ଉପକ୍ରମ କେତେକ ବାପା ମା’ ଅଧିକ ପିଲା ଜନ୍ମ କରିବାକୁ ଭଲ ପାଇଥାନ୍ତି ଯାହାଦ୍ଵାରା ଅଧିକାଂଶ ପିଲା କମ୍ ବୟସରେ ମରିଯାଆନ୍ତି । ବାପା ମା’ ଭାବନ୍ତି ଅଧିକ ପିଲା ଜନ୍ମ କଲେ ସେମାନେ ତାଙ୍କୁ କାମରେ ସାହାଯ୍ୟ କରିବେ ଓ ବୁଢା ବୟସରେ ତାଙ୍କର ଦେଖାଶୁଣା କରିବେ । ଅଧିକାଂଶ ବାପା ମା’ ବଡ ପରିବାର ହେବାଦ୍ଵାରା ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯଥା – ପିଲାମାଙ୍କର ଆବଶ୍ୟକତା ଯଥା – ଖାଦ୍ୟ, ଶିକ୍ଷା, ବସ୍ତ୍ର, ବାସଗୃହ, ମେଡିକାଲ୍ ସେବା, ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇଯାଏ । ପୁଷ୍ଟିକାରକ ଖାଦ୍ୟ ଠିକ୍ ଭାବରେ ସବୁ ପିଲା ପାଇପାରନ୍ତି ନାହିଁ । ଯାହାଦ୍ୱାରା ପିଲାମାନଙ୍କଠାରେ କୁପୋଷଣ ଦେଖାଯାଏ ଓ ପିଲା ଶୀଘ୍ର ଅସୁସ୍ଥ ହୋଇଯାଆନ୍ତି ଓ ମରିଯାଆନ୍ତି । ପିଲା ଅଧିକ ପାଠ ପଢିପାରନ୍ତି ନାହିଁ । କମ୍ ବୟସରୁ ପାଠପଢା ଛାଡି ବାପା ମା’ଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ଚାଷ ଓ ଘର କାମରେ ସାହାଯ୍ୟ କରନ୍ତି । କମ୍ ବୟସରେ ମା’ ବାରମ୍ବାର ଗର୍ଭଧାରଣ ଓ ପିଲା ଜନ୍ମ କରିବାଦ୍ଵାରା ପିଲା କମ୍ ଓଜନ ଓ ଦୁର୍ବଳ ହୋଇଥାଆନ୍ତି । ଅଧିକ ଲୋକ ହେବାଦ୍ଵାରା ସମସ୍ତଙ୍କୁ ଠିକ୍ ଯାଗା ମିଳିବ ନାହିଁ ଯାହା ସମସ୍ତଙ୍କର ଆବଶ୍ୟକତାକୁ ପୂରଣ କରିପାରିବ । ପିଲା ଭୋକ ଉପାସରେ ମରିଯିବେ । କମ୍ ବୟସରେ ଗର୍ଭଧାରଣ କରିବାଦ୍ଵାରା ଏହା ଗର୍ଭପାତ ଆଡକୁ ଗତି କରିଥାଏ, ମରୁତ ପିଲା ଜନ୍ମ ହୋଇଥାନ୍ତି, ଅଧିକ ରକ୍ତ ସ୍ରାବ ହୁଏ, ଉଚ୍ଚ ରକ୍ତଚାପ ଦେଖାଦିଏ, ସମୟ ପୂର୍ବରୁ ପିଲା ଜନ୍ମ ହୋଇଥାଏ (ପିଲା ଗର୍ଭରେ ୯ ମାସ ନ ରହି ଜନ୍ମ ନେଇଥାଏ ବା ପିଲା ସ୍ୱଳ୍ପ ଓଜନ ହୋଇଥାଏ) । ସ୍ୱଳ୍ପ ଓଜନ ପିଲା ବଞ୍ଚିବା ବହୁତ କମ୍ । ମା’ ଓ ଶିଶୁ ଉଭୟଙ୍କ ଜୀବନ ବିପଦପୂର୍ଣ୍ଣ ହୋଇଥାଏ । କମ୍ ବୟସରେ ଗର୍ଭଧାରଣ କରିବାଦ୍ଵାରା ମା’ ମାନଙ୍କର ମୃତ୍ୟୁହାର ଅଧିକ ଅଟେ । ଏହାର ଏକ ମୁଖ୍ୟ କାରଣ ହେଲା ମା’ର ଶରୀର ଗର୍ଭଧାରଣ ପାଇଁ ପୂର୍ଣ୍ଣ ଭାବରେ ବିକଶିତ ହୋଇ ନ ଥାଏ, ଯାହା ପିଲା ଜନ୍ମ ସମୟରେ ବା ଗର୍ଭଧାରଣ ସମୟରେ ବିଭିନ୍ନ ଜଟିଳତା ସୃଷ୍ଟି କରି ମା;କୁ ମୃତ୍ୟୁ ମୁଖରେ ପକାଇଥାଏ । ଯେଉଁ ମା’ର ଶିଶୁ ୩ ବର୍ଷରୁ କମ୍ ଅନ୍ତରରେ ଜନ୍ମ ନିଅନ୍ତି ସେହି ମା’ ଦୁର୍ବଳ ହୋଇଯାଏ ଓ ପିଲାକୁ ସେ ଉପଯୁକ୍ତ ପରିମାଣର କ୍ଷୀର ଦେଇପାରେ ନାହିଁ । ଏପରିକି ସେ ପିଲାମାନଙ୍କର ଠିକ୍ ଯତ୍ନ ନେଇପାରେ ନାହିଁ । ଏହିପରି ୪ଥର ଗର୍ଭଧାରଣ ପରେ ମା’ ମରିଯାଇପାରେ । ଯେଉଁ ମା’ ୩୫ ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ କରୁଥାଏ ତା’ର ପିଲା ବିକଳାଙ୍ଗ ହୋଇ ଜନ୍ମ ହେବାର ବହୁତ ସମ୍ଭାବନା ଥାଏ । ପିଲା ଜନ୍ମ ସମୟରେ ଏହି ମା’ ମରିଯିବାର ବହୁତ ସମ୍ଭାବନା ଥାଏ । ସମ୍ବଳର ଉପଯୁକ୍ତ ବିନିଯୋଗ କରାଯାଇପାରିଲେ କ୍ଷୁଧାକୁ ଅଳ୍ପ ବହୁତେ ନିବାରଣ କରାଯାଇପାରିବ । ଏହା ଅର୍ଥ ନୁହେଁ ଯେ ଗରିବ ଲୋକମାନଙ୍କୁ ସେମାନଙ୍କର କମ୍ ପିଲା ଜନ୍ମ କରିବା ପାଇଁ ବାଧ୍ୟ କରାଯିବ । ଏହା ବଦଳରେ ଗରିବ ପିଲାମାନେ ଯେପରି ଠିକ୍ ଭାବରେ ସମସ୍ତ ସୁବିଧା ପାଇପାରିବେ, ତାହାର ଯତ୍ନ ନିଆଜିବା ଉଚିତ୍ । ଯାହାଦ୍ଵାରା ଗରିବ ପରିବାର ମଧ୍ୟ କମ୍ ପିଲାପାଇଁ ଇଚ୍ଛା କରିବେ । ପରିବାର ଛୋଟ ଓ ବଡ କରିବାରେ କେତେକ ବଳିଷ୍ଠ କାରଣ ମହିଳାମାନଙ୍କପାଇଁ ଉନ୍ନତ ସ୍ୱାସ୍ଥ୍ୟ ଶିକ୍ଷା ଓ ନିଯୁକ୍ତି ସୁବିଧା ଛୋଟ ପରିବାର ପାଇଁ ପ୍ରବର୍ତ୍ତାଇଥାଏ । ବିବାହ ବୟସ ବୃଦ୍ଧି : ଯେଉଁ ମହିଳା ଯେତେ ଶୀଘ୍ର ବିଭା ହୁଏ ସେ ଅଧିକ ପିଲା ଜନ୍ମ କରିବାରେ ସମ୍ଭାବନା ଥାଏ, ପୁଣି କମ୍ ବୟସରେ ଗର୍ଭଧାରଣଦ୍ଵାରା ମା’ ବିଭିନ୍ନ ଜଟିଳତା ସହିତ ମୃତ୍ୟୁ ମୁଖରେ ପଡିଥାଏ । ପୁରୁଷମାନଙ୍କଦ୍ଵାରା ଉନ୍ନତ ମହିଳା ବିକାଶ ଓ ଦାୟିତ୍ଵ ବୋଧତା : ଯେଉଁ ମହିଳାମାନେ ସମ୍ମାନ ଓ ମର୍ଯ୍ୟଦା ସହିତ ବଞ୍ଚନ୍ତି ସେମାନେ ପୁଅ ପାଇବା ଆଶାରେ ଅଧିକ ପିଲା ଜନ୍ମ କରି ନ ଥାନ୍ତି । ସ୍ଵାମୀ ବା ପୁରୁଷ ଏଥିପାଇଁ ଅଧିକ ଦାୟିତ୍ଵ ନେବା ଉଚିତ୍ ଏବଂ ସ୍ଵାମୀ ସ୍ତ୍ରୀ ଉଭୟ କେତୋଟି ପିଲାର ଜନକ ବା ଜନନୀ ହେବେ ତାହା ସ୍ଥିର କରିବା ଉଚିତ୍ । ସ୍ୱାସ୍ଥ୍ୟ ସେବା ଓ ଗର୍ଭ ନିରୋଧକ ବାବଦରେ ଜ୍ଞାନ, ପ୍ରାପ୍ତି, ସହଜ ଲବ୍ଧତା ଜାଣିବା ନିହାତି ଆବଶ୍ୟକ । ଏହା ପରିବାରକୁ ସୀମିତ କରିବାରେ ସାହାଯ୍ୟ କରିଥାଏ । ବୃଦ୍ଧ ଅବସ୍ଥାରେ ସାମାଜିକ ନିରାପତ୍ତା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ । କାରଣ ଗରିବ ଲୋକମାନଙ୍କର ଅଧିକ ସନ୍ତାନ ତାଙ୍କ ପାଇଁ ସାମାଜିକ ନିରାପତ୍ତା ଦେଇଥାଏ । ମୋଟ ଉପରେ ଜୀବନର ଗୁଣ ପରିବର୍ତ୍ତନ କରିବାପାଇଁ ଯେ କୌଣସି ଉଦ୍ୟମ ଫଳବତୀ ହୋଇପାରିବ ଯଦି ଧନ ଓ ନିଯୁକ୍ତି ଏବଂ ପ୍ରାଥମିକ ଆବଶ୍ୟକତା ଯଥା – ମାନସିକ, ଶାରୀରିକ ଓ ସାମାଜିକ ଅବସ୍ଥାର ଠିକ୍ ରୂପେ ଆବଣ୍ଟନ କରାଯାଇପାରିବ ପରିବାର ନିୟୋଜନ ଓ ଜନ୍ମ ନିୟନ୍ତ୍ରଣ ନିଜ ପରିବାରକୁ ଛୋଟ ରଖିବାପାଇଁ ପିତାମାତା ଭିନ୍ନ ଭିନ୍ନ କାରଣରୁ ନିଷ୍ପତ୍ତି ନେଇଥାନ୍ତି । କେତେକ ଯୁବକ ପିତାମାତା ଏହା ଭାବନ୍ତି ଯେ ଯେତେବେଳେ ପର୍ଯ୍ୟନ୍ତ ସେମାନେ ଭଲ ଭବାରେ କାମ କରି ନିଜର ପିଲାମାନଙ୍କ ପାଇଁ ଅଧିକ ସଞ୍ଚୟ କରିନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ସେମାନଙ୍କର ସନ୍ତାନ ହେବା ଉଚିତ୍ ନୁହେଁ । ଆଉ କେତେକ ପିତାମାତା ଭାବନ୍ତି ଯେ ସେମାନଙ୍କର ଅଳ୍ପ ସନ୍ତାନ ଯଥେଷ୍ଟ । ଅଧିକ ସନ୍ତାନ ହେବାପାଇଁ ସେମାନଙ୍କର ଇଚ୍ଛା ନ ଥାଏ । ଅନ୍ୟ କେତେକ ପିତାମାତା ସେମାନଙ୍କ ସନ୍ତାନ ଜନ୍ମରେ ବହୁବର୍ଷ ବ୍ୟବଧାନ ରଖିବାକୁ ଇଚ୍ଛା କରନ୍ତି । କାରଣ ଏହା ଫଳରେ ଉଭୟ ମା’ ଓ ଶିଶୁ ସୁସ୍ଥ ସବଳ ରହିଥାନ୍ତି । ପରିବାର ନିୟୋଜନ ଅର୍ଥ ହେଉଛି ଯେତିକିଟି ସନ୍ତାନ ଆପଣ ଚାହୁଁଛନ୍ତି ସେତିକିଟି ସନ୍ତାନ ହେବା ଓ ତାହା ପୁଣି ଯେତେବେଳେ ଆପଣ ଇଚ୍ଛା କରିବେ କେବଳ ସେତିକିବେଳେ । ଯେତେବେଳେ ପୁରୁଷ ଓ ସ୍ତ୍ରୀ ସ୍ଥିର କରନ୍ତି ଯେ ସେମାନଙ୍କର ଇଚ୍ଛା ନ କରିବା ପର୍ଯ୍ୟନ୍ତ ସନ୍ତାନ ଦରକାର ନାହିଁ, ସେତେବେଳେ ସେମାନେ ଜନ୍ମ ନିୟନ୍ତ୍ରଣ ପ୍ରଣାଳୀମାନଙ୍କ ମଧ୍ୟରୁ ଯେ କୌଣସିଟିକୁ ଗ୍ରହଣ କରି ସ୍ତ୍ରୀକୁ ଗର୍ଭବତୀ ହେବାରୁ ରକ୍ଷା କରି ପାରନ୍ତି । ଏହିଗୁଡିକ ହେଉଛି ଜନ୍ମ ନିୟନ୍ତ୍ରଣର ପ୍ରଣାଳୀ । ଯେଉଁ ଦମ୍ପତି ଶିଶୁ ଜନ୍ମ କରିବା ପାଇଁ ଇଚ୍ଛା କରୁଛନ୍ତି ଅଥଚ ସେମାନେ ଜନ୍ମ ଦେବା ପାଇଁ ସକ୍ଷମ ହୋଇପାରୁ ନାହାଁନ୍ତି ସେମାନେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ