣକ ଅଧିକ ଧୂମପାନ କରୁଥାନ୍ତି ଓ କାଶିଲାବେଳେ ରକ୍ତ ପଡୁଥାଏ ତେବେ ତାଙ୍କର ଫୁସୁଫୁସ୍ ରେ କ୍ୟାନସର ହୋଇଥାଇପାରେ । ବୁଢା ଲୋକ ଜଣକ କାଶିଲା ବେଳେ ଖୁବ୍ ଜୋରରେ ପେଲି ହେଉଥିଲେ ଓ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିଲେ କିମ୍ବା ତାଙ୍କର ପାଦ ଫୁଲି ଯାଉଥିଲେ ହୃଦରୋଗ ହୋଇଥାଇପାରେ । ଗଣ୍ଠି ଦରଜ ବା ଗଣ୍ଠି ବାତ ଅଧିକାଂଶ ବୁଢା ବୁଢୀଙ୍କର ଗଣ୍ଠି ବିନ୍ଧା ରୋଗ ଥାଏ । ଗଣ୍ଠି ବିନ୍ଧା କବଳରୁ ଆରାମ ପାଇବା ଲାଗି । ଯେଉଁ ଗଣ୍ଠି ଦରଜ ହେଉଛି ବା ବିନ୍ଧୁଛି ତାକୁ ଆରାମ ଦିଅନ୍ତୁ । ଗରମ ପାଣି ସେକ ଦିଅନ୍ତୁ । ବିନ୍ଧା କମାଇବା ପାଇଁ ଔଷଧ ଖାଆନ୍ତୁ । ଏଥିପାଇଁ ଆସ୍ପିରିନ ଶ୍ରେଷ୍ଠ ଅଟେ ଭୟଙ୍କର ଗଣ୍ଠି ବିନ୍ଧା ପାଇଁ ଥରକୁ ୨/୩ କରି ଗୋଟିଏ ଦିନରେ ୬ ଥର ପର୍ଯ୍ୟନ୍ତ ଆସ୍ପିରିନ ବଟିକା, ବାଇକାର୍ବୋନେଟ ସୋଡା, କ୍ଷୀର ବା ପ୍ରଚୁର ପାଣି ସହିତ ଖାଆନ୍ତୁ, (କାନ ଝାଇଁ ଝାଇଁ କଲେ ଏହି ବଟିକା ଖାଇବା କମାଇ ଦିଅନ୍ତୁ ) । ବ୍ୟାୟାମ କଲେ ବହୁତ ଉପକାର ମିଳିଥାଏ କାରଣ ବ୍ୟାୟାମଦ୍ଵାରା ବିନ୍ଧୁଥିବା ଗଣ୍ଠି ଚଳପ୍ରଚଳ ହୋଇଥାଏ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ