অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜନ୍ମଦ୍ଵାର ଫାଟିଯିବା

ଶିଶୁକୁ ବାହାର କରିବା ପାଇଁ ପ୍ରଜନନ ଦ୍ଵାରକୁ  ବହୁତ ଖୋଲିବାକୁ ପଡିଥାଏ   । କୌଣସି ସମୟରେ ଯଦି ଏହା ଅଧିକ ଖୋଲି ନ ଥାଏ ତେବେ ତାହା ପ୍ରସବ ସମୟରେ ଫାଟିଯାଏ   । ପ୍ରଥମ ସନ୍ତାନ ଜନ୍ମ ସମୟରେ ପ୍ରଜନନ ଦ୍ଵାର ଫାଟିଯିବାର ସମ୍ଭାବନା ଅଧିକ ଥାଏ   ।

ଯଦି ଉପଯୁକ୍ତ ଯତ୍ନ ନିଆଯିବ ତେବେ ପ୍ରଜନନ ଦ୍ଵାର ଫାଟିଯିବାକୁ ବନ୍ଦ କରାଯାଇ ପାରିବ

ଜନ୍ମ ଦ୍ଵାରକୁ ସବୁବେଳେ ପଛପଟେ ଆଶ୍ରା ଦେବା ଉଚିତ୍ – କାରଣ ଯଦି ଏହି ସ୍ଥାନ ଅଧିକ ଫାଟିଯାଏ ତେବେ ଏହା ମଳଦ୍ଵାରକୁ ମଧ୍ୟ ଫଟାଇ ଦିଏ   ।

ଯଦି ପ୍ରଜନନ ଦ୍ଵାର ଫାଟିଯାଏ ତେବେ ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରୁ ଯଦି କେହି ସତର୍କତାର ସହ ସିଲେଇ କରି ଜାଣିଥାନ୍ତି ତେବେ ଫୁଲ ପଡିବା ପରେ ଯତ୍ନର ସହ ସିଲେଇ କରିଦେବା ଉଚିତ୍  ।

ନବଜାତ ଶିଶୁର ଯତ୍ନ

ନାଭିନାଡ

ନିକଟରେ କଟାଯାଇଥିବା ନାଭି ନାଡକୁ ସଂକ୍ରମଣ କବଳରୁ ରକ୍ଷା କରିବା ପାଇଁ ଏହାକୁ ଏପରି ପରିଷ୍କାର ତଥା ଶୁଷ୍କ ରଖିବା ଉଚିତ୍ । ଏହା ଯେତେ ଶୁଖିଲା ରହିବ ସେତେ ଶୀଘ୍ର ଏହା ଝଡି ପଡିବ ଓ ନାଭି ଠିକ୍ ହୋଇଯିବ   । ଏହି କାରଣରୁ ପେଟ ଉପରେ ପଟି ବାନ୍ଧିବା  ଉଚିତ୍ ନୁହେଁ, ଯଦି ପଟି ବାନ୍ଧିବେ ତେବେ ଖୁବ୍ ଢିଲା କରି ବାନ୍ଧିବେ   ।

ଚକ୍ଷୁ

ଶିଶୁର ଚକ୍ଷୁକୁ ଭୟଙ୍କର ନେତ୍ରଶ୍ଲେଷ୍ମା ଶୋଥରୁ ରକ୍ଷା କରିବା ପାଇଁ ଜନ୍ମ ହେଲା ମାତ୍ରେ ତାହାର ଆଖିରେ ଏକ ବୁନ୍ଦା ୧% ସିଲଭର ନାଇଟ୍ରେଟ ବା ଅଳ୍ପ ଟେଟ୍ରାସାଇକ୍ଲିନ ବା ଏରିଥ୍ରୋମାଇସିନ ଆଖି ମଲମ ଲଗାଇ ଦିଅନ୍ତୁ  । ଏହା ବିଶେଷ ଭାବେ ଜରୁରୀ ଯଦି ପିତା ବା ମା’ ଉଭୟଙ୍କୁ କୌଣସି ସମୟରେ ଗେନେରିଆ ରୋଗ ହୋଇଥିବ  ।

ଶିଶୁକୁ ଉଷୁମ ରଖିବା, କିନ୍ତୁ ଅଧିକ ଗରମ ନୁହେଁ :

ଶିଶୁକୁ ଥଣ୍ଡା ଲାଗିବାରୁ ରକ୍ଷା କରନ୍ତୁ, କିନ୍ତୁ ତା’ ଦେହରେ ଅଧିକ ଗରମ ବାଜିବା ମଧ୍ୟ ଉଚିତ୍ ନୁହେଁ   । ଶିଶୁକୁ ଆପଣ ଯେପରି କପଡା ପିନ୍ଧାଉଛନ୍ତି ସେହିପରି କପଡା ପିନ୍ଧାଇ ପାରନ୍ତି  ।

ଶିଶୁକୁ ଉପଯୁକ୍ତ ଉତ୍ତାପ ପ୍ରଦାନ କରିବାକୁ ତା’ର ମା’ ତାକୁ ଦେହରେ ଲଗାଇ ଧରିବା ଉଚିତ୍  । ଯେଉଁ ଶିଶୁମାନେ ସଅଳ ଜନ୍ମିଥାନ୍ତି, ଓଜନ ଖୁବ୍ କମ୍, ଆକାରରେ ଖୁବ୍ ଛୋଟ ଥାଆନ୍ତି ତାଙ୍କର ବିଶେଷ ଯତ୍ନ ନେବା ଦରକାର   ।

ପରିଚ୍ଛନ୍ନତା :

ଦ୍ଵାଦଶ ଅଧ୍ୟାୟରେ ବର୍ଣ୍ଣିତ ହୋଇଥିବା ପରିଚ୍ଛନ୍ନତା ସଙ୍କ୍ରାନ୍ତୀୟ ବିବରଣୀ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  । ନିମ୍ନ ଲିଖିତ ବିଷୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ   ।

  • ଶିଶୁର ଚଡି ବା ବିଛଣା ଯେତେଥର ଓଦା ବ ଅପରିଷ୍କାର ହେବ ତାହାକୁ ବଦଳାଇ ଦିଅନ୍ତୁ   । ଯଦି ଚର୍ମ ଲାଲ ପଡିଯାଏ ତେବେ ଚଡି ବାରମ୍ବାର ପରିବର୍ତ୍ତନ କରନ୍ତୁ ଅଥବା ଆଦୌ ନ ପିନ୍ଧାଇଲେ ଭଲ   ।
  • ନାଭି ଖସି ପଡିବା ପରେ ଶିଶୁକୁ ପ୍ରତିଦିନ ଉଷୁମ ପାଣି ଓ ନରମ ସାବୁନରେ ଗାଧୋଇ ଦିଅନ୍ତୁ   ।
  • ଯଦି ମଶା ଓ ମାଛି ଥାଆନ୍ତି ତେବେ ଶିଶୁକୁ ମଶାରୀ ତଳେ ଶୁଆନ୍ତୁ ବା ଗୋଟିଏ ପତଳା ଘୋଡାଇ କପଡା ଘୋଡାଇ ଦିଅନ୍ତୁ   ।
  • ଖୋଲା ଘା’, ଥଣ୍ଡା ଧରିଥିବା, ଗଳାରେ ଘା’ ହୋଇଥିବା, ଯକ୍ଷ୍ମା ବା ଅନ୍ୟାନ୍ୟ  କୌଣସି ସଂକ୍ରାମକ ରୋଗ ହୋଇଥିବା ବ୍ୟକ୍ତି ଶିଶୁ ନିକଟକୁ ଯିବା ଉଚିତ୍ ନୁହେଁ ବା ଶିଶୁକୁ ଛୁଇଁବା ଉଚିତ୍ ନୁହେଁ   ।
  • ଶିଶୁକୁ ଧୂଳି ବା ଧୂଆଁ ନ ଥିବା ଏକ ଖୋଲା ପରିଷ୍କାର ସ୍ଥାନରେ ଶୁଆନ୍ତୁ  ।

ଖାଦ୍ୟ (ଛୋଟ ଶିଶୁଙ୍କ ପାଇଁ ଉତ୍ତମ ଖାଦ୍ୟ ଦେଖନ୍ତୁ)

ଶିଶୁପାଇଁ ମା’ ସ୍ତନର ଦୁଗ୍ଧ ହେଉଛି ସର୍ବୋକୃଷ୍ଟ ଖାଦ୍ୟ  । ଯେଉଁ ଶିଶୁମାନେ ମା’ କ୍ଷୀର ଖାଆନ୍ତି  ସେମାନେ ଅଧିକ ସ୍ୱାସ୍ଥ୍ୟବାନ୍  ଓ ଶକ୍ତିଶାଳୀ ହୁଅନ୍ତି ଓ ତାଙ୍କର ମୃତ୍ୟୁ ଭୟ ମଧ୍ୟ କମ୍ ଥାଏ   । ସେଥିପାଇଁ –

  • ମାଆ ସ୍ତନରୁ ପାନ କଲେ ଶିଶୁକୁ ଆବଶ୍ୟକ ଉତ୍ତମ ଆହାର ମିଳିଥାଏ ଯାହା କୌଣସି କ୍ଷୀରରୁ (ତାଜା, ଡବା ବନ୍ଦ ବା ଗୁଣ୍ଡା ଦୁଗ୍ଧ) ମିଳେ ନାହିଁ   ।
  • ସ୍ତନ ଦୁଗ୍ଧ ପରିଷ୍କାର ଅଟେ  । ଯେତେବେଳେ ଶିଶୁକୁ ବୋତଲରେ ଖାଇବାକୁ ଦିଆଯାଏ, ସବୁ ସମୟରେ ବୋତଲକୁ ସଫା ରଖିବା କଷ୍ଟକର ହୋଇଥାଏ   । ପରିଣାମ ସ୍ୱରୂପ ଶିଶୁକୁ ଅତିସାର ଅଥବା ଅନ୍ୟାନ୍ୟ ରୋଗ କବଳରୁ ରକ୍ଷା କରିବା କଷ୍ଟ ହୁଏ   ।
  • ମା’ ସ୍ତନ କ୍ଷୀରରେ ତାପମାତ୍ରା ସବୁବେଳେ ଉପଯୁକ୍ତ ଥାଏ  ।
  • ମାତୃସ୍ତନ ଦୁଗ୍ଧରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ, ଯାହା ଶିଶୁକୁ କେତେକ ନିର୍ଦ୍ଧିଷ୍ଟ ରୋଗ ଆକ୍ରମଣରୁ ରକ୍ଷା କରେ, ଯଥା ମିଳିମିଳା, ପୋଲିଓ ଇତ୍ୟାଦି  ।
  • ସ୍ତନ୍ୟପାନ ଦ୍ଵାରା ଶିଶୁ ସୁରକ୍ଷିତ ଓ ଆନନ୍ଦିତ ହୁଏ   । ମା’ ଓ ଶିଶୁ ମଧ୍ୟରେ ସୁନ୍ଦର ବୁଝାମଣା ପ୍ରତିଷ୍ଠିତ ହୁଏ   ।

ଶିଶୁଟି ଜନ୍ମ ହେବାମାତ୍ରେ ମାଆ ଯେତେ ଶୀଘ୍ର ସମ୍ଭବ ତାକୁ ସ୍ତନର କ୍ଷୀର ଦେବା ଉଚିତ୍  । ପ୍ରଥମ କେତେ ଦିନ ମାଆ ସ୍ତନରେ ବିଶେଷ କ୍ଷୀର ହୁଏନାହିଁ, ଏହା ସାଧାରଣ ଅଟେ   । କିନ୍ତୁ ଶିଶୁକୁ ବାରମ୍ବାର ସ୍ତନରୁ କ୍ଷୀର ପିଇବାକୁ ଦେବା ଉଚିତ୍  । ଶିଶୁଟି ବାରମ୍ବାର ଶୋଷିବା ଫଳରେ ଅଧିକ କ୍ଷୀର ଝରିବାରେ ଲାଗେ  । ଯଦି ଶିଶୁଟି ସ୍ୱାସ୍ଥ୍ୟବାନ, ଓଜନ ବୃଦ୍ଧି ଓ ବାରମ୍ବାର ପରିସ୍ରା କରେ ତେବେ ମା’ ଅଧିକ କ୍ଷୀର ପିୟାଉଛି ବୋଲି ଜାଣିବେ   ।

ଯେଉଁ ମା’ର ଅଧିକ କ୍ଷୀର ହେଉଥିବ ସେ ତା’ର ଶିଶୁକୁ ୪ ମାସରୁ ୬ ମାସ ପର୍ଯ୍ୟନ୍ତ କେବଳ ନିଜର ସ୍ତନରୁ କ୍ଷୀର ଦେବା ଉଚିତ୍  । କେବଳ ମାତୃ କ୍ଷୀର ପିଉଥିବା ଶିଶୁ ପାଣି ପିଇବାର ଆବଶ୍ୟକତା ନାହିଁ   । ୬ ମାସ ପରେ ନିଜର କ୍ଷୀର ସାଙ୍ଗକୁ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଖୁଆଇବା ଦରକାର  ।

ମାଆ ସ୍ତନରେ ଅଧିକ କ୍ଷୀରହେବା ଉପାୟ

ମା’ ବାରମ୍ବାର ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ୍  । ଏହାଦ୍ଵାରା ମା’ର ସ୍ତନରେ ଅଧିକ କ୍ଷୀର ହୋଇଥାଏ   । ଏହାଛଡା ସେ ନିମ୍ନଲିଖିତ ଉପାୟମାନ ଅବଲମ୍ବନ କରିବା ଉଚିତ୍  ।

  • ଅଧିକ ପାନୀୟ ପିଉଥିବା ଉଚିତ୍  ।
  • ଯେତେ ଅଧିକ ସମ୍ଭବ ଖାଦ୍ୟ ଖାଉଥିବେ   । ବିଶେଷତଃ ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟ ଓ ଶରୀର ବର୍ଦ୍ଧକ ଖାଦ୍ୟ  ଯଥା – ବିନ୍, ଡାଲି, ଅମୃତଭଣ୍ଡା, ସବୁଜ ତଟକା ପାରିବା ଖାଇବା ଆବଶ୍ୟକ   । ଶୁଖୁଆ ଓ ରସୁଣ ମଧ୍ୟ କ୍ଷୀର ବଢାଇଥାଏ   ।
  • ଅଧିକ ସମୟ ଶୋଇଥିବେ । ଅଧିକ କ୍ଲାନ୍ତ ହେବାଭଳି କାମ କରୁ ନ ଥିବେ, ବା ଉଦାସ ହେଉ ନ ଥିବେ   ।
  • ନିଜ ଶିଶୁକୁ ବାରମ୍ବାର ସ୍ତନ୍ୟପାନ  କରାଉଥିବେ ଅତି କମ୍ ରେ ପ୍ରତି ୨ ଘଣ୍ଟା ଅନ୍ତରରେ  । ବୋତଲରେ ଖାଉଥିବା ଶିଶୁମାନଙ୍କର ରୋଗାକ୍ରାନ୍ତ ହୋଇପଡିବା ଓ ମୃତ୍ୟୁମୁଖରେ ପଡିବାର ସମ୍ଭାବନା ବେଶୀ ଥାଏ  । ସ୍ତନରୁ କ୍ଷୀର ଖାଉଥିବା ଶିଶୁମାନେ ସୁସ୍ଥ ସବଳ ହୁଅନ୍ତି  ।

ନବଜାତ ଶିଶୁକୁ ଔଷଧ ଦେବାରେ ସତର୍କତା

ନବଜାତ ଶିଶୁମାନଙ୍କ ପାଇଁ ଅନେକ ଔଷଧ କ୍ଷତିକାରକ ଅଟେ   । କେବଳ ଶିଶୁମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଔଷଧ ତାହାଙ୍କୁ ଖାଇବାକୁ ଦିଅନ୍ତୁ  ଏବଂ ଯେତେବେଳେ ଶିଶୁକୁ ଔଷଧ ଖୁଆଇବା ଜରୁରୀ ଆବଶ୍ୟକ ପଡିବ  କେବଳ ସେତିକିବେଳେ ଯାଇ ତାକୁ ଔଷଧ ଦେବେ  । ଶିଶୁକୁ ଉପଯୁକ୍ତ ଅନୁପାତରେ ଔଷଧ ଦିଅନ୍ତୁ   । ତାହାକୁ ଯେପରି ଆବଶ୍ୟକୀୟ ଅନୁପାତରୁ ଅଧିକ ଔଷଧ ଦିଆ ନ ହୁଏ ସେଥିପ୍ରତି ସଜାଗ ଥାନ୍ତୁ  । ନବଜାତ ଶିଶୁଙ୍କ ପାଇଁ କ୍ଲୋରାମଫେନିକଲ ବିଶେଷଭାବେ ମାରାତ୍ମକ ଅଟେ   । ଯଦି ଶିଶୁ ଅଳ୍ପ ଓଜନ ତଥା ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଜନ୍ମ ହୋଇଥାଏ ଓ ଦୁର୍ବଳ ହୋଇଥାଏ ତେବେ ତା’ ପାଇଁ ଏହି ଔଷଧ ଭୟଙ୍କରଭାବେ ମାରାତ୍ମକ  ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate