ବ୍ୟକ୍ତିଗତ ପରିଚ୍ଛନ୍ନତା (ସ୍ୱାସ୍ଥ୍ୟରକ୍ଷା)
- ସକାଳେ ଉଠିବା ସମୟରେ, ଝାଡା ଯିବାପରେ, ଖାଇବା ପୂର୍ବରୁ ଓ ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ସାବୁନରେ ହାତ ଧୁଅନ୍ତୁ । ହାତ ଧୋଇବା ପାଇଁ କାଦୁଅ ବା ମାଟି ବ୍ୟବହାର କରନ୍ତୁ ନାହିଁ ।
- ପାଗ ଗରମ ଥିବା ସମୟରେ ବାରମ୍ବାର ଗାଧାନ୍ତୁ । କଠିନ ପରିଶ୍ରମ କରିବା ପରେ ବା ଝାଳ ବାହାରିବା ପରେ ଗାଧାନ୍ତୁ । ବାରମ୍ବାର ଗାଧୋଇଲେ କୁଣ୍ଡିଆ, ମୁଣ୍ଡର ରୂପି, କ୍ଷୁଦ୍ରବ୍ରଣ ଓ କୁଣ୍ଡିଆ ଇତ୍ୟାଦି ଚର୍ମରୋଗ ହୋଇ ନ ଥାଏ । ରୋଗାକ୍ରାନ୍ତ ବ୍ୟକ୍ତି, ପିଲା ହୋଇଥିଲେ ମଧ୍ୟ ପ୍ରତିଦିନ ଗାଧୋଇବା ଉଚିତ୍ ।
- ଯେଉଁ ଅଞ୍ଚଳରେ ଅଙ୍କୁଶ କୃମି ଖୁବ୍ ସାଧାରଣ, ସେଠାରେ ଖାଲି ପାଦରେ ଚାଳନ୍ତୁ ନାହିଁ ଓ ପିଲାଙ୍କୁ ମଧ୍ୟ ଚାଲିବାକୁ ଛାଡନ୍ତୁ ନାହିଁ ନାହିଁ କାରଣ ଅଙ୍କୁଶ କୃମିମାନେ ପାଦବାଟେ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି । ଅଙ୍କୁଶ କୃମି ସଂକ୍ରମଣରୁ ରକ୍ତହୀନତା ସାଘାଂତିକ ରୂପ ଧାରଣ କରିଥାଏ ।
- ପ୍ରତିଦିନ ସକାଳେ ଓ ମିଠା ଖାଇଲା ପରେ ଦାନ୍ତ ଘଷନ୍ତୁ । ଦାନ୍ତ ଘଷିବା ବ୍ରଶ୍ ବା ପେଷ୍ଟ ନ ଥିଲେ ଲୁଣ, ଖାଇବା ସୋଢାରେ ଘଷନ୍ତୁ ।
ଗୃହର ପରିଚ୍ଛନ୍ନତା
- ଘର ଭିତରକୁ ବା ପିଲାମାନେ ଖେଳୁଥିବା ଜାଗାକୁ ଘୁଷୁରୀକୁ ପଶିବାକୁ ଦିଅନ୍ତୁ ନାହିଁ ।
- କୁକୁରକୁ ପିଲାକୁ ଚାଟିବା ବା ବିଛଣାରେ ଚଢିବାପାଇଁ ଦିଅନ୍ତୁ ନାହିଁ । କୁକୁର ମଧ୍ୟ ରୋଗ ସଂକ୍ରମଣରେ ସାହାଯ୍ୟ କରିଥାଏ ।
- ଘର ପାଖରେ ପିଲା କିମ୍ବା ପଶୁ ଝାଡା ଫେରିଲେ ତାକୁ ତୁରନ୍ତ ସଫା କରି ଦିଅନ୍ତୁ । ପାଇଖାନା ବ୍ୟବହାର ବା ଘରଠାରୁ ଦୂରରେ ଝାଡାଯିବା ପାଇଁ ସେମାନଙ୍କୁ ଶିଖାନ୍ତୁ ।
- ଲୁଗାପଟା, ବିଛଣା ଚାଦର ଓ କମ୍ବଳ ଇତ୍ୟାଦିକୁ ଖରାରେ ଶୁଖାନ୍ତୁ । ଖଟରେ ଓଡଶ ଥିଲେ ଗରମ ପାଣି ଢାଳନ୍ତୁ ଓ ଲୁଗାପଟା ଓ କମ୍ବଳ ଇତ୍ୟାଦି ସେହିଦିନ ଗରମପାଣିରେ ସଫା କରନ୍ତୁ ।
- ସାରା ପରିବାରକୁ ଉକୁଣୀମୁକ୍ତ କରନ୍ତୁ । ଉକୁଣୀ ଓ କୁକୁର ମାଛି ଅନେକ ରୋଗର ବାହକ ଅଟନ୍ତି । କୁକୁର କିମ୍ବା ଅନ୍ୟାନ୍ୟ ପଶୁ ଯାହା ଦେହରେ କୁକୁର ମାଛି ଥାଏ, ତାକୁ ଘରେ ପଶିବାକୁ ଦିଅନ୍ତୁ ନାହିଁ ।
- ଚଟାଣରେ କେବେବି ଛେପ ପକାନ୍ତୁ ନାହିଁ । ଛେପ ଦ୍ଵାରା ମଧ୍ୟ ରୋଗ ବ୍ୟାପିଯାଇପାରେ, କାଶିବା କିମ୍ବା ଛିଙ୍କିବାବେଳେ ମୁହଁକୁ ହାତ କିମ୍ବା ଲୁଗା ବା ରୁମାଲରେ ଘୋଡାଇ ରଖନ୍ତୁ ।
- ଘର ସବୁବେଳେ ପରିଷ୍କାର କରନ୍ତୁ । ଚଟାଣ, କାନ୍ଥ ଓ ଆସବାପତ୍ର ଇତ୍ୟାଦି ସଫା କରନ୍ତୁ । ଚଟାଣ ଓ କାନ୍ଥରେ ଥିବା କଣାରେ ଓଡଶ, ବିଛା ଇତ୍ୟାଦି ଲୁଚି ରହିପାରନ୍ତି, ତେଣୁ ସେଗୁଡିକୁ ବନ୍ଦ କରନ୍ତୁ ।
- ମାଟି ଘରକୁ ନିୟମିତ ଓଦା ଓ ଚିକ୍କଣ ମାଟିରେ ଲିପନ୍ତୁ । ଏହାଦ୍ଵାରା ପୋକ ମାଛିଙ୍କଠାରୁ ରକ୍ଷା ପାଇପାରିବେ ।
ଖାଇବା ଓ ପିଇବାରେ ପରିଚ୍ଛନ୍ନତା
- ପାଣିକୁ ପିଇବା ପୂର୍ବରୁ ଫୁଟାଇବା ସବୁଠାରୁ ଭଲ । ବିଶେଷତଃ ଛୋଟ ପିଲାଙ୍କ କ୍ଷେତ୍ରରେ ଓ ଆମାଶୟ, ଟାଇଫଏଡ, ହେପାଟାଇଟସ୍ ବା ହଇଜା ହେଉଥିବା ସମୟରେ ଏହା ଖୁବ୍ ମହତ୍ତ୍ଵପୂର୍ଣ୍ଣ । ଯଦି ପିଇବା ପୂର୍ବରୁ ଫୁଟା ଯାଇ ନ ଥାଏ ତେବେ ପରିଷ୍କାର ଦେଖାଯାଉଥିବା ନଦୀ, ନାଳର ପାଣି ମଧ୍ୟ ରୋଗ ବଢାଇପାରେ ।
ଗରମ ପାଣିକୁ ଢାଙ୍କୁଣୀ ଥିବା ମାଟି ପାତ୍ରରେ ରଖନ୍ତୁ ।
- ମାଛି କିମ୍ବା ଅନ୍ୟାନ୍ୟ ପୋକକୁ ଖାଦ୍ୟ ଉପରେ ବସିବାକୁ ଦିଅନ୍ତୁ ନାହିଁ ଏଗୁଡିକ ରୋଗର ବାହକ ଅଟନ୍ତି । ଅଇଁଠା ଖାଦ୍ୟ ବା ବାସନ ଛାଡନ୍ତୁ ନାହିଁ କାରଣ ଏହା ମାଛିକୁ ଆକର୍ଷଣ କରିଥାଏ ଓ ଜୀବାଣୁ ବଢାଇବାରେ ସାହାଯ୍ୟ କରେ । ଖାଦ୍ୟକୁ ଢାଙ୍କି ଜାଲି ମଧ୍ୟରେ ରଖନ୍ତୁ ।
ସବୁବେଳେ ଘୋଡାହୋଇ ରଖାଯାଇଥିବା ଖାଦ୍ୟ ଖାଆନ୍ତୁ
- ଘୋଡାହୋଇ ରକ୍ଷା ଯାଇ ନ ଥିବା ଖାଦ୍ୟ ଖାଆନ୍ତୁ ନାହିଁ । ବାହାରେ ବିକ୍ରି ହେଉଥିବା ମିଠାଇ, ଜିଲାପି ଓ କଟାଫଳ ସବୁ ବିନାଢାଙ୍କୁଣୀରେ ରକ୍ଷା ଯାଇଥାଏ । ସେଥିରେ ମାଛି ବସିଥିବାର ମଧ୍ୟ ଲକ୍ଷ୍ୟ କରାଯାଇପାରିବ । ଏମାନେ ଖାଦ୍ୟକୁ ଦୂଷିତ କରି ଦିଅନ୍ତି । ଏହି ସବୁ ଖାଦ୍ୟ ଖାଇଲେ ଆମାଶୟ ହୋଇପାରେ । ହଇଜା ଓ ଟାଇଫଏଡ ମଧ୍ୟ ଏହି ଉପାୟରେ ବ୍ୟାପେ ।
- ଚାଷ କାମରେ କିମ୍ବା ବାଡିବଗିଚାରେ ସବୁବେଳେ ପରିଷ୍କାର ଜଳ ବ୍ୟବହାର କରାଯାଇପାରେ ନାହିଁ । ଆମାଶୟ ରୋଗ ଜୀବାଣୁ ସେ ପାଣିରେ ଥାଏ । ଫଳ ଓ ପନିପରିବା, ବିଶେଷତଃ ମୂଳା, ସାଲଗମ୍, ଗାଜର ଆଦି ପାରିବା ଯାହାକି ମାଟିତଳେ ବଢିଥାଏ, ଏହି ପାଣିରେ ରହିବା ଫଳରେ ଜୀବାଣୁମାନେ ସେ ସବୁଥିରେ ରହିଥାନ୍ତି । ଖାଇବା ପୂର୍ବରୁ ସବୁବେଳେ ପାରିବା ଓ ଫଳମୂଳକୁ ପରିଷ୍କାର କରନ୍ତୁ ।
- ତଳେ ପଡିଥିବା ଫଳ ଖାଇବା ପୂର୍ବରୁ ଭଲଭାବରେ ଧୁଅନ୍ତୁ । ତଳେ ପଡିଥିବା ଖାଦ୍ୟକୁ ଉଠାଇ ପିଲାକୁ ଦିଅନ୍ତୁ ନାହିଁ । ପ୍ରଥମେ ଏହାକୁ ଧୁଅନ୍ତୁ ।
- ଭଲଭାବରେ ସିଝା ହୋଇଥିବା ମାଂସକୁ ଖାଆନ୍ତୁ । ଭଜା ମାଂସ (ବିଶେଷତଃ ଘୁଷୁରୀ ମାଂସ) ଭିତରେ ଯେପରି କଞ୍ଚାମାଂସ ରହି ନ ଥାଏ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ କଞ୍ଚା ଘୁଷୁରୀ ମାଂସ ବିପଦଜନକ ରୋଗ ଆଣିପାରେ ।
- ବାସି ବା ପୁରୁଣା ଓ ଗନ୍ଧ ହେଉଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଏହା ବିଷାକ୍ତ ହୋଇପାରେ, ଯଦି ଡିବା ଚେପା କିମ୍ବା ଫୁଲିଥାଏ, ସେଥିରେ ଥିବା ଖାଦ୍ୟ ଖାଆନ୍ତୁ ନାହିଁ । ବିଶେଷତଃ ଡବା – ମାଛ ପ୍ରତି ସାବଧାନ ରୁହନ୍ତୁ ।
ନିଜ ପିଲାର ସ୍ୱାସ୍ଥ୍ୟ କିପରି ରକ୍ଷା କରିବେ :
- ଅସୁସ୍ଥ ପିଲା ସୁସ୍ଥ ପିଲାଙ୍କ ଠାରୁ ଅଲଗା ଶୋଇବା ଉଚିତ୍ ।
ଅସୁସ୍ଥ ପିଲା କିମ୍ବା କାଛୁ, କୁଣ୍ଡିଆ ବା ଉକୁଣୀ ହୋଇଥିବା ପିଲାମାନେ ସବୁବେଳେ ସୁସ୍ଥ ଲୋକଙ୍କଠାରୁ ଅଲଗା ଶୋଇବା ଦରକାର । ହୁପିଙ୍ଗ କାଶ, ଶର୍ଦ୍ଦିଜ୍ଵର ଓ ମିଳିମିଳା ପରି ସଂକ୍ରାମକ ରୋଗ ହୋଇଥିବା ପିଲାମାନଙ୍କୁ ଅଲଗା ଘରେ ଶୋଇବାକୁ ଦିଅନ୍ତୁ ଓ ସେମାନଙ୍କୁ ଛୋଟ ପିଲାଙ୍କୁ ପାଖକୁ ଯିବାକୁ ଦେବା ଉଚିତ୍ ନୁହେଁ ।
- ପିଲାମାନଙ୍କୁ ଟି.ବି.ରୁ ରକ୍ଷା କରନ୍ତୁ । ବହୁଦିନ ଧରି କାଶ ଲାଗି ରହିବା କିମ୍ବା ଟି.ବି.ର ଅନ୍ୟାନ୍ୟ ଲକ୍ଷଣ ଥିଲେ କାଶିବା ସମୟରେ ମୁହଁ ଢାଙ୍କିବା ଦରକାର । ସେମାନେ ପିଲାଙ୍କ ସହିତ କଦାପି ଗୋଟିଏ ଘରେ ଶୋଇବା ଉଚିତ୍ ନୁହେଁ । ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖାଇ ଯେତେ ଶୀଘ୍ର ସମ୍ଭବ ଚିକିତ୍ସା କରାଇନେବା ଉଚିତ୍ ।
ଟି.ବି. ହୋଇଥିବା ବ୍ୟକ୍ତିଙ୍କ ସହ ରହୁଥିବା ପିଲା ଟି.ବି. ପ୍ରତିରୋଧକ ନେବା ଉଚିତ୍ ।
- ପିଲାମାନଙ୍କୁ ସବୁବେଳେ ଗାଧୋଇ ଦିଅନ୍ତୁ, ତାଙ୍କର ଲୁଗା ବଦଳାନ୍ତୁ ଓ ନଖ କାଟି ଦିଅନ୍ତୁ । ଲମ୍ବା ନଖ ତଳେ ଜୀବାଣୁ ଓ କୃମି ଡିମ୍ବ ରହିଥାଇ ପାରନ୍ତି ।
- ସଂକ୍ରାମକ ରୋଗଦ୍ଵାରା ପୀଡିତ ପିଲାଙ୍କୁ ଯେତେଶୀଘ୍ର ସମ୍ଭବ ଚିକିତ୍ସା କରନ୍ତୁ ଯାହାଦ୍ଵାରା ରୋଗ ଅନ୍ୟକୁ ବ୍ୟାପି ପାରିବ ନାହିଁ ।
- ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିବା ପରିଚ୍ଛନ୍ନତା ସମ୍ବନ୍ଧୀୟ ଉପଦେଶାବଳୀ ପାଳନ କରନ୍ତୁ । ପିଲାମାନଙ୍କୁ ଏହି ଉପଦେଶ ଗୁଡିକ ପାଳନ କରିବା ପାଇଁ ଶିକ୍ଷା ଦିଅନ୍ତୁ ।
ଏବଂ ଏଗୁଡିକ ମହତ୍ତ୍ଵପୂର୍ଣ୍ଣ ବୋଲି ସେମାନଙ୍କୁ ବୁଝାଇ ଦିଅନ୍ତୁ । ଗୃହ ଓ ଗାଁକୁ ସ୍ୱାସ୍ଥ୍ୟକର କରିବାରେ ପିଲାମାନଙ୍କୁ ପ୍ରୋତ୍ସାହିତ କରନ୍ତୁ ।
- ପିଲାମାନଙ୍କୁ ଯଥେଷ୍ଟ ପରିମାଣର ଭଲ ଖାଦ୍ୟ ଦିଅନ୍ତୁ । ଉତ୍ତମ ପୁଷ୍ଟିସାଧନ ଅନେକ ରୋଗର ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ । ଯେଉଁ ସଂକ୍ରାମକ ରୋଗ ଗୋଟିଏ ପୁଷ୍ଟିହୀନ ପିଲାର ଜୀବନ ନେଇପାରେ, ଜଣେ ସ୍ୱାସ୍ଥ୍ୟବାନ ପିଲା ସେ ରୋଗ ସହିତ ସହଜରେ ଲଢିପାରେ ବା ପ୍ରତିରୋଧ କରିପାରେ ।
ସାର୍ବଜନୀନ ପରିଚ୍ଛନ୍ନତା
- କୂଅ ଓ ସର୍ବସାଧାରଣ ବ୍ୟବହାର କରୁଥିବା ପୋଖରୀ ସଫା ରଖନ୍ତୁ । ପିଇବା ପାଣି ପାଇଁ ବ୍ୟବହୃତ ହେଉଥିବା ସ୍ଥାନକୁ ପଶୁମାନଙ୍କୁ ଛାଡନ୍ତୁ ନାହିଁ । ଯଦି ଦରକାର ହୁଏ, ଚାରିପଟେ ବାଡ କରି ପଶୁମାନଙ୍କୁ ଦୂରେଇ ରଖନ୍ତୁ ।
କୂଅ, ପୋଖରୀ ନିକଟରେ ଝାଡା ବସନ୍ତୁ ନାହିଁ ବା ମଇଳା ପକାନ୍ତୁ ନାହିଁ । ନଦୀ, ନାଳ ଯେଉଁଠାରୁ ପିଇବା ପାଣି ନିଆଯାଏ ସେ ସ୍ଥାନ ପରିଷ୍କାର କରିବାପାଇଁ ଯତ୍ନଶୀଳ ରୁହନ୍ତୁ ।
- ପୋଡା ଯାଇପାରୁଥିବା ସମସ୍ତ ମଇଳା ପୋଡି ଦିଅନ୍ତୁ । ଯାହା ପୋଡି ହେବ ନାହିଁ, ତାକୁ ଘରଠାରୁ ଓ ପିଇବା ପାଣି ନେଉଥିବା ଜାଗାରୁ ଏକ ସ୍ଵତନ୍ତ୍ର ଗାତ ପୋତି ଦିଅନ୍ତୁ ।
- ପାଇଖାନା ତିଆରି କରନ୍ତୁ ଯାହାଦ୍ଵାରା ଘୁଷୁରୀ ଓ ଅନ୍ୟାନ୍ୟ ପଶୁ ମନୁଷ୍ୟ ମଳ ନିକଟରେ ପହଞ୍ଚି ପାରିବ ନାହିଁ । ଗଭୀର ଗାତଟିଏ ଖୋଳି ତା ଉପରେ ଛୋଟିଆ ଘରଟିଏ ତିଆରି କରିଦେଲେ ତାହା ଖୁବ୍ ଭଲ କାମଦିଏ ।
ଏଠାରେ ଖୁବ୍ ସହଜରେ ତିଆରି କରାଯାଇ ପାରୁଥିବା ଏକ ପାଇଖାନାର ଚିତ୍ର ଦିଆଯାଇଛି
ମାଛି ତଥା ଗନ୍ଧରୁ ରକ୍ଷାପାଇବା ପାଇଁ ପ୍ରତିଥର ବ୍ୟବହାର ପରେ କିଛି ପାଉଁଶ, ଧୂଳି, ଓ ଚୂନ ଢାଳି ଦିଅନ୍ତୁ ।
ଘର ତଥା ପାଣି ଅଣାଯାଉଥିବା ଜାଗାଠାରୁ ଅତି କମ୍ ରେ ୨୦ମିଟର ଦୂରରେ ଏହା ତିଆରି ହେବା ଉଚିତ୍ ।
ଯଦି ଆପଣଙ୍କର ପାଇଖାନା ନାହିଁ, ତେବେ ଲୋକେ ଗାଧୋଉଥିବା ତଥା ପିଇବା ପାଣି ନିଆଯାଉଥିବା ଜାଗାରୁ ବହୁ ଦୂରରେ ଝାଡା ବସନ୍ତୁ । ଆପଣଙ୍କ ପିଲାକୁ ମଧ୍ୟ ଏହା ଶିକ୍ଷା ଦିଅନ୍ତୁ ।
ପାଇଖାନା ବ୍ୟବହାର ବହୁତ ରୋଗ ନିବାରଣ କରିଥାଏ ।
|
ଉତ୍ତମ ପାଇଖାନା
ଏହି ପାଇଖାନା ତିଆରି ଅତି ସହଜ ଓ ଅଳ୍ପ ବ୍ୟୟସାପେକ୍ଷ । ମାତ୍ର ଏହା ଉପର ଖୋଲା ଥିବାରୁ ଝାଡା ଉପରେ ମାଛି ବସିପାରନ୍ତି ।
ବନ୍ଦ ପାଇଖାନା ଅଧିକ ଭଲ କାରଣ ଏଥିରେ ଗନ୍ଧ ବାହାରକୁ ଆସେ ନାହିଁ କିମ୍ବା ମାଛି ଭିତରକୁ ପଶିପାରେ ନାହିଁ । ବନ୍ଦ ପାଇଖାନାରେ ଗୋଟିଏ ଚଉତରା କିମ୍ବା ମଝିରେ କଣା ଓ ଉପରେ ଢାଙ୍କୁଣୀ ଥିବା ଗୋଟିଏ ଫଳକ ଥାଏ । ଏହି ଫଳକଟି ସିମେଣ୍ଟ କିମ୍ବା କାଠରେ ତିଆରି ହୋଇଥାଏ ସିମେଣ୍ଟରେ ତିଆରି ହୋଇଥିଲେ ଅଧିକ ଭଲ କାରଣ ଏହା ଭଲ ଭବାରେ ବସିଯାଏ ଓ ନଷ୍ଟ ହୋଇଯାଏ ନାହିଁ ।
ସିମେଣ୍ଟର ଫଳକ ତିଆରି କରିବାର ଗୋଟିଏ ଉପାୟ :
- ୧ ମିଟର ଲମ୍ବା, ୧ ମିଟର ଚଉଡା ଓ ୭ ସେ.ମି. ଗଭୀରର ଗୋଟିଏ ଗାତ ଖୋଳନ୍ତୁ । ଗାତର ତଳ ସମତଳ ଓ ମସୃଣ ହୋଇଥିବା ଦରକାରୀ ।
- ୧ ମିଟରରେ ୧ ମିଟରର ଗୋଟିଏ ତାର ଜାଲି କାଟନ୍ତୁ ବା ତିଆରି କରନ୍ତୁ । ତାର ୧/୨ ରୁ ୧/୪ ସେ.ମି. ମୋଟା ହୋଇଥିବ ଓ ପ୍ରାୟ ୧୦ ସେ.ମି. ଦୂରତାରେ ତାରକୁ ଯୋଡି ଜାଲି ତିଆରି କରନ୍ତୁ, ଜାଲିର ମଝି ଅଂଶରେ ୨୫ ସେ.ମି. ଗୋଳେଇ ବିଶିଷ୍ଟ ଏକ କଣା କରନ୍ତୁ ।
- ଗାତ ଉପରେ ଜାଲିଟି ପକାଇଦିଅନ୍ତୁ । ତାରର ଶେଷ ଅଂଶ ବଙ୍କାଇ ଦିଅନ୍ତୁ କିମ୍ବା ପ୍ରତି କୋଣରେ ଛୋଟିଆ ପଥରଟିଏ ଦିଅନ୍ତୁ ଯେପରି କି ଜାଲିଟି ୩ ସେ.ମି. ଉଚ୍ଚରେ ରହିବ ।
- ଜାଲିର କଣାରେ ଗୋଟିଏ ପୁରୁଣା ବାଲ୍ଟି ରଖନ୍ତୁ ।
- ସିମେଣ୍ଟରେ ଗେଟି, ବାଲି ଓ ପାଣି ମିଶାଇ ଘାଣ୍ଟନ୍ତୁ । ୫ ସେ.ମି. ଉଚ୍ଚତା ହେଲା ପର୍ଯ୍ୟନ୍ତ ଏହାକୁ ଢାଳନୁ । (ଗୋଟିଏ କଡେଇ ସିମେଣ୍ଟରେ ୩ କଡେଇ ଗେଟି ଓ ୨ କଡେଇ ବାଲି ମିଶାନ୍ତୁ )
- ସିମେଣ୍ଟ ଟାଣ ହେବାକୁ ଆରମ୍ଭ କଲେ ବାଲ୍ଟି କାଢି ଦିଅନ୍ତୁ । ତା’ ପରେ ସିମେଣ୍ଟ ଉପରେ ଚିରା ଲୁଗା, ବାଲି, ଘାସ କିମ୍ବା ଗୋଟିଏ ପ୍ଲାଷ୍ଟିକ ଫଳକ ଦିଅନ୍ତୁ ଓ ଏହାକୁ ଓଦା ରଖନ୍ତୁ । ୩ ଦିନ ପରେ ସିମେଣ୍ଟ ଫଳକୁ କାଢି ଦିଅନ୍ତୁ ।
ବନ୍ଦ ପାଇଖାନା ତିଆରି ପାଇଁ ଭୁଇଁରେ ଥିବା ଗୋଲ ଗାତ ଉପରେ ଏକ ଫଳକ ଲଗାଯିବ । ଏକ ମିଟରରୁ ଅଳ୍ପ ଗୋଳେଇ ଓ ଏକ ମିଟରରୁ ୨ ମିଟର ଗଭୀର ଗାତ ଖୋଳନ୍ତୁ ।
ପାଇଖାନା ଘର, କୂଅ, ନଈ, ନାଳ ବା ପୋଖରୀଠାରୁ ୨୦ମି. ଦୂରରେ ରହିବା ଉଚିତ୍ । ଯେଉଁଠାରୁ ଲୋକେ ପିଇବାକୁ ପାଣି ନେଉଛନ୍ତି ଯଦି ସେଠାରେ ପାଇଖାନା ତିଆରି କରିବାକୁ ପଡେ, ତେବେ ଜଳସ୍ରୋତର ତଳ ମୁହାଁଣରେ କରନ୍ତୁ ।
ପାଇଖାନା ପରିଷ୍କାର ରଖନ୍ତୁ । ଫଳକକୁ ବାରମ୍ବାର ସଫା କରନ୍ତୁ । ଏହାକୁ ମଇଳା ନ କରିବା ପାଇଁ ପିଲାମାନଙ୍କୁ ଓ ଅନ୍ୟମାନଙ୍କୁ ଶିଖାନ୍ତୁ ।
ପାଇଖାନା ଗାତ ପାଇଁ ଘୋଡଣୀଟିଏ ନିଶ୍ଚୟ ଥିବା ଦରକାର । କାଠରେ ଗୋଟିଏ ସାଧାରଣ ଘୋଡଣୀ ତିଆରି କରାଯାଇପାରିବ ।
ଝାଡା ଯିବା ସମୟରେ ବସିବାକୁ ଚାହୁଁଥିଲେ ଏହିପରି ଗୋଟିଏ ସିମେଣ୍ଟର ଚେୟାର ତିଆରି କରିପାରନ୍ତି ।
ଏଥିପାଇଁ ଆପଣଙ୍କୁ ଗୋଟିଏ ଛାଞ୍ଚ ତିଆରି କରିବାକୁ ହେବ କିମ୍ବା ଅଲଗା ଆକାରର ଦୁଇଟି ବାଲ୍ଟି ନେଇ ଗୋଟିକ ଭିତରେ ଅନ୍ୟଟିକୁ ରଖିବାକୁ ହେବ ।
ଏହି ଭି.ଆଇ.ପି. ପାଇଖାନା ତିଆରି କରିବା ପାଇଁ ୨ ମିଟର ବର୍ଗ ଆକାରରେ ୨ଟି କଣା ଥାଇ ଏକ ସ୍ଲାବ ନିଅନ୍ତୁ । ଗୋଟିଏ କଣା ଉପରେ ମଶା ନ ଯାଇପାରିବା ଜାଲ ବାୟୁ ଚଳାଚଳ ପାଇପରେ ଲଗାନ୍ତୁ । ଅନ୍ୟ କଣାଟିରେ ଏକ ବର୍ହିକୋଠରୀ ତିଆରି କରନ୍ତୁ । ଏହି କଣାକୁ ଘୋଡାନ୍ତୁ ନାହିଁ । ଏହାଦ୍ଵାରା ଗନ୍ଧ ଓ ମଶାମାନଙ୍କଠାରୁ ରକ୍ଷା ପାଇପାରିବେ ।
ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ